ଝିଅ ହସ ଦେଖି କାନ୍ଦିଲା ବାପା
ଝିଅ ହସ ଦେଖି କାନ୍ଦିଲା ବାପା


ତରବର ହୋଇ ସ୍କୁଟିଟିକୁ ରଖି ଅପର୍ଣ୍ଣା ସିଧା ବାଥରୁମରେ ଫ୍ରେସ ହେଲା।ନିଜର ଡାକ୍ତରୀ ପୋଷାକ ଚେଞ୍ଜ କରି କବାଟ ଭିତର ପଟୁ ଲକ କରି ବେଡ଼ ଉପରେ ମୁହଁ ପୋତି ଧକେଇ ଧକେଇ ବହୁତ କାନ୍ଦିଲା।ଏ କାନ୍ଦ କିନ୍ତୁ ସାଧାରଣ କାନ୍ଦ ନ ଥିଲା ଥିଲା ହୃଦୟ ବିଦାରକ।ଆଜି ବର୍ଷେ ଅଧେ ନୁହଁ ଦୀର୍ଘ ବାଇଶି ବର୍ଷ ପରେ ଦେଖିଥିଲା ତା ବାପାଙ୍କୁ ତା ପାଖକୁ ଆସିବାର। ବାପା… ଯିଏ ଆକାଶଠୁ ବଡ଼,ତାଙ୍କ ଶ୍ରଦ୍ଧା ଏଭାରେଷ୍ଟ ଠୁ ବି ଆହୁରି ଲମ୍ବା, ଏତେ ବର୍ଷ ପରେ ଯାହାଙ୍କ ମୁହଁ ସେ ଦେଖିଲା ତାଙ୍କୁ ସମ୍ଭାଷଣ ନ ଜଣାଇ ଅଣଦେଖା କରି ହସି ହସି ଚାଲି ଆସିଲା।
କେମିତି କରିନଥାନ୍ତା ଯେ,ବାପା ଶବ୍ଦଟି ସିନା ସେ ଜାଣିଛି ହେଲେ ତାହା ପିତା କି ମିଠା ତାହା ଚାଖିବାର ସୌଭାଗ୍ୟ କଦାପି ପାଇନାହିଁ।ହେଲେ ସେ ଏଭଳି ଅମଣିଷ କାମ କରିପାରିଲା କିପରି ? ମଣିଷ ପରା ପରିସ୍ଥିତିର ଦାସ । ସେ ଏଡ଼େ ନିର୍ଦ୍ଦୟ ଯେ ବାପା ଭଳି ଜିନିଷକୁ ଅଣଦେଖା କରି ଚାଲିଆସିଲା।
ମନେ ପକାଇଲା ତାର ପୁରୁଣା ଦିନର କଥା।ସେ ପଢୁଥାଏ ପ୍ରଥମ ଶ୍ରେଣୀରେ । ତା ମାକୁ ପଚାରିଲା,ମାଆ..ମୋ ବାପା କିଏ ? କାହିଁ ସେ ଆମ ପାଖରେ ରହୁନାହାଁନ୍ତି।ମା କିନ୍ତୁ ସେଦିନ ହଡ଼ବଡ଼ ହୋଇ କହିଥିଲା, ସେ ଟିକେ ଦୂରରେ ଅଛନ୍ତି।କେତେଦିନ ଯେ ମା ସେହି ମିଛ ଦୂରକୁ ଦୂରରେ ରଖିବ।ପୁଣି ବି କହିଲା ତୋ ବାପା ଏଠାରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେଦିନ ଭାବିଥିଲି ଏ କେମିତିକା ବାପା ଯେ,ଯିଏ ନିଜ ଝିଅ କି ସ୍ତ୍ରୀ ପାଖରେ ରହିବାକୁ ଭଲ ପାଆନ୍ତି ନାହିଁ।ପୁଣି ଭାବିଲା ମୋ ବାପା ବୋଧେ ବହୁତ ହାଏ ଫାଏ ହୋଇଥିବେ । ସେ ବିଦେଶରେ ରହିବାକୁ ଭଲ ପାଆନ୍ତି।ଟିକିଏ ବଡ଼ ହେଲା ପରେ ଜାଣିଲା ତା ବାପା ମା'ଙ୍କ ଅସଲ ଇତିହାସ।
ଅର୍ଚ୍ଚନା ମହାପାତ୍ର ଓ ଅର୍ଦ୍ଧେନ୍ଦୁ ପ୍ରହରାଜ ଥିଲେ ଅପର୍ଣ୍ଣାର ମାଆ ବାପା।ବିବାହ ପୂର୍ବର ଘଟଣା।ଅର୍ଚ୍ଚନା ସେତେବେଳେ ଥିଲା କିଶୋରୀ ପଢୁଥାଏ +2 ବିଜ୍ଞାନ ଶ୍ରେଣୀରେ । ବାପା ଅଶୋକ ମହାପାତ୍ର ଥିଲେ ଜଣେ ନାମଜାଦା ଡାକ୍ତର।ଅର୍ଦ୍ଧେନ୍ଦୁ ଥିଲେ ଉଦୀୟମାନ ଯୁବ ଅଧ୍ୟାପକ ଏକ ବେସରକାରୀ ମହାବିଦ୍ୟାଳୟର।ଝିଅକୁ ଟ୍ୟୁସନ ପଢ଼ାଇବା ପାଇଁ ଠିକ୍ କଲେ ଅର୍ଦ୍ଧେନ୍ଦୁଙ୍କୁ। ଜଣେ ଉଚ୍ଚଧିଶକ୍ତି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲା ତାଙ୍କର।ଅର୍ଚ୍ଚନା ଏକ ଜ୍ଞାନୀ ଗୁଣୀ ସଂସ୍କାରୀ ଝିଅ।ଏଇମିତି କିଛିଦିନପରେ ଅମାନିଆ ମନ ସେମାନଙ୍କର ନିୟନ୍ତ୍ରଣ ହରାଇ ପ୍ରେମ ସାଗରରେ ବୁଡ଼ିଗଲା।ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ଏତେ ମଜ୍ଜିଗଲେ ଯେ ଲାଗିଲା ସତେ ଯେମିତି ଭଗବାନ ଦୁହେଁ ଦୁହିଁଙ୍କ ପାଇଁ ଯେମିତି ଖଞ୍ଜିଛନ୍ତି।ପ୍ରେମର ମାତ୍ର ଅତ୍ୟଧିକ ହୋଇଗଲା।ବନ୍ଧନର ସେତୁ ଅକାଟ୍ୟ ଓ ଘନିଷ୍ଠତାକୁ ସ୍ପର୍ଶ କଲା।ଅର୍ଚନା ଯେବେ +3 ଦ୍ଵିତୀୟ ବର୍ଷର ଛାତ୍ରୀ ।ଦୁଇ ପରିବାରଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ ବନ୍ଧନରେ ଛନ୍ଦି ହୋଇଥିଲେ ଦୁଇ ପ୍ରେମୀ ଯୁଗଳ।ମାତ୍ର ବୈବାହିକ ଜୀବନର କଅଁଳିଆ ପତ୍ରଟି ସାଜିଲା ସମ୍ପର୍କର ମହାଦ୍ରୁମ। ହେଲେ ସମୟର କଟାକ୍ଷ ଚାହାଣୀ କଣ ସମ୍ବନ୍ଧିତ ସମ୍ପର୍କକୁ ଚିରସ୍ଥାୟୀ କରିପାରିଲା ?ପ୍ରେମ ପ୍ରୀତିର ଭଲପାଇବାଟା ଉବୁଟୁବୁ ହୋଇ ସାହାରା ଖୋଜୁଥାଏ ଆଦରର ଦୁଇକୁଳ।ଜନ୍ମ ହୋଇନଥାଏ ନିର୍ବୋଧ ଶିଶୁ। ସାମାନ୍ୟ ଘଟଣାର ବାଟଚଲା ରାସ୍ତାରେ ଘଟିଲା ଏକ ଆକସ୍ମିକ ଦୁର୍ଘଟଣା, ନିଜ ଜିଦରେ ଅଟଳ,କଥା କଟାକଟି ଓ ଶେଷରେ ଦୁଃଖଦ ବିଚ୍ଛେଦ। ଅଭିମାନୀ ଅର୍ଚ୍ଚନା ଓ କ୍ଷଣକୋପି ଅର୍ଦ୍ଧେନ୍ଦୁଙ୍କ ବୁଝାମଣାର ଅଭାବରେ ଘର ଛାଡ଼ି,କଲେଜ ଛାଡି ଚାଲିଗଲେ ଅର୍ଦ୍ଧେନ୍ଦୁ । ବେସାହାରା ହୋଇ କାଟିଲା ଦୁଃଖଦ ଦିନ ଅର୍ଚ୍ଚନାଟା । ଜନ୍ମନେଲା ସେ ଅର୍ଥାତ ଅପର୍ଣ୍ଣା କୁମାରୀ । ଅଜା ଆଈଙ୍କ ଆଦରର ସାଗରରେ ଓ ମାଆ ଅର୍ଚ୍ଚନାର ଅନାବିଳ ବାତ୍ସଲ୍ୟ ମମତାରେ ବଢ଼ିଲା ସେ।ଜାଣିବା ଶୁଣିବା ହେଲାପରେ ସେ ଖୋଜୁଥିଲା ତା ବାପାଙ୍କୁ ଖାଲି ପାଉଥିଲା ମାଆର କାଳ୍ପନିକ ବୋଧ ହେବାପାଇଁ ସ୍ୱପ୍ରସ୍ତୁତ ଆଭାସୀ ଉତ୍ତର।ଚଳେଇ ନେଉଥିଲା ଆନନ୍ଦମୟ ଜୀବନର ସଜଫୁଟା ରଥ।ବେଳେବେଳେ ବହୁତ କଷ୍ଟ ସେ ପାଏ ଯେତେବେଳେ ସାଥିଙ୍କ ସହ ଝଗଡା ହେଲେ ସେ ଶିଣୁଥିଲା,ତୋର ତ ବାପ ନାହିଁ...ମୁରବୀ ନାହିଁ... ତୁ ଭଲକଥା ଶିଖିବୁ କୋଉଠୁ?ଧକେଇ ହୋଇ ବହୁତ କାନ୍ଦୁଥିଲା ଓ ରାତିରେ ଜହ୍ନକୁ ଚାହିଁ କଳ୍ପନା କରୁଥିଲା ବାପା କେମିତି ଜିନିଷଟେ।
ଟିକେ ବଡ଼ ଶ୍ରେଣୀରେ ପଢ଼ୁଥିବା ବେଳେ ବିଦ୍ୟାଳୟ ଉତ୍ସବରେ ଯେତେବେଳେ ସାଥୀମାନଙ୍କର ବାପା ମାଆ ଉଭୟ ଥାନ୍ତି ଓ ତା ମା ଏକୁଟିଆ,ତା ମନରେ କୋହ ଆସେ,ତା ମାଆକୁ ଚାହେଁ ! ଅନୁମାନ କରେ ମାଆର ଦୁଃଖଦ ଚେହେରା,ହେଲେ ଅଭିନୟ କଲା ପରି ଖୁସିରେ ମାଆକୁ କୁଣ୍ଢେଇ ପକାଇ ଖୁସି କରିଦିଏ।ମାଆର ଆଖିରୁ ଲୁହ ଗଡ଼ିଲେ ପୋଛିଦେଇ କହେ, ତୁମେ ବାପାଙ୍କ ଅନୁପସ୍ଥିତ ଚିନ୍ତା କରି ମନ ଦୁଃଖ କରୁଛ ନା ? ତୁମେ ତ ମୋ ବାପା...ତୁମେ ବି ମୋ ମାଆ।ହେଲେ ଏକୁଟିଆ ବେଳେ ବାପାଙ୍କ ଉପସ୍ଥିତି ବହୁତ ଖୋଜେ । ସାଥୀମାନେ ତାଙ୍କ ବାପାଙ୍କ ସହ ଗାଡ଼ିରେ ବସି ଯାଉଥିବାବେଳେ ଅନ୍ତରର କାନ୍ଦକୁ ଚାପି ଉପର ଶୁଖିଲା ହସରେ ଟା ଟା କରିଦିଏ।ଭାବେ ଏବେ ବାପା ଆସିଯାଅନ୍ତେ କି ସେ ତାଙ୍କ ଗାଡି ପଛରେ ବସି କୁହନ୍ତା ମୋତେ ମାର୍କେଟ ନେଇ ଯାଅ,ପାର୍କ ନେଇଯାଅ ବାପା,ଏଇଠି ଗାଦି ରଥ ମୁଁ ପରା ଆଇସକ୍ରିମ ଖାଇବି।ତାପରେ ନିଜ ଆଖିର ଲୁହକୁ ନିଜେ ପୋଛିଦେଇ ଆଇନାକୁ ଚାହିଁ ମୁରୁକି ହସେ।ପୁରୁଣା ଆଲବମରୁ ଫଟୋଟିଏ ନେଇ ସେ ବନ୍ଧେଇ ରଖିଥିଲା।ତା ମାଆ ରାଗରେ ନେଇ ଫିଙ୍ଗିଦେଲା।ସେ କେତେ କାନ୍ଦିଛି।ତା ଆଖିରୁ ତା ମାଆ ଲୁହ ପୋଛି ନିଜେ କାନ୍ଦି କହିଲା, କାହିଁକି ତାଙ୍କ ଫଟୋ ରଖି ପୁଣି ଅତୀତକୁ ମନେ ପକାଇ ମନକୁ ଖଣ୍ଡିଆ କରୁଛୁ ଧନ ? ସେ ପରା ନିଦା ପଥର । ଅନେକ ଭାବିଛି,ବାପା କେମିତିକା ଶିଳା ପଥର ଖଣ୍ଡେ..ଥରେ ଇଚ୍ଛା ହେଉନି ମୋତେ ଦେଖିବାକୁ?
ସେ ସେଦିନ ଖବର ପାଇଲା ପଠାଣି ସାମନ୍ତ ପରୀକ୍ଷାରେ ଜିଲ୍ଲାରେ ଟପର । ଖବରକାଗଜରେ ବି ପ୍ରକାଶିତ ହେଲା।ଜିଲ୍ଲାପାଳଙ୍କ ପାଖରୁ ଟ୍ରଫି ନେଲାବେଳେ ତା ବାପା ଲୁଚି ଲୁଚି ଦେଖୁଥିଲେ।ତାଙ୍କ ଅଜୟ ସାର୍ ଚୁପ ଚୁପି କହିଲେ,ଏଇ ତୋ ବାପା।ଦେଖି ବହୁତ ଖୁସି ହେଲା ସେ।ଇଛା ହେଉଥିଲା ବାପା ତାକୁ ଟିକେ କାଖ କରନ୍ତେକି ? ପୁଣି ମନକୁ ବୁଝେଇ ଦେଲା,ତା ବାପା ପରା ହିମାଳୟର କଠିନ ଶିଳା!
ବିଜ୍ଞାନ ମେଳା ଷ୍ଟଲରେ ତା ପ୍ରୋଜେକ୍ଟ ତା ବାପା ଦେଖି ତାକୁ କେତେ ପ୍ରଶ୍ନ ପଚାରିଲେ।ସବୁ ଉତ୍ତର ସେ କହିଦେଲା।ତାକୁ ସାବସି ଦେଇ ତା ମୁଣ୍ଡରେ ହାତ ମାରି ଆଉଁସି ଦେଲେ।ତାକୁ ଲାଗୁଥିଲା ସ୍ୱର୍ଗ ପ୍ରାପ୍ତି,ଅସୀମ ପ୍ରେମର ପୁଲକ।ତାକୁ ଯେବେ କହିଲେ ଝିଅ ତୁ ବହୁତ ଆଗକୁ ଯିବୁ ଅଞ୍ଚଳର ଗୌରବ ରଖିବୁ ଏ କେଇପଦ ଲାଗୁଥିଲା ଅସଲ ଭଗବାନଙ୍କ ଆଶୀର୍ବାଦ । ଯାହେଉ ସେ ଜିଲ୍ଲାରୁ ସିଲେକ୍ଟ ହୋଇ ରାଜ୍ୟକୁ ଗଲା ଓ ସେଠାରେ ସଫଳତା ହାସଲ କଲା।ତାକୁ ଲାଗୁଥିଲା ସତେ ଯେମିତି ତା ବାପାଙ୍କ ଆଶୀର୍ବାଦ ଫଳ କି?
ତା ଜନ୍ମ ହେବାର କେଇ ବର୍ଷପରେ ତା ମାଆ ପାଇଥିଲେ ଶିକ୍ଷୟିତ୍ରୀ ଚାକିରୀ।ସେ ଛୋଟ ଥିବା ବେଳେ କହନ୍ତି ମୋ ଝିଅ ଡ଼ାକ୍ତରାଣୀ ହେବ।ସେ ଅନୁସନ୍ଧାନ କରି ଜାଣିଲା,ସେ ଜନ୍ମ ହେବ ପୂର୍ବରୁ ତା ବାପା ତା ମାଆକୁ କହୁଥିଲେ ଟିକିଏ ଦେହ କଣ ହେଲେ ଖାଲି କୁନ୍ଥେଇ ହେଉଛୁ।ରହ ମୋ ଝିଅ ହେଲେ ତାକୁ ଡାକ୍ତରାଣୀଟେ କରିଦେବି ତୋତେ ଦିନ ରାତି ଇଂଜେକସନ ମାରୁଥିବ।
ମାଟ୍ରିକ ରେଜଲ୍ଟ ବାହାରିଲା।ସେ ହେଲା ଫାଷ୍ଟକ୍ଳାସ ଫାଷ୍ଟ । ଶତକଡା ୯୪ପ୍ରତିଶତ ରଖିଛି ମାର୍କ। ଅତିଥିଙ୍କ ଠାରୁ ପୁରସ୍କାର ଆଣିଲାବେଳେ ଇତସ୍ତତଃ ହୋଇ ଚାହିଁ ବି ଖୋଜୁଥିଲା ତା ବାପାଙ୍କୁ।ସେ ଟିକେ ଦେଖନ୍ତା ତା ବାପାକୁ।ତା ବାପା ବି ତାକୁ ଦେଖି ଖୁସି ହୁଅନ୍ତେ।କିନ୍ତୁ ପାଇଲା ନାହିଁ।ଯୁକ୍ତ ଦୁଇ ବିଜ୍ଞାନରେ ବି ରଖିଲା ପାଖାପାଖି ନବେ ପ୍ରତିଶତ, ଆଉ ପୁରସ୍କାର ବେଳେ ସାକ୍ଷାତକାର ମତରେ କହିଲା ମୁଁ ଡ଼ାକ୍ତରାଣୀ ହେବି।ସେଦିନ ମେଡ଼ିକାଲ ଏଣ୍ଟ୍ରାନ୍ସ ପାଇଲା ପରେ ଖୁସିରେ କାନ୍ଦି ପକାଇଥିଲା।ବହୁତ ମନେ ପକାଇଲା ତା ବାପାଙ୍କୁ।ମନେ ମନେ ପ୍ରଣାମ ବି ଜଣାଇଲା।ମେଡ଼ିକାଲ ପଢିବାକୁ ଯେତେବେଳେ କଟକ ବାହାରିଲା,ଭାବୁଥାଏ ମୋ ବାପା ମୋ ସାଥିରେ ଯାଇଥିଲେ ମୋ ଶକ୍ତି ଦ୍ବିଗୁଣିତ ହୁଅନ୍ତା।ଆଉ ହଷ୍ଟେଲରେ ତା ମାଆ ଛାଡି ଆସିବା ବେଳେ ବହୁତ କାନ୍ଦିଲା,କାହିଁକି ନା ତା ବାପଥିଲେ ପର୍ସରୁ କିଛି ପଇସା ଦେଇ କହିଥାନ୍ତେ ଅପୁ... ଆଉ ପଇସା ଦରକାର କିରେ ? ସେ କହିଥାନ୍ତା ଏତିକି ଚଳିବ ବାପା.. ତୁମେ ପନ୍ଦର ଦିନ ପରେ ଆସିଲେ ମୋତେ ଆଉ କିଛି ଦେଇଦେବ।ଚାହୁଚାହୁଁ ସରିଗଲା ଡାକ୍ତରୀ ପଢା ଆଉ ମିଳିଗଲା ଜବ୍ ଖୁବ୍ ଟପ ରାଙ୍କରେ ଥିବାଯୋଗୁଁ । ସେ ଭାବିଲା ଖବରକାଗଜ,ଟିଭି ସବୁଠି ପ୍ରଚାର,ତା ବାପା କଣ ଖୁସି ହେଉନଥିବେ ଜାଣି ? ଏତେ ରାଗ...ଏତେ ଅଭିମାନ ? ମଣିଷ ପା ନିଜ ପିଲା ପାଇଁ ସବୁ ତ୍ୟାଗ କରିଦିଅନ୍ତି । ମାଆ ସହ ସିନା କଳହ ହୋଇଥିଲା ହେଲେ ତା ସହ ତ ନୁହଁ...ତେଵେ ତା ବାପା କଣ ତାକୁ ଘୃଣା କରନ୍ତି।
ଆଜି ସକାଳୁ ଡ୍ୟୁଟି ଯିବା ପୂର୍ବରୁ ତାକୁ ଲାଗୁଥିଲା ଅଲଗା । କିଏ ଆତ୍ମୀୟ ଲୋକ ଆସିବେ କି ? ଚାମ୍ବରରୁ ବାହାରି ସେ ଯେତେବେଳେ ଚାହିଁଛି ସେ ଦେଖିପାରିଛି ତା ବାପାଙ୍କୁ ହେଲେ ତା ଅଭିମାନକୁ ସେ ଜାବୁଡି ଧରିଛି।କାହିଁକି ସେ ଦେଖା କରିବ ଉପର ପଡି।ସେ ପରା ତାଙ୍କ ଗେହ୍ଲା ଝିଅ।ସେ କଣ ଅପର୍ଣ୍ଣା ବୋଲି ଡାକିପାରିବେ ନାହିଁ।ତେଣୁ ନ ଦେଖିଲା ପରି ଅଭିନୟ କରି ସାଙ୍ଗଙ୍କ ସହ ଖୁସିରେ ହସି ହସି ଉପର ଅଭିନୟ କରି ଆସୁଥିଲା । ହେଲେ କାନ ଡେରିଥିଲା ଶୁଣିବାକୁ ତା ବାପାଙ୍କ ପାଟିରୁ...ଏ ଅପର୍ଣ୍ଣା...।ହେଲେ ଲକ୍ଷ୍ୟ କରିଛି,ତା ବାପାର ସତସାହାସ ନାହିଁ ଡାକିବାକୁ।ସେ ସିନା ହସି ହସି ଚାଲିଆସିଲା ହେଲେ ପଛକୁ ଚାହିଁ ଦେଖିଛି ତା ବାପାଙ୍କ ଆଖିରେ ଅସୁମାରୀ ଲୁହ । ଆଉ ସତେ ଯେମିତି ସେ ସ୍ଥାନ କୋହରେ କହୁଥିଲା... ଝିଅ ହସ ଦେଖି କାନ୍ଦିଲା ବାପା।