Laxminarayan Sahoo

Tragedy

4.3  

Laxminarayan Sahoo

Tragedy

ବାପା

ବାପା

2 mins
66


 ପବିତ୍ର ଶ୍ରାବଣ ପୂର୍ଣ୍ଣିମା। ଚାରିଆଡ ଉତ୍ସବ ମୁଖରିତ, ହେଲେ ଆମ ପରିବାର ପାଇଁ ଘୋଟି ଆସିଥିଲା କଳାମେଘ । ବୁର୍ଲା ମେଡ଼ିକାଲ ମେଡ଼ିସିନ ୱର୍ଡରେ ମାତ୍ର ୪୦ ବର୍ଷ ବୟସରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବାପା। ଶେଷରେ ଡାକ୍ତରମାନେ ନିରାଶ ବାଣୀ ଶୁଣାଇ ଦେଲେ । ମୁଁ ସାନ ଥିଲି ଠିକ୍ ଭାବରେ କିଛି ବୁଝି ପାରୁନଥିଲି । କେମିତି କ'ଣ ସବୁ ଘଟି ଯାଉଥାଏ। 

    ଘର ମଝି ଦୁଆରରେ ଚଟାଣ ଉପରେ ବାପା ଶୋଇଥାନ୍ତି ।ଘରର ସମସ୍ତେ ତାଙ୍କୁ ଘେରି କାନ୍ଦୁଥାନ୍ତି, ଗାଁ ସାରା ଲୋକ ରୁଣ୍ଡ ହୋଇ ଯାଇଥାଆନ୍ତି । ବାପା ନଥିବା କଥା ମୁଁ ବିଶ୍ଵାସ କରି ପାରୁନଥାଏ। ବାପା ଉଠିବେ ତାଙ୍କ ଧୋବ ଫର ଫର ପାଇଜାମା ପିନ୍ଧି ରିଲେ ସାଇକେଲରେ ସ୍କୁଲ ଯିବେ । ସବୁ ଭାଇ ଭଉଣୀଙ୍କୁ ସକାଳେ ଅଙ୍କ ଓ ସନ୍ଧ୍ୟାରେ ସାହିତ୍ୟ ପଢାଇବେ । ପାଠ ସମୟରେ ବାପାଙ୍କ ରାଗ ଓ ମାଡକୁ ଅମ ସମସ୍ତଙ୍କର ଭୟ ହେଲେବି ବାପା ଏମିତି ନିଃସହାୟ ଭାବରେ ଶୋଇ ନ ରହନ୍ତୁ ସେ ଉଠନ୍ତୁ । ଶୀତ ଦିନେ ସକାଳେ ଭୋରରୁ ବାପା ଉଠି ତାଙ୍କ ଶେଜରେ କଫି ରଙ୍ଗର ଶାଲଟିକୁ ଘୋଡେ଼ଇ ବସିଥିବେ ମୁଁ ନହେଲେ ମୋ ସାନଭାଇ ତାଙ୍କ କୋଳରେ କଙ୍ଗାରୁ ଛୁଆଟି ପରି ଜାକିଜୁକି ହୋଇ ବସି ଉଷୁମ ଟାଣୁଥିବୁ । ମୁଁ ଟିକିଏ ବଡ଼ ଥିବାରୁ ସାନଭାଇର ଏ ସୈ।ଭାଗ୍ୟର ହାର ଅଧିକ ରହିଥାଏ । ବାପା ଖାଇ ବସିଥିବେ ଆମେ ତିନି ଭାଇ ଭଉଣୀ ତାଙ୍କ ଚାରିପାଖରେ ଘେରି ସବୁ ଖାଇଦେଉଥିବୁ ଆଉ ବାପା ଖୁସି ହେଉଥିବେ । ଏମାନେ ସବୁ ଏଠାରେ ଅଯଥାରେ ନାଟକ କରୁଛନ୍ତି, କ'ଣ ହୋଇଛି ବାପାଙ୍କର, ସେ ନିଶ୍ଚୟ ଉଠିବେ । ପାଖରେ ତାଙ୍କର ବାଟା ସ୍ଲିପର୍ ପଡ଼ିରହିଛି, ସେଥିରେ ତାଙ୍କ ପାଦ ଚିହ୍ନ ସୁସ୍ପଷ୍ଟ ଫୁଟି ଉଠିଛି, କେଉଁଠି କେମିତି ଭିତରର ନୀଳରଙ୍ଗ ଦେଖାଯାଉଛି । ବାପା ଉଠି ତାଙ୍କ ଚପଲ ପିନ୍ଧି ଚଟ୍ ଚଟ୍ କରି ଚାଲିବେ, ଘର ବାରିପଟ, ନାରାୟଣୀ ମନ୍ଦିର ଘେରାଏ ବୁଲି ଆସିବେ । ସେହି ଚଟ୍ ଚଟ୍ ଶବ୍ଦ ଶୁଣି ଆମେ ଲୁଚି ଯିବୁ, ଯେମିତି ବିରାଡ଼ି ଆସିଲେ ମୂଷାମାନେ ଗାତ ଭିତରେ ଛପି ଯାଆନ୍ତି । ବାପାଙ୍କ ପ୍ରିୟ ଫିଲିପ୍ସ ରେଡ଼ିଓଟା କାନ୍ଥରେ ଝୁଲୁଥାଏ, ବାପା ଆସି ଚେନାଲ୍ ମୋଡ଼ି ମୋଡ଼ି ନ୍ୟୁଜ କ୍ରିକେଟ ସିନେମା ଗୀତ ଶୁଣିବେ ଶୁଣେଇବେ । ଅନ୍ତତଃ ବାପା ଉଠି ମାଆକୁ କହିବେ କାଲିଠୁ କାହିଁକି ମୁଣ୍ଡ ବାଡେଇ ହୋଇ କାନ୍ଦୁଛ, ଦେଖ ମୋର କିଛି ହୋଇ ନାହିଁ । 

      ଏମିତି କିନ୍ତୁ କିଛି ବି ହେଲାନି ।

 


Rate this content
Log in

Similar oriya story from Tragedy