ଭୋକ
ଭୋକ
ଭୋକଟା ଜୋର ଧରିଛି ଆଜି l କେତେ ଜଣଙ୍କଠି ହାତ ପାତି ସାରିଲାଣି l କିଛି ମିଳିଲାନି l କିଏ ଟଙ୍କାଟେ ଦେଲା ନାହିଁ କି କିଏ ଦାନାଟିଏ ବି ବଢ଼ାଇଲା ନାହିଁ l କାମ ବି ଦଉନି କେହି l କହୁଛି କଣ ନା ତୁ ପିଲାଟା l ତୋ ଦେଇ କାମ କରେଇ କଣ ଜେଲ ଯିବି? ତୁ ଯା ଏଠୁ l
ଭାବେ ପିଲା ବୋଲି କଣ ଭୋକ କରୁନି କି ତାକୁ l ପେଟଟା ତ ଜଳୁଛି ଏଇନେ l କଣ କରିବ? ଭୋକରେ ରାଜାର ମୁଣ୍ଡ କାମ କରୁ ନ ଥାଏ l
କଣ ଗୋଟେ ଭାବି ସିଧା ଯାଇ ପଶିଲା ସ୍କୁଲ ଘେରାରେ l ଲୁଚି ଲୁଚି କିଛି ଖୋଜିବାରେ ଲାଗିଲା l ଶେଷ ରୁମଟାରେ କେହି ନାହିଁ l ଏପଟେ ସେପଟେ ନଜର ପକେଇ ପଶିଗଲା ରୁମ ଭିତରେ l ବହି ବସ୍ତାନି ସବୁ ଥୁଆ ହେଇଚି l ଗୋଟେ ବ୍ୟାଗକୁ ଧରିଲା ରାଜା l ଚେନ ଖୋଲି ଖୋଜାଖୋଜି କଲା ତ ସତେ ଯେମିତି କୋଟିନିଧି ମିଳିଗଲା ତାକୁ l ଟିଫିନଟେ ବାହାର କଲାl ବାଃ! କି ବାସ୍ନା l ଭୋକଟା ବଢିଗଲା ଆଉ ଟିକେ l ଗୋଟେ ନିଃଶ୍ୱାସରେ ଖାଇ ଚାଲିଲା l ଉଃ! କି ତୃପ୍ତି l କିନ୍ତୁ ଆଖି ଦୁଇଟି ତାର ଗୋଲ ଗୋଲ ଘୁରୁ ଥାଏ l ଯଦି କିଏ କୋଉଠି ଦେଖିଦବ !
ରାଜାର ଡରକୁ ସତ୍ୟତାର ରୂପ ନବାକୁ ଲାଗିଲା ବାସ କେଇ ମୁହୂର୍ତ୍ତ l କ୍ଲାସର ଗେଟ ପାଖରେ ସ୍କୁଲ ପିଅନ ଚୈତନ ଠିଆ ହୋଇଛି l ତାକୁ ଦେଖି ହୋସ ଉଡ଼ିଗଲା ରାଜାର l ଏବେ କଣ କରିବ? ଟିଫିନଟା ଧରି ଏକରକମ ଧାଇଁବାରେ ଲାଗିଲା l ହେଲେ ଚୈତନ କୋଉ ଛାଡ଼ିବା ଲୋକ?
"ଏ ଚୋର ଚୋର" ବୋଲି କହି ପାଟି କରିବାରେ ଲାଗିଲା l
ଚୈତନର ପାଟି ଶୁଣି ଧାଇଁ ଆସିଲେ ସବୁ l ଦୌଡି ଚାଲିଯିବ ବୋଲି ଭାବିଲା ବେଳକୁ ପଛରୁ କିଏ ଗୋଟେ ଧରି ପକେଇଲା ରାଜାକୁ l ତା ହାତରୁ ଟିଫିନଟି ଛଡାଇ ନିଆଗଲା l
ଚୋରି କରୁଛୁ ! ଲାଜ ଲାଗୁନି ବୋଲି କହିଲା କିଏ ଜଣେ l ଆଉ ଠାଏ ଶବ୍ଦ କରି ଚାପୁଡ଼ାଟେ ପଡିଲା ରାଜାର ଗାଲରେ l ମୂର୍ତ୍ତିଟିଏ ପରି ଠିଆ ହୋଇ ରହିଲା ସିଏ l
ସପ୍ତମ ଶ୍ରେଣୀର ପିଲାମାନଙ୍କୁ ଡକା ଗଲା l
ହଠାତ ସେମାନଙ୍କ ଭିତରୁ ଗୋଟେ ପିଲା ଭୋ ଭୋ କରି କାନ୍ଦି ଉଠିଲା l କହିଲା କି ଚୋରି ହେଇଥିବା ଟିଫିନଟି ତାର l
ଚୈତନ ଟିଫିନ ନେଇ ଧରେଇ ଦେଲା ପିଲାଟି ହାତରେ l ତନ୍ନ ତନ୍ନ କରି ଦେଖିଲା ପିଲାଟି ରାଜାକୁ l ଆଉ ପୁଣି ଥରେ କାନ୍ଦିବାରେ ଲାଗିଲା l
ସାର କାନ୍ଦିବାର କାରଣ ପଚାରି ବାରୁ କହିଲା କି, "ଏ ଭିକାରିଟା ମୋ ଖାଇବା ଅଇଁଠା କରି ଦେଇଛି l ମୁ ଆଉ ୟାକୁ ଖାଇପାରିବିନି ନାହିଁ l "
ଆଉ ସିଧା ସବୁ ଖାଦ୍ୟ ନେଇ ଫୋପାଡ଼ି ଦେଲା ଡଷ୍ଟବିନରେ l
ପିଲାଟିକୁ ବଲ ବଲ କରି ଚାହୁଁ ଥାଏ ରାଜା l
କିଏ ଗୋଟେ ସେତେବେଳେ କହିଲା, "ଏ ଚୋର ତତେ ଲାଜ ମାଡୁନି? ଆହୁରି ଠିଆ ହୋଇ ରହିଛୁ ଏଠି l ଚାଲ ପଳା ଏଠୁ l"
ରାଜା ସମସ୍ତଙ୍କ ମୁହଁକୁ ଥରେ ଚାହିଁଲା ଆଉ ଚାହିଁଲା ଡଷ୍ଟବିନଟାକୁ ଯୋଉଠି ପିଲାଟି ନେଇ ସବୁ ଖାଇବା ଫୋପାଡ଼ି ଦେଇଥିଲା l ଧୀରେ ଧୀରେ ପାଦ ପକାଇ ବାହାରି ଗଲା ସ୍କୁଲ ପରିସରରୁ l କିନ୍ତୁ ତାର ଆଖି ବାରମ୍ବାର ଡଷ୍ଟବିନଟି ଆଡକୁ ଢଳି ପଡ଼ୁ ଥାଏ l