S R Mohanty

Inspirational

3  

S R Mohanty

Inspirational

ବନ୍ଧୁ

ବନ୍ଧୁ

5 mins
118


କ'ଣ ଜରୁରୀ ଥିଲାରେ..

ଏତେ ଦୂର ତୋର ଏ ଅବସ୍ଥାରେ ଆସିବା କହତ..?

ଦେଖା ତ କେବେ ବି ହୋଇ ପାରିଥା'ନ୍ତା ନା. ଯାହା ବି କହ ସାଙ୍ଗ ତୋ ପିଲାଳିଆମୀ ଗଲାନି ।

(ଓଠରେ ସସ୍ମିତହାସ୍ୟ ସହ 'ନା' ଶବ୍ଦ ଭିତରେ, ଛଳଛଳ ଆଖି ବନ୍ଧୁର ଉପସ୍ଥିତିର ଆନନ୍ଦ ବଖାଣି ଦେଉଥିଲା ।)

ଆରେ କ'ଣ ଖାଲି ଦେହ ..ଯା' ଯା ତୋ ଦେହ ଭଲ ନଥିଲା ପରି ଲାଗୁଛି, ମୁଁ କ'ଣ ଆଉ ପିଲା ହେଇଅଛି ଯେ ତୁ ମୋତେ ବାଟେଇ ଦେବାକୁ ଆସିଛୁ । ଟ୍ରେନରେ ଯିବା ଆସିବା ତ ମୋର ଅଭ୍ୟାସରେ ପରିଣତ ହୋଇଗଲାଣି । ପୁଅ ୩ ଜଣ ଦେଶରର ଅଲଗା ଅଲଗା ସହରରେ ନିଜର ଘର ବନେଇ ସାରିଛନ୍ତି । କହିଲୁ ଦେଖି ମୁଁ କାଇଁ ଗୋଟିଏ ପୁଅ ପାଖରେ ବେଶି ଦିନ ରହି ସମୟ ନଷ୍ଟ କରିବି। ସେଥିପାଇଁ ମୁଁ ପ୍ରତି ୪ ମାସରେ ସହର ବଦଳାଉଛି ପରା । ଯାହା ବି କହ ସାଙ୍ଗ ତିନୋଟି ବୋହୁ ମୋର କେହି କାହାକୁ କମ ନୁହେଁ । ସେବା କରିବାର ଗୋଟିଏ ମଉକା ହାତଛଡା କରନ୍ତିନି, ଭଗବାନ ତାଙ୍କୁ କୋଟି ପରମାୟୁ ଦିଅ... 

(ହଠାତ ଅଧାରୁ କଥା ଅଟକାଇ )

ଥାଉରେ ଥାଉ ଆଉ ସେ ବାହାଦୁରୀ ଗୁଡା ମାରନା ତୁ ବୁଝିଲୁ, ତୋ ବୋହୁମାନଙ୍କ ଅତ୍ୟାଚାର କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ନିଜ ବାପ ଅର୍ଜିତ ଭିଟା ମାଟି ଆଉ ସେ ଘର ଖଣ୍ଡିକକୁ ତ ଭୂତ ବଙ୍ଗଳା କରି ସାରିଲୁଣି । ତୋ ପୁଅମାନେ ତ ତାଙ୍କ ସ୍ତ୍ରୀମାନଙ୍କ ହାତର ଚାବିଦିଆ କଣ୍ଢେଇ ଭଳି ନାଚୁଛନ୍ତି ନିଜ ଶଶୁର ଘରକୁ ମୁଣ୍ଡେଇ ରଖିଛନ୍ତି । ତୁ ତ ଖାଲି ସେ ତିନି ଭାଇଙ୍କ ଘର ଜଗୁଆଳ ଭଳି ୪ ମାସକୁ ଥରେ ସିଫ୍ଟ ବଦଳେଇଲା ଭଳି କାମ କରି ଚାଲିଚୁ । ଆଉ ମୋ ଆଗରେ ଫୁଟାଣି ନାଇଁ.. ""ବୋଉକୁ ମାମୁଁ ଘର କାହାଣୀ ଶୁଣାଉଛୁ ଆଉ"" ହା ହା ହା.., ଆଉ ସେତେବେଳୁ ମୋତେ ଯା ଯା ବୋଲି କହୁଛୁ ହେଲେ ମୋ ହାତକୁ ଜାବୁଡି ଧରିଛୁ । ଠିକ କହିଲୁ ଆମେ ଆଉ ପିଲା ହୋଇ ନାହୁଁ । ଏବେ କଥା ପଦ ଠୁଁ ଅଧିକ ମୁହଁ ଦେଖି ପରସ୍ପରର ପରିସ୍ଥିତିକୁ ଅନୁଭବ କରିବାର ସାମର୍ଥ୍ୟ ଆସିଗଲାଣି ପରା ।

ଛାଡ଼ ସେ କଥା, ମନେ ଅଛି ନା ସେ ମନ୍ଦିର ପାଖ ଘର "ମାଳତୀ" କଥା, ହଁ ତୁ ବା କେମିତି ଭୁଲିବୁ ତୋ ସ୍ୱପ୍ନର ନାୟିକା ଥିଲା ସିଏ ଆଉ ହା ହା ହା... ସେ ସେମିତି ହିଁ ଅଛି ତୋ ଭଲପାଇବାକୁ ବୁଝିଲାନି, ପୂଜକର ଝିଅ ହେଇ ବି କି ଗର୍ଵ ଥିଲା ତା'ର . । ତୋ ପ୍ରେମ ପତ୍ର ନେଇ ତାକୁ ଦେବା ଚକ୍କରରେ ତା ବାପା ମୋତେ ଅଦା ରସୁଣ ଭଳି କୁଟି ଦେଇଥିଲା । ଆଉ ତତେ ଆଖିରେ ଆଖିରେ ଇସାରା ଦେବା ସେ ଝିଅ କ୍ଷଣିକରେ ବଦଳିଯାଇ ଆମ ନାଆଁରେ ଫରିୟାଦ କରି ଦୁହିଁଙ୍କୁ କେତେ ମାଡ ଖୁଆଇଥିଲା । ସିଏ ନା, ଏଇ ଆମ ସମ୍ପତ୍ତିପୁରରେ ବାହା ହୋଇଥିଲା ପରା । ଏବେ ତାର ପୁଅ ବୋହୂର ସଂସାର । ହେଲେ ବିଶ୍ୱାସ କରିବୁନି ଆଜି ବି ସେ ସେମିତି ହିଁ ଅଛି । ବୋହୁ ସହ ଝଗଡା କରି ଏମିତି ଚିତ୍କାର କରୁଛି ଯେ ତା' ଗାଁ ପାର ହେଇ ଏଠିକୁ ଶୁଭୁଛି ପରା .. ହା ହା ହା .. ଭଲ ହେଇଛି ତୋ ବେକରେ ପଡିନି ସିଏ । (ଦୁହେଁ ହସିବାକୁ ଲାଗିଲେ)

ତା'ପରେ ତୁ ସିନା ବାହାରକୁ ଯାଇ ପଢ଼ିଲୁ ହେଲେ ଗାଁରେ ମୁଁ ଏକା ହେଇଗଲିରେ ସାଙ୍ଗ । କେତେ ସାଙ୍ଗ ସାଥି ଆସିଲେ ହେଲେ ତୋ ଜାଗା କେହି ନେଇ ପାରିଲେନିରେ ..ତୁ ଯେବେ ଗାଁକୁ ଆସୁ ସେବେ ଖବର ପାଇ ମୁଁ ତୋ ଘରକୁ ଧାଇଁ ଯାଏ ହେଲେ ତୁ ତ ବାବୁ ଲୋକ ଗାଡ଼ି ଫୁର କରି ଉଡି ଚାଲିଯାଉ ନୂଆ ଜାଗା ନୂଆ ବନ୍ଧୁମାନଙ୍କ ପାଖକୁ । ପୁଣି ଗାଁରୁ ଫେରିବା ବେଳେ ଯଦି କେବେ ତୋ ନଜର ପଡେ ମୋ ଉପରେ ତୁ ନେତାଙ୍କ ଭଳି ହାତ ହଲେଇ ଚାଲିଯାଉ ଓଃ ଯେମିତି ସିନେ ତାରକା ଗୋଟେ ଆଉ । ଦୌଡ଼ି ଆସିବାକୁ ମନ ଚାହେଁ ହେଲେ ଏ ଅଧା ଭଙ୍ଗା ଗୋଡଟା ସାହା ହୁଏନି ପରା ଆଉ ତୋ ମଟର ଗାଡିକୁ ବି କଣ ମୁକାବିଲା ମୋର.. 

ଆରେ ଆରେ ତୋ ଗୋଡ଼କୁ ପୁଣି କ'ଣ ହୋଇଥିଲା, କୋଉଠି ଚୋରିନାରୀ କରି ଧରା ପଡିଥିଲୁ କି ଆଉ ... ( ଠୋ ଠୋ ହସ)

ତୁ ତ ବାବୁ କଳି ଯୁଗ କୃଷ୍ଣ, ଗରିବ ସୁଦାମା ହିସାବ କୋଉଠି ଥିବ ତୋ ପାଖରେ । ତୁ ସିନା ବାହାରିଗଲୁ ସହରକୁ ପାଠ ପଢି, ହେଲେ କାଣି ବିରାଡିର କୁଜି ଅସରପା ଉପରେ ରାଗ ଭଳି" ମାଳତୀ ବାପାର ରାଗ ମୋ ଉପରେ ଥିଲା ପରା । ମନ୍ଦିର ବଗିଚାକୁ ଆମ ଗାଈଟା ପଶି କଣ ଟିକିଏ ନଷ୍ଟ କରିଦେଲା ବୋଲି ସେ ପୂଜକ ପରା ମୋ ଗୋଡ଼କୁ ଗୋଟେ କାଠରେ ପିଟିଦେଇଥିଲା ଯେ ଗୋଡଟା ମୋର ଯାଇଛି ପୁରା । ବୟସ ବଢ଼ିବା ସହ ତା'ର ଯନ୍ତ୍ରଣା ବି ବଢି ଚାଲିଥାଏ । 

ଆରେ ଆରେ ମୋତେ କେହି ଜଣେଇ ନାହାଁନ୍ତି କେମିତି ..! 

କେମିତି ଜଣେଇ ଥା'ନ୍ତେ, ମୁଁ ପରା ମଉସା ମାଉସୀଙ୍କୁ ରାଣ ନିୟମ ଦେଇ କହିଥିଲି ତତେ ଜଣେଇବେ ନାହିଁ ବୋଲି । କାଳେ ତତେ କହିଦେବେ କି କ'ଣ ଏଇ ଡରରେ ରୋଜ ତୋ ଘରକୁ ଯାଉଥିଲି । କ'ଣ ଟିକେ ବୋଲହାକ ବି କରିଦିଏ ବୋଲି ମାଉସୀଙ୍କର ପରା କୋଟି ଆଦର । ହଉ . ଛାଡ଼ ସେ କଥା, ତୁ ମୋ କଥା ଛାଡ଼ .। ତୁ ଟିକେ ତୋ ନବାବୀପଣିଆ ଟିକେ ଛାଡ଼ ବୁଝିଲୁ । ସେଇ ମିଛ ଆଭିଜାତ୍ୟକୁ ମାଡି ବସି ଆଉ ବାହାପିଆଙ୍କ ପରି ହ'ନାହିଁ .. । ପୁଅ ବୋହୂଙ୍କ ସହ ଟିକେ ମିଳିମିଶି ଚଳେ । ପିଲାଟି ଦିନରୁ ମୁଁ ତୋର ସବୁ କଥା ରଖେ, ତୁ ଏଇ ପଦୁଟିଏ କଥା ମାନ ମୋର । ବୟସ ଗଲାଣି ଫୁଟାଣି ବି ଛାଡ଼, ବୁଝିଲୁ ନା ..। 

ଆଜି ଆସିଲା ବେଳେ ଗାଁ ମୁଣ୍ଡ ମଶାଣୀ ପାଖରେ ଦଣ୍ଡେ ଠିଆ ହେଇ ଭାଉଜକୁ ମନେ ପକାଉଥିଲୁ ନା.. ?

ଆରେ ନାଇଁ ରେ...

ପୁଣି ମିଛ କହିଲୁ, ମୋତେ ପୁଣି ମିଛ ହା ହା ହା.. ତୋ ଲୁହ ଧାର ସବୁ ବଖାଣି ଦେଉଥିଲା ପରା । ହେଲେ ତୋ'ର ଟିକିଏ ମୋ କଥା ମନେ ପଡ଼ିଲାନି, ନୁହେଁରେ ବୁଢା .. 

ଓଃ ମୁଁ ବୁଢା ତୁ ଭାରି ସବଳିଆ ଟୋକାଟା ଆଉ.. 

(ଲୁହ ଭିଜା ଆଖିରେ ବି ଦୁଇବନ୍ଧୁ ପରସ୍ପରର କାନ୍ଧରେ ହାତ ରଖି ମାନଖୋଲା ହସ ହସୁଥିଲେ )

(ଦୂରରୁ ଏସବୁ ଦେଖୁଥିବା ନବ ଯୁବକ ଜଣଙ୍କ ଟିକିଏ ପାଖକୁ ଆସି ଅନୁରୋଧ କରିବା ଭଙ୍ଗୀରେ କହିଲା )

ଆଜ୍ଞା ଟିକେ ଶୁଣିବେ କି .. ଟ୍ରେନଟି ମୋର ବି ଏଇ ପ୍ଲାଟଫର୍ମରେ ଆସିବ । ଟିକେ ବିଳମ୍ବ ବି ହେଉଛି ..। ଶୀତୁଆ ରାତିର ଏ କୋହଲା ପାଗରେ ତଳେ ବସିବାକୁ ମନ ମାନୁନି । ଆଉ କୌଣସି ସିଟ ବି ଖାଲି ନାହିଁ । ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ମୁଁ ଏଠି ବସି ପାରିବି କି ..?

ବାପାରେ ଛୋଟ ଚୌକିଟିଏ ଦୁଇଜଣ ବସିବା ଭଳି ହୋଇଛି .. 

ଆଉ ଆମେ ବୁଢା ଦୁଇ ବସି ଟିକିଏ ନିଜ ନିଜର ବୋଝ ହାଲୁକା କରୁଛୁ । ଅଳ୍ପ ସମୟ ପରେ କେହି କାହା ଭେଟ ପାଇବୁ ନାହିଁ । ଟିକେ ବୁଝିବାକୁ ଚେଷ୍ଟା କର ପୁଅ ।

ହେଲେ ମଉସା ବହୁତ ବେଳୁ ଲକ୍ଷ୍ୟ କରୁଛି ଆପଣ ଏକା ଏକା କଥା ହେଉଛନ୍ତି । କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦି ପକାଉଛନ୍ତି । ମୁଁ ଭାବିଲି ବୋଧହୁଏ ଫୋନରେ କଥା ହେଉଛନ୍ତି କିମ୍ବା କେହି ଅଳ୍ପ ଦୂରରେ ଅଛି ବୋଧେ ଯିଏ ଆପଣଙ୍କ ପାଖରେ ବସିଥିବେ ହେଲେ ମୋର ଦୁଇଟି ଯାକ ଅନୁମାନ ଭୁଲ୍ ହେବା ପରେ ହିଁ ମୁଁ ମୋ କୌତୂହଳକୁ ନିଜ ଆୟତ୍ତରେ ରଖି ପାରିଲିନି ଆଉ ଆପଣଙ୍କୁ ପଚାରି ବସିଲି ।

(ଆଂଶିକ କ୍ରୋଧରେ)

ଆରେ ପୁଅ .. ଭଦ୍ର ପିଲାଟିଏ ପରି ଲାଗିଲ ବୋଲି ଭଦ୍ର ବ୍ୟବହାର ଟିକେ କଲି । ଯାଓ ପୁଅ ଯାଓ ଭଲ ଆଖି ଡାକ୍ତର ଦେଖାଓ ।

(ନିଜ ବନ୍ଧୁଙ୍କ ଆଡକୁ ମୁହଁ ଫେରାଉ ଫେରାଉ)

ଦେଖୁଛୁ ତ.. ଆଜି କାଲି କା ପିଲା କେ.... ମି.. ତି...

ଆରେ କୁଆଡେ ଗଲୁ .. ଏ ଛୋଟା ବୁଢା .. ଏ ପୁଅ କଥାରେ ଉଠିଗଲୁ କି.. କାହିଁ ଗଲୁରେ .. ଏ ବୟସରେ ଆହୁରି ଲୁଚକାଳି ଖେଳୁଛୁ କିରେ ବୁଢା .. ଆ..ରେ... 

(କିଛି ବୁଝିପାରୁ ନଥିଲେ ପ୍ରକାଶ ବାବୁ .. ନିମିଶକ ଭିତରେ ପବନାଟା କୁଆଡେ ପବନରେ ଉଭେଇ ଗଲା ) 



Rate this content
Log in

More oriya story from S R Mohanty

Similar oriya story from Inspirational