STORYMIRROR

SRIKANTA PRADHAN

Inspirational

4  

SRIKANTA PRADHAN

Inspirational

ଭୀମ ଦର୍ପ ଗଞ୍ଜନ

ଭୀମ ଦର୍ପ ଗଞ୍ଜନ

3 mins
346


ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ବିଜୟୀ ହୋଇ ବାରୁଣାବନ୍ତ ରାଜସିଂହାସନ ନିକଟରେ ଉପସ୍ଥିତ ହେଲେ । ଯୁଧିଷ୍ଠିର ନିଜର ଚାରିଭାଇଙ୍କୁ କହିଲେ ବଡ଼ଭାଇ ହିସାବରେ ମୁଁ ରାଜସିଂହାସନ ଆରୋହଣ କରୁଛି । ତୁମେ ଚାରିଜଣ ପାତ୍ର-ମନ୍ତ୍ରୀ ଭାବରେ ରହି ରାଜ୍ୟ ଶାସନ କଲେ ରାଜ୍ୟକୁ ଉତ୍ତମ ଭାବରେ ପରିଚାଳନା କରିପାରିବା । ଅର୍ଜୁନ, ନକୁଳ ଓ ସହଦେବ ସମ୍ମତି ଦେଲେ ମାତ୍ର ଭୀମ ଏଥିରେ ପ୍ରମାଦ ଗଣିଲେ । ଭୀମଙ୍କର କହିବା କଥା ହେଲା କୌରବ ଶତ ଭ୍ରାତାଙ୍କୁ ମୁଁ ବିନାଶ କରିଛି, କୀଚକ କବଳରୁ ଦ୍ରୌପଦୀଙ୍କୁ ମୁଁ ଉଦ୍ଧାର କରିଛି ତେଣୁ ରାଜା ହେବାର ଅଧିକାର କେବଳ ମୋର । ଅର୍ଜୁନ କହିଲେ ସେପରି କହିଲେ ଭୀଷ୍ମ, କର୍ଣ୍ଣ ଓ ଜୟଦ୍ରଥ ଭଳି ମହାନ ଯୋଦ୍ଧାଙ୍କୁ ମୁଁ ପରାସ୍ତ କରିବା ଯୋଗୁଁ ଆମେ ବିଜୟୀ ହୋଇଛେ ତେଣୁ ମୋର ମଧ୍ୟ ସିଂହାସନରେ ପୂର୍ଣ୍ଣ ଅଧିକାର । ନକୁଳ କହିଲେ ମୁଁ ମଧ୍ୟ ପୃଥିବୀକୁ କୁନ୍ତ ମୁନରେ ଧାରଣ କରିଥିବା ବୀର,ତେଣୁ ସିଂହାସନରେ ମୋର ଅଧିକାର ।

ସହଦେବ କହିଲେ ପ୍ରକୃତରେ ରାଜାଙ୍କ ପୁଅ ହେଉଛି ମୁଁ ତେଣୁ ମୁଁ ରାଜା ହେବା ଉଚିତ୍ । ସମସ୍ତଙ୍କର ଝଗଡା ଦେଖି ଯୁଧିଷ୍ଠିର କହିଲେ ଆମେ ନିଜ ଭିତରେ କନ୍ଦଳ ନକରି ଆମ ସମସ୍ତଙ୍କର ଧର୍ମପତ୍ନୀ ପାଞ୍ଚାଳୀକୁ ପଚାରିବା, ସେ ଯାହାକୁ କହିବେ ସେ ହିଁ ରାଜା ହେବ । ପାଞ୍ଚଭାଇ ରାଜିହୋଇ ଦ୍ରୋପଦୀଙ୍କୁ ପଚାରିବାରୁ ସେ ଯୁଧିଷ୍ଠିର ରାଜା ହୁଅନ୍ତୁ ବୋଲି କହିଲେ । ଭୀମ ଏକଥା ଶୁଣି କ୍ରୋଧରେ ଦ୍ରୌପଦୀଙ୍କୁ ଏକ ଚାପୁଡ଼ା ମାରିବାରୁ ଦ୍ରୌପଦୀ ହାଏ କୃଷ୍ଣ ବୋଲି ଚେତନା ଶୂନ୍ୟ ହୋଇ ଭୂମିରେ ପଡ଼ିଲେ । ଏହା ଦେଖି ଭୟରେ ଯୁଧିଷ୍ଠିର ଆଦି ଚାରିଭାଇ ବନ ମଧ୍ୟକୁ ଯାଇ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତେ ଦ୍ଵାରକାରେ ଥାଇ ଭଗବାନ ଏହା ଜାଣି ପାରିଲେ ।

.          ଭୀମଙ୍କର ଗର୍ବଗଞ୍ଜନ କରିବା ନିମିତ୍ତ ଭଗବାନ ମାୟା କେଳା ରୁପକୁ ଧାରଣ କରି ବାରୁଣାବନ୍ତ ପ୍ରସ୍ଥାନ ନିମିତ୍ତ ବାହାରିଲେ । ସତ୍ୟଭାମା ଏହା ଦେଖି ଥଟ୍ଟାବଶତଃ କହିଲେ କେଉଁ ଘର ବୁଡ଼ାଇବାକୁ ବାହାରିଲେ କି ପ୍ରଭୁ ? ଭଗବାନ ବୋଇଲେ ମୁଁ ଭୀମ ଗର୍ବଗଞ୍ଜନ କରିବା ପାଇଁ ବାରୁଣାବନ୍ତ ଯାଉଛି । ସତ୍ୟଭାମା କହିଲେ ମୁଁ ଟିକେ ଦେଖିବି ଆପଣ କେମିତି ଗର୍ବଗଞ୍ଜନ କରୁଛନ୍ତି । ସତ୍ୟଭାମାଙ୍କୁ କେଳୁଣୀ ବେଶରେ ସଜାଇ ନିଜେ କେଳା ବେଶ ଧରି ମାୟାଘୋଡ଼ାରେ ଯାଇ ବାରୁଣାବନ୍ତରେ ପ୍ରବେଶ ହେଲେ ।

         ଭଗବାନ ମୋହନ ମୂରଲୀକୁ ବଜାଇ ସାପ ଖେଳ ଦେଖାଇଲେ ଓ ସତ୍ୟଭାମା ନୃତ୍ୟ ପରିବେଷଣ କଲେ । ଖେଳ ଦେଖିବା ପାଇଁ ରାଜଦାଣ୍ଡରେ ଲୋକ ମାନଙ୍କର ପ୍ରବଳ ଭିଡ଼ ହୋଇଗଲା । ରାଜା ଭୀମସେନ ମଧ୍ୟ ଆସିଲେ । ଏହି ସମୟରେ ଭଗବାନ ନଜାଣିଲା ପରି କହିଲେ ମୋର ଏକ ଚନ୍ଦନ ନାଗର ଲାଙ୍ଗୁଡ଼ ଟେକି ଉଠାଇବା ଭଳି ବୀର ଏ ସଂସାର ମଧ୍ୟରେ ନାହିଁ ।

ଏ କଥା ଶୁଣି ଭୀମ କ୍ରୋଧରେ ଜର୍ଜରିତ ହୋଇ କହିଲା କେଉଁ ରଥରେ ସାପ ଆଣିଛୁ ଦେଖା। ଶ୍ରୀକୃଷ୍ଣ କହିଲେ ମୋ କେଳୁଣୀ ମୁଣ୍ଡରେ ଥିବା ପେଡ଼ିରେ ସାପ ରହିଛି l ଭୀମ କେଳୁଣୀ ରୂପୀ ସତ୍ୟଭାମାଙ୍କୁ ଦେଖି ମୋହିତ ହୋଇଗଲା । ମନରେ ବିଚାର କଲା ଏପରି ସୁନ୍ଦରୀ ମୋତେ ମିଳିଲେ ହରିହରଙ୍କୁ ମାର ବୋଇଲେ ମଧ୍ୟ ଗୋଡ଼ାଇ ମାରନ୍ତି ।

.       ଭଗବାନ ପେଡ଼ି ମଧ୍ୟରୁ ତିନି ଚାଖଣ୍ଡ ଲମ୍ବା ସାପକୁ ବାହାର କରି ଭୂମିରେ ରଖନ୍ତେ ଭୀମ ବିଚାର କଲା ଏ କେଳାର ମୁଣ୍ଡ ଠିକ୍ ଭାବେ କାମ କରୁନାହିଁ ନଚେତ୍ ଭୀମ ହାତରେ ଉଠାଇବା ପାଇଁ ଏ ସାପ ନେଇ ଆସିନଥାନ୍ତା । ଭଗବାନ କହିଲେ ଯଦି ତୁମେ ସାପ ଉଠାଇ ନପାର ତେବେ ସିଂହାସନ ଛାଡ଼ି ବନବାସ ଯିବ ବୋଲି ସତ୍ୟ କର। ଭୀମ ସତ୍ୟକରି କହିଲା ଯଦି ଉଠାଇଦେଲି ତେବେ ତୁ ତୋ କେଳୁଣୀକୁ ମୋତେ ଦେବୁ । ଏକଥା ଶୁଣି ସତ୍ୟଭାମା ଚମକି ପଡ଼ିଲେ ଭାବିଲେ ଏ ନଟଖଟିଆ ସାଥୀରେ ମୁଁ କାହିଁକି ଆସିଲି କିନ୍ତୁ ମନା କରିପାରିଲେ ନାହିଁ । ଭଗବାନ ଭୀମ କଥାରେ ସତ୍ୟ କରିଦେଲେ । ଭୀମ ନିଜର ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ମଧ୍ୟ ସାପକୁ ଧାନେ ପ୍ରମାଣେ ଟେକି ପାରିଲେ ନାହିଁ । ମନରେ ବିଚାର କଲେ କେଡ଼େ ଲଜ୍ଜା କଥା ନୋହିଲେ କେଳା ସତ୍ୟ କାହିଁକି କରିଥାନ୍ତା । ସାପକୁ ବାଡ଼େଇ ମାରିଦେବାକୁ ବିଚାର କରିବାରୁ ଭଗବାନ ସାପ ଦେହରେ ଗୋପ୍ୟହୋଇ ଲାଞ୍ଜକୁ ଛିଞ୍ଚାଡ଼ି ଦେବାରୁ ଭୀମ ଆଣ୍ଠୁଗଣ୍ଠି ଛିଡ଼ି ବାରହାତ ଦୂରରେ ପଡ଼ିଲା l ସାପ ପାଖକୁ ଯିବା ପାଇଁ ଭୀମକୁ ଡର ଲାଗିଲା l କେଳାକୁ କହିଲା ତୁ ଏ ରାଜ୍ୟଛାଡ଼ି ପଳା l ଶ୍ରୀକୃଷ୍ଣ କହିଲେ ସତ୍ୟଭଗ୍ନ କଲେ ନର୍କରେ ପଡ଼ିବ ତେଣୁ ତୁମେ ଏବେ ରାଜ୍ୟଛାଡ଼ି ବନବାସକୁ ଯାଅ l ଭୀମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । କ୍ରୋଧରେ ଗୋଟିଏ ସିଂହରଡ଼ି ଛାଡ଼ି ସେ ରାଜ୍ୟ ଛାଡ଼ି ବନଗମନ କଲେ l ଏହିପରି ଭଗବାନ,ଭୀମ ଗର୍ବକୁ ଚୂର୍ଣ୍ଣ କରିଥିଲେ l ଶ୍ରୀକୃଷ୍ଣାୟ ନମଃ l



Rate this content
Log in

Similar oriya story from Inspirational