ଶ୍ରୀଗଣେଶ
ଶ୍ରୀଗଣେଶ
ଗଣପତି ଗଣପ୍ରିୟ ଗଣ ବନ୍ଦନ
ଗଣନାଥ ଗଣପୂଜ୍ଯ ଗୈାରୀ ନନ୍ଦନ
ଗଣେଶ୍ୱର ଗଣ ଈଶ ଗଣ ଦେବତା
ଗଣାଧୀପ ଗଣାଧୀଶ ଜ୍ଞାନର ଧାତା
ଗଣାଧକ୍ଷ ଗଣହିତ
ଗିରି ରାଜା ସୂତା ସୂତ
ଗୈାର ବର୍ଣ୍ଣ ଶୁଭ୍ର କାନ୍ତି
ଜ୍ଞାନ ଦୀପ ଜ୍ଞାନ ଜ୍ୟୋତି
ଗଜାନନ ଗଜ ତୁଣ୍ଡ ଗଜ ବଦନ
ଗଗନ ପବନେ ତୁମ ଗୁଣ କିର୍ତ୍ତନ...
ବୁଦ୍ଧିନାଥ ବୁଦ୍ଧି ପ୍ରିୟ ଭୂବନ ପତି
ମୁକ୍ତି ଦାତା ରୁଦ୍ର ପ୍ରିୟ ମଙ୍ଗଳ ମୂର୍ତ୍ତି
କପିଳ କୃପାଳୁ କ୍ଷିପ୍ର କବି କବିଶ
ମୂଷିକ ବାହନ ହସ୍ତେ ପାଶ ଅଙ୍କୁଶ
ବିଦ୍ୟାଦାତା ବିଘ୍ନେଶ୍ୱର
ବରପ୍ରଦ ବିଘ୍ନହର
ମନୋରମ ଧୁମ୍ର ବର୍ଣ୍ଣ
ଲମ୍ବୋଦର ଲମ୍ବ କର୍ଣ୍ଣ
ଆଦ୍ୟ ପୂଜ୍ୟ ଶିଦ୍ଧି ଦାତା ପ୍ରଣତି ଘେନ
ଗଣପତି ଗଣପ୍ରିୟ ଗଣ ବନ୍ଦନ ...
ଗଣେଶ ପୁରାଣେ ତୁମ ଗାଥା ବର୍ଣ୍ଣନା
ତୁମରି ମହିମା ତୁମ ଲିଳା ରଚନା
ଅବତାରେ ଅବତରୀ ଦୁଷ୍ଟ ଦଳନ
ଧରାଧାମେ ସତ୍ଯ ଶାନ୍ତି ଧର୍ମ ସ୍ଥାପନ
ତୁମେ କ୍ଷମା ତୁମେ ଦୟା
ଯୁଗେ ଯୁଗେ ହୁଅ ସାହା
ବିଶ୍ଵ ରାଜ ବିଘ୍ନରାଜ
ଚମକଇ ତୁମ ତେଜ
ସୂର୍ଯ୍ୟ କୋଟି ସମ ପ୍ରଭା ବିଘ୍ନ ନାସନ
ଗଜାନନ ଗଜ ତୁଣ୍ଡ ଗଜ ବଦନ...
ମହୋତ୍କତ ବିନାୟକ ରୂପରେ ତୁମେ
ସତ୍ୟ ଯୁଗେ ଅବତାର ଏ ଧରା ଧାମେ
ଦଶଭୂଜେ ଦିବ୍ୟ ଅସ୍ତ୍ର କରି ଧାରଣ
ସିଂହ ପରେ ହୋଇ ପ୍ରଭୁ ବିରାଜମାନ
ଦେବାନ୍ତକ ନରାନ୍ତକ
ଦାନବ କୂଳ କଳଙ୍କ
ଭାରି ଗର୍ବ ଅହଙ୍କାର
କରୁଥିଲେ ଆତ୍ୟାଚାର
ସେ ଦୁହିଁଙ୍କୁ କଳେବଳେ କଲ ନିଧନ
ଗଗନ ପବନେ ହେଲା ଗୁଣ କିର୍ତ୍ତନ
ତ୍ରେତୟାରେ ପ୍ରଭୁ ତୁମେ ମୟୂରେଶ୍ବର
ଷଡଭୂଜ ରୂପ ତୁମ ଭାରି ସୁନ୍ଦର
ତୁମର ସେ ଦିବ୍ୟ କାନ୍ତି ରୂପ ମୋହିତ
ବରିଲେ ଯେ ରିଦ୍ଧି ସିଦ୍ଧି ପତି ରୂପେତ
ପ୍ରତାପୀ ସିନ୍ଧୁ ଅସୁର
ପାଇଥିଲା ବ୍ରହ୍ମା ବର
ନଥିଲା କାହାକୁ ଡର
ଥରୁଥିଲା ତିନିପୁର
ସେ ଦୈତ୍ୟ କୁ ବଧ କରିଥିଲେ ଆପଣ
ଗଗନ ପବନେ ହେଲା ଗୁଣ କିର୍ତ୍ତନ
ଦ୍ବାପର ଯୁଗରେ ତୁମେ ଶ୍ରୀ ଗଜାନନ
ଚତୃଭୂଜ ରୂପ ତୁମ କି ଶୋଭାବନ
ଲଲାଟେ ତିଳକ ଶୋଭା ଝଟକେ ଜ୍ୟୋତି
କର୍ଣ୍ଣ ରେ କୁଣ୍ଡଳ କଣ୍ଠେ ମୁକୁତା ମୋତି
ସିନ୍ଦୂର ନାମେ ଅସୁର
କରୁଥିଲା ଅତ୍ୟାଚାର
କରି ଶୂଳ ପ୍ରହାରଣ
ଅସୁର ର ନେଲ ପ୍ରାଣ
ମୂଷିକ ବାହନେ କଲ ବିଶ୍ବ ଭ୍ରମଣ
ଗଣପତି ଗଣପ୍ରିୟ ଗଣ ବନ୍ଦନ
କଳି ଯୁଗେ ଧୂମ୍ରକେତୁ ପ୍ରଭୁ ତୁମେ ଟି
ଦୁଇ ଭୂଜ ତୁମ ରୂପ ଧୂମ୍ର ବର୍ଣ୍ଣଟି
ନାଶିବାକୁ ଧରଣୀରୁ କଳି କଳୁଷ
ତୁମର ଏ ଅବତାର ହେ ଗଣ ଈଶ
କର୍ମହାନୀ ଧର୍ମ ନଷ୍ଟ
ଚଉବର୍ଣ୍ଣ ଭୀତତ୍ରସ୍ତ
ଧର୍ମ ଅଧର୍ମର ଭେଦ
ନବୁଝିଲେ ପରମାଦ
ଭକ୍ତ ଜନ କାନେ କାନେ ତୁମେ ବଖାଣ
ଗଜାନନ ଗଜ ତୁଣ୍ଡ ଗଜ ବଦନ
ମୁଦ୍ଗଲ ପୁରାଣେ ପୁଣି ଅଛି ବର୍ଣ୍ଣିତ
ଅଷ୍ଟ ଅବତାରେ ଉଭା ଶ୍ରୀ ଗଣନାଥ
ଏକଦନ୍ତ ରୂପେ ପ୍ରଭୁ ମଦ୍ଯ ବଇରୀ
ମହୋଦର ଭାବେ ପ୍ରଭୁ 'ମୋହ' ର ଅରୀ
ଲୋଭକୁ ତ ଗଜାନନ
କରିଥାନ୍ତି ସେ ଦମନ
ଲମ୍ବୋଦର ମୂର୍ତ୍ତି ବନ୍ତ
କ୍ରୋଧୁ କରିଥାନ୍ତି କ୍ଷାନ୍ତ
ବିଘ୍ନରାଜ ପ୍ରଭୁ ତୁମେ ବିଘ୍ନ ନାସନ
ଗଣପତି ଗଣପ୍ରିୟ ଗଣ ବନ୍ଦନ
ଧୂମ୍ରକେତୁ ରୂପେ ପ୍ରଭୁ ଗଜ ଆନନ
ଗର୍ବ ଅହଙ୍କାର ସବୁ କରନ୍ତି ଚୂର୍ଣ୍ଣ
ଆଉ ଏକ ଅବତାର ତୁମ ବିକଟ
ଚଞ୍ଚଳ ପ୍ରବୃତ୍ତି କୁ ଯେ କର ଆକଟ
ମନକୁ ତ ରଖ ସ୍ଥିର
ହୁଏନି ସେ କାମାତୁର
ବକ୍ର ତୁଣ୍ଡ ଅବତାରେ
ବିରାଜିତ ସିଂହ ପରେ
ଇର୍ଷା ଅସୁର କୁ କରିଥାଅ ଦମନ
ଗଗନ ପବନେ ତୁମ ଗୁଣ କିର୍ତ୍ତନ
ଅଷ୍ଟ ବିନାୟକ ଅଷ୍ଟ ଅବତାର ରେ
ମଣିଷ ମନକୁ ରଖ ନିୟନ୍ତ୍ରଣ ରେ
କାମ କ୍ରୋଧ ଅହଙ୍କାର ଗରବ ଇର୍ଷା
ମଣିଷ କୁ ଦେଇଥାଏ ସଦା ଦୁର୍ଦ୍ଦଶା
ମଦ ମାଂସ ଲୋଭ ହିଂସା
ଅବେଳରେ ଉଡେ ହଂସା
ତେଜିବାକୁ ମନ୍ଦ ନିଶା
ତୁମେତ ଦେଖାଅ ଦିଶା
ତୁମରି ଆଶିଷେ ହସେ ଆମ ଜୀବନ
ଗଣପତି ଗଣପ୍ରିୟ ଗଣ ବନ୍ଦନ
ଭୋଦେଇ ଆକାଶେ ବୋଳେ ବଉଦ ରଙ୍ଗ
ନଦୀ ନାଳେ କାଚ କେନ୍ଦୁ ଜଳ ତରଙ୍ଗ
ସବୁଜ ସୁନ୍ଦର ଶୋଭା ହସେ ପ୍ରକୃତି
ସବୁରି ଓଠରେ ତୁମ ମଙ୍ଗଳ ଗୀତି
ଜୟ ଜୟ ଗଣନାଥ
ଘେନ ପ୍ରଭୁ ପ୍ରଣିପାତ
ଭାଦ୍ରବ ଶୁକ୍ଳ ଚତୁର୍ଥୀ
ତୁମରି ଜନମ ତିଥି
ଜଗତ ପାଇଁକି ସେତ ଦିନ ମହାନ
ଗଗନ ପବନେ ତୁମ ଗୁଣ କିର୍ତ୍ତନ
ମାଟି ପାଣି ପାଇ ପ୍ରଭୁ ତୁମ ପରଷ
ପାର୍ବଣ ମୁଖର ଧରା ମନ ହରଷ
ଶିକ୍ଷା ଆଉ ସାଂସ୍କୃତିକ ପୀଠେ ଚହଳ
ତୁମ ପୂଜା ଅରଚନା ଭାବ ବହଳ
ଆବାଳବୃଦ୍ଧ ବନିତା
କରନ୍ତି ତୁମରି ପୂଜା
ପାଦେ ଦେଇ ପୁଷ୍ପାଞ୍ଜଳି
କରନ୍ତି ସଭିଏଁ ଅଳି
ଆଶିଷ ଦିଅ ହେ ଢାଳି ଭକ୍ତ ଜୀବନ
ଗଗନ ପବନେ ତୁମ ଗୁଣ କିର୍ତ୍ତନ...
ତୁମେ ଦୟାକଲେ ଦୂର ହୁଅଇ ଦୁଃଖ
ଅମାରାତି ପାହିଯାଏ ମିଳଇ ସୁଖ
ବିଦ୍ୟାଦାତା ବୁଦ୍ଧି ଦାତା ହେ ଦୟାବନ୍ତ
ତୁମେ ଦୟାକଲେ ମୂର୍ଖ ହୁଏ ପଣ୍ଡିତ
ତୁମେ ଦେଇ ବିଦ୍ୟା ଦାନ
ବିଦ୍ୟାର୍ଥୀ ଙ୍କୁ କର ଧନ୍ୟ
ବିଦ୍ୟା କରି ଅରଜନ
ପ୍ରାଣ ହୁଏ ପରିପୂର୍ଣ
ଦୟାକର ଦୟାମୟ ପ୍ରଣତି ଘେନ
ଗଗନ ପବନେ ତୁମ ଗୁଣ କିର୍ତ୍ତନ ।