ପରଦୃଶ୍ୟ
ପରଦୃଶ୍ୟ
ମୁଁ ଏଠୁ ଗଲାପରେ
ପଡି ରହିଥିବ ନିହାତି ଅସଜଡା ଭାଵେ
ମୋ ହାତ ବାଜି ବାଜି ଚିରି ଯାଇଥିବା ପୃଷ୍ଠାର କିଛି ବହି';
କିଛି ଅଧାଲେଖା ଗଳ୍ପ,
ଅସମାପ୍ତ ଚରିତ୍ରଙ୍କ ଅହେତୁକ କଥା;
କବିତାର ଅଧା ଲେଖା ପଂକ୍ତି;
ତାକୁ ସଜାଡି ଦେଵାକୁ କେହି ଜଣେ ଆସିଵା ପର୍ଯ୍ୟନ୍ତ ।।
ମୁଁ ଏଠୁ ଗଲା ପରେ -
ମୌନ ହୋଇ ରହିଥିବେ
ସଞ୍ଜଵତୀର ଚିହ୍ନ
ଦୀପତଳ କଳା ଚିକିଟା ଦାଗ,
ଅଧାଜଳା ଧୂପର ପାଉଁଶ,
ଦେଵତାଙ୍କ ପାଦ ତଳେ ଓଜଡା ମଉଳା ଫୁଲ,
ଅଧାଲିଭା ଚନ୍ଦନର ଛିଟା,
ତାକୁ ପୋଛିଦେଵା ପାଇଁ କାହା ହାତ ଆସି ବାଜିବା ପର୍ଯ୍ୟନ୍ତ ।।
ମୁଁ ଏଠୁ ଗଲାପରେ
ଶୁଖି ପଡ଼ି ଥିବେ
ବାଡ଼ି ପଛ ପଟ ପାଚେରୀରେ
ମାଡ଼ି ଥିବା କଖାରୁ,କଲରା
ଆଉ ଅପରାଜିତାର ଲଟା,
ପାଣିଟୋପେ ନ ପାଇ
ମୁହଁ ଶୁଖାଇ ରହିଥିବା କିଛି ଫୁଲ କୁଣ୍ଡ,
ଜୁଳୁ ଜୁଳୁ ଚାହୁଁ ଥିବ ଲଙ୍କା
ପୁଣି ଵାଇଗଣ ଗଛ
ଆଉଜଣେ କେହି ତାଙ୍କୁ
ସେ୍ନହରେ ଭିଜାଇ ଦେବା ପର୍ଯ୍ୟନ୍ତ ।।
ମୁଁ ଏଠୁ ଗଲା ପରେ ଏଠି ପଡ଼ି ରହିଥିବେ
ଅଧାଧୁଆ ଚା'କପ୍,
ଅଘୋଡା କରେଇ,
ଅପଖଳା ଭାତ,
ସରିସରି ଆସୁଥିବା ଆଚାରର ମହକ,
ମୋ ହାତଛୁଆଁରେ ଅଭ୍ୟସ୍ତ ତେଲ, ଲୁଣ, ହଳଦୀର ଡ଼ଵା;
ଭାବୁଥିବେ ଝୁରୁଥିଵେ ଚାହିଁ ଥିବେ ମୋତେ !
କେହି ଜଣେ ଆସି ତାଙ୍କ ସହ ଵନ୍ଧୁତା ଵାନ୍ଧିଵା ପର୍ଯ୍ୟନ୍ତ ।।
ମୁଁ ଏଠୁ ଗଲା ପରେ
ସଵୁଠୁ ପ୍ରିୟ ଵୋଲାଉଥିଵା
କେହି ମା, ଵାପା ,ଛାତ୍ର ଛାତ୍ରୀ
ପୁଅ ଝିଅ, ଵନ୍ଧୁ ପରିବାର
ଆଖି ରେ ଲୁହଦାଗ ଧରି ମୋ ପାଇଁ ଝୁରିହେବେ
ମୋ ନଥିବାପଣକୁ କଳସରେ ରଖି,
କିଛି ଦିନ ମନଭରି ମୋତେ ହିଁ ଲୋଡିବେ,
ଧିରେ ଧିରେ ସମୟର ଧୂଳି ଜମି ଯାଇ
ନୂତନ ଅଶାର ଉମଙ୍ଗକୁ ନେଇ
ସୁଖର ଝଲକ ଆସି ମୋ ଶୂନ୍ୟ ସ୍ଥାନ ଭରିଯିବା ଯାଏ ।।