ଚାଷୀ ପୁଅ
ଚାଷୀ ପୁଅ
ବାଲେଶ୍ୱର ପବ୍ଲିକ ହାଇସ୍କୁଲ, ୨୦୦୭ ମସିହା ସମୟରେ ଜିଲ୍ଲାସ୍କୁଲ ପରେ ଏକପ୍ରକାର ଧନୀକ ଗୋଷ୍ଠୀର ପିଲାଙ୍କ ସ୍କୁଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେତେବେଳେ ସେ ସ୍କୁଲରେ ବୋଧେ ସବୁଠୁ ଗରିବ କେତେଟା ହାତଗଣତି ଛାତ୍ର ଭିତରେ ସେ ବି ଥିଲା। ଏକଥା ସତ ଯେ ଟାଇ ବେଲ୍ଟ ଓ କଳାଧଳା ଜୋତା ନଥିବାରୁ ବହୁବାର ଡ୍ରିଲ ପିରିଅଡ଼ରେ ତା ସହ ଆଉ ୨/୩ଜଣଙ୍କୁ ଧାଡିରୁ ବାହାର କରି ଦିଆଯାଉଥିଲା କିମ୍ବା ପ୍ରାର୍ଥନା ସମୟରେ ବାହାରକୁ କାଢି ଦିଆ ଯାଉଥିଲା। ତେବେ ଏ କଥାରୁ ବେଶି କଷ୍ଟ ଦେଉଥିଲା ଯେତେବେଳେ ଅଷ୍ଟମ ଶ୍ରେଣୀରେ ଉପକ୍ରମ (introduction) କ୍ଲାସରେ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କ ପୂର୍ବ ବିଦ୍ୟାଳୟ, ଘର, ମାର୍କ ଏସବୁ ପଚାରୁ ପଚାରୁ ବାପା କଣ କରନ୍ତି ବୋଲି ପଚାରି ଦେଉଥିଲେ। ସବୁଥର ପରି ଅଶି ପ୍ରତିଶତ ମାର୍କ ରଖି ଛାତି ଫୁଲେଇ ହାତ ଟେକୁଥିବା ପିଲାଟି ନିଜକୁ ଚାଷୀ ପୁଅ ବୋଲି କହିବାକୁ ଭାରି ସଂକୋଚ କରୁଥିଲା। କେଜାଣି ହୁଏତ ସେ ନିଜକୁ ଭଲ ଛାତ୍ର ହିସାବରେ ଗର୍ବ ଅନୁଭବ କରିବା ପରିବର୍ତ୍ତେ "ତୋ ବାପା କଣ କରନ୍ତି" ର ଉତ୍ତରରେ ଚାଷୀ ବୋଲି କହିବାକୁ ଖୁବ ଘୃଣା କରୁଥିଲା। ବୋଧହୁଏ ରାଜନୀତି, ଡାକ୍ତର, ପୋଲିସ କିମ୍ବା ଅନ୍ୟାନ୍ନ ଚାକିରି କରୁଥିବା ବାପାର ବଦମାସ ପିଲାଙ୍କ ସାମ୍ନାରେ ତା ଆତ୍ମସମ୍ମାନ କୁଆଡେ ହଜି ଯାଉଥିଲା।
ପିଲାଟିର ମାଆ ଶିକ୍ଷକତା କରୁଥିଲେ ମଧ୍ୟ କେହି କେବେ ପଚାରୁନଥିଲେ ମାଆ କଣ କରନ୍ତି ବୋଲି, ବାପା ଚାଷୀ ବୋଲି ଶୁଣିସାରିବା ପରେ। ଏପରିକି ରଚନାରେ ମଧ୍ୟ "ତୁମ ବାପା" ଛଡ଼ା ଅନ୍ୟ ସବୁ ରଚନା ସେ ଲେଖୁଥିଲା, କାହିଁକି କେଜାଣି ଏ ଚାଷୀପୁଅ ହେବାର ସହରିଆ ଥଟ୍ଟା ସେ କେବେ ସହିପାରୁନଥିଲା।
ସ୍କୁଲ ଟପି ସେ ଡିପ୍ଲୋମା କଲା, କିଛି ଗାଁରୁ ଆସିଥିବା ଚାଷୀ ପୁଅଙ୍କ ସହ ମିଶିଲା, ଟିକେ ଉଶାସ ଲାଗିଲା ତାକୁ। ଡିପ୍ଲୋମା ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ବି କଲା। ଖୁବ କଷ୍ଟରେ ଭୁବନେଶ୍ବରରେ ଚଳୁଥିବା ପିଲାଟି ଯେତେବେଳେ ଘରେ ଆସି ପାଦ କଚାଡି କହେ ମୁଁ ଷ୍ଟଡ଼ି ଲୋନ କରିବି, ତା ବାପା ହାତରେ ଅଧିକା ପଚାଶ ଶହେ ଦେଇ ବୁଝେଇ କହନ୍ତି ଆଗଥରକୁ ଆଉ ଶହେ ଅଧିକା ଦେବି, କିନ୍ତୁ ଲୋନ କରିବା କଥା କହନା, ଆମର ଯେତିକି ଅଛି ସେତିକିରେ ଚଳିବାକୁ ଚେଷ୍ଟା କର। ବୋଧେ ବାପାର ଅସହାୟତା ଓ ଆତ୍ମବିଶ୍ଵାସ ଉଭୟ କିଛି କିଛି ବୁଝୁଥିଲା ପିଲାଟି। ବୋଧେ ବାପାର ପେଟକାଟି ଚଳିବା କଳାଟି ପିଲାଟି ଶିଖିଯାଇଥିଲା, ବୋଧେ ବାପକୁ କଞ୍ଜୁସ୍ କହୁଥିବା ପିଲାଟି ନିଜେ ଗୋଟେ ଅସମ୍ଭବ ହିସାବୀ ପାଲଟି ସାରିଥିଲା।
ଇଞ୍ଜିନିୟରିଂ ସରିବା ବେଳକୁ ପ୍ରାୟତଃ ସମସ୍ତଙ୍କ ମୁଣ୍ଡରେ ଆପାତତଃ ଛଅ/ସାତ ଲକ୍ଷ ଟଙ୍କାର ଋଣବୋଝ ଥିଲାବେଳେ ପିଲାଟି କିନ୍ତୁ ଋଣମୁକ୍ତ ଥିଲା। ସେତେବେଳେ ବିଦାୟ ସମ୍ବର୍ଦ୍ଧନା ସମୟରେ କେଉଁ ଏକ କଥାରେ ଏମିତି ଏକ ଉଦାହରଣ ସ୍ୱରୂପ ଅଧ୍ଯକ୍ଷ ମହୋଦୟ ଯେତେବେଳେ ପଚାରନ୍ତି କେତେ ଟଙ୍କାର ଋଣ ଅଛି ବୋଲି, ପିଲାଟି କହେ, ନାଇଁ ସାର ! ମୁଁ ସମ୍ପୂର୍ଣ୍ଣ ଋଣମୁକ୍ତ। କୌତୁହଳୀ ଅଧ୍ଯକ୍ଷ ପଚାରି ବସନ୍ତି ବାପା କଣ କରନ୍ତିକି ? ସେଦିନ କେମିତି ପିଲାଟି ପାଟିରୁ ବାହାରିଯାଏ ମୋ ବାପା ଚାଷ କରନ୍ତି। ତାକୁ ଯେତିକି ଆଶ୍ଚର୍ଯ୍ୟ ଲାଗେନି ନିଜ ଉତ୍ତର, ବେଶି ଚକିତ କରେ ଅନ୍ୟମାନଙ୍କ ନୀରବତା। ହୁଏତ ସେଇଦିନ ସେ ବୁଝିଥିଲା ତାକୁ ସ୍କୁଲରେ ଲାଜ ଲାଗୁଥିବା କାରଣଟି ଆଜି ପୂର୍ଣ୍ଣ ସଭାରେ ଅଳ୍ପ କେତେ ସେକେଣ୍ଡର ନୀରବତାର ଏକ ପର୍ଯ୍ୟାପ୍ତ କାରଣ ଥିଲା। ବୋଧହୁଏ ସେଇଦିନ ସେ ବୁଝିପାରିଥିଲା ତା ବାପାଙ୍କ କଥା କେଇପଦ "ଗରିବ ହେବା ପାପ ନୁହେଁ କିନ୍ତୁ ହାତ ପାତିବା ପାପ, ଅର୍ଜିତ ଧନରେ ବଞ୍ଚିବା ଭୁଲ ନୁହେଁ କିନ୍ତୁ ଋଣଗ୍ରସ୍ତ ହେଇ ବଞ୍ଚିବା ପାପ"। ଭୋ ଭୋ ହେଇ କାନ୍ଦି ପକେଇଥିଲା ପିଲାଟି ବାଥରୁମ ଭିତରକୁ ଦୌଡିଯାଇ।
ଇଞ୍ଜିନିୟରିଂ ପରେ ପିଲାଟି ବର୍ଷେ ବେସରକାରୀ କଲେଜରେ ପାଠ ପଢେଇଲା। ତତ୍ପରେ ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT Rourkela)ରୁ ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ କଲା ପରେ ସମାବର୍ତ୍ତନ ଉତ୍ସବରେ ନିଜର ଅତିପ୍ରିୟ ସହପାଠୀନି ଯେତେବେଳେ ତାର ପ୍ରଫେସର ବାପାଙ୍କ ସହ ସାକ୍ଷାତ କରାଏ, ସେତେବେଳେ କରମର୍ଦ୍ଦନ ସମୟରେ ବାନ୍ଧବୀ ପିତା ପଚାରନ୍ତି, where are your parents। ପିଲାଟି ବାପମାଙ୍କୁ ଡାକିଆଣି ଭେଟ କରାଏ। ବାପାମାଆଙ୍କ ଗ୍ରାମୀଣ ବେଶଭୂଷା ଦେଖି ତାଚ୍ଛଲ୍ୟମିଶା ସ୍ୱରରେ ପ୍ରଫେସର ମହୋଦୟ ଯେତେବେଳେ ତାଙ୍କ ଲଳନାଙ୍କୁ ଅସ୍ତେକିନା ପଚାରନ୍ତି, so what does his father do ? ସେତେବେଳେ ଅପ୍ରସ୍ତୁତ ସହପାଠୀନିର ବିବଶତାକୁ ଲକ୍ଷ୍ୟକରି ପିଲାଟି ସ୍ମିତହାସ ଦେଇ କୁହେ, sir my father is a farmer and he works to feed entire generation.
ହଁ ମୁଁ ଆଜି ଗର୍ବରେ କହେ ମୋ ବାପା ଜଣେ କୃଷକ, ମୁଁ ଗୋଟେ ଚାଷୀପୁଅ। ହଁ ସେ ମୋତେ ଅନ୍ୟ କୌଣସି ବାପାଭଳି ଉଚିତ ସ୍ନେହ ଓ ଭଲପାଇବା ଦେଇ ଗଢ଼ିଛନ୍ତି। ହଁ ତାଙ୍କ ଆକଟ, ଶାସନ ଓ ମୁରବିପଣିଆ ଅନ୍ତରାଳେ ଲୁଚିଥିବା ତ୍ୟାଗ ଓ ଭଲପାଇବା ବୁଝିବାକୁ ମୁଁ ଏବେବି ଅସମର୍ଥ।