STORYMIRROR

ଜ୍ଞାନରଞ୍ଜନ ସାହୁ

Tragedy

3  

ଜ୍ଞାନରଞ୍ଜନ ସାହୁ

Tragedy

ଅଭିଶପ୍ତ ଜୀବନ

ଅଭିଶପ୍ତ ଜୀବନ

3 mins
380

ବାପା, ଆଜି ତୁମ କଥା ବହୁତ ମନେପଡୁଛି ବାପା l ଆଜି ତୁମକୁ ଦେଖିବାକୁ ବହୁତ ଇଛା ହୋଉଛି କିନ୍ତୁ ତାହା ସମ୍ଭବ ନୁହେଁ କାରଣ ମୁଁ ଜାଣିଛି ବାପା ତମେ ମତେ ବହୁତ ଘୃଣା କର କିନ୍ତୁ କାହିଁକି କେଜାଣି ମୁଁ ତୁମ ଉପରେ ରାଗିପାରିବିନି, ତୁମେ ମୋ ବାପା ତୁମେ ମୋ ପାଇଁ ଭଗବାନ ତୁମେ ମତେ ଜନ୍ମ ଦେଇଛ, ମୁଁ ତୁମକୁ ମୋ ଜୀବନଠୁ ଅଧିକ ଭଲପାଏ ବାପା.......


ବାପା, ସତ କହିଲ ବାପା ତମେ କଣ ମତେ କାଣିଚାଏ ଭଲପାଅନି, ମୋ ପ୍ରତି ତୁମ ହୃଦୟରେ କଣ ଟିକେ ବି ଜଗା ନାହିଁ.... 

ତୁମର କଣ ଦୋଷ ବାପା ଦୋଷ ତ ଭଗବାନଙ୍କର ଦୋଷ ତ ଏ ସମାଜର ଆଉ ଦୋଷ ମୋ ଭାଗ୍ୟର, ମୋ ଜନ୍ମହେବା 

ପରେ ତୁମେ କେତେ ଖୁସି ହେଇଥିବ, ଯେ ତୁମର ପୁଅ ହେଇଛି, ପୁଅ ବଡ଼ ହେବ ତୁମର ନାଁ ରଖିବ ପାଠ ପଢିବ ଓ ଚାକିରୀ କରିବ l ଯାହାପାଇଁ ତୁମେ ଗର୍ବ ଅନୁଭବ କରିବ କିନ୍ତୁ ମୋ ପାଇଁ.....

ତୁମେ ଗର୍ବ କଣ ବାପା ନିନ୍ଦା ଅପବାଦରେ ପୋତି ହେଇ ପଡ଼ିଲ l ଭାଇ ଚାକିରୀ କଲା ପରେ ତୁମ ମୁଣ୍ଡ ଉଚ୍ଚ ହୋଇଯାଇଥିଲା, ସମସ୍ତେ କହୁଥିଲେ ପୁଅ ଚାକିରୀ କରିଛି କିନ୍ତୁ ମୁଁ ତମ ମାନ ସମ୍ମାନ ତଳେ ପକେଇଦେଲି ଯୋଉଦିନ ସମସ୍ତେ କହିଲେ ନିଧିଆ ପୁଅ ଟା

ଅଣ୍ଡରା ମାଇଚିଆ ଟା........

ହେଂଜଡ଼ା ଟା........


ସେ ସମୟରେ ମୁଁ ଆଉ ତୁମ ପୁଅ ହେଇ ନଥିଲି ବାପା l ମୁଁ ଓ ମୋ ମନ ଆଉ ମୋ ନିଜ ଆୟତରେ ନଥିଲା l

ସ୍କୁଲ ସମୟରେ ଲୁଚିଛପି ଶାଢ଼ୀ ପିନ୍ଧିଲା ବେଳେ ତମେ ଯେବେ ଦେଖିଦେଉଥିଲ ବହୁତ ମାରୁଥିଲ ଵlପା, ମନେ ଅଛି ଵାରୀରୁ ପିଜୁଳି ଛାଟ ରେ କେତେ ପାହାର ଦେଉଥିଲ କିଛିଦିନ ମାଡକୁ ଡରି ସେସବୁ ବନ୍ଦ କରୁଥିଲି ତାପରେ ଯୋଉ କଥାକୁ ସେଇକଥା l


ମୁଁ କଣ କରିବି ବାପା ଯେତେ ଚେଷ୍ଟା କଲେ ବି ମୁଁ ନିଜକୁ ରୋକି ପାରୁନଥିଲି, ଭଗବାନ ସିନା ମତେ ପୁରଷର ଶରୀର ଦେଲେ ହେଲେ ନାରୀର ମନ ଦେଲେ, ମୋ ମନ ସବୁବେଳେ ଗୋଟେ ଝିଅର ମନ ଥିଲା, ହାତରେ ମେହେନ୍ଦି କରିବା, ନେଲପାଲିସ ନାଇବା ଓ ପାଦରେ ଅଳତା ଏ ସବୁ ପିନ୍ଧୁଥିଲି ସେଥିପାଇଁ ବହୁତ ମାଡ଼ ବି ଖାଇଛି, ମୋର ମନେ ଅଛି ବାପା ମୁଁ ଝିଅର ନେଲପାଲିସ ମାରିଥିଲି ବୋଲି ତୁମେ ମୋ ହାତ ନଖକୁ ଇଟାରେ ଛେଚି ଦେଇଥିଲ ମୁଁ ଚାରି ପାଞ୍ଚ ଦିନ ମୋ ନିଜ ହାତରେ ଖାଇପାରିନଥିଲି l ବୋଉର ଶାଢ଼ୀ ଲୁଚିଲୁଚି ପିନ୍ଧିପକାଏ, ବୋଉ ଗାଳି ଦିଏ ସେ ମାଆ ତ ସେଥିପାଇଁ ହାତ ଉଠେଇ ପାରେନି, ବୋଉ ଚୁଡ଼ି ପିନ୍ଧଥିଲି ବୋଲି, ବାପା ଦୁଇଦିନ ଉପାସପକାଇ ଦେଇଥିଲେ, ସେଥିପାଇଁ ବୋଉ ସେସବୁ କୁ ବାକ୍ସରେ ତାଲାପକେଇ ଦିଏ l


ମୁଁ ଛୋଟ ବେଳୁ ପୁଅପିଲାଙ୍କ ସହ ସାଙ୍ଗ ହେବାକୁ ଭଲ ପାଏନି ମତେ କାଇଁ ଲାଜ ଲାଗେ କିନ୍ତୁ ଝିଅ ପିଲାଙ୍କ ସହ କଥା ହେବାକୁ ଭଲ ପାଏ l ସ୍କୁଲରେ ସମସ୍ତେ ମତେ ମାଇଚିଆ ବୋଲି ଡାକନ୍ତି ଓ ମୋତେ ବହୁତ ହଇରାଣ କରନ୍ତି l ଗାଁ ସାହିରେ ସମସ୍ତେ ମତେ ଦେଖି ଥଟ୍ଟା ତାମସା କରନ୍ତି l


କିନ୍ତୁ ବାପା ମୁଁ ଜାଣିଛି ତୁମର କି ବୋଉର କିଛି ଦୋଷ ନାହିଁ କାରଣ ତୁମେ ଚାହିଁଥିଲ ତୁମ ପୁଅ ପାଠ ପଢୁ ମଣିଷ ହଉ, ଚାକିରୀ କରି ତୁମ ଦୁଃଖ ଦୂର କରୁ, କିନ୍ତୁ ତା ବଦଳରେ ତୁମକୁ ନିନ୍ଦା, ଅପବାଦ ଓ ଭାତ୍ସନା ସହିବାକୁ ପଡିଲା, ସାହି ପଡିଶାଙ୍କ କଥାରେ ଅତିଷ୍ଟ ହୋଇ ତୁମେ ମତେ ମାଡ ମାରି ଘରୁ ବାହାର କରିଦେଲ ଓ କୂଅରୁ ପାଣି ବାଲଟିଏ କାଢି ନିଜ ମୁଣ୍ଡରେ ଢାଳିଦେଇ କହିଲ ମୁଁ ତୁମ ପାଇଁ ମରିଗଲି ଗାଁ ଲୋକଙ୍କ ସାମ୍ନାରେ ମତେ ଶୁଦ୍ଧି ହୋଇ ପଡ଼ିଲ ଓ ମୋ ଆଗରେ ତୁମର ଓ ବୋଉ ର ରାଣ ପକେଇ ସବୁଦିନ ପାଇଁ ଲକ୍ଷଣ ରେଖା ଟାଣି ଦେଲ l ପ୍ରତିଦିନ ତୁମମାନଙ୍କ କଥା ମୋର ମନେପଡେ ଭାବେ ତୁମ ସହିତ ମୋର ଟିକେ ଦେଖା ହୁଅନ୍ତା କି

ଘରକୁ ଯିବାକୁ ବହୁତ ଥର ଭାବିଛି କିନ୍ତୁ ତୁମ ରାଣ ନିୟମ ପାଇଁ ଯାଇପାରିନି, ଜୀବନରେ ତୁମର କୌଣସି କଥା ରଖିପାରିଲିନି ଅନ୍ତତଃ ଏଇ କଥାଟା ରଖେ l


ଜାଣିଛ ବାପା ତୁମେ ଘରୁ ବାହାର କଲା ପରେ ମୁଁ ବହୁତ ହିନସ୍ଥା ହେଇଛି, ଦିନ ଦିନ ମୋର ଭୋକ ଉପାସରେ କଟିଛି, ଟ୍ରେନରେ ତାଳି ମାରି ମାରି ହାତ ବିଣ୍ଡି ହେଇଯାଇଛି, ଖାଇବାକୁ ଦାନା ଓ ପିନ୍ଧିବାକୁ କନା ଖଣ୍ଡେ ପାଇନି ତା ପରେ ବି ବଞ୍ଚିଛି ସଂଘର୍ଷ କରିଛି ଏମ ଏ ପାସ କଲାପରେ ମୁଁ ଏବେ ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଛି,ନିଜର ଘର କରିଛି ଆଧୁନିକ ଜୀବନ ବଞ୍ଚିଯାଉଛି ସିନା କିନ୍ତୁ ତୁମମାନଙ୍କ ଅଭାବ ପୂରଣ କରିପାରୁନି l ମୁଁ ଚାହୁଁଛି ତୁମପାଇଁ କିଛି କରିବାକୁ ବାପା ତୁମେ କଣ ମତେ ସୁଯୋଗ ଦେବନି ଏ ସମାଜ କୁ ଡରି ତୁମେ କଣ ମତେ ମାରିଦେବ ବାପା......


ମୁଁ ପୁଅ ହୁଏ କି ଝିଅ ତୁମର ହିଁ ଅଂଶ ତୁମେ କଣ ଏ ସମାଜ ପାଇଁ ମତେ ଦୁରେଇ ଦବ, ମୋର କଣ ଏ ଦୁନିଆରେ ବଂଚିବାର ଅଧିକାର ନାହିଁ, ମୋର କଣ ଇଛା ଅନିଚ୍ଛା ବୋଲି କିଛି ନାହିଁ, ମୁଁ କଣ ସତରେ ଆମ ବଂଶର କଳଙ୍କ, ମୁଁ କଣ ଅଭିଶପ୍ତ, ମୁଁ କଣ ଏ ସମାଜ ପାଇଁ ପାପୀ


ହେଲେ ଏଥିରେ ମୋର ଦୋଷ କଣ ମୁଁ ତ ଚାହିଁନଥିଲି ଏମିତି ଜୀବନ, ମୁଁ ତ ଚାହିଁନଥିଲି ପୁରୁଷର ଦେହ ଥାଇ ନାରୀର ମନ,ତେବେ ମୁଁ କାହିଁକି ସମାଜରେ ଏତେ ନିଷ୍ପେସିତ ମୁଁ କାହିଁକି ଅବହେଳିତ......


କିଏ ଦେବ ମୋ ପ୍ରଶ୍ନର ଉତ୍ତର ?

କିଏ ବୁଝିବ ମୋ ଦୁଃଖ ?

କିଏ ମୋ ଆଖିର ଲୁହ ପୋଛିବ ?



Rate this content
Log in

Similar oriya story from Tragedy