Snigdharani Panda

Tragedy

4.0  

Snigdharani Panda

Tragedy

ଦୀପାବଳୀର ରାତି

ଦୀପାବଳୀର ରାତି

2 mins
152


ସେଦିନ ଥାଏ ଦୀପାବଳୀ। ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ। ମୁଁ କିନ୍ତୁ ଘରେ ନଥାଏ। ବାରି ପଟେ ଥିବା ପୋଖରୀ କୂଳରେ କିଛି ଦିନ ହେବ ବାଲି ଗଦା ହୋଇଥାଏ। ମୁଁ ବାରିଆଡ଼େ ବୁଲିବୁଲି ଯାଇ ସେଠାରେ ପହଞ୍ଚିଗଲି। ସନ୍ଧ୍ୟା ହୋଇ ଆସୁଥାଏ ତ ପୋଖରୀକୂଳ ଜନଶୂନ୍ୟ ହୋଇଯାଇଥିଲା। ଥଣ୍ଡା ପାଗକୁ ସୁଲୁସୁଲିଆ ପବନ। ମୋତେ ଭାରି ଭଲ‌ଲାଗିଲା। ସମୟର ଜ୍ଞାନ ରହିଲାନି। ହାଲକା ପବନରେ ପୋଖରୀ କୂଳରେ ଥିବା ସମସ୍ତ ଗଛର ପତ୍ର ଗୁଡ଼ିକ ଦୋଳି ଖେଳୁଥାନ୍ତି। ସେସବୁ ଦୃଶ୍ଯ ଦେଖି ମୋତେ ଲାଗୁଥାଏ ଯେମିତି ପ୍ରକୃତି ମାଆ ମୋତେ ହାତଠାରି ଡାକୁଛି ତା'ର ଏ ଅପରୂପ, ମନୋରମ ଦୃଶ୍ୟକୁ ଅନୁଭବ କରିବା ପାଇଁ ଆଉ ତା' କୋଳରେ ଲୋଟିଯିବା ପାଇଁ। ମୁଁ ସେ ବାଲିଗଦାରେ ଶୋଇ ଏସବୁ ଦୃଶ୍ୟ ଦେଖୁଥାଏ। ହଠାତ୍ କାହିଁକି କେଜାଣି ମୋର ଇଚ୍ଛା ହେଲା ଏ ସୁନ୍ଦର ଦୃଶ୍ୟରାଜିକୁ ସଂଗୃହୀତ କରି ରଖିବି। କିନ୍ତୁ କେମିତି? ମନେ ପଡ଼ିଲା ଘରେ ମୋବାଇଲ୍ ଫୋନ୍ ଅଛି। ସାଙ୍ଗେ ସାଙ୍ଗେ ଘରକୁ ଦଉଡ଼ିଲି। କିନ୍ତୁ ଆଜି ଯେ ଦୀପାବଳୀ, ମୁଁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି। ଆଉ ଏପଟେ ବୋଉ ଦୀପ, ମହମବତୀ ସବୁ ଚାରିଆଡ଼େ ଲଗେଇ ବସିଛି। ରାଗ ତା'ର ପଞ୍ଚମରେ। ମୋତେ ଦେଖୁ ଦେଖୁ କହିଲା, "ମହାରାଣୀଙ୍କର ବୁଲିବା ସରିଲା? ଏତେ ଶୀଘ୍ର କାହିଁକି ଆସିଲେ? ରାତି ଅଧ ଯାଏଁ ତ ବୁଲିଥାନ୍ତେ। କାହାକୁ ଡରଭୟ ଅଛି କି?" ଏମିତି କେତେ କ'ଣ କହି ଚାଲିଲା। ଶେଷରେ କହିଲା, "ଆଜି ଆଉ ଲିଚୁ ଲାଇଟ୍ ଲଗେଇବା କିଛି ଦରକାର ନାହିଁ।" "ଲିଚୁ ଲାଇଟ୍" ମନେମନେ ଭାବିଲି ମୁଁ। ଆରେ ହଁ। ଆଜି ତ ଦୀପାବଳୀ। ଆଉ ମୁଁ ଦୀପ ନଜାଳି ବୁଲୁଛି ଯେ ବୁଲୁଛି। ହେ ଭଗବାନ। ବୋଉକୁ କିଛି ନକହି ଘରୁ ଲିଚୁ ଲାଇଟ୍ କାଢ଼ି ସଜାଡି଼ ଜଳେଇଦେଲି। ପୁଣି ମନେ ପଡ଼ିଗଲା ପୋଖରୀ କୂଳର ସେ ସୁଲୁସୁଲିଆ ପବନ ଆଉ ପ୍ରକୃତିର ସୌନ୍ଦର୍ଯ୍ୟ। ଆରେ ମୁଁ ତ ମୋବାଇଲ୍ ନେବାକୁ ଆସିଥିଲି। ହଉ, ଲାଇଟ୍ ତ ଲଗେଇ ଦେଲି। ୫ମିନିଟ୍ ଭିତରେ ପ୍ରକୃତିର ଅପରୂପ ଦୃଶ୍ୟର ଫଟୋ ଆଉ ଭିଡିଓ ନେଇ ଚାଲି ଆସିବି। ଏତିକି ଭାବି ମୋବାଇଲ୍ ନେଇ ଦଉଡ଼ିଲି ପୋଖରୀ କୂଳକୁ। ପ୍ରାୟ ଅନ୍ଧାର ହେଇଗଲାଣି, କିନ୍ତୁ ଟିକେ ଟିକେ ମୁହଁ ଦିଶୁଥାଏ। କେଉଁଠି କେହି ନଥାନ୍ତି, ପୁରା ଜନଶୂନ୍ଯ। ସେ ଆଡ଼କୁ ମୋର ନିଘା ନାହିଁ। କିଛିଦୂରରୁ ବାଲିଗଦା ଉପରେ ମୋ ନଜର ପଡ଼ିଗଲା। ସେଇଠି କେହି ଜଣେ ଛିଡ଼ାହେଲା ଭଳି ଦିଶିଲା। ତା'ପରେ ତା'ର କଣ୍ଠସ୍ୱର ମଧ୍ୟ ଶୁଭିଲା। ଅନ୍ଧାରରେ ଭଲରେ ମୁହଁ ଦିଶୁ ନଥିଲା। କେବଳ ଛାଇ ଭଳି କିଛି ଦିଶୁଥାଏ। ସେ କହୁଥିଲା, "ମୀରା, ଏପଟକୁ ଆସେ। ଏଇଠୁ ବହୁତ ଭଲ ଦେଖାଯାଉଛି। ଆଉ ଫଟୋ ବି ବଢ଼ିଆ ଆସିବ। ଶୀଘ୍ର ଆସୁନୁ। ରହିଗଲୁ କ'ଣ ଯେ?" ମୁଁ କିଛି ସମୟ ରହିଯାଇ ଭାବିଲି, "ମୁଁ ତ ଘରକୁ ଗଲାବେଳେ ଏଇଠି କେହି ନଥିଲେ। ଆଉ ମୁଁ ବି କାହାକୁ କିଛି କହିନି। ତା'ହେଲେ ଇଏ କିଏ ପୁଣି କେମିତି ଜାଣିଲେ?" ଏତିକି ଭାବୁ ଭାବୁ ପୁଣି ଶୁଭିଲା, "ମୀରା, ଆସୁନୁ ଶୀଘ୍ର ଶୀଘ୍ର। ଆଉ କ'ଣ ପବନ ସରିଲାଠୁ ଆସିବୁ? କ'ଣ ଥିବ ଯେ ଆଉ ଫଟୋ ଉଠେଇବୁ?" ଏକଥା ଶୁଣିକି ମୁଁ ବ୍ୟସ୍ତ ହୋଇ ଦଉଡ଼ିଲି ବାଲିଗଦା ପାଖକୁ। କିନ୍ତୁ ଏ କ'ଣ? ମୋତେ ଯିଏ ଡାକୁଥିଲେ ସେ କୁଆଡ଼େ ଗଲେ? ମୁଁ ଆସୁଆସୁ ଉଭାନ୍। ଏମିତି କେମିତି ସାଙ୍ଗେ ସାଙ୍ଗେ କୁଆଡ଼େ ଚାଲିଗଲେ? ଯେତେ ଖୋଜିଲେ ବି ମୁଁ ପାଇଲିନି। ଏଇ ଭିତରେ ପୁରା ଅନ୍ଧାର ହୋଇ ସାରିଥାଏ। ମୋତେ ଟିକେ ଟିକେ ଡର ବି ଲାଗିଲା। ଆଉ ଫଟୋ ଉଠେଇବି କ'ଣ? ଆଖି ପିଛୁଳାକେ ସିଧା ଦଉଡ଼ିଲି ଘରକୁ। କିନ୍ତୁ ଆଜିଯାଏଁ ଜାଣି ପାରିଲିନି କି ଅନ୍ଧାରରେ ମୋତେ ଡାକୁଥିବା ସେ ବ୍ୟକ୍ତି ଜଣକ କିଏ? ହୁଏତ ସେ ହୋଇପାରେ ମୋର ଅତି ଆଦରର ପ୍ରକୃତି ମାଆ ଅବା ପୁଣି ହୋଇପାରେ କେହି ଅତୃପ୍ତ ଆତ୍ମା। ଏକଥା ଭାବି ଭାବି ଗାଢ଼ ନିଦରେ ଶୋଇଗଲି। ସକାଳ ହେବାରୁ ଯାଇ ନିଦ ଭାଙ୍ଗିଲା।


Rate this content
Log in

Similar oriya story from Tragedy