ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ବୁଢ଼ୀ ମାଉସୀଟିଏ, ସବୁଦିନ ଭଳି ସେ ଦିନ ବି ସେ ବସିଥିଲା ପିଣ୍ଡାରେ, ଦିନର ଆରମ୍ଭରୁ ରାତିର ଆରମ୍ଭ ଯାଏଁ କେଜାଣି କଣ ଦେଖୁଥାଏ ଲାଗେ ଯେମିତି କାହା ବାଟ ଚାହିଁ ରହିଛି |ବୁଢ଼ୀ ଘର ଠାରୁ କିଛି ବାଟ ମୁନ୍ନାର ଘର |ମୁନ୍ନା କିଏ? ମୁନ୍ନା ମୋ ପାଖକୁ ପାଠ ପଢିବାକୁ ଆସେ | ଆଉ ମୁଁ ଜଣେ ଶିକ୍ଷକ |ଏଇ ଚାରି ମାସ ହେଲା ଏ ଗାଁକୁ ବଦଳ ହୋଇ ଆସିଛି |ମୁନ୍ନାବୋଉ ବହୁତ ଭଲ ଲୋକ, ସେ ସବୁଦିନ ଉପରବେଳା ବୁଢୀକୁ ଖାଇବାକୁ ଆଣିଦିଏ, ବୁଢ଼ୀ ଖାଏ ଆଉ ସେଇଥିରୁ କିଛି ବଞ୍ଚେଇ ରଖି ପୁଣି ରାତିରେ ଖାଏ, ଲାଗେ ଯେମିତି ଭୋକ ତାର ପେଟରେ ନୁହେଁ ଆଖିରେ ଅଛି |ବୁଢୀକୁ ଦେଖିଲେ ଲାଗେ ଲୁହ ତା ଛାତିରେ ଛାତିଏ ଅଛି ହେଲେ ଆଖିକୁ ଆସୁନି କେମିତି ବା ଆସିବ ଯଦି ସବୁଦିନ ସମାନ କଟୁଥିବ |ଧୀରେ ଧୀରେ ମୋର ଉତ୍ସାହ ବଢିବାକୁ ଲାଗିଲା, ସେଇ ବୁଢୀଟି ବିଷୟରେ ଜାଣିବାକୁ |ଦିନେ ମୁନ୍ନାବୋଉକୁ ପଚାରିଲି, ମୁନ୍ନାବୋଉ ଏ ବୁଢ଼ୀଟି କିଏ? ମୁନ୍ନାବୋଉର ଉତ୍ତରରେ ମତେ ଚେତାଶୂନ୍ୟ ଲାଗିଲା, ମୁଁ ଆଶ୍ଚର୍ଯ୍ୟରେ କହିଲି କଣ ଏ ଜଣେ ଜମିଦାରଙ୍କ ସ୍ତ୍ରୀ! ହେଲେ ୟାଙ୍କର ପରିବାର କାହିଁ? ଆଉ ୟାଙ୍କର ପରିସ୍ଥିତି ଏମିତି କେମିତି ହେଲା? ମୁନ୍ନାବୋଉ କହିଚାଲିଲେ....(କିଛି ବର୍ଷ ପୂର୍ବରୁ ) ଏ ହେଲେ 'ଶାନ୍ତି ମା' ଆଉ ୟାଙ୍କ ସ୍ୱାମୀ ଜମିଦାର ରତନଲାଲ | ଶାନ୍ତି ମାଙ୍କର ସନ୍ତାନ ହେଉନଥିଲା ବହୁତ ପୂଜାପୂଜି କରିବା ପରେ ଶେଷରେ ପୁଅଟିଏ ହେଲା କିନ୍ତୁ ଧୀରେ ଧୀରେ ଜମିଦାରଙ୍କ ଗାଁ ଲୋକଙ୍କ ପ୍ରତି ଅତ୍ୟାଚାର ବଢିଗଲା |ଲୋକମାନଙ୍କ ସହିତ ଛଳନା କରି ତାଙ୍କ ଜମିକୁ ନିଜ ନାଁରେ କରିବସିଲା ରତନଲାଲ | ଗାଁ ଲୋକମାନେ ଜମିଦାରଙ୍କୁ ମନେ ମନେ ବହୁତ ଗାଳି ଦେଉଥାନ୍ତି, ୟା ଭିତରେ ଜମିଦାରଙ୍କ ପୁଅ ବଡ଼ ହୋଇଯାଇଥିଲା ଆଉ ତା' ର ବାହାଘର ପାଇଁ ଶାନ୍ତି'ମା ଝିଅ ଖୋଜିବାକୁ ଲାଗିଲେ ଶେଷରେ ସହରରୁ ସୁନ୍ଦର ଝିଅଟିଏ ବୋହୂ କରି ଆଣିଲେ |ଦେଖିବାକୁ ବହୁତ ସୁନ୍ଦର, ହେଲେ କଣ ହେବ ଦେହରେ ଗୁଣ ଟିକେ ନାହିଁ | ସେପଟେ ଲୋକଙ୍କର ଅଭିଶାପ ଜମିଦାରଙ୍କ ଉପରେ ପଡିଲା | ଧିରେ ଧିରେ ଜମିଦାର ରୋଗାକ୍ରାନ୍ତ ହେଲେ ଦେହ ସାରା ତାଙ୍କର ଘା ହୋଇଗଲା |ବୋହୂ ଶଶୁରର ସେବା କଲା ନାହିଁ, ଆଉ ସ୍ୱାମୀକୁ କଣ ସବୁ କହିଲା କେ ଜାଣି ପୁଅଟା ସ୍ତ୍ରୀ କୁ ନେଇ ସହରକୁ ଚାଲିଗଲା | ବୁଢ଼ୀ ଏକୁଟିଆ କରିବ କଣ?ବୁଢାର ଯତ୍ନ ପାରୁବଳ ଥିବା ଯାଏଁ କଲା ଶେଷରେ ବୁଢା ଆରପାରିକୁ ଚାଲିଗଲା | ଗାଁ ଲୋକମାନେ ବୁଢ଼ୀର ସମ୍ପତିକୁ ହାତେଇ ନେଲେ, ବୁଢ଼ୀ ଭଲ ଲୋକ ଥିଲାବୋଲି କେହି ତାକୁ ଚାଳିଆଟେ ଦେଲେ ରହିବା ପାଇଁ, ସେ ଦିନରୁ ବୁଢ଼ୀର ମୁଣ୍ଡ ବି କାମ କରୁନି |ସବୁବେଳେ ପୁଅ ବୋହୂ ର ଫେରିବା ବାଟକୁ ଚାହିଁ ବସିଛି |ଭଗବାନକୁ ଜଣା ବାପାର କର୍ମକୁ ନେଇ ବାପା ତ ଭୋଗିଲା, ମା ତ ଭଲ ଲୋକ, ହେଲେ ତା ଭାଗ୍ୟରେ କଣ ଅଛି କେଜାଣି? ପୁଅ ବୋହୂର ମୁହଁ ଦେଖିବ କି ନାହିଁ |ଏତିକି କହି ମୁନ୍ନାର ବୋଉ ଚାଲିଗଲେ ଆଉ ମୋ ଆଖିରେ ଦୁଇଟୋପ ଲୁହ ଆସିଗଲା |
