soumendra kumar Das

Tragedy

3  

soumendra kumar Das

Tragedy

ବୃଷଭର ଖେଦ

ବୃଷଭର ଖେଦ

2 mins
142



ଠାକୁରେ! 

ତୁମ ମନ୍ଦିର ହେବା ଦିନଠାରୁ ତୁମରି ସାମନାରେ ଆଣ୍ଠୁଭାଙ୍ଗି ପଡିରହିଛି। ନିଇତି ତୁମକୁ ଦର୍ଶନ କରୁଛି। କିନ୍ତୁ ଏ ପଥରମୂର୍ତ୍ତି ହେଇ ବସି ବସି ଗୋଡ଼ ହାତ ପରାଶ।ଲାଗିଲାଣି। ଆଉ ତା ଠୁ ବି ବଳିଗଲାଣି ମୋ ଅବସ୍ଥା। ଯିଏ ଆସୁଛି ତୁମକୁ ପୂଜା କରିବାକୁ ମୋରି କାନରେ ଖାଲି ଫୁସୁରୁ ଫୁସୁରୁ ହେଉଛି। କୁହନ୍ତି ମୋ କାନରେ ମନକଥା ଜଣାଇଲେ ତୁମେ ଶୁଣ ବୋଲି। ତୁମେ ତ ସାକ୍ଷାତ ଭଗବାନ। ତୁମେ ବୁଝିପାରୁଥିବ ତାଙ୍କ କଥା।ମୁଁ କିନ୍ତୁ କିଛି ବୁଝି ପାରୁନି। ଖାଲି ତ ଫୁସୁରୁ ଫୁସୁରୁ ହେଉଛନ୍ତି। ଆଉ ସୋମବାର, ଶନିବାର, ସଂକ୍ରାନ୍ତିରେ ତ ମୋତେ ଫୁରୁସତ୍ ନାହିଁ। ଦୁଇ କାନେ ଦୁଇଆଡୁ ଫୁସୁରୁ ଫୁସୁରୁ। ଏତେ ଗ୍ରହପୀଡା ଭୋଗୁଥିବା ଲୋକସବୁ ଯେମିତି ମୋରି ଉପରେ ଦାଉ ସାଧୁଛନ୍ତି। କାହାର ପେଟ ରୋଗ ଅଛି ବୋଲି ତାର ପୃଥୁଳକାୟ ପେଟକୁ ଆଣି ମୋ ପିଠିରେ ଦୁଲୁକିନା ନଦି ଦଉଛି। ଇଚ୍ଛା ତ ହେଉଛି ଦୁଇ ଶିଙ୍ଗରେ ଭୁସି ତା ପେଟ କଣା କରିଦିଅନ୍ତି। କାହାର ପିଠି ଯନ୍ତ୍ରଣା ହେଉଛି ବୋଲି ମୋ ପିଠିରେ ଆସି ବହେ ଘସି ହେଉଛି। କାହାର।କିଛି କାମଧନ୍ଦା ନାହିଁ, ତୁମକୁ ଦର୍ଶନ କରିବାକୁ ଆସି ମୋତେ ବହେ ହାତରେ ଘସିବ । ଏତେ ଘସା ଖାଇ ଖାଇ ମୋ ପଥର ପିଠିଟା ଏକଦମ୍ ଚିକ୍କଣ ହେଇଗଲାଣି। ଆଉ କେହି କେହି ଗାଲୁଆ ଭକ୍ତ ବି ଅଛନ୍ତି, ସେମାନେ ସିଧା ଆସି ମୋ ଲାଞ୍ଜ ଆଡେ ହାତ ମାରିବେ। କେହି କେହି ତ ସମ୍ବେଦନଶୀଳ ଅଙ୍ଗକୁ ବି ହାତ ମାରିବେ। ଆରେ ତାଙ୍କର ଯଦି ଦେହ ପା ଭଲ ନାହିଁ, ଡାକ୍ତରକୁ ଦେଖଉନ। ମୋ ପିଠିରେ ତୁମ ପେଟ, ପିଠି , କହୁଣୀ ଘସିଲେ କଣ ହେବ। ମୋତେ ଟିକେ ଶାନ୍ତିରେ ବସେଇ ବି ଦେଉନାହାନ୍ତି। ଯାହାକୁ ଦେଖ ଆସି ଆଗ ମୋ ଲାଞ୍ଜ ଆଡେ ହାତ ମାରିବ , ତାପରେ ଖାଲି ଫୁସୁରୁ ଫୁସୁରୁ। କିଏ କୋଉ ଜ୍ୟୋତିଷ ପାଖେ କହିଛି ବୃଷଭ ଗାଧୁଆ ପାଣି ପାଇବାକୁ। ଗଲା ତ ଆଉ । ମୋର ଶନିଦଶା ପଡିଗଲା। ସକାଳୁ ରାତି ଅଧ ପର୍ଯ୍ୟନ୍ତ ମୋତେ ଫୁରୁସତ୍ ନାହିଁ। ଗାଧେଇ ଗାଧେଇ ମୋର ଶନିପାତ ହେଇଗଲାଣି। କିଏ କିଏ ଆସିବ ମୋ ପିଠିରେ କଦଳୀ ଘଷିବେ । ଭାଇ ଏଇଟା ମୋ ପିଠି । ସ୍ପା ହେଇନି । ମୋ ଦେହ ରୁମ ସବୁ ଉପୁଡି ଗଲାଣି। କିଏ କିଏ ତ କ୍ଷୀର, ଦହି , ମହୁ, ଘିଅ, ଆଖୁରସ, କେତେକଣ ଆଣି ଅଜାଡି ପକେଇବେ। ଭାଇ ମୁଁ କଣ କହୁଛି ମୋର ଏତିକି ସେବା କରିବାକୁ? ରାସ୍ତାରେ ବାଟେଘାଟେ ଦେଖାହେଲେ ମୋତେ ତ ବାସି ତୋରାଣିରେ ବି ପଚାରୁନାହାନ୍ତି। ରାସ୍ତା କଡରେ ମୁଁ ଠିଆ ହେଇଥିବି। କିଏ ଉପରୁ ଅଳିଆ ସବୁ ମୋ ଉପରେ ପକେଇଦବ। ମୋର କଣ ଅସ୍ତିତ୍ଵ ନାହିଁ ? ଖାଲି ମନ୍ଦିରକୁ ଆସିଲେ ୟାଙ୍କର ଭକ୍ତି ଖାଲି ବୋହି ପଡୁଛି। ହେଲେ ସବୁ ଭୁଲିଯାଉଛନ୍ତି ଯେ କ୍ଷୀରଟା ଉତୁରି ଉତୁରି ଶେଷରେ ଚୁଲିରେ ପଶେ। ହେଲେ କଣ କରିବି। ଯେତେ ଚିଡା ଲାଗିଲେ ବି ନୀରବ ରହିବାକୁ ପଡେ। ଆଉ ବେଳେବେଳେ ରାଗ ବାଲିବସ୍ତା ଦେଖି ତା ଉପରେ ସୁଝେଇଦିଏ। ଆଉଯଦି ପରିସ୍ଥିତି ଅସମ୍ଭାଳ ହୁଏ ସେଦିନ ବାଇକ , ଠେଲାଗାଡି ସବୁ ଉଡେଇଦିଏ। ସେଦିନ ମୁଁ ଭୀମକୁ ଏଗୁଡା ସବୁ ଦୁଶାସନ। ହେଲେ ବି ଆଉ ସହି ହେଉନି ଠାକୁରେ !। ଏ ଯନ୍ତ୍ରଣାରୁ ପାରିକର।



Rate this content
Log in

More oriya story from soumendra kumar Das

Similar oriya story from Tragedy