ଭୂତାଣୁ
ଭୂତାଣୁ
ମୁଁ ଗଲାବେଳକୁ ସେ ନଥାନ୍ତି ଅଥବା ସେ ଥିଲାବେଳେ ମୁଁ ଯାଇନଥାଏ । ମୋ ପାସ୍ ବୁକ୍ ରେ ବାର୍ କୋଡ୍ ଲଗେଇବା ପାଇଁ ପାଞ୍ଚଥର ବ୍ଯାଙ୍କରୁ ଫେରିବା ପରେ ଷଷ୍ଠଥରରେ ଯୋଉ ଦାୟୀତ୍ବବାନ୍ ନୂଆ କର୍ମଚାରୀ ଜଣକୁ ଦେଖିଲି ଟିକେ ଦୋଦୋ ଚିହ୍ନା ଲାଗିଲା । ମତେ ବିନିଅପାର ବର ଭଳି ଲାଗିଲା ପୁଣି ଲାଗିଲାନି । ଅତୀତର ଚେହେରାରେ ବର୍ତ୍ତମାନର ଚେହେରା ଯେତେବେଳେ ଖାପ ଖାଏନି ସେତେବେଳେ ମଣିଷ ଆଉଗୋଟେ ମଣିଷକୁ ଚିହ୍ନିବାବେଳେ ଏମିତି ହିଁ ଦ୍ବନ୍ଦରେ ପଡ଼େ । ମୁଁ ସେଇ ଦ୍ବନ୍ଦ ଭିତରେ ଥିଲି । ସାଢ଼େ ପାଞ୍ଚଫୁଟର ସୁସ୍ଥ ସବଳ ଦେହଟା ଶୁଖି କଳାକାଠ ପଡ଼ିସାରିଥିଲା । ଗାଲରୁ ମାଂସ ଖସିସାରିଥିଲା । ଶରୀରରେ ସେ ଔଜ୍ଜଲ୍ୟତା ନଥିଲା ।
ବିନିଅପାକୁ ତା ବର ଯୋଉଦିନ ଅସତୀବୋଲି ଘୋଷଣ କରିଦେଇ ଚାଲି ଯାଇଥିଲେ ମୁଁ ସେଇଦିନ ହିଁ ଦେଖିଥିଲି । ଗୋରା ଡେଙ୍ଗା ଓ ବଳିଷ୍ଠ ଚେହେରା ସାଙ୍ଗକୁ କ୍ରୋଧୀ ସ୍ବଭାବର ଜଣାପଡ଼ୁଥିଲେ ସେ । ତାଙ୍କପ୍ରତି ରାଗରେ ରକ୍ତଚାଉଳ ଚୋବେଇ ଉଠିଥିଲେ ସମସ୍ତ ଆତ୍ମୀୟ । ଆଖି ଗୁଡ଼ାକ ନିଆଁଭଳି ଜଳିଉଠିଥିଲା କ୍ରୋଧରେ ସମସ୍ତଙ୍କର । ବିନିଅପା ବିନା ପ୍ରତିବାଦରେ, ବିନା ଯୁକ୍ତିରେ, ପ୍ରତିକ୍ରିୟା ଶୂନ୍ୟ ହେଇ ସହଜ ସ୍ବୀକାର କରିନେଲା ଯେ ସେ ଅସତୀ । ବାପା ମାଆ ଦାଦା ଖୁଡ଼ୀ ଭାଇ ଭଉଣୀ ଗାଁ ଗଣ୍ତା ସାଇ ପଡ଼ିଶାଏ ସଭିଏଁ ଗୋଟାପଣେ ଚୁପ୍ ପଡ଼ିଗଲେ । ଟାଣମୁହଁ ଗୁଡ଼ାକ କାଚର ଟୁକୁଡ଼ା ଭଳି ଭାଙ୍ଗି ଖଣ୍ତଖଣ୍ତ ହେଇଗଲା । ମୁହଁ ସବୁ ଅଳତା ଭଳି ଲାଲ୍ ପଡ଼ିଗଲା । ଘୃଣାରେ କି କ୍ରୋଧରେ ! ଲାଜରେ କି ଅପମାନରେ ! ଜାଣିବା ଖୁବ୍ କଷ୍ଟସାଧ୍ୟ ହେଉଥିଲା । ମୁହଁ ଫେରେଇ ନେଲେ ସମସ୍ତେ ବିନିଅପା ଉପରୁ ।
ପଶାପାଲିର ପଶାଖେଳରେ ହାରିଗଲା ଭଳି ସମସ୍ତଙ୍କ ମୁହଁ ତଳକୁ ଥିଲା । ବିନିଅପା ବି ବିବସ୍ତ୍ର ଦ୍ରୌପଦୀଙ୍କ ଭଳି ଠିଆ ହେଇଥିଲା ମୁହଁ ପୋତି । କିଛି ସମୟର ନିରବତା ପରେ ନିଜ ଛାତିକୁ ପଥର କରି ଗଳାଝାଡ଼ି ଦୃଢକଣ୍ଠରେ କହିଲା ଯେ ସେ ଖାଲି ଅସତୀ ନୁହଁ । ତା ରକ୍ତରେ ଏବେ ଏଚ. ଆଇ. ଭି ପଜିଟିଭ୍ । ଏବେ ସେ ଜଣେ ପେସେଣ୍ଟ । ମାନେ ଏଡ୍ସ ପେସେଣ୍ଟ । କିନ୍ତୁ ଜୀବନ ଖର୍ଚ୍ଚିବାକୁ ସେ ଚାହେଁନା । ପିଲାଦିନେ ସେ ବୁଢ଼ୀମା ଠାରୁ ବହୁଥର ଶୁଣିଥିଲା ଆତ୍ମହତ୍ୟାଟା ମହାପାପ । ସ୍ବର୍ଗ ମର୍ତ୍ତ୍ୟ ପାତାଳ କୋଉଠିବି ପାଦଟେ ରଖିବାକୁ ଯାଗାଟେ ମିଳେନି । ସେ ବଞ୍ଚିବାକୁ ଚାହେଁ । ବିନିଅପାର ଗୋଟେ ବିନୟ ସେ ପରିବାରଙ୍କ ସାଥିରେ ଆଉ ରହିବ ନାହିଁ । ଗାଁ ଠୁ ଦୂରରେ ତିଆରି ହେବ ଗୋଟେ ଘର । ନଡ଼ାଛପର ମାଟିକାନ୍ଥର ଏକ ଘର । ସେ ସେଇଠି ପଡ଼ିରହିବ ଏକ ପାଷାଣୀ ଅହଲ୍ୟା ପରି ଏକ ଅଭିଶପ୍ତ ଜୀବନ ଧରି । ନିଜେ ମୂଲ ଲାଗିବ, ମାଟି ହାଣିବ, ମାଟି ବୋହିବ, ମାଟି ଚକଟି ଇଟାଗଢ଼ିବ, ଧାନ ରୋଇବ, ବେଲଚା ମାରିବ , ମୃତ୍ୟୁ ଆସିଲେ ମରିବ । ବାସ୍ ସେଇତକ ଜୀବନ ଭିତରେ କାହା ଉପରେ ବୋଝ ହେବ ନାହିଁ ।
ଯୋଉ ବିନିଅପା ସାଥେ ଟିକେ କଥା ହେବା ପାଇଁ ଆମ ଗାଁ ଟୋକାଏ କେତେ ବାହାନା କରନ୍ତି , ଯୋଉ ବିନିଅପା ହସିଦେଲେ ଟୋକାମାନଙ୍କ ପାଇଁ ଗୋଟେ ବଡ଼ ହେଡ୍ ଲାଇନ୍ ନିଉଜ୍ ପାଲଟେ, ଯୋଉ ବିନିଅପାକୁ ହାଇଟେ ଆସିଲେ ଗାଁ ଟୋକାଙ୍କୁ ଜର ହେଇଯାଏ, ସେଇ ବିନିଅପାଟାକୁ ଛାଡ଼ିଦେଇ ନଂପୁସକ ଭଳି ଗାଡ଼ିରେ ବସି ପଳେଇଲା ସେ ବେରସିକ ବିନିଅପାର ବରଟା । ପ୍ରେମଫ୍ରେମର ମୂଲ୍ୟ କିଛି ବୁଝେନା । ପାଠ ପଢ଼ିଚି , ଚାକିରୀ କରିଚି ସିନା ସୁଦୁ ମୂର୍ଖ ମାନଙ୍କଠୁ ଊଣା । ତା ଠୁ ଶହେଗୁଣରେ ଭଲ ମଇଁଷିଆଳ ଜୟନା' । ସେ ମଇଁଷି ଚରାଏ ସିନା । ବିନିଅପାକୁ ସେ ଯଦି ବିଭାହନ୍ତା ତେବେ ମହାରାଣୀ କରି ରଖନ୍ତା ବୋଲି ତା ମୁହଁରୁ ମୁଁ ବହୁଥର ଶୁଣିଛି ।
ବିନିଅପାଟା ସୁନ୍ଦରୀ, ହସକୁରୀ, ଗପୁଡ଼ି । ସ୍କୁଲ୍ ରେ ପଢ଼ିବା ବେଳୁ ସେ ସେମିତି । ବେଣୀଛାଟି, ଛାତିରେ ବହି ଜାକି ଯେବେ ଅଣ୍ଟା ଭାଙ୍ଗି ଚାଲିଯାଏ ଗାଁର ସବୁଯାକ ଟୋକା ଥରେଥରେ ଆଖିପୁରେଇ ଦେଖିନିଅନ୍ତି ସତ କିନ୍ତୁ କେହି ଉଁ କି ଚୁଁ ପଦେ ପାଟି ଖୋଲନ୍ତି ନାଇଁ ।
ରଜଦୋଳି, ଜହ୍ନିଓଷା, ଖୁଦୁରୁକୁଣୀ, ଗାଁ ଠାକୁରାଣୀ ପୀଢ଼ପୂଜା ଭଳି ଯେତେସବୁ ପୁନେଇପର୍ବରେ ଝିଅମାନେ ସଜହୁଅନ୍ତି ସେ ସବୁଝିଅଙ୍କ ଠୁ ବାରି ହେଇପଡ଼େ ।
ବିନିଅପାର ମାଆ ଦିନେ ଗାଁ ଜ୍ୟୋତିଷଙ୍କୁ ବିନିଅପାର ହାତ ଦେଖେଇ ତା ବାହାଘର କଥା ପଚାରି ବୁଝିଥିଲେ । ଜ୍ୟୋତିଷ ପୋଥିଖୋଲି, ଭୂଇଁରେ ଖଡ଼ିଗାର ଟାଣି ,ଆଙ୍ଗୁଠି ଗଣି , ହାତ ରେଖା କୁ ହିସାବ କରି ଶୁଣେଇଥିଲେ ଯେ ବିନି ପାଇଁ ଚାକିରିଆ ଜୋଇଁଟିଏ ଅଛି । ସେ ଖୁବ୍ ଭାଗ୍ୟବତୀ । ଖୁସିରେ ରହିବ । ସେଦିନ ଜ୍ୟୋତିଷ ମୁହଁରୁ ପ୍ରଥମଥର ପାଇଁ ସ୍ବୟଂ ନିଜେ ବିନିଅପା ଶୁଣିବାପରେ ଖୁସିରେ ଉଛୁଳି ଉଠିଥିଲା ।
ତା ବାହାଘର ହେଇ ନଥିଲା । ମୋର ମେଟ୍ରିକ୍ ପରୀକ୍ଷା ସରି ଯିବା ପରେ ମୁଁ ସହରକୁ ଗଲି ପାଠ ପଢ଼ିବାକୁ । ସହରରେ ଥିଲାବେଳେ ବୋଉ ଫୋନ୍ କରି ଜଣେଇଥିଲା । ବିନିଅପା ବାହା ହଉଚି । ଚାକିରିଆ ବର । ସହରରେ ରହିବ । ବଡ଼ଘରେ । ଜ୍ୟୋତିଷ କଥା ସତ ହେଇଥିଲା । ବିନିଅପା ଯୋଉଦିନ ଆମ ଘରକୁ ପିଠା ଖାଇ ଆସିଥିଲା ମତେ ଖୋଜିଥିଲା । ତା ବାହାଘରରେ ରହିବାକୁ ମୋ ବୋଉକୁ ଅନୁରୋଧଟିଏ କରି ଡକେଇବାକୁ କହିଥିଲା । ମୋର ପରୀକ୍ଷା ଥିଲା । ମୁଁ ଆସିପାରି ନଥିଲି ବିନିଅପା ବାହାଘରକୁ । କିନ୍ତୁ ମନେମନେ ବଡ଼ କଷ୍ଟଟିଏ ଭୋଗିଥିଲି ।
ସେ ବ୍ୟାଙ୍କ କର୍ମଚାରୀ ଜଣକ ମତେ ପଚାରିଲେ
‐ ତମର ?
ମୁଁ ପାସ୍ ବହିଟି ତାଙ୍କ ହାତକୁ ବଢ଼େଇଦେଇ କହିଲି
‐ ଟିକେ ଅପ ଟୁ ଡେଟ୍...... ଆଉ ବାର୍ କୋଡ୍ ଟିଏ ଲଗେଇବେ ।
ସେ କି ବୋର୍ଡରେ ମୋ ନମ୍ବରଟି ପୁଟ୍ କରି ପ୍ରିଣ୍ଟ ପାଇଁ ପାସ୍ ବହିଟି ଖଞ୍ଜିଲାବେଳେ ଧିରେ ପଚାରିଲି
‐ ଆପଣ ବିନିଅପାର ହଜବ୍ଯାଣ୍ତ ନା ?
ଶୁଭାଗଲାନି କି କଣ । ସେ କିଛି ପ୍ରତିକ୍ରିୟା ଦେଖେଇଲେ ନାହିଁ । ବାର୍ କୋଡ୍ ପାଇଁ ମତେ ୱେଟ୍ କରିବାକୁ ନିର୍ଦ୍ଦେଶ ଦେଇ ମୋ ପାସ୍ ବହିଟି ରଖିଲେ । ଅନ୍ୟ ପାସବହି ଗୁଡ଼ିକ ଅପ ଟୁ ଡେଟ୍ କରିବାରେ ମନୋନିବେଶ କଲେ । ମୁଁ ଆଉ ଦ୍ବିତୀୟଥର ପଚାରିଲିନି ।
ପାଖ ଚେୟାର୍ ରେ ଯାଇ ବସିଲି । ବ୍ୟାଙ୍କଟାଇମ୍ ଓଭର ହେଇ ଆସୁଥିଲା । ମତେ ଖୁବ୍ ବ୍ଯସ୍ତ ବି ଲାଗୁଥିଲା । କିନ୍ତୁ ମୁଁ ନାଚାର ଥିଲି ।
ସେ କମ୍ପ୍ୟୁଟର ସଟଡାଉନ୍ କରି ମୋତେ ଆସ ବୋଲି କହିଲେ । ମୁଁ ତାଙ୍କ ପଛେପଛେ ବାହାରକୁ ଆସିଲି । ସେ ପଚାରିଲେ
‐ ବାଇକ୍ ଆଣିଚ ?
ମୁଁ ସଂକ୍ଷିପ୍ତରେ କହିଲି
‐ ନା .....।
ସେ ସ୍କୁଟିଚାବି ବଢ଼େଇଦେଇ ଷ୍ଟାଣ୍ତରୁ ବାହାରକରି ଚଲେଇବାକୁ କହିଲେ । ମୁଁ ସ୍କୁଟି ଚଲେଇଲି । ସେ ମୋ ପଛରେ ବସି ରାସ୍ତା ଦେଖେଇଲେ ।
ଗୋଟେ ବସ୍ତି ଗଳିର ଆଜବେଷ୍ଟ ଛପର ଘର ପାଖରେ ଅଟକିଲା ସ୍କୁଟି । ସେ ଓହ୍ଲେଇଯାଇ ତାଲାଖୋଲି ମତେ ଭିତରକୁ ଡାକିଲେ । ମୁଁ ଭିତରକୁ ଗଲି । ଘର ଭିତରଟା
ବେଶ୍ ଅସ୍ତବ୍ୟସ୍ତ ଓ ଅସଜଡ଼ା ଲାଗୁଥିଲା । ଘରର ପ୍ରତି କୋଣରେ ଅଳନ୍ଧୁ ଜମିଥିଲା । ଥାକରେ ବହିଗୁଡ଼ାକ ଖେଳେଇ ହେଇ ପଡ଼ିଥିଲା । ଲୁଚାକୁଚା ବେଡ୍ ସିଟ୍ ଟିକୁ ସଜାଡ଼ି ଦେଇ ବେଡ୍ ଉପରେ ମତେ ବସିବାକୁ ନିର୍ଦ୍ଦେଶ ଦେଲେ । ମୁଁ ପାଖରେ ପଡ଼ିଥିବା ଚେୟାର୍ କୁ ଟାଣିଆଣି ବସିବାକୁ ଗଲାବେଳେ ସେ ପାଟିକରି ଉଠିଲେ ।
‐ ଆରେ ଆରେ ସେଇଟା ଭଙ୍ଗାଚେୟାର୍ ବସନି । ଟିକେ ରୁହ ।
ପାଖ ରୁମ୍ ରୁ ଆଉ ଗୋଟେ ଚେୟାର୍ ଆଣି ଥୋଇଲେ । ମୁଁ ବସିଲି ।
ସେ ରୋଷେଇ ଘର ଭିତରକୁ ଗଲେ । ମତେ ଗ୍ୟାସ୍ ଲାଇଟର ଅନ୍ କରିବାର ଶବ୍ଦ ଶୁଭିଲା । ବୋଧେ ଚା ପ୍ରସ୍ତୁତି କଲେ । ସେଇତକ ସମୟ ଭିତରେ ଅସଜଡ଼ା ବହିଥାକକୁ ସଜାଡ଼ିଦେବାକୁ ମୋତେ କାଇଁ ଭାରି ଇଚ୍ଛା ହେଲା । ଉଠିଯାଇ ସଜାଡ଼ିଲି ମଧ୍ୟ । ବହିଥାକ ଭିତରୁ ପାଇଲି ଏକ ଫଟୋ ଆଲବମ । ଉପରେ ଲେଖାଥିଲା ଆଲବମ୍ ଅଫ ବିନୋଦିନୀ । ପ୍ରଥମ ଫଟୋଟି ଥିଲା ବିନିଅପାର । ତା ବାହାବେଳର ଫଟୋ । ସ୍ବର୍ଗର ପରିଟିଏ ଭଳି ଦିଶୁଥିଲା । ମୁଁ ଏବେ ନିଶ୍ଚିତ ହେଇଗଲି ଏ ବିନିଅପାର ବର । ଉଭୟଙ୍କର ଏକ ଷ୍ଟୁଡିଓ ଫଟୋ ବାହାର କରି ମୋ ପ୍ୟାଣ୍ଟପକେଟ୍ ରେ ରଖିଲି । ପୂର୍ବ ଭଳି ଅସଜଡ଼ା କରି ବହିଗୁଡ଼ିକ ଖେଳେଇଦେଇ ଚୁପ୍ ଚାପ୍ ଚେୟାର୍ ରେ ଆସି ବସି ପଡ଼ିଲି ।
ସେ ଦୁଇକପ୍ ଚା' ନେଇକି ଆସିଲେ । ମତେ ଗୋଟେ କପ ବଢ଼େଇଦେଇ ନିଜେ ଗୋଟେ କପ୍ ଧରିଲେ । ଏଭଳି ଆତିଥେୟତାରେ ତାଙ୍କପ୍ରତି ଥିବା ଖରାପ ଧାରଣା ଗୁଡ଼ିକ ମୋ ମନରୁ ଧିରେଧିରେ ମଉଳିବାକୁ ଆରମ୍ଭ ହେଲା ।
ସେ ପଚାରିଲେ
‐ ତମ ବିନିଅପା ଏବେ କେଉଁଠି ?
ମୁଁ ଟିକେ ଅଭିମାନ ସ୍ବରଟାକୁ ତେଜିଦେଇ କହିଲି
‐ ଯେମିତି ଯେଉଁଠି ଥିଲେ ଆଉ କଣ ହେବ ଆଉ ? ତମେତ କଳଙ୍କ ବୋଳି ଛାଡ଼ିଦେଇ ଆସିଲ ଯେ ଆସିଲ ? ଟିକେ ବି ମୁହଁ ବୁଲେଇ ଆଉ ପଛକୁ ଚାହିଁଲନି । ବିଚାରି ସେଇ କଳଙ୍କରେ ନିଜକୁ ଗୋଳେଇଦେଇ ଖାଲି ମୃତ୍ୟୁକୁ ଅପେକ୍ଷା କରି ବଞ୍ଚିଛି ଯାହା । ଜାଣ ? ଏବେ ସେ ଏଚ୍ ଆଇ ଭି ସଂକ୍ରମିତ ରୋଗୀ ।
ସେ ମୋ କଥା ଶୁଣି ଖୁବ୍ ଜୋର୍ ରେ ହସିବାକୁ ଲାଗିଲେ । ସତେଯେମିତି ମୁଁ କିଛି ଭୁଲ୍ ଭଟକା କଥା କହି ପକେଇଲି ।
ସେ ଜୋର୍ ଦେଇ କହିଲେ
‐ ଇମ୍ପୋସିବ୍ଲ......
‐ ମାନେ .....?
ସେ ପକେଟ୍ ରୁ ସିଗାରେଟ୍ ଖଣ୍ତେ ବାହାରକରି ମୋ ଆଡ଼କୁ ବଢ଼େଇଲେ । ମୁଁ ସିଗାରେଟ୍ ପିଏନି । ମନାକଲି । ସେ ଭଦ୍ରତା ଦୃଷ୍ଟିରୁ ସିଗାରେଟ୍ ରେ ନିଆଁ ନଧରେଇ ରଖିଦେଲେ ସେମିତି । କହିଲେ
‐ ମୁଁ ବ୍ୟାଚଲର୍ ଥିବାବେଳେ କୁସଙ୍ଗରେ ପଡ଼ିସାରିଥିଲି । ଯାହାର ପରିଣାମ ଏବେ ଭୋଗୁଚି । ମୋ ସମଗ୍ର ଶରୀର ଏବେ ଏଚ୍ ଆଇ ଭି ଭୁତାଣୁ କବଳିତ । ତମେ ମୋ ଚେହେରା ଦେଖି ଜାଣିପାରୁଥିବ । ତମ ବିନିଅପା ଏ ସବୁ ଜାଣିବା ପରେ କେମିତି ସାରାଜୀବନ ମୋ ପାଖେ ରହି ପାରିଥାନ୍ତା । ସେଥିପାଇଁ ସେ ମୋତେ ସର୍ବସମ୍ମୁଖରେ ତାକୁ ଅସତୀ ଘୋଷଣା କରି ପରିତ୍ୟାଗ କରିବାକୁ ବାଧ୍ୟ କଲା ।
ମୋର ଅପରିପକ୍ବ ମସ୍ତିଷ୍କ । ଏ ସବୁ ଶୁଣି କଣ ଉତ୍ତର ଦେବି କିଛି ଜାଣିପାରୁନଥିଲି । ମୁଁ ତାଙ୍କ ସହ କି ଯୁକ୍ତି କରିବି ଭାବି ପାରୁନଥିଲି । ତାଙ୍କୁ ନିନ୍ଦା କରିବି କି ପ୍ରଶଂସା କରିବି ନିଜକୁ ନିଜେ ପଚାରି ମନ୍ଥି ହେଇଯାଉଥିଲି । ମୋ ବିନିଅପାର ମୁହଁଟା ନାଚି ଉଠିଲା ମୋ ସାମ୍ନାରେ ।
ମୁଁ ତାଙ୍କଠୁ ବିଦାୟ ନେଇ ବାଟରେ ଆସିଲା ବେଳେ ବିନିଅପାକୁ ଯାଇ ଦେଖାକରିବାକୁ ମନ ବ୍ୟାକୁଳ ହେଇ ଉଠିଲା । ଗାଁ ବସ୍ ଧରି ଗାଁ ଛକରେ ଓହ୍ଲେଇବା ବେଳକୁ ଅନ୍ଧାରରେ ଜାଲ ଭିଡ଼ି ସାରିଥିଲା । ଉତ୍ତର ପଶ୍ଚିମ କୋଣରୁ ବିଜୁଳି ଚକଚକ କରୁଥିଲା । କଳାହାଣ୍ତିଆ ମେଘ ଘୋଟି ସାରିଥିଲା । ଯଲ୍ଦି ଯଲ୍ଦି ପାଦ ବଢ଼େଇଲି ଆଗକୁ । ପିଚିଶିରୁ ତିରିଶି ପାହୁଣ୍ତ ଯାଇଚି କି ନାହିଁ ଟପଟପ ଗଳିପଡ଼ିଲା ବର୍ଷାଟିପା । ଦୌଡ଼ିଲି ଏକ ନିଶ୍ବାସରେ । ଉଠିଲି ବିନିଅପାର ଏକ ବଖୁରିଆ ଘରେ। ଅଳ୍ପଅଳ୍ପ ଭିଜି ସାରିଥିଲି ।
ସେତେବେଳକୁ ବିନିଅପା କଣ ଖୋଜିବାରେ ବ୍ୟସ୍ତଥିଲା । ମତେ ଦେଖି ବଡ଼ ଖୁସିଟେ ହେଲା । ଚୁଲି ଉପରେ ଚେପାଟୋଲା ଡେକ୍ଚି ଖଣ୍ତକ ଥୋଇଦେଇ ହସିହସି ଲୁଗାକାନିରେ ମୁହଁ ପୋଛି ପୋଛି କହିଲା ସେଠି ଡେକ୍ଚିଖଣ୍ତକ ନରଖିଲେ ବର୍ଷାପାଣି ସବୁଯାକ ଚୁଲିରେ ଭର୍ତ୍ତି ହେଇଯିବ । ତଳେ ସପଖଣ୍ତେ ପକେଇଦେଲା । ତା ଲୁଗାକାନିରେ ମୋ ଓଦା ମୁଣ୍ତ ପୋଛିଦେଲା । ମୋ ଦେହମୁଣ୍ତ ଆଉଁଶି ପକେଇଲା । ସପରେ ବସିବାକୁ କହିଲା । ପଚାରିଲା
‐ ତୋର ସବୁ ଭଲ ତ ? ସହରରୁ କେବେ ଫେରିଲୁ ? ଆଜି କେମିତି ହଠାତ୍ ମୁଁ ମନେ ପଡ଼ିଗଲି ?
‐ ଆଜି ଫେରିଲି । ତାଙ୍କ ସହ ଦେଖାହେଇଥିଲା ।
ବିନିଅପା ଓଠ ରୁ ହସ ଧପ କରି ଲିଭିଗଲା । ଅନ୍ୟମନସ୍କ ହେଇଗଲା କିଛିକ୍ଷଣ । ସମୟଟା ସତେଯେମିତି କିଛିକ୍ଷଣ କିଛିମୁହୂର୍ତ୍ତ ପାଇଁ ଅଟକି ଗଲା ତା ପାଇଁ । ଘରଟି ଖାଁଖାଁ ଲାଗିଲା । ନୀରବତା ଭାଙ୍ଗି ପଚାରିଲି
‐ କିଛି ପଚାରିବୁନି ତୁ ?
‐ ନା
‐ କାହିଁକି ?
‐ ଅତୀତ ଅତୀତ ଜାଗାରେ ଥାଉ । ମୁଁ ଏବେ ଠିକ୍ ଅଛି । ଆଉ କେତେଟା ଦିନ ଅବା ବଞ୍ଚିବି ?
‐ ସେ କିନ୍ତୁ ଆଗ ଚାଲିଯିବେ ।
‐ ଚୁପ୍ । ସେମିତି ଅଲକ୍ଷଣା କଥା କହନି । ସେ ଭଲରେ ଥାଆନ୍ତୁ ।
‐ ତୁ କଣ ଭଲରେ ଅଛୁ ?
‐ ହଁ ଭଲରେ ଅଛି ।
‐ ସେ କିନ୍ତୁ ନାହାନ୍ତି ।
‐ କଣ ହେଇଚି ?
‐ ତୁ ସବୁ ଜାଣି ଅଜଣା ହଉଚୁ । ମୁଁ ସବୁ ଜାଣିସାରିଚି । ଆଉ ମତେ ଫାଙ୍କିବାକୁ ଚେଷ୍ଟା କରନି ।
‐ ସବୁ ଜାଣିଚୁ ଯଦି ତୁ କହିଲୁ ? କୋଉ ଝିଅ ଜାଣିଶୁଣି ଏମିତି ତା ସ୍ବାମୀ ପାଖରେ ରହିବ ?
‐ ଗୋଟେ କଥା ପଚାରିବି ?
‐ ପଚାରେ
‐ ତୁ ସେଦିନ ମିଛ କହିଲୁ ?
‐ କି ମିଛ ?
‐ ତୋ ଦେହରେ ଏଚ୍ ଆଇ ଭି ଭୂତାଣୁ ଅଛି ବୋଲି ?
‐ ହଁଅଁଅଁ......
‐ କିଆଁ ?
‐ ନହେଲେ ଆଜିଯାଏ କଣ ଏ ଦେହଟାକୁ ସୁରକ୍ଷିତ କରି ରଖିପାରିଥାନ୍ତି ? ମୁଁ ଅସତୀ ନାଆଁରେ ସତୀ ହେଇ ବଞ୍ଚିବାକୁ ଚାହେଁ ।
ମୁଁ ପକେଟ୍ ରୁ ଫଟୋଟି କାଢ଼ି ତା ହାତରେ ଗୁଞ୍ଜିଦେଇ ଆସିବାକୁ ବାହାରିଲି । ସେ ଏ କଥା କୋଉଠି ପ୍ରକାଶ ନକରିବାକୁ ରାଣନିୟମ ଦେଲା । ମୁଁ ସେ ରାଣନିୟମ ସବୁକୁ ନେଲି । ସେତେବେଳକୁ ବାହାରେ ବର୍ଷା ବନ୍ଦ ହେଇସାରିଥିଲା । ମିଞ୍ଜିମିଞ୍ଜି ଲଣ୍ଠନ ଆଲୁଅରେ ଦେବୀଭଳି ଝଟକୁଥିବା ବିନିଅପାର ପାଦ ଦିଇଟାକୁ ଛୁଇଁଲି । ଆସିଲା ବେଳେ ଆଉ ପଛକୁ ଚାହିଁନି । ପ୍ରତିଶ୍ରୁତି ଓ ରାଣନିୟମ ଭିତରେ ଛନ୍ଦି ହେଇଗଲେ ସୁଧା ମୁଁ ସେ ଭୂତାଣୁ ନାମକ ଆଦିପ୍ରାଣୀଟିକୁ ନା ନିନ୍ଦା କରିପାରୁଥିଲି ନା ପ୍ରଶଂସା ! ସତରେ ଏ ଭୂତାଣୁଟି ବଡ଼ ବିଚିତ୍ର । କାହାର ଜୀବନ ନେଲା ବେଳକୁ କାହାକୁ ସାରାଜୀବନ ଦେବୀଭଳି ସଜେଇ ଦଉଥିଲା ।