Gyanaranjan Sahoo

Tragedy

3  

Gyanaranjan Sahoo

Tragedy

ଗୁଜବ

ଗୁଜବ

8 mins
269


                  

  ସମୟ ଅସମୟ ମାନିବାକୁ ନାରାଜ ଆଜି ମୋବାଇଲ ଫୋନ୍ । ପ୍ରତି ଚାରି ପାଞ୍ଚ ମିନିଟରେ ଥରେ ନ ବାଜିଲେ ତା’ର ମନବୋଧ ହେଉନାହିଁ । ବ୍ୟଗ୍ର ହୋଇପଡ଼ିଛି ସେ । ସତେ ଯେମିତି ମୋର ଅସ୍ତିତ୍ବ ଦୋହଲିଯାଉଛି ତା’ର ପ୍ରତିଥରର ଆଶଙ୍କିତ ମୂର୍ଚ୍ଛନାରେ । କୌଣସି କଲ୍ ଯେମିତି ମିସ୍ ନ ହୁଏ, ସେଥିପ୍ରତି ମୁଁ ମଧ୍ୟ ଅତ୍ୟନ୍ତ ସଜାଗ ଅନ୍ୟ ଦିନ ଅପେକ୍ଷା । ଯଦି କୌଣସି କାରଣରୁ ମିସଡ୍ କଲ୍ ହେଲା, ବାଟ ଅଣ୍ଟେନି ମୋତେ ସେହି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଯାଏଁ । ଏଭଳି ଅବସ୍ଥା ହୁଏତ ଆଗରୁ କେବେ ହୋଇଥିଲା କି ନାହିଁ ମନେପଡୁନି । ସମ୍ଭବତଃ ବ୍ୟସ୍ତବହୁଳ ଜୀବନରେ ଏମିତି ଯେ କେବେ ଘଟିନଥିବ କହି ହେଉନି । ଆଜି କିନ୍ତୁ ସଂପୂର୍ଣ୍ଣ ନିଆରା । ବନ୍ଧୁ ଜଣେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲର ଆଇ.ସି.ୟୁ.ରେ ବଞ୍ଚିବା ପାଇଁ ସଂଘର୍ଷରତ ।

ଏପରି ଅସ୍ତବ୍ୟସ୍ତ ସମୟରେ ମୋବାଇଲର ଚିରାଚରିତ ରିଙ୍ଗଟୋନ୍ “ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ....” କର୍ଣ୍ଣବିଦ୍ଧ କଲାବେଳେ ମୋବାଇଲ ପରଦାରେ ଡାକ୍ତର ପରେଶ କୁମାର ପଟ୍ଟନାୟକଙ୍କ ନାମ ପରିଦୃଶ୍ୟ ହେବାକୁ ଲାଗିଲା । ଏକ ଅଜଣା ଶିହରଣରେ ଦେହ ଓ ମନରେ କିଛି ଆଶା ଓ ଆଶଙ୍କା ସୃଷ୍ଟି ହେବାକୁ ଲାଗିଲା । ତାଙ୍କ ସଙ୍ଗେ ମୋର ବନ୍ଧୁତ୍ୱ ପ୍ରାୟ ସାତ ବର୍ଷ ତଳର । ଯଦିଓ ଦରକାର ମୁତାବକ ମୋତେ ଦୁଇ ଚାରି ମାସରେ ଥରେ ଫୋନ୍ କରିବାକୁ ପଡିଥାଏ କିନ୍ତୁ ତାଙ୍କ ପାଖରୁ ଫୋନ୍ ଆସିବା ଆଜି ପର୍ଯ୍ୟନ୍ତ ଗଣିଲେ ତିନି ଚାରି ଥରରୁ ଅଧିକ ହେବନାହିଁ । ଡାକ୍ତରବାବୁ ଭାରତୀୟ ସେନାବାହିନୀରୁ ପ୍ରାୟ ଦଶ ବର୍ଷ ହେଲା କ୍ୟାପଟେନ୍ ପଦରୁ ଅବସର ନେଇ ଭୁବନେଶ୍ୱରରେ ରହି ଆସୁଥିଲେ ମଧ୍ୟ ପ୍ରତି ମାସର ଦ୍ୱିତୀୟ ଶନିବାର ଦିନ ଗାଆଁକୁ ଯାଇ ଗାଆଁ ସଭାରେ ବସି ଗାଆଁର ହାନିଲାଭ ତଦାରଖ କରୁଛନ୍ତି । କିଛି ଦିନ ତଳେ ଶ୍ରୀଲୋକନାଥ ଦେବ ଦାତବ୍ୟ ଚିକିତ୍ସାଳୟର ଏକ ଅନ୍-ଲାଇନ୍ ବୈଠକରେ ଯୋଗଦେବା ପାଇଁ ଫୋନ୍ କରି ତାଙ୍କୁ ଅନୁରୋଧ କରିଥିଲି । ସେହି ଦିନ ସେ ଭୁବନେଶ୍ୱରରେ ଥିବା ଫ୍ଲାଟ ଘରକୁ ଚାବି ପକାଇ ଗାଆଁରେ ଥିବା ପୈତୃକ ଘରକୁ କିଛି ଦିନ ପାଇଁ ଆସିଛନ୍ତି ବୋଲି କହିଥିଲେ । ବାର୍ତ୍ତାଳାପରୁ ଜାଣିବାକୁ ପାଇଲି ଭୁବନେଶ୍ଵରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ଯୋଗୁଁ ପ୍ରାତଃ ଭ୍ରମଣ, ବଜାର ହାଟରେ ସଂକ୍ରମିତ ହେବାର ଭୟକୁ ଦୂରେଇ ଦେବାପାଇଁ ଗାଆଁକୁ ଆସି ଘରଦ୍ୱାର ମରାମତି, ଜମିବାଡ଼ି ଓ ଚାଷବାସ କଥା ବୁଝୁଛନ୍ତି । ଗାଆଁର ତାଜା ପବନରେ ପ୍ରାତଃ ଭ୍ରମଣ ଓ ବାଡ଼ିବଗିଚାର ବୃକ୍ଷଲତା ଓ ଫୁଲଫଳ ତାଙ୍କୁ ପିଲାଦିନର ଆନନ୍ଦ ପୁଣି ଫେରାଇ ଦେଉଥିବାର ଅନୁଭବ କରୁଛନ୍ତି । ସମ୍ଭ୍ରାନ୍ତବଂଶୀୟ ଲୋକ, ଖାନଦାନି ଅଛି । ଗାଆଁରେ କୋଠାଘର, ଜମିବାଡ଼ି, ବଗିଚା ଓ ପୋଖରୀ ବାପ ଜେଜବାପ ଅମଳରୁ ରହିଛି । ଗାଆଁ ଘରର ରକ୍ଷଣାବେକ୍ଷଣ ଓ ସମ୍ପ୍ରସାରଣ ପାଇଁ ଯୋଜନାବଦ୍ଧ ଭାବରେ କିଛି କାର୍ଯ୍ୟ ହାତକୁ ମଧ୍ୟ ନେଇଛନ୍ତି । ଇତିମଧ୍ୟରେ ଭୁବନେଶ୍ୱରରୁ କରୋନା ଟୀକା କୋଭାକ୍ସିନର ଦୁଇ ଡୋଜ୍ ସସ୍ତ୍ରୀକ ନେଇଯାଇଛନ୍ତି । ସେ ନକହିଲେ ବି ତାଙ୍କର ଗାଆଁ ପ୍ରତି ହଠାତ୍ ଅତ୍ୟଧିକ ମୋହ ଯେ କରୋନାକାଳର ବରଦାନ ଏକଥା ସ୍ପଷ୍ଟ ଅନୁମେୟ । ଗାଆଁ ଲୋକେ ତାଙ୍କର ପରୋପକାର ଓ ସେବା ମନୋବୃତ୍ତିର ସୁବିନିଯୋଗ ନିମନ୍ତେ ତାଙ୍କୁ ବହୁ ଆଗରୁ ଗ୍ରାମ୍ୟ କମିଟିର ପ୍ରମୁଖ ସଦସ୍ୟ ରୂପେ ସ୍ଥାନ ଦେଇଛନ୍ତି । ସେବା କାର୍ଯ୍ୟରେ ତାଙ୍କର ଖୁବ୍ ଆଗ୍ରହ । ତେଣୁ ତାଙ୍କ ଗାଆଁଠାରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀଲୋକନାଥ ଦେବ ଦାତବ୍ୟ ଚିକିତ୍ସାଳୟର ଉପଦେଷ୍ଟା ରୂପେ କାର୍ଯ୍ୟ କରିଆସୁଛନ୍ତି । ପିଲାମାନେ ସରକାରୀ ଚାକିରିରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ । ସମସ୍ତେ ବାହାସାହା ହୋଇ ନିଜ ନିଜର ସଂସାରରେ ଖୁବ୍ ଖୁସିରେ ଅଛନ୍ତି । ଘରେ ମଣିଷ ବୋଲି ସେ ଓ ତାଙ୍କର ସ୍ତ୍ରୀ । ଉଭୟେ ବରିଷ୍ଠ ନାଗରିକ । ତାଙ୍କ ସ୍ତ୍ରୀ ଯାହାଙ୍କୁ ମୁଁ ମାଉସୀ ବୋଲି ଡାକେ ଅତି ସ୍ନେହୀ ଲୋକ । ଡାକ୍ତରବାବୁ ମଧ୍ୟ କମ୍ ନୁହଁନ୍ତି । ଯେଉଁ କେତେଥର ତାଙ୍କର ଭୁବନେଶ୍ୱର ସ୍ଥିତ ଘରକୁ ଯିବାର ସୁଯୋଗ ମିଳିଛି ପେଟ ଭର୍ତ୍ତିକରି ଖାଇବାକୁ ନ ଦେଇ ଛାଡ଼ନ୍ତି ନାହିଁ ସେ ଦୁହେଁ । ସେତେବେଳେ ମୋ ଅନିଚ୍ଛା ସତ୍ତ୍ବେ ବି ଦୁହିଁଙ୍କର ସ୍ନେହଶ୍ରଦ୍ଧାରେ ବାନ୍ଧିହୋଇ ସୁନାପିଲାଟି ପରି ସବୁ ଖାଇବାକୁ ପଡ଼ିଥାଏ । ମାଉସୀଙ୍କୁ ବହି ପଢ଼ୁଥିବାର ପ୍ରତ୍ୟେକ ଥର ଦେଖେ । ତାଙ୍କର ମାତୃଭାଷା ପ୍ରୀତି ଅବର୍ଣ୍ଣନୀୟ । ଓଡ଼ିଆ ସାହିତ୍ୟ ପ୍ରତି ବେଶ୍ ଆଗ୍ରହ । ଜଣେ ସୁଗୃହିଣୀ ହୋଇ ମଧ୍ୟ ପ୍ରାୟ ପାଞ୍ଚଶହରୁ ଅଧିକ ଗଳ୍ପ, ଉପନ୍ୟାସ ଓ କବିତା ପୁସ୍ତକ ସେ ପଢ଼ିସାରିଥିବା କଥା ଜାଣିବାକୁ ପାଇଥିଲି । ଏମିତି କିଛି ସ୍ମୃତିକୁ ଓଲଟାଇ ଡାକ୍ତରବାବୁଙ୍କ ଫୋନ୍ ଉଠାଇ ନମସ୍କାର ଜଣାଇବା ମାତ୍ରେ ସେ କହି ଉଠିଲେ; 

- “ଆପଣ ଜାଣନ୍ତି କି ଜ୍ଞାନବାବୁ ! ଶୁଣିଲି ପୁଲିସ ଆସି କାର୍ତ୍ତିକବାବୁଙ୍କ ପୁଅ, ବୋହୁ ଓ ନାତିକୁ ଘର ବାହାରପଟୁ ଓ ପାଚେରୀ ଗେଟ୍ ରେ ତାଲା ପକେଇ ଚାଲିଯାଇଛି । ସେମାନେ ଖାଇବେ କଣ ? ରହିବେ କେମିତି ?” 

ମୁଁ ପଚାରିଲି; 

-“ଆପଣ କେମିତି ଜାଣିଲେ ?”

ଉତ୍ତରରେ ସେ କହିଲେ 

-“ଘର କାମ ଚାଲିଛି ତ, ମିସ୍ତ୍ରୀ ଲାଗିଛନ୍ତି । କାର୍ତ୍ତିକବାବୁଙ୍କ ଗାଆଁରୁ ରାଜମିସ୍ତ୍ରୀଙ୍କର ଜଣେ ବନ୍ଧୁ ଫୋନ୍ କରି ଏହି ଖବର ଦେବାରୁ ସେ ମୋତେ ଜଣାଇଲା ଯେ କାର୍ତ୍ତିକବାବୁଙ୍କ ପରିବାରର ସମସ୍ତେ କରୋନା ଆକ୍ରାନ୍ତ । ତେଣୁ ପୁଲିସ ଆସି ସାମନା ଗେଟ୍ ସହିତ ଦାଣ୍ଡ ଓ ବାରିପଟ କବାଟରେ ତାଲା ପକାଇ ଦେଇଛି, ଯେମିତି ସେମାନେ ବାହାରକୁ ଯାଇପାରିବେ ନାହିଁ ।“

 ମୁଁ ଆଶ୍ଚର୍ଯ୍ୟ ହୋଇପଡ଼ିଲି ।

 -“ସତରେ ଯଦି ଏପରି ହୋଇଥାଏ, ତେବେ ବଡ଼ ଅସୁବିଧା ହୋଇଗଲା । ଅସମ୍ଭବ କଥା ! ପୁଲିସ ଏମିତି ଅମାନୁଷିକ କାର୍ଯ୍ୟ କଲା କେମିତି !” ଏକଥା କହି “ମୁଁ ବୁଝି ଦେଖୁଛି” ବୋଲି ଜଣାଇ ଫୋନ୍ ରଖିଲି ।

  ମୋ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା, ବାଟ ଦିଶୁ ନଥାଏ । କଣ କରିବି ? କାର୍ତ୍ତିକବାବୁ କରୋନାରେ ଆକ୍ରାନ୍ତ ହୋଇ ଅମ୍ଳଜାନ ସ୍ତର କମିଯିବାରୁ ଦୁଇ ଦିନ ତଳେ ଭୁବନେଶ୍ୱରର ସମ୍ ହସ୍ପିଟାଲର ଆଇ.ସି.ୟୁରେ ଚିକିତ୍ସିତ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ମଧ୍ୟ କାଠିକର ପାଠ । କେବଳ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସିକୁରିଟି ଗାର୍ଡ଼ ଛଡ଼ା ଅନ୍ୟ ସମସ୍ତଙ୍କୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ କରୋନା ବିଭାଗର ହତା ଭିତରେ ପ୍ରବେଶ ନିଷେଧ । କେତେକ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କର ମନୋସ୍ଥିତି ଅତ୍ୟନ୍ତ ଦୟନୀୟ । ସେମାନଙ୍କର ଅଭିଯୋଗ ଯେ ଚାରି ଦିନ ହେଲାଣି ପ୍ରତିଦିନ ଆସି ଏହି ବିଭାଗର ଗେଟ୍ ପାଖରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ ସିକ୍ୟୁରିଟି ଗାର୍ଡ଼ଙ୍କୁ ଯେତେ ନେହୁରା ହେଲେ ମଧ୍ୟ ନିଜ ଲୋକର ସ୍ୱାସ୍ଥ୍ୟାବସ୍ଥା ବିଷୟରେ କିଛି ଖବର ନପାଇ ହତାଶ ହୋଇ ଫେରୁଛନ୍ତି । ସାମାଜିକ ମିଡିଆରେ କୋଭିଡ଼ ହସ୍ପିଟାଲର ଅବ୍ୟବସ୍ଥାର ଭାଇରାଲ ଚିତ୍ର ଦେଖି ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି । ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଅବସ୍ଥା କହିଲେ ନ ସରେ । ପ୍ରତିଦିନ କୋଭିଡ଼ରେ ଦେଶ ବିଦେଶରେ ହଜାର ହଜାର ଲୋକ ଯରିଯାଉଛନ୍ତି ଶୁଣି ମନରେ ପାପ ଛୁଉଁଛି, କିଛି ଅଘଟଣ ଘଟିଗଲା କି ? ପେଟକୁ ଦାନା ରୁଚୁନି କି ରାତିରେ ନିଦ ନାହିଁ । ସକାଳ ହେଲା ମାତ୍ରେ ଦଉଡ଼ ଲାଗେ ଏହିଠାକୁ । ଗଣମାଧ୍ୟମରେ ଏହି ଅବ୍ୟବସ୍ଥା ସମ୍ପର୍କରେ ପ୍ରଚାର ହେଲାପରେ ସରକାରଙ୍କ ନିର୍ଦ୍ଦେଶରେ ହେଲ୍ପଡେସ୍କ ଖୋଲି ବାରଘଣ୍ଟାରେ ଥରେ ରୋଗୀଙ୍କ ବିଷୟରେ ରିପୋର୍ଟ ମୋବାଇଲରେ ମିଳିବାର ବ୍ୟବସ୍ଥା ହସ୍ପିଟାଲ କର୍ତ୍ତୃପକ୍ଷ ଆରମ୍ଭ କଲେ । ସେଥିରୁ ଯାହା ଜଣାପଡ଼ିଛି କାର୍ତ୍ତିକବାଵୁଙ୍କଠାରେ ଭେଣ୍ଟିଲେଟର ଲାଗିଗଲାଣି । ଅବସ୍ଥା ଭଲ ନାହିଁ । ଜ୍ଞାତିକୁଟୁମ୍ବ ସମସ୍ତେ ମର୍ମାହତ । କାର୍ତ୍ତିକବାବୁ ତାଙ୍କ ଗାଆଁରେ ଅବସ୍ଥିତ ଦାତବ୍ୟ ଚିକିତ୍ସାଳୟର ଉପାଧ୍ୟକ୍ଷ । ଅନେକ ରୋଗୀଙ୍କର ସେବା କରିଛନ୍ତି, ସେହି ଅଞ୍ଚଳରେ ତାଙ୍କର ସୁନାମ ଅଛି । ଗାଆଁ, ପଞ୍ଚାୟତ ଓ ଗ୍ରାମ୍ୟ ମନ୍ଦିରର ହାନିଲାଭ କଥା ବୁଝନ୍ତି । ରାମଚରିତମାନସ ହେଉ କି ରାସଲୀଳା, ଯଜ୍ଞ ହେଉ କି ଜାଗର ସେ ମୁଣ୍ଡ ନପୁରେଇଲେ କିଛି ହୋଇପାରେନା । ସେ ଧାର୍ମିକ, ନ୍ୟାୟବନ୍ତ, ସେବାପରାୟଣ ଓ ପରୋପକାରୀ ବ୍ୟକ୍ତି । ଦୁର୍ଭାଗ୍ୟର ବିଷୟ ଦାତବ୍ୟ ଚିକିତ୍ସାଳୟରେ କରୋନା ରୋଗୀଙ୍କ ପାଇଁ ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ତାଙ୍କୁ ସମ୍ ହସ୍ପିଟାଲକୁ ନିଆଯାଇଥିଲା । ବିଧିର ବିଧାନ ବଡ଼ ବିଚିତ୍ର, ଚାରି ଦିନ ତଳେ କାର୍ତ୍ତିକବାବୁଙ୍କ ସ୍ତ୍ରୀ ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି, ହୃଦଘାତରେ ନା କରୋନାରେ ତାହା ସ୍ପଷ୍ଟ ହୋଇପାରିନଥିଲା । ତାଙ୍କର କରୋନା ଲକ୍ଷଣ କିଛି ଥିଲାପରି ଜଣାପଡ଼ିନଥିଲା । ଦୁଇ ତିନିଦିନ ତଳୁ ବେକ ବିନ୍ଧା ଆରମ୍ଭ ହୋଇଥିଲା, ନିକଟସ୍ଥ ଢାକ୍ତରଙ୍କ ପରାମର୍ଶ କରି ମଧ୍ୟ ଔଷଧ ଦ୍ୱାରା କୌଣସି ଉପଶମ ନ ମିଳିବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ନେବାପାଇଁ ସ୍ଥିର କଲେ । ଘରେ କାର୍ ଅଛି । ତାଙ୍କୁ ଟେକି ଆଣି ବସାଇବାକୁ ପଡ଼ିବ କାରଣ ଦୁଇବର୍ଷ ତଳେ ତାଙ୍କର କୃତ୍ରିମ ଆଣ୍ଠୁ ପ୍ରତ୍ୟାରୋପଣ ଭୁବନେଶ୍ୱରର ଏମସ୍ ହସ୍ପିଟାଲରେ ହୋଇଥିଲା । ସମ୍ପୂର୍ଣ୍ଣ ପରିବାର ସେଥିରେ ଘାଣ୍ଟି ହୋଇପଡ଼ିଥିଲା ମାସାଧିକ କାଳ । ଯାହା ହେଉ ତାହା କିଛି ମାତ୍ରାରେ ସଫଳ ହୋଇଥିବାରୁ ସେ ଘରେ ଚଳପ୍ରଚଳ ହୋଇପାରୁଥିଲେ । ସେଦିନ କିନ୍ତୁ ତାଙ୍କ ବେକର ବ୍ୟଥା ଏତେ ତୀବ୍ର ଥିଲା ଯେ ସେ ଚାଲିବାକୁ ଅକ୍ଷମ ଥିଲେ । ପୁଅ ଗାଡ଼ି ଆଣି ଘର ସମ୍ମୁଖରେ ଲଗାଇଦେଲା । କାର୍ତ୍ତିକବାବୁ ନିଜେ ସ୍ତ୍ରୀଙ୍କୁ ଟେକି ଆଣି ଗାଡ଼ିରେ ବସାଇବାକୁ ଯାଉଛନ୍ତି । ଘରର ଅନ୍ୟ ସମସ୍ତେ ହତଚକିତ ହୋଇ ଚାହିଁ ରହିଛନ୍ତି । ପଛ ସିଟରେ ତାଙ୍କୁ ବସାଇବା ପରେ ସେ ସିଟ୍ ଉପରେ ଗଡ଼ି ପଡ଼ିଲେ । ହଠାତ୍ ତିନିଥର ହେଙ୍କା ଉଠିବା ପରେ ସମସ୍ତଙ୍କ ସାମନାରେ ସଦାବେଳ ପାଇଁ ଶାନ୍ତ ପଡ଼ିଗଲେ । ସତେ ଯେମିତି ବଜ୍ର ପଡ଼ିଗଲା ସେଇ ପରିବାର ଉପରେ । ସମସ୍ତେ ସ୍ତମ୍ଭୀଭୂତ ହୋଇପଡ଼ିଲେ କିଛି କ୍ଷଣ ପାଇଁ । ପାଖ ପଡୋଶୀ ଯିଏ ସେଠାରେ ଥିଲେ କହିଉଠିଲେ,  

-“ଭଲ ଲୋକଟା ହଠାତ୍ ଏ କଣ ହେଲା” । ବୁଦ୍ଧିବାଟ କିଛି ଦିଶୁ ନଥାଏ, କଣ କରିବେ ? ଡାକ୍ତରଙ୍କୁ ଫୋନ୍ କଲେ । ନିକଟରେ ଥିବା ଡାକ୍ତର ପାଞ୍ଚ ମିନିଟରେ ପହଞ୍ଚି ତାଙ୍କୁ ମୃତ ବୋଲି ଘୋଷଣା କଲେ । କାର୍ତ୍ତିକବାବୁଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ପ୍ରତୀତ ହେଲା । ସେ ଲଥ୍ କରି ବସିପଡ଼ିଲେ ଦାଣ୍ଡପିଣ୍ଡା ଉପରେ । ପରିବେଶ ଶୋକାକୁଳ ହୋଇଉଠିଲା । କେହି ବିଶ୍ୱାସ କରିପାରୁନଥିଲେ ଆଖିପିଛୁଳାକେ କଣ ସବୁ ଘଟିଗଲା । ସମୟ କାହାପାଇଁ ଅପୋକ୍ଷା କରେନା । ଶବ ସତ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ସାଇ ପଡ଼ିଶା ଓ କୁଟୁମ୍ବଙ୍କ କାନ୍ଧରେ ଶବ ଚାଲିଲା, ପୁଅ କୋହ ସମ୍ବରଣ କରି ଆଗେ ଆଗେ ଖଇ କଉଡ଼ି ପଛକୁ ଫିଙ୍ଗି ଚାଲିଥାଏ। ରାମ ନାମ ସତ୍ୟ ହେ.. ସାଙ୍ଗକୁ ଅହ୍ୟ ଡେଙ୍ଗୁରାର ଧ୍ବନି ଆଗେଇ ଚାଲିଲା ଶ୍ମଶାନ ଆଡ଼କୁ । ପୁଅ ମୁଖାଗ୍ନି ଦେଇ ଶ୍ମଶାନରେ ତା ମାଆକୁ ଚିର ବିଦାୟ ଦେଇଥିଲା ।

  ଏସବୁ କଥା ମୋ ଆଖି ଆଗରେ ଭାସି ଉଠିଲା । ଶକ୍ତ ଧକ୍କା ଲାଗିଲା ମୋତେ । କାର୍ତ୍ତିକବାବୁଙ୍କ ସହିତ କୋଡ଼ିଏ ବର୍ଷ ତଳୁ ଘନିଷ୍ଠ ସମ୍ପର୍କ ରହିଛି । ଶ୍ରୀଲୋକନାଥ ଦେଵ ଦାତବ୍ୟ ଚିକିତ୍ସାଳୟଟିର ସ୍ଥାପନା ଓ ପରିଚାଳନାରେ ତାଙ୍କର ଅବଦାନ ଅତୁଳନୀୟ । ବଡ଼ ନିଷ୍ଠାବାନ୍ ଲୋକ । ତାଙ୍କ ଗାଆଁ ତଥା ଆଖ ପାଖ ପଚାଶ ଖଣ୍ଡ ଗାଆଁର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ମହାଦେବ ଶ୍ରୀଲୋକନାଥ । ସେ ଶ୍ରାଲୋକନାଥ ଦେବଙ୍କ ମନ୍ଦିରର ମ୍ୟାନେଜିଙ୍ଗ ଟ୍ରଷ୍ଟି । ସେ ମନ୍ଦିରରେ ପ୍ରତି ମାସ ଦ୍ୱିତୀୟ ଶନିବାର ଦିନ ଶ୍ରୀମଦ୍ ସ୍ୱାମୀ ଭାଗବତାନନ୍ଦପୁରୀ ମହାରାଜଙ୍କ ସାନ୍ନିଧ୍ୟରେ ସତସଙ୍ଗରେ ଯୋଗଦାନ କରି ପ୍ରସାଦ ପ୍ରସ୍ତୁତି ଦାୟିତ୍ୱ ସ୍ଵତଃ ନେଇଥାନ୍ତି । ଯେତେ ଅସୁବିଧା ଥିଲେ ମଧ୍ୟ ସତସଙ୍ଗ ଦିନ ସବୁ କାର୍ଯ୍ୟକୁ ପଛରେ ପକାଇ ଦିନ ତମାମ ମନ୍ଦିରରେ ରହନ୍ତି । ମହାଦେବଙ୍କ କୃପା ଓ ସ୍ୱାମୀଜି ମହାରାଜଙ୍କ ଆଶୀର୍ବାଦରୁ ତାଙ୍କ ସଂସାରରେ କିଛି ଅଭାବ ନାହିଁ । ସ୍ତ୍ରୀ ଚାଲିଗଲା ପରେ ଟିକିଏ ଭାଙ୍ଗିପଡ଼ିଛନ୍ତି । ମହାମାରୀ କବଳରେ ପଡ଼ି ପରିବାର ସ୍ୱଜନଙ୍କଠାରୁ ଦୂରରେ ରହି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । କି ସମୟ ଆଣିଛି କରୋନା, ରକ୍ତର ସମ୍ପର୍କ ଭାଙ୍ଗିଚାଲିଛି । ପିତାମାତାଙ୍କର ଶବକୁ କାନ୍ଧ ଦେବା ପାଇଁ ସ୍ୱଜନଙ୍କୁ ମନା । କେଉଁଠି ବୃଦ୍ଧ ବାପାମାଆଙ୍କର ଏକମାତ୍ର ଯୁବପୁତ୍ର ମହାମାରୀରେ ଆରପାରିକୁ ଗଲାଣି ତ କେଉଁଠି ବାଳୁତ ଶୈଶବ ବାପମାଆ ଛେଉଁଣ୍ଡ ହେବାକୁ ବାଧ୍ୟ ହୋଇପଡ଼ିଛି । କରୋନାର ଏହି କରାଳ ଗ୍ରାସରେ ସମଗ୍ର ଜଗତ ଆତଙ୍କିତ । ମନୁଷ୍ଯ ସମାଜ ଏକ ଅଦୃଶ୍ୟ ଭୂତାଣୁର ଭୟାବହତାରେ କିଂ କର୍ତ୍ତବ୍ୟବିମୁଢ଼ ହୋଇପଡ଼ିଛି ।  

  ଡାକ୍ତର ପଟ୍ଟନାୟକଙ୍କ ଫୋନ୍ ପାଇଲା ପରଠାରୁ ଶଙ୍କା ଆଶଙ୍କାର ମୋହରେ ଆଚ୍ଛନ୍ନ ହୋଇ ମୋତେ ଶକ୍ତ ଧକ୍କା ଲାଗିଥିଲା । ପୁଣି ଭାବିଲି ପରିବାରରେ ଦୁଇବର୍ଷର ଛୋଟ ଛୁଆ ସାଙ୍ଗକୁ କାର୍ତ୍ତିକବାବୁଙ୍କ ପୁଅ ଓ ବୋହୂ ସମସ୍ତେ ପିଲା ଲୋକ । ସେମାନେ ମଧ୍ୟ କରୋନା ପଜିଟିଭ୍ ବୋଲି ରିପୋର୍ଟ ଆସିଛି । ଏକଥା ଜାଣିଲା ପରେ ପାଖ ପଡ଼ିଶା କେହି ଦୁଆର ମାଡୁନାହାନ୍ତି । ପୁଲିସ ଯଦି ତାଙ୍କୁ ଗୃହବନ୍ଦୀ କରିଦେବ, ତେବେ ସେମାନେ କରିବେ କଣ ? ଦୁଇ ଦିନ ପରେ ଦଶାହ ଓ ଏକାଦଶାହ ଆଦି ଶୁଦ୍ଧିକ୍ରିୟା ହେବ କିପରି ? ମୁଁ ହଡ଼ବଡେଇ ଗଲି । ମନେ ମନେ ଭାବୁଥାଏ, ଯଦି ପ୍ରଶାସନ ତରଫରୁ ମିନି କଣ୍ଟେନମେଣ୍ଟ ଜୋନ୍ ତାଙ୍କ ଗାଆଁର କିଛି ଅଂଶକୁ ଘୋଷଣା କରାଯାଇଥିବ ସେଥିପାଇଁ ଲୋକେ ନ ବୁଝିପାରି ଏପରି କହୁଥିବେ । ପୁଲିସ୍ ତାଙ୍କୁ ବାହାରକୁ ଯିବାକୁ ମନା କରିପାରେ କିନ୍ତୁ ତାଲାପକାଇ ଚାଲିଯିବ କାହିଁକି ? ସେମାନଙ୍କର ଖାଦ୍ୟପେୟ ଓ ଚିକିତ୍ସା ଏସବୁ ହେବ କେମିତି ? କାହାଠୁ ସଠିକ୍ ଖବର ପାଇବି ? କାର୍ତ୍ତିକବାବୁଙ୍କ ପୁଅର ମୋବାଇଲ ନମ୍ବର ମୋ ପାଖରେ ନାହିଁ । ଟିକିଏ ପ୍ରକୃତିସ୍ଥ ହୋଇ କାର୍ତ୍ତିକବାବୁଙ୍କ ଭାଇ ଗୋଦାବରୀବାବୁ, ଯିଏ କି ଭବନେଶ୍ୱରରେ ରହନ୍ତି ତାଙ୍କୁ ଫୋନ୍ ଲଗାଇଲି । ଏହି ଘଟଣା ବିଷୟରେ ସେ ଅବଗତ ଅଛନ୍ତି କି ନାହିଁ ପଚାରିଲି । ସେ କହିଲେ; 

-“ ଏଇ ଅଧଘଣ୍ଟା ତଳେ ମୁଁ ଗାଆଁରୁ ଫେରିଛି, କାହିଁ ଏକଥା ତ ମୋ ନଜରକୁ ଆସିନି । ତେବେ ମୁଁ ପୁତୁରାକୁ ଫୋନ୍ କରି ବୁଝୁଛି ।“ 

 ଦୁଇ ମିନିଟ ପରେ ଗୋଦାବରୀବାବୁ ଫୋନ୍ କରି କହିଲେ; 

-“ପୁତୁରା ତ ଦୁଆରେ ବସିଛି, କାହିଁ କେଉଁ ପୁଲିସ ? ଆପଣଙ୍କୁ ଏକଥା କିଏ କହିଲା ?”   

 ଡାକ୍ତର ପଟ୍ଟନାୟକ କହିଛନ୍ତି ବୋଲି କହିବାରୁ ସେ କହିଲେ; 

-“ଏପର୍ଯ୍ୟନ୍ତ ତ ପୁଲିସ ଆସିନି । ତଥାପି ପୁତୁରାକୁ ମୁଁ ସତର୍କ କରାଇ ଦେଇଛି । ତା’ର ଫୋନ୍ ନମ୍ବର ମୁଁ ଆପଣଙ୍କୁ ଦେଉଛି ଆପଣ କଥା ହୋଇଯିବେ ।“

 ଫୋନରେ କାର୍ତ୍ତିକବାବୁଙ୍କ ପୁଅ ସଙ୍ଗେ କଥା ହେଲି । ସେ କହିଲା; 

-“ନାଇଁ ଅଙ୍କଲ ପୁଲିସ କଥା ମିଛ । କିଏ ଜଣେ ଏମିତି ଗୁଜବ ଉଠାଇଛି । ମାଆ ଚାଲିଗଲା ଦିନ ମଧ୍ୟ ସେମିତି ଗୁଜବ ଶୁଣିଥିଲୁ । ଏଇ ପୁଲିସ ଭ୍ୟାନ ଆସିଛି, ତାଙ୍କ ପରିବାରକୁ ବାନ୍ଧି ନେଇଯିବ । ଏମିତି କେତେ କଥା....।“

  ତା’ କଥା ଶୁଣି ଭାବିଲି କଥାରେ ଅଛି “ତୁଣ୍ଡ ବାଇଦ ସହସ୍ର କୋଶ” । କିଛି ପରଶ୍ରୀକାତର ଲୋକ ଅଯଥା ଗୁଜବ ସୃଷ୍ଟି କରି ମଜା ନିଅନ୍ତି ବୋଲି ଜାଣିଥିଲି କିନ୍ତୁ ମଣିଷପଣିଆ ସେମାନଙ୍କ ପାଖରୁ ଯେ ଲୁପ୍ତ ହୋଇଗଲାଣି ଭାବି ବହୁତ ଦୁଃଖ ଲାଗିଲା ।

    ମୋର ବନ୍ଧୁ ଡାକ୍ତର ପଟ୍ଟନାୟକଙ୍କୁ ଫୋନ୍ କରି ଗୁଜବ ବିଷୟରେ ଜଣାଇଲା ପରେ ସେ ଟିକିଏ ଆଶ୍ୱସ୍ତ ହେଲେ । ଭାବୁଥିଲି ଗୋଟିଏ ପରିବାର ମାଆକୁ ହରାଇ ଶୋକସନ୍ତପ୍ତ । ବାପ ଗୁରୁତର ଅବସ୍ଥାରେ ଜୀବନ ସହିତ ସଂଘର୍ଷରତ । ପାହାଡ଼ ପରି ଦୁଃଖ ଲଦି ହୋଇପଡ଼ିଛି ସେମାନଙ୍କ ଉପରେ । ଏହି ପରିସ୍ଥିତିରେ ସମବେଦନା ତ ଦୂରର କଥା, ଗୁଜବକୁ ଅସ୍ତ୍ର କରି ପରିବାରର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକ କେଉଁ ଧାତୁରେ ନିର୍ମିତ ? ସେ କ’ଣ ଦୁଃଖ, ଶୋକ ଓ ମୃତ୍ୟୁ ବିବର୍ଜିତ ?? ଅନ୍ୟର ଦୁର୍ଦ୍ଦିନରେ ସହାୟତା ନକରିପାରିଲ ନାହିଁ, ସମବେଦନା ପରିବର୍ତ୍ତେ କୁତ୍ସାରଟନା ପୃଥିବୀ କେତେଦିନ ସହିବ ! ଏହାର ଉତ୍ତର କିଏ ଦେବ ???



Rate this content
Log in

Similar oriya story from Tragedy