Narayan chandra Senapati

Tragedy Inspirational

3  

Narayan chandra Senapati

Tragedy Inspirational

ଅସଲ ସାରଥୀ

ଅସଲ ସାରଥୀ

6 mins
558



 ନିର୍ବାଚନ ଫଳାଫଳ ଘୋଷିତ ହେବାର ସମୟ ହାତଠାରି ଡାକୁଛି ବିଜୟ ପରାଜୟାକୁ । ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ହୃତ୍ ସ୍ପନ୍ଦନ ଧୀରେ ଧୀରେ ତ୍ୱରାନ୍ୱିତ ହେବାକୁ ଯାଉଛି । ପ୍ରତ୍ୟେକଙ୍କର ଜିତିବାର ଆଶା ଶତପ୍ରତିଶତରୁ ଦଶମିକ ଏକ ସ୍ଥାନଟିଏ ବି କମୁନାହିଁ । ଗଣମାଧ୍ୟମ ଆଜି କାମଧେନୁ ସାଜି ଅଣ୍ଟା ଭିଡି ତରଙ୍ଗାୟିତ ଭାବେ ଭେଟି ଦେଉଛି ଅନେକ ଆଶା ଆଶ୍ୱାସନାର ବାର୍ତ୍ତା  । ସମସ୍ତଙ୍କ ଦୃଷ୍ଟି ରୁଦ୍ର ସାରଙ୍କ ଫଳାଫଳ ଉପରେ । ଅନେକ ଗୁଜବ,ଅନେକ ହିଂସାର ବିଭୀଷିକା ତାଙ୍କ ବାରମ୍ବାର ବିଜୟ ଓ ଲୋକପ୍ରିୟତାକୁ ସହିପାରୁନଥିଲା । ହେଲେ ସବୁ ଗଣିତର ଅସମାହିତ ଜଟିଳ ପ୍ରଶ୍ନର ସମାଧାନ ଆଖିପିଛୁଳାକେ ସହଜ ଭାବେ ଯେମିତି ହୋଇଗଲା । ଖବର ଆସିଲା ରୁଦ୍ରବାବୁ ଖାଲି ସାଧାରଣ ଭାବେ ଜିତି ନାହାନ୍ତି,ବରଂ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛନ୍ତି । ନିମିଷକେ ସମର୍ଥକ ମାନଙ୍କର ଭିଡ ଓ ପ୍ରଫୁଲ୍ଲତା ପରିବେଶକୁ କମ୍ପମାନ କରୁଥାଏ । ଚାଲିଲା ଡିଜେ,ବାଣ,ସଜାସଜ୍ଜି କେତେ ରକମର ପ୍ରସ୍ତୁତି । ଗାଡି ସଜ୍ଜା ସତେ ଅବା ଏକ ଆକର୍ଷଣୀୟ ବିମାନ । ଆସିଲେ ରୁଦ୍ର ସାର୍ । ରୁଦ୍ର ସାର୍ ଜିନ୍ଦାବାଦ ଧ୍ଵନିରେ କମ୍ପିଉଠିଲା ମେଦିନୀ । ବିମାନରେ ବିରାଜମାନ କଲେ ଛଅ ଥର ପାଇଁ ବିଜେତା ଓ ତିନି ତିନି ଥର ମନ୍ତ୍ରୀତ୍ୱ ପାଇଥିବା ଆଦରଣୀୟ ରୁଦ୍ର ସାର୍ । ଚାରିଆଡ଼କୁ ନଜର ପକାଇ ଦେଖିଲେ,ମନ ତାଙ୍କର କୁଣ୍ଡେମୋଟ ହେଉ ଥାଏ,କାରଣ ତାଙ୍କ ହାତରେ ମିଶାଇଛନ୍ତି ଏ ଅସଂଖ୍ୟ ବିଶ୍ୱାସର ହାତ । ହେଲେ ଏ ଗହଳି ଭିତରୁ କାହାକୁ ଖୋଜୁଥିବାର ଲାଗିଲା । ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ । କେହି କେହି ପଚାରିବାରୁ ସେ କହିଲେ,କାହିଁ କୁଞ୍ଜକୁ ତ ମୁଁ ଦେଖିବାକୁ ପାଉନାହିଁ । ଏ କୁଞ୍ଜ ନ ଥିଲା ସାଧାରଣ ମଣିଷ । ବେଶୀ ପାଠ ନ ପଢିଥିଲେ ବି ବିଚାର,ବୁଦ୍ଧି ଓ ବିଶ୍ୱସ୍ତତାରେ ସେ ଏକ ଆଗ ଧାଡ଼ିର ମଣିଷ । ଖାଲି ମଣିଷ ନୁହଁ ଚରିତ୍ରବାନ ବ୍ୟକ୍ତିତ୍ୱସମ୍ପନ୍ନ ମଣିଷ । ଆଜି ଯଦି ସେ ବିନୟ ଲାଭ କରିଛନ୍ତି,ତାର ଅର୍ଦ୍ଧାଧିକ ଶ୍ରେୟ କୁଞ୍ଜର ।  କେଉଁ ଲୋକଙ୍କୁ କିପରି ନିଜ ଅକ୍ତିଆରକୁ ଅଣାଯିବ ତାହା ତାକୁ ଜଣା । ଦିନ ରାତି ସର୍ବଦା ଖଟିଛି ରୁଦ୍ର ସାର୍ ଙ୍କ ପାଇଁ । ହେଲେ ଆଜି ସେ ନାହିଁ,କଣ ଦେହ ଖରାପ ହୋଇଛି କି କଣ, ଏମିତି ଅନେକ କଥା ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା । ସେ ତାଙ୍କ ପୁଅ ମଣ୍ଟୁକୁ କହିଲେ ଅତି ଶୀଘ୍ର କୁଞ୍ଜକୁ ଡାକି ଆଣ, ତାପରେ ହେବ ଶୋଭାଯାତ୍ରା । ମଣ୍ଟୁ ଯାଇ କୁଞ୍ଜକୁ ଶୀଘ୍ର ଆସିବାକୁ କହନ୍ତେ,ତାର ମନ ଭଲ ନାହିଁ ସେ ଯାଇପାରିବ ନାହିଁ ବୋଲି ରୋକ ଠୋକ ମନା କରିଦେଲା । ଏ ସମ୍ବାଦ ରୁଦ୍ର ବାବୁଙ୍କୁ ଅନେକ ଦ୍ବନ୍ଦ୍ୱର ପକାଇଦେଲା । କ୍ଷମତା,ପ୍ରତିପତ୍ତିର ଶୀର୍ଷରେ ଥାଇ ବି ମାନବିକତାର ଜଳାଶୟ କୂଳରେ ସେ ବାସ କରୁଥିଲେ । ଗର୍ବ ଅହଂକାର ତାଙ୍କୁ ସ୍ପର୍ଶ କରି ନଥିଲା । ତାଙ୍କର କ'ଣ ଭୁଲ ରହିଗଲା କି,କାହିଁକି କୁଞ୍ଜ ଆସୁନାହିଁ..ଭାବି ଭାବି ସେ ସମସ୍ତଙ୍କୁ ତାଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହି ସ୍ୱୟଂ ଚାଲିଲେ କୁଞ୍ଜ ଘରକୁ ।


 ରୁଦ୍ର ସାରଙ୍କୁ ଦେଖି ସେ ଅଭିବାଦନ ଜଣାଇଲା ଓ ଆସନରେ ବସାଇଲା । ରୁଦ୍ର ବାବୁ ଦେଖିଲେ କୁଞ୍ଜ ମନରେ ସରସତା ନାହିଁ । କହିଲେ କୁଞ୍ଜ, ତୁ କଣ ମୋ ଜିତିବାରେ ଖୁସି ନାହୁଁ । ଶୋଭାଯାତ୍ରା ପାଇଁ ସମସ୍ତେ ଅଛନ୍ତି,ତୋର ଅନୁପସ୍ଥିତି ମୋତେ ବହୁତ ଦୁଃଖ ଦେଲା । ତୁ କଣ ଶୋଭାଯାତ୍ରାରେ ଯିବୁନାହିଁ?ପ୍ରତ୍ୟୁତ୍ତରରେ କୁଞ୍ଜ ମନା କରିବାରୁ ତାଙ୍କ ଚିନ୍ତା ଦ୍ବିଗୁଣିତ ହେଲା,ତାଙ୍କର ନିଶ୍ଚୟ କିଛି ତ୍ରୁଟି ରହିଛି ସେ ନିଃସନ୍ଦେହରେ ଜାଣି ପାରିଲେ ।  ତୁ ନିର୍ଦ୍ବନ୍ଦ୍ୱରେ ତୋ ମନରେ ଉଙ୍କିମାରିଥିବା ଘଟଣା ବର୍ଣ୍ଣନା କର । ଏ ନିର୍ବାଚନରେ ଯଦି ଶତ ପ୍ରତିଶତ ଶ୍ରମ,ନିଷ୍ଠା ଓ ତ୍ୟାଗ ଦେଇ ବିଜୟ ମୁକୁଟ ପିନ୍ଧିବାରେ ସକ୍ଷମ ହୋଇପାରିଛି,ତେବେ ସେ ହେଉଛ ତୁ । ତୁ ମୋର ହିତାକାଂକ୍ଷୀ, ତୁ ଯଦି ନ କହିବୁ ତେବେ ଭବିଷ୍ୟତର କଳ୍ପନାର ରଥକୁ ମୁଁ କେମିତି ସ୍ଵଛ ଶୁଭ୍ରତାରେ ଚଳାଇବି ।


  କୁଞ୍ଜ ଆରମ୍ଭ କଲା ତା ମନ ଭିତରେ ଉଙ୍କି ମାରିଥିବା କିଛି ତଥ୍ୟ । କହିଲା ସାର୍ ମୁଁ ବେଶି ପାଠ ପଢିନି,ଆପଣ ତ ଜ୍ଞାନର ସମୁଦ୍ର,ହେଲେ ମୋ ମନ,ବିବେକ ଓ ମାନବିକତାର ଉଙ୍କି ମାରୁଥିବା କିଛି ତଥ୍ୟ କହୁଛି, ଭଲ ଲାଗିଲେ ଗ୍ରହଣ କରିବେ ନହେଲେ କ୍ଷମା ଦେବେ । ରୁଦ୍ର ସାର୍ ଙ୍କ ସମ୍ମତି ନେଇ ଆରମ୍ଭ କଲା ତା ଅଭିଳାଷ,ସାର୍ ଗୋଟିଏ ଆସନ ପାଇଁ ଲଢ଼ିଥିଲେ ଆପଣ,ପ୍ରତିଦ୍ବନ୍ଦୀ ଥିଲେ ଆଉ ଚାରିଜଣ ପ୍ରାର୍ଥୀ । ସମସ୍ତଙ୍କର ଥିଲା ଜିତିବାର ଅସୁମାରୀ ଆଶା । ଆପଣ ଜିତିଲେ କେବଳ ଆପଣଙ୍କର ନୁହଁ ଆମ ମାନଙ୍କର ମନରେ ସୃଷ୍ଟି ହେଲା ଆନନ୍ଦର ଶୀତଳ ବାଆ, ହେଲେ ଯିଏ ହାରିଗଲେ,ସେମାନଙ୍କର ମନରେ ବିଷାଦର କି ଝଡ଼ ଉଠୁଥିବ କଳ୍ପନା କରିପାରୁଛନ୍ତି ! ଆପଣ ଜିତିଲେ ତେଣୁ ଖର୍ଚ୍ଚ ହୋଇଥିବା ଟଙ୍କା, ପରିଶ୍ରମ,ଯନ୍ତ୍ରଣା ଆପେ ଆପେ ଉପଶମ ହୋଇଯିବ ହେଲେ ସେ ବିଚରାଗୁଡ଼ାକର ! ଜାଣିଛନ୍ତି ମଧୁଆ ଟା ତାଝିଅ ବାହାଘର ପାଇଁ ରଖିଥିଲା ସାଇତି କିଛି ଟଙ୍କା । ସବୁ ସେ ଖର୍ଚ୍ଚ କରିଦେଇଛି,ଏ ଫଳାଫଳ ପରେ ତା ବଢ଼ିଲା ଝିଅଟାକୁ କେମିତି ବାହା କରିବ କହିଲେ?


  ଅଶୋକର ସ୍ତ୍ରୀଟାର ସ୍ତନ କର୍କଟ,କଟକରେ ଭଲକରି ଆଣିବା ପାଇଁ ବହୁତ ଟଙ୍କା ଦରକାର । ତେଣୁ ସଂଗ୍ରହ କରି ରଖିଥିବା ଟଙ୍କା ନେଇ ଭଲକରିବାକୁ ସାଇତିଥିଲା ବ୍ୟାଙ୍କରେ । ତା ସ୍ତ୍ରୀ କହିଲା,ଆରେ ମାନ ମର୍ଯ୍ୟାଦାର ସହ ଲଢ, ଟଙ୍କା ଉଠାଇ ଖର୍ଚ୍ଚ କର । ଭଗବାନ ଅଛନ୍ତି,ତୁମେ ଜିତିଗଲେ ମୋତେ ଭଲ କରିଦେଵ । ଏବେ ଦୁଇ ପ୍ରାଣୀଙ୍କର ଘରେ କି ସ୍ୱର ଚାଲିଥିବ କହିଲେ? ଏଇମିତି ଅନ୍ୟମାନଙ୍କ ଘରେ ଚାଲିଥିବ ଦୁଃଖର ନୀରବ ପ୍ରାର୍ଥନା । ତାଙ୍କ ଦୁର୍ଦ୍ଦିନରେ ଆମେ ଉନ୍ମାଦ ହେବା କଁ ଉଚିତ୍ ହେବ?


 ମୋ ବାପା କହୁଥିଲେ, ଶତ୍ରୁର ଦୁର୍ଦ୍ଦିନରେ ସମବେଦନା ଟିକିଏ ହିଁ ତାକୁ ମୃତରୁ ଜୀବିତ କରିଗଢ଼େ । ମୁଁ ଖୁସି ହେବି କେମିତି?ନିର୍ବାଚନ ପୂର୍ବରୁ ସେମାନେ ସିନା ଥିଲେ ଆପଣଙ୍କ ଶତ୍ରୁ,ତେବେ ଆଜି ତ ଆପଣ ବିଧାୟକ,ଆପଣ ସେମାନଙ୍କର ରାଜା,ତେବେ ପ୍ରଜାଙ୍କୁ ସମବେଦନା ଦେବା ବଦଳରେ ତାଙ୍କୁ କଷ୍ଟ ଦେଇ କ୍ଷତ ବିକ୍ଷତ କରିବା କଣ ଉଚିତ୍ ହେବ?


 ଛୋଟବେଳେ ସାରଙ୍କ କଥାଟିଏ ମନରେ ରଖିଛି ସାର୍,ବିବେକାନନ୍ଦ କହିଥିଲେ,"ଅନ୍ୟ ମନରେ ଦୁଃଖ ଦେଇ ସୁଖ ଅନୁଭବ କରିବା ବିବେକୀ ମଣିଷର ମଣିଷପଣିଆ ନୁହଁ । " ଭାବିଲେ ଦେଖି ସେମାନଙ୍କ ପରିବାରର ସଦସ୍ୟଙ୍କ ମନର ଅବସ୍ଥା କଣ ଥିବ । "ଅନ୍ୟକୁ ଖୁସି ଦେଇ ନିଜେ ଖୁସିରେ ମାତିଲେ ସେ ଆନନ୍ଦର ମଜାଥାଏ । "


  କୁଞ୍ଜ ଅପାଠୁଆ ହେଲେବି ତାର ଯୁକ୍ତି ଓ ଉକ୍ତି ରୁଦ୍ର ସାରଙ୍କ ମନକୁ ପାଇଲା । ସେ କହିଲେ ଠିକ୍ କଥା କହିଛୁ ରେ କୁଞ୍ଜ,ଆମେ ଆଉ ଶୋଭାଯାତ୍ରା କରିବାନାହିଁ । ନାଁ ତୁ କଣ କହୁଛୁ ?କୁଞ୍ଜ କହିଲା, ନାଁ ସାର୍,ଆମେ ଯଦି ସେଇ ପରାଜିତ ପ୍ରାର୍ଥୀଙ୍କୁ ଆମ ସହ ମିଳାଇ ପାରିବା, ତେବେ ଏହା କଲେ ବି ଭଲ ଲାଗିବ । ସେମାନଙ୍କର କଷ୍ଟ ଦୂର ହେବ ଓ ଆମେ ତାଙ୍କ ସହ ମିଶି ଆନନ୍ଦ ବିନିମୟ କରିବା । ଆମେ ସେମାନଙ୍କ ଘରକୁ ଯିବା,ସେମାନଙ୍କ ପାଇଁ ଆମେ ଜିତିଛୁ ବୋଲି କହିବା । ଆଉ ଏବେ ଆମେ ଭାଇ ଭାଇ ବୋଲି କହିବା । ତାଙ୍କ ସୁବିଧା ଅସୁବିଧାରେ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେବା,ତେବେ ମୋ ମନ କହୁଛି ସେମାନେ ଆମ ସହ ମିଶିବେ ଓ ଆନନ୍ଦରେ ଭାଗ ନେବେ ।


 ସତକୁ ସତ କୁଞ୍ଜ ଓ ରୁଦ୍ର ସାର୍ ଚାଲିଲେ ଜଣ ଜଣଙ୍କର ଘର । କେଉଁଠି କ୍ରନ୍ଦନର ରୋଳ ତ କେଉଁଠି କେ ଅଚେତ,ଆଉ କିଏ ବାହୁନି କାନ୍ଦୁଛି ଆଗାମୀ ଦୁଃଖଦ ଭବିଷ୍ୟତ ପାଇଁ । ରୁଦ୍ର ବାବୁ ମଧୁଆକୁ ତା ପରିବାରକୁ ଆଶ୍ୱାସନା ଦେଲେ,ଏବଂ କହିଲେ ଆରେ ମଧୁଆ ତୋ ଝିଅକିଏ ମୋ ଝିଅ କିଏ?ତା ବାହାଘର ଦାୟିତ୍ୱ ଆମେ ସାଥିହୋଇ ବୁଝିବା  ।


 ଅଶୋକର ସ୍ତ୍ରୀକୁ କେମିତି ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ମାଗଣାରେ ପୁରା ଭଲ ହେବ ତାହା କରିବାର ପ୍ରତିଶ୍ରୁତି ଦେଲେ । ସବୁଠୁ ଦୁଃଖଦ କଥା ହେଲା ରାଜୀବ ଘରେ । ତା ବାର ବର୍ଷର ପୁଅ ସୁମନ୍ତ ଟାର ହାର୍ଟ ଅପରେସନ ହେବାପାଇଁ କିଛି ଟଙ୍କା ଥିଲା ଯାହା ତାର ନିର୍ବାଚନରେ ସରିଯାଇଥିଲା । ସୁମନ୍ତ ରୁଦ୍ର ସାରଙ୍କୁ କାନ୍ଦି କାନ୍ଦି କହିଲା, ଆଜ୍ଞା ଆପଣ ମୋ ବାପାକୁ ହରେଇଲେ ନାହିଁ ଯେ ମୋତେ ମାରିଦେଲେ । ମୋ ଅପରେସନ ପାଇଁ ଯାହା ଥିଲା ସବୁ ଖର୍ଚ୍ଚ ହୋଇଗଲା,ମୁଁ ନିଶ୍ଚୟ ମରିଯିବି ଆଜ୍ଞା । ରୁଦ୍ର ସାର୍ ଅନ୍ତରର କୋହକୁ ଚାପି ରଖିପାରିଲେ ନାହିଁ,ସୁମନ୍ତକୁ କୁଣ୍ଢେଇ ଭୋ ଭୋ କାନ୍ଦିଲେ । ଏବଂ କହିଲେ ଆରେ ବାବା,ଆଜିଠୁ ମୁଁ ହେଲି ତୋ ବଡ଼ ବାପା,ତୋତେ ଅପରେସନ କରି ସମ୍ପୂର୍ଣ୍ଣ ଭଲ କରିବା ଦାୟିତ୍ୱ ମୋର । କେଇ ମୁହୂର୍ତ୍ତର ଦୁଃଖର ରୋଳ ସେ ସ୍ଥାନଟିକୁ ସିନା ସ୍ତବ୍ଧ କରିଦେଲା,ହେଲେ ସେହି ଦୁଃଖ ଭିତରେ ଉଙ୍କି ମାରିଲା କେତେ ସୁଖ ସୌହାର୍ଦ୍ବ୍ୟ ଓ ବନ୍ଧୁତ୍ୱର ପରିସୀମା  ।


 ଏଇମିତି ସମସ୍ତଙ୍କ ସହ ବନ୍ଧୁତ୍ୱ କରି ରୁଦ୍ର ବାବୁ ଧର ଆସିଲେ ସବୁ ବିରୋଧୀଙ୍କ ହାତ । ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ବ୍ୟକ୍ତିମାନେ ଚକିତ ହୋଇ ଆନନ୍ଦରେ ଉପଭୋଗ କଲେ ସେଦିନକୁ । ରୁଦ୍ର ବାବୁଙ୍କ ସହ ଅନ୍ୟ ଚାରିଜଣ ପରାଜିତ ପ୍ରାର୍ଥୀଙ୍କୁ ବିମାନରେ ବସିବାର ଦେଖି ସମସ୍ତେ ରୁଦ୍ର ସାରଙ୍କ ଉଦାରତାକୁ ପ୍ରଣାମ ଜଣାଇଥିଲେ । ସେମାନଙ୍କ ସହ ଥିଲେ ଅସଲ ନାୟକ ଯେ କି ରୁଦ୍ର ବାବୁଙ୍କ ସାରଥୀ କୁଞ୍ଜ । ସବୁଠୁ ବିମୁଗ୍ଧକର ଘଟଣା ଯାହା ଇତିହାସକୁ ଚୁମ୍ବନ ଦେଲା,ତାହା ହେଲା ପରାଜିତ ବିରୋଧୀ ପ୍ରାର୍ଥୀଙ୍କ ରୁଦ୍ର ସାର୍ ଜିନ୍ଦାବାଦ ଧ୍ଵନି । ସମସ୍ତଙ୍କ ହର୍ଷୋତ୍ଫୁଲ୍ଲ ଧୁନିରେ ଓ ହାତର ଛନ୍ଦାରେ ଦିଶୁଥିଲା କେବଳ ସମସ୍ତଙ୍କ ଆଗ୍ରହର ମତଦାନର ଆଙ୍ଗୁଳି ଚିହ୍ନ । ଯେ କି ଆଜି ଶତ୍ରୁଙ୍କୁ ବି କରିପାରିଛି ମିତ୍ର ।


 ରୁଦ୍ର ସାର୍ ଏଥର କହିଲେ ଆରେ କୁଞ୍ଜ ତୋର ଆଉ କିଛି କଣ କହିବାର ନାହିଁ?କୁଞ୍ଜ କହିଲା ସାର୍,ଆପଣ ଏଥର ମନ୍ତ୍ରୀ ପଦ ପାଇଲେ ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ, ଏ କୁଉପାୟ , ଅନାଵଶ୍ୟକ ଏବଂ ତ୍ରୁଟି ଯୁକ୍ତ ନିର୍ବାଚନ ବ୍ୟବସ୍ଥା ବିଷୟରେ । ନିର୍ବାଚନ ଏପରି ହେବା ଦରକାର ଯେଉଁ ପଦ୍ଧତିରେ ପ୍ରାର୍ଥୀ ପ୍ରଚାର କରିବ ନାହିଁ,ଅର୍ଥ ଖର୍ଚ୍ଚ କରିବ ନାହିଁ,ନିର୍ବାଚନ ପାଇଁ ସ୍ୱତନ୍ତ୍ର ଦିନ ବାର କି ଆନୁଷ୍ଠାନିକ ବ୍ୟବସ୍ଥା ଇଭିଏମ,ପୋଲିଂ ଅଫିସର ନ କରି ଜଣେ ଘରେ ବସି ଅନ ଲାଇନରେ ଭୋଟ୍ ଦେବ । ଯେଉଁ ବ୍ୟବସ୍ଥା ହେବ ସଂସ୍କାରିତ ନିର୍ବାଚନ ବ୍ୟବସ୍ଥା ଅର୍ଥାତ ଡିଜିଟାଲ ନିର୍ବାଚନ ବ୍ୟବସ୍ଥା । ରୁଦ୍ର ସାର୍ କୁଞ୍ଜକୁ କୁଣ୍ଡେଇ ପକାଇଲେ,ଏବଂ କହିଲେ ସତରେ କୁଞ୍ଜ ତୋତେ ପାଇ ମୁଁ ଗର୍ବିତ,ଆଜି ମନେ ପଡୁଛି ସେହି ମହାଭାରତ ଯୁଦ୍ଧରେ ଅର୍ଜୁନ ଓ ତାଙ୍କ ରଥରେ ବସିଥିବା ସାରଥୀ ଶ୍ରୀକୃଷ୍ଣଙ୍କ କଥା । ଆଜି ଏ ଅତ୍ୟାଧୁନିକ ଯୁଗରେ ମୁଁ ତୋ ପାଇଁ ଅର୍ଜ୍ଜୁନ ଓ ତୁ ମୋର ସେହି ରଥର ସାରଥୀ ଭଗବାନ ଶ୍ରୀକୃଷ୍ଣ । ତୁ ପାଖରେ ଥିଲେ ଏ ତ୍ରିଭୁବନ ଜିଣିବା ପରା ମୋ ବାଁ ହାତର ଖେଳ ।



Rate this content
Log in

Similar oriya story from Tragedy