ହଁ
ହଁ
ପୁଅ ସିପୁନ ତୃତୀୟ ଶ୍ରେଣୀ ପଢୁଛି। ଗ୍ରୀଷ୍ମ ଅବକାଶ । ବୁଲିବାକୁ ଯିବା ବେଳେ ନୂଆ ନୂଆ ସ୍ଥାନର ନୂଆ ଅନୁଭୂତି । ନୂଆ କାହାଣୀ ଯଦିଓ ତା ପିଲା ମନରେ ରେଖାପାତ କରୁ କି ନ କରୁ ,ତା ମନରେ ଆନନ୍ଦର ସୀମା ନ ଥିଲା । କେତେ ରେଳ ଷ୍ଟେସନ ,ରାସ୍ତା କଡ଼ ନଵଶ୍ଚୁମ୍ବି ପ୍ରାସାଦ, ନଈ,ପାହାଡ଼,ବଣ ଡେଇଁ ଯେତେ ଆଗକୁ ଯାଉଥାଏ ,ନୂତନ ଦୁନିଆଁରେ ପାଦ ଥାପି ତା ମନ ଆନନ୍ଦରେ ବିଭୋର ହେଉଥାଏ । କେତେ କଥା ଯେ ପଚାରି ହେଉଥାଏ, ଉତ୍ତର ଦେଇ ଦେଇ ମଣିଷ ନୟାନ୍ତ । ଫେରନ୍ତା ପର୍ବ । ଭୁବନେଶ୍ବର ଷ୍ଟେସନରେ ଗାଡ଼ିର ପରିବର୍ତ୍ତନ । ରାତି ଗୋଟାଏ । ପିଲା ମନ ଏଣେ ତେଣେ ବୁଲା ବୁଲି କରୁଛି ଷ୍ଟେସନରେ । ଜୀବନରେ ବହୁତ ନୂଆ ଜିନିଷର ଅନୁଭୂତି । ମଶା ମାନଙ୍କର ଉପଦ୍ରବ । ଛାଡୁ ନାହାନ୍ତି କାହାକୁ,ଠିକ ଟ୍ରାଫିକ ପୋଲିସ ଭଳି । ପ୍ରବଳ ଗରମ ବି ହେଉଥାଏ । ଟ୍ରେନ ଆସିଲା ଚଢିଗଲୁ । ମାତ୍ର ପାଞ୍ଚ ଘଣ୍ଟାର ରାସ୍ତା । ଓହ୍ଲାଇଲୁ ଠିକ ଛଅ ଟାରେ । ଟ୍ରେନରୁ ଓହ୍ଲାଇ ପଦାକୁ ଆସୁ ଆସୁ ,ତା ମନରେ ଉଙ୍କି ମାରିଥିବା କିଛି ପ୍ରଶ୍ନକୁ ସେ ପଚାରି ବସିଲା ।
ବାପା ଦେଖିଲ ,ଏମାନେ ଯିଏ ବିନା ମଶାରୀରେ ଶୋଇଛନ୍ତି,ସେମାନେ କିଏ ? ଏମାନଙ୍କର କଣ ଘର ନାହିଁ ? ଗରମରେ ଶୋଇଛନ୍ତି କେମିତି ? ଆମେ ତ ଟିକିଏ ଗରମରେ ବସି ପାରୁ ନଥିଲୁ ? ମଶାଙ୍କ ଦାଉରୁ ହଇରାଣ ହେଉଥିଲୁ । ଏମାନେ ଶୀତରେ କଣ ଏଇଠି ଏମିତି ଶୁଅନ୍ତି ? ଷ୍ଟେସନ କଣ ତାଙ୍କ ଘର? ଭୁବନେଶ୍ବରରେ ବି ଦଳେ ଏମିତି ଶୋଇ ଥିବାର ଦେଖିଛି? ଶୀତରେ କଣ ଘୋଡାଇ ହୁଅନ୍ତି ? ଖାଲି ସିମେଣ୍ଟ ଚଟାଣରେ କେମିତି ଶୋଇ ପାରନ୍ତି ? ତାଙ୍କୁ ରୋଗ ହେଲେ କିଏ ଡାକ୍ତର ପାଖକୁ ନିଅନ୍ତି ? ଗରମ,ଶୀତ,ବର୍ଷା ,
ମଶା ସମସ୍ତ ଅସୁବିଧା ସତ୍ତ୍ୱେ ଶୁଅନ୍ତି କେମିତି ? ଦେଖ ବୁଲା କୁକୁର ବି ତାଙ୍କ ପାଖରେ ଶୋଇଛି ! ତୁମେ ତ ବୋଉ ଉପରେ ବଡ଼ ପାଟିରେ କଥା ହେଲେ ବିରକ୍ତ ହୁଅ, ଶୋଇ ପାରନି । ଟିଭିର ସାଉଣ୍ଡ ବେଶୀ ଥିଲେ, ପାଟିକର । ଏମିତି ତ କେତେ ଥର କଜିଆ ଲାଗିଛି । ଟ୍ରେନ ଯିବା ,ଆସିବାର ଯେଉଁ ଗର୍ଜ୍ଜନ, ଏମାନେ ଶୁଅନ୍ତି କେମିତି ? ମେଘୁଆ ପାଗରେ ଝଡ଼ି ପୋକ ବାହାରିବା ଭଳି ପ୍ରଶ୍ନ ପରେ ପ୍ରଶ୍ନର ବାଣ ମୋ ଉପରକୁ ନିକ୍ଷେପ କରୁଥାଏ । ଆଉ ମୁଁ କେବଳ ଅସହାୟ ହୋଇ ତା ପ୍ରଶ୍ନ ଶୁଣି ଚାଲୁଥାଏ ।
ଶେଷରେ ସେ ପଚାରିଲା- ଏମାନେ ବି ତ ମଣିଷ ? ସମ୍ଭାଳି ପାରିଲି ନି ନିଜକୁ। କଣ ଦେବି ଉତ୍ତର । କଣ କହି ପିଲା ମନର କୌତୁହଳକୁ ଏଡ଼ାଇ ବି। ଖାଲି ଏତିକି କହିଲି ହଁ, ସେମାନେ ବି ମଣିଷ । ଆଉ କହିଲି, ଯଦି ଆମ ଟ୍ରେନ ଯାତ୍ରା ଟିକଟରୁ ମାତ୍ର ଦୁଇଟଙ୍କା ତାଙ୍କ ପାଇଁ ଖର୍ଚ୍ଚ କରାଯାଆନ୍ତା ତେବେ ସେମାନେ ବି ମଣିଷ ଭଳି ବଞ୍ଚି ପାରନ୍ତେ । ପିଲା ମନରେ ମୋ ଉତ୍ତର ତା ମନକୁ କେତେ ପାଇଲା ମୁଁ ଜାଣି ନାହିଁ । ମାତ୍ର ତାର ଗୋଟିଏ ଛୋଟ ଉତ୍ତର ଥିଲା "ହଁ" କିନ୍ତୁ ମୁଁ ବି ଭାବୁଥିଲି ସତରେ ତ ସେମାନେ ଆମରି ପାରି ରକ୍ତ ମାଂସ ଧାରୀ ମଣିଷ । ସେମାନେ ଷ୍ଟେସନର ମଣିଷ ଆଉ ଆମେ ଏ. ସି. ତଳେ ଥିବା ମଣିଷ । ହଠାତ ବିକଟାଳ ରଡ଼ି କରି ମାଡ଼ି ଆସୁଥିଲା ଏକ ଟ୍ରେନ । ମୋର ଭାବନାକୁ ଦୋହଲାଇ ଦେଲା ସତ, ସେଇ ମୋ କୁନି ପୁଅର "ହଁ" ଭିତରେ ମୁଁ ଆଜିବି ଖୋଜୁଛି,କଣ ଭାବି ସେ ହଁ ଭରିଲା । ମୁଁ ସିନା ଉତ୍ତର ଦେଇ ନ ପାରି ବାଁରେଇ ଦେଲି, କିନ୍ତୁ ନିଜ ପାଖରେ ନିଜେ ହାରି ଯାଇଥିଲି । ତାର ହଁ ଭିତରେ ଆଉ କିଛି ପ୍ରଶ୍ନ ଲୁଚି ନଥିଲା ତ ?