ତୁମ ବିନା
ତୁମ ବିନା
ତୁମେ ଶୂନ୍ୟ ଇଲାକା କାଳ କୋଠରୀରେ
କ୍ଷୀଣ ଆଲୁଅର ଧାରା
ଶୁଷ୍କ ମରୁରେ ପଥ ହୁଡିଥିବା ପଥିକ
ପ୍ରାଣର ବଞ୍ଚିବା ପାଇଁ ସାହାରା
ସଂସାର ସାଗରେ କେତେ ଯେ ଆଘାତ
ପୁଣି କଳି ତକରାଳ
ତୁମ ଉପସ୍ତିତେ ସମାଧାନ ହୁଏ
ମିଳିଯାଏ ଶୁଭ ଫଳ
ତୁମେ କାବ୍ୟ ନାୟକର ହୃଦୟ ମଧ୍ୟରେ
ସ୍ପନ୍ଦନ ସଞ୍ଚରି ଯାଅ
ତୃଷିତ ପ୍ରାଣର ଶୁଖିଲା ଓଠରେ
କୋମଳତା ଭରିଦିଅ
ଜୀବନ ଯମୁନା ଯୁଆର ଭିତରେ
ଉବୁଟୁବୁ ହେବାବେଳେ
ଭଲ ମନ୍ଦ ବାଛ ବିଚାର ନ କରି
ଆଶ୍ରା ଦିଅ ନିଜ କୋଳେ
ବଞ୍ଚିବା ମରିବା ସମାନ ତ ଏଠି
କିଏ ବୁଝେ କାହା କଥା
ତୁମେ ଥିଲେ କିନ୍ତୁ ସମାଜ ଇଙ୍ଗିତ
ଦେଇପାରେ ନାହିଁ ବ୍ୟଥା
ତୁମେ ଛନ ଛନ ବନ ହରିଣୀ ଟି ସମ
ମନକୁ ହରାଇ ନିଅ
ଯିଏ ତୁମ ସାଥେ ବସା ବାନ୍ଧିବାକୁ ଚାହେଁ
ଜୀବନ ବି ଦେଇଦିଅ
ଧନ୍ୟ ତୁମେ ତୁମେ ତୁମେ ହିଁ ତୁମେ
ତୁମ ଉପମାର କିଛି ନାହିଁ ତୁଳନା
ତୁମ ବିନା କିଛି ଲାଗେନାହିଁ ଭଲ
ନ ରଖିବ ମନେ କେବେ ଛଳନା ।

