Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHANDRAKANTA PAHI

Tragedy

3  

CHANDRAKANTA PAHI

Tragedy

ଅସହାୟକୁ ଦଇବ ସାହା

ଅସହାୟକୁ ଦଇବ ସାହା

6 mins
14.7K


ସାତ ଦିନ ହେଲା ଆମ ଦୁଇ ଭଉଣୀଙ୍କ ଜନ୍ମ । କିନ୍ତୁ ଦେଖନ୍ତୁ ନା ଆମେ ଜନ୍ମ ହେଇ କି ପାପ କରିଛୁ ଯେ , ଆମ ମା ଛଡ଼ା ଆମକୁ ଆଉ କେହି ଭଲ ପାଉନାହାନ୍ତି । ମାଲିକାଣୀ ଦେଖିଲା ମାତ୍ରେ ଗୋଇଠା ମାରୁଛି । ମାଲିକେ ଦୁଇ ଥର ମୋତେ ଟେକି ଫୋପାଡ଼ି ଦେଲେଣି । ତଳେ ପଡ଼ି ଚିତ୍କାର କଲେ ମା ଦଉଡି ଆସେ । ଆଉ ଆମକୁ ସେଠାରୁ ନେଇ ପଳେଇ ଆସେ । ମା ବୋଧେ ସେ ମାଲିକଙ୍କୁ ଡରେ। କେବଳ ମାଲିକାଣୀ ଆଉ ତାଙ୍କ ଝିଅ ଦିନକୁ ଦୁଇବେଳା ଖାଇବାକୁ ଦିଅନ୍ତି ବୋଲି ଏଠି ମୋ ମା ପଡ଼ିକି ରହିଛି ବୋଲି କାଲି ରାତି କହୁଥିଲା ।

ଆଉ ହଁ , ଏ କଥା ବି କହୁଥିଲା ଆମେ ଆଉ ଟିକେ ବଡ଼ ହେଇଗଲେ ସିଏ କାଳେ ଆମକୁ ନେଇ ଆଉ କେଉଁଠାକୁ ପଳେଇବ । ଏ ଘରେ ଆମକୁ କେହି ଭଲ ପାଉନାହାନ୍ତି । ହଁ ପାଆନ୍ତେ ବା କେମିତି ଆବଶ୍ୟକ ଠୁ ଅଧିକ ହେଲେ ଯାହା ପରିସ୍ଥିତି ହୁଏ । ଆମ ଜାତିରେ ଏତେ ସଚେତନ ବା କେଉଁଠୁ ଆସିବ । ତେବେ ହଁ ମା ଏଠି କେବଳ ଏଇଥିପାଇଁ ରହିଛି କି ଯଦି ସେ ବାହାରକୁ ପଳେଇଯାଏ , ଆମେ କ୍ଷୀର ଅଭାବରେ ମରିଯିବୁ । ଏବେ ତ ଆମେ ପିଲା ଗୁଡ଼ା । ଟିକେ ଏପଟ ସେପଟ ହେଲେ ଆମ ମୃତ୍ୟୁ ସୁନିଶ୍ଚିତ । ଏ ଶିଆଳ, କୁକୁର ଗୁଡ଼ା ନିଜ ଲୋଲୁପ ଦୃଷ୍ଟିରେ ଚାହିଁ ରହିଥିବେ ଆମକୁ ଝିଣିନେବା ପାଇଁ ।

କାଲି ରାତି ପାହିଲେ କାଳେ ସ୍ୱାଧୀନତା ଦିବସ । ଭାବୁଥିବେ ମୁଁ କେମିତି ଜାଣିଲି ଏ ସ୍ୱାଧୀନତା ଦିବସ , ହଁ କେମିତି ବା ଜାଣିବିନି ? ମାଲିକଙ୍କ ପୁଅ ଜିଦ୍ଦି କରିଛି ତାଙ୍କ ସ୍କୁଲରେ କାଲି ପ୍ରଭାତଫେରି ଆଉ ପତାକା ଉତ୍ତୋଳନ ହେବ ସେଥିପାଇଁ ପତାକାଟିଏ ଦରକାର । ମାଲିକଙ୍କ ଫୋନ୍ କୁ କିଏ ଜଣେ ଫୋନ୍ କରିଥିଲେ ଯେ କହୁଥିଲେ କାଲି ସକାଳୁ ସକାଳୁ ଅଫିସ୍ ରେ ପହଂଚିବା ପାଇଁ । ସବୁ ରାତିରେ ବସି କଥା ହେଉଥିଲେ କାଲି କଣ କରିବେ । ପାଖ ସୋଫା ତଳେ ମା ବସିଥିଲା ଆଉ ତା କୋଳରେ ଆମେ ଦୁଇ ଭଉଣୀ ଖେଳୁଥିଲୁ । ହଠାତ୍ ମାଲିକଙ୍କ ଦୃଷ୍ଟି ବୋଧହୁଏ ଆମ ଉପରେ ପଡିଗଲା । ଆଉ ରାଗିଯାଇ ଅନେକ ଗାଳିଗୁଲଜ୍ କଲେ ।

ମା କୁ ଗାଳି କରି କହୁଥିଲେ " ଆଜିକାଲି ଏମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଚାଲିଛି । ଦେଖୁନୁ ଏଥର ଦୁଇଟା ଛୁଆ ଜନମ କରି ପକେଇଛି । ପ୍ରଥମେ ତ ଇଏ ଯେତିକି ହଇରାଣ କରୁଥିଲା ପୁଣି ଆଉ ଦୁଇଟା ଏମାନଙ୍କ ବ୍ୟବସ୍ଥା ନ କଲେ ହେବନି ।"

ମା ଡରିଗଲା ସେ ବୋଧେ ସବୁକିଛି ଜାଣିପାରିଥିଲା । ଆଉ ସେଠାରୁ ଆମକୁ ନେଇ ପଳେଇ ଆସିଲା ଅନ୍ୟ ଏକ ଘରକୁ । କଣ କେଜାଣି ସେମାନେ କଥା ହେଲେ , କିଛି ସମୟ ପରେ ମାଲିକ ଗୋଟେ ବସ୍ତା ଧରି ଆସି ପହଁଚିଲେ ଆମ ପାଖରେ । ସତରେ ମା ମନ ସବୁ ଜାଣିପାରେ , ଆମକୁ ପୂର୍ବରୁ ଆକଟ କରୁଥିଲା । ଚୁପଚାପ ରହିବାକୁ ଆମେ ବୁଝିଲୁନି ଦୁଷ୍ଟ ହେଲୁ । ଏବେ ଆମର କଣ ହେବ !

ମାଲିକ ଜଣ ଜଣ କରି ଆମ ଦୁହିଁଙ୍କୁ ସେଇ ବସ୍ତାରେ ପୁରେଇ ନେଇ ଆସିଲେ । ଆମେ ଚିତ୍କାର କରି କାନ୍ଦୁଥାଉ । ଯିଏ ଆମକୁ ଗୋଇଠା ମାରେ ଫୋପାଡ଼ି ଦିଏ ସିଏ ଆମକୁ ବସ୍ତାରେ ବାନ୍ଧି କୁଆଡେ ନେଇ ଯାଉଛି ! ନିଶ୍ଚୟ କିଛି ମନ୍ଦ ଉଦ୍ଦେଶ୍ୟ ଥିବ ! ମା ମୋର କାନ୍ଦୁଥାଏ, ଛାଡୁନଥାଏ । ଆମେ ଦୁହେଁ ଯେତେ ରାହା ଧରି କାନ୍ଦିଲେ ବି କାହାରି କାନରେ ପଡୁନଥାଏ । ମା ଆଖିରେ ଲୁହ ଦେଖି ମୋ ଛାତିରେ କୋହ ଭରିଗଲା । ଏବେ ଆମେ ବୁଝିପାରୁଥାଉ କାହିଁକି ମା କଥା ଶୁଣିଲୁନି , ଯଦି ଶୁଣିଥାନ୍ତୁ ଆଜିର ଏ ରାତି ଆସିନଥାନ୍ତା ।

ଗାଡ଼ି ଧରି ବାହାରି ଆସିଲେ ମାଲିକ । ବସ୍ତା ଭିତରେ ଭରିଦେଇଥିବାରୁ କିଛି ଜାଣିପାରୁନଥିଲୁ । ଏପଟେ ପ୍ରଥମଥର ମା କୁ ଛାଡି ଆସିବାର କଷ୍ଟରେ ନିଜକୁ ସମ୍ଭାଳି ପାରୁନଥିଲୁ । ଆପଣ ମଧ୍ୟ ବୁଝିପାରୁଥିବେ ଯଦି ପିଲାବେଳେ ମା କୁ କିଛି ସମୟ ନ ଦେଖିପାରିଥିବେ । କେତେ ଲୁହ ଝରିଥିବ ! କେତେ ରାହା ହାରିଥିବ । ସେପଟେ ମୋ ମା ଟା କେତେ କାନ୍ଦୁଥିବ । ତାର ଯେ କଣ ହେବ!

କିଛି କ୍ଷଣ ପରେ ମାଲିକଙ୍କ ଗାଡ଼ି ରହିଲା ।ଗାଡ଼ି ରଖି ବସ୍ତା ସହ ଆମକୁ ଫୋପାଡ଼ିଦେଲେ ରାସ୍ତା କଡ଼କୁ । କିଛି କ୍ଷଣ ଆମେ ଅଣନିଶ୍ବାସୀ ହୋଇ ପଡିଥିଲୁ । ବସ୍ତା ମୁହଁ ଖୋଲା ଥିବାରୁ ବାହାରିବାକୁ ବେସି କଷ୍ଟ ହେଇନଥିଲା । ବାହାରି ଆସି ଦେଖେତ ! ସମ୍ପୂର୍ଣ୍ଣ ଅନ୍ଧକାର ରାତି । କିଟିକିଟି ଅନ୍ଧକାରରେ ମୁହଁକୁ ମୁହଁ ଦିଶୁନଥିଲା । ସାନ ଭଉଣୀକୁ ପଚାରିଲି : ଏ କଣ ଝିଅ ଆମକୁ କେଉଁଠି ଛାଡ଼ିଦେଇଗଲେ । ଏବେ ଆମେ କଣ କରିବା ମା ତ ସେଠି ରହିଗଲା ଆମକୁ କିଏ ସାହା ହେବ ? ଚାରିଦିଗ ଅନ୍ଧକାର । ବେଳେବେଳେ ଖେଳୁଥିବା ବେଳେ ବାହାରକୁ ପଳେଇଲେ ମା ତାଗିଦ୍ କରୁଥିଲା କହୁଥିଲା ବାହାରେ କୁକୁର ଶିଆଳ ଅଛନ୍ତି ମାରିଦେବେ । ଆଉ ସତକୁ ସତ ଏମିତି ଦିନେ ପରିସ୍ଥିତି ହେବ ମୁଁ କେବେ ଭାବିନଥିଲି।

ଏତକ ଶୁଣି ସାନ ବି କହିଲା: ହଁ ଅପା ! ଏବେ କଣ ହେବ ! ଏତିକି କହି ସେ ମଧ୍ୟ ମିଂ... ମିଂ... ହୋଇ କାନ୍ଦିବାକୁ ଲାଗିଲା । ତାକୁ ବୁଝେଇବି କଣ ତାକୁ ଦେଖି ମୋର ମା କଥା ଅଧିକ ମାନେ ପଡ଼ିଲା । ଦୁହେଁ କାନ୍ଦୁ କାନ୍ଦୁ ହଠାତ୍ ଏକ ଶବ୍ଦ ଶୁଭିଲା । ଏ ବୋଧହୁଏ ଗାଡ଼ି ହର୍ଣ୍ଣ ! ମାଲିକ ଗାଡ଼ିରେ ବି ଅଛି ମୁଁ ଆଗରୁ ଶୁଣିଛି । ସେ ଫେରିଆସିଲା କି ଆମ ମା ଆମକୁ ଝୁରି ଝୁରି ଆମକୁ ନେବାକୁ ଆସିଛି ବୋଧେ । କିନ୍ତୁ ଏ କଣ ପଳେଇଲା ଆମକୁ ଛାଡ଼ି । ଏମିତି ଅନେକ ଗାଡ଼ି ଯାଉଥାନ୍ତି ଆସୁଥାନ୍ତି ଦୁଇଦିଗରୁ ଆମେ ଇତି ମଧ୍ୟରେ ରାସ୍ତା ଉପରକୁ ପଳେଇଆସିଥାଉ , ଆମକୁ ଦେଖି ସେମାନେ ଅଟକି ଯାଇ ପୁଣି ପଳାଉଥାନ୍ତି ।

କିନ୍ତୁ ହଠାତ୍ ଗୋଟେ ଗାଡ଼ି ଆମକୁ ଦେଖି ଅଟକିଲା । ୩ ଜଣ ଓହ୍ଲେଇଲେ ଗାଡ଼ିରୁ । ଆହା ! ଚୁ ଚୁ! କହି ଆମକୁ ଧରିଲେ ଆଉ ଫଟୋ ଉଠେଇବାକୁ ଲାଗିଲେ । ଏପଟେ ଆମ ଅବସ୍ଥା କଣ ସିଏ ଆମର ଫଟୋ ଉଠାଉଛନ୍ତି । ହଁ !ସେ ବା କେମିତି ହୁଅନ୍ତା । ତାଙ୍କୁ କଣ ଜଣା ଯେ ଆମକୁ ଏଠି କିଏ ଛାଡ଼ି ଦେଇ ଯାଇଛି । କିଛି କ୍ଷଣ ଏମିତି ଫଟୋ ଉଠେଇବା ଆମକୁ କୋଳରେ ନେବା ପରେ , ତାଙ୍କ ଭିତରୁ ଜଣେ କହିଲା :- ଏ କୁନି ଛୁଆ ଦୁଇଟା ! ଏମାନଙ୍କ ମା କାଇଁ ? ଇଚ୍ଛା ହେଉଥିଲା ମୁହଁ ଖୋଲି ସବୁ କହିଦେବାକୁ । ଆରେ ହେ ! ନିଷ୍ଠୁର ମଣିଷ ଜାତି । ତତେ କଣ ଜଣା ! ତୁ ବା କେମିତି ଜାଣିବୁ ! ଆମେ କେତେ କଷ୍ଟରେ ଅଛୁ । ଆଜକୁ ୭ଦିନ ହେଲା ଆମର ଜନ୍ମ ଆଉ ଆମକୁ ମା ଛଡ଼ା କରି ଛାଡ଼ି ପଳେଇଛି ତୋର ଜାତି ଭାଇ । ସତରେ ତୁମେମାନେ କେତେ ନିଷ୍ଠୁର । ତୁମେ କାଳେ ପୃଥିବୀର ସବୁଠାରୁ ବୁଦ୍ଧିମାନ ଚାଲାଖ୍ । ଧିକ୍ ! ତୁମ ବୁଦ୍ଧିମତା ! ଆରେ କେବେ ମା କୁ ଛାଡ଼ି ପିଲାବେଳେ ରାତିରେ ବାହାରକୁ ବାହାରିଛ! ଅନ୍ଧକାରକୁ କାହାର ଡର ନଥାଏ ? ଆଉ ଆମକୁ ଏମିତି ଏଠାରେ ଛାଡ଼ି ଦେଇ ପଳେଇଛି ଆମ ମାଲିକ । ଧନ୍ୟ ତୁମ ମଣିଷ ପଣିଆ ! ହୃଦୟ ବୋଲି ଟିକିଏ ନାହିଁ । ଏଇଥିରେ କାଲି ପାଳନ କରିବ ସ୍ୱାଧୀନତା ଦିବସ । କି ସ୍ୱାଧୀନତା କଣ ଏ ସ୍ୱାଧୀନତା ଯେ ଦୁଇଟି ଅସହାୟ ଛୋଟ ଜନ୍ତୁଙ୍କୁ ଅନ୍ଧକାର ରାସ୍ତାରେ ଛାଡ଼ି ଦେବା ? ମା ଠୁଁ ଅଲଗା କରି କାହାକୁ ସ୍ୱାଧୀନତା ଦିଆ ଯାଇନଥାଏ , ବରଂ ମୃତ୍ୟୁର ଦ୍ଵାରରେ ଛାଡ଼ି ଦିଅାଯାଇଥାଏ । ତେଣୁ ମଣିଷ ଜାତି ଉପରୁ ମୋର ଭରଷା ହଟିଯାଇଥିଲା ।

କିନ୍ତୁ, ବୋଧ ହୁଏ ଏ ପିଲାଟି ଆମ ମାଲିକ ଠୁଁ ଅଲଗା ଥିଲା । ଅନ୍ଧକାର ରାତିରେ ଆମକୁ ଦେଖି କହୁଥିଲା : ଆରେ ଏଠି ଏମାନେ , ଏମାନଙ୍କ ମା କାହିଁ ? ଅନେକ ଖୋଜିବାପରେ ନ ପାଇ ଭାବିଥିଲା କଣ କଣ କରିବ ? ସେମାନେ କଥା ହେଲେ ଆମକୁ ଏଇଠି ଏମିତି ଛାଡ଼ିଯିବେ କି ? ନାଁ ! ଏମିତି କଲେ କେହି ମାରିଦେବେ ଭୟରେ ଛାଡୁନଥିଲେ । ଆମେ ମଧ୍ୟ ଭୟଭୀତ ହୋଇଯାଇଥିଲୁ । କେତେ ଜଣଙ୍କୁ ଫୋନ୍ କରିଥିଲେ ରଖିବା ପାଇଁ କାରଣ ସେମାନଙ୍କ କଥାରୁ ଜଣାପଡୁଥିଲା ସେମାନେ ହଷ୍ଟେଲରେ ରୁହନ୍ତି ଆଉ ଆମେ ଏତେ ଛୋଟ ଯେ ସେଠି ଆମ ପାଇଁ ରହିବା ବ୍ୟବସ୍ଥା ନାହିଁ । ସେ ଯାହା ହେଉ କିଛି ଉପାୟ ନପାଇ ଆମକୁ ନେଇଯାଇଥିଲେ । କେଉଁ ଏକ ଲୋକ ପାଖକୁ ଯିଏ କି ଆମ ସେବା କରିପାରିବ । କିନ୍ତୁ ସେଠି ନିରାଶ ହେବାପରେ କିଛି ଉପାୟ ନପାଇ ହଷ୍ଟେଲରେ ରଖିଦିଆ ଯାଇଥିଲା କିଚେନ ରୁମ୍ ରେ ଖାଇବାକୁ ଦିଆଗଲା ବିସ୍କୁଟ ଆଉ କ୍ଷୀର ପାଉଡରର ପାଣି । ମା କୁ ଛାଡ଼ି ଆସିବାପରେ ଆମେ ଦୁଃଖରେ ମ୍ରିୟମାଣ । ଖାଦ୍ୟ କିଛି ରୁଚିଲାନି । ଅଳ୍ପ ଟିକେ ଖାଇରହିଥିଲୁ ଆଉ ଆମକୁ କିଛି ନଖାଇବାର ଦେଖି ସେମାନେ ବି ଦୁଃଖ ପାଇଥିଲେ । ସକାଳୁ ଆମର କିଛି ବ୍ୟବସ୍ତା କରିବେ କହି ପଳେଇଥିଲେ । ରାତିରେ ଭୋକ ଅଧିକ ଲାଗିବାରୁ ସେଇ କ୍ଷୀର ପାଉଡରରେ ତିଆରି ପାଣିକୁ ପିଇବାକୁ ବାଧ୍ୟ ହେଲୁ ।

ସକାଳୁ ଆସିଥିଲା ପିଲାଟି ଆଉ କିଛି ବିସ୍କୁଟ ଆଉ ସେଇ ପାଉଡର ପାଣି ଧରି । ତା ସହିତ ଆମ ରହିବାର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା । ଆମକୁ ମାଲିକାଣୀ ମିଳିଯାଇଥଲା ଯିଏ ରଖିବା ପାଇଁ ରାଜି ହୋଇଥିଲେ ସେ ପିଲାର ଅନେକ ଅନୁରୋଧ ପରେ । ମାଲିକାଣୀ ଆମକୁ ତାଙ୍କ ସାଇକେଲରେ ବସେଇ ନେଇ ଆସିଲେ ନୂଆ ଘରକୁ ଏଠି ଆମ ମା ପରି ଆଉ ଜଣେ ମଧ୍ୟ ଅଛି ଯିଏ ଆମକୁ ପ୍ରଥମେ ଦେଖି ପାଖକୁ ଆସିଥିଲା ବୋଧହୁଏ ଚିହ୍ନିନପାରି କିଛି କରିଥାନ୍ତା ତା ପୂର୍ବରୁ ନୂଆ ମାଲିକାଣୀଙ୍କ ତାଗିଦ୍ ରେ ଚୁପ୍ ହେଇଯାଇଥିଲା । ସେ ଯାହା ହେଉନା କାହିଁକି ଏଥର କିଛି ଖାଇବାକୁ ମିଳିଥିଲା । ବହୁତ ଭୋକରେ ଥିଲୁ କ୍ଷୀର ଗୋଳେଇ ଭାତ ପେଟ ଭରି ଖାଇଲୁ । ଏବେ ଆମ ପାଖରେ ଆମ ମା ନାହିଁ କିନ୍ତୁ ହଁ ସେ ମାଲିକ ମଧ୍ୟ ନାହିଁ ଯିଏ ଆମକୁ ଅତ୍ୟାଚାର କରେ । ଆମେ ଏବେ କିଛିଟା ଆରାମ ଅନୁଭବ କରୁଛୁ । ମା ବଦଳରେ ମା ଆଉ ମାଲିକ ବଦଳରେ ମାଲିକଟେ ପାଇଛୁ । ହେଲେ କିଏ କଣ ନିଜ ମାକୁ ଛାଡ଼ି ରହିପାରିବ । ଆଶାକୁ ଆଶାରେ ରଖି ଆମେ ଦୁଇ ଭଉଣୀ ରହିଛୁ ଯେତେଦିନ ଯାଏଁ ଭଗବାନ ଆମକୁ ରଖିବେ । ହଁ ବୋଧ ହୁଏ ସେ ପିଲା ଆମକୁ ସେଠାରୁ ଉଦ୍ଧାର କରି ନ ଆଣିଥିଲେ ଆଜି ସକାଳର ସୁରୁଜ ଆମ ପାଇଁ ନଥାନ୍ତା , ନୂଆ ମାଲିକାଣୀ ନ ରଖିଥିଲେ ଆସନ୍ତାକାଲିର ସୁରୁଜ ଆମ ପାଇଁ ନଥାନ୍ତା । ସତରେ "ଅସହାୟକୁ ଦଇବ ସାହା "।

ଏବେ ମୁଁ ବୁଝିପାରୁଛି ସବୁ ମଣିଷ ସମାନ ନୁହେଁ । ନହେଲେ ଏ ପୃଥିବୀ କେବେଠାରୁ ଧ୍ବଂସ ହେଇ ଯାଆନ୍ତାଣି । କିନ୍ତୁ ହଁ ଭଗବାନଙ୍କୁ ଏତିକି ପ୍ରାର୍ଥନା ସେ ମାଲିକ ମୋ ମା କୁ ଭଲରେ ରଖିଥାଉ , ମୋ ମା ଭଲରେ ଥାଉ ।


Rate this content
Log in

Similar oriya story from Tragedy