Gyanaranjan Sahoo

Tragedy

4.0  

Gyanaranjan Sahoo

Tragedy

ଭଜି ମାଉସୀ

ଭଜି ମାଉସୀ

10 mins
202



  ଗଣମାଧ୍ୟମରେ ଘନଘନ ଖବର ପ୍ରସାରିତ ହେଉଛି ବାତ୍ୟା “ୟାସ୍” ଆସୁଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ସମୁଦ୍ର ମଧ୍ୟରେ ବର୍ତ୍ତମାନ ପାରାଦୀପ ଠାରୁ ଏକଶହ ଅଠତିରିଶ କିଲୋମିଟର ଦୂରରେ ଅଛି । ସେହି ବାତ୍ୟା ସ୍ଥଳଭାଗ ଆଡ଼କୁ ଘଣ୍ଟାକୁ ପ୍ରାୟ ଚଉଦ କିଲୋମିଟର ବେଗରେ ଗତି କରୁଛି । ଭାରତୀୟ ପାଣିପାଗ ସଂସ୍ଥା ପ୍ରତି ଘଣ୍ଟାରେ ବାତ୍ୟାର ବେଗ, ସ୍ଥଳଭାଗ ଛୁଇଁବାର ସମୟ ଓ କ୍ଷୟକ୍ଷତିର ସମ୍ଭାବନା ବିଷୟରେ ରେଡ଼ିଓ ଓ ଟିଭି ଚ୍ୟାନଲରେ ପ୍ରେସମିଟ କରି ଲୋକମାନଙ୍କୁ ଅବଗତ କରାଇ ଚାଲିଛନ୍ତି । ଓଡ଼ିଶାର ଉପକୂଳ ଅଞ୍ଚଳ ଗୋପାଳପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ପାରାଦୀପରେ ପବନ ପ୍ରାୟ ଚାଳିଶରୁ ପଚାଶ କିଲୋମିଟର ବେଗରେ ବହିବା ସହିତ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହେଲାଣି । ଆସନ୍ତାକାଲି ସକାଳ ନଅଟା ବେଳେ ୟାସ୍ ପ୍ରାୟ ଏକଶହ ପଚାଶରୁ ଏକଶହ ଷାଠିଏ କିଲୋମିଟର ବେଗରେ ଓଡ଼ିଶାର ଧାମରା ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ସ୍ଥଳଭାଗରେ ମାଡ଼ ହେବ ବୋଲି ପୂର୍ବାନୁମାନ ଯୋଗୁଁ ଓଡ଼ିଶା ସରକାର ସତର୍କ ରହିଛନ୍ତି । ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର ପ୍ରଶାସକମାନଙ୍କୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଯୋଗୁଁ ଗତକାଲିଠାରୁ ସମୁଦ୍ର କୂଳବର୍ତ୍ତୀ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଉଛି । ଏହି ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ, ବିଜୁଳି ଖୁଣ୍ଟ ଓ ଟେଲିଫୋନ ଖୁଣ୍ଟ ଭାଙ୍ଗିବା ଓ ଉପୁଡ଼ିଯିବାର ସମ୍ଭାବନା ରହିଛି । ସମୁଦ୍ରର ଉଗ୍ର ରୂପ ଯୋଗୁଁ ଚାରି ମିଟର ଉଚ୍ଚର ଲହଡ଼ି ଆସିବାର ସମ୍ଭାବନା ମଧ୍ୟ ଅଛି । ଯେହେତୁ ଆସନ୍ତାକାଲି ପୂର୍ଣ୍ଣିମା ତିଥି ଅଛି ସମୁଦ୍ରକୁ ବର୍ଷା ପାଣି ନିଷ୍କାସିତ ହୋଇପାରିବ ନାହିଁ । ତେଣୁ ସମୁଦ୍ରକୂଳିଆ ବସ୍ତି ଜଳମଗ୍ନ ହୋଇପାରେ ଓ ତା’ର ପ୍ରଭାବରେ କଚ୍ଚାଘରର କାନ୍ଥ ଭାଙ୍ଗିବା ମଧ୍ୟ ଅସମ୍ଭବ ନୁହେଁ । ଆଜିକାଲି ବିଜ୍ଞାନର ଅଗ୍ରଗତି ଯୋଗୁଁ ବାତ୍ୟାର ବିତ୍ପାତ ବିଷୟରେ ଆଗୁଆ ଖବର ମିଳିଗଲେ ମଧ୍ୟ, ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରିବା ପାଇଁ ସରକାରୀ କଳକୁ ଖୁବ୍ କସରତ କରିବାକୁ ପଡ଼ିଥାଏ । ଅନେକ ଲୋକ ଘରଛାଡ଼ି ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ । କେହି କେହି ଅବାନ୍ତର ଯୁକ୍ତି ମଧ୍ୟ ବାଢ଼ନ୍ତି:

-“ଆମେ କେତେ ବାତ୍ୟା ଦେଖିଛୁ । ବାତ୍ୟା ପରେ ଆମ କଥା ସରକାର ବୁଝେନି । ଅତି ବେଶୀ ହେଲେ ପଲିଥିନ ଖଣ୍ଡେ ଓ ଗମୁରା ଚୁଡ଼ା ଚାଉଳ ଦେଇ କିଏ କୁଆଡ଼େ ପାର ହୋଇଯାଆନ୍ତି । ଆମେ ଆମ କଥା ବୁଝିବୁ । ଗାଈଗୋରୁ ଛେଳିମେଣ୍ଢା ଘରଦ୍ୱାର ଛାଡ଼ି ଯାଇପାରିବୁ ନାହିଁ ।“

 ଏହି ସମୟରେ ଓଡ଼ିଶା ମଧ୍ୟ କରୋନା ମହାମାରୀ ଦ୍ୱାରା ପ୍ରପୀଡ଼ିତ । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷାକରିବା ନିହାତି ଆବଶ୍ୟକ । ଲୋକମାନଙ୍କର ସେଥିପ୍ରତି ମଧ୍ୟ ଭୟ । ବାତ୍ୟା ଆଶ୍ରୟସ୍ଥଳ ଲୋକାରଣ୍ୟ ହେଲାଣି । ଯଦିଓ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି କିନ୍ତୁ ଛଅ ଫୁଟର ସାମାଜିକ ଦୂରତା ଏଠାରେ ରକ୍ଷାକରିବା ଅସମ୍ଭବ ।

  ବାତ୍ୟା ଆଉ ବାର ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ । ବର୍ତ୍ତମାନ ସମୟ ରାତି ନଅଟା, ବର୍ଷା ଓ ପବନ ବଢ଼ିବାରେ ଲାଗିଲାଣି । ବାଲେଶ୍ଵର ଜିଲ୍ଲାର ସମୁଦ୍ରକୂଳିଆ ଅନନ୍ତପୁର ଗାଆଁର ବିଧବା ସ୍ତ୍ରୀଲୋକ ଭଜି ନାୟକ ଘରେ ପୁଲିସ ଓ ପ୍ରଶାସନର ଭିଡ଼ ଲାଗିଛି । ଭଜି ମାଉସୀ ଓ ତା’ର ଝିଅ ରମା ଘର ଛାଡ଼ିବା ପାଇଁ ନଛୋଡ଼ବନ୍ଧା । ତାଙ୍କର ସମ୍ପତ୍ତି ବୋଲି ଚାରିଟି ଛେଳି ଓ ଛଅଟି ମେଣ୍ଢା । ଏ ଗାଆଁରେ ଚୋରିନାରୀ କଥା ତାଙ୍କୁ ଅଜଣା ନାହିଁ । ଦି ମାସ ତଳେ ପାଟଣା ସାହିର ପରିଡ଼ା ଘର ସାନପୁଅ ମଦ ଗଞ୍ଜେଇ ଖାଇବା ପାଇଁ ତାଙ୍କ ଗୁହାଳରୁ ଦୁଇଟା ଛେଳି ହରଣଚାଳ କରିଦେଲା ଯେ ଏପର୍ଯ୍ୟନ୍ତ ସେ ଦୁଃଖ ମନରୁ ଲିଭିନି । ଥାନାରେ ଅଭିଯୋଗ କରିବା ପାଇଁ ସାହସ ହେଲାନି । ଘରେ ଜୁଆନ୍ ଝିଅ, ଆଜିକାଲି ବେଳକାଳ ଠିକ୍ ନାହିଁ । ଗାଆଁର ମୁଖିଆ ମୁଖିଆ ଲୋକଙ୍କୁ ନେହୁରା ହୋଇ କିଛି ଲାଭ ହେଲା ନାହିଁ । ଓ୍ୱାର୍ଡ ମେମ୍ବର, ସରପଞ୍ଚ ଯାହାକୁ କହିଲେ କେହି କିଛି ବୁଝିଲେନି, ସମସ୍ତେ କହିଲେ ପ୍ରମାଣ କାହିଁ ? ଭଗବାନଙ୍କ ଛଡ଼ା ସାହା ଭରସା ବୋଲି ତାଙ୍କର କେହି ନାହାନ୍ତି । ସେଇ ଗୃହପାଳିତ ପଶୁମାନଙ୍କୁ ଛାଡ଼ି ଅନ୍ୟତ୍ର ଯିବାପାଇଁ ସେ ଦୁହେଁ ନାରାଜ । ସରକାର ‘ଜିରୋ କାଜୁଆଲିଟି’ ପାଇଁ ନାରା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ତେଣୁ ଲାଗିପଡିଛନ୍ତି ସ୍ଥାନାନ୍ତରଣ କାମରେ ।

  ଭଜି ମାଉସୀର ଘର ମାଟିକାନ୍ଥ ଓ ଚାଳଛପରରେ ତିଆରି । ପ୍ରତି ବନ୍ୟା ବାତ୍ୟା ପରେ ନିଜ ହାତରେ ଘର ସଜାଡ଼ିଛି । ସରକାରଙ୍କଠାରୁ ଯାହା ମିଳେ ସମୁଦ୍ରକୁ ଶଙ୍ଖେ । ଗଲାଥର ବନ୍ୟାରେ ଘରଭଙ୍ଗା ସାହାଯ୍ୟ ପାଇଁ ଦୌଡ଼ି ଦୌଡ଼ି ଗାଆଁ ଟାଉଟର କୁଜିନେତାଙ୍କୁ ବହୁତ ନେହୁରା ହୋଇଛି, ହେଲେ ତା’ କଥା କେହି ଶୁଣିଲେ ନାହିଁ । ପେଟପାଟଣା ପାଇଁ ନିତି ଦି ପଇସା ରୋଜଗାର ନକଲେ ଅସୁବିଧା କହିଲେ ନ ସରେ । କେତେ ବା ଦଉଡ଼ିବ କାହା ପାଖକୁ । ସରକାରୀ ସାହାଯ୍ୟ ତା’ଭଳି ଲୋକଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟ ଭାବି ନିଜେ ଅଣ୍ଟା ଭିଡ଼ି ଆଜି ପର୍ଯ୍ୟନ୍ତ ଘରର ଗୁଜୁରାଣ ମେଣ୍ଟାଇ ଆସୁଛି । ଭଜି ମାଉସୀର ବୟସ ଭୋଟର କାର୍ଡ଼ରେ ପଚାଶ ଛୁଇଁବ କିନ୍ତୁ ସତୁରୀ ଅଶୀ ବର୍ଷର ବୁଢ଼ୀ ଭଳି ଲାଗେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦେହଟା ତା’ର ରୋଗୀଣା ହେଇଗଲାଣି । ପରିବାର ବୋଲି ଗୋଟିଏ ଷୋହଳ ବର୍ଷର ଝିଅ । କଥାରେ ଅଛି ‘ଝିଅ ଘିଅ’ । ତା’ର ସେଇ ଗୋଟିଏ ଚିନ୍ତା ଆଉ ଦୁଇ ଚାରି ବର୍ଷ ବଞ୍ଚିଗଲେ, ଝିଅଟାକୁ ହାତକୁ ଦିହାତ କରିଦେଲେ ଗଲା । ତା’ର ତ ନିଆଁଲଗା ସଂସାର । ପୁରୁଣା କଥା ମନେ ପଡ଼ିଲେ ଆଖିରୁ ଗଙ୍ଗା ଯମୁନା ଥମେନି କି ପାଟିକୁ ଭାତ ରୁଚେନି । ରମା ଜନ୍ମ ହେବାର ବର୍ଷକ ପରେ ଆଜକୁ ପନ୍ଦର ବର୍ଷ ତଳେ ଗେରସ୍ତ ଦାଦନ ଖଟିବାକୁ କେରଳ ଯାଇଥିଲା ଯେ ଆଉ ଫେରିଲା ନାହିଁ । ବାପ ସାଙ୍ଗରେ ରମା କେତେ ଅବା ସମୟ କଟାଇଛି, ବାପର ମୁହଁ ତା’ର ମନେପଡୁନି । ଗେରସ୍ତର ଅସମୟ ମୃତ୍ୟୁ କେବଳ ଯେ ଭଜି ମାଉସୀର ଶଙ୍ଖାସିନ୍ଦୂର ଛଡ଼ାଇ ନେଲା ସେଇଆ ନୁହେଁ। ଘଟଣାଟି ତା’ର ଅଣ୍ଟା ଭାଙ୍ଗିଦେଲା । ଗ୍ରାମ ଦେବତା ଚନ୍ଦ୍ରଶେଖର ମହାଦେବଙ୍କ ପାଖରେ ବହୁ ପୂଜାପାଠ ମାନସିକ କରି ପୁଅଟିଏ ବି ପାଇଥିଲା । ସେ ପୁଅ ଯଦି ବଞ୍ଚିଥାନ୍ତା ତାକୁ ଏବେ ତିରିଶ ବର୍ଷ ହୋଇଥାଆନ୍ତା । ଭଜି ମାଉସୀ ସୁନାନାଖି ବୋହୂଟିଏ କରି ନାତି ନାତୁଣୀ ଦେଖି କେତେ ଆନନ୍ଦ ହୋଇନଥାନ୍ତା ସତେ। ପୋଡ଼ା କପାଳ ତା’ର, ଦଇବ ସାହା ହେଲାନି । ମନେ ପଡ଼ିଲେ ଛାତି ଫାଟିଯାଉଛି । ସମୁଦ୍ରକୁ ବାପ ପୁଅ ଦୁହେଁ ମାଛ ଧରିବାକୁ ଯାଇଥିଲେ, ଏକ ଅଜଣା ବାତ୍ୟା ସମୟରେ ଡଙ୍ଗା ଓଲଟିପଡ଼ିଥିଲା । ବହୁ କଷ୍ଟରେ ବାପ ସିନା ବଞ୍ଚିଗଲା କିନ୍ତୁ ପୁଅକୁ ବଞ୍ଚାଇପାରିଲା ନାହିଁ, ଆଖି ଆଗରେ ପୁଅ ତା’ର ଉତ୍ତାଳ ତରଙ୍ଗରେ ବୁଡ଼ି ମରିଗଲା । ଏହାଥିଲା ୧୯୯୯ ମସିହା ମହାବାତ୍ୟା ପୂର୍ବ ଆଠବର୍ଷ ତଳର ଘଟଣା । ସେହି ଦିନଠାରୁ ମାଛଧରିବାର କୌଳିକ ବୃତ୍ତିକୁ ଛାଡ଼ି ଦେଇଥିଲା ବାପ ।

   ଭଜି ମାଉସୀ ସତେ ଯେମିତି ସମୁଦ୍ରର ବେଳାଭୂମି ପାଲଟିଛି । ନିଜ ଜୀବନ କାଳରେ ଯେତିକି ଭୌତିକ ବାତ୍ୟାର ସମ୍ମୁଖୀନ ହୋଇଛି ତାଠାରୁ ଢେର ଅଧିକ ମାନସିକ ବାତ୍ୟାର ଉତ୍ପୀଡ଼ନକୁ ସହ୍ୟ କରିଛି ଛାତିକୁ ପଥର କରି । ପ୍ରତି ବାତ୍ୟାପରେ ସେ ମୁଣ୍ଡ ଟେକି ଛିଡ଼ା ହୋଇଛି କେବଳ ସେଇ ଅଲିଅଳି ଝିଅ ରମା ମୁହଁକୁ ଚାହିଁ । ସେ ଯଦି କୋଳକୁ ଆସିନଥାନ୍ତା, ତା’ର ଅସ୍ତିତ୍ୱର କଙ୍କାଳ କେବେ ଠାରୁ ଉଡ଼ିଯାଇଥାନ୍ତା ଯୋଜନ ଯୋଜନ ଦୂରକୁ କେଉଁ ଏକ ବେନାମୀ ବିଗତ ବାତ୍ୟାରେ ନିଜ ଅଜାଣତରେ । ସଂସାର ହାଟରେ ଚାଲି ଚାଲି ଆଖପାଖ ଗାଆଁରେ ମାଛ ଶୁଖୁଆ ବିକି ଗୁଜୁରାଣ ମେଣ୍ଟାଇବାକୁ ଅନବରତ ଚେଷ୍ଟା ଚଳାଇଛି । ଛେଳି ମେଣ୍ଢା ମଧ୍ୟ ପାଳିଛି । ଜୀବନ ଯୁଦ୍ଧରେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେଲେ ମଧ୍ୟ ସେ ହାରିଯାଇନି । ସିଏ ସିନା ଖଡ଼ି ଛୁଇଁନି କିନ୍ତୁ ଆଜିକାଲି ପାଠ ନପଢ଼ିଥିବା ଲୋକ ଅନ୍ଧ, ଏକଥା ତାକୁ ଅଜଣା ନାହିଁ । ତା’ର ଝିଅକୁ ସେ ପାଠପଢ଼ାଇବା ପାଇଁ ଆଦୌ ଅବହେଳା କରିନି । ଯେଉଁଦିନ ରମା ଗାଆଁ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ କଲା, ସେଇଦିନ ତା’ର ମଳିନ ମୁଖରେ ହସର ଜୁଆର ଖୁବ୍ ଖେଳିଥିଲା । ଦୁଇ କିଲୋମିଟର ଦୂରରେ ଥିବା ହାଇସ୍କୁଲରେ ପାଠପଢ଼ିବା ପାଇଁ ରମାକୁ ପଠାଇଥିଲା । ଦୁଃଖର କଥା ରମା ଗଲା ବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଗଲା । ଭଜି ମାଉସୀକୁ ପୁଣି ଏକ ଧକ୍କା ଲାଗିଥିଲା । ଝିଅକୁ ବୁଝାଇଥିଲା ପୁଣି ପରୀକ୍ଷା ଦେବାପାଇଁ । ଏ ବର୍ଷ ପରୀକ୍ଷା ଦେବ ରମା କିନ୍ତୁ କରୋନା ଯୋଗୁଁ ସବୁକିଛି ରହିଯାଇଛି ଅନିଶ୍ଚିତତା ଭିତରେ । ଝିଅ ମାଟ୍ରିକ ପାଶ୍ କଲେ ଆସନ୍ତା ବର୍ଷକୁ ଯୋଗ୍ୟ ବର ଦେଖି ଛନ୍ଦିଦେଲେ ତା’ର ଚିନ୍ତା ଯିବ । ସେଥିପାଇଁ ଛେଳି ମେଣ୍ଢା ପାଳିଛି । ସେମାନଙ୍କୁ ବିକ୍ରି କରି ଝିଅର ବାହାଘର ବୋଝ ଉଠେଇଦେବାର ଆଶା ରଖିଛି । ଭଗବାନଙ୍କୁ ନିତି ଗାଳିଦେଲେ ମଧ୍ୟ ପୁଣି ତାଙ୍କୁ ଗୁହାରୀ କରେ, “ପ୍ରଭୁ ଝିଅର ବାହାଘରଟା ଶେଷହେଲା ଯାଏଁ ମୋ ହାତ ପାଦ ଚାଲିଥାଉ । ଏତିକି ଦୟା ରଖିଥା”। ସରକାରୀ ବାବୁମାନଙ୍କୁ ଏମିତି ତା’ର ଦୁଃଖ କଥା କହି ଘର ଛାଡ଼ି ଯିବାକୁ ମନାକରିଚାଲିଛି । ସନ୍ଧ୍ୟା ଛଅଟାରୁ ଆସି ରାତି ନଅଟା ବାଜିଲାଣି, ତା’ର ଗୋଟିଏ କଥା ସେ ଯିବନି । ଦୁଃଖିନୀ ପ୍ରତି ସମବେଦନା ଥିଲେ ବି ବାବୁମାନେ କରିବେ କଣ ? ତାଙ୍କର ଆଉ ଏମିତି ଅନେକ ଅମାନିଆଙ୍କୁ ଯେମିତି ହେଲେ ସ୍ଥାନାନ୍ତରଣ କରିବାର ଅଛି । ସରକାରଙ୍କ ଆଦେଶ ମାନିବାକୁ ବାଧ୍ୟ, କିଛି ଗୋଟେ ଅଘଟଣ ଘଟିଗଲେ ଚାକିରି ପ୍ରତି ବିପଦ ଅଛି । ବାବୁମାନେ ଭଜି ମାଉସୀକୁ ବୁଝେଇ ବୁଝେଇ ଥକିଯିବାରୁ ବାଧ୍ୟହୋଇ ପୁଲିସକୁ ଡାକିଲେ । ପୁଲିସ ଆସି ଧମକ ଚମକ ଦେଖାଇ ଜୋରଜବରଦସ୍ତ ମାଆ ଓ ଝିଅକୁ ଭ୍ୟାନରେ ବସେଇ ନିକଟସ୍ଥ ବାତ୍ୟାଶ୍ରୟସ୍ଥଳକୁ ନେଇଗଲା । ଆଶ୍ରୟସ୍ଥଳରେ ଲୋକ ଭରପୂର, ସମସ୍ତେ ଘରଛାଡ଼ି ଏଇଠି ଆଶ୍ରୟ ନେଇଛନ୍ତି । ଗୋଟାଏ କୋଣରେ ଗୁଞ୍ଜିହୋଇ ମାଆଝିଅ ରହିଲେ । ଭଜି ମାଉସୀ ଆଖିରୁ ଧାରାଶ୍ରାବଣ ବହିଚାଲିଛି, ପୋଛି ପୋଛି ପଣତକାନି ଭିଜିଗଲାଣି । ଛେଳିମେଣ୍ଢାଙ୍କୁ ଖାଇବାକୁ ଦେଇ ତାଟିକବାଟ ପକାଇ ଆସିଛି । ତଥାପି ତା’ର ମନ ବୁଝୁନି । ଠାକୁରଙ୍କୁ ଡାକୁଥାଏ “ ହେ ମହାପୁରୁ ! ଆଜି ରାତିଟା ଭଲରେ ଭଲରେ କଟିଯାଉ । ବାତ୍ୟା ତ କାଲି ସକାଳେ ଆସିବ, ତେଣିକି ତୋ ଇଛା !” ପବନ ଜୋରରେ ବହିବାରୁ ବିଜୁଳି ନାହିଁ । ସରକାରଙ୍କ ତରଫରୁ ବିକଳ୍ପ ବ୍ୟବସ୍ଥା ହେତୁ ଲାଇଟ୍ ଜଳୁଛି । ଏଇ ଭିତରେ ଭଜି ମାଉସୀକୁ ଟିକେ ନିଦ ଆସିଯାଇଛି । ମଶାଙ୍କର ପ୍ରାଦୁର୍ଭାବ ମଧ୍ୟ ମଝିରେ ମଝିରେ ନିଦ ଭାଙ୍ଗିଦେଉଛି । ପୁଣି ଶୋଇବାକୁ ଚେଷ୍ଟା କରୁଛି । ଏଇ ଭିତରେ ଥରେ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲାବେଳେ ଦେଖିଲା, ରମା ପାଖରେ ନାହିଁ । ମନେମନେ ଭାବିଲା ପରିସ୍ରାଗାରକୁ ଯାଇଥିବ କିଛି ସମୟପରେ ଆସିଯବ । ଅପେକ୍ଷା କରିଥାଏ ଭଜି ମାଉସୀ, ଦଶ ପନ୍ଦର ମିନିଟ ହେଲାଣି, ତାକୁ ଛାଇନିଦ ଆସିଯାଉଥାଏ ଦେଖିଲା ଏପର୍ଯ୍ୟନ୍ତ ଝିଅ ଫେରିଲା ନାହିଁ । ଅନ୍ୟ ସମସ୍ତେ ଶୋଇପଡ଼ିଛନ୍ତି । ପରିସ୍ରାଗାର ଓ ପାଇଖାନାକୁ ଯାଇ ଦେଖିଲା ସେଠାରେ କେହି ନାହାନ୍ତି । ରମା ଗଲା କୁଆଡ଼େ ? ମନରେ ବିଭିନ୍ନ କଥା ଉଙ୍କି ମାରୁଥାଏ !   

        ଅନନ୍ତପୁର ଗାଆଁର ଏକ ବାଳୁଙ୍ଗା ଟୋକା ‘ମନୁଆ’, ପାଠସାଠ ତ କିଛି ହେଲାନି ମାଟ୍ରିକ ଫେଲ୍ ହୋଇ ବୁଲୁଛି । ବାପର ଦଶମାଣ ଜମି ଅଛି । ସବୁଦିନ ବାପ ସାଙ୍ଗରେ କଳି, ଜମି ବାଡ଼ି କାମ ଧନ୍ଦାରେ ତା’ର ମନ ନାହିଁ । ମଝିରେ ମଝିରେ କିଛି ନା କିଛି ଆଳ ଦେଖାଇ ରମାପାଖକୁ ଆସୁଥିବାର ଭଜି ମାଉସୀ କେତେଥର ଦେଖିଛି । ରମାକୁ ପଚାରିଲେ ସେ କଥାଟାକୁ ବୁଲାଇ ଦେଇ କେତେବେଳେ ବହିଖାତା ଦେବା ନାଆଁରେ, କେତେବେଳେ ମୋବାଇଲ ରିଚାର୍ଜ କିମ୍ବା ମୋବାଇଲ ସଜାଡ଼ିବା ପାଇଁ ଆସିଛି କହି ଘରକାମରେ ଲାଗିପଡେ । ଏକଥାଟା ଭଜି ମାଉସୀର ମନେପଡିବାରୁ ବିଭିନ୍ନ ସନ୍ଦେହ ମନ ଭିତରକୁ ପଶି ଆସୁଥାଏ । ଅସ୍ତବ୍ୟସ୍ତ ହୋଇ ବାହାରକୁ ବାହାରିଲା ଝିଅକୁ ଖୋଜିବା ପାଇଁ । ବାହାରେ ବର୍ଷା ପବନ ଜୋରରେ ଚାଲିଛି । ଦେଖିଲା ମନୁଆ ଓ ରମା ବାରଣ୍ଡାର ଗୋଟିଏ ସାମାନ୍ୟ ଅନ୍ଧାରିଆ କୋଣରେ ବସି ଗପ କରୁଛନ୍ତି । ମନୁଆ ରମା ହାତ ଧରି ବସିଛି । ଦୁହେଁ ମିଶି ହେଁ ହେଁ ଫେଁ ଫେଁ ହୋଇ ହସୁଛନ୍ତି । ଥଟ୍ଟା ମଜାରେ ଏମିତି ମାତିଯାଇଛନ୍ତି ଯେ କେହି ଜଣେ ତାଙ୍କ ପାଖକୁ ଆସୁଛି ବୋଲି ଜାଣିପାରିଲେ ନାହିଁ । ଭଜି ମାଉସୀ ପୁରୁଣାକାଳିଆ ରକ୍ଷଣଶୀଳ ମନୋଭାବର ଲୋକ । ଏ ଦୃଶ୍ୟ ଦେଖି ସେ କି ସମ୍ଭାଳିପାରେ ? ରାଗରେ ନାଲିପଡ଼ିଗଲା । ଆରମ୍ଭ କରିଦେଲା ଗାଳି ବର୍ଷା ଯୋଗନିଖିଆ, ଅଳପେଇଷା, ବାଡ଼ିପଷା ଏମିତି କେତେ କଣ ? ରମା ତା’ର ମାଆକୁ ବୁଝାଇବାକୁ ଚେଷ୍ଟାକରୁଥାଏ । ତା’ କଥାକୁ ବା କିଏ ଶୁଣେ ! ମନୁଆ ସେଇ ଝଡ଼ତୋଫାନ ରାତିରେ ଗାଳିରୁ ରକ୍ଷାପାଇବା ପାଇଁ ଦଉଡ଼ି ଦଉଡ଼ି କୁଆଡ଼େ ଅଦୃଶ୍ୟ ହୋଇଗଲା । ଭଜି ମାଉସୀ ରାଗ ତମ ତମ ହୋଇ ରମାକୁ ଭିଡ଼ି ଭିଡ଼ି ଘର ଭିତର ଶୋଇବାସ୍ଥାନକୁ ନେଇ ତାକୁ କଚାଡ଼ିଦେଇ କହିଲା;  “ ମର୍ ଅଲକ୍ଷଣି ମର୍, ଏଇଥିପାଇଁ ତୋତେ ଜନମ ଦେଇଥିଲି ? ପୁଅ, ଗେରସ୍ତ ମଝି ନଈରେ ଛାଡ଼ି ଚାଲିଗଲେ, କେତେ କଥା କେତେ କଷ୍ଟ ନ ସମ୍ଭାଳିଛି ! ତୋରି ମୁହଁକୁ ଚାହିଁ ବଞ୍ଚିଥିଲି, କଣ ମୋ ମୁହଁରେ ଚୂନକାଳି ବୋଳିବୁ ବୋଲି ? ରହ କାଲି ଏଠାରୁ ଗଲେ ତୋତେ ଦେଖୁଛି !” ବଡ଼ ପାଟି କଲେ ସମସ୍ତେ ଉଠିପଡ଼ିବେ, ଝିଅ ବଦନାମ ହୋଇଯିବ ଏଇ ଭୟରେ ବେଶି କିଛି କହି ନପାରି ରାଗରେ ଗର୍ ଗର୍ ହେଉଥାଏ । ଆଉ ବା ତାକୁ କଣ ନିଦ ଆସିବ, ସେମିତି ବସି ରହିଲା । ରମା ଆଖିରୁ ଲୁହ ଝରାଇ ଝରାଇ କେତେବେଳେ ଶୋଇପଡ଼ିଛି ନିଜେ ବି ଜାଣିନି । ରାତି ପାହି ସକାଳ ହେଲା, ରମା ଦେଖିଲା ତା’ ମାଆ ସେମିତି ବସିଛି । ଦୁହେଁ ଦୁହିଁଙ୍କୁ କିଛି ନକହି ନିତ୍ୟକର୍ମ ପାଇଁ ଲାଇନ ଲଗାଇ କାମ ସାରିଲା ବେଳକୁ ବିସ୍କୁଟ ଚୁଡ଼ା ବଣ୍ଟା ହେଲାଣି । ପୁଣି ଧାଡ଼ି ଲଗା ବିସ୍କୁଟ ଚୁଡ଼ା ପାଇଁ । ଆଣିବାକୁ ପଡ଼ିବ ନଚେତ୍ ଖାଇବେ କଣ ? ଯାହା ଯେମିତି ଆଣି ଖାଇସାରିଲାବେଳକୁ ସକାଳ ଆଠଟା ହେଲାଣି । ବାହାରେ ବର୍ଷା ପବନର ଉତ୍ପାତ ଚାଲିଛି । ଆଉ ଘଣ୍ଟାକ ପରେ ବାତ୍ୟା ତାଙ୍କ ଗାଆଁରେ ତାଣ୍ଡବ ରଚିବ । ସମସ୍ତେ ଏକ ଅଜଣା ଡରରେ ଗ୍ରାମଦେବତାଙ୍କ ନାମ ଧରି ରକ୍ଷା କରିବା ପାଇଁ ମଝିରେ ମଝିରେ ଯୋଡ଼ ହସ୍ତରେ ପ୍ରାର୍ଥନା କରୁଥାନ୍ତି । ବାତ୍ୟା ଏବେ ସ୍ଥଳ ଭାଗ ଛୁଇଁଲା । ସୌଭାଗ୍ୟବଶତଃ ବାତ୍ୟାର ବେଗ ଏକଶହ କୋଡ଼ିଏରୁ ଏକଶହ ତିରିଶ କିଲୋମିଟର ଭିତରେ ରହିଲା । ବର୍ଷା ଅନବରତ ଗତକାଲିଠାରୁ ଚାଲିଛି । ପବନର ସୁ ସୁ ଗର୍ଜନ ସାଙ୍ଗକୁ ଆଖପାଖରେ ଗଛ ଉପୁଡ଼ିପଡୁଥିବାର ଶଦ୍ଦ ମଝିରେ ମଝିରେ ଶୁଣାଯାଉଛି । ସମସ୍ତେ କାକୁସ୍ଥ ହୋଇ ଚାହିଁ ବସିଛନ୍ତି କେତେବେଳେ ଏ ବାତ୍ୟାର ପ୍ରକୋପ ବନ୍ଦ ହେବ, କେହି କେହି ବର୍ଷା ପବନର ବେଗକୁ ଦେଖିବାପାଇଁ ବାହାରକୁ ଯିବାକୁ ଚେଷ୍ଟାକଲେ ଅନ୍ୟମାନଙ୍କ ଗାଳିର ଶରବ୍ୟ ହେଉଛନ୍ତି । ପବନର ବେଗ କମିବାକୁ ଲାଗିଲା ବେଳକୁ ଦିନ ବାରଟା ବାଜିଲାଣି । ବର୍ଷା ମଧ୍ୟ କମିଯାଇଛି । ବାରଣ ସତ୍ତ୍ୱେ କିଛି ଯୁବକ ଆଶ୍ରୟସ୍ଥଳରୁ ମେନ୍ ରୋଡ଼କୁ ଯାଇ ଅବସ୍ଥା ନିରୀକ୍ଷଣ କରିବାପାଇଁ ବାହାରିପଡ଼ିଲେ । ଦେଖିଲେ ଓଡ୍ରାଫ ଟିମ୍ ରାସ୍ତାରେ ପଡ଼ିଥିବା ଗଛକୁ କାଟି ଓ ପଡ଼ିଯାଇଥିବା ବିଜୁଳିଖୁଣ୍ଟକୁ ରୋଡ଼ ଉପରୁ କଡ଼କୁ ନେଇ ରାସ୍ତା ସଫାକରିବାରେ ଲାଗିଛନ୍ତି । ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହକରି ପରିସ୍ଥିତିକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । କିଛି ସ୍ଥାନୀୟ ଯୁବକ ରାସ୍ତାଘାଟ ସଫାକରିବାରେ ସାହାଯ୍ୟ କରୁଛନ୍ତି । ଧିରେ ଧିରେ ଲୋକମାନେ ଆଶ୍ରୟସ୍ଥଳ ଛାଡ଼ି ନିଜ ଘର ଠିକ୍ ଠାକ୍ ଅଛି କି ନାହିଁ ଦେଖିବାକୁ ଦଉଡ଼ିବା ଆରମ୍ଭ କରିଦେଲେଣି । ଗାଆଁ ଭିତରେ ଆଣ୍ଠୁଏ ପାଣି ଜମିରହିଛି । ଘର ଭିତରେ ଜିନିଷ ସବୁ ପହଁରୁଛନ୍ତି । ବହୁତ କ୍ଷୟ କ୍ଷତି ହୋଇଯାଇଛି ଲୋକମାନଙ୍କର । ଗଛ ପଡ଼ି କାହା ଘର ଭାଙ୍ଗିଯାଇଛି ତ କାହାର ଛପର ଉଡ଼ିଯାଇଛି । ଭଜି ମାଉସୀ ଓ ରମା ଘରକୁ ଯିବାପାଇଁ ଚାଲିବାକୁ ଆରମ୍ଭ କଲେ । କାଲିରାତିର ଘଟଣା ଯୋଗୁଁ କେହି କାହା ମୁହଁକୁ ନଚାହିଁ ଚୁପଚାପ ଚାଲିଥାନ୍ତି । ସମୟ ଗୋଟାଏ ବାଜିଲାଣି । ବାତ୍ୟା ଚାଲିଯାଇଛି, ପଛରେ ଛାଡ଼ିଯାଇଛି ତା’ର ଧ୍ୱସ୍ତ ବିଧ୍ୱସ୍ତ ରୂପର ଚିହ୍ନ । ଭଜି ମାଉସୀ ରାସ୍ତା ଉପରୁ ଦେଖିଲା ନିଜ ଘରର ପଛପଟ କାନ୍ଥ ଭାଙ୍ଗିଯାଇ ପାଣିରେ ପଡ଼ିଛି ଓ ଚାଳଛପରଟା ମଧ୍ୟ ନଇଁ ଆସି ପାଣିରେ ପଡ଼ିଯାଇଛି । “ରମା ! ରମା !” ବୋଲି ରଡ଼ିକରି କାନ୍ଦି କାନ୍ଦି ମୁଣ୍ଡରେ ହାତଦେଇ ଧୁମ୍ କରି ରାସ୍ତା ଉପରେ ପଡ଼ିଗଲା । ସତେ ଯେମିତି ତା’ର ପାଦତଳୁ ଭୂଇଁ ଚାଲିଗଲା । ରମା ମାଆକୁ ସମ୍ଭାଳୁ ସମ୍ଭାଳୁ କଇଁ କଇଁ ହୋଇ କାନ୍ଦୁଥାଏ । କିଛି ସମୟ ପରେ ଭଜି ମାଉସୀ ସାହସ ବାନ୍ଧି ଛେଳିମେଣ୍ଢାଙ୍କୁ ଦେଖିବାପାଇଁ ପାଣି ଭିତରେ ପଶି ପାଗଳପରି ଧାଇଁଲା । ପଛେ ପଛେ ରମା ଧାଇଁଥାଏ । ଯାହା ଦେଖିଲେ, ଆଖିକୁ ବିଶ୍ୱାସ କରିପାରୁନଥାନ୍ତି ଦୁହେଁ । ତାଙ୍କ ସଂସାର ଭାସିଯାଇଛି । ଦୁହେଁ ଛାତି ବାଡେଇ ଗଳା ଫଟାଇ କାନ୍ଦି ଚାଲିଛନ୍ତି । ଛେଳିମେଣ୍ଢାମାନଙ୍କ ଉପରେ କାନ୍ଥ ପଡ଼ିଯାଇଛି । ଗୋଟିଏ ଛେଳି ଛୁଆ ଭଙ୍ଗାକାନ୍ଥ ଉପରେ ଠିଆ ହୋଇ ମେଁ ମେଁ ଡାକ ଦେଇ ତା’ର ମାଆକୁ ଖୋଜୁଛି । ରମା ଓ ଭଜି ମାଉସୀକୁ ଦେଖି ଛେଳିଛୁଆଟି ତାଙ୍କ ପାଖକୁ ଆସିବାକୁ ଚେଷ୍ଟାକରୁଛି କିନ୍ତୁ ଅନ୍ୟସବୁ ଛେଳିମେଣ୍ଢା ଦେଖାଯାଉନାହାନ୍ତି । ଆଣ୍ଠୁଏ ପାଣି ଭିତରେ କାନ୍ଥ ମାଡ଼ିବସିବାରୁ ସେମାନେ ସବୁ ମରିଯାଇଛନ୍ତି । ଭଜି ମାଉସୀ ସେମାନଙ୍କର ମୃତ ଦେହ ଅଣ୍ଡାଳିବାକୁ ଆରମ୍ଭ କରିଦେଇଛି । ପାଗଳୀ ପ୍ରାୟ ବଡ଼ବଡ଼ ହୋଇ ଏଠି ସେଠି ଗୋଡ଼ ଖସି ବାଡେଇ ହୋଇ ମଧ୍ୟ ଛେଳିମେଣ୍ଢାଙ୍କର ନାଆଁ ଧରି ଡାକି ଚାଲିଛି । ମଝିରେ ମଝିରେ କହୁଛି; “ସରିଗଲା ! ସବୁ ସରିଗଲା ! ମୋ ଝିଅ ବାହା ହେବ କେମିତି ?” ଏମିତି କେତେ କଥା ଅସ୍ପଷ୍ଟ ସ୍ୱରରେ ବାୟୁମଣ୍ଡଳରେ ମିଳେଇଯାଉଥାଏ । ରମା ବଞ୍ଚିଯାଇଥିବା ଛୋଟ ଛେଳିଛୁଆଟିକୁ କାନ୍ଧରେ ପକାଇ ମାଆକୁ ଠେଲିପେଲି ପାଣି ଭିଡରୁ ରାଜରାସ୍ତା ଉପରକୁ ଆଣିବାପାଇଁ ଚେଷ୍ଟା କରୁଛି । ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ ପ୍ରଶାସନର ନାଲି ବା ହଳଦିଆବତୀ ଲଗା ଗାଡ଼ି ରାସ୍ତାରେ ଚଳପ୍ରଚଳ ହେଲାଣି । ସମସ୍ତଙ୍କ ଘର ଭିତରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି । ପ୍ରଶାସନ ଲୋକଙ୍କ ଥଇଥାନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି । ଲୋକମାନେ ଘୋ ଘୋ ହୋଇ ପ୍ରଶାସନ ଗାଡ଼ିକୁ ଘେରି ନିଜ ଦୁଃଖ କହିଚାଲିଛନ୍ତି । ଭଜି ମାଉସୀ ରାଜରାସ୍ତା କଡ଼ରେ ଶୋଇପଡ଼ିଛି । ରମା ମାଆର ମୁଣ୍ଡକୁ କୋଳରେ ଧରି ବସିଛି । ଛେଳିଛୁଆଟି ମେଁ ମେଁ ରଡ଼ିକରୁଛି । ସେଇ ବାଟ ଦେଇ ବହୁତ ଲୋକ ଯିବାଆସିବା କଲେ ମଧ୍ୟ କାହାର ତାଙ୍କ ପ୍ରତି ନଜର ନାହିଁ । ବାତ୍ୟା ସିନା ଚାଲିଯାଇଛି କିନ୍ତୁ ଭଜି ମାଉସୀ ଓ ରମା ଭିତରେ ଯେଉଁ ନିରବଚ୍ଛିନ୍ନ ବାତ୍ୟା ବହିଚାଲିଛି ତାହା ଥମିବ କିପରି ?

   



Rate this content
Log in

Similar oriya story from Tragedy