ମୋ ଭାଷା ମୋ ସ୍ପନ୍ଦନ
ମୋ ଭାଷା ମୋ ସ୍ପନ୍ଦନ
ଯେଉଁ ମାଆ କୋଳେ ଜନମି ବଢ଼ିଲି
ତା'ର ମାଟି ପାଣି ପବନେ
ସେହି ମାଆ ମୋତେ ତା' ଭାଷାରେ ଗଢ଼ି
ଅମୃତ ଭରିଲା ଜୀବନେ
ତା' ପରିଚୟେ
ବୋଳି ହୋଇ ଭାଷା ଚନ୍ଦନ
ଲାଗୁଅଛି ଆଜି ସତେ କି ଯେମିତି
ମୋ ଭାଷା ମୋ ହୃଦ ସ୍ପନ୍ଦନ ।
ରକ୍ତ ମାଂସ ମଜ୍ଜା ସହିତ ସେ ମିଶି
ଅନ୍ତରରୁ ପ୍ରତିଧ୍ୱନିତ
ଜୀଇଁ ଥିବାଯାଏ ମୋହୁଥିବ ମୋତେ
ଭାବରେ ମନ ପୁଲକିତ
ତା'ର ମହତ
ରଖିବାକୁ ଥିବି ଚେଷ୍ଟିତ
ମାତୃଭୂମି ସମ ମୋର ଭାଷା ମାଆ
ମୋ ପାଇଁ ଯେମିତି ଗର୍ବିତ ।
ଯେତେ ବାଧାବିଘ୍ନ ଆସିଲେ ବି ପଥେ
ସହଜରେ ଯିବ ଦୂରେଇ
ଯେହେତୁ ତା' ସଙ୍ଗେ ମମତା ଡୋରିରେ
ରହିଛି ସଦା ବାନ୍ଧିହୋଇ
ସାରା ଜୀବନ
ଥିବି ମଧ୍ୟ ଅନୁବନ୍ଧିତ
ଏତିକି ବିନତି ବିଭୁ ଚରଣରେ
ଜଣାଇ କୋଟି ପ୍ରଣିପାତ ।