ZYOTSNA PATRAW

Inspirational

3.5  

ZYOTSNA PATRAW

Inspirational

ଭିନ୍ନ ଏକ କୋଣାର୍କ

ଭିନ୍ନ ଏକ କୋଣାର୍କ

3 mins
572


ରାସ୍ତାର ଗୋଟିଏ ପାର୍ଶ୍ୱରେ ଛିଡା ହୋଇଛି ଏକ ଇମ୍ପୋଟେଡ଼ ଗାଡି । ଗାଡି ଉପରେ ହାତ ଦେଇ ଠିଆ ହୋଇଥାନ୍ତି ଜଣେ ସୁନ୍ଦରୀ ତରୁଣୀ । ଆଖିରେ କଳା ଚଷମା, ପାଦରେ ପୋଇଣ୍ଟେଡ ହିଲ, ଆଧୁନିକତାର ସମସ୍ତ ଡିଜାଇନ ସତେ ଯେମିତି ତାଙ୍କରି ଦେହରେ ଖଞ୍ଜି ହୋଇ ଯାଇଥିଲା । ବାରମ୍ବାର ଦେଖୁଥାନ୍ତି ଘଣ୍ଟା । ଅପେକ୍ଷା କରି କରି ବ୍ୟସ୍ତ ହୋଇପଡୁଥାନ୍ତି । ବହୁ ସମୟ ପରେ ଗଛ ମୂଳେ ଥିବା ଚେୟାର ଉପରେ ବସିପଡ଼ିଲେ । ବସି ରହି କେତେବେଳେ ଚେୟାର ଉପରକୁ ଝୁଲିପଡିଥିବା ଗଛର ଡାଳକୁ ଟାଣୁଥିଲେ ତ ପୁଣି କେତେବେଳେ ମୋବଇଲକୁ ଦେଖୁଥିଲେ । ସବୁ ଅନ୍ୟମନସ୍କତା ଭିତରେ ବାରମ୍ବାର ଚାହୁଁଥାନ୍ତି ରାସ୍ତାକୁ । ସତେ ଯେମିତି କେଉଁ ଏକ ମହାମିଳନର ଡାକ ତାଙ୍କର ସମସ୍ତ ଅସ୍ତିତ୍ବକୁ ମହିମାମୟ କରୁଥିଲା ।

କିଛି ସମୟପରେ ଜଣେ ବୃଦ୍ଧା ଓଲ୍ଲହାଇଲେ ରିକ୍ସାରୁ । ତରୁଣୀଜଣକ ଅତି କ୍ଷିପ୍ରଗତିରେ ଦୌଡ଼ି ଗଲେ ବୃଦ୍ଧାଙ୍କ ପାଖକୁ । ଆପଣ ମାଉସୀ ତ । ଯିଏ ମୋତେ ବାଇଶି ବର୍ଷହେଲା ଚିଠି ଦେଉଛନ୍ତି । ଏମିତି ଅନେକ ପ୍ରଶ୍ନ ପଚାରିଚାଲିଲେ ବୃଦ୍ଧାଙ୍କୁ । ନିସ୍ଵାର୍ଥପର ସମ୍ପର୍କକୁ ଜାଣିବା ପାଇଁ ନା ଦରକାର କିଛି ପ୍ରଶ୍ନ ଆଉ ଉତ୍ତର ନା ଗାଁର ଠିକଣା । ବୃଦ୍ଧା ତରୁଣୀଙ୍କୁ କୁଣ୍ଢେଇପକାଇଲେ । ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ସତେ ଯେମିତି କୋଉ ଅନାଦି କାଳର କୋହ ଶ୍ରାବଣର ବାରିଧାରା ଭଳି ଉଭୟଙ୍କ ଲୁହରେ ବୋହିଯାଉଥିଲା । ଆଉ ସେଇ ଲୁହର ପରଶ ପାଇ ସତେ ଯେମିତି ଆଖପାଖର ଗଛଲତା ମାନେ ଉନ୍ମାଦିତ ହେଉଥିଲେ । ଏଇସବୁ ଘଟଣାକୁ ରିକ୍ସା ଉପରେ ବସି ଦେଖୁଥିଲା ମଦନା । ମଦନା ଆଉ ସମ୍ଭାଳି ପାରିଲାନି । ଚାଲି ଆସିଲା ଦୁଇଜଣଙ୍କ ପାଖକୁ । ମଦନା ବୃଦ୍ଧାଙ୍କୁ କିଛି ପଚାରିବା ମାତ୍ରେ ବୃଦ୍ଧା ପ୍ରବହମାନ ନଦୀ ଭଳି ବଖାଣି ଚାଲିଲେ ତାଙ୍କ ଜୀବନରେ ଘଟିଥିବା ଅଭୁଲା କାହାଣୀକୁ । ବିଶ୍ୱବିଦ୍ୟାଳୟରେ ଚାକିରୀ କରୁଥାଏ । ଥରେ ଜଣେ ସାଙ୍ଗର ଦେହ ଖରାପ ହେବାରୁ ତାକୁ ମେଡିକାଲ ନେଇ ଯାଇଥିଲି । ମେଡିକାଲରେ ତିନି ଦିନ ରହିବାକୁ ପଡିଥିଲା । ମେଡିକାଲରେ ରହିବାବେଳେ ହଠାତ ଦିନେ ଅପର ପ୍ରକୋଷ୍ଠରେ ବସିଥିବା ଜଣେ ଲୋକ ଉପରେ ନଜର ପଡିଲା । ଲୋକଟି ପାଖରେ ରହିଥାଏ ପାଞ୍ଚ ଛଅ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଗୋଟିଏ ଶିଶୁ । ପିଲାଟି ଖୁବ ଜୋରରେ କାନ୍ଦୁଥିଲା । ଦୀର୍ଘ ସମୟ ଧରି କାନ୍ଦୁ ଥିବା ସେଇ ପିଲାଟିକୁ ଶାନ୍ତ କରବା ପାଇଁ ଲୋକଟି ଶତ ଚେଷ୍ଟା କରୁଥାନ୍ତି । ସହି ପାରିଲିନି । ପିଲାଟିକୁ କୋଳେଇ ଆଣିଲି । ଆଉ ସେ ଲୋକଟିକୁ ପଚାରି ବୁଝିବା ପରେ ଯାହା ଶୁଣିଲି ତାହା ଯେ ବର୍ତ୍ତମାନ ସମାଜରେ ଘଟୁ ଥିବ ତାହା ବିଶ୍ୱାସ କରିପାରିଲି ନାହିଁ । ଲୋକଟିର କହିବା ଅନୁସାରେ ଝିଅ ଜନ୍ମ ହୋଇ ଥିବାରୁ ତାର ମାଆ ତାକୁ ଛାଡି ପଳାଇଛି । ଆଉ ଡାକ୍ତରଖାନାର ଟଙ୍କା ଦେଇ ନପାରି ସେ ଏଠି ପଡି ରହିଛି । ପିଲାଟି ସେଇ ଭଳି କାନ୍ଦୁଥାଏ ମାଆ ପାଇଁ, ମାଆର କୋଳ ପାଇଁ, ମାଆର କ୍ଷୀର ପାଇଁ, ତାର କାନ୍ଦରେ ମାଆ ନ ହୋଇ ମଧ୍ୟ ମାତୃତ୍ଵରେ ମୁଁ ଧୀରେ ଧୀରେ ଓଦା ହୋଇ ଯାଉଥାଏ । ଚିନ୍ତା କରୁଥାଏ ପିଲାଟିକୁ ନେଇଯାଆନ୍ତି କି । ନିଜ ପାଖରେ ରଖନ୍ତି । ପାଳି ପୋଷି ମଣିଷ କରନ୍ତି । କିନ୍ତୁ ମୋର ସଦ୍ୟ ଯୌବନ ଆଗରେ ଏତେ ସବୁ ସ୍ବପ୍ନ ସତେ ଯେମିତି ଫିକା ପଡି ଯାଉଥିଲା ।

ଶେଷରେ ଚିନ୍ତା କଲି ଛୁଆଟିକୁ ତାର ବାପା ପାଖରେ ରହିବାକୁ ଦେଲେ ଠିକ ହେବ । ପର୍ସରୁ ଟଙ୍କା ବାହାର କରି ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ଲୋକଟିକୁ ଦେଲି । ବିଦାୟବେଳେ ଲୋକଟିର ସମ୍ପୂର୍ଣ୍ଣ ଠିକଣା ଲେଖି ଆଣିଥିଲି । ଛୁଆଟି ମୋ ଠାରୁ ଦୂରକୁ ଚାଲିଗଲା । ଶରୀର ସିନା ଅଲଗା ହୋଇଗଲା କିନ୍ତୁ ତା ଦେହରେ ଗୁଡା ହୋଇଥିବା ଚିରା କନା ଭିତରେ ସତେ ଯେମିତି ମୋ ମନ ତାରି ପାଇଁ ଲୁଚି ରହିଗଲା । ପିଲାଟି ଧୀରେ ଧୀରେ ବଡ ହେଉଥାଏ । ପାଠ ପଢା ଠାରୁ ଆରମ୍ଭ କରି ତାର ଯାବତୀୟ ଖର୍ଚ୍ଚ ଡାକରେ ପଠଉଥାଏ । ଚିଠି ମଧ୍ୟ ଲେଖୁଥାଏ । ସେ କିଭଳି ବଡ ମଣିଷ ହେବ ସେଇ କଥା ହିଁ ପ୍ରତି ଚିଠିର ଆରମ୍ଭ ଆଉ ଶେଷ ଥାଏ । ସୋମବାର ସକାଳ । ଡାକ ଵାଲା ଖଣ୍ଡେ ଚିଠି ପକେଇଦେଇ ଚାଲିଗଲା । ଚିଠିରେ ଲେଖାଥିଲା ତମେ କିଏ । ତମର ମୋ ପ୍ରତି କାହିଁକି ଏତେ ଦରଦ । ମୁଁ ଆଜି ବଡ ହୋଇଯାଇଛି । ଏବେ ମୁଁ ୟୁନିସେଫର ନିର୍ଦେଶିକା । ଏବେ ତ ମୋତେ ଦେଖା କରନ୍ତୁ । ସମ୍ଭାଳି ପାରିଲିନି । ଆଜି ଚାଲିଆସିଲି ତା ପାଖକୁ । ମଦନା ମୁକ ପ୍ରାୟ ସବୁ କଥା ଶୁଣୁ ଥିଲା ସିନା ତା ପାଟିରୁ କଥା ବାହାରୁ ନ ଥାଏ । ଏତେ ସବୁ ଶୁଣିବା ପରେ ତରୁଣୀ ଜଣକ ଦୁଲକରି ତଳେ ବସି ପଡିଲେ । ବୃଦ୍ଧାଙ୍କୁ ଖୁବ ଜୋରରେ ଜାବୁଡି ଧରିଲେ । ବାଇଶି ବର୍ଷରୁ ଚିଠିରେ ମାଉସୀ ମାଉସୀ ସମ୍ବୋଧନ କରୁଥିବା ତରୁଣୀଙ୍କ କଣ୍ଠରୁ ବାହାରି ଆସିଲା ମାଆ ମାଆ ଡାକ । ତାଙ୍କ ହାତରେ ଥିବା ବାଇଶି ବର୍ଷର ବାରଶହ ଚିଠି ସତେ ଯେମିତି ଦଲକାଏ ପବନରେ ଉଡିଯାଇ କହୁଥିଲା ଏ ଦୁନିଆରେ ନିସ୍ଵାର୍ଥପର ସମ୍ପର୍କ ଆଗରେ ସବୁ ତୁଛ । ଆଉ ସେ ଚିଠିରେ ଲେଖାଥିବା ପ୍ରତିଟି ଅକ୍ଷର ସତେ ଯେମିତି କେଉଁ ଏକ ନୂତନ କୋଣାର୍କର ଚୂଳରେ ବସି ଚନ୍ଦ୍ରଭାଗାର ନୀଳ ଜଳରାଶିକୁ ଉପଭୋଗ କରୁଥିଲେ ।


Rate this content
Log in

Similar oriya story from Inspirational