Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rabin Mohapatra

Inspirational

3  

Rabin Mohapatra

Inspirational

କାଠୁରିଆ

କାଠୁରିଆ

7 mins
86



ଚାଳଘର ଦି ଵଖରା,ଆଗକୁ ସନ୍ତସନ୍ତିଆ ପିଣ୍ଡା ଖଣ୍ଡିଏ,କଣକୁ ମା ଛୁଆ କିରି ଛେଳି ଦି ହଳ ବନ୍ଧା ହେଇଛି । କବାଟ ଟି କେଉଁକାଳୁ ସେମିତି ପଡି ରହିଛି,ତଳଆଡୁ ଅଧା ଉଇ ଲାଗି ଭିତର ଘର ଦେଖାଯାଉଛି ।ଚାଳ ଏକନୂଆଁ ହେଇଗଲାଣି ,ଦୁଇ ବର୍ଷ ହେଲା ମଥାନ ମାରିବାକୁ ବଳ ପାଉନି । ସନିଆର ସଂସାର,ସ୍ତ୍ରୀ ଗୁରୁବାରୀ ଆଉ ପୁଅ ମଙ୍ଗୁଳି । ଅସରାଏ ମେଘରେ ଘର ଭିତରେ ଆଣ୍ଠୁଏ ପାଣି । ଗୋଟିଏ କଣକୁ କନ୍ଥା ଖଣ୍ଡେ ପଡିଛି ।ଗୁରୁବାରୀ ପରଘରେ ଦି'ପାଇଟି କରି ଯାହା ଆଣେ ତିନିପ୍ରାଣୀ ମୁହଁରେ ଦାନା ପଶେ । ବେଡି ଉପରେ କୋରଡା ପରି ଭେଣ୍ଡା ସ୍ଵାମୀ ଆଜିକୁ ଦୁଇ ବର୍ଷ ହେବ ଘରେ ବସି ରହିଛି ।ଆଗ ପଛ କରି ତିନୋଟି ଛୁଆ ମଲାପରେ ମଙ୍ଗୁଳିଆ ର ଜନ୍ମ ।ସାଗୁ ପାଣିରେ ଜୀବନ ତାର । ପକ୍ଷେ ବଢିଲେ ପକ୍ଷେ ଛିଡୁଛି,ସେମିତି ପଡି ରହୁଛି ସେଜ ଉପରେ । ରୋଗୀଆ ଛୁଆଟା ମୁହଁ କୁ ଦେଖି ଗୁରୁବାରୀ ମୁହଁରେ ହସ ଫୁଟେ । ଆଜିକୁ ଆଠଦିନ ହବ ଶେଯରୁ ଉଠୁନି ତୁହାକୁ ତୁହା ଜ୍ଵର ।ଯାହା ବି ଟିକେ ଖାଉଥିଲା ଦୁଇ ଦିନ ହେବ ପାଟିରେ ପାଣି ଦଉନି । ବିସ୍କୁଟ ଦି ଖଣ୍ଡ ପାଣିରେ ବୁଡ଼େଇ ଖାଇବାକୁ ଦେଲାଯେ ଥୁ ଥୁ କରି ଜିଭ ଲେଉଟେଇ ଫୋପାଡ଼ି ଦେଲା । କାଲି ସନିଆ ବଇଦ ପାଖକୁ ନେବ, ଦି ପାନ ଔଷଧ ପାଣି ଟିକେ ପାଟିରେ ପକେଇ ଦେଲେ ଟିକେ ଚେଙ୍ଗା ଦେଖାଯିବ । ରାତି ପାହୁ ପାହୁ ସନିଆ କହିଛି ତାକୁ ନେଇକି ଦେଖେଇକି ଆସିବ ।ସନିଆ ଆଖିରେ ଲୁହ ,ଗୁରୁବାରୀ ବୁଝାଏ ବ୍ୟସ୍ତ ହେଲେ କଣ ହେବ ।ତୁ ସେମିତି ବସିଥା ମୋର ଦୁଃଖ ନାହିଁ । ତୋତେ ଆଉ ମଙ୍ଗୁଳି କୁ ଦେଖିଲେ ମୋ ଦେହରେ ବଳ ଆସେ ।ମୁଁ କଣ ତୁମ ଦୁଇଜଣଙ୍କ ମୁହଁ ରେ ତୋରାଣୀ ଟିକେ ଦେଇପାରିବିନି!! କାନ୍ଦୁଛୁ କାହିଁକି । ସନିଆ ଆଖିରୁ ଲୁହ ପୋଛେ, ପୁଅ ଦେହକୁ ଟିକେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଆଉଁସି ଆଣେ, ମଙ୍ଗୁଳି ଟିକେ ହସିଦିଏ । ସନିଆ ପେଟ ପୁରିଯାଏ ।


ସନିଆ,ଏ ସନିଆ ଘରେ ଅଛୁ କିରେ!!କିଏ ଜଣେ ଡାକୁଛି କବାଟ ଧଡ଼ଧଡ଼ କରୁଛି। ଗଲୁ ଦେଖିଲୁ ମଙ୍ଗୁଳି ମା, କିଏ ଡାକୁଛି ଏତେ ରାତିରେ ।ଆରେ ମୁଁ ପରା ମୁଖିଆ ଜାଣିପାରୁନୁ କିରେ କବାଟ ଖୋଲ ମୁଁ ଡାକୁଛି ପରା । ତର ତର ହେଇ ଗାମୁଛା ଟିକୁ ମୁହଁ ରେ ପୋଛି ଆଣି ପିଣ୍ଡାଟିକୁ ଗାମୁଛାରେ ଧୂଳି ଝାଡ଼ି ଦେଇ ବସିବାକୁ କହିଲା ।ତାଙ୍କ ପାଦ ପାଖରେ ବସିପଡି ଆଶ୍ଚର୍ୟ୍ଯ ହୋଇ ପଚାରିଲା କଣ ହେଇଛି କି ସାଆନ୍ତେ ମୁଁ କଣ କଲି କି!!ତୁମେ ଏତେ ରାତିରେ!!!

ନାଇଁ ରେ କିଛି ନାହିଁ ସନିଆ,ମୁଁ ବହୁତ୍ ବଡ ଅସୁବିଧା ରେ ପଡିଯାଇଛି ।ସତର ଜଣ କାଠୁରିଆ ଯୋଗାଡ କରିଥିଲି କାଲି ଜଙ୍ଗଲକୁ ଯିବା ପାଇଁ ଏଇନା ନଅ ଜଣ ମନା କରିଦେଲେ ସନିଆ । କାଲି କୀର୍ତନିୟା ଦଳ ଯିବେ,ଧୋତି ,ଗାମୁଛା ,ପୂଜା ଜିନିଷ ସବୁ କିଣା ସରିଛି,ତିନିଶହ ଲୋକ ଖାଇବେ ।ବଡ଼ବଡ଼ ଲୋକ ସବୁ ଆସିବେ, ଏଇନେ ମୋତେ ସବୁ ରୋକଠୋକ ମନାକରିଦେଲେ ଆସିବେନି ବୋଲି । କିଛି ବୁଦ୍ଧି ବାଟ ଦେଖାଯାଉନି ମୋତେ,କଣ କରିବି ,କାମ କେମିତି ହବ ସନିଆ!!! ।କାଲି କଣ କି ସାଆନ୍ତେ!!!ପଚାରିଲା ସନିଆ ।

ତୁ ମୋତେ ପଚାରୁଛୁ ସନିଆ କାଲି କଣ, ପୁଣି ତୁ!! । କାଲି ପରା ଗଛ କଟା ଅନୁକୂଳ ଆଗକୁ ଅକ୍ଷୟ ତୃତୀୟା ।କାଠ କଟାହେଲେ ରଥଖଳା କୁ ଯିବ । ବଡଦାଣ୍ଡ ରେ ଟାଙ୍ଗିଆ ପୂଜା ହେଇ ରଥକାମ ଆରମ୍ଭ ହେବ ।ଆରେ ତୁ ମୋତେ କଣ ପଚାରୁଛୁ!! ତୋ ବାପା,ଜେଜେବାପା ପରା ତାଙ୍କ ଜୀବନ ଟା ଯାକ ଗଛ ହାଣି ହାଣି ଆର ପାରିକୁ ଗଲେଣି,ସ୍ୱର୍ଗ କୁ ଯାଇଥିବେ ରେ ସନିଆ,ଆମେ ସବୁ ପାପୀ । ତୁ ସିନା ଦୁଇ ବର୍ଷ ହେବ ଯାଇନୁ ତୁ କଣ ସବୁ ଭୁଲିଗଲୁ ସନିଆ । ଏଇ ଫୁଲବାଣୀ ବନଖଣ୍ଡ ମୌଜା ରେ ତୁ ପରା ନାମକରା କାଠୁରିଆ । ତୋ ହାତ ଯେବେଠୁ ନବାଜିଛି ଏ ଗଛପତ୍ର କାନ୍ଦୁଛି ସନିଆ,ତୋ ହାତ ପରା ଶୁଭ!! ।


ଅଶୁଭ ମୋ ଭାଗ୍ୟ ସାଆନ୍ତେ । ଜୀବନସାରା ତା ଲାଗି କାଠ ହାଣି ହାଣି ମୋ ବାପା କଣ ପାଇଲା,ଅଧା ବୟସରେ ମୋ ହାତରେ ଟାଙ୍ଗିଆ ଧରେଇ ଦେଇ ଆର ପାରିକୁ ଚାଲିଗଲା ।ଲୋକ ମୋତେ କହିଲେ ଅଲକ୍ଷଣାଟା, ତିନି ତିନିଟା ଛୁଆ ମଲେ ।ଏଇ ଠାକୁର ଲାଗି ଗଛ ହାଣିଲି ଯେ ମଟକା ଡାହିରେ ପାଦ ପଡିଗଲା ତଳେ ଟାଙ୍ଗିଆ ସହ ପଡିଲି ।ଅପଙ୍ଗ କରିଦେଲା ମୋତେ ସାଆନ୍ତେ,ଡ଼ାହାଣ ହାତଟା ସେଇ ଦିନଠୁ ଆଉ ଚଳୁନି ।ଦୁଇବର୍ଷ ହେଲା ଘରେ ବସିଛି । ମୂଲକାମ ବି ମିଳୁନି । ଗୁରୁବାରୀ ନଥିଲେ ମୁଁ କେଉଁକାଳୁ ମରିସାରନ୍ତିଣି ସାଆନ୍ତେ । ମୁଁ କାହିଁକି ବଞ୍ଚିଛି କେଜାଣି ମରିଗଲେ ଗୁରୁବାରୀ ଯାହାପାଇଲା ପୁଅକୁ ଧରି ଚଳନ୍ତା । ଲୋକ କହିଲେ କି ପାପ କରିଥିଲା କେଜାଣି ସନିଆ ପଙ୍ଗୁ ହେଇଗଲା । ଜଗନ୍ନାଥ ତାକୁ ଥୁଣ୍ଟା କରିଦେଲେ ।

ଶୁଣୁ ସନିଆ ସେମିତି କହନି। ଆରେ ଠାକୁରଙ୍କ ଉପରେ କିଏ ରାଗେ । ତୋ ଭାଗ୍ୟ ରେ ଥିଲା ସନିଆ । ତୁମେ ଫେରିଯାଅ ସାଆନ୍ତେ, ଯିଏ ମୋତେ ଅପଙ୍ଗ କରିଦେଲା ସେ ଯାଗା କୁ ମୁଁ ଆଉ ଯିବିନି, ଯାଇକି କରିବି ବା କଣ!! । ।ସେମିତି କହନି ସନିଆ,ଆରେ ତୁ ପରା ତାର ସଚ୍ଚା ଭକ୍ତ ଥିଲୁ । ଆଜି ଅବସ୍ଥା ତୋର କଣ କାଲିକୁ ଥିବ ।ସେ ଚାହିଁଲେ ତୋ ଅବସ୍ଥା ଭଲ ହେଇଯିବରେ ଟିକିଏ ଭରସା ରଖ ।

ମୋ ମନ ଭଲ ନାହିଁ ସାଆନ୍ତେ, ପୁଅ ଟା ତିନି ଦିନ ହେବ ପାଟିରେ ପାଣି ଦଉନି ।ତୁହାକୁ ତୁହା ଜ୍ୱର ଆସୁଛି କାଲି ବଇଦ ପାଖକୁ ନେବି ।ବହୁତ୍ କଷ୍ଟ ରେ ବଇଦ ରାଜି ହେଇଛନ୍ତି ସାଆନ୍ତେ । ଶୁଣୁ ସନିଆ, ଆରେ ତୁ କୋ ଗଛ କାଟିବୁ ଯେ! ମେସିନ ତ କାଟିବ,ଅନ୍ୟମାନେ ତ ଅଛନ୍ତି । ତୁ ଖାଲି ଟିକେ ତଳେ ଛିଡା ହେଇକି ବୁଦ୍ଧି ବତେଇଦେବୁ ।ଡାଳ କୁ ଡାଳ ଅକଳିଆ ହେଲେ ତୁ ଥାଇ କି କହି କହି ଦଉଥିବୁ । ତୁ କୋ ଗଛ ଚଢୁଛୁ ଯେ ଏତେ ଚିନ୍ତା କରୁଛୁ ।ଦରକାର ପଡ଼ିଲେ ଆମେ ଦଉଡି ଲଗେଇକି ମିଶିକି ଟାଣିବାନି!! ଏଇ ରଖ ହଜାରେ ଟଙ୍କା,ନୂଆ ଧୋତି, ଗାମୁଛା ରହିଲା କାଲି ପିନ୍ଧିକି ଭୋରୁ ଭୋରୁ ଯାଇ ପହଂଚିବୁ । ଆଉ ଶୁଣୁ ଗଲାବେଳେ ଉପାସ ଯାଇଥିବୁ । ଗଛ ହଣା ସରିଲେ ଖେଚେଡ଼ି, ଡାଲମା ଖାଇକି ଆସିବୁ ଆଉ ପିଲାଛୁଆ ପାଇଁ ନେଇ ଆସିବୁ ।ଶୀଘ୍ର ସରିଯିବ ମ କେତେସମୟ ଲାଗିବ କହିଲୁ ତୁ କଣ ଜାଣିନୁ ।କାଳିଆ ରଥରେ ଯୋ କାଠ ଲାଗିବ ସେ ଗଛ ଚିହ୍ନ ଦିଆଯାଇଛି, ଦ୍ୱୀପହର ସୁଦ୍ଧା ସରିଯିବ,ଆସିଲେ ପୁଅ କୁ ବଇଦ ପାଖକୁ ନେଇଯିବା ମୁଁ ବି ଯିବି ତୋ ସାଥିରେ । ବ୍ୟସ୍ତ ହେବୁନି କାଲି ଭୋରରୁ ପହଂଚିଯିବୁ ।

ଗୋଟିଏ ହାତରେ ଟଙ୍କା ଆଉ ଆର ହାତଟିରେ ମଙ୍ଗୁଳିଆ ର ଦେହକୁ ଆଉଁସି ଦେଉଥାଏ ।ବ୍ୟସ୍ତ ହବୁନୀ ଧନ କାଲି ମୁଁ ଜଲଦି ଆସିବିଭାରି ତୋତେ ଛାଡିକି ମୁଁ କୁଆଡେ ଯିବି ।ଯେମିତି ଗଛକଟା ସରିବ ମୁଁ ଏକ ଶଳଖେ ତୋ ପାଖକୁ ଧାଇଁ ଆସିବି ।

ସନିଆ ଆଖିରେ ନିଦ ନାହିଁ ଏପଟ ସେପଟ ହଉଛି,ଗୁରୁବାରୀ ଛାନିଆ । ଏ ମଙ୍ଗୁଳି ମା !!ଟାଙ୍ଗିଆ ଟା କୋଉଠି ଅଛି? ସେଇଟା କୋଉଠି ଅଛି କେଜାଣି ସେଇଦିନଠୁ ସେଇ କୋଣ ରେ ପକେଇଦେଇଛି ।ଅଲକ୍ଷଣା ଟାଙ୍ଗିଆ ଟା ଦାଢ ନାହିଁକି କିଛି ନାହିଁ ଥୁଣ୍ଟା ହେଇକି ପଡିଛି ।ହଉ ହେଲା ଟାଙ୍ଗିଆ ର କଣ ଦୋଷ ଆଣେ ଟିକେ ତାକୁ ଟିକେ ଦେଖେ,ଦୁଇ ବର୍ଷ ହେଲା ଦେଖିନି ବେଣ୍ଟ ଟା କାଳେ ଖୋତରି ଯାଇଥିବ ।

ସକାଳୁ ସକାଳୁ ସନିଆ ଗାଧୋଇ ନୂଆ ଧୋତି,ଗାମୁଛା ପିନ୍ଧି ଆଉ ମୁଣ୍ଡରେ ଟିକେ ସିନ୍ଦୂର ଲଗେଇ କାନ୍ଧରେ ଟାଙ୍ଗିଆ ପକେଇ ବାହାରିଲା ।ପଛକୁ ବୁଲିକି ପୁଅ କୁ ଅନେଇଲା ଆଉ ଗୁରୁବାରୀକୁ ପୁଅକୁ ଜଗିଥିବୁ କହି ସିଧା ଚାଲିଲା ।

ଫୁଲବାଣୀ ବନଖଣ୍ଡ, ଅଞ୍ଚଳବାସୀଙ୍କ ମନଚଞ୍ଚଳ,ଖୁବ୍ ଆନନ୍ଦ ।ଶ୍ରୀମନ୍ଦିର ରୁ ଆଜ୍ଞା ମାଳ ଆସିଛି ବନଦୁର୍ଗା ମନ୍ଦିର ଆଜି ପଡୁଛି ଉଠୁଛି । ଶଙ୍ଖ,ହୁଳହୁଳି ରେ ଜାଗା ଟି କମ୍ପିଯାଉଛି,ଘଣ୍ଟାମାଡ ,ଝାଞ୍ଜ, ମୃଦଙ୍ଗ ଆଉ କୀର୍ତନିୟା ମାନଙ୍କ ନାଚ,ଗୀତ ହରିବୋଲ ରେ ଅସନ ଵୃକ୍ଷ କୁ ନୂଆ ଲୁଗା,ସିନ୍ଦୁର ପିନ୍ଧାଇ ପୂଜା ଚାଲିଛି ।ପ୍ରବଳ ଭିଡ ଆଉ ଠେଲାପେଲା ଭିତରେ ସନିଆ ଆଗକୁ ମାଡି ଯାଉଛି ।ସାଆନ୍ତେ ସନିଆ କୁ ଦେଖି ଖୁସି ରେ ଆଖିର ଲୁହ କୁ ଦୁଇ ହାତରେ ପୋଛିପକୋଉଛନ୍ତି ।ସମସ୍ତଙ୍କ ମନରେ ଆଗ୍ରହ,ଉଲ୍ଲାସ ।ହରିବୋଲ ଶବ୍ଦରେ କାନ ଫାଟିପଡୁଛି,ପୂଜାର୍ଚ୍ଚନା,ଯଜ୍ଞ ଆହୁତିର ଶେଷ ହେଉଛି ।ଗଛ ପରେ ଗଛ କଟା ଚାଲିଛି, ତଳେ ଗୋଟାଗୋଟା ଗଛକୁ ଭକ୍ତ ମାନେ ଘୋଷାରି ଅଣୁଛନ୍ତି ।ଏ କଣ !!ଅସନ ବୃକ୍ଷ ଟି କଟା ହେଲା ପରେ ଆଉ ଗୋଟେ ଗଛ ଉପରେ ଆଉଜି ହେଇ ରହିଯାଇଛି ।ଦଉଡି ଚାରିକଡୁ ଲଗାହେଲା କିନ୍ତୁ ଗଛଟିକୁ କେହି ହଲେଇପାରିଲେ ନାହିଁ । ସମସ୍ତେ ବ୍ୟସ୍ତବିବ୍ରତ,ଗ୍ରହ ନକ୍ଷତ୍ର ତିଥି ଅନୁସାରେ ଗଛ କଟା ଶେଷ ହେବ ।

ସାଆନ୍ତେ ଦେଖୁଛନ୍ତି ଅପଙ୍ଗ,ବିକଳାଙ୍ଗ ସନିଆ ଧୀରେଧୀରେ ଆଉ ଗୋଟେ ଗଛରେ ଚଢୁଛି,ଉପର ଗଛଟିର ଡାଳ ଟିକୁ ହାଣି ଦେଲେ ମହାପ୍ରଭୁଙ୍କ ଗଛଟି ତଳକୁ ଆସିବ । ସନିଆ ଉପରକୁ ଉଠୁଛି ଆଉ ମନେ ମନେ ଭାବୁଛି ସେଇ ବଡ଼ଦାଣ୍ଡେ ରଙ୍ଗବେରଙ୍ଗ ନନ୍ଦିଘୋଷ ରଥକୁ ଲୋକଗହଳି ରେ ଛିଡା ହେଇ ସେ ଧରିଛି ରଥ ଦଉଡି କୁ । ଉପରେ ପତିତପାବନ ଆଉ ସମ୍ମୁଖ ରେ ମହାବାହୁ ତାକୁ ଅନେଇ ହସୁଛନ୍ତି । ଭାବିଭାବି କେତେବେଳେ ଉପରେ ପହଂଚିଛି ସେ ନିଜେ ଯାଣିପାରିନି ।ବାଁ ହାତରେ ଚୋଟ ପରେ ଚୋଟ ପକୋଉଛି କିନ୍ତୁ ହାତଟି ଠିକ୍ ରେ ପାଉନି ।ଡାଳ ଟି ଡ଼ାହାଣ ହାତ ପାଖରେ ଅତି ସହଜରେ ହାଣି ହେଇପାରିବ କିନ୍ତୁ ହାତଟି ଯେ ତାର ଅପଙ୍ଗ ।ମନେମନେ କହିଲା ତୁ ମୋତେ ଅଧା ମାରିସାରିଛୁ ଆଜି ମୋତେ ପୁରା ମାରିଦେ କହିକି ଯେତେ ବଳ ଥିଲା ଡ଼ାହାଣ ହାତକୁ ଉଠେଇ ଗୋଟେ ଚୋଟ ରେ ଡାଳକୁ ଅଲଗା କରିଦେଲା ।ଧୀରେ ଧୀରେ ନନ୍ଦିଘୋଷ ରଥର ବୃକ୍ଷ ଟି ତଳକୁ ଖସୁଥାଏ ଆଉ ସନିଆ ପତ୍ର ଗହଳରୁ ଦେଖୁଛି ଦୂରରୁ ଛୋଟ ବାଳକ ଟିଏ ଧାଇଁ ଧାଇଁ ଗଛ ପାଖକୁ ଆସୁଛି ।ପାଖକୁ ଆସିଲାବେଳକୁ ସେ ଦେଖୁଛି ତା ପୁଅ ମଙ୍ଗୁଳି ।

ଟାଙ୍ଗିଆ ତଳକୁ ପକେଇଦେଇ ଗୋଟେ ଘୋଷୋଢା ରେ ତଳକୁ ଖସି ଆସିଲା ।

ଏକ ନିଶ୍ଵାସ ରେ ପୁଅ ପାଖକୁ ଧାଇଁ ଗଲା ଆଉ ତା ଦେହମୁଣ୍ଡ ଆଉଁଷି ପକେଇଲା ।ତୁ କେମିତି ଆସିଲୁ!! ତୋତେ କିଏ ଏଠିକି ଆଣିଲା ଧନ!!

ତୋ ମା କାଇଁ?? ମା ମୋତେ ପଠେଇଲା ବାପା, କହିଲା ଯା ଏତେ ଡେରି ହେଲାଣି ବାପାଙ୍କୁ ଭୋକ କରିବଣି ଏ ଖେଚେଡ଼ି ଟିକେ ଖୁଆଇ ଦେବୁ । ତୁମେ ଆଗ ଖାଇଦିଅ ତାପରେ ଏକାଠି ଘରକୁ ଯିବା ।ଖାଇସାରି ହାତଧୋଇ ଆସିଲାବେଳକୁ ମଙ୍ଗୁଳି ଆଉ ନାହିଁ ।ଆଶ୍ଚର୍ଯ୍ୟ ହେଲା ସନିଆ ପୁଅ ଗଲା କୁଆଡେ । ପ୍ରଚଣ୍ଡ ରାଗରେ ଥରିଉଠିଲା ସନିଆ,ଟାଙ୍ଗିଆ ଡ଼ାହାଣ ହାତ ରେ ଧରି ଧାଇଁଲା ଘର ଆଡ଼େ ।ଆଜି ମୁଁ ମରିବି ନହେଲେ ଗୁରୁବାରୀ ମରିବ । ଦାଣ୍ଡ ଦୁଆରେ ରଡି କରି ଗୁରୁବାରୀ କୁ ଗର୍ଜନ କରି ଡାକ ପକେଇଲା ।କଣ ହେଲା ଭାବି ଗୁରୁବାରୀ ଦାଣ୍ଡ ଆଡେ ଧାଇଁ ଆସିଲା କଣ ହେଇଛି ପଚାରିଲା । ତୁ ମା ନା ରାକ୍ଷସୀ ପୁଅକୁ ଏକୁଟିଆ ଜଙ୍ଗଲକୁ ଛାଡିଲୁ କେମିତି ତୁ କଣ କଲୁ ଗୁରୁବାରୀ । ମୋ ପୁଅ ସେଠିକି ଗଲା କେମିତି କହ । ସତ କହ ନହେଲେ ମୁଁ ମରିବି ଆଉ ତୋତେ ମାରିଦେଵି ।

ଗୁରୁବାରୀ ଆଖିରେ ଲୁହର ଧାର, ସେ କଣ ଦେଖୁଛି ଆଜି ଡ଼ାହାଣ ହାତକୁ ଶଳଖେଇ ଉପରକୁ ଟେକି ଧରିଛି ଟାଙ୍ଗିଆ ।ସେ ଆଶ୍ଚର୍ଯ୍ୟ!!ତୁ କଣ ପାଗଳ ହେଇଗଲୁଣି ସନିଆ ।ପୁଅ ଆଠ ଦିନ ହେବ ଶେଯରୁ ଉଠିନି। ତୁ ଗଲାପରଠୁ ମୋ କୋଳରେ ମୁଣ୍ଡ ରଖି ଶୋଇଥିଲା ଯେ ତୋ ପାଟି ଶୁଣିକି ଉଠିଲା ଏବେ ।ମୁଁ କାହିଁକି ସେଠିକି ପଠେଇବି ।ଆଉ ସେ ଖେଚେଡ଼ି??

କୋ ଖେଚେଡ଼ି??କିଏ ନେଇକି ଯାଇଥିଲା??ଡ଼ାହାଣ ହାତଟିକୁ ଧୀରେ ଧୀରେ ତଳକୁ ଖସେଇ ଗାଲ ପାଖରେ ରଖିଲା ଗୁରୁବାରୀ,ଅସୁମାରୀ କୋହ ଆଉ ଯନ୍ତ୍ରଣା ର ଲୁହ ସବୁ ଧାର ଧାର ହୋଇ ଖସିପଡୁଥିଲା ଯେମିତି ବଡ଼ଦାଣ୍ଡ ରେ । ଘର ଭିତରୁ ମଙ୍ଗୁଳିଆ ଧୀରେ ଧୀରେ ଏରୁଣ୍ଡି ବନ୍ଧକୁ ଡେଇଁ ପ୍ରଥମ ଥର ପାଦ ବାହାରେ ପକୋଉଛି ଆଉ ସନିଆ ହାତରୁ ଟାଙ୍ଗିଆ ଟି ନେଇ ପ୍ରଭୁ ଙ୍କ ପାଦ ତଳେ ରଖିଦେଇଛି ।ସନିଆ ଆଜି ପ୍ରଭୁଙ୍କ ଦର୍ଶନ ଆଉ ତାଙ୍କ ହାତରୁ ମହାପ୍ରସାଦ ପାଇ ସାତ ଜନ୍ମ ପାଇଁ କାଠୁରିଆ ଜନ୍ମ ଦେଇଥାଅ ବୋଲି ଅଳୀ କରୁଛି ।




(ପ୍ରିୟ ପାଠକ ବନ୍ଧୁ ।

ଏଇଟି ମୋର ପ୍ରଥମ ଗଳ୍ପ 'କାଠୁରିଆ' ଆପଣମାନଙ୍କୁ ଅର୍ପଣ କଲି,ଆଶା କରୁଛି ମନକୁ ନିଶ୍ଚୟ ଛୁଇଁବ, ଆଶୀର୍ବାଦ ଅପେକ୍ଷା ରେ)




Rate this content
Log in

More oriya story from Rabin Mohapatra

Similar oriya story from Inspirational