Gyanaranjan Sahoo

Tragedy Inspirational

4.1  

Gyanaranjan Sahoo

Tragedy Inspirational

ଅବସନ୍ନ ଦୁର୍ଯ୍ୟୋଧନ

ଅବସନ୍ନ ଦୁର୍ଯ୍ୟୋଧନ

12 mins
187


 

   ମଉସା କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବାର ଖବର ଶୁଣି ବିଜୁ କଟକରୁ ଧାଇଁଯାଇଥିଲା ତାଙ୍କୁ ଦେଖିବା ପାଇଁ । ପହଞ୍ଚିଲାପରେ ଜାଣିଲା, ତିନିଦିନ ହେଲାଣି କିଛି ଖାଉନାହାନ୍ତି ମଉସା । ଭେଷଜ ବିଭାଗରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି । ମଉସାଙ୍କର ଟି.ବି. ବେମାରୀ ବାହାରିଛି । ଡାକ୍ତରବାବୁଙ୍କ ସହିତ ତାଙ୍କ ପୁଅମାନଙ୍କର ବିଚାର ବିମର୍ଷ ଚାଲିଛି ବାପାଙ୍କ ଖଟିଆ କଡ଼ରେ । ଡାକ୍ତରବାବୁଙ୍କୁ ଘେରି ରହିଛନ୍ତି ଦୁଇ ପୁଅ ଓ ନାତି । ବଡ଼ପୁଅ କହ୍ନେଇବାବୁ ଭୂବନେଶ୍ୱରଠାରୁ ଷାଠିଏ କିଲୋମିଟର ଦୂରରେ ତହସିଲ ଅଫିସରେ ବଡ଼ବାବୁ । ସେ ଡାକ୍ତରଙ୍କୁ ପଚାରିଲେ; “ସାର୍, ରକ୍ତ ପରୀକ୍ଷା ରିପୋର୍ଟ ତ ଆସିଯାଇଛି, ସେଥିରୁ କଣ ଜଣାପଡ଼ିଲା ? ବାପା ଭଲ ହୋଇଯିବେ ତ ? ଏଠାରେ ଆଉ କେତେଦିନ ରହିବେ ? ଦୁଇଦିନ ହେଲା ବର୍ଷା କାଦୁଅରେ ପଡ଼ି ରହିଛୁ ସାର୍ । ଆଜି ଘଣ୍ଟାଏ ପୂର୍ବରୁ ଏହି ଖଟିଆଟି ମିଳିଛି । ତିନିଦିନ ହେଲାଣି ଅଫିସ ଯାଇପାରିନି । ଛୁଟି କଣ ମିଳୁଛି ! ଔଷଧ ଦେଇ ଯଦି ଛାଡ଼ିଦେବେ ତେବେ ଆମେ ତାଙ୍କୁ ଘରକୁ ନେଇଯିବୁ” । ମଉସାଙ୍କୁ ଜ୍ୱର ଲାଗିରହିଛି । ପାଖରେ ବସିଥିବା ବଡ଼ପୁଅର ପୁଅ ମଉସାଙ୍କ ବଡ଼ନାତି ବିଜୁକୁ କହିଲା, “ଜେଜେ ଗାଆଁରେ ପାଞ୍ଚଦିନ ହେଲା ନଖାଇ ନପିଇ ବାପାଙ୍କ ଉପରେ ଅଭିମାନକରି ପଡ଼ିରହିବାରୁ ତାଙ୍କର ଏ ଦଶା । ନିସ୍ତେଜ ହୋଇ ଡାକ ନଶୁଣିବାରୁ ତାଙ୍କୁ ଏଠାକୁ ନେଇ ଆସିଲୁ । ପ୍ରତିଦିନ ତିନୋଟି ସାଲାଇନ୍ ଦିଆହେଉଛି ଓ ନାକବାଟେ ଖାଦ୍ୟନଳୀଟେ ଲାଗିଛି । ତାଙ୍କୁ ଔଷଧ ନାଆଁରେ ଦିନକୁ ତିନିଥର ତରଳ ଖାଦ୍ୟ ଦିଆଯାଉଛି । ଏବେ କଥାର ଉତ୍ତର ଦେଲେଣି କିନ୍ତୁ ତାଙ୍କର ଗୋଟିଏ ଯିଦ୍ ସେ ଖାଇବେ ନାହିଁ । ସବୁକଥା ଶୁଣି ବିଜୁକୁ ଅଜଣା ରହିଲା ନାହିଁ ଯେ ବଡ଼ପୁଅ ଓ ବାପ ମଧ୍ୟରେ କିଛି ଗୋଟେ ବଡ଼ଧରଣର ଝଗଡ଼ାହେଇଛି ଯେଉଁଥିରେ ମଉସା ଅତି ଅପମାନିତ ହୋଇ ଖାଦ୍ୟକୁ ‘ଛି’ କରିଦେଇଛନ୍ତି । ମଉସା ବଡ଼ପୁଅକୁ ଭାରି ଭଲପାଆନ୍ତି, କହ୍ନେଇବାବୁଙ୍କ ପିତୃଭକ୍ତିରେ ବି କିଛି ଊଣା ନଥାଏ । ତେବେ ଏପରି ଦୁର୍ଭାଗ୍ୟଜନକ ବିସ୍ମୟକର ଘଟଣାର କାରଣ କଣ ? ସ୍ଥାନ କାଳ ପାତ୍ର ବର୍ତ୍ତମାନ ସେ ଜିଜ୍ଞାସାକୁ ପ୍ରଶମିତ କରିବାପାଇଁ ଅନୁକୂଳ ନଥିବାରୁ ବିଜୁ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ମଉସାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଥମେ ବୁଝିନେବା ଉଚିତ ମନେକଲା । 

  ବିଜୁ ମଉସାଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ, ସେ ଆଖି ଖୋଲିଲେ । ବିଜୁ ପଚାରିଲା, “ମଉସା, ଦେହ କେମିତି ଲାଗୁଛି ? ମଉସା କହିଲେ, “ବିଜୁ ତୁ ଆସିଛୁ ! ମୋତେ ଏଠୁ ନେଇଯା ! ମୁଁ ଏ ଡାକ୍ତରଖାନାରେ ଦଣ୍ଡେ ବି ରହିବି ନାହିଁ” । ପୁତୁରା, ଭଣଜା, ସଳା ଯିଏ ଆସିଲେ ତାଙ୍କର ସେଇ ଗୋଟିଏ କଥା ମୋତେ ଏଠାରୁ ନେଇଯା । ତାଙ୍କର ଏକଥା ଶୁଣି ପୁଅନାତି ଏକ ସ୍ୱରରେ କହିଉଠିଲେ, “ତୁମେ ପାଟି ବନ୍ଦକଲ । ଦେହ ଭଲ ନାହିଁ, ଭଲ ହେଲେ ଯିବା । ବ୍ୟସ୍ତ କାହିଁକି ହେଉଛ” ? ବିଜୁ ମଧ୍ୟ ସେଇକଥାରେ ସମ୍ମତି ଜଣାଇ ଆଶ୍ୱାସନା ଦେଇ କହିଲା “ଦୁଇ ତିନି ଦିନପରେ ତୁମେ ଭଲ ହୋଇଯିବ । ତାପରେ ଆମେ ଘରକୁ ଫେରିଯିବା” । ମନେ ମନେ ବିଜୁ ଭାବି ଚାଲିଥାଏ ମଉସାଙ୍କୁ ଅଶି ଡେଇଁଲାଣି, ହେଲେବି ସେ ଜଣେ କର୍ମଠ ଲୋକ । ଅବଶ୍ୟ ଅଣ୍ଟା ଟିକେ ନଇଁ ଯାଇଛି ତଥାପି ଚଷାପୁଅ ତ ଏବେ ମଧ୍ୟ ଜମିରେ କାମ କରୁଥିବାର ଶୁଣିଛି । କାଁ ଭାଁ ଜର ହେବା ଛଡ଼ା କେବେ କତରାଲଗା ହୋଇନଥିଲେ ସିଏ । ନାତିନାତୁଣୀଙ୍କୁ ଆକଟ କରିବାରେ ଟିଙ୍ଗ୍ ଟିଙ୍ଗ୍ ହୁଅନ୍ତି ବୋଲି ସେମାନେ ତାଙ୍କୁ ଟିଙ୍ଗା ବୁଢ଼ା ବୋଲି ଚିଡ଼ାଉଥାନ୍ତି । ଲୋକ ହିସାବରେ ଖୁବ୍ ସରଳ ସିଏ । ପିଲାଙ୍କ ଏହି ସ୍ନେହବୋଳା ଗାଳିରୁ ବି ସେ ଉଠାଇପାରନ୍ତି ଅପାର ଆନନ୍ଦ । କର୍ମଜଞ୍ଜାଳ ପରେ ଅବସର ସମୟ ନିଜ ଦାଣ୍ଡପିଣ୍ଡାରେ ବସି ଘରର ସବୁ ଖବର ରଖୁଥାନ୍ତି; କିଏ କୁଆଡ଼େ ଗଲା, କେତେବେଳେ ଆସିବ ଇତ୍ୟାଦି । ପଡ଼ିଶା ବୁଢ଼ା ସାଙ୍ଗରେ ଚାଷବାସ କଥା ଓ ହାତରେ ପାନ ଚାଙ୍ଗୁଡ଼ି ତାଙ୍କ ନିତିଦିନିଆ କାର୍ଯ୍ୟାବଳୀର ଅଂଶବିଶେଷ । ତାଙ୍କର ଘର ସାମନା ଚଉରାରେ ଅନେକ ଲୋକ ବସାଉଠା କରୁଥିଲେ ମଧ୍ୟ ସେ ନିଜ ପିଣ୍ଡାରେ ବସି ସେମାନଙ୍କ କଥା ଶୁଣନ୍ତି ଓ ଦରକାର ମୁତାବକ ପଦେ ଅଧେ କହନ୍ତି । ତାଙ୍କ ସାହିରେ ତିରିଶ ଘର ମଧ୍ୟରୁ ତାଙ୍କର ଦାଣ୍ଡପିଣ୍ଡାକୁ ଛାଡ଼ି କେବଳ ଆଉ ଜଣଙ୍କର ପିଣ୍ଡା ସିମେଣ୍ଟ ଚଟାଣରେ ତିଆରି ହୋଇଛି । ବଡ଼ପୁଅ କହ୍ନେଇବାବୁ ଚାକିରି କରିଥିବାରୁ ପ୍ରାୟତଃ ନିଜ ବାରଣ୍ଡାରେ ସନ୍ଧ୍ୟାବେଳେ ଗ୍ରାମ୍ୟ ସାଙ୍ଗସାଥିଙ୍କ ସହିତ ତାସ ଖେଳନ୍ତି । ବୁଢ଼ାଙ୍କର ସେଥିରେ କିଛି ଯାଏ ଆସେ ନାହିଁ । ତାଙ୍କ ସାହିର ଲୋକମାନେ ସୂର୍ଯ୍ୟ ମୁଣ୍ଡଉପରକୁ ଉଠିଲାପରେ କାମସାରି ଗାଧୋଇ ପାଧୋଇ ଘରେ ଗଣ୍ଡେ କଣ ଖାଇଦେଇ ଖରାବେଳେ ତାଙ୍କ ସିମେଣ୍ଟ ବାରଣ୍ଡାରେ ତାସ ଖେଳୁଥିବାର ଦେଖିବାକୁ ମିଳେ । ମଉସା ବେଳେବେଳେ ସେମାନଙ୍କ ପାଖକୁ ଲାଗିଯାଇ ଖେଳ ଦେଖନ୍ତି ଓ ଭୁଲ ଠିକ୍ ଉପରେ ମନ୍ତବ୍ୟ ମଧ୍ୟ ଦିଅନ୍ତି କିନ୍ତୁ ସେ ନିଜେ ତାସ ଖେଳିବାର ବିଜୁ କେବେ ଦେଖିନି । ଯେଉଁଦିନ ବିଜୁ ମନକୁ ଏଇ କଥାଟା ଛୁଇଁଥିଲା, ସେତେବେଳକୁ ସେ କଲେଜ ଛାତ୍ର । ଅନୁସନ୍ଧିତ୍ସୁ ହୋଇ ମଉସାଙ୍କ ତାସ ନଖେଳିବାର କାରଣ ଜାଣିବାପାଇଁ ଚାହିଁଥିଲା ବିଜୁ, କାରଣ ସେ ବି ଛୁଟିଦିନରେ ଗାଆଁକୁ ଗଲେ ସାହିର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ସାଙ୍ଗରେ ତାସ ଖେଳର ମଜା ଉଠାଇଥାଏ । ବେଳେବେଳେ କିଛି ଲୋକ ଏହି ତାସ ଖେଳରେ ନିଜର ବିଜ୍ଞତା ଦେଖାଇ ସହଯୋଗୀ ଖେଳାଳିର ଭୁଲ୍ ପାଇଁ ତାଗିଦ କରୁକରୁ ବଚସା ପର୍ଯ୍ୟନ୍ତ କଥା ଚାଲିଯିବାର ଦେଖିଛି ବିଜୁ ଓ ତାପରେ ସେଦିନ ପାଇଁ ସେମାନଙ୍କର ଖେଳ ବନ୍ଦ । ତା’ର ମାନେ ନୁହେଁ ଯେ ଅନ୍ୟମାନେ ଖେଳନ୍ତିନି । ତାସ ଏମାନଙ୍କୁ ସଦା ସର୍ବଦା ମହଣେଇ ଚାଲିଥାଏ । ଶୁଣିବାକୁ ମିଳିଲା ଏହିଭଳି କଣ ଏକ ଉପାଖ୍ୟାନ ଘଟିଥିଲା ମଉସାଙ୍କର ଯୁବକ ସମୟରେ ଦିନକର ତାସ ଖେଳରେ । ସେହି ସାହିରେ ଅବସ୍ଥାପିତ ଗ୍ରାମ୍ୟଦେବତୀ ମାଆ ଦୁର୍ଗାଙ୍କ ମନ୍ଦିର ବାରଣ୍ଡାରେ । କଥାରେ ଅଛି “ଝିମିଟି ଖେଳରୁ ମହାଭାରତ ଜାତ”, ସେଦିନ କେଉଁ ଏକ ଅଭିଶପ୍ତ ଖରାବେଳ ଥିଲା କେଜାଣି ମଉସା ଓ ତାଙ୍କର ସହଯୋଗୀ ଖେଳାଳି ମଧ୍ୟରେ ଅଯଥା ବଚସା ତାସ ଖେଳକୁ ନେଇ ଏଭଳି ଉଗ୍ରରୂପ ଧାରଣକଲା ଯେ ଦୁର୍ଯ୍ୟୋଧନ ମଉସା ଭୀଷ୍ମ ପ୍ରତିଜ୍ଞା ନେଇଥିଲେ, ସେ ଆଉ ତାସ୍ ଖେଳିବେନି । ଏହା ଶୁଣିଲା ପରେ ତାଙ୍କର ସେହି ଦୃଢ଼ ପ୍ରତିଜ୍ଞାଟି ବିଜୁ ମନକୁ ଖୁବ୍ ଗଭୀର ଭାବରେ ଅଲକ୍ଷ୍ୟରେ ଏମିତି ଛୁଇଁଥିଲା ଯେ ସେହିଦିନଠାରୁ ତାସ୍ ପ୍ରତି ତା’ର ନିଶା ଭାଙ୍ଗିଯାଇଥିଲା । ସେ ତାସ୍ ବଦଳରେ ଚେସ୍ ଖେଳକୁ ଆଦରି ନେଇଥିଲା ସେଇଦିନୁ । ଏଥିରେ ସେ କଲେଜ ଚମ୍ପିଆନ ହେବାର ଗୌରବ ସହିତ ଜାତୀୟ ସ୍ତରରେ ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିବା ସମ୍ମାନର ଯେଉଁ ଅଧିକାରୀ ହୋଇପାରିଥିଲା ତା’ର ପ୍ରେରଣା ଥିଲା ମଉସାଙ୍କ ପ୍ରତିଜ୍ଞା । ଆଦ୍ୟ ଯୌବନରେ ପାଦଥାପୁଥିବା ବିଜୁ ଜୀବନରେ ଭଲ ମଣିଷଟିଏ ହେବାପାଇଁ ଅନେକ ଥର ମନେମନେ କେତେକ ନିର୍ଦ୍ଦିଷ୍ଟ ଶପଥ ନେଲାପରେ ବି କେତେଥର ଯେ ତାହା ଆପେ ଆପେ ଭାଙ୍ଗିଯାଏ ତାହାର ହିସାବ ସେ ରଖିପାରିନଥିଲା । ସେଦିନ କିନ୍ତୁ ନିରକ୍ଷର, ମଳିମୁଣ୍ଡିଆ ଚାଷୀ ଲୋକର ସ୍ୱାଭିମାନ, କର୍ମପରାୟଣତା ଓ ଶପଥ ନିର୍ବାହର ପରାକାଷ୍ଠାରେ ବିମୋହିତ ହୋଇଯାଇଥିଲା ବିଜୁ । ମଉସା ଜଣେ ରୋକ୍ ଠୋକ୍ କଥା କହୁଥିବା ଲୋକ ବୋଲି ଜଣାଶୁଣା କିନ୍ତୁ ତାଙ୍କ ଅନ୍ତରର କୋମଳତାକୁ ଅନୁଭବ କରିବାର ଏକ ଦୁର୍ଲ୍ଲଭ ମୁହୂର୍ତ୍ତ ଦିନେ ଆବିଷ୍କାର କରିପାରିଥିଲା ବିଜୁ । ତାଙ୍କ ସାମନା ଘର ହେଉଛି ବିଜୁର ଘର । ତେଣୁ ମଉସାଙ୍କୁ ହେତୁ ପାଇଲା ଦିନଠାରୁ ଦେଖିଆସୁଛି ସିଏ । ମଉସାଙ୍କ ସାନପୁଅ ରମେଶ ଓ ବିଜୁ କିଛି ବର୍ଷତଳେ ଏକାଠି ଗାଆଁଠାରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଏକ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବାପାଇଁ ଯାଉଥାନ୍ତି । ରମେଶ ବିଜୁଠାରୁ ବୟସରେ ତିନିଚାରି ବର୍ଷ ବଡ଼ । ପ୍ରଥମଥର ବିଜୁ ଆଠଦିନ ପାଇଁ ଗାଆଁରୁ ବାହାରକୁ ଯିବ ପରୀକ୍ଷା କାରଣରୁ, ତେଣୁ ସ୍ୱଭାବ ସୁଲଭଗୁଣରେ ସାଇପଡ଼ିଶାର ଗୁରୁଜନମାନଙ୍କୁ ପ୍ରଣାମ କରିବା ସହିତ ପରୀକ୍ଷାରୁ ଫେରିବା ପରେ ପୁନଶ୍ଚ ସେହି ଗୁରୁଜନମାନଙ୍କୁ ପ୍ରଣାମ କରିବାକୁ ଭୁଲିନଥିଲା ବିଜୁ । ବାସ୍, ଏତିକି କଥାରେ ବିଜୁର ଫେରିବା ପରର ପ୍ରଣାମରେ ଭାବବିହ୍ୱଳ ହୋଇଯାଇଥିଲେ ମଉସା, କଣ୍ଠରୁଦ୍ଧ ହୋଇଯାଇଥିଲା ତାଙ୍କର । ଜମାଟବନ୍ଧା ଖୁସି କିଛି ତରଳିଯାଇ ପାଣିହୋଇ ବାହାରିଆସିଥିଲା ତାଙ୍କ ଆଖିରୁ । ଅଳ୍ପ ସମୟପରେ ମଉସା ପ୍ରକୃତିସ୍ଥ ହୋଇ ହସି ହସି ବିଜୁର ମୁଣ୍ଡ ଉପରେ ହାତଥୋଇ କହିପକାଇଥିଲେ “ବାଃ ବାଃରେ ପୁଅ ଏଇ ହେଉଛି ଶିକ୍ଷା, ସେଇ ଶୁଙ୍ଗାମୁହାଁ ରମେଶକୁ ଦେଖ, ଦୁଇ ଦୁଇଥର ଫେଲ୍ ହେଲାଣି । ବଡ଼ମାନଙ୍କୁ ସମ୍ମାନ ଦେବା ଯଦି ଜାଣି ନପାରୁଛି, ସେ କି ପାଠ ପଢ଼ୁଛି ? ସେଦିନ ମଉସାଙ୍କର ଆନନ୍ଦ ସାହି ଲୋକମାନଙ୍କ ମନରେ ମଧ୍ୟ ଉଦ୍-ବେଳନ ସୃଷ୍ଟକରିଥିଲା । ବିଜୁର ଆନନ୍ଦ କଥା କଣ କହିବା, ସତେ ଯେମିତି ଗଡ଼ ଜିତିବାର ପ୍ରଶଂସା ମିଳିଛି ତାକୁ, ବାହାରକୁ ରୁକ୍ଷ କର୍କଶ ରୂପେ ମନେହେଉଥିବା ଅଭାବ ଅସୁବିଧା ଓ ଜଞ୍ଜାଳଗ୍ରସ୍ତ ଆବରଣ ଭିତରେ ଏକ ସୂକ୍ଷ୍ମ କୋମଳ ଓ ନିରପେକ୍ଷ ପ୍ରେମୀ ହୃଦୟଟିଏ ଲୁଚିରହିଛି ଜାଣି ବିଜୁ ନିଜ ହୃଦୟର ଏକ ଉଚ୍ଚ ଆସନରେ ବସାଇଥିଲା ମଉସାଙ୍କୁ ସେହି ଦିନୁ ।

  ମଉସାଙ୍କ ମଝିଆଁ ପୁଅ ସୁରେଶ ଡାକ ନାମ ସୁରିଆ ଚାଲିଲା ଶଗଡ଼ରେ ହାତଦେବା ପିଲା । ବଡ଼ପୁଅ ବିଏ ପାଶ୍ କରି ଚାକିରି କଲା ମଝିଆଁ ଶ୍ରୀଅକ୍ଷର ବିବର୍ଜିତ । କଥାରେ ଅଛି “କପାଳ ଲିଖନ କେ କରିବ ଆନ” ଯାହା ଭାଗ୍ୟରେ ଯାହା ଅଛି । ପାଠ ସିନା ପଢ଼ିଲା ନାହିଁ, ବାପାଙ୍କ ସାଙ୍ଗରେ ମାଟିରେ ମାଟି ହୋଇ ବାରମାଣ ଜମିର ସବୁକାମ ଉଠାଇନିଏ । ଅନ୍ୟ ସମୟରେ ଆଖପାଖ ହାଟରୁ ପରିବାପତ୍ର ସାଇକେଲରେ ଆଣି ଦୁଆରେ ବସି ବିକ୍ରିକରି ସାମୟିକ ଭାବରେ ଯେଉଁ ଦୁଇପଇସା ପାଏ ସେଥିରେ ତାର କିଛି କମ୍ ଆନନ୍ଦ ନଥାଏ । ତା’ର ଖୁସି ଏଇଥିରେ ଥାଏ ଯେ ସେ ବଡ଼ ବଳଦ ହଳ କରିଛି ଓ ମଝବୁତ୍ ଶଗଡ଼ କରିଛି । ଉଚ୍ଚା କଳେଇଗଦା ଓ ନଡ଼ାଗଦା ସୃଷ୍ଟିକରିବାର କରାମତି ତା ହାତରେ ଅଛି । ସାନପୁଅ ରମେଶ ମାଟ୍ରିକ ପାଶ୍ କରିନପାରି ପାଠ ଛାଡ଼ି ବିଲବାଡ଼ି କାମରେ ମଝିଆଁ ଭାଇଙ୍କ ପଦାଙ୍କ ଅନୁସରଣ କରିବାର କିଛିଦିନ ପରେ ଘରଠାରୁ ପନ୍ଦର କିଲୋମିଟର ଦୂରରେ ଏକ ନୂଆ ଘରୋଇ ହାଇ ସ୍କୁଲରେ ପିଅନ ଚାକିରିଟିଏ ବଡ଼ଭାଇଙ୍କ ଦୟାରୁ କିଛି ପଇସାପତ୍ର ଦେଣନେଣ ମାଧ୍ୟମରେ ପାଇଥିଲା । ପରେପରେ ତା’ର ବାହାଘର ମଧ୍ୟ ସୁରୁଖୁରୁରେ ଶେଷହୋଇଗଲା । କାଳକ୍ରମେ ହାଇସ୍କୁଲଟି ରେଗୁଲାର ହେଲାପରେ ସେ ସରକାରୀ ଦରମା ପାଇ ଗାଆଁ ପାଖରୁ ମାତ୍ର ସାତ କିଲୋମିଟର ଦୂରତାରେ ଥିବା ଏକ ହାଇସ୍କୁଲକୁ ବଦଳିହୋଇ ଆସିଲା । ବାହାଘରର ମାତ୍ର ସାତବର୍ଷ ପୂରଣ ହୋଇଛି କି ନାହିଁ, ଚାକିରି ରେଗୁଲାର ହେବାର ମାତ୍ର ବର୍ଷକ ପରେ କେଉଁ ଏକ ଅଜଣା କାରଣରୁ ସୁସ୍ଥ, ସୁନ୍ଦର ଲୋକଟା କୁନି କୁନି ପୁଅଝିଅ ଦୁଇଟି ଓ ସୁନ୍ଦର ସୁଶୀଳା ପତ୍ନୀକୁ ଅସମୟରେ ଅଥଳ ସାଗରରେ ଭସାଇ ଦେଇ ଦୁନିଆରୁ ବିଦାୟ ନେଲା । ସେହି ମର୍ମନ୍ତୁଦ ଦୁଃଖଦ ଘଟଣା ବାପମାଆ ମନରେ ଯେ କେତେବଡ଼ କ୍ଷତ ସୃଷ୍ଟିକରିଥିବ ସେକଥା କଳନା କରିବା କଳ୍ପନାତୀତ । ତଥାପି ଜୀବନ ତା ବାଟରେ ଆଗେଇଚାଲେ, ମଉସା ମାଉସୀ ବିଧିର ଶକ୍ତ ଧକ୍କା ଖାଇ ପୁଣି ସଳଖ ହୋଇ ବାଟ ଚାଲିଥିଲେ । ସମୟର ଗତି ଓ ସଂସାରର ପଥ ବଡ଼ ବିଚିତ୍ର । ପୁଅମାନଙ୍କର ପରିବାର ବଢ଼ିବାରେ ଲାଗିଲା । ମଝିରେ ମଝିରେ କିଛି ଗୋଟିଏ ଛୋଟ ଘଟଣାକୁ ନେଇ ବାରମ୍ବାର ଯାଆମାନଙ୍କ ମଧ୍ୟରେ କନ୍ଦଳ ସୃଷ୍ଟିହେବାରୁ ଭାଇଭଗାରି ନ୍ୟାୟରେ ଭାଇ ଭାଇ ଭିତରେ ଜମି ଓ ଘର ବଣ୍ଟାବଣ୍ଟି ହେବାପାଇଁ ସ୍ଥିରହେଲା । ବାପାମାଆ ଲାଚାର ! ଏ ସମୟରେ ତାଙ୍କ ପ୍ରତି ବା ନଜର ଦେଉଛି କିଏ ? ପୁଅ ଦୁହିଁଙ୍କର ନଜର ବର୍ତ୍ତମାନ ସବୁଠାରୁ ସରସା ‘ଯୋଗୀବନ୍ଧ’ ଇଲାକାର ଦୁଇମାଣ ଜମି ଉପରେ, କାହା ଭାଗରେ ତାହା ପଡ଼ିବ । କିଛି ଭଦ୍ରଲୋକଙ୍କ ନ୍ୟାୟ ନିଶାପରେ କନ୍ଦଳ ସୁରୁଖୁରୁରେ ଛିଣ୍ଡିଯାଇଥିଲା । ପ୍ରତ୍ୟେକ ପୁଅର ଭାଗରେ ଚାରିମାଣ ଜମି ଓ ବଖରାଏ ଲେଖାଏଁ ରହିବା ଘର ପଡ଼ିଲା । ଦାଣ୍ଡଘର, ଯାହାକି ଘର ଭିତରକୁ ଯିବାପାଇଁ ପ୍ରବେଶ ଦ୍ୱାର ବହନ କରିଥାଏ ଓ ବସାଘର କୋଠରେ ରହିଲା ଅର୍ଥାତ୍ ସମସ୍ତେ ସେହିଘର ବ୍ୟବହାର କରିପାରିବେ । ଦାଣ୍ଡଘରର ଗୋଟିଏ କାନ୍ଥକୁ ଲାଗି ମଉସାଙ୍କ ଶୋଇବାପାଇଁ ଖଟଟିଏ ପଡ଼ିଲା । ଯଦି କେହି ପ୍ରଥମଥର ପାଇଁ ଘରବଣ୍ଟା ପରେ ତାଙ୍କ ଘରକୁ ଆସିଛି, ସେହିଖଟରେ ବାଡେଇହେବାଟା ଥୟ । ବିଜୁ ମଧ୍ୟ ଦୁଇଥର ଯିବାଆସିବା ବାଟକୁ ବାହାରି ରହିଥିବା ସେହି ଖଟର ଗୋଡ଼ ସହିତ ନିଜ ଗୋଡ଼ର ଦୁର୍ଘଟଣାକୁ ରୋକିପାରିନଥିଲା । ବସାଘରଟି କୁଣିଆ ମୈତ୍ର ବନ୍ଧୁବାନ୍ଧବ ତଥା ପିଲାମାନଙ୍କ ପାଠପଢ଼ା ପାଇଁ ଉତ୍ସର୍ଗୀକୃତ ହେଲା । ପାଠପଢ଼ା ପିଲା ବୋଇଲେ ବଡ଼ପୁଅର ଗୋଟିଏ ପୁଅ ଓ ଗୋଟିଏ ଝିଅ ଦୁହେଁ ଯଥାକ୍ରମେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ନ୍ତି, ବାକିସବୁ ଛୋଟପିଲା । ଧାନଘର ମଧ୍ୟ ସେମିତି ରହିଲା, ଯିଏ ଚାହିଁବ ସେ ବ୍ୟବହାର କରିପାରିବ । ଚାରିମାଣ ଜମିର କେତେ ବା ଧାନ । ବେଙ୍ଗୁଳା ପରେପରେ ଧାନ ଉଁସାଇ ସଙ୍ଗେ ସଙ୍ଗେ ଚାଉଳ ନକଲେ ଗତି ନାହିଁ ସାନ ଦୁଇ ଭାଇଙ୍କ ପରିବାରର । ତେଣୁ ଧାନ ଘର ପ୍ରତି ସେମାନଙ୍କର ନଜର ନଥିଲା । ରୋଷେଇ ଘର ବଡ଼ପୁଅ ଭାଗରେ ପଡ଼ିଲା । ବାରିପଟେ ଏକ ଲମ୍ବା ଘର । ଯେଉଁଠି ପୂର୍ବ କାନ୍ଥକୁ ଲାଗି ବଳଦ ଓ ପଶ୍ଚିମ କାନ୍ଥକୁ ଲାଗି ଗାଈଗୋରୁ ବନ୍ଧା ହେଉଥିଲେ ମଧ୍ୟ ତା’ର ଠିକ୍ ମଝିରେ କିଛି ଜାଗାଥିବାରୁ ଦୁଇପାର୍ଶ୍ୱରେ ସାନ ଦୁଇବୋହୁ ଚୁଲି ପାରିଲେ । ସେ ଦୁହିଁଙ୍କ ମଧ୍ୟରେ ସର୍ତ୍ତ ରହିଲା ରୋଷେଇ ସରିଲାପରେ ନିଜ ନିଜର ବଖରାରେ ନେଇ ରନ୍ଧାଖାଦ୍ୟ ଥୋଇବେ । ଘର ଜମି ବଣ୍ଟାକୁଣ୍ଟା ସରିଲାପରେ ପାଳି ପଡ଼ିଥିଲା ଏକ ହୃଦୟ ବିଦାରକ କ୍ଷଣର ଆକୁଳ ଉପସ୍ଥିତି, ବାପମାଆ ବଣ୍ଟା ହେବେ । ଦୁନିଆ ଅତୀବ ବିଚିତ୍ର । ଯେଉଁ ପିତାମାତା ଜନ୍ମଦେଇ ନିଜର ରକ୍ତକୁ ପାଣିକରି ପିଲାମାନଙ୍କୁ ମଣିଷ କରିଥିଲେ ଏବେ ତାଙ୍କରି ଭିଟାମାଟିରେ ନିଜ ହାତ ତିଆରି ଘରେ ସେ ଦୁହିଁଙ୍କ ପାଇଁ ବଖରାଏ ଘର ନାହିଁ । ବୁଢ଼ା ବାପ ଶୋଇବ ଦାଣ୍ଡଘରେ, ବୁଢ଼ୀ ମାଆ ରହିବ ବିଧବା ସାନବୋହୁ ସାଙ୍ଗରେ । ଏହା ବୁଢ଼ୀ ର ସୌଭାଗ୍ୟ ନା ଦୁର୍ଭାଗ୍ୟ ବିଚାର କରିବା ଏକ ଜଟିଳ ବ୍ୟାପାର ମନେହୁଏ । ବୁଢ଼ାଙ୍କର ଖାଦ୍ୟପେୟ ବୁଝିବାକୁ ଆଗଭର ହୋଇପଡ଼ିଲେ ବଡ଼ପୁଅ, କହିଲେ “ମୁଁ ବାପାଙ୍କ ଯାବତୀୟ ଦାୟିତ୍ୱ ସଦାସର୍ବଦା ବହନ କରିବି । ମଝିଆଁ ଭାଇ ଓ ସାନବୋହୂ ଛଅ ଛଅ ମାସ କରି ବୁଢ଼ୀ ମାଆର ଖାଦ୍ୟପେୟଠାରୁ ଆରମ୍ଭକରି ସମସ୍ତ ଦାୟିତ୍ୱ ଵହନ କରନ୍ତୁ । ସେମାନଙ୍କୁ ଟିକେ ହାଲୁକା କରିଦେଲି । ତାର ମାନେନୁହେଁ ଯେ ସାବତ ମାଆ ବୋଲି ଅଲଗା କରିଦେଲି, ମଝିରେ ମଝିରେ ଅସୁବିଧା ସୁବିଧା ହେଲେ ମୁଁ ଅଛି । କିଛି ଅସୁବିଧା ହେବନାହିଁ” । ବଡ଼ପୁଅ କହ୍ନେଇବାବୁଙ୍କୁ ଯେତେବେଳେ ଦୁଇବର୍ଷ ହୋଇଥିଲା ତାଙ୍କର ମାତୃବିୟୋଗ ଘଟିଲାପରେ ଦୁର୍ଯ୍ୟୋଧନ ମଉସା ବିଜୁର ବଡ଼ ମାଉସୀକୁ ଦ୍ୱିତୀୟ ସ୍ତ୍ରୀରୂପେ ଗ୍ରହଣ କରିଥିଲେ । ଦୁଇବର୍ଷର ପିଲାଠାରୁ ବଡ଼ହେଇ କହ୍ନେଇବାବୁ ଚାକିରିବାକିରିକରି ବାହାହେଲା ପର୍ଯ୍ୟନ୍ତ ସବୁକଥା ବୁଝିଥିଲା ସାବତ ମାଆ । କହ୍ନେଇବାବୁଙ୍କର ମନେପଡୁନି ତାଙ୍କ ଜନ୍ମଦାତ୍ରୀ ମାଆର ରୂପ କିପରି ? ତାଙ୍କ ଅଳି ଅର୍ଦ୍ଦଳି ସବୁ ବୁଝିଛି ଏଇ ମାଆ, ବିଜୁର ମାଉସୀ । ସେହି ମାଉସୀଙ୍କର ଆଶା ବୋଲି ଗୋଟିଏ ଝିଅ ବି ଅଛି । ତା’ର ଗୋଟିଏ ଆଖି ଜନ୍ମରୁ ଖରାପ, ଅନ୍ୟ ଆଖିରେ ଅଳ୍ପ ଅଳ୍ପ ଦିଶେ । ସେ ତ ଜନମ ଦୁଃଖିନୀ । ସେ ଘର ସଂସାର କରିଛି ଅନ୍ୟତ୍ର । ତା’ର ବାହାଘର ସମୟରେ ମଉସା ଦୁଇମାଣ ଜମି ଜୋଇଁ ମନମୋହନଙ୍କୁ ଯୌତୁକରୂପେ ଦେଇଥିଲେ ବୋଲି ଶୁଣାଯାଏ । ଆଶା ବଡ଼, ତା ତଳକୁ ସୁରେଶ ଓ ରମେଶ କରି ଦୁଇ ପୁତ୍ର ।

  ସହରରେ ପାଠପଢ଼ା ସମୟରେ ବିଜୁ ଯେଉଁ ଦିନ ଛୁଟିରେ ଗାଆଁକୁ ଆସେ ସେହି ଦିନ ସନ୍ଧ୍ୟାରେ ମଉସାଙ୍କ ଘରକୁ ଯାଇ ମଉସାମାଉସୀ ଓ ଭାଇଭାଉଜମାନଙ୍କ ସହ ଦେଖାହୁଏ । ଦୁନିଆରେ କଣ ଥାଏ କି ? ସ୍ନେହ ସମ୍ପର୍କ ଭଲପାଇବା ହିଁ ନିଜର କରିପକାଏ ସମସ୍ତଙ୍କୁ । ସେହିଭଳି ଏକ ଡୋରିରେ ବାନ୍ଧିହୋଇଥିଲା ବିଜୁ ଓ ଡା’ର ମାଉସୀର ପରିବାର । ସୁରୁଖୁରୁରେ ଚାଲିଥିଲା ଘାତ ପ୍ରତିଘାତ ଦେଇ ଦୁର୍ଯ୍ୟୋଧନ ମଉସା ଓ ତାଙ୍କର ପୁଅବୋହୂମାନଙ୍କର ସଂସାର ବୋଲି ଧରିନେଇଥାଏ ବିଜୁ । ସମୟର ଚିରାଚରିତ ପଦ୍ଧତି ଆପଣେଇ ନେଇଥିଲେ ବୁଢ଼ାବୁଢ଼ୀ । ସମୟର ଅପରାହ୍ନରେ ଏକାଠି ଥାଇ ମଧ୍ୟ ନିସଙ୍ଗ ଜୀବନ । ବୋଧହୁଏ ବିଧି ନିର୍ଦ୍ଦିଷ୍ଟ ରୂପେ ସେହି ଗାଆଁର ସବୁ ବୁଢ଼ାବୁଢ଼ୀ ଭୋଗିଥାନ୍ତି ଏହି ଦଶା ବୋଲି ବିଜୁର ମନେହେଉଥିଲା ସେତେବେଳେ । ବୁଢ଼ାବୁଢ଼ୀଙ୍କ ଭିତରୁ ଯିଏ ଯେଉଁ ପୁଅ ପାଖରେ ରହିବ ତା ପରିବାରର ଦୈନନ୍ଦିନ କାର୍ଯ୍ୟରେ ସାହାଯ୍ୟ କରିବ ଓ ତା ପାଖରୁ ଖାଇବ ଏହାଥିଲା ସେତେବେଳର ନ୍ୟାୟ । ତଥାପି ବାପାମାଆଙ୍କ ମନକଣ ବୁଝେ । ତିନି ପୁଅଙ୍କୁ ଜନ୍ମ କରିଛନ୍ତି, ଜଣକ ପାଇଁ କେବଳ ସାହାଯ୍ୟ କରିବେ ଅଥଚ ଆଖି ଆଗରେ ଅନ୍ୟ ପୁଅର ଅସୁବିଧାଟାକୁ ଅଣଦେଖା କରିବା ସମ୍ଭବପର ହେବ କି ? ତେଣୁ ମଉସା ବଡ଼ପୁଅର ଚାଷବାସ କାମ ଦେଖାଚାହାଁ କରିବା ସହିତ ସାନପୁଅର ଦେହାନ୍ତ ହୋଇଯାଇଥିବାରୁ ତା’ର ବିଲବାଡ଼ି କଥା ଦେଖାଶୁଣା କରନ୍ତି । ମଝିଆଁ ପୁଅ ସୁରିଆ ଚାଷକାମରେ ଧୁରନ୍ଧର, ତାକୁ ଖାଲି କଥାରେ କଥାରେ ବାଟ ବତେଇଦେଲେ ଚଳିଯାଏ । କାଁ ଭାଁ ଦରକାର ବେଳେ ସୁରିଆକୁ ଅଳ୍ପବହୁତ ସାହାଯ୍ୟ କରିବାକୁ ମଧ୍ୟ ଭୁଲନ୍ତିନି ମଉସା । ପିଲାମାନେ ସିନା ବାପାଙ୍କୁ ଭାଗ କରିଦେଲେ ଦୁନିଆ ଦାଣ୍ଡରେ । ବାପା ମନ କଣ କେବେ ସେଇଆ ଚାହିଁଥାଏ, ତା’ ଭଲପାଇବାର ପ୍ରତିଦାନକୁ ସେ ଜାହିର କରିବ ? ନିଜ ସନ୍ତାନ ସ୍ନେହରେ ଅନ୍ଧହୋଇ ପିଲାମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ତିଳ ତିଳହୋଇ ଅଯାଚିତ ଭାବରେ ସାରା ଜୀବନ ନିଃଶେଷ କରିବାରେ ହିଁ ଆନନ୍ଦ ଖୋଜୁଥାନ୍ତି ବାପମାଆ । ସେଇ ଭିତରେ ହଜିଯାଏ ତାଙ୍କର ସ୍ୱ ଇଛା ଓ ଓ ଆକାଂକ୍ଷା । ହାତ ଧରି ଧର୍ମପତ୍ନୀ ରୂପେ ବରଣ କରିଥିବା ଜୀବନସାଥିର ସାହଚର୍ଯ୍ୟ ପରିଣତ ବୟସରେ କଣ ଆଶା କରୁନଥିଲା ସେ ମନ ? ଅନ୍ତରର ଦୁଃଖସୁଖ ଦୁଇପଦ କଥାକୁ ନିଜ ଭିତରେ ବାଣ୍ଟି ମନ ହାଲୁକା କରିବାପାଇଁ ସେ ଦୁହିଁଙ୍କର କଣ ଇଛା ହୋଇନଥିବ କେତେବେଳେ ? ଜାଣତ ଅଜାଣତରେ ପିଲାମାନଙ୍କର କଠୋର ଭାଷାର ପ୍ରୟୋଗରେ କଲିଜାଟା ଯେତେବେଳେ ଛିନ୍ନ ଭିନ୍ନ ହୋଇଯାଉଥିବ, ଅର୍ଦ୍ଧାଙ୍ଗିନୀ ଛଡ଼ା ସେକଥା ଅନୁଭବ ଓ ଉପଶମ ଆଉ କିଏ କରିପାରିବ ? ମଉସା ମାଉସୀଙ୍କ ଜୀବନରେ ଏମତି କିଛି ମୁହୂର୍ତ୍ତ ଯେ ଆସିନଥିବ, ସେକଥା କିଏ କହିପାରିବ ? ବେଳେବେଳେ ମଉସାଙ୍କ ତଣ୍ଟିଫଟା ଗର୍ଜନ ଓ ଧିକ୍କାର ସାଙ୍ଗକୁ ମାଉସୀର ରାଗରେ ଗଁ ଗଁ ହୋଇ ମାନ ଅଭିମାନ କରିବା ଘର ପରିବେଶକୁ ନିଶ୍ଚୟ ଆନ୍ଦୋଳିତ କରିଛି, ହେଲେ ସମୟର ଗତି ବଡ଼ ବିଚିତ୍ର । ମାଆବାପାଙ୍କ ସ୍ନେହ ମମତା ଆଗରେ ସେମାନଙ୍କର ସବୁ ବ୍ୟଥା ମିଳେଇଯାଉଥାଏ ପବନରେ । ପୁଣି ବହିଚାଲେ ପ୍ରେମ, କରୁଣା ଓ ଦୟାର ଜୟଯାତ୍ରା । ଏଇ ତ ଜୀବନ ।

  ସକାଳର ବାସି ପାଇଟି ଓ ଗୁହାଳ ଗୋବରଠାରୁ ଆରମ୍ଭକରି ଦାଣ୍ଡ ଦୁଆର କୂଅରୁ ସକାଳ ସଞ୍ଜରେ ପାଣି ଆଣିବା କାମଟି ସତେ ଯେମିତି ଠିକା ନେଇଥିଲା ମାଉସୀ । ସାନ ଦୁଇପୁଅଙ୍କ ଘରେ ପାଳିକରି ଖାଉଥିଲେ ମଧ୍ୟ ବଡ଼ ବୋହୂକୁ କେବେ ଦାଣ୍ଡ କୂଅରୁ ପାଣି ଆଣିବାକୁ ଦେଇନି ସାବତ ଶାଶୁ । ଘରଣୀମାନେ ସଦାସର୍ବଦା ଖାଦ୍ୟପେୟ ଓ ରୋଷେଇ ଘରର ତତ୍ତ୍ୱାବଧାରକ । ବୁଢ଼ାଟି କେମିତି ଭଲରେ ଗଣ୍ଡେ ଭଲମନ୍ଦ କରି ଖାଉ ସେକଥା ମନରେ ଥାଏ ମାଉସୀର । ବଡ଼ପୁଅ ଚାକିରିଆ । ତାଙ୍କର ସାତ ତୁଣ ନଅ ଭଜା । ତହସିଲରେ ଚାକିରି, ଭଲମନ୍ଦରେ ଭାସିବା କିଛି ନୂଆ କଥା ନୁହେଁ । ତଥାପି ନିଜ ପିଲା ଓ ବୁଢ଼ା ଶଶୁର ଭିତରେ କିଛି ବୟସଗତ ଓ ଭାବଗତ ପାର୍ଥକ୍ୟ ତ ନିଶ୍ଚୟ ରହିଛି, ତେଣୁ ଭଲମନ୍ଦ ବେଳେ “ ବାପା ବୁଢ଼ା ଲୋକ ଖାଇଲେ ହଜମ କରିପାରିବେନି, ଦେହ ଖରାପ ହେବ” କଥାଟା ଶାଶୁ କାନରେ ବାଜିଥିବାର ନଜିର ମଧ୍ୟ ରହିଛି । ପିତାମାତା ନିଜ ଜୀବନରେ ମନ ଓ ଜିହ୍ବାର ଲାଳସାକୁ କେତେବାର ଯେ ପିଲାମାନଙ୍କ ପାଇଁ ଜଳାଞ୍ଜଳି ଦିଅନ୍ତି, ତା’ର କଣ କିଛି ହିସାବ ଥାଏ ?

  ଶାଶୁ ବଡ଼ ବୋହୂର ଘରକରଣା କାମରୁ ପ୍ରତିଦିନ ତୁଲାଇ ନିଅନ୍ତି ଅନେକ କିଛି । ସାନ ଦୁଇବୋହୁଙ୍କର ଏକଥା ଯେ ଚକ୍ଷୁଶୂଳ ହୁଏନି, ଏକଥା ମଧ୍ୟ ଅଜଣା ନାହିଁ । ମଣିଷ କଥା ପାଞ୍ଚମନ ପଚିଶ ପ୍ରକୃତି, କେତେବେଳେ କାହାକୁ କଣ ଭାଏ । ପାଞ୍ଚ ପାଞ୍ଚଟା ଛୋଟ ପିଲାଙ୍କର କାମ ସାରି ରୋଷେଇବାସ ଓ ଅଭାବି ଘରର ସମସ୍ୟା ଭିତରେ ମଝିଆଣୀ ବୋହୂ ଗରଗର ହେବାଟା ଅସ୍ୱାଭାବିକ ନୁହେଁ । ଏତେ ସବୁ ଭିତରେ ବି ବିଜୁ ଦେଖିଛି ମଉସାମାଉସୀ ଜୀବନ ରଥକୁ ସୁଚାରୁରୂପେ ନିର୍ବାହ କରିଚାଲିଛନ୍ତି । ତେବେ ହଠାତ୍ କଣ ହେଲା ଯେ ମଉସା ରାଗ ଅଭିମାନରେ ନଖାଇବା ପାଇଁ ଦୃଢ଼ପ୍ରତିଜ୍ଞ ହୋଇ ଉଠିଥିଲେ । ତାଙ୍କ ପ୍ରତିଜ୍ଞା ତ ସେ ଭାଙ୍ଗିବେନି, ସେ ପରା ଦୁର୍ଯ୍ୟୋଧନ । ଏହି ଅଭାବନୀୟ ପରିସ୍ଥିତିର ମୂଳକଥା ସେଦିନ ଜାଣିପାରିନଥିଲା ବିଜୁ । ଏମିତି କେତେ ପୁରୁଣା ଖିଅକୁ ଭିଡ଼ି ଓଟାରି ମଉସାମାଉସୀଙ୍କର ଜୀବନ କାହାଣୀର ପୃଷ୍ଠାକୁ ଓଲଟେଇ ଚାଲିଥିଲାବେଳେ ଡାକ୍ତରବାବୁ ବଡ଼ପାଟିରେ କିଛି କହୁଥିବାର ଶୁଣି ପ୍ରକୃତିସ୍ଥ ହୋଇଥିଲା ବିଜୁ ।

  ଡାକ୍ତରବାବୁ କହୁଥାନ୍ତି “ରୋଗୀକୁ ଟି.ବି. ୱ।ର୍ଡ଼କୁ ସ୍ଥାନାନ୍ତର କରିବାକୁ ପଡ଼ିବ । ସେଠାରେ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରିବ । ରୋଗୀ ଚଳପ୍ରଚଳ ଓ ନିତିଦିନିଆ ଖାଦ୍ୟଗ୍ରହଣ କରିବାକୁ ଆରମ୍ଭକଲା ପର୍ଯ୍ୟନ୍ତ ଏଠାରେ ରହିବା ନିହାତି ଆବଶ୍ୟକ । ସେ ଟିକିଏ ସୁସ୍ଥ ଅନୁଭବ କଲାପରେ ଆପଣମାନେ ତାଙ୍କୁ ଘରକୁ ନେଇଯାଇପାରନ୍ତି, କିନ୍ତୁ ଛଅ ମାସ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିବ । ପ୍ରଥମେ ପନ୍ଦର ଦିନ ଏଠି ରହି ଚିକିତ୍ସିତ ହୁଅନ୍ତୁ ତା’ପରେ ଦେଖିବା” । ଡାକ୍ତରବାବୁ ଅନ୍ୟ ରୋଗୀଙ୍କୁ ଦେଖିବାକୁ ଗଲାପରେ କହ୍ନେଇବାବୁ ସ୍ଥାନାନ୍ତରଣ ଜିମା ମଝିଆଁ ଭାଇ ଓ ପୁଅକୁ ଦେଇ ଅଫିସ ଯିବାପାଇଁ ବାହାରିପଡ଼ିଲେ । ବିଜୁ ମଧ୍ୟ ମଉସାଙ୍କୁ ଟି.ବି. ୱ।ର୍ଡ଼କୁ ନେବାପାଇଁ ସେମାନଙ୍କୁ ସାହାଯ୍ୟ କଲା । ଟି.ବି. ୱ।ର୍ଡ଼ରେ ଗହଳିକରିବା ମନା । ତେଣୁ ଅଧିକ ସମୟ ସେଠାରେ ନରହି କାଲି ଆସିବ କହି ବିଜୁ ମଉସାଙ୍କୁ ବୁଝାଇସୁଝାଇ କଟକ ଫେରିଗଲା । କଥାରେ ଅଛି “ଚାଷ ତରତର ବଣିଜ ମଠ” । ବର୍ଷା ଦିନ ଚାଷୀମାନଙ୍କ ପାଇଁ ଅତି ଉପଯୋଗୀ । ଗାଆଁରୁ ଖବର ଆସିଛି, ଧାନ କିଆରିରେ ଗଳିଆ ପଡ଼ିଛି । କ୍ଷେତରୁ ପାଣି ଚାଲିଗଲେ ଫସଲ ନଷ୍ଟହେବାର ଆଶଙ୍କା ଅଛି, ଚାଷୀ ପିଲା ସମ୍ଭାଳିବ କିପରି । ମଝିଆଁ ପୁଅ ବାହାରିପଡ଼ିଲା ଗାଆଁ ଅଭିମୁଖେ । ବିଜୁ ସନ୍ଧ୍ୟାବେଳେ ମଉସାଙ୍କ ସ୍ୱାସ୍ଥ୍ୟ ବିଷୟରେ ତାଙ୍କ ନାତିକୁ ଫୋନ୍ କରି ବୁଝିଲାବେଳକୁ, ଟି.ବି. ଏକ ସଂକ୍ରାମକ ରୋଗ ବୋଲି ପୁଅ ନାତି ସମସ୍ତେ ଯାଇ ଗାଆଁରେ । ତାଙ୍କ ଭିତରେ ନିଷ୍ପତ୍ତି ହୋଇଛି ପାଳିକରି ପ୍ରତିଦିନ ସକାଳେ ବୁଢ଼ାଙ୍କ ପାଖକୁ ଜଣେ ଜଣେ ଯିବେ ଓ ସନ୍ଧ୍ୟାରେ ଫେରିବେ । ରାତିରେ ସେଠାରେ କେହି ରହିବେ ନାହିଁ । ଚାରିଦିନ ପରେ ବିଜୁ ଶୁଣିଲା ଗାଆଁରୁ ଭୁବନେଶ୍ୱର ନିତି ଯିବାଆସିବା ଅସୁବିଧା ହେବାରୁ ମଉସାଙ୍କୁ ସେମାନେ ଗାଆଁକୁ ନେଇଯାଇଛନ୍ତି । ମଉସା ଜାଣତରେ ଏପର୍ଯ୍ୟନ୍ତ ତାଙ୍କ ଅନଶନ ଭଙ୍ଗ କରିନାହାନ୍ତି । ତାଙ୍କ ସ୍ୱାସ୍ଥ୍ୟର ଅବକ୍ଷୟ ଘଟୁଛି । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ମାଉସୀ ବ୍ୟତୀତ ତାଙ୍କ ପାଖକୁ କେହି ଯାଉନାହାନ୍ତି । ସାଇ ପଡ଼ିଶା ନିଜ ସୁବିଧାରେ ଆସି ବୁଢ଼ାଙ୍କୁ ଦୂରରୁ ଦେଖି ଫେରିଲାବେଳେ ପରସ୍ପର ମଧ୍ୟରେ “ଆଉ ବେଶି ଦିନ ନୁହେଁ” କହି ଫେରିଯାଉଛନ୍ତି ।



Rate this content
Log in

Similar oriya story from Tragedy