Narayan chandra Senapati

Tragedy

3  

Narayan chandra Senapati

Tragedy

ଦି ଟୋପା ଲୁହ

ଦି ଟୋପା ଲୁହ

5 mins
401



ମୋତେ ତୁମ ପାଖକୁ ନେଇଯାଅ ବାପା,। ତୋ କୋଳକୁ ପୁଣି ଫେରି ଯିବାକୁ ଚାହେଁ, ବୋଉ।କାହିଁକି ମୋତେ ଦୁରେଇଦେଲ? କାହିଁକି ମୋତେ ତୁମ ବନ୍ଧନରେ ବାନ୍ଧିପାରିଲ ନାହିଁ?ତୁମ ଖଟା ମିଠା ଗାଳି ମୋତେ କେତେ ଭଲ ଲାଗୁଥିଲା?ତୁମ କାନ ମୋଡା ମୁଁ ଏବେବି ଭୁଲି ନାହିଁ।ଏଠି ମୋତେ ଅଣନିଃଶ୍ଵାସୀ ଲାଗୁଛି।ମୋତେ କାହିଁକି ଏକୁଟିଆ ଛାଡିଦେଲ ? ମୋତେ ରାଗି ଅଟକାଇ ପାରିଲ ନାହିଁ? ମୋ ଉପରେ କଣ ଅଧିକାର ହରେଇଦେଲ? ବାପା ତୁମ ଶାସନ ହୁଗୁଳା କରିଦେଲ ନା? ଯାହାକୁ କହୁଥିଲ ତୁମ ପ୍ରାଣର ସ୍ପନ୍ଦନ ସେ କଣ ଧକ ଧକ କରୁଛି?ବୋଉ ତୁ ପରା କହୁଥିଲୁ ମୁଁ କାଳେ ତୋ ଗଳାର ମାଳି,କାହିଁକି ଛିଣ୍ଡାଇଦେଲୁ ? ଏଥିଲା ପଲ୍ଲବୀର କୋହଭିଜା କେଇପଦ ଦରୋଟି କଥା। ଅଦୃଶ୍ୟ ରାଇଜକୁ ଚାଲିଯାଇଛି ସେ।ସେହିଠାରେ ବସି ଧକେଇ କାନ୍ଦି କହୁଛି ତା ବାପା ବୋଉଙ୍କୁ।


  ବାପା ରବୀନ୍ଦ୍ର ଓ ମାଆ ପୁଷ୍ପଲତାଙ୍କୁ ଏ ଅଦୃଶ୍ୟ ରାଇଜର ସ୍ୱର ଶିହରାଇ ଦେଉଥିଲା।ରବୀନ୍ଦ୍ରଟା କୁନି ପିଲାଙ୍କ ପରି ଧକେଇ ହୋଇ କାନ୍ଦୁଥିଲା,ଆଉ ପୁଷ୍ପଲତା ତା ନିଜ ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ସତେ ଯେମିତି କାକୁତି ମିନତି ହେଉଥିଲା।


  ଦୀର୍ଘ ନିଃଶ୍ୱାସଟେ ପକାଇ ପୁଷ୍ପଲତା ଭାବିଲା ସେଦିନର ଅଲିଭା କଥା।ଘରକୁ ଆସି ଥାଆନ୍ତି ତା କଲେଜ ବେଳର ସାଥି ରଜତ ଓ ତାଙ୍କ ପତ୍ନୀ ମଲ୍ଲିକା।ଦୁହେଁ ଏବେ ଆମେରିକାରେ ଡାକ୍ତର ଡାକ୍ତରାଣୀ।ରଜତକୁ ସେ ଦେଖି ନ ଥିଲା ଦୀର୍ଘ ଚଉଦ ବର୍ଷ ହେବ।ଆଜି ସେ ତା ସ୍ତ୍ରୀକୁ ଧରି ଆସିଛି ରଜ ବୁଲି।ଆନନ୍ଦରେ ଫାଟିଉଠୁଥାନ୍ତି ରବୀନ୍ଦ୍ର ଓ ପୁଷ୍ପଲତା।ଅତିଥି ସତ୍କାର ପାଇଁ କେତେ ଯେ ବନ୍ଦୋବସ୍ତ।ହଠାତ ଫୋନ କଲ ଆସିଲା ତାଙ୍କ ଅଫିସରୁ।ତାଙ୍କୁ କାମରେ ଯୋଗ ଦେବାକୁ ହେବ।ରିଜର୍ଭ ପୋଲିସ ଚାକିରୀ।ସବୁବେଳେ ଜାଗ୍ରତ ପ୍ରହରୀ।ଯାହେଉ ସେ ପୁଷ୍ପଲତାକୁ ସେମାନଙ୍କର କଥା ବୁଝିବାକୁ କହିଦେଲା,ଆଉ ପଲ୍ଲବୀକୁ କହିଲା ଆରେ ମାଆ କୁଆଡେ ଯିବୁନାହିଁ,ଘରେ ବସି ଖେଳୁଥିବୁ,ମୁଁ ଆସିଲେ ତୋତେ ରଜ ବୁଲେଇ ନେଇଯିବି।ପୁଷ୍ପଲତାକୁ ବି କହିଲା ଝିଅକୁ ଆଖିରେ ରଖିଥିବ।ରଜତ ଓ ମଲ୍ଲିକାଙ୍କୁ ବି କହି ଚାଲିଲା ତା ରାଜକାର୍ଯ୍ୟରେ।


  ସାଙ୍ଗ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରୁଥାନ୍ତି ପୁଷ୍ପଲତା ବହୁତ ଆଗ୍ରହରେ ଓ ସରାଗରେ। ପଲ୍ଲବୀ ନିଜ ପଢିବାଘରେ କେଇଜଣ ସାଙ୍ଗ ସହ କଣ ଲୁଡୁ ଖେଳ ଖେଳୁଛି। ସାଙ୍ଗ ସାଥୀମାନେ ଗଲାପରେ ସେ ତାକୁ ଦୋଳି ଖେଳେଇବାକୁ ପାଖ ଗାଁ ପଡିଆକୁ ନେଇଯିବି କହିଛି।ମା ଏପଟେ କାମରେ ବ୍ୟସ୍ତ।ଘଣ୍ଟା ଘଣ୍ଟା ସମୟ ବିତିଗଲାଣି।ଏପଟେ ମାଆ ସାଥୀମାନଙ୍କୁ ଖାଇବାକୁ ଦେଇ ତାଙ୍କ ସହ ବାର୍ତ୍ତାଲାପ ରେ ମଜଗୁଲ ଅଛନ୍ତି।ତା ଭିତରେ ଭୁଲି ଯାଇଛନ୍ତି ପଲ୍ଲବୀ କଥା।କେତେ ଅପେକ୍ଷା କରିବ,କେତେ ବ୍ୟସ୍ତ ହେବ।ସେଇ ଭିତରେ ସାଙ୍ଗ ମାନେ ଡାକିବାରୁ କଥା କାଟି ନ ପାରି ମାଆକୁ ନ ଜଣାଇ ଚାଲିଯାଇଛି ରଜ ଦୋଳି ଖେଳିବାକୁ ସେ।ସାଥୀଙ୍କ ସହ ଗପୁଗପୁ ଭୁଲିଯାଇଛି ପୁଷ୍ପଲତା ନିଜ ଗେହ୍ଲା ଝିଅ ପଲ୍ଲବୀର କଥା।ଶେଷରେ ସାଥୀମାନଙ୍କୁ ବିଦାୟ ଦେଇ ଖୁସି ମନରେ ବାହାର ଗେଟ ବନ୍ଦ କରି ଆସି ଡାଇନିଂ କୁ ସଫା କଲା।ମନେ ପଡ଼ିଲା ପଲ୍ଲବୀ କଥା।ଗେହ୍ଲ ବସରିଆ ଦୁଇ ଡାକ ଦେଲା।କିଛି ଉତ୍ତର ପାଇଲା ନାହିଁ।ଭାବିଲା ଏ ବ୍ୟସ୍ତତା ଭିତରେ ତାକୁ ନ ଖୋଜିବାରୁ ସେ ଅଭିମାନ କରିଛି ବୋଧେ।ତାକୁ ବୋଧ କରିବାକୁ ଗଲା। ଦେଖିଲା ତା ପଢ଼ା ଘରର କୋଠରୀ ଖୋଲା,କେହି ନାହିଁ।ଭାବିଲା ପଲ୍ଲବୀ ବୋଧହୁଏ ରାଗି ଅଭିମାନ କରି ସବୁ କୋଠରୀ ଉପର ମହଲାର କୋଠରୀ ତନ୍ନ ତନ୍ନ ଖୋଜିଦେଲା।କେଉଁଠି ବି ନାହିଁ।ଭାବିଲା ପଲ୍ଲବୀ ରାଗି ସାଥୀମାନଙ୍କ ସହ ବୋଧେ ଖେଳିବାକୁ ଚାଲି ଯାଇଥିବ।ସେ ତ ତାକୁ ସବୁବେଳେ କହି ଯୁଆଡେ ପାଖକୁ ଯାଏ।ତା ବାପା ବୁଲା ବୁଲି ପସନ୍ଦ କରନ୍ତି ନାହିଁ।ରବିବାର କି ଅନ୍ୟାନ୍ୟ ଛୁଟି କିମ୍ବା ପର୍ବ ପର୍ବାଣୀରେ ସାଥିରେ ନେଇ ବୁଲାନ୍ତି।କଣ କରିବ,କୁଆଡେ ଯାଇଛି ଖୋଜିବ,ରବୀନ୍ଦ୍ର ଜାଣିଲେ ବିଗିଡିବେ,ସେ କେମିତି ଭୁଲିଗଲା ବ୍ୟସ୍ତତା ଭିତରେ,ସବୁ ବ୍ୟସ୍ତ ଭିତରେ ପଲ୍ଲବୀକୁ ଦେଖିବା ଓ ତା କଥା ବୁଝିବା ଥିଲା ତା ବଡ଼ କାମ।ହଠାତ ଘରୁ ବାହାର ଗେଟ ପାଖକୁ ଗଲା।ଭାବିଲା କିଏ ପାଖରେ ଚିହ୍ନା ଲୋକ ଥିଲେ ପଚାରିବି କି କୁଆଡେ ଖୋଜିବାକୁ କହିବ।ଗେଟ ଖୋଲିଲା,ଏପଟ ସେପଟ ଚାହିଁଲା,ଦେଖିଲା କେହି ଚିହ୍ନା ମୁହଁ ବି ନାହିଁ।କିଛିଲୋକ ଗାଡି ମୋଟରରେ ସାଇଁ ସାଇଁ ବିଜୁଳି ବେଗରେ ଛୁଟିଛନ୍ତି।ଶେଷରେ ଦେଖିଲା ପାଖ ଦୋକାନୀ ମକରା ଦୌଡ଼ି ଦୌଡ଼ି ଆସୁଛି।ତା ଦେହରେ ଜୀବନ ପଶିଲା,ଭାବିଲା ତାକୁ କହିବ ପଲ୍ଲବୀକୁ ଟିକେ ଦେଖିବାକୁ।ସେ ବା କହିବ କଣ, ମକରା ଅଣନିଃଶ୍ଵାସୀ ହୋଇ ତା ପାଖକୁ ଦୌଡୁଛି କିଛି କହିବାକୁ।ମକରା ପାଖରେ ପହଞ୍ଚିଲା।ପୁଷ୍ପଲତା ମକରାକୁ କହିଲା,ମକରା, ତୁମ ସାର ଘରେ ନାହାନ୍ତି,ଝିଅଟା ନ କହି କୁଆଡେ ଚାଲିଯାଇଛି ଟିକିଏ ଦେଖନ୍ତ ନାହିଁ।ଦୋଳି ଖେଳି ଯିବ ବୋଲି ବହୁତ ଜିଦ କରୁଥିଲା।ତା ବାପା ଆସିଲେ କି ମୋ କାମ ସରିଲେ ନେବୁ ବୋଲି କହିଥିଲୁ।ବୋଧେ ବିଳମ୍ବ ହେବାରୁ ଚାଲିଯାଇଛି।ମକରା ନିର୍ବାକ।ମୁହଁ ତଳକୁ କରି ଛିଡ଼ାହୋଇଥାଏ।ପୁଷ୍ପଲତା କହିଲା, ତୁମେ କିଛି କହୁନ ଯେ,କଣ ହୋଇଛି କି ତୁମ୍ଭର?ମକରା ଆଖିରେ ଲୁହ,କେମିତି କଣ ବା କହିବ?ଛୋଟ ଛୁଆଟାକୁ ସେ କେତେ କାଖେଇଛି,ଦୋକାନରୁ ଚକଲେଟ ଦେଇଛି,ମଝିରେ ମଝିରେ ବୁଲେଇ ନେଇଛି,ହେଲେ ଆଜି ତା ଅଶୁଭ ଖବର କହିବ ବା କିପରି?କିଛି କହିଲା ନାହିଁ ମକରା,ଖାଲି ଆଙ୍ଗୁଳି ଦେଖାଇ ଠାରି କହିଲା ସେଇ ଜାଗାକୁ।ପୁଷ୍ପଲତା ମନରେ ଆଶଙ୍କା ଆସୁଥାଏ।ଦୌଡ଼ିଲା ସେହି ଜାଗାକୁ ଯେଉଁଠି ପିଲାମାନେ ମାନୁଥିଲେ ରଜ, ଖେଳୁଥିଲେ ମନ ଭରି ଉପଭୋଗ କରିଥିଲେ ରଜଦୋଳି ଖେଳ।


 ଅସଂଖ୍ୟ ଭିଡ଼।କୋଳାହଳ ବି ବହୁତ।ଗହଳି ଭାଙ୍ଗି ପଶିଲା ଭିତରକୁ,ନିଜ ଆଖିକୁ ଵିଶ୍ଵାସ କରିପାରିଲା ନାହିଁ ସେ।ପଲ୍ଲବୀ ଶୋଇଛି ତଳେ।ନିଘୋଡ଼ ନିଦରେ ଏମିତି ଶୋଇଛି ଯେ ଯେଉଁନିଦ୍ରା କେବେ ଭାଙ୍ଗେ ନାହିଁ।ଟିକିଏ ଶୁଆଇବା ପାଇଁ ତାକୁ କେତେ କଷ୍ଟ ଲାଗୁଥିଲା।ଆଜି ଭୁଇଁରେ ମାଟିରେ କେତେ ଆନନ୍ଦରେ ସେ ଶୋଇଛି।ହୃଦୟ ଫାଟିଗଲା ତାର।ଚାରିଆଡେ ଅନ୍ଧକାର ଦେଖାଗଲା।କଣ କରିବ,କଣ କହିବ ରବୀନ୍ଦ୍ରକୁ,କଣ କହିବ ତା ବିବେକକୁ,ତା ଯତ୍ନହୀନତା ଓ ଦାୟିତ୍ୱ ହୀନତାକୁ।ପାଗଳି ପରି ସେ ଖଣ୍ଡ ମୂଲକକୁ ସେ ଝଡ ପରି ଚିତ୍କାରର ରୋଳ ସୃଷ୍ଟିକଲା।ସଂଗେ ସଂଗେ ଖବର ପାଇ ପୋଲିସ ଗାଡ଼ିରେ ଫେରିଲେ ରବୀନ୍ଦ୍ର।ଦେଖିଲେ ପଲ୍ଲବୀକୁ କିନ୍ତୁ ନ ଥିଲା ତା ପଲ୍ଲବୀତ ଦେହ,ମନ କି ଆବେଗ।ଖାଲି ଥିଲା ଝଡରେ ଉପୁଡିପଡ଼ିଥିବା ଚିର ପଲ୍ଲବିତ ଛୋଟ ଗଛଟି।ଲୁହକୁ ଶୋଷି କୋହକୁ ଚାପି ନିର୍ବାକ ଅଭିନେତା ପରି ହୃଦୟକୁ ଭିତରେ କ୍ଷତ ବିକ୍ଷତ କରିପକାଇଲେ।ବୋଧ କଲେ ପୁଷ୍ପଲତାକୁ।ପୁଷ୍ପଳତା ନିଜ ଭୁଲ ପାଇଁ ବାରମ୍ବାର କ୍ଷମା ମାଗୁଥାନ୍ତି।ରବୀନ୍ଦ୍ର ଅନେକ ବୁଝାଇଲେ ଏବଂ କହିଲେ ଏ ପୁଷ୍ପ...ମନେ ପକାଅ ଅତୀତ...ଏ ସବୁ ପରା ଭାଗ୍ୟର ଖେଳ।


 ପୁଷ୍ପ ମନେ ପକାଇଲେ ଅତୀତକୁ।ପୁଷ୍ପ ଥିଲା ଏକ ସମ୍ଭ୍ରାନ୍ତ ବଂଶର ବେପରୁଆ ଝିଅ।କାହାରିକୁ ଖାତିର ନ ଥିଲା ତାର।ଭଲପାଇ ଜିଦ ଧରି ବିବାହ କଲା ରବୀନ୍ଦ୍ରକୁ।ଚାଲିଲା ଆନନ୍ଦର ସଂସାର।ହସ,ଆନନ୍ଦ,ମଉଜ,ମଜଲିସ,ଉପଭୋଗର ବରଷା ଟୋପାଗୁଡ଼ାକ ବାରମ୍ବାର ସେମାନଙ୍କ ଉପରେ ଅଜାଡି ହୋଇ ପଡୁଥାନ୍ତି।ବର୍ଷକ ପରେ ପୁଷ୍ପ ହେଲେ ଦୁଇଟି ଯାଆଁଳା ପୁଅର ମାଆ।ଭାବୁଥିଲେ ଏମାନେ ମୋର ଲବ କୁଶ।ଜିଦ ଧରିଲେ କାର ଚଳାଇ ଶିଖିବାକୁ,ଶିଖିଗଲେ ମଧ୍ୟ।ପାଖ ଜାଗାକୁ କେତେବେଳେ କେମିତି ଲବକୁଶଙ୍କୁ ବୁଲାଇ ନିଅନ୍ତି।ଛଅବର୍ଷର ହୋଇଗଲେ ପିଲା ଦୁଇଟା।ଦିନେ ଅଭିମାନରେ ଋଷିଲେ ପୁଷ୍ପ ରବୀନ୍ଦ୍ର ଉପରେ।ସମସ୍ତେ କେତେ ବୁଲା ବୁଲି କରୁଛନ୍ତି କିନ୍ତୁ ତୁମେ ପୋଲିସ ବାଲା ବୋଲି ବୁଲିବା ଆମ ଭାଗ୍ୟରେ ନାହିଁ।ବହୁତ କଷ୍ଟରେ ଦୁଇ ଦିନ ଛୁଟି ଆଣିଲେ ରବୀନ୍ଦ୍ର,ନିଜ କାରରେ ବାହାରିଲେ ବୁଲି।ଶିମିଳିପାଳ ଅଭୟାରଣ୍ୟ ଦେଖି ବରେହିପାଣି ଘାଟିରେ ଆସିଲା ବେଳେ ଜିଦ କଲା ପୁଷ୍ପ ଗାଡି ଚଳେଇବାକୁ।ବହୁତ ମନା କରିଛି ଏହା ବିପଦପୂର୍ଣ୍ଣ ଜାଗା।ମାନିଲାନି ସେ ଦ୍ରୁତ ଗତିରେ ବେପରୁଆ ହୋଇ ଚଳାଇଲା ସିନା ସନ୍ତୁଳନ ହରାଇ ଆମନ୍ତ୍ରଣ କଲା ଆକସ୍ମିକ ଦୁର୍ଘଟଣାକୁ।ଗୋଟିଏ ଗଛରେ ବାଡେଇ ହେଲା କାର।ଦୁହେଁ ହେଲେ ସଂଜ୍ଞାହୀନ,ଗାଡି ରହିଗଲା ସେଇ ଜାଗାରେ ମାତ୍ର ପଛରେ ବସିଥିବା ଲବ କୁଶ ଡୋର୍ ବାହାରଯିବାରୁ ଛିଟିକି ପଡିଲେ ଦୁଇଶହ ଫୁଟ ତଳକୁ ହରାଇଲେ ଜୀବନ।ଆହୁରି ଦୁଃଖ କଥା ଦୁର୍ଘଟଣାରେ ଆଘାତ ଜନିତ କାରଣରୁ ପୁଷ୍ପର ଭବିଷ୍ୟତରେ ମାଆ ହେବାର ଆଶା ମଉଳି ଯାଇଥିଲା।ବେପରୁଆ,ଅହଙ୍କାରୀ ପୁଷ୍ପ ସମସ୍ୟାର ତାଡନାର ଧୀରେ ଧୀରେ ବଦଳିଗଲା।ଓଷା,ବ୍ରତ,ଉପବାସ ରହି ଡାକିଲା ଜଗତର ନାଥ ଜଗନ୍ନାଥଙ୍କ।ଦୀର୍ଘ ଦୁଇବର୍ଷ ପରେ ଶୁଣିଲେ ଜଗତର ନାଥ ତାର ଡାକ।ପୁଣି କୋଳ ଭରିଉଠିଲା ପଲ୍ଲବୀର ମଧୁର ଛୁଆଁରେ।ଆନନ୍ଦ ଉଲ୍ଲାସରେ କଂପିଉଠିଥିଲା ରବୀନ୍ଦ୍ର ଓ ପୁଷ୍ପର ମେଦିନୀ।


ହେଲେ ଆଜି ପୁଣି ସେଇ ହତଭାଗ୍ୟର ଭାଗ୍ୟ ଟାଣିନେଲା ଶୁନ୍ୟତାର କୋଠରୀକୁ।ଏଇମିତି କ୍ରନ୍ଦନ ଓ ଚିତ୍କାରରେ ସତେ ଯେମିତି ସେ ଭୂଇଁ କଂପିଉଠୁଥିଲା।ସମସ୍ତଙ୍କର ଦୃଷ୍ଟି ଶ୍ମଶାନରେ ଥିବା ପଲ୍ଲବୀ ଉପରେ।ଆଖିଉଠାଇ ଚାହିଁଲା ବେଳକୁ ରବୀନ୍ଦ୍ର ଓ ପୁଷ୍ପଲତା ଦୁହେଁ ଦୁହିଁଙ୍କୁ ଚାହିଁ ନିଜ ନିଜର ଅନ୍ତର ବେଦନା ଜଣାଉଥାନ୍ତି।ବୋଧ କରିବାକୁ ସତେ ଯେମିତି ଆଗେଇ ଆସୁଥାନ୍ତି ଆଉ ଭାଗ୍ୟ ଉପହାସ କରି ଠୋ ଠୋ ହସୁଥାଏ ଚାହିଁ ଦୁହିଁଙ୍କୁ।ଚାହୁଚାହୁଁ ସେଦିନର ହସ ହସ ମୁହଁ ପଲ୍ଲବୀଟାର ଚିତା ଜଳୁଥାଏ।ସେହି ଚିତା ଭିତରୁ ଲାଗୁଥାଏ ପଲ୍ଲବୀ କାନ୍ଦି କାନ୍ଦି ହାତ ବଢ଼େଇ ଡାକୁଛି ତା ବାପା ମାଆଙ୍କୁ। ସେଇ ମୁହୂର୍ତ୍ତରେ ଝରିଆସୁଥାଏ ରବୀନ୍ଦ୍ର ଓ ପୁଷ୍ପଲତା ଦୁଇ ହତଭାଗ୍ୟଙ୍କ ଦୁଇ ଭିଜା ଭିଜା ନୟନରୁ "ଦି ଟୋପା ଲୁହ"।



Rate this content
Log in

Similar oriya story from Tragedy