Saraswati Sahu

Others

4.2  

Saraswati Sahu

Others

ଅମୃତ

ଅମୃତ

3 mins
489


ବାଥରୁମର ଝରକାରୁ ଆକାଶର ଚେହେରା ହାଲକା ହାଲକା ଦେଖାଯାଉଛି l ଦୂର ନଡ଼ିଆ ଗଛଟି ଡେଣା ମେଲେଇ ଚାହିଁ ରହିଛି ଆକାଶ କୁ ଆଉ ବାଥରୁମର ଗୋଟିଏ କାନ୍ଥ କୁ ଆଉଜି ନିସ୍ତବ୍ଦ ଭାବରେ ଠିଆ ହେଇଚି ସ୍ଵାତି l ଏକ ଲୟରେ ଚାହିଁ ରହିଛି ଆକାଶକୁ l

ଆଖିରୁ ଲୁହର ଧାରା ଅନବରତ ବୋହି ଚାଲିଛି l


     କେତେ କଣ ସ୍ବପ୍ନ ଦେଖିଥିଲା ସିଏ l ହେଲେ ସବୁ ସ୍ବପ୍ନ ତାକୁ ଆଜି କାଇଁ ଜହ୍ନ ଭଳି ଲାଗୁଚି, ବାରମ୍ବାର ପ୍ରଶ୍ନ ଆସୁଛି ମନରେ, ତୋଳି ପାରିବ ତ ସେ ଜହ୍ନକୁ ? 

   ଧିକ୍କାର କରୁଛି ନିଜକୁ l କାହିଁକି ସେ ଭାଙ୍ଗି ପଡୁଛି ସବୁଥର l ହେଲେ, ହାରିଯାଇଛି ଯଦି କ୍ଷତି କଣ ଏଥିରେ? ଏଇଟା ତ ତା ଜୀବନର ଶେଷ ପରୀକ୍ଷା ନୁହେଁ l କେତେ ଅବା ବୟସ ତାର ! ଏଇତ ଦଶମ ଶ୍ରେଣୀରେ ପଢୁଛି l ସାରା ଜୀବନ ଅଛି ତା ପାଖରେ ଚମକିବା ପାଇଁ l ପୁଣି ଅଭିମନ୍ୟୁ ପରି ଫସି ଯାଉଛି ପ୍ରଶ୍ନର ଚକ୍ର ବ୍ୟୁହରେ l ହାରିଯିବାଟା କଣ ନିନ୍ଦନୀୟ ନୁହେଁ? 

   ଦୁନିଆର କଥା ଛାଡ , ଆଜି ନିଜ ପାଖରେ ହାରିଯାଇଛି ସ୍ଵାତି l ନିଜକୁ ଦେଇଥିବା ପ୍ରତିଶୁତି ବି ରଖିପାରୁନି ସିଏ l ବହୁତ ମନେ ପଡୁଛନ୍ତି ବୋଉ, ବାବା, ଭାଇ , ଦିଦି ସମସ୍ତେ l କାସ୍ ! ବୋଉ ଥାନ୍ତା ପାଖରେ, ତା କୋଳରେ ମୁଣ୍ଡ ଥାପି ଶୋଇଯାନ୍ତା କିଛି ସମୟ l ସବୁ କଷ୍ଟ ଏମିତି ଅପସରି ଯାଆନ୍ତା l 

   ହେଲେ ଏୟା ବି ତ ସମ୍ଭବ ନୁହଁ l ଏବେ ହଷ୍ଟେଲକୁ ବୋଉ କୁଆଡୁ ଆସିବ? ଘର ପରିବାର ଛାଡି ଚାଲିଆସିଛି ସେ l ଆକାଶରେ ଉଡିଯିବାର ସ୍ବପ୍ନ ନେଇ l କେହି ନିଜର ନାହିଁ ଏଠି l ସାଙ୍ଗ ମାନେ ବି ତ ସବୁ ତା ବୟସର l ସେମାନଙ୍କର ବି ତ କଅଁଳ ମନ, ଅବସ୍ଥା ବି ଠିକ ତା ପରି l କଣ ଆଶା କରିବ ସେମାନଙ୍କ ଠାରୁ?

ସ୍ଵାତିର ଭାବନାର ଅନ୍ତ ଘଟୁ ନଥାଏ l

 

ଗଡ଼ି ଚାଲିଥାଏ ଆଖିରୁ ଲୁହ... 

     ହଠାତ ହାତ ଘଣ୍ଟା ଟିକୁ ଆଖି ଗଲା ତାର l ତାର ଯନ୍ତ୍ର ଚାଳିତ ଜୀବନରେ ସମୟର ମୂଲ୍ୟ ବହୁତ ବଢିଯାଇଛି ଏବେ l ଆଉ ମାତ୍ର ଅଧଘଣ୍ଟା ବାକି ଅଛି କ୍ଲାସ ଯିବା ପାଇଁ l ଠିକ ସମୟରେ ପହଂଚି ନ ପାରିଲେ ପୁଣି ଶୁଣିବାକୁ ପଡିବ ଗାଳି l ଟେପ ଟାକୁ ଖୋଲି ଦେଇ ମୁହଁ ଟିକୁ ଭଲରେ ଧୋଇଦେଲା l ନକଲି ହସ ଗୋଟେ ଓଠରେ ଆଣିବାକୁ ଚେଷ୍ଟା କଲା l କେହି ଯେମିତି ନ ଜାଣନ୍ତି ଯେ ସିଏ କାନ୍ଦୁଥିଲା ବୋଲି l

    କବାଟଟିକୁ ଖୋଲି ଦେଇ ଚାଲି ଯିବ ବୋଲି ଭାବିଲା ବେଳକୁ... 

ପ୍ରିୟା ଠିଆ ହେଇଚି ସାମ୍ନାରେ l

ତାକୁ ଦେଖି କହି ଚାଲିଲା ପ୍ରିୟା, 

   ମୁ ଜାଣିଛି ସ୍ଵାତି ତୁ କଣ କରୁଥିଲୁ ଏବେ l ଅଧଘଣ୍ଟା ହବ କାନ୍ଦୁଛୁ ବାଥରୁମରେ l ତୁ କଣ ଭାବୁଚୁ ତୋ ହସ ହସ ଚେହେରା ପଛରେ ଏତେ ସହଜରେ ଲୁଚେଇ ଦବୁ ଲୁହ ସବୁକୁ ଆଉ ଆମେ କିଛି ଜାଣିପାରିବୁନି? 

    ତତେ ସାଙ୍ଗରେ ନେଇଯିବାକୁ ଆସିଥିଲି ମୁ l କିନ୍ତୁ ଠିକ ଜାଣିପାରିଲି ତୁ କାନ୍ଦିବାରେ ବ୍ୟସ୍ତ l ଏଇଠି ଅପେକ୍ଷା କଲି, କାହିଁକି ନା ତୁ ହିଁ ତ କହୁଥିଲୁ ନା, "ଯଦି କିଏ କାନ୍ଦିବାକୁ ଚାହୁଁଚି ତାହେଲେ ତାକୁ ମନ ଖୋଲି କାନ୍ଦିବାକୁ ଦିଅ, ହାଲକା କରିଦେବାକୁ ଦିଅ ତା ମନକୁ " l

   ପୁଣି ହସ ମିଶା ସ୍ୱରରେ କହିଲା, "କଣ ମାଡାମ, ମନ ହାଲକା ହେଇଗଲା? " ଯିବା ଏଥର? ସମସ୍ତେ ଅପେକ୍ଷା କରିଛନ୍ତି ପରା l ଖେଳିବନି କି ଆଜି? ଆଉ ସ୍ଵାତିର ଉତ୍ତରକୁ ଅପେକ୍ଷା ନକରି ଜାବୁଡି ଧରିଲା ତାକୁ l

   ଲୁହ ହାର ମାନିଗଲା ପ୍ରିୟାର ଆଲିଙ୍ଗନ ରେ l ବାଃ! କେତେ ତୃପ୍ତି ଅନୁଭବ କରୁଛି ସ୍ଵାତି ! ସବୁ କଷ୍ଟ ସତେ ଯେମିତି ଠିକଣା ଭୁଲିଗଲେ ତାର l କିଛି ଗୋଟେ ନିଆରା ଅନୁଭବ କରୁଛି ସେ, ଲାଗୁଚି ସତେ ଯେମିତି ଠିକ ତାର ମା କୋଳରେ ଅଛି ସିଏ ...! ନିଜକୁ ଭୁଲିଯାଉଛି ଧୀରେ ଧୀରେ l ଖୁସି ଖୁସି ଲାଗୁଚି ତାକୁ l 

    " ଫ୍ରେଣ୍ଡସିପ "ର ଯେ ଏମିତି ବି ଗୋଟେ ଚେହେରା ଥାଇପାରେ କେବେ ଭାବିନଥିଲା ସ୍ଵାତି !

   ଭଲପାଇବାର ଗୋଟେ ନିଆରା ଅମୃତର ସ୍ୱାଦରେ ନୂଆ ଜୀବନ ପାଇଯାଇଥିଲା ସ୍ଵାତି !



Rate this content
Log in

More oriya story from Saraswati Sahu