Kabita Mohanty

Inspirational

2.5  

Kabita Mohanty

Inspirational

ଆଣ୍ଟି

ଆଣ୍ଟି

3 mins
7.9K


ମହାପାତ୍ର ବାବୁ ଅନେକ ବେଳୁ ଅଫିସରୁ ଆସିଗଲେଣି । ଡୁୁପ୍ଲିକେଟ ଚାବିରେ ଘର ଖୋଲି ଅପେକ୍ଷା କରିଛନ୍ତି ଚା କପେ ପାଇଁ । ସନ୍ଧ୍ୟା ସାତଟା ଡେଇଁ ଗଲାଣି , ହେଲେ ଧର୍ମପତ୍ନୀଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ । ଆଉ କିଛି ରାସ୍ତା ନପାଇ ମହାପାତ୍ର ବାବୁ ସକାଳ ଖବରକୁ ପୁଣି ଖବରକାଗଜ ପୃଷ୍ଠାରେ ଲେଉଟାଇ ଚାଲିଛନ୍ତି । ପତ୍ନୀ ସୁରେଖା ନିଶ୍ଚୟ ସାନ୍ଧ୍ୟ ଭ୍ରମଣ ସାରି ପାର୍କରେ ଗପ ମାରୁଥିବେ । ଆଜିକାଲି ସୁରେଖା ସବୁଦିନେ ସାନ୍ଧ୍ୟ ଭ୍ରମଣରେ ଯାଉଛନ୍ତି । ପାଖ ପଡୋଶୀ କିଛି ଜୁଟି ଯାଇଛନ୍ତି ତାଙ୍କ ସାଙ୍ଗରେ । ତେଣୁ ତାଙ୍କର ବି ଏକ ପ୍ରକାର ଭଲରେ ସମୟ କଟୁଛି । ପିଲାମାନେ ଚାକିରୀ ବାକିରି କରି ନିଜ ସଂସାର ନେଇ ବ୍ୟସ୍ତ । ଏଠି ଖାଲି ମହାପାତ୍ର ବାବୁ ଆଉ ତାଙ୍କ ଧର୍ମପତ୍ନୀ ଦୁଇ ପ୍ରାଣୀଙ୍କ ସଂସାର । ମହାପାତ୍ର ବାବୁ ସରକାରୀ ଚାକିରୀରୁ ଅବସର ନେଲା ପରେ ପୁଣି ଏକ ସଂସ୍ଥାରେ କିଛି ଦିନ ହେଲା ଯୋଗ ଦେଇଛନ୍ତି । କିଛି ରୋଜଗାର ହେବା ସଂଗେ ସମୟଟା ବି ଭଲରେ କଟୁଛି । ତେଣୁ ସେ କେବେ ସୁରେଖାଙ୍କୁ ତାଙ୍କ ସ୍ବାଧୀନତାରେ ବାଧା ଦେଇ ନାହାନ୍ତି ।

ଆଜି ସମୟ ଠାରୁ ଡେରି ହେବାରୁ ସେ ଟିକେ ବ୍ୟସ୍ତ ହୋଇ ପଡିଲେ । କଣ ହେଲା , ଏ ଯାଏ କାହିଁକି ଘରକୁ ଫେରିଲେନି ସୁରେଖା । ଚା ଟିକେ ବି ମିଳିନି । ଅଗତ୍ୟା ସେ ନିଜେ ଚା କପେ କରି ପିଇବେକି ବୋଲି ଚିନ୍ତାରେ ପଡିଛନ୍ତି । ଏଇ ସମୟରେ ଧର୍ମପତ୍ନୀ ତାଙ୍କର ଦୁମ ଦୁମ ଗୋଡ଼ କଚାଡି ଘରକୁ ପଶିଲେ ।

ମହାପାତ୍ର ବାବୁ ପୁଣି ଏକ ଝଡ଼ର ଆଶଙ୍କା କଲେ । କଣ ଅସୁବିଧା ହେଲା ବୋଲି ପଚାରିଲେ ସୁରେଖାଙ୍କୁ । ସେ ତ ରାଗିକରି ଫଁ ଫଁ । ଉତ୍ତର କାହୁଁ ଦେବେ । ମହାପାତ୍ର ବାବୁଙ୍କୁ ଲାଗିଲା ପୁଣି ଏ ସାନ୍ଧ୍ୟ ଭ୍ରମଣ ଗ୍ରୁପରୁ କେହି କିଛି ଚର୍ଚ୍ଚା କରିଛନ୍ତି ଯେଉଁଥିରେ ସୁରେଖାଙ୍କୁ ଝଟକା ଲାଗିଛି । ସୁରେଖାଙ୍କ ହାତରୁ ଚା କପର ଆଶା ନରଖି ସେ ନିଜେ ଦୁଇକପ ଚା ବନାଇଲେ । କିଛିଦିନ ହେବ ସେ ବି ଅନେକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ସୁରେଖାଙ୍କ ଭିତରେ । ବେଶ ପୋଷାକ ,ପରିପାଟି, କଥା ବାର୍ତ୍ତା ସବୁଥିରେ । ଏ ପରିବର୍ତ୍ତନର କାରଣ ସେ ଭରଷି ପଚାରି ବି ପାରୁନାହାନ୍ତି । ସୁରେଖା ପ୍ରତିଦିନ ତାଙ୍କ ମହିଳା ଖଟିରୁ ଫେରିଲା ପରେ ଅନେକ କିଛି ଗପି ଚାଲନ୍ତି । ମହାପାତ୍ର ବାବୁ ଶୁଣିବାର ଆଳ କରି ପ୍ରକୃତରେ କିଛି ଶୁଣିନାହାନ୍ତି । ଏତିକି ସେ ବୁଝିଛନ୍ତି ଯେ ସୁରେଖାଙ୍କୁ ଆଧୁନିକ ସଭ୍ୟତାର ହାୱା ଲାଗିଛି । ସେ ଆଉ ଆଗ ଭଳି ଓଡିଆଣି ହୋଇ ନାହାନ୍ତି । ଘରୁ ବାହାରିଲେ ପ୍ରସାଦନ, ପରିପାଟି, କଲେଜ ପିଲାଙ୍କ ପରି ବେଶପୋଷକ ଏମିତି ଅନେକ କିଛି ନୂଆ ରୂପରେ ସେ ବାହାରୁଛନ୍ତି। ସବୁବେଳେ ଫୋନରେ ସୋସିଆଲ ମେଡିଆରେ ବ୍ୟସ୍ତ।

ତେବେ ଆଜି କଣ ଅସୁବିଧା ହେଲା ! ଚା ପିଇ ସାରିଲା ପରେ ରାଗ ଟିକେ ଥମିଲା ପରି ଲାଗିଲା ମହାପାତ୍ର ବାବୁଙ୍କୁ । ସେ ଭରଷି

କରି ପୁଣି ପଚାରିଲେ " କଣ ହେଲା ଆଜି , କିଏ କଣ କହିଲା " ।

ସୁରେଖା କହିଲେ " ସତ କୁହ ତମେ ମୁଁ କଣ ଆଣ୍ଟି ଭଳି ଦୁଶୁଚି । ଆମେ ଆଜି ସାନ୍ଧ୍ୟ ଭ୍ରମଣ ସାରି ପାଖ ବଜ଼ାରକୁ ଯାଉଥିଲୁ । ବାଇକରେ ଯାଉଥିବା ଦୁଇଟା ପିଲା ଆସି ପଚାରୁଛନ୍ତି , ଆଣ୍ଟି ସେ ଅମୁକ ନମ୍ବର ଘରଟା କେଉଁଠି । ନାଇଁ ତମେ ସତ କରି କୁହ ମୁଁ କଣ ଆଣ୍ଟି ତାର "। କ୍ଷଣକ ପାଇଁ ମହାପାତ୍ର ବାବୁ ଚୁପ ରହିଲେ । ଭାବିଲେ କଥାଟା ଯାଇଁ ଏଠି । ସେଥିପାଇଁ ପରିସ୍ଥିତି ସର ଗରମ ହୋଇଛି । ଟିକିଏ ନିଶ୍ଵାସ ନେଇ ସେ ସୁରେଖାଙ୍କୁ ପଚାରିଲେ , ଆଚ୍ଛା ଗୋଟେ କଥା କୁହ , ତୁମ ଭଉଣୀର ପୁଅ ତୁମକୁ କଣ ସମ୍ବୋଧନ କରୁଛି , ତୁମ ଭାଇର ପୁଅ କଣ ବୋଲି ଡାକୁଛି । ଏଇ ନା ,ମାଉସୀ ନ ହେଲେ ମାଇଁ । ପଡ଼ିଶା ଘର ପିଲେ କଣ ଡ଼ାକୁଛନ୍ତି ମାଉସୀ ନ ହେଲେ ଆଣ୍ଟି ନା ? ସୁରେଖା ହଁ ଭରିଲେ । ମହାପାତ୍ର ବାବୁ ଟିକେ ସାହସ ପାଇ କହିଲେ ଦେଖ , ମୋତେ କେହି ରାସ୍ତାରେ ଅଂକଲ କହିଲେ ମୁଁ କଣ କେବେ ଖରାପ ଭାବୁଛି କି ? ତେବେ ତୁମେ ଆଣ୍ଟି ଡାକ ଶୁଣି ଏତେ ବ୍ୟସ୍ତ କାହିଁକି । ସୁରେଖା ଚୁପ ରହିଲେ କିଛି ସମୟ ପାଇଁ । ପରିସ୍ଥିତିକୁ ଆଉ ଟିକେ ହାଲକା କରିବା ପାଇଁ ମହାପାତ୍ର ବାବୁ କହିଲେ " ଆଜି ଏତେ ଡେରି ହେଲାଣି , ଚାଲ ବାହାରେ ରେଷ୍ଟୁରାଣ୍ଟରେ ଖାଇ ଆସିବା । ସୁରେଖା ଖୁସି ହୋଇ ତୁରନ୍ତ ପ୍ରସ୍ତୁତ ହୋଇଗଲେ । ମହାପାତ୍ର ବାବୁ ଆକ୍ଟିଭା ବାହାରକରି ଷ୍ଟାର୍ଟ କଲେ । ରାସ୍ତାରେ ଯୁବକଟିଏ ବାଇକରେ ଯାଉଥିବା ବେଳେ ମହାପାତ୍ର ବାବୁଙ୍କ ଗାଡି ପାଖକୁ ଆସି କହିଦେଇ ଗଲା " ଆଣ୍ଟି ଆପଣଙ୍କ ଓଢଣୀ ପଛ ଚକାରେ ଲାଗିଛି । ଅଙ୍କଲ ଦେଖିକରି ଗାଡି ଚଳାନ୍ତୁ ।" ସୁରେଖା ଚାହିଁଥିଲେ ମହାପାତ୍ର ବାବୁଙ୍କୁ ଆଉ ସେ ସୁରେଖାଙ୍କୁ । ସୁରେଖାଙ୍କ ମୁହଁରେ ରାଗ ନ ଥିଲା ବରଂ କୃତଜ୍ଞତା ଭରିରହିଥିଲା ଏ ଆଣ୍ଟି ଡାକରେ ।


Rate this content
Log in

Similar oriya story from Inspirational