STORYMIRROR

Nityananda Behera

Inspirational

3  

Nityananda Behera

Inspirational

ଏଇଠୁ ଆରମ୍ଭ...

ଏଇଠୁ ଆରମ୍ଭ...

2 mins
257

ସେ ବର୍ଷ ଥିଲା ମୋର ତ୍ରୟୋଦଶ ତମ ବର୍ଷ,ମୁଁ ଥିଲି ଅଷ୍ଟମ ଶ୍ରେଣୀର ଛାତ୍ର ;ଶ୍ରେଣୀରେ ମୁଁ ସବୁବେଳେ ପ୍ରଥମ ରହୁଥିଲି ,ସେଥିପାଇଁ ଗୁରୁଜୀ ଗୁରୁମା ଙ୍କର ଅତିପ୍ରିୟ ଥିଲି,ପ୍ରତ୍ୟେକ ବିଷୟରେ ମୁଁ ଦକ୍ଷ ଥିଲି, ବେଳେବେଳେ ମତେ ଅନ୍ୟ ଶ୍ରେଣୀକୁ ମୁଖ୍ୟତଃ ଗଣିତ, ଜ୍ୟାମିତି,ବିଜ୍ଞାନ, ସଂସ୍କୃତ ଏବଂ ସାହିତ୍ୟ ବିଷୟ ଉପରେ କିଛି ବ୍ୟାଖ୍ୟା କରିବା ପାଇଁ ଡାକୁ ଥିଲେ।ଆଉ ମୁଁ କଳାପଟାରେ ସେଗୁଡିକର ସମାଧାନ କରୁଥିଲି ;ମାତ୍ର ମୁଁ ସେତେବେଳେ ଟିକେ ବେଶି ରାଗି ,ଟିକେ ସାହସୀ ,ଅଳ୍ପ ଲାଜୁଆ ତଥା ଟିକେ ବେଶୀ ଷ୍ଟାଇଲିସ ରହୁଥିଲି।ପ୍ରାୟତଃ ମୋ ଚାଲି, ଠିଆଠାଣି ଉପରେ ପ୍ରାୟ ସମସ୍ତଙ୍କ ନଜର ରହୁଥିବାର ମୁଁ ଅନୁଭବ କରୁଥିଲି ଏବଂ ଟିକେ ଟିକେ ସଂଯମ ପାଇଁ ପ୍ରଚେଷ୍ଟା କରୁଥିଲି।ବିଦ୍ୟାଳୟର ପ୍ରତ୍ୟେକ ବାଳିକା ମାନେ ମଧ୍ୟ ମୋ ସହିତ ଭଲ କଥାବାର୍ତ୍ତା କରୁଥିଲେ, ଏଣୁ କିଛି ଛାତ୍ର ଇର୍ଷା ମଧ୍ୟ କରୁଥିଲେ ଏବଂ ମୋ ନାଁରେ ଅନେକ ମିଛ ଅପବାଦ କାନ୍ଥ ବାଡ଼ରେ ଲେଖି ଦେଉଥିଲେ ଏମିତି କି କିଛି ଝିଅଙ୍କ ନାଁ ମଧ୍ୟ ମୋ ସହ ଯୋଡି ଦେଉଥିଲେ। ତଥାପି ମୋ ପ୍ରତି କେବେ ଆଙ୍ଗୁଲି ଉଠିନଥିଲା।କାରଣ ଶ୍ରେଣୀ ଶିକ୍ଷକ ମାନଙ୍କର ମୋ ପ୍ରତି ଆସ୍ଥା ଓ ବିଶ୍ୱାସ ରହିଥିଲା।ଏମିତି କି ବିଦ୍ୟାଳୟର ଫଙ୍କସନ ଗୁଡିକରେ ମଧ୍ୟ ମତେ ଦାୟିତ୍ୱ ମିଳୁଥିଲା ମୁଖ୍ୟତଃ ସରସ୍ୱତୀ ପୂଜା, ଗଣେଶ ପୂଜା, ଅଗଷ୍ଟ ପନ୍ଦର ଇତ୍ୟାଦିରେ,ଯେମିତି ମିଠା ତିଆରି କରୁଥିବା ବେଳେ ତାହାର ତଦାରଖ କରିବା ଆଦି କାମ।

ସେ ବର୍ଷ ଆମ ଗାଁ ପାଖ ଉଚ୍ଚ ବିଦ୍ୟାଳୟ ରେ ଶିଶୁମେଳାର ଆୟୋଜନ ସ୍ଥିରୀକୃତ ହୋଇଥାଏ।ଆମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗ ନେବା ପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଅନ୍ୱେଷଣ ଚାଲିଥାଏ। ମୋର କିନ୍ତୁ ଇଚ୍ଛା ନ ଥିଲା,ସେ ସବୁରେ ଭାଗ ନେବାପାଇଁ ;ମାତ୍ର ଦିନେ ସମସ୍ତ ଛାତ୍ରଛାତ୍ରୀ(ଅଷ୍ଟମ, ନବମ ଓ ଦଶମ) ଙ୍କୁ ନେଇଁ ଗୋଟିଏ ମିଟିଙ୍ଗ କରାଯାଇଥିଲା ।କାରଣ କବିତା ବିଭାଗରେ ଶିଶୁ ମେଳାରେ ଭାଗନେବା ପାଇଁ କୋୖଣସି ଛାତ୍ର କି ଛାତ୍ରୀ ନଥିଲେ।ଏଣୁ କବିତା ଲିଖନ ପ୍ରତିଯୋଗିତା କରାଯାଇଥିଲା।ସେତେବେଳେ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସାହିତ୍ୟ ଶିକ୍ଷକ କବିତା ଲେଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ବିଷୟ ଉପସ୍ଥାପନ କରିଥିଲେ, ଠିକ ଭାବରେ ମୋର ମନେ ନାହିଁ ମାତ୍ର ବିଷୟଟି ବନ୍ୟା ଉପରେ ଆଧାରିତ ଥିଲା।ସମସ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ କିଛି ବଛା ବଛା ଛାତ୍ରଛାତ୍ରୀ କବିତା ଲେଖି ବିଚାରକ ମଣ୍ଡଳୀକୁ ଅର୍ପଣ କରାଯାଇଥିଲା। ବିଚାରକ ମଣ୍ଡଳୀ କବିତା ଗୁଡିକ ର ପଠନ ପୂର୍ବକ ତାର ତର୍ଜମା କରିଥିଲେ।ସର୍ଵ ଶେଷରେ ମାତ୍ର ତିନୋଟି କବିତା ଆମ ସାହିତ୍ୟ ଶିକ୍ଷକ ବାଛି ରଖିଥିଲେ।କବିତା ଭିତରେ ପ୍ରଥମେ ଜଣେ ଛାତ୍ରୀ ଙ୍କ କବିତା କୁ ଉପସ୍ଥାପନ କରିଥିଲେ ,ଦ୍ଵିତୀୟରେ ଆଉ ଜଣେ ଛାତ୍ର ଙ୍କ କବିତା ଏବଂ ପରିଶେଷରେ ମୋର କବିତାଟି ର ଉପସ୍ଥାପନ କରି , କବିତା ଉପରେ ନିଜେ ନିଜର ଖୁସି ବ୍ୟକ୍ତ କରିବା ସହିତ ,ଶବ୍ଦ ସଂଯୋଜନା ଚମତ୍କାର ଥିବା ପ୍ରକାଶ କରିଥିଲେ।

କବିତା ଉପରେ ସମସ୍ତଙ୍କର ସେହି ସମ ରାୟ ଥିଲା। ଭିଡ ଭିତରେ ମୋତେ ଠିଆ କରିଦିଆଗଲା ;ସମସ୍ତଙ୍କର ଶ୍ରଦ୍ଧା ଦୃଷ୍ଟି ମୋ ଉପରେ ରହିଥିଲା ଏବଂ ମୋର କବିତାଟିର ପ୍ରଶଂସାରେ ଶତମୁଖର ହୋଇଉଠିଥିଲେ। ସହପାଠୀଙ୍କ କରତାଳି ସହ ଗୁରୁଜି ଗୁରୁମାଙ୍କ ପ୍ରଶଂସା ସହ ସ୍ନେହ ମୋ ଉପରେ ଅଜାଡ଼ି ହୋଇ ପଡ଼ିଥିଲା।ମୁଁ ଯେମିତି କୌଣସି ଯୁଦ୍ଧ ଜୟ କଲାପରି ସମସ୍ତେ ମୋର ପ୍ରଶଂସା କରିଥିଲେ ଏବଂ ମୋତେ ଶିଶୁମେଳା ପାଇଁ କବିତା ଲିଖନ ବିଭାଗ ପାଇଁ ସ୍ଥିର କରିଥିଲେ। ମୁଁ ଉକ୍ତ ଶିଶୁମେଳାରେ ଭାଗ ନେଇଥିଲି ମାତ୍ର କୌଣସି କାରଣ ବଶତଃ ଉକ୍ତ ବିଭାଗକୁ ବାତିଲ କରି ଦିଆଯାଇଥିଲା। କିନ୍ତୁ ମୋର କବିତା ଲେଖିବା ସେଇଠୁ ଆରମ୍ଭ ହୋଇ ସେମିତି ଜାରି ରହିଥିଲା...... ଆଜି ଯାଏଁ ଯାହା ଜାରି ରହିଛି....ଆଉ ଆଗକୁ ମଧ୍ୟ ଜାରିରହିଥିବ ବୋଲି ଆଶା.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational