ନାରୀ
ନାରୀ
ନାରୀ ସୃଷ୍ଟିକାରୀ ସେ ମଙ୍ଗଳମୟୀ କମନୀୟ ଚାରୁ ଧାରା
ନାରୀ ମାତୃ ଶକ୍ତି ଜୀବନଦାୟିନୀ ଶକ୍ତି ସ୍ୱରୂପା ସୁ-ଶୀଳା
ଧରଣୀ ସରଣୀ ପରେ ନାରାୟଣୀ ନାରୀ ଆକାଶର ତାରା
ପବିତ୍ର ଦୁର୍ଲ୍ଲଭ ନମନୀୟ କାନ୍ତି ରୂପ ତାର ଅପାସୋରା ।।
ନାରୀ ସୃଜିପାରେ ଅଳକା ଭୂବନ ସ୍ନେହ, ପ୍ରେମ ପ୍ରୀତି ଧାରା
ଚଳଚଞ୍ଚଳ ସେ ଜାହ୍ନବୀ ସମାନ ଲହରେ ଜୀବନ ସାରା
ବିଧାତାର ଏକ ଅନନ୍ୟ ସମ୍ପଦ ନାରୀସମାଜକୁ ପରା
ଅସମ୍ପୂର୍ଣ୍ଣ ନର ନାରୀର ବିହୁନେ ଜୀବନ ହୁଏ ଅଧୁରା ।।
କ୍ଷମାଶୀଳା ଦୟାବତୀ ପ୍ରେମମୟୀ ନାରୀ ଜନନୀ ଭଗିନୀ
ନାରୀ ପୁରୁଷର ପଥ ପ୍ରଦର୍ଶକ ସେହି ହିଁ ସହଧର୍ମିଣୀ
ପୁରୁଷ ର ପିତୃ ପରିଚୟ ପାଇଁ ଅସହ୍ୟ ଯନ୍ତ୍ରଣା ସହେ
ଅନେକ ଦୁଃଖରେ ଥାଇ ବି ତା ମୁଖେ ହସ ଫୁଲ ଫୁଟୁଥାଏ ।।
ନାରୀ ଆଖି ଲୁହ ବୈଶ୍ଵାନର ସମ ସଂସାର ଯାଏ ଉଜୁଡି
ନାରୀ ଅସମ୍ମାନେ ଲକ୍ଷ୍ମୀ ସାଆନ୍ତାଣୀ ଗୃହରୁ ଯାଆନ୍ତି ଛାଡି
ନାରୀ ହରି ନେଇ ରାବଣ ତ୍ରେତାରେ ବଂଶ ନିପାତ ହୋଇଲା
ନାରୀ ଅପମାନେ ଦ୍ଵାପରେ ଯୁଗରେ କୁରୁ ବଂଶ ନାଶ ଗଲା ।।
କଳିଯୁଗେ ଲକ୍ଷ୍ମୀ ପୁରାଣ କଥନ ବଳଭଦ୍ର ଜଗନ୍ନାଥ
ନାରୀ ଲାଞ୍ଛନାରେ ବାରବର୍ଷ କାଳ ବୁଲିଲେ ହୋଇ ଅନାଥ
ଯମ ଭୂବନରୁ ସ୍ଵାମୀର ଜୀବନ ନାରୀ ଆଣିପାରେ ଧରି
ନାରୀ ନାରାୟଣୀ ଜନମ ଦାୟିନୀ ସେହି ହିଁ ସଂହାରକାରି ।।
ନାରୀର ସୁରକ୍ଷା ନାରୀର ସମ୍ମାନେ ଝରେ ପୀୟୂଷ ଝର
ସେ ପୀୟୂଷ ଧାରା ପ୍ରବାହେ ଧରଣୀ ପାଲଟଇ ସ୍ଵର୍ଗପୁର ।।