କବିତା
କବିତା
ଛୋଟ ଏକ ଗାଁ ବାସୁଦେବପୁର | ସୁଦୂର ପାହାଡ଼ର ଛାତି କୁ ଚିରି ବହିଯାଇଛି ଏକ ଝରଣା ଯାହା ର କୁଳୁ କୁଳୁ ଶବ୍ଦ ବାସୁଦେବ ପୁର ଗ୍ରାମର ଜୀବନକୁ ତ୍ୱରାନ୍ୱିତ କରେ |ଆଖି ଯେତେ ଦୂର ଯାଇ ପାରିବ ସବୁଠାରେ କେବଳ ଶସ୍ୟ ଶ୍ୟାମଳା ସବୁଜିମା |ସତେ ଯେପରି ପ୍ରକୃତି ରାଣୀ ଏଇଠାରେ ନିଜ ଘର ତିଆରି କରି ସ୍ଥାୟୀ ବାସିନ୍ଦା |
ଝରଣାର ଗୋଟେ ପଟେ ମା ଖିଲା ମୁଣ୍ଡା ଙ୍କ ଆସ୍ଥାନ ଆଉ ଗୋଟେ ପଟେ ଘଞ୍ଚ ଅରଣ୍ୟ ର ଶବ୍ଦ ରାଶି | ଏଇ ଘଞ୍ଚ ଜଙ୍ଗଲ କୁ ପାର କରି ସରୁ ରାସ୍ତା ଟିଏ ଲମ୍ବି ଯାଇଛି ଗାଁ ଭିତରକୁ | ଅଧୁନା ସମାଜ ଆଉ ଆଧୁନିକତା ର ଛବି କେବଳ ଗାଁ ଭିତରେ ଥିବା ଏକ ଦୂରସଂଚାର କେନ୍ଦ୍ର ସହିତ ସଂଶ୍ଲିଷ୍ଟ |
ସେଇ ପ୍ରକୃତି ର ମେରୁପୃଷ୍ଠରେ ଥିବା ଗାଁ ରେ ନାନା ପ୍ରକର କାରୁକାର୍ଯ୍ୟ ଏବଂ କୁଶଳତା ର ଭରପୂର୍ଣ କଳାକାର ମାନଙ୍କର ବେଉସା ତାଙ୍କର ମହାନତା କୁ ଅଙ୍କିତ କରେ |
କିଏ ଛବି ରେ, କିଏ ବୁଣାକାର ଭାବରେ ତ କିଏ ମୂର୍ତ୍ତିର ଖୋଦେଇ ରେ ନିଜର ପରିଚୟ ସୃଷ୍ଟି କରେ ଆଉ ଲେଖିଦିଏ ମଣିଷ ଜୀବନ ର ଇତିହାସ | ସେଇ ଗାଁ ର ଶୋଭାକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଶୀତ ଋତୁ ରେ ବିଦେଶୀ ପର୍ଯ୍ୟଟକ ଙ୍କର ଆଗମନ ହୁଏ | କେବଳ, ଦେଶରୁ ନୁହେଁ ବରଂ ବିଦେଶ ରୁ ମଧ୍ୟ ଅନେକ ପର୍ଯ୍ୟଟକ ମାନଙ୍କର ସମାଗମରେ ଗ୍ରାମରେ କୋଳାହଳ ସୃଷ୍ଟି ହୁଏ ଆଉ କଳା କାରୁକାର୍ଯ୍ୟ ର ବ୍ୟବସାୟ ଗାଁର ଲୋକ ମାନଙ୍କୁ ଅନେକ ଉତ୍ସାହିତ କରେ | ଅନେକ ପର୍ଯ୍ୟଟକ ବାଣଭୋଜୀ କରିବା ଉଦେଶ୍ୟରେ ଶୀତ ଦିନ ମାନଙ୍କରେ ସେଠାରେ ଆସର ଜମାନ୍ତି | ବାସୁଦେବପୁର ଗ୍ରାମର ପାଖରେ ଥିବା ଘଞ୍ଚ ଜଙ୍ଗଲ ର ସେପଟେ ସୃଦୁଢ ପାହାଡ଼ର ପାଦ ଦେଶରେ ଲାଗିରହିଛି ଏକ ଜଳାଶ୍ରୟ ଯାହାକି ବନ୍ୟ ଜୀବଜନ୍ତୁ,ସ୍ୱତନ୍ତ୍ର ଭାବରେ ସେଠାକୁ ଆସୁଥିବା ହରିଣ, ମିରିଗ, କୁଟୁରା, ବାରହା ଏବଂ ଅନାନ୍ୟଜୀବ ମାନଙ୍କର ଏହି ଜଳାଶ୍ରୟ ଟି ଜୀବନ ନିର୍ବାହ ପାଇଁ ଉପଯୋଗରେ ଆସେ |ଆଉ ଶୀତ ଋତୁରେ ଏଇ ଜଙ୍ଗଲୀ ଜୀବ ମାନଙ୍କ ଆସର ବିଦେଶୀ ପର୍ଯ୍ୟଟକ ମାନଙ୍କ ର ଆକର୍ଷଣ ବିନ୍ଦୁ | ଗୋଟେ ପଟେ ଗାଁର ଜୀବନ ଜୀବିକା ପାଇଁ କଳା କାରୁକାର୍ଯ୍ୟର ପଟ୍ଟଚିତ୍ର ତ ସେହି ସମୟରେ ଅନ୍ୟ ପଟେ ଜଙ୍ଗଲୀ ଜୀବ ମାନଙ୍କର ସାମଗମ ପର୍ଯ୍ୟଟନ କ୍ଷେତ୍ର କୁ ତ୍ୱରାନ୍ୱିତ କରେ | ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ଏହାକୁ ଛ ବର୍ଷ ତଳେ ଓଡିଶା ର ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ଦେବା ସହିତ ଏଥି ପ୍ରତି ନିଜର ଅନୁକମ୍ପା ମଧ୍ୟ ପ୍ରଦାନ କରିଛନ୍ତି ରକ୍ଷଣ ବେକ୍ଷଣ ର ଦାୟିତ୍ୱ କୁ ବହନ କରି | କିନ୍ତୁ, ଏହା କେବଳ ସମ୍ଭବ ହେଇ ପାରିଛି ସେହି ଗାଁ ର କେତେକ ମୁଖିଆ ଏବଂ ସହୃଦୟ ବ୍ୟକ୍ତି ମାନଙ୍କ ର ଅକ୍ଲାନ୍ତ ପରିଶ୍ରମ ଏବଂ ତ୍ୟାଗର ଫଳରେ |ସେହି ସହୃଦୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଅଦ୍ଵିତୀୟ ମୂର୍ତ୍ତିକାର ମହାଶୟ ଡକ୍ଟର ନୀଳମଣି ମହାପାତ୍ର ଯାହାଙ୍କ ତ୍ୟାଗ କେବଳ ଯେ ବାସୁଦେବପୁର ଗାଁ କୁ ଏକ ନୂତନ ପରିଚୟ ଦେବାରେ ସହାୟକ ହୋଇଛି ତା ନୁହେଁ ବରଂ ପ୍ରତେକ କଳାକାର ମାନଙ୍କର ଜୀବନକୁ ପ୍ରେରଣା ଯୋଗାଇଛି ନିଜ କଳାକୃତିକୁ ବଜାୟ ରଖିବା ପାଇଁ | ସେଇ ମହୋଦୟଙ୍କର କଳା କୀର୍ତ୍ତିର ସୁଦୂର ବାର୍ତ୍ତା ଦେଶ ବିଦେଶ ରେ ଅନେକ ଗୌରବ ଆଣି ନିଜ ମାତୃଭୂମିର ମହାନତା କୁ ଆଗେଇ ନେଇଛି ଆଉ ଅନେକ ନବ ପୀଢ଼ି ର ଯୁବକ ମାନଙ୍କର ଜୀବନକୁ ଅନେକାଂଶ ରେ ପ୍ରଭାବିତ କରିଛି ନିଜର କାହାଣୀ ମାଧ୍ୟମରେ | ସେଥିପାଇଁ ଅନେକ ଇତିହାସ ବିଭାଗର ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ରେ ପଢିବା ବେଳେ ଏଠାକୁ ଆସିଛନ୍ତି ନିଜର ଗବେଷଣା କୁ ଆଗେଇ ନେବା ପାଇଁ | ସେଇ ବିଭାଗରେ ଅଧ୍ୟୟନରତ ମହାଶୟ ଙ୍କ ଝିଅ କବିତା | ନାମ ଟି ଯେପରି, ଗୁଣ ବି ସେପରି |ପ୍ରତି କ୍ଷେତ୍ରରେ ନିଜର ଅପାର କୁଶଳତା ଆଉ ଘରେ ମଧ୍ୟ ସର୍ବଗୁଣସମ୍ପନା |ପ୍ରିୟ ଲାଗେ ତାକୁ ବାପାଙ୍କର ମୂର୍ତ୍ତିଗଢ଼ିବାର କଳାକୁ ଶିଖିବା ଆଉଜୀବନର ଶିକ୍ଷା କୁ ଲାଭ କରିବା କବିତା ରଚନା କରି |ପିଲାଟି ବେଳୁ ଗପ, ରଚନା, କବିତା ବକ୍ତୃତା କ୍ଷେତ୍ରରେ ଅପାର ପାରଙ୍ଗମ ରେ ଗୁରୁଜନ ମାନଙ୍କର ପ୍ରିୟ ପାତ୍ରୀ ହୋଇ ଆସିଛି ଏଇ ଝିଅଟି |ଆଜି ମଧ୍ୟ ବାପାଙ୍କ ସ୍ବପ୍ନର ପଥେ ନିଜକୁ ଉତ୍ସଗିକୃତ କରିଦେଇଛି ଏଇ ଝିଅଟି |କିପରି ବାପାଙ୍କର କଳା କୁ ଆଗ ପିଢ଼ିକୁ ଅଗ୍ରସର କରେଇଦିଆଯିବ ଆଉ ନିଜର ଇତିହାସ କୁ ବଜାୟ ରଖାଯିବ ତାହା ହିଁ ଶେଷ ଲକ୍ଷ୍ୟ | କବିତା ନିଜର ଅଧ୍ୟବ୍ୟସାୟ ରେ ସଦା ଚେଷ୍ଟିତ |କବିତା ମହାବିଦ୍ୟାଳୟ ରେ ଇତିହାସ ବିଭାଗ ର ଛାତ୍ରୀ ଏବଂ ଅଧ୍ୟାପକ ପ୍ରଫେସର ଡକ୍ଟର. ନିଶିକାନ୍ତ ମହାନ୍ତି ଙ୍କ ପ୍ରିୟ ଗବେଷଣା ରତ ଛାତ୍ରୀ | ଓଡିଶା ଶିଳ୍ପ କଳା ଉପରେ ତାର ଗବେଷଣା | ଏଥିରେ ତାର ସହାୟକ ମହୋଦୟ ଡ.ନୀଳମଣି ମହାପାତ୍ର ତାର ବାପା ଏବଂ ଗୁରୁ |
ଓଡିଶା ର କଳା ସ୍ଥାପତ୍ୟ ରେ କିପରି ଜ୍ଞାନର ଭାଷା ଲୁକ୍କାୟିତ ଏବଂ ଏହା ଜୀବନ କୁ ଅନେକ ଭାବରେ ପ୍ରଭାବିତ କରେ ତା ଉପରେ କବିତା ର ଅଶେଷ ଆଗ୍ରହ | ସେଥିପାଇଁ, ସେ ବାପାଙ୍କ ସାଙ୍ଗରେ ଅନେକ କଳା ସଂସ୍କୃତି କେନ୍ଦ୍ର କୁ ବୁଲି ଯାଇଛି ଏବଂ ଅନେକ ମନ୍ଦିର ର କ୍ଷେତ୍ରରେ ବାପାଙ୍କ ସଙ୍ଗେ ମିଶି ଖୋଦିତ ଚିତ୍ର ବା ମୂର୍ତ୍ତି ର ରହସ୍ୟ କୁ ବୁଝିବା ପାଇଁ ଚେଷ୍ଟା କରିଛି | କବିତାର ମାନ୍ୟତା ଏହାକି କଳା ସଂସ୍କୃତି କୁ ଆଧୁନିକିକରଣ ମାଧ୍ୟମରେ ଅନେକ ବର୍ଷ ଆଗକୁ ଜୀବିତ କରାଯାଇପାରିବ କିନ୍ତୁ ମହୋଦୟ ଡ.ନୀଳମଣି ବାବୁଙ୍କ କହିବା ଅନୁଯାୟୀ କଳା ସ୍ଥାପତ୍ୟ କୁ କେବଳ ଗଭୀର ଜ୍ଞାନ ମାଧ୍ୟମରେ ବୁଝିହେବ ଏବଂ ଏହା ଆଧୁନିକତା ଭିତରେ ସଂସ୍କାର ସଂସ୍କୃତି କୁ ବଜାୟ ରଖି ପାରିବ | ଏଇ ଭିତରେ ଚାଲିଯାଇଛି ଅନେକ ସମୟ |ବର୍ଷ 2020(ଦୁଇହଜାର କୋଡିଏ )ର ଆବିର୍ଭାବ |ମାର୍ଚ୍ଚ ମାସ 26 (ଛବିଶ )ତାରିଖ |ସମଗ୍ର ଦେଶରେ ବନ୍ଦ ଡାକରା | କରୋନା ଭୁତାଣୁ ର କାଳ ପ୍ରଭାବ ହେତୁ ସାରା ବିଶ୍ୱ ଆତଙ୍କିତ | ଚାଇନା ଦେଶର ଭୁତାଣୁ ସମଗ୍ର ବିଶ୍ୱର ଅର୍ଥନୀତି କୁ ଦୋହଲାଇ ଦେଇ ସାରିଲାଣି | କେତେ ପରିବାର ଶୂନ୍ୟ ହେଇଯାଉଛି ତ କେଉଁଠି ଅନାଥ ଶିଶୁର ବିକଳ କାନ୍ଦଣା ର ଚିତ୍ର | ସବୁଠି କରୋନା ରାକ୍ଷସ ବଡ଼ ଆଁ ଟା କରି ବିଶ୍ୱର ସବୁ କୋଣ ଅନୁକୋଣ କୁ ଲମ୍ବି ଯାଇଛି ଜୀବନକୁ ସମୂହ ଭାବରେ ଗିଳିବା ପାଇଁ | ସମୟର ପୃଷ୍ଠା ରେ ବାସୁଦେବ ପୁର ଟିକେ ବର୍ତ୍ତୀ ଯାଇଛି କିନ୍ତୁ ଭୟ ଏବେବି ଛାଡି ନାହିଁ | ଆଉ ବାହାର ପର୍ଯ୍ୟଟକ ଙ୍କର ଭିଡ଼ ଜମୁନାହିଁ | କୁଶଳ କାରିଗର ମାନେ ମୁଣ୍ଡରେ ହାତ ଦେଇ ବସିଲେଣି | ପାଖରେ ଥିବା ସଞ୍ଚିତ ଧନ ସବୁ ସରିବାକୁ ଲାଗିଲାଣି | ଗାଁ ର ଯୁବକ ମାନେ ରାତି ହେଲେ ଗାଁ କୁ ଆସୁଥିବା ରାସ୍ତାରେ ଡେରା ପକାଇ ବସନ୍ତି କାଳେ ବାହାରୁ କେହି ଜଣେ ପଳେଇ ଆସିବ ଗାଁ ଭିତରକୁ ଆଉ କରୋନା ରାକ୍ଷସ ପ୍ରବେଶ କରିଯିବ ଏକ ମୁହାଁ ହୋଇ |କିଏ କିଏ ମଧ୍ୟ ଜମିବାଡ଼ି ବଡ ବଡ ମହାଜନ ମାନଙ୍କୁ ବିକି ଦେଇ ଗୁଜରାଣ ମେଣ୍ଟେଇବା ପାଇଁ ପ୍ରସ୍ତୁତ ହେଲେଣି | ଇତି ମଧ୍ୟରେ ନୀଳମଣି ବାବୁ ଅନେକ କାରିଗର ମାନଙ୍କୁ ବହୁତ କିଛି ସାହାଯ୍ୟ କରି ସାରିଲେଣି ଆଉ ଆଗକୁ କଣ ହେବ ଜଣା ନାହିଁ | ନିଜ ପାଇଁ ଅଳ୍ପ କିଛି ରଖି ଅନେକ କୁଶଳ କାରିଗର ମାନଙ୍କୁ ସାହାଯ୍ୟର ଉଦାର ହାତ ବଢ଼େଇ ସାରିଲେଣି | ଘରେ ଏଥିପାଇଁ ତାଙ୍କ ସ୍ତ୍ରୀ ଙ୍କ ସହିତ ମନୋମାଳିନ୍ୟ | ଝିଅ କବିତା ମହାବିଦ୍ୟାଳୟ ରୁ ମଝିରେ ଘରକୁ ଚାଲିଆସିଛି ଛୁଟି ଘୋଷଣା ପରେ | ଘରେ ମା ଙ୍କୁ ସାହାଯ୍ୟ ଆଉ ବାପାଙ୍କର ବ୍ୟବସାୟ କୁ ନେଇ ଚିନ୍ତିତ | ମା ଧୀରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଆଉ କାହାକୁ ଚିନ୍ହି ପାରୁନାହାନ୍ତି,କେବଳ ନିଜର ପୁଅ ମୁନା କୁ ଖୋଜୁଛନ୍ତି | ଯେପରି ସେ ଶେଷ ସମୟରେ ତାକୁ ଟିକେ ଦେଖି ବାକୁ ଚାଁହୁଛନ୍ତି | ହେଲେ, ମୁନା କାହିଁକି ଘରକୁ ଆସୁନି | ଆସୁଛି କେବଳ ତାର ଦୂରବାର୍ତ୍ତା | ଏଇ ମୁନାର ଚିଠି ଆସିଛି | ଏତେ ଦୂର ବିଦେଶ ସାତ ସମୁଦ୍ର ପାର ଆମେରିକା ରେ ସୁପ୍ରତିଷ୍ଠିତ ଏକ ବଡ଼ ପ୍ରଯୁକ୍ତି କାରଖାନା ରେ ସେ କର୍ମଶୀଳ | ଜଣେ ଉଚ୍ଚ ବିଭାଗସ୍ଥ ପଦାଧିକାରୀ | ଭାରତୀୟ ମୁଦ୍ରାରେ ମାସିକ ଦରମା ଦୁଇ ଲକ୍ଷ୍ ଠାରୁ ଅଧିକ | ନୀଳମଣି ବାବୁ ମଝିରେ ଥରେ ଯାଇଥିଲେ ସେଠାକୁ ପରିବାର ନେଇ |ସେଠାରେ ତାଙ୍କର କଳା କାରୁକାର୍ଯ୍ୟର ପ୍ରଦର୍ଶନୀ ଥିଲା ଆଉ ଅନେକ ସମ୍ବର୍ଦ୍ଧନା ମଧ୍ୟ ଭାରତୀୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା | କିନ୍ତୁ, ଯେବେ ଠାରୁ ମୁନା ସେଠାକାର ନାଗରିକତା ପାଇବା ପରେ ସେଠି ଜଣେ ଅଫିସ ର ମହିଳା କର୍ମଚାରୀ କୁ ବିବାହ କରି ଜୀବନ ସାଥୀ କରିଲା, ତା ପରଠାରୁ ନୀଳମଣି ବାବୁ ଆଉ ଯାଉନାହାନ୍ତି | ଯେତେ ପୁଅ ବୋହୁ ଡାକିଲେ ବି ମହାଶୟ ନିଜର ଆତ୍ମ ସମ୍ମାନ କୁ ଜଗିରହି ଚଳୁଛନ୍ତି | ପୁଅ ଏଣିକି ବାପାଙ୍କର ମନ କଥା ଜାଣିପାରି କେବଳ ପଇସା ପଠେଇଦିଅନ୍ତି ବାପାଙ୍କ ପାଖକୁ କିନ୍ତୁ ନିଜେ ଆସନ୍ତି ନାହିଁ |ଥରେ ମା ଙ୍କର ଅତି ଅନୁରୋଧ ପରେ ଗାଁ କୁ ଯାଇଥିଲେ ସ୍ତ୍ରୀ ସହିତ |ଗାଁ ରେ କେବଳ ଗୋଟିଏ ବଡ଼ ଭୋଜି କରି ଲୋକ ମାନଙ୍କୁ ନିମନ୍ତ୍ରଣ କରିଥିଲେ ମହାଶୟ ନୀଳମଣି ବାବୁ | କେତେ ନେତା ମନ୍ତ୍ରୀ ଙ୍କ ଗାଡି ଆସି ଲାଗିଯାଇଥିଲା ତାଙ୍କ ଦୁଆରେ | ଭବ୍ୟାଥିତ୍ୟ ସତ୍କାର ପରେପାଖ ପଡୋଶୀ ଲୋକ ମାନଙ୍କର ତାଚ୍ଛଲ୍ୟ କଥାରେ ହତାଶ ହୋଇ ମୁନା ବାବୁ ସମୟ ପୁର୍ବରୁ ନିଜ ଘରଣୀ କୁ ନେଇ ଫେରି ଯାଇଥିଲେ ସୁଦୂର ବିଦେଶ କୁ |ତା ପରଠାରୁ ତାଙ୍କୁ ଗାଁ ରେ କେହି ଆଉ ଦେଖି ବାକୁ ପାଇନାହାନ୍ତି |ଛୁଟି ମାନଙ୍କରେ ମଧ୍ୟ କେହି ଯଦି ନୀଳମଣି ବାବୁଙ୍କୁ ପୁଅ ଆସିବା ବିଷୟରେ ପଚାରିଦିଅନ୍ତି, ତ ସେ କଥାକୁ ଅନ୍ୟତ୍ର ବୁଲାଇ ନିଜ ଉପରକୁ ନେଇ ଯାଆନ୍ତି | ହେଲେ, ଏବେ ତାଙ୍କ ଘରେ ଘର ସ୍ୱାମୀନୀ ଙ୍କ ଦେହ ଅତି ଖରାପ,ମାନସିକ ରୋଗରେ ଆକ୍ରାନ୍ତ | ଏଣେ, ଏତେ ଡାକ୍ତର ଙ୍କୁ ଦେଖେଇବା ପରେ ବି ଗୋଟିଏ କଥା, ସେମାନଙ୍କର କି "ନିଜ ପୁଅକୁ ଡକେଇ ଦିଅନ୍ତୁ, ସେ ଭଲ ହୋଇଯିବେ" |କିନ୍ତୁ, ପୁଅ ଖାଲି କହୁଛି" ଛୁଟି ଦେଉନାହାନ୍ତି | ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ | ମୁଁ ଚେଷ୍ଟା କରୁଛି | ଅତି ଦରକାର ହେଲେ ବୋଉ କୁ ଏଠି ଆଣି ଚିକତ୍ସା କରିବା" | କଣ ବା ଆଉ କରିବେ ମହାଶୟ ନୀଳମଣି ବାବୁ | ଭାରତୀୟ ସଂସ୍କୃତି ଓ ସଂସ୍କାର କୁ କାହାଣୀ କରି ମୂର୍ତ୍ତି ତୋଳିଥିବା ମହାନ ମୂର୍ତ୍ତିକାର ଏଵେ ନିଜ ସଂସ୍କାର ର ମୂର୍ତ୍ତି କୁ ଠିକ ରେ ଗଢି ପାରିନାହାନ୍ତି , ସେ କଥା କାହାକୁ କହିବେ |ତେଣୁ, ନିଜ ଅର୍ଦ୍ଧାଙ୍ଗିନୀ କୁ ବଞ୍ଚେଇବା ପାଇଁ ଅନେକ ମିଥ୍ୟା ର ସାହାଯ୍ୟ ନେବା ପାଇଁ ପଡିଛି | ଶେଷରେ, ଝିଅ କବିତା ତାର ଜଣେ ଗବେଷକ ବନ୍ଧୁ ସାନ୍ତାନୁ ମହାପାତ୍ର କୁ ଅନୁରୋଧ କରିଛି ମିଛ ଚିଠି ପଠେଇବା ପାଇଁ | କାରଣ, କବିତାର ବନ୍ଧୁ ନିଜର ଅଧ୍ୟବ୍ୟସାୟ ବଳରେ ଭାରତ ସରକାର ଙ୍କ ଦ୍ୱାରା ପ୍ରୋତ୍ସାହନ ରାଶିରେ ଇତିହାସ ଗବେଷଣା ରେ ଅଧିକ ଶିକ୍ଷା ଲାଭ ପାଇଁ ଆମେରିକା ରେ ବୋଷ୍ଟୋନ ମହାବିଦ୍ୟାଳୟ ରେ ପଠନରତ | ଏ କଥା ନୀଳମଣି ବାବୁ ପ୍ରଥମେ ଜାଣି ପାରି ଝିଅ ଆଗରେ ଲୁହ ଝରାଇ ପାରି ନଥିଲେ, କିନ୍ତୁ ପରେ ଏକୁଟିଆ ଠାକୁର ଘରେ ଶ୍ରୀ ଜଗନ୍ନାଥ ଙ୍କୁ ଅନେକ ଧନ୍ୟବାଦ ଦେଇଥିଲେ ଏବଂ ଗର୍ବ ଅନୁଭୂତ କରିଥିଲେ ନିଜ ଝିଅ ର ପଦକ୍ଷେପ ନେବା ଉପରେ | ହେଲେ, ପୁଅର ଆଉ କିଛି ଫୋନ ଆସୁନାହିଁ | ଆସୁଛି ତ କେବଳ ମାସିକ ଭତ୍ତା ପରି ପଇସା କିଛି ମହାଶୟ ଙ୍କ ବ୍ୟାଙ୍କ ଖାତା କୁ | ନୀଳମଣି ବାବୁଙ୍କ ଧର୍ମ ପତ୍ନୀ ବସୁନ୍ଧରା | ନାମରେ ଲୁଚି ରହିଛି ଗୁଣର କାୟା ଏବଂ ପ୍ରଭାବ ରେ ସାରା ଗାଁ ଟି ନତମସ୍ତକ | ସେ ଜୀବନ ସାରା ଅନ୍ୟକୁ ସହାୟ ହୋଇଛନ୍ତି ମା ରୂପରେ | ଦୁଃଖୀ ହେଉ ବା ଭିଖାରି, ସମସ୍ତେ ତାଙ୍କର ସେବାରେ ଓ ଭୁରି ଭୋଜନ ରେ ଆତ୍ମ ସନ୍ତୁଷ୍ଟ | କେହି କେବେ ଦୁଆରୁ ଖାଲି ହାତରେ ଫେରି ଯାଇ ନାହାନ୍ତି | କିଛି ନ ହେଲେ ପେଟ ପୁରା ଖାଦ୍ୟ ସତେ ଯେପରି ମା ଲକ୍ଷ୍ମୀ ଠାକୁରାଣୀ ନିଜେ ପରସି ଦିଅନ୍ତି | ଆଉ ଅନେକ ଆଶୀର୍ବାଦ ବି ପାଇଛନ୍ତି | ହେଲେ, ଆଜି ତାଙ୍କର ଏପରି ଅବସ୍ଥା |ସାରା ଗାଁ କରୋନା ରେ ଭୟଭୀତ | ତାଙ୍କ ପାଖକୁ କେବଳ ଦୁଇ ଜଣ ମଣିଷ ଯିବା ପାଇଁ ସହାସ ଜୁଟାଇଛନ୍ତି | ଜଣେ ହେଉଛନ୍ତି ନୀଳ ମାଉସୀ, ଯେ କି ନୀଳମଣି ବାବୁଙ୍କ ନୂଆ ଘର ର ନିଅ ପଡିବା ଦିନ ଠାରୁ ଅଛନ୍ତି ଆଉ କବିତାର ର ଜନ୍ମ ତାଙ୍କରି ଆଗରେ ହେଇଛି |ବସୁନ୍ଧରା ଦେବିଙ୍କର ସେ ଅତ୍ୟନ୍ତ ସହଯୋଗୀ | ଆଉ ଜଣେ ହେଉଛନ୍ତି ବୁଲୁ ଅଜା ଯେ କି ବସୁନ୍ଧରା ଦେବୀ ଙ୍କୁ ନିଜ ଧରମ ଝିଅ କରିଛନ୍ତି ମାନ୍ୟତା ଦେଇ | ପିଲାମାନେ ତାଙ୍କରି କୋଳରେ ବଢିଛନ୍ତି | ଅଜା ମୁନା କୁ ଖୁବ ଭଲ ପାଆନ୍ତି | କିନ୍ତୁ, ଯେବେଠୁ ମୁନାର ସ୍ୱାର୍ଥପର ଚେହେରା ଦେଖିଲେଣି, ସେବେଠାରୁ ଆଉ ତାକୁ ଖୋଜୁ ନାହାନ୍ତି | କବିତାକୁ ବେଳେ ବେଳେ ଭାଇ ପାଖକୁ ଫୋନ କରି ଆସିବାକୁ ଅନୁରୋଧ କରନ୍ତି | ଆଉ ଏଵେ ଏତେ ସମୟ ପରେ ଫୋନ କରିବାକୁ ମଧ୍ୟ ଆସୁନାହାନ୍ତି ବୁଲୁ ଅଜା | କରୋନା ର ରାକ୍ଷସ ତାଙ୍କ ର ସହରୀ ପୁଅ ବୋହୁ କୁ ଗ୍ରାସ କରି ସାରିଲାଣି |ଯେଉଁ ଚିକତ୍ସାଳୟ ରେ ସେମାନେ ଅଛନ୍ତି, ତାଙ୍କ ପାଇଁ ବୁଲୁ ଅଜା ସବୁ ଦିନ ସନ୍ଧ୍ୟା ବେଳେ ମା ଖିଲାମୁଣ୍ଡା ଙ୍କ ପାଖରେ ଦୀପ ଜାଳି ପ୍ରାର୍ଥନା କରନ୍ତି ଆରୋଗ୍ୟ କାମନା ନେଇ | ଏଣେ କବିତାକୁ ନାନା ପ୍ରକାର କାମରେ ବି ସାହାଯ୍ୟ କରନ୍ତି | ନୀଳମଣି ବାବୁ କେବେବି ତାଙ୍କ କଥା କୁ ଉପେକ୍ଷା କରିନାହାନ୍ତି | ସବୁବେଳେ ସମ୍ମାନ ଦେଇ ଆସିଛନ୍ତି ନିଜ ଗୁରୁଜନ ଭାବରେ | ଆଜି ଯେତେବେଳେ ମା ବସୁନ୍ଧରା ଙ୍କ ମାନସିକ ରୋଗ, ସେ ସମୟରେ ବୃଦ୍ଧ ବୁଲୁ ଅଜା ମା ଙ୍କ ଆରୋଗ୍ୟ କାମନା ପାଇଁ ଅନେକ ପ୍ରାର୍ଥନା କରି ଆସିଛନ୍ତି ଆଉ କେତେ ଯେ ଦେବୀ ଦେବତା ମାନଙ୍କ ପାଖରେ ମାନସିକ କରିଛନ୍ତି, ତା କେବଳ ତାଙ୍କୁ ହିଁ ଜଣା | ଏଵେ ଯେତେବେଳେ କରୋନା ର ରାକ୍ଷସ ସମସ୍ତ ଙ୍କୁ ଗ୍ରାସ କରିବାକୁ ଲାଗିଲାଣି, ସେ ସମୟରେ ବୁଲୁ ଅଜା ନାତୁଣୀ କବିତା ସାଙ୍ଗରେ ମିଶି ଗାଁ ରେ ରୋଗ ବିଷୟରେ ପ୍ରତିରୋଧକ ପଦକ୍ଷେପ ନେବା ପାଇଁ ଏବଂ ଏଥି ସହିତ ସତର୍କତା ଅଵଲମ୍ବନ କରିବାର ମୂଳ ଧାରା କୁ ଜାଗରଣ କରିବା କ୍ଷେତ୍ରରେ ଅନେକ ସାହାଯ୍ୟ କରିଆସିଛନ୍ତି | ବୟସ ର ଅପରାହ୍ନ ରେ ସେ ଏତେ ସବୁ କଥା ବୁଝି ପାରୁଛନ୍ତି ତାହା ପ୍ରଶଂସା ର ବିଷୟ | ମା ବସୁନ୍ଧରା ଙ୍କ ମାନସିକ ରୋଗ ସମୟରେ ବୁଲୁ ଅଜା ଆଉ ନୀଳ ମାଉସୀ ଅନେକ ସାହାଯ୍ୟ କରିଛନ୍ତି କବିତା କୁ | ନୀଳ ମାଉସୀ ମା ଙ୍କର ସେବା ଯତ୍ନ ଠାରୁ ଆରମ୍ଭ କରି ଅନେକ ପ୍ରକାର ଗୃହ କର୍ମରେ ସାହାଯ୍ୟ କରିଛନ୍ତି | ଯେତେବେଳେ ମା ବସୁନ୍ଧରା ନିଜ ପୁଅ ମୁନା କୁ ଖୋଜି ବସନ୍ତି ସେ ସମୟରେ ନୀଳ ମାଉସୀ ଅନେକ କଥା କହି ସମ୍ବୋଧନା ଦିଅନ୍ତି ବସୁନ୍ଧରା ଦେବୀଙ୍କୁ | କବିତାର ଧରମ ମା ପରି ତାକୁ ସାନ୍ତ୍ୱନା ଓ ସହାସ ଦେଇ ଆସିଛନ୍ତି ନୀଳ ମାଉସୀ | ବର୍ତ୍ତମାନ ଏପରି ଭୟାଭୟ କରୋନା ର ପରିସ୍ଥିତି ରେ କବିତା ଓ ନୀଳମଣି ବାବୁ ମା ବସୁନ୍ଧରା ଙ୍କୁ ସହର ଆଣିଛନ୍ତି ଡାକ୍ତର ଦେଖେଇବା ଉଦେଶ୍ୟରେ | ମା ମନେ ମନେ ପୁଅ ମୁନା କୁ ଦେଖିବେ ବୋଲି ବିମାନ ସ୍ଥଳ ଆସିଛନ୍ତି ବୋଲି ଭାବି ଚାଲି ଆସିଛନ୍ତି ସହର କୁ | ସାଙ୍ଗରେ ଅଛନ୍ତି ନୀଳ ମାଉସୀ | କିନ୍ତୁ ଠିକ ସମୟରେ ଡାକ୍ତର ଙ୍କ ପାଖକୁ ଆସିଛନ୍ତି ନିଜର ଚିକତ୍ସା ପାଇଁ ଆଉ ଡାକ୍ତର ଙ୍କୁ ନିଜ ପୁଅର ସାଙ୍ଗ ଭାବରେ ବ୍ୟବହାର ବି କରିଛନ୍ତି ମା ବସୁନ୍ଧରା | ଡାକ୍ତର ତାଙ୍କୁ ସାନ୍ତ୍ୱନା ଦେଇ ତାଙ୍କ ପୁଅ ଆସିବ ଆର ମାସରେ ବୋଲି କୁହନ୍ତି | ଏଇ ଘଟଣା ର କ୍ରମ ମଧ୍ୟରେ ମା ଙ୍କର ଦେହ ହଠାତ ଅତି ଖରାପ ହୋଇପଡିଛି | ସେ, ନିଜ ଜୀବନର ଶେଷ ସମୟ କୁ ପହଁଞ୍ଚି ଯାଇଛନ୍ତି | ଏହି ଘଟଣାର ଘଡି ସନ୍ଧି ମୁହୂର୍ତ୍ତ ଭିତରେ କବିତା ର ବନ୍ଧୁ ସାନ୍ତାନୁ ମହାପାତ୍ର ଙ୍କର ଫୋନ ପାଇଛି ନିଜ ଗାଁ କୁ ଆସିବା ର ବାର୍ତ୍ତା ନେଇ | ମହାଶୟ ସାନ୍ତାନୁ ବାବୁ ବାସୁଦେବ ପୁର ଆସିଛନ୍ତି କବିତା ସହିତ ସାକ୍ଷତ କାର କରିବା ପାଇଁ | କବିତା କିନ୍ତୁ, ନିରୁପାୟ | ଏପଟେ କରୋନା ଆଉ ସେପଟେ ସାନ୍ତାନୁ ବାବୁଙ୍କୁ କେମିତି ଦେଖା ହେଇପାରିବ ଯେହେତୁ ସେ ବାହାରୁ ଆସିଛନ୍ତି? ସେ, ଯାହା ହେଉନା କାହିଁକି ଶେଷରେ ମହାଶୟ ସାନ୍ତାନୁ ବାବୁ ବାସୁଦେବପୁର ଗାଁ ର ମୁଣ୍ଡରେ ନିଜ ଗାଡ଼ିରୁ ଓଲ୍ହାଉଥିବାର ଦେଖି ଅନେକ ଯୁବକ ତାଙ୍କୁ ଗାଁ ଭିତରକୁ ଆସିବାକୁ ଦ୍ବି ନାହାନ୍ତି | ଶେଷରେ ସେଠି ପହଁଞ୍ଚି ଛନ୍ତି ବୁଲୁ ଅଜା ଆଉ ଶିଳ୍ପୀକାର ଡାକ୍ତର. ନୀଳମଣି ବାବୁ | ଘଟଣା ର ମର୍ମ ବୁଝି ସାନ୍ତାନୁ କୁଘରକୁ ଆଣିଛନ୍ତି | ଝିଅ କବିତା ପୂର୍ବଯୋଜନା ଅନୁସାରେ ସାନ୍ତାନୁ ଙ୍କୁ ମା ଙ୍କ ପାଖକୁ ନେଇଯିବା ପାଇଁ ପ୍ରସ୍ତୁତ ହେଇଛି | ଶେଷରେ ସାନ୍ତାନୁ ଙ୍କୁ ନିଜ ପୁଅ ଭାବି ଖୁସିରେ ମା ବସୁନ୍ଧରା ତାଙ୍କୁ ଆଲିଙ୍ଗନ କରି ପକେଇ କୁହନ୍ତି "ବାବୁରେ କେଉଁଠି ଥିଲୁ ଏ ପର୍ଯ୍ୟନ୍ତ କଣ ମା କଥା ମନେପଡୁନଥିଲା?" ସାନ୍ତାନୁ ବାବୁ ଭାବ ବିହୋଳ ହୋଇ ପଡନ୍ତି ଆଉ ବନ୍ଧୁର ମା ଙ୍କୁ ନିଜ ମା ସଦୃଶ୍ୟ ଆଦର ରେ କୁହନ୍ତି "ମା ତୋ କଥା ମନେ ଅଛି ବୋଲି ଆଜି ମୁଁ ଏଠି | ଏଥର ତୁ ଭଲ ଜଲଦି ହେଇଜା "|ମା ବସୁନ୍ଧରା ନିଜ ବୋହୁ ଆଉ ନାତି କଥା ପଚାରନ୍ତି ସାନ୍ତାନୁ ବାବୁଙ୍କୁ | ଉତ୍ତର ରେ ଭଲ ଥିବା ର ଜଣା ପଡେ | କିନ୍ତୁ ସାଙ୍ଗରେ କାହିଁକି ଆଣିନୁ ବୋଲି ପୁଣି ଯେତେବେଳେ ପଚାରନ୍ତି ମା ବସୁନ୍ଧରା ସେତେବେଳେ ମହାଶୟ ସନ୍ତାନ୍ତୁ ବାବୁ ତତକାଳୀନ ମଧ୍ୟରେ ଟିକେଟ ମିଳିଲାନାହିଁ ବୋଲି କହି ଉଠନ୍ତି | ଏହି ବିଷୟର ଅନ୍ତରାଳେ ମହାଶୟ ସାନ୍ତାନୁ ବାବୁ କବିତା କୁ ନିଜ ମନ କଥା କହି ବସନ୍ତି କି ସେ ଚାଁହାନ୍ତି କବିତା ତାଙ୍କ ସଙ୍ଗେ ବିଦେଶ ଯାଇ ଗବେଷଣା ରେ ପାଠ ପଢୁ ଆଉ କଳା ସ୍ଥାପତ୍ୟ ଉପରେ ନିଜର ଆଗାମୀ ଭବିଷ୍ୟତ କୁ ମାର୍ଜିତ କରୁ | କାରଣ ଗାଁ ରେ ଏହାର କୌଣସି ଭବିଷ୍ୟତ ନାହିଁ | ଏହି ପ୍ରସ୍ତାବରେ ନୀଳମଣି ବାବୁ ଭାବି ଉଠନ୍ତି କି କିଛି ଖରାପ କଥା ନୁହେଁ | ଯଦି, କବିତା ବିଦେଶ ଯାଇ ନିଜ ପ୍ରତିଭା କୁ ଅଧିକ ପରିପ୍ରକାଶ କରିପାରିବ, ତା ହେଲେ କଣ ଅସୁବିଧା ଅଛି ? କିନ୍ତୁ, ବିନା ସମ୍ପର୍କ ର ଡୋର ରେ କିପରି ଏ ସବୁ ସମ୍ଭବ ପୁଣି କରୋନା ପରି ରାକ୍ଷସ ର କରାଳ ଭିତରେ ବିଦେଶ ଯାତ୍ରା ତ ସବୁଠାରେ ବନ୍ଦ | ଏଇ ଭିତରେ ସାନ୍ତାନୁ ବାବୁଙ୍କୁ କବିତାର ପାଣି ଗ୍ରହଣ ପାଇଁ ଅନୁରୋଧ କରନ୍ତି ମହାଶୟ ନୀଳମଣି ବାବୁ | ସେଇ ସମୟ ମଧ୍ୟରେ କବିତା ସେଠାରେ ଉପସ୍ଥିତ ହୋଇ ଯାଇଛି | ଆଉ ନିଶବ୍ଦ ହୋଇ ଠିଆ ହେଇଛି ବାପାଙ୍କ ଆଗରେ | ଏହାକୁ ବିରୋଧ କରିଛି | ଆଉ ବାପାଙ୍କୁ କହି ଉଠିଛି " ବାପା ତୁମେ କଣ ନିଜ ବୁଦ୍ଧି କୁ ବି ହରାଇ ବସେଇଲଣି କି? ମା ର ଏ ଅବସ୍ଥା ଆଉ ଏପଟେ ତମେ ଏକୁଟିଆ ଏଠି ସାଥୀ କଳାକାର ମାନଙ୍କ ପାଇଁ ସଂଗ୍ରାମ କରୁଛ ଦିନ ରାତି | କିପରି ଏମିତି ଚିନ୍ତାଧାରା ତୁମ ମନକୁ ଆସୁଛି? କରୋନା ପାଇଁ ଏଇ ଲଢେଇ ଆଉ ମା ର ଚିକତ୍ସା ସବୁ କଣ ଏକୁଟିଆ ସମ୍ଭାଳିବ? ଭାଇ ନାହିଁ ତମ ସାଙ୍ଗରେ, ଏକୁଟିଆ କିପରି ସବୁ ସମ୍ଭାଳିବ?କେମିତି, ତମେ ସବୁ ଏକୁଟିଆ କରିବ ବୋଲି ଭାବୁଛ | ଏପରି ପଦକ୍ଷେପ ପାଇଁ ନିଜେ କିପରି ସହାସ କରିପାରୁଛ? ଏପରି କଥା ବାର୍ତ୍ତା ମଧ୍ୟରେ ମହାଶୟ ନୀଳମଣି ବାବୁ ନିଜକୁ ଅସହାୟ ଭାବି ଉଠିଛନ୍ତି | କବିତାର ସହାସ ପୂର୍ଣ୍ଣ ଯୁକ୍ତି ଆଗରେ ନିଜେ ନତମସ୍ତକ ହୋଇଯାଇଛନ୍ତି | ଶେଷରେ ସାନ୍ତାନୁ ବାବୁ ସେଠାରୁ ପ୍ରସ୍ଥାନ କରନ୍ତିକବିତାକୁ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଇ | ହେଲେ ମା ବସୁନ୍ଧରା ଦେବୀ ନିଜ ପୁଅକୁ ଖୋଜି ଅସମ୍ଭାଳ , ବହୁତ ଚେଷ୍ଟା ପରେ ସାନ୍ତ୍ୱନା ପାଆନ୍ତି | ଏଥି ମଧ୍ୟରେ କିଛି ସମୟର ଅନ୍ତରାଳେ ଗାଁ ରେ ଅନେକ କୁସଂସ୍କାର ଜନିତ ଘଟଣା ଘଟେ | କରୋନା ର କରାଳ ପ୍ରକୋପ ରୁ ରକ୍ଷା ପାଇବା ପାଇଁ କିଏ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ନିଜର ପାଳିତ ଛେଳି, କୁକୁଡ଼ା ମାନଙ୍କୁ ନେଇ ବଣରେ ଛାଡି ଦିଏ | ଜଣେ କେହି ମଧ୍ୟ ଛେଳିକୁ ନେଇ ବଳି ପକେଇ ଦିଅନ୍ତି ମା ଖିଲାମୁଣ୍ଡା ଙ୍କ ଠାରେ | କେତେକ ଲୋକ ଗୁଣିଆ, ତାନ୍ତ୍ରିକ ମାନଙ୍କୁ ନିଜର ସର୍ବସ୍ବ ଦାନ କରି ଦେଇଛି ଆଉ ନିଜେ ଭିଖାରି ସାଜିଛନ୍ତି ପରିବାର କୁ ବଞ୍ଚେଇବା ପାଇଁ | ସବୁ ଘଟଣାର ପରିପ୍ରେକ୍ଷୀରେ ନୀଳମଣି ବାବୁ ନିଜର ଅନେକ ଜମି କୁ ବିକ୍ରି କରିଦେଇଛନ୍ତି କାରିଗର ମାନଙ୍କୁ ସାହାଯ୍ୟ କରିବା ପାଇଁ | କବିତା ବାପାଙ୍କର ଏ ଅବସ୍ଥାରେ ଅତି ଦୁଃଖ ପ୍ରକାଶ କରି ଶେଷରେ ସରକାର ଙ୍କର ସାହାଯ୍ୟ ପାଇଁ ଚିଠି ଲେଖନ୍ତି ଜିଲ୍ଲାପାଳ ଙ୍କୁ | ଜିଲ୍ଲାପାଳ ନିଜର ପଦାଧିକାରୀ ମାନଙ୍କ ସହିତ ଗାଁ କୁ ଅନୁଧ୍ୟାନ ରେ ଆସି କବିତା ସାଙ୍ଗରେ ଦେଖା ହେଇଛନ୍ତି ଆଉ ସବୁ ଅସୁବିଧା ସମ୍ବଦ୍ଧିୟ କଥା ବୁଝି ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ହେଲେ ଗାଁ ଲୋକ ଙ୍କର ଅବସ୍ଥା ଗୁରୁତର ହୋଇପଡିଛି ଜମି ଦଲାଲ ମାନଙ୍କର ଠକିବା ମନବୃତ୍ତି କୁ ନେଇ | ଏପଟେ ମା ବସୁନ୍ଧରା ପୁଅକୁ ଖୋଜି ବସିଛନ୍ତି ପାଗଳୀ ପରି | ଶେଷରେ ପୁଅ କୁ ଆଣିବାକୁ ଯାଇଛନ୍ତି ନିଜେ ନୀଳମଣି ବାବୁ ବିମାନ କେନ୍ଦ୍ର କୁ | ପୁଅ ମୁନ୍ନା ଆଉ ନୀଳମଣି ବାବୁ ଘରକୁ ଫେରିଛନ୍ତି | କିନ୍ତୁ, ଘରେ ଏତେ ଲୋକଙ୍କୁ ଦେଖି କିଛି ବୁଝି ପାରିନାହାନ୍ତି ନୀଳମଣୀ ବାବୁ |ହଠାତ, ତାଙ୍କ ପାଦ ତଳୁ ପୃଥିବୀ ଖସି ଯାଇଛି | ସାମ୍ନାରେ ଗୋଟେ ଧବଳ ବସ୍ତ୍ରାଦୃତ ଶରୀର | ଆଉ ପାଖରେ କ୍ରନ୍ଦନ ରତ ନୀଳ ମାଉସୀ ଆଉ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୁଲୁ ଅଜା | ନୀଳମଣି ବାବୁ ଅବାକ, ମୁନ୍ନା ଆଖିରେ ଲୁହ ମା ଙ୍କୁ ଏପରି ଅବସ୍ଥାରେ ଦେଖି | କିଛି ନ କହି ଚେତା ଶୂନ୍ୟ ନୀଳମଣି ବାବୁ | ମା ବସୁନ୍ଧରା ମୁନ୍ନା କୁ ଅପେକ୍ଷା କରି ଆର ପାରିରେ | ଶୋକାକୁଳ ପରିବେଶ ଭିତରେ କବିତା ଆସି ନିଜ ବଡ଼ ଭାଇକୁ ଧିକାର କରିଛି ଆଉ ସମ୍ପର୍କକୁ ସବୁ ଦିନ ପାଇଁ ଛିନ୍ନ କରିଦେଇଛି | ଯେଉଁ ପୁଅ ନିଜ ସ୍ୱାର୍ଥ ଛଡା ଆଉ କିଛି ଦେଖିଲାନାହିଁ, ସେ ଭଳିଆ ଭାଇ ରହିକି ବି ନ ଥିବା ପରି | ଏପରି ଭାବ ରେ ମାଙ୍କର ଶ୍ରାଦ୍ଧ କ୍ରିୟା ସରିଯାଇଛି ଆଉ ମୁନ୍ନା ନିଜ ବାପା, ଭଉଣୀକୁ ନେଇ ବିଦେଶ ଚାଲିଯିବାର ପ୍ରସ୍ତାବ ରଖିଛି | ହେଲେ କବିତାର ଶେଷ ନିଷ୍ପତ୍ତି, କି ସେ ଏଇ ଗାଁ ର ଅସୁବିଧା ବେଳ ରେ ସେ ନିଜର ମାତୃଭୂମି କୁ ଛାଡି ଯିବ ନାହିଁ | ଏପରି ପରିସ୍ଥିତି ମଧ୍ୟରେ ନୀଳମଣି ବାବୁ ଝିଅ ସପକ୍ଷରେ ନିଜର ମତ ଜାହିର କରିଛନ୍ତି | ଶେଷରେ ମୁନ୍ନା ନିଜ ଚାକିରୀ କୁ ଚାଲିଯାଇଛି |
ସମୟର କରାଳ ଭିତରେ କଳାକୃତି କୁ ଲୋକ ଭୁଲି ଯାଇଛନ୍ତି | ତାଙ୍କ ଭିତରେ ଏକ ପ୍ରକାର ବଞ୍ଚିବା ର ସଂଘର୍ଷ ଲାଗିରହିଛି | ତଥାପି କବିତା ନିଜ ଚେଷ୍ଟା ଛାଡି ନାହିଁ |
କରୋନା ସମୟରେ ମଧ୍ୟ ସେ ନିଜ ମନକୁ ଅଧିକ ଦୃଢ଼ କରିଛି ଆଉ ନିଜ ବାପାଙ୍କର ତଥା ଅନ୍ୟ କାରିଗର ମାନଙ୍କ ର ପିଢ଼ିର କଳାକୁ ବଞ୍ଚେଇବା ପାଇଁ ଅନେକ ପଦକ୍ଷେପ ନେଇଛି | ନିଜେ ଅନେକ ବଡ଼ ଅନ୍ତର୍ଜାତୀୟ କଳାକୃତି କାରଖାନା ସହିତ ନିଜ ଗାଁର କଳା ଭାସ୍କର୍ଯ୍ୟ କୁ ପ୍ରସ୍ତୁତ କରିଛି ବ୍ୟବସାୟିକ ଭିତ୍ତିରେ, ଯେପରିକି କୌଣସି ପ୍ରକାର ବାଧା ନ ଉପୁଜେ ରୋଜଗାର ପାଇଁ | ଅନେକ ଅନଲାଇନ ବ୍ୟବସାୟିକ ସଂସ୍ଥା, ଯେପରିକି ଫ୍ଲିପକର୍ଟ, ଅମାଜନ ଆଦି ବଡ ବଡ଼ ଉଦ୍ୟୋଗ ସହିତ କବିତା ନିଜ କାରିଗର ମାନଙ୍କର କଳାକୃତି କୁ ବ୍ୟବସାୟିକ ଭିତ୍ତିରେ ଉପସ୍ଥାପନା କରିଛି ଆଉ ସଫଳ ବି ହୋଇଛି | ଏଇ ସବୁ ଭିତରେ ନିଜର ପଢ଼ା କୁ ମଧ୍ୟ ପୂର୍ଣ୍ଣ କରି ଛି କବିତା | ତାର ସଂଘର୍ଷ ଓ ନିଷ୍ଠା ହେତୁ ଅନେକ ଗାଁ ଲୋକ ନିଜ ଭିଟାମାଟି କୁ ଫେରି ଆସିଛନ୍ତି | ପୁଣି, ନିଜ କର୍ମକୁ ଶୁଭାରମ୍ଭ କରିଛନ୍ତି ଏକ ଉଜ୍ଜଳ ଭବିଷ୍ୟତ ର କାମନା କରି |
ଏତେ ସବୁ ଘଟଣା ମଧ୍ୟରେ କବିତା ନିଜ ବାପାଙ୍କ ପଥରେ ଅଗ୍ରସର ହେଇପାରିଛି ଆଉ ସବୁ ଦୁଃଖ କୁ ପାସୋରି ବାସୁଦେବପୁର ଗାଁ କୁ ଇତିହାସ ର ପୃଷ୍ଠାରେ ଲିପିବଦ୍ଧ କରିଛି | ଶେଷରେ କରୋନା ବି ତାର ଚେଷ୍ଟା ଓ ଆତ୍ମବିଶ୍ଵାସ ଆଗରେ ହାରିଯାଇଛି | ଗାଁ ର ସର୍ବାଙ୍ଗୀନ ଉନ୍ନତି ପାଇଁ କବିତା କୁ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି |
ତା ର ଅଧ୍ୟବ୍ୟସାୟ, ଜିଦ୍ଦି ଓ ଚେଷ୍ଟା ଆଗରେ ବଡ଼ ବଡ଼ ବାଧା ମଧ୍ୟ ଚାଲିଯାଇଛି ରାସ୍ତାରୁ |ଯେତେବେଳେ କବିତାକୁ ଗାଁରେ ସମ୍ମାନିତ କରାଗଲା, ସେତବେଳେ କବିତା ନିଜ ଜୀବନର ସଂଘର୍ଷ ଓ କଳାକୃତି କୁ କିପରି ବଞ୍ଚାଯାଇ ରଖାଯାଇପାରିବ,ସେ, ଉପରେ ନିଜର ମନ୍ତ୍ୟବ ଦେଇଛି | ଶେଷରେ ସବୁ କାରିଗର ଭାଇ ମାନଙ୍କ ଶୁଭ ମନାସି ଶେଷ ଦୁଇ ପଦ କହିଛି ଗୀତ ଆକାରରେ :-
"ସିଷ୍ଟ ଜନା ବନ ଦୁଷ୍ଟ ହରା
ଖଗତୁର ଗୋତମ ବାହନତେ
କଳ୍କୀ ରୂପେ ପାରିପାଳୟ ମାମ
ଭକ୍ତତେ ପରି ପାଲୟ ମାମ "
"ହେ ମହାବାହୂ ସାଧୁ ବ୍ୟକ୍ତି ମାନକୁ ରକ୍ଷା କରନ୍ତୁ, ଦୁଷ୍ଟ ମାନଙ୍କର ସଂହାର କରନ୍ତୁ, ଯାହାର ଘୋଡା,ଓଟ ବାହାନ ଅଟନ୍ତି ସେ ହିଁ କରୁଣାମୟ କଳ୍କୀ ରୂପୀ ଭଗବାନ ସଦା ଆମର ରକ୍ଷା କରନ୍ତୁ ନିଜ ଭକ୍ତ ମାନଙ୍କୁ ପାଳନ କରନ୍ତୁ " |
