Manorama Mishra

Tragedy

3  

Manorama Mishra

Tragedy

ବର୍ଷା ହେଲେ ମୋ -- ବୋଉର ଭାରି ଡର

ବର୍ଷା ହେଲେ ମୋ -- ବୋଉର ଭାରି ଡର

4 mins
14.2K


ବର୍ଷା ଦିନ ଆସିଲେ ମୋ ବୋଉର ମନ ତଳେ ଝଡ ଉଠେ ।ସାରା ବର୍ଷା ଋତୁ ସେ କାନ୍ଦେ ଗଗନ ଫଟାଇ । ଲୁହ ଲହୁକୁ ଏକ କର କରି ଗାଳି କରେ ବର୍ଷା ଋତୁକୁ । ଘୋଷି ହୁଏ ବାରଂବାର--

"ବରଷା କାଳ ଅଟେ ମଂଗଳକାରୀ

ପାଳଇ ପରଜାଙ୍କୁ ବରଷି ବାରି "

ହଁ ମଂଗଳକାରୀ। ମୋ ଘର ତ ଭାଙ୍ଗିଲା । ଇଜତ୍ ଲୁଟିଲା । ହାତରୁ ଶଙ୍ଖା ମଥାରୁ ସିନ୍ଦୁର ପୋଛିଲା। କ'ଣ ନା ମଂଗଳକାରୀ।

ବୋଉର ଏହା ପାଗଳାମି ବୋଲି ଜମାରୁ କହି ପାରିବିନି ବରଂ ସେ ଦିନର ସେଇ ବର୍ଷା ରାତିର ବାସ୍ତବତା ମୁଁ ଦେଖିଛି ଏକ ପାଷାଣର ପ୍ରତି ମୂର୍ତ୍ତି ହୋଇ। ତିନି ବର୍ଷ ତଳର କଥା। ସେଇ ବର୍ଷ ମୁଁ ନୂଆ ନୂଆ କଲେଜ ଯାଉଥାଏ। ମନରେ ଅନେକ ସ୍ୱପ୍ନ ବହୁତ ପଢିବି ।ହେଲେ ଗରିବ ମାଣରେ ପୁରନ୍ତା ମୋହ ।ବୋଉ ମନା କରୁଥାଏ ବାପା କିନ୍ତୁ କହିଲେ ପଢୁ । ମୁଁ କେତେବେଳେ ଆରପାରି କି ଚାଲି ଯିବି ଠିକ୍ ଠିକଣା ନାହିଁ। ପୋଷିଲା ପୁଅ ତ କୁଆଡେ ଫେରାର। ମୋ ଶ୍ୱାସ ରୋଗ ପାଇଁ ବର୍ଷା ଦିନେ ଜମି ପଡିଆ ପଡୁଛି। ଝିଅ ଯଦି ପଢିବ ପଢୁ । ମୋ ଅନ୍ତେ ତୁମ କଥା ବୁଝିବ । ଆଜିକାଲି ପୁଅଙ୍କ ଅପେକ୍ଷା ଝିଅକୁ ଶିକ୍ଷିତ କରିବା ଉଚିତ୍। ପାଖକୁ ଡାକିଲେ ବାପା--

ମା’ ନୀରୁ ମନ ଦେଇ ପାଠପଢ ।ଚାକିରୀ ନ ପାଇଲେ ବି ଏଇ ଗାଁର ପିଲାଙ୍କୁ ଟିଉସନ କରି ତମେ ମା’ ଝିଅ ଚଳିଯିବ।କିଛି ନହେଲେ ବି ଏବେ ଠାରୁ କିଛି ପିଲାଙ୍କୁ ଟିଉସନ କର । ତୋ କଲେଜ ଖର୍ଚ୍ଚ ଉଠିଯିବ । ବାପାଙ୍କର ଏଇ କେଇ ପଦ କଥା ହିଁ ମୋତେ ଆଜି ବହୁତ ସାହସ ଓ ଧର୍ଯ୍ୟଦେଇଛି । ଆଜି ମୋର ମନେ ପଡୁଛି ମୋ ବାପାଙ୍କ କଥା । ଏଇ ବର୍ଷାକୁ ଦେଖି। ଠିକ୍ ସେଦିନ ବି ଏମିତି ଭୟଙ୍କର ଝଡ ବର୍ଷା ହେଉଥିଲା । ବର୍ଷାକୁ ଦେଖି ବୋଉ ବି ଡରିଗଲା । ବର୍ଷା ଦିନେ ବାପାଙ୍କର ଶ୍ୱାସଟା ବଢିଯାଏ। ଭୟଙ୍କର କଷ୍ଟ ହୁଏ । ବୋଉ ଗାଳି କଲା ବର୍ଷାକୁ । ଅଲକ୍ଷଣୀ ବର୍ଷା ତୁ କାହିଁକି ଏ ଗରିବ ଘରକୁ ଆସୁ ?

କାହିଁକି ଏ ରୋଗୀଣା ଘରକୁ ଆସୁ । ଯାଉନୁ ବଡ ଘର ବଙ୍ଗଳାକୁ ସେଠି ରାଜ କରିବୁ । ମୋତେ ଧରି କାନ୍ଦେ --ନୀରୁ ଦେଖୁଛୁ ତୋ ବାପା କେମିତି କଷ୍ଟ ପାଉଛନ୍ତି। କେମିତି ଧଇଁ ପେଲି ହେଉଛନ୍ତି। କେମିତି ସଂଭାଳିବା ତାଙ୍କୁ। ଭାଇଟା କୁଆଡେ ଗଲା ଯେ ତାର ଖୋଜ ଖବର ନାହିଁ।

ତୁ ଟିଉସନରୁ କେତେ ପଇସା ପାଇବୁ ଯେ ବାପାଙ୍କର ଶ୍ୱାସ ପାଇଁ ଔଷଧ ପତ୍ର ଦେବୁ । କ’ଣ କରିବି ବୋଉକୁ କିଛି ବି କହି ପାରେନି ଖାଲି ମିଛ କହେ । ତୁ ବ୍ୟସ୍ତ ହଅନା ବାପା ଭଲ ହୋଇ ଯିବେ । ନା ବୋଉ ଖାଇପାରେ ନା ରାତିରେ ଶାନ୍ତିରେ ଶୋଇ ପାରେ । ବାପାଙ୍କ କଷ୍ଟକୁ ଦେଖି ଖାଲି ମୁଣ୍ଡ ବାଡେଇ ଭଗବାନଙ୍କୁ ଡାକେ । ଇନ୍ଦିରା ଆବାସ ଏକ ବଖରିଆ ଘର । ସରକାରଙ୍କ ପଇସାରେ ଛାତ ସିନା ପଡିଯାଇଛି ହେଲେ କବାଟ ଝରକାରେ ଅଖା ଝୁଲିଛି। ଯାହା ଦ୍ଵାରା କି ବର୍ଷା ପାଣି ଥଂଡା ପବନ ସବୁ ଘରମୁହାଁ ହୋଇ ବାପାଙ୍କର ଶ୍ୱାସକୁ ଆହୁରି ଭୟଙ୍କର କରୁଛି।ଡାକ୍ତର କହିଛି ଶ୍ୱାସ ରୋଗୀ ତ ଯେତେ ଉଷୁମରେ ରଖି ପାରିବ । ବୋଉ କହିଲା ନୀରୁ ଏ ବର୍ଷା ଛାଡିବନି । କାଲି କି ବାପାଙ୍କର ଇଞେକ୍ସନ୍ ନାହିଁ କି ପାଖରେ ପଇସା ବି ନାହିଁ। ମୁଁ କାଲିଠାରୁ ଆପାର୍ଟମେଣ୍ଟ କାମରେ ଯିବି କଣ୍ଟାକ୍ଟର ରଘୁନାଥ ଡାକିଛି । ବର୍ଷା ହେଉଛି କହି ତୁ ମୋତେ ମନା କରିବୁନି। ମୁଁ ନ ଗଲେ ମୋ ଜାଗାରେ ସେ ଆଉ କାହାକୁ ଡାକିନେବ ।ଆମ ଦୁଃଖ ଦେଖି ଅଧିକ କିଛି ଅଗ୍ରୀମ ଦେବ କହିଛି ।ତୁ ଟିଉସନ ସହିତ ବାପାଙ୍କୁ ସଂଭାଳିବୁ । ବାପାଙ୍କୁ ଆଉ ସଂଭାଳି ହେବନି । ଭୟଙ୍କର କଷ୍ଟ ପାଉଛନ୍ତି। ବର୍ଷା ବି ଛାଡୁନି। ବୋଉ ଦିନ ନଅଟାରେ କାମକୁ ଯାଇଥିଲା ଯେ ରାତି ଆସି ଦଶଟା । ଏ ଝଡ ବର୍ଷାରେ ଗଲା କୁଆଡେ କୋଉଠି ରହିଲା । ଫୋନ୍ ଥାନ୍ତା କି କଣ୍ଟାକ୍ଟର ପାଖକୁ ଫୋନ କରି ବୁଝି ଦିଅନ୍ତି। ସାଇର ଶେଷ ମୁଂଡ ଘର । ଏକା ଯାଇ ବି ପାରିବିନି କାହାକୁ ଡାକିବାକୁ । ହେ ଭଗବାନ ବାପା କାହିଁକି ଥରକୁ ଥର ଡୋଳା ଲେଉଟାଇ ଦେଉଛନ୍ତି। କାହିଁକି ଏତେ ଜୋରରେ ଧଇଁ ସଇଁ ହେଉଛନ୍ତି------

ବୋଉ କହୁଥିଲା ଆଜି ବାପାଙ୍କର ଇଞେକ୍ସନ୍ ନେବାର ପାଳି । ଆସିଲା ବେଳକୁ ଇଞେକ୍ସନ୍ ଆଣିବି ଓ ପଂଚୁ କଂପାଊଂଡରକୁ ଡାକି ଆଣିବାକୁ କହି ଯାଇଥିଲା ହେଲେ ବୋଉ ଗଲା କୁଆଡେ ।

ଏଁ -------

ଏ କ’ଣ ହେଲା । ବାପାଙ୍କ ଡୋଳା ଲେଉଟି ଯାଇଛି। ସାରା ଦେହ ନିସ୍ତେଜ। ଉଚ୍ଚ ନିଃଶ୍ଵାସ ସବୁ ନୀରବ -------

ବାପା------ବାପା------ବାପା

ନୀରୁର କାନ୍ଦ ସହିତ ବର୍ଷାର ପ୍ରକୋପ ବଢୁଥିଲା । ବାପାଙ୍କ ପାଦ ତଳେ ବସି ସେ ବି ନିର୍ବାକ ପାଲଟି ଯାଇଥିଲା । ନା କାନ୍ଦି ପାରୁଥିଲା ନା ବାପାଙ୍କୁ ଛାଡି ବାହାରକୁ ଯାଇ ପାରୁଥିଲା ।

ସକାଳ । ବର୍ଷା ବି ଛାଡି ଆସୁଥିଲା । ନୀରୁ ଦେଖୁଥିଲା ବୋଉ ତାର ଫେରୁଛି ।

ଉଦାସ ମୁହଁରେ କିଛି ହରାଇ ଫେରିବାର ଅନୁଚିନ୍ତା । ବାପା ମରିଶୁଦ୍ଧା ସତେଜ କିନ୍ତୁ ଜୀବନ ନେଇ ଫେରିଥିବା ବୋଉଟା କାହିଁକି ମରିଗଲା ପରି ଲାଗୁଛି ।

ଧାଇଁ ଯାଇ କହିଲା ବୋଉ ତୋର କ’ଣ ହୋଇଛି । ତୁ କାହିଁକି ଏମିତି-----

ବୋଉ ନୀରୁକୁ କୁଣ୍ଢେଇ ଭେଁ ଭେଁ କାନ୍ଦି ଉଠିଲା।

ବାପାଙ୍କର ମୃତ୍ୟୁ ସେଦିନ ନୀରୁକୁ ଯେତିକି କଷ୍ଟ ଦେଇ ନଥିଲା କଷ୍ଟ ଦେଇଥିଲା ତାର ଚାଳିଶି ବର୍ଷର ମା'କୁ ରଘୁନାଥ କଣ୍ଟା କଟର କେମିତି ବର୍ଷାର ଆଳ ଦେଖାଇ ସାରାରାତି ଅଧା ଗଢା ଆପର୍ଟମେଂଟ ଭିତରେ ଜବରଦସ୍ତି ବଳାତ୍କାର କରିଥିଲା ଓ ତା’ ହାତରେ ଗୁଞିଦେଇ ଥିଲା ସାହାଯ୍ୟ କଲି କହି କିଛି ଟଙ୍କା ବିଡା ।

ବୋଉ ସେଦିନ ସେଇ ଟଙ୍କା ଗୋଛାକୁ ରଘୁନାଥ ମୁହଁକୁ ଫୋପାଡି ଭାରାକ୍ରାନ୍ତ ମନକୁ ନେଇ ଫେରି ଯେତେବେଳେ ଶୁଣିଲା ବାପା ନାହାନ୍ତି ସେଦିନ ବୋଉର କରୁଣ ଚିତ୍କାର ଆଜି ମୋ ମନରେ ପ୍ରତିଶୋଧର ମହାଭାରତ ପାଇଁ ଶୀତଳ ଯୁଦ୍ଧ ଖୋଜୁଛି । କେମିତି ନାରୀ ଆଜି ସୁରକ୍ଷା ପାଇବ ।

ଶେଷ କଥା ବି ଭୁଲି ପାରିବି ନାହିଁ। ବାପାଙ୍କ ଜୁଇ ଜଳିବାକୁ କାଠ ମିଳୁନାହିଁ। ସାହି ସାରା ସମସ୍ତ ବାଡିରେ କାଠ ଅଛି ହେଲେ ବର୍ଷାରେ ଓଦା ହୋଇ ଯାଇଛି। ଜୁଇ ଲାଗିବ କିମିତି ।

ଶୁଖିଲା କାଠ ବଜାରରୁ କିଣିବା ପାଇଁ ପଇସା ଦରକାର ।ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ କାଠ ମିଳେ ହେଲେ ସରପଞ୍ଚ ଯାଇଛନ୍ତି ବିଦେଶ ଗସ୍ତରେ।

ସବୁର ଭାବନା ଭିତରେ ବୋଉ ତା’ ହାତର ଶେଷ ସଙ୍କେତ ସୁନା ଖଡୁ ଦୁଇ ପଟକୁ ଖୋଲି ମୋ ହାତକୁ ବଢାଇ ଦେଲା ।

କହିଲା ନେ.. ଆକୁ ବିକି କି ବଂଧା ପକାଇ ବାପା ପାଇଁ ଶୁଖିଲା କାଠ ବଜାରରୁ କିଣି ଆଣ ।

ତୋ ବାପା ଚାଲି ଗଲା ପରେ ଏ ଚୁଡିରେ ମୋର ଆଉ ପ୍ରୟୋଜନ କ’ଣ ?

ବରଂ ତାଙ୍କରି କାମରେ ଲାଗୁ ------

ବୋଉ ହାତରୁ ଖଡୁ ଧରିବା ବେଳେ ମୋ ଗୋଡରୁ ମୁଂଡ ଯାଇ ଥରୁଥିଲା ଗୋଟାପଣେ ବୋଉ ବର୍ଷାକୁ ଦେଖିଲେ ଯେମିତି ଥରେ ----------।

ମନୋରମା ମିଶ୍ର

340/2181, ଶକ୍ତି ନଗର ।ଶିଶୁପାଳ ଗଡ।ପୁରୁଣା ଭୁବନେଶ୍ଵର।

9861674497 Mail id- anuragoriya@gmail.com


Rate this content
Log in

Similar oriya story from Tragedy