ଆକାଶ କଇଁଆ
ଆକାଶ କଇଁଆ
ମନ ରାଇଜରେ ସପନ ସଉଧ
ତୋଳୁଥିଲେ କିବା ହେବ ରେ ଭାଇ
ବାସ୍ତବ କୁ ବୁଝି ସପନ ଦେଖିଲେ
ସପନ ସାର୍ଥକ ହେବାର ଥାଇ ।
ଆକାଶ କଇଁଆ ଚିଲିକାର ମାଛ
ଆମ ଓଡ଼ିଆଙ୍କ ଜୀବନ ରୁଢ଼ି
ଏ ଆମକୁ ଦିଏ ତତ୍ତ୍ଵ ସାର ଟିଏ
ମାନିଲେ ଦୁଃଖ ରେ ନଯିବା ସଢ଼ି |
ଆକାଶ କଇଁଆ ଚିଲିକା ର ମାଛ
ଅବାସ୍ତବ ଏଇ ମନ ଚିନ୍ତନ
କେବେ କି ସଫଳ ହୋଇବ ଏକଥା
ଦୁଃଖ ରେ କେବଳ ଭାଙ୍ଗିବ ମନ ।
ଏ ମାଟି ବୁକୁର କୋଳେ ଠିଆ ହୋଇ
ବାସ୍ତବତା ପରେ ନିଘା ଯେ ଦେଇ
କର୍ମ ପ୍ରେରଣାରେ ନିରଳସ ପଣେ
ସପନ ସାର୍ଥକ ହୋଇ ଯେ ଥାଇ ।
ମନ ରାଇଜର ସପନ ସଉଧ
ମାଟି ବିନା ଯଦି ଶୂନ୍ୟରେ ଭାସେ
ଖସିପଡ଼ି ନିଶ୍ଚେ କ୍ଷତାକ୍ତ ହୁଅଇ
ସପନ ବିଫଳ ସେ ଅଙ୍କ କଷେ
ଯାହା ଅସମ୍ଭବ
ସେ ସ୍ବପ୍ନ ଦେଖିଲେ
କେମିତି ସେ ଅବା ପୁରଣ ହେବ
ଆକାଶ କଇଁଆ ଚ଼ିଲିକାର ମାଛ
ଭାବ ଭାବନାରେ ରହି ଯେ ଯିବ ।
ଶୋଷ କି ମେଣ୍ଟଇ ମୃଗତୃଷ୍ଣା ଦେଖି
ମୋହ ରେ ମଣିଷ ଧାଉଁ ଯେ ଥାଏ
ସମୟ ହଜଇ ତୃଷ୍ଣା ନ କଟଇ
ଅସମ୍ଭବ କେବେ ସମ୍ଭବ ହୁଏ !
ସପନ ଦେଖିବା ଜମା ଭୁଲ୍ ନୁହେଁ
ସପନ ନଥିଲେ ଜୀବନ ସ୍ଥାଣୁ
ବାସ୍ତବତା ପଟ୍ଟଭୂମି ରେ ସପନ
ବିଞ୍ଚି ଦେଇ ଯାଏ ଆନନ୍ଦ ରେଣୁ '
ମୋହ ଗ୍ରସ୍ତ ହୋଇ ବାସ୍ତବତା ଭୂଲି
ମାଟିକୁ ଭୂଲି ଯେ ଆକାଶେ ଉଡ଼େ
ସମୟ ତାହାକୁ କଚାଡ଼ି ଫୋପାଡ଼େ
ମାଟି କାମୁଡ଼ି ସେ ଭୂମି ରେ ପଡ଼େ ।
ସପନ ଓ ଆଶା ବାସ୍ତବ ଛନ୍ଦରେ
କର୍ମର ମର୍ମରେ ନାଚୁ ଯେ ଥାଉ
ଆକାଶ କଇଁଆ ନ ହେଉ ସପନ
ମନରେ ବେଦନା ଖେଳି ନଯାଉ ।