Laxminarayan Sahoo

Tragedy

4.0  

Laxminarayan Sahoo

Tragedy

ବାପା

ବାପା

2 mins
317



   ମୁଁ ଏମିତି ଜଣେ ହତଭାଗ୍ୟ ଯିଏକି ପିଲାଦିନରୁ ହରେଇଛି ବାପାଙ୍କୁ । ଆଉ ମୁଁ ଏମିତି ଜଣେ ଭାଗ୍ୟବାନ ଯିଏକି ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଜଣେ ସଚ୍ଚରିତ୍ର କର୍ତ୍ତବ୍ୟ ନିଷ୍ଠ ମିଷ୍ଟଭାଷୀ ଆଦର୍ଶ ବ୍ୟକ୍ତିତ୍ଵଙ୍କୁ ବାପା ରୂପେ ପାଇ ପାରିଛି।  

      ୧୯୮୫ ମସିହା ଅଗଷ୍ଟ ମାସ ୩୦ ତାରିଖ ପବିତ୍ର ଶ୍ରାବଣ ପୂର୍ଣ୍ଣିମା। ଚାରିଆଡ ଉତ୍ସବ ମୁଖରିତ, ହେଲେ ଆମ ପରିବାର ପାଇଁ ଘୋଟି ଆସିଥିଲା କଳାମେଘ । ବୁର୍ଲା ମେଡ଼ିକାଲ ମେଡ଼ିସିନ ୱର୍ଡରେ ମାତ୍ର ୪୦ ବର୍ଷ ବୟସରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବାପା। ଶେଷରେ ଡାକ୍ତରମାନେ ନିରାଶ ବାଣୀ ଶୁଣାଇ ଦେଲେ । ମୁଁ ସାନ ଥିଲି ଠିକ୍ ଭାବରେ କିଛି ବୁଝି ପାରୁନଥିଲି । କେମିତି କ'ଣ ସବୁ ଘଟି ଯାଉଥାଏ। 

    ଘର ମଝି ଦୁଆରରେ ଚଟାଣ ଉପରେ ବାପା ଶୋଇଥାନ୍ତି ।ଘରର ସମସ୍ତେ ତାଙ୍କୁ ଘେରି କାନ୍ଦୁଥାନ୍ତି, ଗାଁ ସାରା ଲୋକ ରୁଣ୍ଡ ହୋଇ ଯାଇଥାଆନ୍ତି । ବାପା ନଥିବା କଥା ମୁଁ ବିଶ୍ଵାସ କରି ପାରୁନଥାଏ। ବାପା ଉଠିବେ ତାଙ୍କ ଧୋବ ଫର ଫର ପାଇଜାମା ପିନ୍ଧି ରିଲେ ସାଇକେଲରେ ସ୍କୁଲ ଯିବେ । ସବୁ ଭାଇ ଭଉଣୀଙ୍କୁ ସକାଳେ ଅଙ୍କ ଓ ସନ୍ଧ୍ୟାରେ ସାହିତ୍ୟ ପଢାଇବେ । ପାଠ ସମୟରେ ବାପାଙ୍କ ରାଗ ଓ ମାଡକୁ ଅମ ସମସ୍ତଙ୍କର ଭୟ ହେଲେବି ବାପା ଏମିତି ନିଃସହାୟ ଭାବରେ ଶୋଇ ନ ରହନ୍ତୁ ସେ ଉଠନ୍ତୁ । ଶୀତ ଦିନେ ସକାଳେ ଭୋରରୁ ବାପା ଉଠି ତାଙ୍କ ଶେଜରେ କଫି ରଙ୍ଗର ଶାଲଟିକୁ ଘୋଡେ଼ଇ ବସିଥିବେ ମୁଁ ନହେଲେ ମୋ ସାନଭାଇ ତାଙ୍କ କୋଳରେ କଙ୍ଗାରୁ ଛୁଆଟି ପରି ଜାକିଜୁକି ହୋଇ ବସି ଉଷୁମ ଟାଣୁଥିବୁ । ମୁଁ ଟିକିଏ ବଡ଼ ଥିବାରୁ ସାନଭାଇର ଏ ସୈ।ଭାଗ୍ଯର ହାର ଅଧିକ ରହିଥାଏ । ବାପା ଖାଇ ବସିଥିବେ ଆମେ ତନି ଭାଇ ଭଉଣୀ ତାଙ୍କ ଚାରିପାଖରେ ଘେରି ସବୁ ଖାଇଦେଉଥିବୁ ଆଉ ବାପା ଖୁସି ହେଉଥିବେ । ଏମାନେ ସବୁ ଏଠାରେ ଅଯଥାରେ ନାଟକ କରୁଛନ୍ତି, କ'ଣ ହୋଇଛି ବାପାଙ୍କର, ସେ ନିଶ୍ଚୟ ଉଠିବେ । ପାଖରେ ତାଙ୍କର ବାଟା ସିଲପର ପଡ଼ିରହିଛି, ସେଥିରେ ତାଙ୍କ ପାଦ ଚିହ୍ନ ସୁସ୍ପଷ୍ଟ ଫୁଟି ଉଠିଛି, କେଉଁଠି କେମିତି ଭିତରର ନୀଳରଙ୍ଗ ଦେଖାଯାଉଛି । ବାପା ଉଠି ତାଙ୍କ ଚପଲ ପିନ୍ଧି ଚଟ୍ ଚଟ୍ କରି ଚାଲିବେ, ଘର ବାରିପଟ, ନାରାୟଣୀ ମନ୍ଦିର ଘେରାଏ ବୁଲି ଆସିବେ । ସେହି ଚଟ୍ ଚଟ୍ ଶବ୍ଦ ଶୁଣି ଆମେ ଲୁଚି ଯିବୁ, ଯେମିତି ବିରାଡ଼ି ଆସିଲେ ମୂଷାମାନେ ଗାତ ଭିତରେ ଛପି ଯାଆନ୍ତି । ବାପାଙ୍କ ପ୍ରିୟ ଫିଲିପ୍ସ ରେଡ଼ିଓଟା କାନ୍ଥରେ ଝୁଲୁଥାଏ, ବାପା ଆସି ଚେନାଲ୍ ମୋଡ଼ି ମୋଡ଼ି ନ୍ୟୁଜ କ୍ରିକେଟ ସିନେମା ଗୀତ ଶୁଣିବେ ଶୁଣେଇବେ । ଅନ୍ତତଃ ବାପା ଉଠି ମାଆକୁ କହିବେ କାଲିଠୁ କାହିଁକି ମୁଣ୍ଡ ବାଡେଇ ହୋଇ କାନ୍ଦୁଛ, ଦେଖ ମୋର କିଛି ହୋଇ ନାହିଁ । ଏମିତି କିନ୍ତୁ କିଛି ବି ହେଲାନି ।

   ଆଜି କାହିଁକି ବାପା ତୁମେ ଖୁବ୍ ମନେ ପଡୁଛ ।


Rate this content
Log in

Similar oriya story from Tragedy