Saroj Nayak

Inspirational

4.0  

Saroj Nayak

Inspirational

ବଂଶୀର ସପ୍ତ ସ୍ବର

ବଂଶୀର ସପ୍ତ ସ୍ବର

5 mins
39



ଦ୍ବିପ୍ରହର ସମୟ । ସୂର୍ଯ୍ୟଙ୍କର ସୁନେଲି କିରଣ ଖୁବ୍ ଉଜ୍ଜ୍ବଳ ଦେଖାଯାଉଥାଏ। ଆରକ୍ତ ଆଭାରେ ପରିବେଶ ବେଶ୍ ଦିପ୍ତିମନ୍ତ। କିନ୍ତୁ ସେ କିରଣରେ ଥାଏ ମାଦକତା । ଏତେ ଉତ୍ତାପ ଜଣାପଡେନି। 

ଦୂର ଆକାଶରେ ହଂସରାଳୀ ମାନେ ପାଣିରେ ଭାସିଯିବା ପରି ଦୃଶ୍ୟ ମାନ। ମୃଦୁ ମୃଦୁ ସମୀରଣ । ପକ୍ଷୀ ମାନଙ୍କର ମଧୁର ଗୁଞ୍ଜରଣ । ବୃକ୍ଷର ସବୁଜ ପତ୍ର ଗୁଡିକ ଦୋଳାୟିତ। ଦିନମଣି ଅସ୍ତାଚଳ ଅଭିମୁଖେ ଧୀର ମନ୍ଥର ଗତିଶୀଳ ।

 

ଏହି ଭଳି ଦିପହର-ବେଳେ ଯାଜପୁର ହରିପୁରସ୍ଥ ଗୌରଶ୍ଯାମ ପାଟଣା ଗାଁରେ ଘରପଛ ଖଳାରେ ଖଟ ଟିଏ ପକେଇ ଖରାରେ ଗଢିଥିଲେ ପୁରସ୍ତମ ବାବୁ। ମୁଣ୍ଡ ପଟେ ବାଉଁଶ ଗଛର ବୁଦାଟିଏ ଥିଲା।


ଆଖି ଲାଗି ଆସିଲା ବେଳେ ହଠାତ କାହାର ପଦ-ଚାପରେ ପୁରସ୍ତମ ବାବୁଙ୍କ ଆଖି ଖୋଲିଗଲା। ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । ଘନନୀଳ ଶ୍ଯାମଳ କୋମଳ ନୀଳକାନ୍ତୀ ମୟ ପରମ ପରୁଷ ଭଗବାନ କୃଷ୍ଣ ଚନ୍ଦ୍ର ଦଣ୍ଡାୟମାନ । ଶିରେ ଶିଖିପୁଚ୍ଛ,ଅଧରେ ବଂଶୀ, ବିମ୍ବୋଷ୍ଠେ ମୃଦୁ ହାସ୍ଯ, କର୍ଣ୍ଣେ କୁଣ୍ଡଳ,ପଦରେ ନୁପୁର ର ରୁଣଝୁଣ୍ ପୁରସ୍ତମ ବାବୁଙ୍କ ଆଖିକୁ କରିଦେଲା ସ୍ବପ୍ନିଳ। ଆନନ୍ଦରେ ବିଭୋର ତାଙ୍କର ସମଗ୍ର କଳେବର। ଆଖିରେ ଆନନ୍ଦାଶୃ । କଣ କହିବେ ଭଗବାନ କୃଷ୍ଣଚନ୍ଦ୍ରଙ୍କୁ । ଅଧର ତାଙ୍କର ଥରି ଉଠୁଛି ।


 ତଥାପି ମନରେ ସାହସ ସଞ୍ଚୟ କରି, ଦେଖିଲେ ଭଗବାନ କୃଷ୍ଣଚନ୍ଦ୍ର ଆସି ଛିଡ଼ା ହେଇଛନ୍ତି। ତାଙ୍କୁ ନତ-ମସ୍ତକ ହୋଇ ପଚାରିଲେ ତାଙ୍କ ଆସିବା ଅଭିପ୍ରାୟ।


କୃଷ୍ଣ କହିଲେ, "ବଂଶୀଟା ପୁରୁଣା ହୋଇ ଗଲାଣି। ଏଣୁ ନୂଆ ବଂଶୀଟିଏ ବନେଇବି ବୋଲି ବାଉଁଶଟିଏ ନେବାକୁ ଆସିଛି।" ଏତିକି କହି ସେ ବାଉଁଶ ଗଛକୁ ଦେଖୁଥାନ୍ତି। 


ପୁରସ୍ତମ ବାବୁ କହିଲେ, "ଏସବୁ ତ ଆପଣଙ୍କର। ଯୋଉଟା ଇଛା ସେଇଟା ନେଇ ଯାଆନ୍ତୁ।" ଭଗବାନ କୃଷ୍ଣ ଚନ୍ଦ୍ର କହିଲେ, "ହଁ ଯେ ! ସଵୁ ବାଉଁଶରୁ ତ ସ୍ବର ବାହାରିବନି ; ଏଣୁ ବାଛି କି ନେବାକୁ ପଡିବ... ତଥାପି ଗୋଟିଏ ବାଉଁଶର ମୂଲ୍ୟ କେତେ କି?"

କୃଷ୍ଣଙ୍କ ଏପରି ପ୍ରଶ୍ନ ଶୁଣି ପୁରସ୍ତମ ବାବୁ ଅବାକ ହେଇ ଚାହିଁରହିଲେ। ଘର କବାଟ ଫାଙ୍କରୁ ତାଙ୍କ ଶ୍ରୀମତୀ ପ୍ରୀତିଲଗ୍ନା କହିଲେ, "ବାଉଁଶ ଗଛର ମୂଲ୍ୟ ସେ କିପରି କହିବେ? ଗଛ ତ ମୁଁ ଲଗେଇଛି ; ତା ଯତ୍ନ ବି ମୁଁ ନେଇଛି ; ଏଣୁ ମୁଁ କହିବି ଏହାର ମୂଲ୍ୟ କେତେ।" 

ସେ ପ୍ରୀତିଲଗ୍ନାଙ୍କୁ ଚୁପ୍ ରହିବାକୁ ଇସାରା ଦେଉଥାନ୍ତି। କିନ୍ତୁ ପ୍ରୀତି ତାଙ୍କ ଆଡେ ଦେଖିଲେ ତ...!


କୃଷ୍ଣଙ୍କ ଅଧରରେ ସ୍ମିତ ହାସ୍ୟ ଥାଏ ; ଆଉ ସେ ପ୍ରୀତିଲଗ୍ନା ଆଡେ ଚାହୁଁଥାନ୍ତି। ପ୍ରୀତିଲଗ୍ନା ବାହାରକୁ ଆସି କୃଷ୍ଣଙ୍କ ପାଦ ତଳେ ମୁଣ୍ଡିଆଟିଏ ମାରି କହିଲେ, 


"ହେ ଗିରିଧାରୀ ! ଆମେ ଗରିବ ଲୋକ।ଠିକ ମୂଲ୍ୟରେ ନ ବିକିଲେ ଆମ ପରିବାର ଚଳିବ କେମିତି ? କୃଷ୍ଣ କହିଲେ, "ତୁମେ ଯେତିକି ମାଗିବ ;ମୁଁ ସେତିକି ଟଙ୍କା ଦେବି ; ଚିନ୍ତା କରନି। ପ୍ରୀତିଲଗ୍ନା କହିଲେ, "ଯେତିକି ଟଙ୍କା ନୁହେଁ ; କୁହନ୍ତୁ, ଯାହା ମାଗିଲେ ତାହା ଦେବି। ତା ପରେ ବାଉଁଶ ବାଛି କି ନିଅନ୍ତୁ।


 କୃଷ୍ଣ ଟିକେ ଚୁପଚାପ ହସିଲେ। ତା ପରେ କହିଲେ, "ହଉ ଠିକ ଅଛି... ତୁମେ ଯାହା ମାଗିବ ; ମୁଁ ତାହା ଦେବି।" ଏତିକି କହି ବାଉଁଶ ବଣକୁ ଯାଇ ଖୋଜିବାରେ ଲାଗିଲେ। 


ପୁରସ୍ତମ ବାବୁ ପ୍ରୀତିଙ୍କ ପାଖକୁ ଯାଇ କହିଲେ, "ତୁମେ ଏଇଟା କଣ କରୁଚ? ସ୍ୱୟଂ କୃଷ୍ଣ ଆସିଛନ୍ତି ଘରକୁ ; ବାଉଁଶଟିଏ ନେବାକୁ ; ଯେ ତାଙ୍କୁ ବାଉଁଶର ମୂଲ୍ୟ ମାଗୁଛ? କେମିତି ନେଇପାରିବ ତାଙ୍କଠୁ ମୂଲ୍ୟ?" ସେ ତ ବିଶ୍ବନାଥ । ଏ ସାରା ଜଗତ ର ମାଲିକ । ତା ଧନ ତାକୁ ଦେଇ ପୁଣି ତା ଠାରୁ ମୂଲ୍ୟ ନେବ......!

ସତରେ କଣ ତୁମେ ପ୍ରୀତି କିଛି ଜାଣି ପାରୁନ ନା ତୁମ ମୁଣ୍ଡ ପାଗଳ ହୋଇଯାଇଛି....!


"ତୁମେ ଚୁପଚାପ ଯାଇ ଖଟରେ ବସ ; ଜମା ପାଟି ଫିଟାଅ ନି।" ପୁରସ୍ତମ ବାବୁ ଚୁପଚାପ ଯାଇ ମନ କଷ୍ଟରେ ଖଟରେ ବସିଲେ। ଅଳ୍ପ ସମୟ ପରେ କୃଷ୍ଣ ଗୋଟିଏ ପତଳା ବାଉଁଶ ଖଣ୍ଡେ ଧରି କି ଆସିଲେ। 

କୃଷ୍ଣ ତାଙ୍କ ଦୁହିଁଙ୍କୁ ଚାହିଁ ଖୁସିରେ କହିଲେ..., "ପାଇଲି, ମୋ ନୂଆ ବଂଶୀ ପାଇଁ ଭଲ ବାଉଁଶଟିଏ। ପୁଣି ପ୍ରୀତି ଙ୍କୁ ଚାହିଁ କହିଲେ, "କୁହ ! ତୁମକୁ କଣ ଦରକାର ? ଏଇ ବାଉଁଶ ବଦଳରେ...!!!" 


ପ୍ରୀତି କହିଲେ, "ନା ଆଜି ମାଗିବିନି। ଆପଣ ପ୍ରଥମେ ସେଇ ବାଉଁଶ ଖଣ୍ଡକୁ ବଂଶୀରେ ରୂପାନ୍ତର କଲାପରେ ମୁଁ ମାଗିବି। କାରଣ ମୁଁ ଏଵେ କିଛି ମାଗିନେବି ; ଆଉ ପରେ ଏଇ ବାଉଁଶରେ ବଂଶୀ ବନେଇ ନ ହେଲେ ମତେ ବହୁତ ଖରାପ ଲାଗିବ।"


 ପ୍ରୀତିଲଗ୍ନା ଙ୍କ ଏହି କଥା ଶୁଣି କୃଷ୍ଣ କହିଲେ.. "ତା ହେଲେ ମୁଁ କଣ କରିବି ଏଵେ?" ପ୍ରୀତି କହିଲେ, ହେ ମଧୁସୂଦନ! ଆପଣ ଏଵେ ସେଇ ବାଉଁଶଟିକୁ ନେଇ ଯାଆନ୍ତୁ। ସେଇଟା ବଂଶୀ ହେଲା ପରେ ତାକୁ ନେଇ ଆସିବେ। ଓଠରେ ସ୍ମିତ ହାସ୍ୟ ଦେଇ କୃଷ୍ଣ କହିଲେ, "ହଉ ଠିକ ଅଛି.." ପୁରସ୍ତମ ବାବୁଙ୍କ ଆଡେ ଚାହିଁ କହିଲେ, "ମୁଁ ଆସୁଛି ତେବେ।" ସେ କୃଷ୍ଣଙ୍କୁ ହାତ ଯୋଡି ନିର୍ବାକ୍ ହୋଇ ପୁରସ୍ତମ ବାବୁ ଦେଖୁଥାନ୍ତି କେବଳ।


କୃଷ୍ଣ ଗଲା ପରେ ପ୍ରୀତି କୁ ବହୁତ ବୁଝେଇଲେ ଯେ, ଖଣ୍ଡେ ବାଉଁଶ ପାଇଁ ଆମେ କଣ କାହାକୁ କିଛି ମାଗି ପାରିବା? କେତେ ବାଉଁଶ ନଷ୍ଟ ହେଇ ଯାଉଛି। କୃଷ୍ଣ ଯଦି ଖଣ୍ଡେ ନେଲେ ; ତେବେ କଣ ଖୁସିରେ ଦେଇପାରିବାନି? ଏହା କଣ ଆମ ସୌଭାଗ୍ୟ ନୁହେଁ ଯେ, କୃଷ୍ଣ ଆମ ବାରିର ବାଉଁଶ ନେବାକୁ ଆସିଲେ.. ସେ ଚାହିଁଥିଲେ ଜଙ୍ଗଲରୁ କଣ ତାଙ୍କ ମନ ମୁତାବକ ବାଉଁଶ ଟିଏ ନେଇପାରି ନଥାନ୍ତେ....???"


 ପ୍ରୀତି ପୁରସ୍ତମ ବାବୁଙ୍କୁ ବିଭିନ୍ନ କଥା କହି ତାଙ୍କ ମୁହଁ ଚୁପ କରେଇ ଦେଲେ। ପ୍ରୀତିଙ୍କ ଯୁକ୍ତି ଥିଲା ଯେ.. "ସେ କୃଷ୍ଣ ହୁଅନ୍ତୁ ବା ଅନ୍ୟ ଯେ କେହିବି.. କୌଣସି ଜିନିଷକୁ ଖାଲିଟାରେ ଦାନ କଲେ ; ସେଇ ଵସ୍ତୁର ମୂଲ୍ୟ ସେ ବ୍ୟକ୍ତି ଜାଣି ନଥାଏ।"


ଦି ଦିନ ପରେ ପୁରସ୍ତମ ବାବୁ ଓ ପ୍ରୀତି ଅଗଣାରେ ବସି କଥା ହେଉଥାନ୍ତି। ଠିକ ଏତିକି ବେଳେ କୃଷ୍ଣ ଆସିଲେ ହସି ହସି। ହାତରେ ତାଙ୍କର ଏକ ନୂଆ ବଂଶୀ ଥିଲା। ବଂଶୀ ବହୁତ ସୁନ୍ଦର ଦେଖା ଯାଉଥିଲା। ସେ ଦୁହେଁ ନମସ୍କାର ହୋଇ ଛିଡା ହେଲେ। 


କୃଷ୍ଣ ପ୍ରୀତି ଙ୍କୁ ଚାହିଁ କହିଲେ, "ଦେଖ.. ତୁମେ ଦେଇଥିବା ବାଉଁଶ ଏକ ସୁନ୍ଦର ବଂଶୀର ରୂପ ନେଇ ସାରିଛି.." ଏତିକି କହି ହାତରେ ଧରିଥିବା ବଂଶୀ ଦେଖେଇଲେ। ପ୍ରୀତି ଖୁସି ହୋଇ କହିଲେ, "ହଁ , ପୁରା ବଂଶୀ ଭଳିଆ ଦିଶୁଛି... ହେଲେ କେମିତି ଜାଣିବି ଏଇଟା ବଂଶୀ ବୋଲି... ବାଜୁଛି ତ ?"


ପ୍ରୀତି ଙ୍କ କଥା ଶୁଣି କୃଷ୍ଣ ନିଜ ହସକୁ ଚାପି ପାରିଲେନି। ଆଉ ହସି ହସି କହିଲେ, "ହଁ, ହଁ ବାଜୁଛି.. ସୁନ୍ଦର ବାଜୁଛି ।" ଏତିକି କହି ବଂଶୀ ନେଇ ମୁହଁରେ ଲଗେଇଲେ। ତାପରେ ଏକ ସୁନ୍ଦର ଧ୍ୱନି ସପ୍ତ ସ୍ବର ରେ.....!


ଆହା....!!! କିଛି ସମୟ ପାଇଁ ପୁରସ୍ତମ ବାବୁ ପହଁଚି ଯାଇଥିଲେ ଗୋପପୁରରେ। ଆହା କି ମନୋରମ ଦୃଶ୍ୟ ! କି ସୁନ୍ଦର ନଦୀ, ଜଙ୍ଗଲ, ପାହାଡ଼.! ସମସ୍ତେ ଯେମିତି ନାଚୁଥାନ୍ତି ବଂଶୀର ତାଳେ ତାଳେ..!ପ୍ରତ୍ୟେକ ସତ୍ତା ରେ ସେ କୃଷ୍ଣ ଙ୍କୁ ଦେଖିବାକୁ ପାଇଲ। କି ଆନନ୍ଦମୟ ଦୃଶ୍ୟ । ସେ ଭୁଲି ଯାଇଥିଲି ସେ କିଏ ବୋଲି..!!!!ପରମ ଶାନ୍ତିରେ ନିଜକୁ ଉତ୍ସର୍ଗ କରିଦେଇଥିଲେ...!


ହଠାତ ବଂଶୀ ସ୍ବର ବନ୍ଦ ହେଇଗଲା। ପୁରସ୍ତମ ବାବୁ ନିଜ ଅବସ୍ଥାକୁ ଫେରିଆସିଲେ ଓ ଆଖି ଖୋଲି ଚାହିଁଲେ ସାମ୍ନାରେ କୃଷ୍ଣ ଛିଡା ହୋଇ ତାଙ୍କୁ ଓ ପ୍ରୀତି ଙ୍କୁ ଦେଖି ହସୁଛନ୍ତି। ପୁରସ୍ତମ ବାବୁ ପ୍ରୀତି ଙ୍କ ଆଡେ ଚାହିଁଲେ। ପ୍ରୀତି ତଳେ ବସି ହାତ ଯୋଡି ଆଖିବନ୍ଦ କରି ଚୁପଚାପ ବସିଛନ୍ତି। ପ୍ରୀତି ବି ଉଠିଲେ ହେଲେ ତାଙ୍କ ଆଖିରେ ଥିଲା ଅଶ୍ରୁ.....!!!


ଲୁହ କାନିରେ ପୋଛି ପ୍ରୀତି ଛିଡା ହେଲେ। କୃଷ୍ଣ ପ୍ରୀତିଙ୍କୁ ପଚାରିଲେ "କଣ ମୋ ବଂଶୀ ବାଦନ ଠିକ୍ ନଥିଲା କି? ଯଦି ଠିକ୍ ଥିଲା ; ତେବେ ଆଖିରେ ଅଶ୍ରୁ କଣ ପାଇଁ...?"


ପ୍ରୀତି ଙ୍କ ଆଖିରୁ ପୁଣି ଦି-ଧାର ଲୁହ ବୋହି ଗଲା। କାନିରେ ପୋଛୁ ପୋଛୁ କହିଲେ, "ନା ମାଧବ....! ମୋ ଆଖିର ଅଶ୍ରୁ ଆନନ୍ଦର। ବଂଶୀ ପୁଣି ଆପଣ ଭୁଲ୍ ବଜେଇବେ....!!! 


କୃଷ୍ଣ ଅଳ୍ପ ହସି କହିଲେ, "ହେଲା ହେଲା, ଆଖିରୁ ଆଉ ଅଶ୍ରୁ ଟୋପାଏ ବି ଝରାଅନା । କଣ ମାଗୁଛ ମାଗ।"


ପ୍ରୀତି କହିଲେ, "ହେ ପ୍ରଭୂ ! ମୁଁ ତ ଯାହା ଚାହିଁଲେ ; ଆପଣ ଦେବାକୁ ରାଜି ଥିଲେ। କଣ ଦେଇପାରିବେ ;ଯାହା ମାଗିବି...???"


ମନେ ମନେ ପୁରସ୍ତମ ବାବୁ ଭାବୁଥାନ୍ତି ପ୍ରୀତି ବାଉଁଶ ବଦଳରେ କିଛିବି ନ ମାଗନ୍ତୁ।

କୃଷ୍ଣ କହିଲେ, "ଶୁଣ.. ମୁଁ ପ୍ରତିଶୃତି ଦେଇଛି ; ଯେତେବେଳେ ଅବଶ୍ୟ ଦେବି।


ପ୍ରୀତି ଵିଳମ୍ବ ନକରି ନିଜ ଶାଢ଼ୀ-କାନିକୁ କୃଷ୍ଣଙ୍କ ଆଗକୁ କରି କହିଲେ, "ହେ ଦାମୋଦର ! ଏତିକି ମୋ କାନିରେ ଦିଅନ୍ତୁ ଯେ.. ଯେବେ ବି ଆମ ମନରେ ଦୁଃଖ ଆସିବ ; ବା ଆମକୁ ଅହଙ୍କାର ବଶୀଭୂତ କରି କୃଷ୍ଣ ଚେତନାରୁ ବିଚ୍ଯୁତ କରିବାକୁ ଚେଷ୍ଟା କରିବ, ତା ପୂର୍ବରୁ ; ଆମ କାନିରେ ଆପଣଙ୍କ ବଂଶୀ ର ସପ୍ତ ସ୍ବର ନିରନ୍ତର ଶୁଭୁ ଥାଉ ; ପ୍ରଭୂ...."


ପ୍ରୀତି ଙ୍କ ଏହି ସଉଦା ପୁରସ୍ତମ ବାବୁଙ୍କ ମନ ଜିଣିନେଲା..। ସେ ଉତ୍କଣ୍ଠା ର ସହ ଅପେକ୍ଷା କରିଥିଲେ ; କଣ ଉତ୍ତର ଦେଉଛନ୍ତି କୃଷ୍ଣ......!


ମନେ ମନେ ପୁରସ୍ତମ ବାବୁ ଭାବୁଛନ୍ତି," ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତେ, ଗୋପେଶ ଗୋପିକା କାନ୍ତ ରାଧାକାନ୍ତ ନମସ୍ତୁତେ" ହେ କୃପାମୟ ଏ ଅଧମ ଅଧର ସ୍ଫୁରଣ କରି ତୋତେ କିଛି ମାଗିବା ର ସାହାସ ନାହିଁ । ତୁମେ ତ ଅନ୍ତର୍ଯ୍ୟାମୀ । ତୁମେ ଅନନ୍ତ, ଅବ୍ୟକ୍ତ, ଅବର୍ଣ୍ଣନୀୟ । ତୁମେ ବିଶ୍ବଚିନ୍ତାମଣି ଚିନ୍ମୟ ଚିର ସୁନ୍ଦର ଅନନ୍ତ କୋଟି ବ୍ରହ୍ମାଣ୍ଡ ର ଠାକୁର, ନୀଳକନ୍ଦର ବିହାରୀ ପ୍ରଭୁ ନୀଳମାଧବ । 

ଏ ଅଧମ କୁ ଏତିକି ଦୟା କର ହେଭାବଗ୍ରାହୀ, ଜୀବନ ର ଅବଶିଷ୍ଟ ଜୀବନ ତୋ'ରି ଭଜନ କୀର୍ତ୍ତନ, ନାଦ ନିନାଦରେ , ତୋ ରି ବଂଶୀର ସପ୍ତ ସ୍ବରରେ ବାନ୍ଧି ହୋଇଯାଉ। ତୋ ଗୁଣ କୀର୍ତ୍ତନରେ ମୋର ପ୍ରତ୍ଯେକ ତନ୍ତ୍ରୀ ପୁଲ୍ଲକିତ ହେଉ । ଜୀବନର ଅନ୍ତିମ ମୂହୁର୍ତ୍ତରେ ଏ ଅଧମର କର୍ଣ୍ଣରେ ତୋ ବଂଶୀର ସପ୍ତ ସ୍ବର ପ୍ରତିଧ୍ଵନିତ ହେଉ।


କୃଷ୍ଣ କେବଳ ହସି ଦେଇ ବଂଶୀ ବଜେଇ ବଜେଇ ଚାଲି ଗଲେ !

ଆଜି ବି କୃଷ୍ଣଙ୍କ ବଂଶୀର-ସପ୍ତସ୍ବର ଶୁଣିପାରୁଛନ୍ତି ପୁରସ୍ତମ ବାବୁ ଓ ପ୍ରୀତିଲଗ୍ନା...!


Rate this content
Log in

Similar oriya story from Inspirational