Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Manorama Mishra

Tragedy


2  

Manorama Mishra

Tragedy


ଏ ଖରା ପରି ମୋ ଜୀବନ

ଏ ଖରା ପରି ମୋ ଜୀବନ

13 mins 7.5K 13 mins 7.5K

ଆଲୋ ଏ ଖୁଡୀ ତୁ ପରା କାଲି ମୋତେ କହିଲୁ ଭୁବନେଶ୍ଵରରେ ପୁଅ ପାଖରେ ଛାଡି ଦେଇ ଆ ବୋଲି, କାଲି ତ ତୋତେ ଛାଡି କରି ଆସିଲି ହେଲେ ଆଜି ତୁ ପୁଣି ଏ ଡହ ଡହ ଖରାରେ ଗୋବର ଗୁଡାକ ଚକଟି ଘଷି ପାରୁଛୁ , କାଇଁ ତୋ ପୁଅ ସଦା କଣ ତୋତେ ଘରୁ ତଡି ଦେଲା ନା କଣ ?

କିଛି କହୁନୁ ଯେ--

ଲୋଭା -- କଣ କହିବିରେ ତୋତେ ଜଗା , ତୁ ତ ମୋ ଗାଁର କୁଟୁମ୍ବର ପୁତୁରା , ହୃଦୟ ବୁଝୁ ବୋଲି ପଚାରି ଦେଲୁ ହେଲେ ପୁଅ ସଦା ପରା ମୋର ଏବେ ବଡ ବାବୁ ସଦାଶିବ ହୋଇ ଯାଇଛି, ମୁଁ ତା ଧୋବ ଫର ଫର ମାର୍ ବଲ ଘରେ ଚଳି ପାରିଲିନିରେ । ଗୋଡ ତ ମୋର ଛାଏଁ ଛାଏଁ ଖସିଲା । କଣ ଗୋଟାଏ ଲଗାଇଛି ଯେ ତା ଝିଅ ପୁଅ ପରା ଦିନ ରାତି ଚବିଶ ଘଣ୍ଟା ସେଇ ଘରେ ପଶୁଛନ୍ତି, କି ଥଂଡା କିରେ ଜଗା ! ପୁରା ହେମାଳ ,ଶୀତ ଦିନେ ଆମ ବାଡି ପଛପାଖ ପୋଖରୀ ପାଣି ଯେମିତି ଥଂଡା ତା ଠାରୁ ବି , ଆଉ ଜାଣିଛୁ ତା ପିଲା ମାନେ ଭାତ କେହି ଖାଉ ନାହାନ୍ତିରେ । ଖାଲି ଜିଆନାଡ ପରି କଣ ଗୁଡେ ଗୁଡା ତୁଡା ହୋଇଛି ତାକୁ ତ ବୋହୂ ରାନ୍ଧି ଦେଉଛି ଯେ ଖୁସିରେ ଖାଇ ଦେଉଛନ୍ତି, ସେ ପୁଣି ସାଙ୍ଗେ ସାଙ୍ଗେ ହୋଇ ଯାଉଛିରେ , ମୁଁ ତ ପଖାଳ ଖିଆ ମଣିଷଟା , ପଖାଳ ପାଣି ସେଠି ସାତ ସପନ , ପୁଣି ଘରେ ଗାଧୋଇବ ଘରେ ଝାଡା ପରିସ୍ରା ଯିବ ।ଘରେ ଛେପ ଖଙ୍କାର କାଢିବ । ଏସବୁ ମୋ ଦିହାତି ହବନି । ତେଣୁ ମୁଁ ସକାଳୁ ସକାଳୁ ସେଠୁ ପଳାଇ ଆସିଲି ,ମୋ ଗାଁ, ମୋ କବାଟ ନ ଥିବା ଇନ୍ଦିରା ଆବାସ ଘର , ମୋ ଗାଁ ପୋଖରୀ, ମୋ ଗାଁ ପଡିଆ ମୋ ପାଇଁ ଖୁବ୍ ଆପଣାର, ବଡ କାନ ବଡ ମୁହଁରେ ସିନା ପୁଅ ବୋଲି ପଳାଇଲି ହେଲେ ସେ ସହରୀ ଜୀବନକୁ ଆପଣାର କରି ପାରିଲିନି ,ଏଇ ଗୋବର ପକା ଜୀବନ ମୋ ପାଇଁ ଭଲରେ ଜଗା ।

ତୁ ମିଛ କହୁଛୁ ଖୁଡୀ ।ତୋତେ ସେମାନେ ଘରୁ ବାହାର କରି ଦେଲେ ଅଥଚ ତୁ ପୁଅ ବୋଲି କଥା ଘୋଡାଇ ଦେଉଛୁ । ପୁଅ ସଦା ତୋତେ ମା ' ବୋଲି ପରିଚୟ ଦେଇ ପାରିବନି ତା ସାଙ୍ଗ ସାଥିରେ ,ବୋହୂ ତୋତେ ଘୃଣା କଲା ତୋର ମଳି ମକଚିଆ ଚେହେରାକୁ ଦେଖି ତା ପୁଅ ଝିଅ ତୋତେ ଜେଜେମା ବୋଲି ଜାଣିବା ପୂର୍ବରୁ ସେମାନେ ତୋତେ କାର ଭଡା କରି ଗାଁକୁ ପଠାଇ ଦେଲେ , ହେଲେ ତୁ କଣ କହୁଛୁ ନା -----

ଜଗା ପାଟିରେ ଲୋଭା ହାତ ଦେଇ ଦେଲା । ନାହିଁ ସେମିତି କହନାରେ ଜଗା, ଗାଁ ଲୋକ ଶୁଣିଲେ ମୋ ପୁଅର ମାନ ସମ୍ମାନ ପଦାରେ ପଡିଯିବ । ମୁଁ ଆଉ କେତେ ଦିନ ବଂଚିବି । ମୋ ପୁଅ ତା ପିଲା ଛୁଆ ଧରି ସୁଖରେ ରହୁ । ତୋତେ ମୋ ରାଣ ତୁ ଏ କଥା କାହାକୁ ଗାଁରେ କହିବୁନି ।

କହିବିନି କଣ ଏ କଥା ପରା ସାରା ଗାଁରେ ପଡୁଛି ଉଠୁଛି। ସମସ୍ତେ ଜାଣି ସାରିଲେଣି ଏବେ ତୋ ଘରକୁ ଖବର କାଗଜ ବାଲା ଓ ଟିଭି ବାଲାଙ୍କର ଧାଡି ଲାଗିବ । ତୋ ପୁଅ ସଦାର ଚାକିରୀ ପଳାଇବ ଖୁଡୀ , ଆଉ ତୋ ବୋହୂର ଖରାଦିନେ କଣ ଶୀତ ଦିନରେ ବି ଏସିରେ ଶୋଇବା ମଜା ଛାଡିବ ।

ଲୋଭା ଆଶ୍ଚର୍ଯ୍ୟ, କଣ କହିଲୁ ଜଗା ଖବର କାଗଜ ବାଲା ଓ ଟିଭି ବାଲା ମୋ ପାଖକୁ ଆସିବେ କିନ୍ତୁ କାହିଁକି-----?

ଖୁଡୀ ତୁ ଯେତେବେଳେ ଭୁବନେଶ୍ଵରରୁ ଗାଁକୁ ଆସିବୁନି ବୋଲି ଯିଦି କଲୁ ଆଉ ତୋ ବୋହୂକୁ କହିଲୁ ମୁଁ ମୋ ପୁଅ ପାଖରେ ଏଣିକି ରହିବି ସେଇ କଥାରେ ତ ବୋହୂ ସଦାକୁ କି ଶିକ୍ଷା ଦେଲା ଯେ ସେ ତୋ ଚୁଟି ଘୋଷାରି କାର୍ ରେ ବରଦସ୍ତି ବସାଇବା ବେଳେ କିଏ ଜଣେ ଫଟୋ ଉଠାଇ ଫେସ୍ ବୁକ୍ ରେ ଛାଡି ଦେଇଛି ଯେ ସେ କଥା ଭାଇରାଲ୍ ହୋଇଗଲାଣି ଚାରି ଆଡେ । ତୋ ପୁଅକୁ ପୋଲିସ ଆରେଷ୍ଟ କରିପାରେ ।

ଏଇ କଥା ଶୁଣି ଲୋଭା ବାହୁନା ପକାଇ କାନ୍ଦିବାକୁ ଲାଗିଲା। ଜଗା ଗାଳି କଲା ,ଏ ଖୁଡୀ ଏବେ କାନ୍ଦିବା ବେଳ ନୁହେଁ ଲୋ ,ଘଟଣା କଣ ସତ କହ , ଜାଣିଲେ ସିନା କିଛି ଉପାୟ ବାହାର କରିବା । ହଁ ରେ ଜଗା ଏ ଖରାରେ ମୋ ମୁଣ୍ଡ କଣ ହୋଇଯାଉଛି, ମୋତେ ଟିକେ ଛାଇକି ନେଇଗଲୁ । ପାଣି ମୁନ୍ଦେ ପିଇ ସବୁ କହିବି ,କାଲିଠାରୁ କିଛି ଖାଇନି ତ ----,

କଣ କହିବିରେ ଜଗା ,ତୁ ଛାଡି କରି ମୋତେ ଚାଲି ଆସିଲୁ ହେଲେ ପୁଅ ବୋହୂରେ କି ଝଗଡ଼ା ମୋ ପାଇଁ,ବୋହୂ କହିଲା ତୁମ ମା' ରହିଲେ ମୁଁ ଏ ଘରେ ରହିବିନି, ତାଙ୍କ ଦେହରୁ ଗୋବର ଗନ୍ଧ ବାହାରୁଛି,ସେ ମୋ ଚାକରାଣୀ ଠାରୁ ବି ଅପରଛନିଆଁ, ବୋହୂ ତା ପାଖାପାଖି ରହୁଥିବା ଭଉଣୀକୁ ଡାକି ପିଲା ଦିଇଟାଙ୍କୁ ଭଉଣୀ ଘରକୁ ଛାଡିଦେଲା କାଳେ ମୋ ଦେହରୁ କିଛି ରୋଗ ତା ପିଲାଙ୍କୁ ଡେଇଁଯିବ ବୋଲି,ତଥାପି ପୁଅ ମୋ ପାଇଁ ନେହୁରା ହେଲା । ବୋହୂର ସେଇ ଗୋଟିଏ କଥା, ମୁଁ ରହିଲେ ସେ ରହିବନି, ମୋ ପାଟିରୁ ଖାଲି ଏତିକି ବାହାରି ପଡିଲା ବୋହୂ ତମ ଶଶୁର ଚାଲି ଗଲା ପରେ ମୁଁ ପର ଘରେ ଅଇଁଠା ଧୋଇ ଓ ଗୋବରରେ ଘଷି ପାରି ପୁଅକୁ ବଡ ହାକିମ କରିଛି, ମୁଁ ସତ କହୁଚି ଗୋବର ଘାଣ୍ଟିବା ଛଡା ମୋ ପାଖରେ କିଛି ଉପାୟ ନଥିଲା , ଉଦୁ ଉଦିଆ ଖରା ବେଳେ ଗାଁ ସାରା ଲୋକ ଶୋଇ ଥିବେ ମୁଁ ଆ ତାଗୁହାଳୁ ଗୋବର ଚୋରି କରି ଆଣି ଘଷି ପାରେ । ଶୁଖିଲା ପରେ ଫଡାକୁ ପଠାଣ ସାହିରେ ପଚିଶ୍ ପଇସାରେ ବିକେ , ଏମିତି କେତେ ପଚିଶ୍ ପଇସା ଏକାଠି କରି ମୁଁ ପୁଅ ସଦା ପାଇଁ ବହି ଖାତା କିଣେ । ମୁଁ କଣ ମା ହୋଇ ଭୁଲ୍ କରିଛି କି ବୋହୂ ?

ଏଇ କଥାରେ ସଦା କଣ ବୁଝିଲା କେଜାଣି ମୋତେ ଗୋଡରୁ ମୁଂଡ ଯାଏ ପିଟିଦେଇଗଲା । ଦେଖନୁ ଦେହ ସାରା ମାଡ ଚିହ୍ନ କେମିତି ଜକେଇଛି । କହିଲା କଣ ନା ତୁ ଅତୀତରେ ମୋ ପାଇଁ କଣ କରିଥିଲୁ ସେ କଥା ମୋ ସ୍ତ୍ରୀକୁ କହି ତୁ ମୋତେ ଛୋଟ କରିଦେଲୁ, ଏଇ କଥାରେ ବୋହୂ ବି କହିଲା ଦେଖୁଛ ଟି ତମ ମା କେତେ ଛୋଟ ଲୋକ, ଏକଥା ଯେତେବେଳେ ମୋତେ କହିପାରିଲେ କାଲି ସାହି ପଡିଶା ସାଙ୍ଗ ସାଥିଙ୍କୁ କାହିଁକି ନକହିବେ ,ତାଙ୍କୁ ତୁରନ୍ତ ଘରୁ ବାହାର କର ।

ପୁଅ ବି କିଛି ନବୁଝି ତା ଅଫିସ୍ ଡ୍ରାଇଭରକୁ ଡାକି ମୋତେ ସେଇ ରାତିରେ ଗାଁକୁ ଫେରି ଆସିବାକୁ କହିଲା । ମୁଁ ମନାକଲି , କହିଲି ସକାଳେ ଯିବି ଗାଁରେ ଜାଣିଲେ ଖରାପ ହେବ କଥା। ସେ କଣ କିଛି ଶୁଣିବା ଅବସ୍ଥାରେ ଥିଲା,ମୋତେ ମୁଥା ମାରି ଚୁଟିକୁ ଘୋଷାରି ଘୋଷାରି ଆଣି ଗାଡିରେ ବସାଇଲା ।ବହୁତ କାନ୍ଦିଲି , ମୁଣ୍ଡ ବାଡେଇ ଦେଲି ହେଲେ ସେ କଣ କିଛି ଶୁଣିଲା କି ? କିଛି ଲୋକ ପାଟିକରି କହିଲେ ଏମିତି କଣ ବୁଢୀଟିକୁ ମାରୁଛ ହେଲେ ପୁଅ କଣ କହିଲା ଜାଣୁ ଜଗା ,

ଲୋକ ମାନଙ୍କୁ କହିଲା ପାଗେଳୀଟା ରାତିରେ ମୋ ଘରକୁ ପଶି ଆସିଛି । ବିଚରା ଗାଡି ବାଲା ପୁଅଟି କଣ ଭାବିଲା କେଜାଣି ରାତିରେ ତା ଏକ ବଖରିଆ ଘରେ ରଖି ସକାଳୁ ଆଣି ଗାଁରେ ଛାଡିଲା । ଏକ ଦୀର୍ଘନିଃଶ୍ୱାରେ ଜଗା କହିଲା ଖୁଡୀ ବର୍ତ୍ତମାନ ପରିସ୍ଥିତି ବହୁ ଭୟାବହ, ସେ ଗାଡି ଡ୍ରାଇଭର ହିଁ ତା ମୋବାଇଲ୍ ରେ ଫଟୋ ଉଠାଇ ଫେସ୍ ବୁକ୍ ରେ ଛାଡି ପୋଲିସ୍ କୁ ରିପଟ କରିଛି । ପୋଲିସ ତମ ମୁହଁରୁ ଶୁଣିବା ପରେ ସଦାକୁ ଆରେଷ୍ଟ କରିବ । ଖୁଡୀ ଏଇତ ପୋଲିସ୍ ଆସି ଗଲାଣି ବୋଧେ, ଲୋଭା ଘର ଭିତରକୁ ଝପଟି ଯାଇ ଚୁପ୍ ଚାପ୍ ଶୋଇ ପଡିଲା ।ପୋଲିସ୍ ଆସି ଦୁଆର ମୁହଁରେ ଡାକିଲେ ଲୋଭା ବେହେରା , ଲୋଭା ବେହେରା ଘରେ ଅଛନ୍ତି, ଲୋଭା ଚାଦର ଘୋଡାଇ ହୋଇ ଜ୍ୱର ହୋଇଛି କହି ପୋଲିସ୍ ଆଗରେ ଠିଆ ହେଲା , ପୋଲିସ ଲୋଭାକୁ ମୋବାଇଲ୍ ର ଭିଡିଓଟିକୁ ଦେଖାଇ କହିଲା ଏ ଭଦ୍ର ବ୍ୟକ୍ତି ତୁମର ପୁଅ। ଲୋଭା ହଁ କହିଲା ପରେ ପୋଲିସ ପୁଣି ପଚାରିଲେ ସେ କାହିଁକି ତମକୁ ଏପରି ନିର୍ମମ ଭାବରେ ପିଟୁଛନ୍ତି ।ଲୋଭା ଛଳନା କଲା ପୁଅ ଲୋଭରେ ।ମାତ୍ୱତର ମମତାରେ ,କହିଲା ସେ କାହିଁକି ମୋତେ ପିଟିବ ,ସେତ ସହରରେ ଆଉ ମୁଁ ଗାଁରେ ।ବର୍ଷେ ହେବ ମୁଁ ମୋ ପୁଅକୁ ଦେଖିନି ଏଇ ଆଖିରେ । ପୋଲିସ୍ ଆଶ୍ଚର୍ଯ୍ୟ! ତେବେ ଇଏ କିଏ ? ସେ କଥା ମୁଁ କହିପାରିବିନି ପୋଲିସ୍ ବାବୁ ।ଏ ଜଗତରେ ଯେତେ ପୁଅ ଅଛନ୍ତି ମୋ ପୁଅ ସବୁଠାରୁ ଭଲପୁଅ । ସେ ମୋତେ କେବେ ମାର୍ ଧର୍ କରେନି ।ଏ ସାରା ଗାଁ ଲୋକ କହିବେ ମୋ ପୁଅ ବହୁତ ଭଲ ।

ତଥାପି ପୋଲିସ କହିଲା ରାତିରେ ଘଟିଥିବାରୁ ଏ ଫଟୋରେ ତୁମ ମୁହଁ ସ୍ପଷ୍ଟ ଜଣା ପଡୁନି ତଥାପି ଏ ଫଟୋ ଯଦି ତମର ବୋଲି ପ୍ରମାଣିତ ହେବ ତାହାଲେ ,

କିଏ ପ୍ରମାଣ ଦେବ ପୋଲିସ୍ ବାବୁ, ମୁଁ ତ ମନା କରୁଛି ସେ ଫଟୋ ମୋର ନୁହେଁ ।

ଯଦି ତମକୁ କୋଟ୍ ରେ ପଚରାଯାଏ ତାହାଲେ ତମେ କଣ ଫାଙ୍କି ଦେବ ,

ଯୋଉଠି ପଚାରିଲେ ବି ମୁଁ ସେଇ ଗୋଟିଏ କଥା କହି ବି ସେ ଫଟୋ ମୋର ନୁହେଁ,ନିରୁତ୍ତର ପୋଲିସ୍----

ଦୁଇ ଦିନ ପରେ ଗାଡି ଡ୍ରାଇଭର ଆସି ଲୋଭାକୁ ପ୍ରଣାମ କରି କହିଲା ମା ' ଏମିତି ମିଛ କାହିଁକି କହିଲେ, ସରକାର ଏବେ ନିୟମ କରିଛନ୍ତି ପୁଅ ବୋହୂ ଯଦି ବୃଦ୍ଧ ପିତାମାତାଙ୍କୁ ନିର୍ଯ୍ଯାତନା ଦିଅନ୍ତି ତେବେ ଆଇନ୍ ତାଙ୍କୁ ଦଂଡିତ କରି ଜେଲଦଣ୍ଡ ଦେବ ।

ଲୋଭା ହସିଲା, କହିଲା ଡ୍ରାଇଭର ପୁଅ କହି ପାରିବ ଏମିତି କୋଉ ବି ମା' ଅଛି ଜନ୍ମ କଲା ପୁଅକୁ ଜେଲ ପଠାଇ ପାରିବ । ମା ' ପରା ଦଶମାସ ଦଶଦିନ ଗର୍ଭକଷ୍ଟକୁ ବେଖାତିରି କରି ଛୁଆ ଜନ୍ମ କରେ । ମୁଁ ସତ କହିଥିଲେ ମୋ ପୁଅର ପିଲା ଦୁଇଟି ଅନାଥ ହୋଇ ଯାଇଥାନ୍ତେ ,ମୋ ବଂଶରେ କଳଙ୍କ ଲାଗିଥାନ୍ତା ।

ଡ୍ରାଇଭର୍ ହାତ ଯୋଡି ଦେଇ କହିଲା ଏଇ ଘଟଣା ପାଇଁ ଆପଣଙ୍କ ପୁଅ ଯିଏ ମୋ ହାକିମ ସେ ସବୁଦିନ ପାଇଁ ମୋତେ ଚାକିରୀରୁ ଛଟେଇ କରିଦେଲେ । ମୋ ପିଲା ଛୁଆ ଏବେ କଣ କରିବେ ?

ତଥାପି ମୋର ଦୁଃଖ ନାହିଁ ଗୋଟିଏ ନିର୍ଯ୍ଯାତିତ ମା ପାଇଁ ଯଦି ସହାନଭୂତି ଦେଖାଇ ଚାକିରୀ ହରାଇଲି ସେ ମୋ ପାଇଁ ମହାନ ଶିକ୍ଷା । ଆଜିଠାରୁ ମୁଁ ତୁମ ପରି ମା' ମାନଙ୍କର କେବଳ ସେବା କରିବି ବୃଦ୍ଧାଶ୍ରମଟିଏ କରି । ଲୋଭା ଡ୍ରାଇଭରକୁ କୋଳେଇ ନେଇ କାନ୍ଦୁଥିଲା ଏବଂ କହୁଥିଲା ମୋର ତ ଏ ଖରାର ଜୀବନ, ଛାଇ ଟିକେ ଦେବାକୁ ଯାଇ ଚାକିରୀ ହରାଇଲୁ । ପୁଣି ଗୋବରରେ ଘଷି ପାରି ତୋ ପିଲାଙ୍କୁ ମଣିଷ କରିବି । ଆଜିଠାରୁ ତୁ ମୋର ପୁଅ ଏବଂ ଏ ଇନ୍ଦିରା ଆବାସ ବି ତୋର । ଏ ଗରିବ ମା ପାଇଁ ସଦାଶିବ ଉପଯୁକ୍ତ ନୁହଁ ଏଇ ଡ୍ରାଇଭର ପୁଅ ଉପଯୁକ୍ତ । ଦୂରରେ ଜଗା ଠିଆ ହୋଇ କାନ୍ଦୁଥିଲା । କାନ୍ଦି କାନ୍ଦି ଡ୍ରାଇଭର ହାତକୁ ଗାଡି ଚାବିଟେ ଦେଇ କହିଲା ,ନେ ମୋ ଗାଡି ଆଜି ଠାରୁ ତୁ ଚଲାଇ ପଇସା ରୋଜଗାର କରିବୁ ହେଲେ ମୋ ଖୁଡୀକୁ ଛାଡି କରି ଯିବୁନି ।

ମନୋରମା ମିଶ୍ର

ଶକ୍ତି ନଗର , ଶିଶୁପାଳ ଗଳ୍ପ

******


Rate this content
Log in

More oriya story from Manorama Mishra

Similar oriya story from Tragedy