ଆମର କିଛି ଦରକାର ନାହିଁ
ଆମର କିଛି ଦରକାର ନାହିଁ
ନାନୀ ଲୋ....,ଏ ପୁନି ନାନୀ...କୁଆଡେ ଗଲୁ କିଲୋ ?
କ'ଣ କିରେ ଶଙ୍କରା, ଖାଇବା ପାଖରୁ ଉତ୍ତର ଦେଲା ନାନୀ ।
ନା ଲୋ ନାନୀ ପାନ ଦିଟା ଖାଇବି ତ,ସେଇଥିପାଇଁ ଡାକୁଥିଲି । ତୁ ତ ଜାଣିଛୁ, ତୋ ପାନ ନ ଖାଇଲେ...? ମୋତେ ଆଉ କାହା ପାନ ଭଲ ଲାଗେ ନାହିଁ । ତୁ ଖାଉଛୁ କି ? ହଉ ଖା...ମୁଁ ପରେ ଆସିବି ।
ନା'ରେ ଶଙ୍କରା.... କଣ ଖାଇବି,ପଖାଳ ଶାଗ ଟିକେ ଖାଉଥିଲି । ଖାଇ ସାରିଲିଣି.. କହି ଅଧା ଖାଇବା ପାଖରୁ ଉଠି ଆସିଲା ଶହେ ସାତ ବର୍ଷୀୟା ପୁନି ନାୟକ । ହତଭାଗିନୀ ଟିଏ…. । ଏଇ ବୟସରେ ବି ଦେଇଛି ପାନ ଦୋକାନ । ଏଇ ପେଟ ଚାଖଣ୍ଡକ ଓଦା କରିବାକୁ । ବିଚାରୀ ମା' ଟିକୁ ଚାହିଁ ମନେ ମନେ କାନ୍ଦି ପକାଉଥାଏ ବାଉନ ବର୍ଷୀୟ ଆକର୍ମଣ୍ୟ ପୁଅ ଶମ୍ବୁନାଥ । ଯେଉଁ ବୟସରେ ସେ ତା ମା'କୁ କେବଳ ପୋଷିବା ନୁହଁ ବରଂ ସେବା ତୀର୍ଥ ସବୁ କରିବା କଥା । ହେଲେ ସେ ଆଜି.... କତରାଲଗା ହୋଇ ହାତ ପାତିଛି ତା ମାଆକୁ । ଆଉ ଦାନା ବି ଲୋଡୁଛି ବଂଚିବା ପାଇଁ । ପୁନି ଶଙ୍କରାକୁ ପାନ ଚାରି ଖଣ୍ଡ ଦେଇ ଦଶ ଟଙ୍କିଆଟେ ରଖିଲା ।
ଆସୁଥିବୁରେ ଶଙ୍କରା । ମୋର ତ ମରଣ କାଳ ଆସିଲାଣି । କେତେବେଳେ ବି ଚାଲିଯିବି । ଗରିବ ନାନୀଟାକୁ ଟିକେ ଦେଖି ଆସୁଥିବୁ । ଶଙ୍କରା ହସି ହସି କହୁଥାଏ,ନା ଲୋ ନାନୀ... ତୁ ଏବେ ମରିବୁ ନାହିଁ । ଆଉ ପନ୍ଦର ବର୍ଷ ହେଲେ ବଞ୍ଚ । କହି କହି ଚାଲିଗଲା ଶଙ୍କରା । ଅଧା ଖିଆ ସାରିବାକୁ ଆସୁ ଆସୁ ଦଳେ ଲୋକ ଆସିଲେ,ଜଣେ ଡାକିଲା ଏ ବୁଢ଼ୀ ପାନ ଦିଟା ଦେଲୁ । ପୁନି କୁ ଖରାପ ଲାଗୁଥିଲେ ବି ସେ ଚୁପ ରହି ପାନ ଭାଙ୍ଗିଦେଲା । ଲୋକଟା ପାନ ଦି ଖଣ୍ଡ ନେଇ ଚାଲିଯାଉଥିଲା । ଆରେ ବାବୁ ପଇସା ଦେଇ ଯା ରେ । ଲୋକଟି କହିଲା ଆଲୋ ବୁଢ଼ୀ ତୁ ଏ ସୋନୁ ଦାଦାକୁ ଚିହ୍ନି ନୁ କି ? ପଇସା କ'ଣ ମାଗୁଛୁ । ନାଁ ରେ ବାବା ତୁ ଯିଏ ହୋ ଏ ଗରିବ ବୁଢ଼ୀର ପଇସା ଦିଟା ଦେଇ ଯା । ଏଇପା ମୋ ଜୀବିକା । ମୁଁ ନ ଦେଲେ ତୁ କ'ଣ କରିବୁ ଲୋ ବୁଢ଼ୀ,ମୁଣ୍ଡ ତଳେ ଲାଗିଲାଣି, କାଲି ପରି ଯମ ତୋତେ ନେବ ବହୁତ ଲୋଭ ତ ତୋର କହିଲା ସୋନୁ । ଆରେ ବାପା ତୁ ଗୁରୁଜନକୁ କେମିତି ବ୍ୟବହାର ଦିଅନ୍ତି ଶିଖିନୁ ? ଏତିକି କହୁ କହୁ ସୋନୁ ବୁଢ଼ୀ ଚୁଟିକୁ ଟାଣି ଠେଲି ଦେଲା । ବିଚାରୀଟିର ମୁହଁଟା ବାଡେଇ ହୋଇଗଲା ରାକ୍ ରେ । ଓଠଟା ଫାଟି ରକ୍ତ ଧାର ବହିଲା । ଟଙ୍କାଟିଏ ବି ପୁନି ପାଇଁ ବହୁତ । ଦିନ ସାରା ଦୋକାନରୁ କୋଡ଼ିଏ ରୁ ତିରିଶି ଟଙ୍କା ସେ ପାଏ । ସେଇଥିରେ ମା' ପୁଅ ଦି ଓଳି ବଂଚିଯାନ୍ତି । ମାଆର କାନ୍ଦ ଓ ପିଲାଙ୍କ ପାଟି ଶୁଣି ବିଶ୍ବମ୍ବର କହିଲା ; କ'ଣ ହେଲା ମାଆ, କିଏ ପାଟି କରୁଥିଲା,ତୁ କ'ଣ କାନ୍ଦୁଛୁ ?ନିଜ ପୁଅ ମନକୁ କଷ୍ଟ ନ ହେଉ ସେଥିପାଇଁ ତରବର ହୋଇ ଚିରା ପଣତକାନିରେ ଆଖିର ଲୁହ ପୋଛି ଓଠର ଲହୁ ପୋଛି କହିଲା, ନାଁରେ କେତେ ଲୋକ କେତେ ପ୍ରକାର ତାଙ୍କ କଥା କାହିଁକି ଶୁଣୁଛୁ ।
ହେଲେ ପାଞ୍ଚ ଟଙ୍କା ଚାଲିଗଲା ନାହିଁ ଯେ ତା(ପୁନି) ଦେହରୁ ପୋଷେ ରକତ ଚାଲିଗଲା । ଆଉ ଖାଇବ କ'ଣ ଅଇଁଠା ଉଠଉ ଉଠଉ ପୁଅର ଆଖି ପଡିଗଲା ମା ଓଠର ରକତ ଉପରେ । ମୋତେ ଲୁଚାଉଛୁ ମା,ସେମାନେ ତୋତେ ମାରିଲେ ନା.... କହି ନିଜ ପୁରୁଷ ପଣିଆକୁ ଧିକ୍କାର କରି ମୁଣ୍ଡକୁ କାନ୍ଥରେ ବାଡେଇଲା ଶମ୍ବୁ । ମା'ପୁଅ ଆଖିରୁ ଲୁହ ଦି ଟୋପା ପୋଛି ଦେଉ ଦେଉ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ବୁକୁ ଫଟାଇ ଚିତ୍କାର କରି ଏପରି କାନ୍ଦିଲେ ଯେ ଯିଏ ଶୁଣିବ ଆଉ ସେ ଦୃଶ୍ୟ ଦେଖିବ ତା ଛାତି ଫାଟିଯିବ ।
କଥାରେ ଅଛି ବଡ ଲୋକଙ୍କୁ ଉତ୍ତର ନାହିଁ ମାଆ । ଆଜି ଯଦି ତୋ ପୁଅ ଭଲ ଥାଆନ୍ତା ତାହେଲେ ସେ ସୋନୁ ତା ହାତ ନେଇ କେବେ ଫେରି ନଥାନ୍ତା । ସବୁ ଭାଗ୍ୟର ଖେଳ । କେଉଁ ଜନ୍ମର କି ପାପ କରିଥିଲି କେଜାଣି ଆଜି ଏଇ ବୟସରେ ଅକର୍ମଣ୍ୟ ହୋଇ ଘରେ ବସି ରହିବାକୁ ପଡିଲା ଭାବି ଭାବି କାନ୍ଦୁଥାଏ ଶମ୍ଭୁ ।
ସେପଟେ ଗୁମୁରି ଗୁମୁରି ଭିତରେ କାନ୍ଦୁଥାଏ ପୁନି । ପୁରୁଣା ଦିନ ଗୁଡାକ ଆଖିରେ ଜଳ ଜଳ ହୋଇ ଦିଶୁଥାଏ । ତା ସ୍ୱାମୀର ଯେଉଁଦିନ ହାତ ଧରିଲା ଦୁହେଁ ସ୍ବପ୍ନ ଦେଖିଥିଲେ ପୁଅଟିଏ ହେବ । ସ୍ୱାମୀ ତାର କାମ କରି ବହୁତ ଟଙ୍କା ଆଣିବ ଓ ପୁଅକୁ ଭଲ ଖାଇବାକୁ,ପିନ୍ଧିବାକୁ ଦେବେ । ରାଜକୁମାର ପରି ବଢ଼ାଇବେ । କିଛି ଟଙ୍କା ସଞ୍ଚୟ କରି ରଖି ବଡ଼ କୋଠାଘରଟିଏ କରିବେ । ସେ ଘରକୁ ବୋହୂଟିଏ ଆସିବ । ନୂଆ ନାଲି ମାରୁତିଟିଏ କିଣି ଆଣିବେ । ସମସ୍ତେ ସାଥିରେ ପୂଜା କରିବା ପାଇଁ ମା ତାରିଣୀ ମନ୍ଦିର ଯିବେ । କୁଆଡେ ଗଲା ସେ ଦିନର କଳ୍ପନା ଗୁଡିକ । ସ୍ୱାମୀ ଅକାଳ ମରଣରେ ଛାଡି ଚାଲିଗଲେ ତାକୁ ଓ ଶମ୍ଭୁକୁ । ତାପରେ ପରେ କଟକ ଜାତୀୟ ରାଜପଥ ପାର୍ଶ୍ଵରେ ଯେଉଁ ସରକାରୀ ଜାଗାଖଣ୍ଡିକରେ କୁଡ଼ିଆଟି ଥିଲା… ରାସ୍ତା ଚଉଡା ହେବାରୁ ତାହା ହିଁ ଗଲା । ଭୂମିହୀନ,ସ୍ୱାମୀହୀନ ପୁନି କୁନି ପିଲାଟିକୁ ନେଇ କେମିତି ଚଳିବ?
ଶେଷରେ ବ୍ରିଜ୍ ତଳ ମାଲଗୋଦାମର ତଳେ ଭାଡ଼ି ଉପରେ ଗୁଂଜିଲା ମୁଣ୍ଡ ,ଭାବିନେଲା ଏ ହେଉଛି ତା ଶ୍ରୀମନ୍ଦିର । ସ୍ୱାମୀର କଥାକୁ ମନେ ପକାଇ ଓ ପୁଅ ଶମ୍ଭୁ ମୁହଁକୁ ଚାହିଁ ଚାହିଁ ଦୁଃଖକୁ ନିଦାଘର ଥଣ୍ଡା ପାଣି ପରି ପିଇ ଗଲା । ଯନ୍ତ୍ରଣା ଲାଗୁଥିଲା ତାକୁ ସତେ ଯେମିତି ବସନ୍ତର ମଳୟ,କେବଳ ଶମ୍ବୁ ମୁହଁକୁ ଦେଖି ଓ ଭବିଷ୍ୟତକୁ ଚିନ୍ତା କରି । ବଡ ଘରର ପିଲାଙ୍କୁ ପଢେଇଲା ପରି ପଢେଇଲା । ହେଲେ ପାଠ ହେଲାନି ତା'ର । ଶେଷରେ ଭେଣ୍ଡିଆ ଶମ୍ଭୁ ଚିନ୍ତାକଲା ଚଳାଇବ ରିକ୍ସା । ମାଲିକର ରିକ୍ସା ଟାଣି ପାଉଣା ପୈଠ କରି କିଛି ପାଇଲା,ଘର ଭଲ ଚାଲିଲା । ଆଶା ରଖିଥିଲା ପ୍ରଥମେ ଜାଗା ଖଣ୍ଡେ କିଣି ମୁଣ୍ଡ ଗୁଞ୍ଜିବାକୁ ଘର କରିବ । ତାପରେ ଅଟୋ ଟେ କିଣିବ । ହେଲେ ତା'ର ସବୁ ଆଶା ଆଶାରେ ହିଁ ରହିଗଲା । ଶମ୍ଭୁର ଡାହାଣ ଗୋଡ଼ଟି ଅଚଳ ହୋଇଗଲା । ଡାକ୍ତରଙ୍କୁ ଦେଖାଇ ଦେଖାଇ ଯାହା ପଇସା ଦିଟା ଥିଲା ସରିଗଲା । ସାରାଦିନ ପାଇଁ ହୋଇଗଲା ଅକର୍ମଣ୍ୟ । ହେଲା ମା' ବେକରେ ବନ୍ଧା ।
ପ୍ରତି ପାଞ୍ଚ ବର୍ଷରେ ଥରେ ଦେଖା ଦିଅନ୍ତି ଆମ ଦେଶର ଭଗବାନ ମାନେ । ପୁନିକୁ ସମସ୍ତେ କହି ବୁଝେଇ ଦିଅନ୍ତି,ନାନୀ ଚିନ୍ତା କରିବୁନି,ଇନ୍ଦିରା ଆବାସ ଘର କରିଦେବୁ । ତୁ କୋଠାଘରେର ରହିବୁ । ଅନ୍ତର୍ଦ୍ଦ୍ୱୟ ଯୋଜନା,ଅନ୍ନପୂର୍ଣ୍ଣା ଯୋଜନା...ହେଙ୍ଗୁ ଗୁଡ଼ ଯୋଜନା ଯେତେ ଅଛି ସବୁ ଦେଇଦେବୁ... ମିଛ ଆଶ୍ୱାସନା ଦେଇ ପୁନିର ପାନକୁ ମାଗଣା ବି ଖାଇଦେଇଯାନ୍ତି । ହେଲେ ଜିତି ସାରିଲା ପରେ ପୁଣି ଅବଶ୍ୟ ବ୍ରିଜ ଉପରେ ତାଙ୍କ ଗାଡିର ଦ୍ରୁତ ଗତିର ଶବ୍ଦ ଓ ହର୍ଣ୍ଣ ବାରି ବହୁତ ଖୁସି ହୁଏ ।
ଅବଶ୍ୟ ପୁନି ବିଧବା ଭତ୍ତା ଓ ଶମ୍ଭୁ ଆକର୍ମଣ୍ୟ ଭତ୍ତା ପାଇ ପୁନି ପାନ ବ୍ୟବସାୟ ଟଙ୍କା ସାଙ୍ଗରେ ମିଶାଇ ଚଳିବାରେ ସାହାଯ୍ୟ କରୁଛି । କିନ୍ତୁ କାହିଁ ??? ସେ ବସୁନ୍ଧରା ଯୋଜନା-ଅନେଶ୍ୱତ ବାତ୍ୟାରେ ଭାଙ୍ଗି ଗଲା ନା ଦୁଇ ହଜାର ତେରରେ ଉଡ଼ିଗଲା ? ସେ ମହିଳାଙ୍କ ପାଇଁ ଉଜ୍ଜ୍ଳଳା ଯୋଜନା ଅଣ୍ଡାରୁ ଛୁଆ ଫୁଟେଇଲା କି ଗୁଳୁଗୁଳିଆ ହୋଇଗଲା?
ଆଖିର ଲୁହକୁ ପୋଛି ତିନୋଟି ଇଟାରେ ତିଆରି ତା ଚୁଲିର ଭାତ ଦିଟା ଫୁଟେଇ ଦେଲା ପୋଡା ଆଙ୍ଗାର ଜାଳି ଜାଳି ଦେଇ । ଟିକେ ବେଶର, ଗୋଟା ଭେଣ୍ଡି କେଇଟା,ନେଲିଆ ଦିଶୁଥିବା ଆଳୁ କେଇଖଣ୍ଡକୁ ଭଙ୍ଗା ଫଟା କଡେଇରେ ଦେଇ ଅଣ୍ଡାଖୋଳ,ବିଅର ପେଟି ଖୋଳ ଓ ଫଳ ପେଟି ପୁରାଇ ସିଝାଉଥିଲା ଖାଇବାକୁ ଆଦରର ତିଅଣ ।
ଏହି ସମୟରେ ନଟିଆ ଭାଇ ଆସି କହିଲା,ଆରେ ଶମ୍ଵୁ,ଲୋ ପୁନି ନାନୀ, ଫୋନି ମାଡି ଆସୁଛି,ଚାଲ ସ୍କୁଲ ଘରକୁ ଯିବା । ବାରମ୍ବାର ମନା କରିବା ସତ୍ତ୍ୱେ ବାଧ୍ୟରେ ସରକାରୀ ଗାଡ଼ିରେ ବସି ପୁନି ଓ ଶମ୍ଭୁ ଚାଲିଲେ ସ୍କୁଲ ଘର । ହେଲେ ସେମାନେ ଲାଗୁଥିଲେ ଭିନ୍ନ,କାରଣ ତାଙ୍କ ଘର ତ ତିନି ଶହ ପଞ୍ଚଷଠି ଦିନ ଫୋନି ରେ ଧକ୍କା ଖାଉଛି ।
ବସି ବସି ଦୁହେଁ କହୁଛନ୍ତି ବାଃ ବାଃ ରେ ସମାଜ… ବାଃ ବାଃ ରେ ଆଜିର ଦୁନିଆ । ଯେଉଁ ରାଜ୍ୟର ମୁଖ୍ୟ ଜଣେ ସାଧକ । ମଣିଷ ପରି ମଣିଷ,ଯେଉଁ ଦେଶର ମୁଖ୍ୟ ଜଣେ ଦେବ ତୁଲ୍ୟ, ବ୍ୟକ୍ତିତ୍ୱ,ଆଉ ଯେଉଁ ମାଟିର ଦେବତା ବିଶ୍ୱର ମଉଡ ମଣି,ମଙ୍ଗଳମୟ, ସେ ମାଟିର ମଣିଷ ଦୁଇଟାକୁ ଭୂମି ଖଣ୍ଡେ କି ବସ ବାସ ମିଳୁନି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଆମେ ମାଆ ପୁଅ ଦୁହେଁ ଏ ରାଜ୍ୟର ମୁଖ୍ୟ,ଦେଶର ମୁଖ୍ୟ ଓ ସୃଷ୍ଟିର ମୁଖ୍ୟଙ୍କୁ ଅନୁରୋଧ କରୁଛୁ ଆମର ଘର ଆବଶ୍ୟକ ନାହିଁ । ଆମର କିଛି ଦରକାର ନାହିଁ । ବରଂ ଏ ମାଟିର ଋଣ ଶୁଝିବାକୁ ଆମ ହାର୍ଟ,କିଡନି କି ଚକ୍ଷୁ ନେଇ ଆମ ଦେଶ ମାତୃକାର ସୁରକ୍ଷା ସମ୍ମାନ ପାଇଁ କାମରେ ନିୟୋଜିତ କଲେ ଆମ ଜୀବନ ଧନ୍ୟ ହେବ ।
ଏହା ଭିତରେ ଫୋନିର କରାଳ କ୍ରିୟା ଧ୍ୱସ୍ତ ବିଧ୍ୱସ୍ତ କରୁଥିଲା । କିନ୍ତୁ ପୁନି ଓ ଶମ୍ଭୁ ଠୋ ଠୋ ହସି ହସି କହୁଥାନ୍ତି ରେ ଫୋନି ... ଏ ମଲା ଜୀବନ ଦୁଇଟାକୁ ତୁ କଣ ଡରାଇବୁ ? ତୁ କଣ ଆମ ଜୀବନର ମହାବାତ୍ୟା ଠୁ ଭୟଙ୍କର... ?
