STORYMIRROR

Titi Sarangi

Tragedy

2  

Titi Sarangi

Tragedy

ଚୋରଣୀ

ଚୋରଣୀ

3 mins
15.1K


ଯୋଉ ଦିନ ଜଣା ପଡିଲା ତା ପେଟରେ ଝିଅଟେ ଅଛି ସେଇଦିନ ହିଁ ସିଏ ତଡା ଖାଇଲା ତା ଶାଶୁ ଘରୁ।ପ୍ରଥମ କରି ସେ ମାଆ ହେଉଥିଲା ।ଝିଅରୁ ବୋହୂ ଆଉ ବୋହୂରୁ ମାଆ ହବା ତ ଜୀବନର ଚରମ ସଫଳତା ଆଉ ସବୁଠୁ ଖୁସିର ଅନୁଭବ ନାରୀଟିଏ ପାଇଁ।ହେଲେ ସେ ସ୍ବପ୍ନରେ ବି ଭାବି ନଥିଲା ଯୁଗ ଏତେ ବଦଳି ଗଲାଣି ।ତା ପେଟର ଛୁଆଟା ପୁଅ କି ଝିଅ ଡାକ୍ତର ପରୀକ୍ଷା କରି କହି ଦେଇ ପାରନ୍ତି !! ସେଇଥି ପାଇଁ ଦି ମାସର ଭୃଣଟା ପୁଅକି ଝିଅ ଟେଷ୍ଟ କରିବା ପାଇଁ ତାକୁ ନେଇଗଲା ବେଳେ ସେ ପ୍ରତିବାଦ କରି ନଥିଲା ।।ସବୁ ଟେଷ୍ଟ କରେଇ ନେଲା ବିନା ପ୍ରତିବାଦରେ ।ଭାବୁଥିଲା ଏଇ ଟେଷ୍ଟ ଗୁଡାକ ତା ଛୁଆର ଭଲ ପାଇଁ ହେଉଛି ।

ନୂଆ ନୂଆ ପ୍ରେମ ଦୁନିଆରେ ପାଦ ଥାପିଥିବା ମନ ପ୍ରତାରଣା ବୋଲି ଶବ୍ଦଟିଏ ଯେ ଥାଇପାରେ ଏକଥା କଳ୍ପନା ବି କରି ପାରେନା।ପୁଣି ମୀରା ଭଳି ଛଳଛଳ ହୃଦୟର ଝିଅଟି ଶାଶୁ ଘରକୁ ଆସିଲା ବେଳେ ସାଥୀରେ ଆଉ କିଛି ଆଣୁ କି ନଆଣୁ ପ୍ରେମ ପୂର୍ଣ୍ଣ ମନଟେ ନେଇ ଆସିଥିଲା।ସେଥିରେ ପୁଣି ସ୍ବାମୀ ତ ରଙ୍କ ଘରେ ରାଜା କୁଣିଆ !! ସେଇଥି ପାଇଁ ତାର ଦେହଟା ନିଃସର୍ତରେ ତାଙ୍କୁ ସମର୍ପି ଦେଲା ବେଳେ ସେ ଯେ କେବେ ପ୍ରତାରିତ କରି ପାରନ୍ତି ଏ କଥା ମୀରା ମନକୁ ଛୁଇଁ ବି ନଥିଲା।କିନ୍ତୁ କଳ୍ପନାଠୁ ବାସ୍ତବତା ଆହୁରି ନିଷ୍ଠୁର।ମୀରା ହୃଦୟ ଭରି ଭଲ ପାଉଥିବା ସେଇ ପରମ ପ୍ରେମିକ ସ୍ବାମୀ ଜଣକ ମଧ୍ଯ ଶାଶୁଙ୍କ ସାଙ୍ଗେ ସାମିଲ୍ ହେଇ ତାକୁ ଘରୁ ତଡିବାରେ ସାହାଯ୍ଯ କଲେ।ସେ ଚାଲିଗଲେ ଆଉ ଜଣକୁ ତା ସ୍ବାମୀ ବାହା ହେଇ ପାରିବେ।କାରଣଟା ମଧ୍ଯ ଅତି ତୁଛ।ମୀରା ଗର୍ଭପାତ କରେଇ ବାକୁ ରାଜି ହେଲାନି।କୁଆଡେ ଗଲା ତାଙ୍କ ପ୍ରତି ତା ମନରେ ଥିବା ଭଲ ପାଇବା ? ଯାହାକୁ ଦେବତା ଭାବୁଥିଲା ସେ ତ ଅତି ତୁଛ ସ୍ବାର୍ଥପର ମଣିଷଟେ ।ବାଧ୍ଯ ହୋଇ ମୀରା ବାପଘରକୂ ଫେରିଲା।ଆଇନ୍ ସାହଯ୍ଯରେ ଲଢେଇ କଲା ଭଳି ସମ୍ବଳ କି ସାମର୍ଥ୍ଯ ମୀରା ବାପାଙ୍କର ନଥିଲା।

ପାଠ ତ ପଢି ନଥିଲା ବେଶୀ। ପର ଘରେ କାମ କରିବାକୁ ଗଲା ।ହେଲେ ଏକଣ ?ଟିକିଏ ପରିଶ୍ରମରେ ସେ ହାଲିଆ ହେଇ ଯାଉଛି କାହିଁକି ??ଜର ବି ଛାଡୁନି ।ଟେଷ୍ଟ କଲା ପରେ ତା ପାଦ ତଳୁ ମାଟି ଖସିଗଲା ।ତା ରକ୍ତରେ ଏଚ ଆଇ ଭି ପଜିଟିଭ୍ !!କେମିତି ଏ ଦୁରାରୋଗ୍ଯ ବ୍ଯାଧି ତାକୁ ହେଲା ?? ତାକୁ ଟେଷ୍ଟ କରୁଥିବା ଡାକ୍ତର କ୍ଳିଅର୍ କରେଇ ଦେଲେ ଯଦି ତାର ଅନ୍ଯ କାହା ସହ ସଂପର୍କ ଅଛି କି ଅନ୍ଯ କିଏ ନେଇଥିବା ସିରିଞ୍ଜରେ ସେ ଇଞ୍ଜେକ୍ସନ୍ ନେଇଛି .…...ତାର ମନେ ପଡିଲା ,ତାକୁ ଲିଙ୍ଗ ନିରୂପଣ ଟେଷ୍ଟ କଲା ବେଳେ ସେ ଇଜଞ୍ଜେକ୍ସନ୍ ନେଇଥିଲା । ବୋଧେ ସେତେବେଳେ ଏ ରୋଗ ତା ପାଖକୁ ଆସିଛି ।କେତେ ସରଳ ଏ ଜୀବନକୁ ସ୍ବାର୍ଥପରତା ହିଁ ଜଟିଳ କରି ଦିଏ।ପେଟର ପିଲାଟିକୁ ସଂକ୍ରମି ଯିବାର ବି ଚାନ୍ସ ଅଛି ।ହେଲେ ଉପଯୁକ୍ତ ଚିକିତ୍ସା କଲେ ଛୁଆଟି ଭଲ ହେଇଯିବ। କୋଉଠୁ ଆଣିବ ଏତେ ପଇସା ??ସେତିକି ଚିନ୍ତା କରୁକରୁ ଥଳକୂଳ ପାଉ ନଥିବା ବେଳେ ଘରେ ବି ତାକୁ ରହିବାକୁ ଆଉ ଦିଆ ଗଲାନି।ଭାଇ ଭାଉଜ ତା ଭଳି ପେସେଣ୍ଟ ସାଙ୍ଗେ ନିଜ ଛୁଆ ପିଲାଙ୍କୁ ରଖିବାକୁ ଚାହିଁଲେନି ।ତଥାପି ତା ମାଈକିନା ଜୀବନ ଏତେ ଟାଣ ଯେ ସେ ଭାଙ୍ଗି ପଡିଲାନି।

ଯେମିତି ହେଲେ ତା ଝିଅକୁ ପୃଥିବୀର ଆଲୋକ ସେ ନିଶ୍ଚୟ ଦେଖାଇବ। ଦୁନିଆ ଭିତରେ ଏତେ ଟିକେ ଯାଗାରେ ସେ ତା ଝିଅକୁ ପାଳିବ ,ଏଇ ଜିଦ୍ ଭିତରେ ସେ ମୁଣ୍ଡ ଟେକି ଠିଆ ହେଲା।ଏବେ ତା ଝିଅ ତିନି ବର୍ଷର।ସହର ପରେ ସହର ସେ ଘୁରି ବୁଲେ ପରିଚୟ ବଦଳେଇ।କାରଣ ଗୋଟେ ଯାଗାରେ ରହିବା ତା ପାଇଁ ସମ୍ଭବ ହୁଏନି।ପରଘରେ କାମ କରୁକରୁ ସିଏ ପାଲଟି ଗଲା ପକ୍କା ଚୋରଣୀ।ଝିଅର ଚିକିତ୍ସା କରେଇବା ନିଶାରେ ଟଙ୍କା ଚୋରୀ କରିବା ଅଭ୍ଯାସ କରି ନେଇଥିଲା।ଶେଷକୁ ପୋଲିସର ଵାଣ୍ଟେଡ୍ ରୂପରେ ସେ ଲିଷ୍ଟେଡ୍ ହେଇଗଲା।ଝିଅ ଧୀରେଧୀରେ ବଡ ହଉଛି ଆଉ ବଢୁଥିଲା ତାର ଅଳି ଝଳି ।ହେଲେ ଉପଯୁକ୍ତ ପରିମାଣର ପଇସା ସେ ଠୁଳେଇ ପାରୁ ନଥିଲା ।ବାରମ୍ବାର ଯାଗା ବଦଳେଇ ତା ରୋଗିଣା ଦେହଟା କ୍ଳାନ୍ତ ହେଇ ପଡୁଥିଲା। ହେଲେ ଜୀବନଟିଏ କୁ ସୃଷ୍ଟିଚକ୍ରରେ ଆଗେଇ ନବାକୁ ମାଆଟିଏର କି ଅଦମ୍ଯ ଉତ୍ସାହ!!

ହେଲେ ସବୁଦିନ ସମାନ ଯାଏନି।ମୀରା ଧରା ପଡିଲା ଦିନେ ପୋଲିସ ହାତରେ।ଦରମଲା ତା ଜୀବନଟା ପାଇଁ ସେ ଆଉ ଅଗ୍ରହୀ ନଥିଲା ।ତେଣୁ ନିଜ ଭୁଲ୍ ସେ ସ୍ବୀକାର କଲା ସିଏ ବିନା ଅନୁତାପରେ।କିନ୍ତୁ ପୋଲିସ୍ ପାଖରୁ ପ୍ରତିଶୃତି ଆଦାୟ କରି ନେଲାକି ତା ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଦେବେ।

ଦିନେ ଯୋଉ ଜୀବନଟିକୁ ଠେଲି ଦିଆ ଯାଉଥିଲା ମୃତ୍ଯୁ ମୁଖକୁ ଏବେ ସେଇ ଜୀବନଟି ଜୀଇଁବାର ସୁଯୋଗ ପାଇବ। ଅମୂର୍ତର ସନ୍ଧାନ ଦେଇଗଲା ତାକୁ ତା ଚୋରଣୀ ମାଆ ,ଘୋଡା ଚଢା ବାପ ନୁହଁ।


Rate this content
Log in

Similar oriya story from Tragedy