ଧିକ୍ ଏ' ମଣିଷ
ଧିକ୍ ଏ' ମଣିଷ
କେଉଁ ମରହଟିଆ ପୁରୁଣା କାଳିୟା ଆଦିମ ଯୁଗର ଗୋଟେ ନମୁନା। ଛି-ଛି କେଉଁଠୁ-କେଉଁଠୁ ଚାଲି ଆସୁଛନ୍ତି ମୁଁହ ଉଠାଇ କେଜାଣି, ଯେଉଁ ମାନଙ୍କୁ ସଭ୍ୟ ସମାଜର ଆଚାର-ବ୍ୟବହାର, ଚାଲି-ଚଳନ, ରହଣୀ-ସହଣୀ ଜଣ ନାହିଁ। ଏହିପରି ଅନେକ କଥା ଶୁଣିବାକୁ ପଡ଼ିବା ସଙ୍ଗେ ସଙ୍ଗେ ତୁଚ୍ଛ ବ୍ୟବହାର, ହୀନ ଭାବ, ନ୍ୟୁନ-ନଗଣ୍ୟ ଦୃଷ୍ଟିରେ ଦେଖୁ ଥିଲେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀ ଯାଇଥିଲି ଚାକିରୀ ଅନ୍ୱେଷଣରେ।
ସମୟ ସାଥେ ସାଥେ ଦିନ ବିତିବାରେ ଲାଗିଲା ବେସରକାରୀ ସଂସ୍ଥାରେ ଅସ୍ଥାୟୀ ପଦରେ କିରାଣୀ ଭାବେ ନିଯୁକ୍ତି ପାଇଯାଇଥିଲି। ସ୍ୱଳ୍ପ ବେତନରେ ସପନକୁ ମାରି ସାଙ୍ଗ ମାନଙ୍କ ସହ ଯେମିତି ହେଉ ଚାଳି ଯାଉଥିଲି। କିନ୍ତୁ ଚଳେଇ ପାରୁନଥିଲି ଆଧୁନିକତାର ଚାଦର ପିନ୍ଧି ଚାମୁକୁ ଥିବା ତଥା-କଥିତ ଭଦ୍ର, ସଭ୍ୟ, ଜ୍ଞାନୀ-ଗୁଣୀ ଜନଙ୍କର କଟାକ୍ଷ, ଇଙ୍ଗିତ, ଉପହାସ ଇତ୍ୟାଦି।
ଦିନକର ଘଟଣା, ବସର ଝରକା ପାଖ ସିଟ ରେ ବସି ଥାଏ, କୋଳରେ ଛୋଟ ପିଲାଟିକୁ ଧରି ଜଣେ ମହିଳା ମ ପାଖରେ ଆସି ବସିଲେ ଏବଂ ନିଜ ମୁବାଇଲ ରେ କାହା ସହ କଥାହେଲେ, ଅଚାନକ କିଛି ସମୟ ପରେ ମତେ କହିଲେ ପିଲାକୁ ବହୁତ ଗରମ ଲାଗୁଛି କଣ ମତେ ଝରକା ପାଖେ ବସିବାକୁ ଟିକେ ସୁଜଗ ଦେବେ। ମୁଁ ଉଭୟଙ୍କୁ ଦେଖିଲି ଏବଂ ସିଟ ପରିବର୍ତ୍ତନ କରିବାକୁ ସ୍ୱୀକୃତି ଦେଲି। ପ୍ରସନ୍ନ ଚିତ୍ତରେ ସେ ବସି ଶୀତଳ ପବନର ମଜା ସହ ପୁଣି ଫୋନେ ରେ ନିଜକୁ ହଜେଇ ଦେଲେ। ଅଚାନକ କୋଳରେ ଶିଶୁଟି କାନ୍ଦିବାକୁ ଲାଗିଲା, ଜମା ତୁନୀ ହେଉ ନଥାଏ କିନ୍ତୁ ମା' ଫୋନ ଦୁନିଆଁରୁ ବାହାରି ପାରୁନଥାନ୍ତି।
ପିଲାର କୁଆଁ କୁଆଁ କାନ୍ଦ ମତେ ଅଥୟ କରୁଥିଲା, ଆଉ ବିବ୍ରତ କଣ୍ଠେ କହିଲି କ'ଣ ଆପଣଙ୍କୁ କିଛି ଶୁଭୁ ନାହିଁ ? କିନ୍ତୁ ଯେଉଁ ଉତ୍ତର ସେ ଭଦ୍ର ମହିଳା ଜଣକ ହେଇଥିଲେ
ତାହା ଶୁଣି ମୋର ହୋସ ଉଡି ଯାଇଥିଲା। ସେ କହିଲେକି "ଯଦି ତୁମକୁ କିଛି ଶୁଭୁଛି ତାହେଲେ ତୁମେ ପିଲାକୁ ଧରି ବସ"।ସ୍ତବ୍ଧ ହୋଇ ଚାହିଁ ରହିଥାଏ ସେହି ମହିଅଶୀ ମହିଳାଙ୍କୁ, କାନରେ ଗୁଞ୍ଜରିତ ହେଉଥିଲା ତାଙ୍କର ଉତ୍ତର। ଠିକ ଏହି ସମୟରେ ପିଲାଟି ବାନ୍ତି କରି ଦେଲା ତା ମା’ କୋଳରେ।
ଯେଉଁ ମା’ ଫୋନରୁ ନିଜକୁ ବାହାର କରି ପାରୁ ନଥିଲେ, ଯାହାଙ୍କୁ ନିଜ ପିଲାର ଅର୍ତ୍ତ ଚିତ୍କାର ଶୁଭୁ ନଥିଲା, ତାଙ୍କୁ କିନ୍ତୁ ନିଜ ପିନ୍ଧା ଲୁଗାର ବାନ୍ତି ଦେଖା ହୋଇ ଗଲା। କ୍ରୋଧରେ ଜର୍ଜରିତ ହୋଇ ତୁରନ୍ତ ଫୋନେ କଲ କାଟି ଦେଇ ଗାଳି କରୁ କରୁ ଶିଶୁଟିକୁ ନିସ୍ତୁକ ପିଟିବାରେ ଲାଗିଲେ । ଯେତେବେଳେ ଅତିରିକ୍ତ ହୋଇଗଲା ମୁଁ ଜୋରରେ ଚିତ୍କାର କରି କହିଲି..... ବାସ.... ବହୁତ ହେଇଗଲା । ତୁମେ ଏ ପିଲାର ଜନ୍ମଦାତ୍ରୀ ମା' ନା ସାବତ ମା', ତୁମ ମଧ୍ୟରେ ହୃଦୟ ଅଛି ନା ପଥର ହୋଇ ଯାଇଛି, ମନ ମଧ୍ୟେ ସମ୍ବେଦନତା ଅଛି ନା ବାସନାରେ ବୁଡି ଯାଇଛି। ଏହି ବୋଧେ ତୁମ ସଭ୍ୟ ସମାଜର ସଂସ୍କାର, ଏହି ବୋଧେ ଆଧୁନିକତାର ଶିକ୍ଷା, ଏହି ବୋଧେ ତୁମ ମାନଙ୍କର ମାନ ବିକତା, ଏହି ବୋଧେ ନିରୀହ ବାଳୁତ ପିଲାଙ୍କ ପ୍ରତି ଆଦର-ସେହ୍ନ, ଏହି ବୋଧେ ବିଜ୍ଞାନ ଯୁଗର ନାରୀର ମମତା। ତୁମ ହୃଦୟରେ ଟିକେ ମାନବିକତା ବଞ୍ଚିଛିନା ନା ମାରି ଯାଇଛି।
ଆରେ ରାସ୍ତାରେ ବୁଲୁ ଥିବା ଜୀବକୁ ଦୁଇ ଦିନ ଖାଇବାକୁ ଦେଲେ ଟିକେ ଆଦର-ଆପଣା ପଣ ଦେଖାଇଲେ ଅକୁହା କଥା ବି ବୁଝି ନିଏ, କିନ୍ତୁ ଆଜି ଯାଏ ବୁଝି ପାରିଲିନି; କଥା କହିପାରୁଥିବା, ଭାବି ପାରୁଥିବା, ବିବେକ ଥିବା, ଜାତି ଶ୍ରେଷ୍ଠ ମାନବ ଅନ୍ୟର ଦୁଃଖ, କରୁଣ, ଯନ୍ତ୍ରଣା କାହିଁକି ବୁଝି ପାରୁନି।
ବେଳେବେଳେ ଲାଗେ "ଧିକ୍ ଏ ମଣିଷ ଜୀବନ" ବୋଧେ ଭଲ, ନିରୀହ ମଣିଷ ପାଇଁ ଏଠି ସ୍ଥାନ ନାହିଁ।