Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜଣେ ପ୍ରତାରିତାର ପ୍ରେମ
ଜଣେ ପ୍ରତାରିତାର ପ୍ରେମ
★★★★★

© Rajesh Senapati

Tragedy

12 Minutes   218    16


Content Ranking

ଅଭିମନ୍ୟୁ ଙ୍କର ଏସ୍.ବି.ଆଇ କଟକ ବ୍ରାଞ୍ଚ ରୁ ବାଲେଶ୍ୱର କୁ ବଦଳି । ନୂଆ ଜାଗା । କାହାରି ଚିହ୍ନା ମୁଁହ ଟେ ଦେଖିବାକୁ ପାଉନାହାଁନ୍ତି । ନୂଆ ଘରେ ସବୁ ଜିନିଷ ଠିକ ଠାକ ସଜଡା ହୋଇ ରଖାସରିଲାଣି । ଆଉ କିଛି ଦରକାରୀ ସାମଗ୍ରୀ କିଣା ହୋଇ ଆସିବାରେ ଅଛି । ପତ୍ନୀଙ୍କର ଏକା ଜିଦ୍ "ମୋ ସହ ମାର୍କେଟ୍ ଚାଲ" । କଟକ ହେଇଥିଲେ ଅନୁରାଧା ଙ୍କୁ ଆଉ ସ୍ୱାମୀ ଙ୍କର ଆବଶ୍ୟକତା ପଡ଼ିନଥାନ୍ତା । ସେଠି ତାଙ୍କର ଅନେକ ସଖି ସହେଲି ଥିଲେ ସପିଙ୍ଗ୍ ରେ ସାଥ ଦେବା ପାଇଁ ।ଏଠି କିନ୍ତୁ ସେ ସମ୍ପୂର୍ଣ ଏକାକୀ । ବାଧ୍ୟ ହୋଇ ଅଭିମନ୍ୟୁ ତାଙ୍କ ସହ ମାର୍କେଟ୍ ବାହାରିଲେ ।

ଅନୁରାଧା ସପିଙ୍ଗ୍ ପାଇଁ ଗୋଟେ ମଲ୍ ଭିତରକୁ ଗଲେ । ଅଭିମନ୍ୟୁ, 'ପଛେ ପଛେ ଆସୁଛି' କହି ରହିଗଲେ ବାହାରେ ।

ମଲ୍ ସାମ୍ନା ରେ ଠିଆ ହୋଇ କାହାକୁ ପ୍ରତୀକ୍ଷା କରିଥିବା ଭଦ୍ରମହିଳା ଙ୍କୁ ଦେଖି ଚମକି ପଡିଲେ ଅଭିମନ୍ୟୁ । ସେ ଏଠି କାହାକୁ ମଧ୍ୟ ଜାଣନ୍ତିନି । ଆଜି ପତ୍ନୀ ଙ୍କ ଅନୁରୋଧ କୁ ଉପେକ୍ଷା ନକରି ସସ୍ତ୍ରୀକ ଆସିଛନ୍ତି ସହରର ଏହି ସର୍ବବୃହତ ସପିଙ୍ଗ୍ ମଲ୍ ଟି କୁ । ଅନୁରାଧା ଆଉ ଦେଖାଯାଉନାହାଁନ୍ତି । ବୋଧେ ମଲ୍ ଭିତରକୁ ଚାଲିଗଲେଣି ।

--ଆରେ ମାନସୀ ତୁମେ !

ଭଦ୍ରମହିଳା ଜଣଙ୍କ ଅପରିଚିତ ଭଳି ଅଭିନୟ କରୁଥିଲା ବେଳେ ଅଭିମନ୍ୟୁ ପୁନଶ୍ଚ କହିଲେ -ଜାଣେ, ମୋ'ଭୁଲ ଅକ୍ଷମଣୀୟ । ମୋତେ ପ୍ରାୟଶ୍ଚିତ ର ମୌକା ଟେ ବି ଦେଲନି । ବାରମ୍ବାର ଫୋନ୍ କରିଥିଲି ସେତେବେଳେ, ଅଥଚ ତୁମ ଫୋନ୍ ସୁଇଚ୍ ଅଫ୍ । ତୁମ ଅଫିସ୍ ଯାଇ ଜାଣିଲି, ତୁମେ ରିଯାଇନ୍ ଦେଇସାରିଛ । ଘରେ ତାଲା । ଭଦ୍ରମହିଳା ଜଣକ ମୁହଁ ବୁଲେଇ କାହାକୁ ହାତଠାରି ଡାକିବାକୁ ପ୍ରୟାସ କରୁଥିଲେ ।

ଅଭିମନ୍ୟୁ ସେ ଆଡକୁ ନଜର ପକାନ୍ତେ ଛୋଟ ଝିଅ ଟିଏ ଡେଇଁ ଡେଇଁ ତାଙ୍କ ଆଡକୁ ଆସୁଥିବାର ଦେଖିଲେ । କୁନି ଝିଅ ଟି ଆସି ମାନସୀ ଙ୍କ ଗଳାରେ ଓହଳି ପଡିଲା ।

ଅଭିମନ୍ୟୁ ଝିଅ ଟିକୁ ନିରିଖେଇ ଦେଖିଲେ । କାହାର ଚେହେରା ସହିତ ଝିଅଟି ମୁହଁ ର ଅସମ୍ଭବ ସାମଞ୍ଜସ୍ୟ । ଭଦ୍ରମହିଳା ଙ୍କ ଉପେକ୍ଷା କୁ ଖାତର ନକରି ଅଭିମନ୍ୟୁ ପୁଣି କହିଲେ, " ମାନୁ (ମାନସୀ ଙ୍କୁ ସେ ଏହି ନାଁ ରେ ଡାକୁଥିଲେ ) ! ମତେ ବିଶ୍ୱାସ କର । ତୁମ ପରି ମୁଁ ବି ଉମାକାନ୍ତ ର ସତ୍ୟତା ଜାଣିନଥିଲି । ଆଉ ଶିଖା କୁ ତାଘରେ ଯେବେ ଦେଖିଥିଲି ସେ ମତେ ତା'ର ଭଉଣୀ କହି ପରିଚୟ କରାଇଦେଇଥିଲା । ଉମାକାନ୍ତ ର ସତ ଟା ମୁଁ ଯେଉଁଦିନ ଜାଣିଲି ସେହିଦିନ ସେ ମତେ ରାଣ ଦେଇମନା କରିଥିଲା ତୁମକୁ ନକହିବା ପାଇଁ । ସେ ତୁମ ରାସ୍ତା ରୁ ଚାଲିଯିବାର ପ୍ରତିଶୃତି ମତେ ଦେଇଥିଲା । ମୁଁ ମାନୁଛି ସେହିଦିନ ମୋର ତୁମକୁ ସବୁ ସତ କଥା କହିଦେବା ଉଚିତ ଥିଲା । କିନ୍ତୁ ତାର ପ୍ରତିଶୃତି କୁ ବିଶ୍ୱାସକରି ଚୁପ ରହିଗଲି । ବଡ ଭୁଲ ଟାଏ ହେଇଗଲା ମୋର । ମୁଁ ମୋ ଭୁଲ ପାଇଁ ଖୁବ ଅନୁତପ୍ତ ମାନୁ । ମୋ ଭୁଲ ର କଣ କ୍ଷମା ନାହିଁ ? ଟିକେ ତ ମୋ ଆଡେ ଦେଖ । ଆମର ଏତେ ଦିନ ର ବନ୍ଧୁତା କୁ ତୁମେ କେଇ ସେକେଣ୍ଡ୍ ରେ ଭାଙ୍ଗି ମୁହଁ ମୋଡି ଚାଲିଗଲ । ତୁମେ କଣ ଭାବୁଛ ମୋତେ ବିଲକୁଲ ବି କଷ୍ଟ ହେଇନଥିବ?ସେହିଦିନୁ ଜଳି ଜଳି ବଞ୍ଚିଛି ଗୋଟେ ବିରାଟ ଅପରାଧବୋଧ କୁ ଛାତି ରେ ଚାପିଧରି । ଭୀଷଣ ଯନ୍ତ୍ରଣା ହୁଏ ମାନୁ । ଭୀଷଣ.. " । କହୁ କହୁ ଅଭିମନ୍ୟୁ କାନ୍ଦ କାନ୍ଦ ହୋଇଗଲେ ।

ସେହି କୁନି ଝିଅଟିକୁ ନିଜ ପାଖକୁ ଜଡେଇ ଆଣି ଦୁଇବାହୁ ର ବେଷ୍ଟନୀ ରେ ଜାକି ଧରି, ଏଥର ମାନସୀ ପାଟି ଖୋଲିଲେ, " ଅଭି ! ଥାଉ ତୁମେ ଏଠି ଏଭଳି ଭାବପ୍ରବଣ ହୁଅନି । ଅସହଜ ଲାଗୁଛି ମତେ । ମୁଁ କିଏ କ୍ଷମା ଦେବାକୁ? ଯାହା ତ ହେବାର ଥିଲା ହେଲା । ମୋ ଭାଗ୍ୟ ରେ ଯାହା ଲେଖା ଥିଲା ତାକୁ କିଏ ବଦଳେଇଥାନ୍ତା ? ନାଁ ତୁମେ ନାଁ ମୁଁ? ହଉ ଛାଡ । ତୁମେ ଏଠି କେମିତି? "

ଅଭିମନ୍ୟୁ ଏବେ ଟିକେ ହାଲକା ଅନୁଭବ କରି ନିଜର ବଦଳି ଆଉ ସ୍ତ୍ରୀ ଙ୍କ ସପିଙ୍ଗ୍ ବିଷୟରେ ସବିଶେଷ କହିଲେ । କୁନି ଝିଅ ଟିର ମୁଣ୍ଡ କୁ ଟିକେ ଆଉଁଶି ଦେଇ ପଚାରିଲେ, "ମାନୁ ଝିଅ ବହୁତ କ୍ୟୁଟ୍ ହେଇଛି । ତୁମ ପରି ତ ଲାଗୁନି? ପାପା ଙ୍କ ଭଳି ହେଇଛି ବୋଧେ? "

ମାନସୀ ହସି ହସି କହିଲେ, "ହଁ ପାପା ଙ୍କ ଅବିକଳ ନକଲ ।"

ପୁଣି ଝିଅ କୁ ଉଦେଶ୍ୟ କରି ଅଭି ପଚାରିଲେ, "ମାମା ତୁମ ନାଁ କଣ? ପାପା ଙ୍କ ନାଁ କଣ? "

ଝିଅ ଟି ତା ଗୁଲୁଗୁଲିଆ ସ୍ୱର ରେ କହିଲା, " ଅଙ୍କଲ୍ ମୋ ନାଁ ଅଭିପ୍ସା ମହାନ୍ତି । ମୋ ପାପା ଙ୍କ ନାଁ ଉମାକାନ୍ତ ମହାନ୍ତି "।

ଝିଅ ର ମୁହଁ ରୁ ଉମାକାନ୍ତ ଙ୍କ ନାଁ ଶୁଣି ଚମକି ପଡିଲେ ଅଭିମନ୍ୟୁ । ବିସ୍ମିତ ହୋଇ କହିଲେ, "ହେଲେ ମାନୁ !ଉମା ତ..? "

ଅଭି ଙ୍କ ପାଟିରୁ କଥା ଛଡେଇ ନେଇ ମାନସୀ ଚଟାପଟ କହିପକେଇଲେ-

ସେ ଅନେକ କଥା ଅଭି । ତୁମେ ତ ଏବେ ମୋ ସହର କୁ ଆସିଗଲାଣି । ମୋ ଘର ଆଡେ ଆସ, ସବୁ କହିବି । ଏହି ଜାନୁଗଞ୍ଜ ରେ ମୁଁ ରହୁଛି "ନିଜ ଫୋନ ନମ୍ବର୍ ଓ ଘର ଠିକଣା ଦେଇ ମାନସୀ ଝିଅ କୁ ଧରି ଚାଲିଗଲେ । ମାନସୀ ର ଯିବା ରାସ୍ତା କୁ ଏକଲୟ ରେ ଚାହିଁ ରହି ଅଭିମନ୍ୟୁ କଣ ସବୁ ଭାବୁଥିଲେ, ପଛରୁ ଅନୁରାଧା ଆସି କହିଲେ, "ଆରେ ପଛେ ପଛେ ଆସୁଛି କହି ଏଇଠି ରହିଗଲ !ଜଲଦି କାର୍ଡ୍ ଟା ଦିଅ ମୁଁ ବିଲ୍ ପେମେଣ୍ଟ୍ କରିବି । ମୋର ସପିଙ୍ଗ ସରିଲାଣି ।"

ଅଭିମନ୍ୟୁ ଯନ୍ତ୍ରବତ କାର୍ଡ୍ ଟି ପକେଟ ରୁ ବାହାରକରି ଦେଇଦେଲେ । ଘର ଫେରନ୍ତା ରାସ୍ତା ରେ ଅସମ୍ଭଵ ଅନ୍ୟମନସ୍କ ଅଭି । ଘରକୁ ଫେରି ପଛ କଥା ବସି ଭାବୁଥାନ୍ତି । ଗୋଟି ଗୋଟି କରି ସମସ୍ତ ଦୃଶ୍ୟ ତାଙ୍କ ଆଖି ସାମ୍ନା ରେ ଭାସି ଉଠିଲା ।

ମାନସୀ ଆଉ ଅଭି କଲେଜ୍ ଟାଇମ୍ ରୁ ପରସ୍ପର କୁ ଜାଣନ୍ତି । ଗୋଟିଏ ଡିପାର୍ଟମେଣ୍ଟ୍ ରେ, ଗୋଟିଏ ବ୍ୟାଚ୍ ର ସ୍ଟୁ ଡେଣ୍ଟ । ଚାକିରୀ ବି କଲେ ଗୋଟିଏ ସହରରେ, କଟକ ରେ । ମାନସୀ ଫୁଡ୍ ଏଣ୍ଡ୍ ସପ୍ଲାଇ ଅଫିସ୍ ରେ ଆସିଷ୍ଟାଣ୍ଟ୍ ସପ୍ଲାଇ ଅଫିସର୍ ତ ଅଭି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କଟକ ବ୍ରାଞ୍ଚ୍ ର ପ୍ରୋବେସନାରୀ ଅଫିସର୍ । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଦେଖା ହୁଏ ଉଭୟଙ୍କର ଅଫିସ୍ ଫେରନ୍ତା ରାସ୍ତା ରେ । ପ୍ରତି ରବିବାର ଆଉ ଅନ୍ୟ ଛୁଟି ଦିନ ମାନଙ୍କରେ ମାନୁ ଓ ଅଭି ଏକାଠି ହୁଅନ୍ତି ଅଭି ର ଫ୍ଲାଟ୍ ରେ କିମ୍ବା ମାନୁ ର ଭଡ଼ା ଘରେ । ରୋଷେଇ, ଖିଆ ପିଆ ଓ କଲେଜ୍ ଟାଇମ୍ ର ଅନେକ ଆଲୋଚନା ହୁଏ ସେହିଦିନ ମାନଙ୍କରେ । ମାନୁ, ଅଭି ଙ୍କ ପରି ବନ୍ଧୁ ପାଇ ଘର ଠୁ ଦୂର ଆଉ ଗୋଟିଏ ଘର ପାଇଯାଇଥିଲା । ଅଭି ବି ମାନୁ ଙ୍କର ସାହଚର୍ଯ୍ୟ ଭିତରେ ରେ ନିଜ ଭଉଣୀ ଆଭା କୁ ଆବିଷ୍କାର କରିସାରିଥିଲେ ।

ଗୋଟେ ରବିବାର ଅଭି, ମାନୁ ର ଘରେ ପହଁଚିଲେ ଆଉ ଜଣେ ସମବୟସ୍କ ଯୁବକଙ୍କ ସହ । ମାନସୀ ଲୋକଟି କୁ ନିଜ ଘରେ ଦେଖି ଆଚମ୍ବିତ ହେଲେ । ଅଭିମନ୍ୟୁ ପରିଚୟ କରାଇଦେଇ କହିଲେ, " ଉମାକାନ୍ତ ବାବୁ, ଇଏ ମୋ ସାଙ୍ଗ ମାନୁ, ମାନେ ମାନସୀ ଦାସ । ଜାଣିଥିବେ ନିଶ୍ଚୟ । ଆପଣଙ୍କ ଅଫିସ୍ ରେ ଆସିଷ୍ଟାଣ୍ଟ୍ ସପ୍ଲାଇ ଅଫିସର୍ । ଏହି ହେଉଛି ମୋ ରବିବାରିଆ ମଙ୍ଗଳାବାଗ ରେସ୍ଟୁରାଣ୍ଟ ।" ଏତକ କହି ଅଭି ହସି ଉଠିଲେ । ପୁଣି ମାନସୀଙ୍କୁ ଲକ୍ଷ କରି କହିଲେ, "ଆରେ ହାଁ ଟା କରି ଅନେଇଛ କଣ?ତୁମ ନୂଆ ସପ୍ଲାଇ ଇନ୍ସପେକ୍ଟର୍ କୁ ଚିହିଁପାରୁନ ନାଁ କଣ? "

-- ହଁ ଚିହିଁ ତ ପାରୁଛି କିନ୍ତୁ ତୁମ ସହ ଦେଖିବି ଆଶା କରୁନଥିଲି । ମାନସୀ କହିଲେ ।

ଅଭି ପୁଣି କହିଲେ, "ଉମାକାନ୍ତ ଏବେ ମୋ ନୂଆ ପଡୋଶୀ । ଏବେ ତାଙ୍କ ସହ ଫ୍ରେଣ୍ଡସିପ୍ ଟା ବେଶ୍ ଜମିଯାଇଛି । ଆଜି କହୁଥିଲେ କୋଉ ଗୋଟେ ଭଲ ରେସ୍ଟୁରାଣ୍ଟ୍ କୁ ଯିବା ପାଇଁ । ମୁଁ କହିଲି ଚାଲ ମୋ ପର୍ସନାଲ୍ ରେସ୍ଟୁରାଣ୍ଟ କୁ । ଏଠିକୁ ନେଇଆସିଲି । ତୁମେ ଦୁହେଁ ତ ଆଗରୁ ପରସ୍ପର କୁ ଜାଣିଛ । ଖାଲି ଯାହା ପରିଚୟ ହୋଇନଥିଲା ।" ପୁଣି ଅଭି ହସି ଉଠିଲେ ଆଉ ତାଙ୍କ ସହ ତାଳ ଦେଇ ମାନସୀ ଓ ଉମାକାନ୍ତ ମଧ୍ୟ ।

ଅଭିମନ୍ୟୁ, ମାନସୀ ଓ ଉମାକାନ୍ତ ତିନିଜଣ ଯାକ କ୍ରମେ ବନ୍ଧୁତ୍ୱ ସୂତ୍ର ରେ ନିବିଡ ଭାବେ ବାନ୍ଧି ହେଇଯାଉଥିବା ବେଳେ ମଧୁର ଏକ ବିସ୍ଫୋରଣ ଘଟିଲା ଉମାକାନ୍ତ ଓ ମାନସୀ ଙ୍କ ମନ ଭିତରେ । ମାନସୀ ଙ୍କ ଶାନ୍ତ ସ୍ନିଗ୍ଧ ରୂପ ରେ ଉମାକାନ୍ତ ବିମୋହିତ ହୋଇପଡିଲା ବେଳେ ଉମାକାନ୍ତ ଙ୍କର ଆକର୍ଷକ ବ୍ୟକ୍ତିତ୍ୱ ଆଗରେ ମାନସୀ ଢଳି ପଡିଲେ । ପରସ୍ପର ଙ୍କର ପରସ୍ପର ପ୍ରତି ଏପରି ଆକର୍ଷଣ ରେ ଅଙ୍କୁରୋଦଗମ କଲା ପ୍ରେମ ର କ୍ଷୁଦ୍ର ଏକ ବୀଜ । ବୀଜ ଟି ଧୀରେ ଧୀରେ ସୁନ୍ଦର ଚାରା ରେ ରୂପାନ୍ତରିତ ହୋଇ ବଢିଚାଲିଲା ଅନୁକୂଳ ବାତାବରଣ ପାଇ ।

ଏବେ ମାନସୀ ଓ ଉମାକାନ୍ତ ଙ୍କୁ ଅଫିସ ବାହାରେ ବିଭିନ୍ନ ସ୍ଥାନ ରେ ଦେଖିବାକୁ ମିଳିଲା । କେବେ ଯୋବ୍ରା ପାର୍କ ତ କେବେ ସଙ୍ଗମ ସିନେପ୍ଲେକ୍ସ,ସପିଙ୍ଗ୍ ମଲ୍,ମହାନଦୀ ବ୍ୟାରେଜ୍ ଓ ପୁଣି କେବେ କେବେ କୋଉ ରେସ୍ଟୁରାଣ୍ଟ ରେ । ମାତ୍ର ଅନ୍ୟଦିନ ମାନଙ୍କ ଭଳି ରବିବାରିଆ ଖାଇବା ଟା ସେହି ତିନି ବନ୍ଧୁ ଅଭି, ମାନୁ ଓ ଉମା ଏକାଠି ଅଭି ର ଫ୍ଲାଟ୍ ରେ ହିଁ ଖାଉଥିଲେ । ଗପ ର ଆସର ବି ଜମୁଥିଲା । ମାନୁ ଓ ଉମାକାନ୍ତ ଙ୍କ ସମ୍ପର୍କ ଟା ଆଉ ଅଭି ଙ୍କୁ ଅଛପା ନଥିଲା । ସେ ଏମାନଙ୍କ ଭଲ ପାଇବା କୁ ଖୁବ ସମ୍ମାନ ବି ଦେଉଥିଲେ । ସେମାନଙ୍କ ସମ୍ପର୍କ କୁ ଆହୁରି ବେଶୀ ଦୃଢ କରିବାରେ ଅଭି ମଧ୍ୟ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ।

ଉମାକାନ୍ତ ମାନସୀ ଙ୍କୁ କହନ୍ତି, "ଜାଣିଛ ମାନସୀ!ତୁମେ ମୋ ଜୀବନ ର ଶେଷ ବିନ୍ଦୁ । ମୋ ଜୀବନ ଶେଷ ହୋଇଯିବା ପୂର୍ବ ରୁ ମୁଁ ତୁମ ସହ ମିଳିତ ହେବାକୁ ଚାହିଁବି ।"

ଉତ୍ତର ଦେବାକୁ ଯାଇ ମାନସୀ କହନ୍ତି,"ଉମାକାନ୍ତ୍ !ତୁମେ ତ ମୋ ଜୀବନ ର ସେହି ଜ୍ୟୋତି, ଯାହାକୁ ପାଇଲେ ହିଁ ମୋ ଜୀବନ ରେ ସାର୍ଥକତା ଆସିବ "। ନିଜ ନିଜ ପ୍ରେମ କୁ ପରିପ୍ରକାଶ କରି ଦୁହେଁ ଦୁହିଁଙ୍କ ଆଖିରେ ଏଭଳି ବୁଡ଼ିଯାଆନ୍ତି ଯେମିତି ଏ ସମ୍ପର୍କ ଜନ୍ମଜନ୍ମାନ୍ତର ର ସମ୍ପର୍କ । ମାନସୀ ଉମାକାନ୍ତ ଙ୍କୁ ପାଇ ଅନନ୍ତ ସ୍ବର୍ଗୀୟ ଅନୁଭବ ରେ ନିଜକୁ ଭିଜାଇ ଦିଅନ୍ତି । ଖୁବ ଶୀଘ୍ର ଉମାକାନ୍ତ ଙ୍କ ସହ ବାନ୍ଧି ହୋଇଯିବାର ଦୁର୍ବାର ଇଚ୍ଛାପ୍ରକଟ କରନ୍ତି । ପରିବାର ର ସହମତି ପାଇଗଲେ ଆଉ କେହି ସେ ଦୁଇ ଜନ୍ମଜନ୍ମାନ୍ତର ର ପ୍ରେମୀ ଙ୍କୁ ଏକାଠି ହେବାରୁ ବଞ୍ଚିତ କରିପାରିବେ ନାହିଁ ।

ବିନ୍ଦୁ ଓ ଜ୍ୟୋତି ପରସ୍ପର କୁ ପାଇବା ଆଗରୁ ଆଉ ଏକ ଭୟଙ୍କର ବିସ୍ଫୋରଣ ହୁଏ ମାନସୀଙ୍କ ନିରୀହ ନିଷ୍ପାପ ମନ ଭିତରେ । ଉମାକାନ୍ତ ଅଜଣା ରୋଗ ରେ ପୀଡିତ ହୋଇ ଚିକିତ୍ସା ପାଇଁ ଓଡିଶା ବାହାର କୁ ଚାଲିଯାନ୍ତି । ମାନସୀ ବହୁ ଜିଦ୍ କରି ମଧ୍ୟ ଉମାକାନ୍ତ ଙ୍କ ସହ ଯାଇପାରନ୍ତିନାହିଁ । ଉମାକାନ୍ତ ଫେରିଆସିଲେ ମାନସୀ ଙ୍କୁ ନିଜର କରିବାର ନିର୍ଭୟ ପ୍ରତିଶୃତି ଦେଇ ଯାଇଥାନ୍ତି ।

ଏହାର କିଛିଦିନ ଉତ୍ତାରେ ମାନସୀ କାହାକୁ କିଛି ନଜଣାଇ ସହର ଛାଡ଼ି ଉଭାନ ହେଇଯାନ୍ତି । ଅଭିମନ୍ୟୁ ଖୁବ ଏକାକୀ ସେତେବେଳେ । ଭଉଣୀ ଭଉଣୀ ଲାଗୁଥିବା ସେହି ଅତି ପ୍ରିୟ ମାନୁ ତାଙ୍କର ତାଙ୍କ ହାତ ପାହାନ୍ତା ରୁ ଅପହଞ୍ଚ । ଅନେକ ଖୋଜିଲେ । କିଛି ବି ଖବର ନାହିଁ । ଦୁଃଖ ରେ ଭାଙ୍ଗିପଡିଲେ । ନିଜକୁ ଦୋଷ ଦେଇଚାଲିଲେ । ଅନୁତାପ ର ଅନଳ ହୁତ ହୁତ ହୋଇ ଅହରହ ତାଙ୍କ ଛାତି ରେ ଜଳୁଥିବାର ଅନୁଭବ କଲେ । କାହିଁକି ଗୋପନ ରଖିଲେ ଏତେ ବଡ ମିଥ୍ୟା ଟେ,ଜଣେ ସରଳ, ନିଷ୍କପଟ ଝିଅ ଠାରୁ?ମାନୁ ଯୋଉଠି ବି ଥିଲେ ତାଙ୍କୁ କଣ କେବେ କ୍ଷମା ଦେଇପାରିବ?

ଅଭିମନ୍ୟୁ ଅତୀତ କୁ ରୋମନ୍ଥନ କରୁ କରୁ ଅନେକ ରାତି ହୋଇଗଲା । ତାଙ୍କୁ ଚକିତ କରି ପୁଣି ସୃଷ୍ଟି ହୋଇଛି ଏ କୁନି ଝିଅ ଅଭିପ୍ସା, ଉମାକାନ୍ତ ର ଝିଅ । ତାହେଲେ କଣ ସେହି ଭୟଙ୍କର ରୋଗ ଏବେ ମଧ୍ୟ ମାନୁ ଓ ତାଙ୍କ କୁନି ଝିଅ ଅଭିପ୍ସା ଙ୍କ ଅସ୍ତିତ୍ୱ କୁ କ୍ଷତାକ୍ତ କରୁଥିବ? ନାଁ ଏମିତି ହେଇପାରେନା । ମୁଣ୍ଡ ଭିତର ଟା ତାଙ୍କର ଗୋଳମାଳ ହେଇଯାଉଛି । ଓଃ କି ଯନ୍ତ୍ରଣା !ଅଭି ରାତି ସାରା ବିଛଣା ରେ ଛଟପଟ ହୋଇ ପରଦିନ ସକାଳୁ ହିଁ ମାନୁ କୁ ଦେଖା କରିବାକୁ ଯିବା ପାଇଁ ନିଷ୍ପତି ନେଲେ ।

ସେଦିନ ରବିବାର । ଅଫିସ୍ ଛୁଟି । ମାନୁ ବି ନିଶ୍ଚୟ ଘରେ ଥିବେ । ମାନୁ ଦେଇଥିବା ଠିକଣା ରେ ଅଭି ଯାଇ ପହଞ୍ଚିଗଲେ । କଲିଙ୍ଗ୍ ବେଲ୍ ର ଡାକ ରେ ମାନସୀ ଆସି କବାଟ ଖୋଲିଲେ । "ଆରେ ଅଭି ତୁମେ !ଏତେ ସକାଳୁ? ଆସ ଆସ ଭିତରକୁ ଆସ "। ମାନସୀ ଅଭିଙ୍କୁ ପାଛୋଟି ନେଲେ ।

ମାନସୀ ଙ୍କ ଛୋଟିଆ ଘରର ସାଜ୍ଜ ସଜ୍ଜା ଖୁବ ରୂଚିପୂର୍ଣ୍ଣ । ସୋଫା ଉପରେ ବସି ଅଭି ଚାରିଆଡ଼କୁ ନଜର ବୁଲେଇ ଆଣିଲେ । ଏ କଣ? ଘର ର ପୂର୍ବ ପଟ କାନ୍ଥ ରେ ଉମାକାନ୍ତ ଓ ଶିଖା ର ଫୋଟୋ । ସେଥିରେ ପୁଣି ଫୁଲମାଳ ଲଗାଯାଇଛି । ସୋଫା ଉପରୁ ଉଠି କାନ୍ଥ ପାଖରେ ଯାଇ ଅଭି ଠିଆ ହେଲେ । ନିରୀକ୍ଷଣ କରି ଫୋଟୋ ଦୁଇଟି କୁ ଚାହିଁଛନ୍ତି ଫୋଟୋ ଦୁଇଟି ରେ ମାନୁଙ୍କ ପ୍ରତିଛବି ପ୍ରତିଫଳିତ ହେଲା । ପଛକୁ ବୁଲି ଦେଖିଲେ ମାନୁ ଚା' କପ ଧରି ଠିଆ ହୋଇଛନ୍ତି ।ଆଖିରେ ଅଶ୍ରୁ ।

"ମାନୁ !ମତେ କିଛି ବି ଟିକେ ନଜଣେଇ ଏକାକୀ ଚାଲିଆସିଲ ନା ଏକା ଏକା ଦୁଃଖ ର ପାହାଡ କୁ ନିଜ ମୁଣ୍ଡରେ ମୁଣ୍ଡେଇ ନେବା ପାଇଁ? ଅଭିପ୍ସା କଣ ଜାଣେ ଏ ଶିଖା ଙ୍କ ପରିଚୟ? କାହିଁକି ଏଠି ବି ତାଙ୍କର ଫୋଟୋ? କୁହ ମାନୁ।" ଅଭି ମଧ୍ୟ କାନ୍ଦ କାନ୍ଦ ।

ମାନୁ ପ୍ରକୃତିସ୍ଥ ହୋଇ ସେହି ବେଦନାଭରା ଦୁଃଖ କାହାଣୀ କହିଲେ, "ଅଭି ସେହି ଯେଉଁ ଦିନ ତୁମେ ମୋତେ ଫୋନ୍ ରେ କହିଲ ଉମାକାନ୍ତ ଆଉ ଭଲହୋଇ ଫେରି ନପାରନ୍ତି , ସେ AIDS ରେ ଆକ୍ରାନ୍ତ ଆଉ ଜୀବନ ର ଶେଷ ସମୟ ଦିଲ୍ଲୀ ର ଏକ ନାମୀ ହସ୍ପିଟାଲ ର କାଟୁଛନ୍ତି ଏବଂ ତୁମେ ଆଗରୁ ଏ କଥା ଜାଣିଥିଲ, ମୁଁ ସେଦିନ ତୁମ ଉପରେ ଖୁବ ରାଗିଯାଇଥିଲି । କିନ୍ତୁ ମୋର ଉମାକାନ୍ତ ଙ୍କ ଉପରେ ସମ୍ପୂର୍ଣ ଭରଷା ଥିଲା । ଏ ରୋଗ ତାଙ୍କ ଦେହ କୁ ତାଙ୍କ ଅଜାଣତରେ କିପରି ଅସିଥାଇପାରେ ଓ ମୁଁ ମୋ ଜୀବନ ଜ୍ୟୋତି ନିକଟ କୁ ନିଶ୍ଚୟ ଯିଵି ବୋଲି ସ୍ଥିର କରିନେଇଥିଲି । ମୋ ସ୍ୱପ୍ନ ର କାଚଘର କୁ ଏପରି ଭାଙ୍ଗି ଟୁକୁଡା ଟୁକୁଡା ହେବାକୁ ଦେଇପାରିବିନି ଭାବିନେଇଥିଲି ମୁଁ । ମୁଁ ନିଷ୍ପତି ନେଇଥିଲି ଉମାକାନ୍ତ ଠିକ ନହେଲେ ମୁଁ ମଧ୍ୟ ଆଉ ଫେରିବିନି । ସବୁକିଛି ଠିକ ହେଇଯିବ । ଏମିତି ଭାବୁ ଭାବୁ ସେହି କିଛି ଘଣ୍ଟା ଭିତରେ ମତେ ଆଉ ଗୋଟେ ଫୋନ୍ କଲ୍ ଆସିଲା । ସେପଟୁ ନାରୀ କଣ୍ଠ ରୁ କରୁଣ କ୍ରନ୍ଦନ ର ରୋଳ । ପୁଣି କ୍ରନ୍ଦନ ଥମିଆସି ଧୀର ଗଳା ରେ ମୋ ନାମ ର ଉଚ୍ଚାରଣ:

-ମାନସୀ ଦେବୀ ନାଁ?ମୁଁ ଶିଖା । ଉମାକାନ୍ତ ଙ୍କ ଜୀବନ ଶିଖା । ତୁମେ ଯେପରି ତାଙ୍କ ଜୀବନ ର ଶେଷ ବିନ୍ଦୁ ସାଜି ତାଙ୍କ ସହ ମିଳିତ ହେବା ର ଆକାଂକ୍ଷା ରେ ଅପେକ୍ଷିତା ମୁଁ ବି ଦିନେ ସେହିପରି ତାଙ୍କର ଜୀବନ ଶିଖା ସାଜି ଅହରହ ତାଙ୍କ ଜୀବନକୁ ପ୍ରଜ୍ଜ୍ୱଳିତ କରିବାକୁ ପ୍ରତିବନ୍ଧିତା ହୋଇଥିଲି । ଆମ ଦୁହିଁଙ୍କର ସ୍ୱପ୍ନ ଅପୂରଣୀୟ ରହିଯିବ ମାନସୀ ଦେବୀ । ଉମାକାନ୍ତ ଆମ ଦୁହିଁଙ୍କୁ ଠକି ଚାଲିଯାଉଛନ୍ତି । ସେ ଜଣେ ଧ୍ରୁତ ଖେଳୁଆଡ଼ । ତାଙ୍କର ଦୁଇଟି ରୂପ । ଉମାକାନ୍ତ ତ ତୁମକୁ ତାଙ୍କର ଅଙ୍ଗାରମୟ ଅନ୍ତର ଟାକୁ ଖୋଲି ଦେଖେଇନାହାଁନ୍ତି । ମୁଁ କିନ୍ତୁ ଦେଖିଛି ସେହିଟା । ତାଙ୍କ ଲୋଭନୀୟ ଚେହେରା ଓ ବଳିଷ୍ଠ ବ୍ୟକ୍ତିତ୍ୱ ରେ ଆକର୍ଷିତ ହୋଇ ଉମାକାନ୍ତ ଙ୍କ ପ୍ରେମ ଅନଳ ରେ ଝାସ ଦେଇଦେଲି । ତାପରେ ମହାକାଳ ଫଳ ର ବାହାର ଖୋଳପା ଟା ଫାଟି ଛାରଖାର ହୋଇଗଲା । ଉମାକାନ୍ତ ଙ୍କ କଳଙ୍କିତ ଅନ୍ତର୍ଦେଶ ର ପରିଚୟ ପାଇଲି ମୁଁ । ଛି କି ନାରଖାର.. ମତେ ସେ କ୍ଷତାକ୍ତ କରି ଛାଡ଼ି ଚାଲିଗଲେ ମାନସୀ ଦେବୀ ।

ମାନସୀ ଟିକେ ଅଟକି ଯାଇ ପୁଣି କହିଲେ, "ଅଭି ସେହି ନାରୀ ଜଣଙ୍କ ମତେ କାନ୍ଦି କାନ୍ଦି କହିଲେ ସେ ଉମାକାନ୍ତ ଙ୍କ ପ୍ରଥମ ପତ୍ନୀ ଯାହାଙ୍କୁ ସେ ବାଲେଶ୍ୱର ର ନୂଆବଜାର ରେ ଗୋଟେ ଭଡ଼ା ଘରେ ପରିତ୍ୟକ୍ତ ବର୍ଜ୍ୟବସ୍ତୁ ପରି ଛାଡିଆସିଛନ୍ତି । ସାଙ୍ଗରେ ଉପହାର ସ୍ୱରୂପ ଦେଇଆସିଛନ୍ତି HIV ଓ ଗର୍ଭ ରେ ଏକ କ୍ଷୁଦ୍ର ଜୀବନ ର ସତ୍ତା । ବିଚାରୀ ଏଡସ୍ ରୋଗୀ ବୋଲି କେହି ତା ପାଖ ମାଡୁନଥାନ୍ତି । ସମାଜ ରୁ ବାଛନ୍ଦ ହୋଇ ଗର୍ଭବତୀ ରୋଗୀଣା ନାରୀ ଟି ବିନା ଦୋଷ ରେ ଶାସ୍ତି ଭୋଗୁଛି । କେହି ନାହିଁ ପାଖରେ । ସାହି ପଡିଶା କୁ ସାହାଯ୍ୟ ମାଗିବା ପାଇଁ ଗଲେ କବାଟ ବନ୍ଦ କରିଦେଉଛନ୍ତି । ସେହି ସବୁ ଲୋକଙ୍କୁ କିଏ ବୁଝେଇବ ଏଡସ୍ ରୋଗୀ ସହ ବସା ଉଠା କଲେ ରୋଗ ଟା ବ୍ୟାପି ଯାଏନାହିଁ? ଆଗରୁ ଘରଦ୍ୱାର ଛାଡ଼ି ଆସିଥିବା ପ୍ରେମ ପାଗଳୀ ଝିଅ ଟି ମୃତ୍ୟୁ କୁ ଅପେକ୍ଷା କରି ପଡିରହିଥାଏ । ଗର୍ଭ ରେ ପୁଣି ଉମାକାନ୍ତ ଙ୍କ ପ୍ରେମ ର ସନ୍ତକ । ମୋତେ ଖୁବ ବିକଳ ହୋଇ ଡାକିଲେ । ମୁଁ ବି ନିଜ କୁ ଅଟକାଇ ପାରିଲିନି । କି ଗୋଟେ ଦୁର୍ବଳତା ମତେ ଟାଣିଆଣିଲା ଏଠିକୁ । ସଭିଙ୍କ ଅଗୋଚରେ ସବୁକିଛି ପଛରେ ଛାଡ଼ି ଚାଲିଆସିଲି । ଶିଖା ଙ୍କ ଶେଷ ସମୟ ର ସାକ୍ଷୀ ମୁଁ । ମୋରି ହାତରେ ଉମାକାନ୍ତ ଙ୍କ କ୍ଷୁଦ୍ର ସତ୍ତା ଟି କୁ ଟେକିଦେଇ ସେ ଶେଷ ନିଶ୍ୱାସ ତ୍ୟାଗ କଲେ । କୁନି ଜୀବନ ଟି ବି ସ୍ୱଭାଗ୍ୟବଶତଃ ଏଚ୍. ଆଈ.ଭି. ନେଗେଟିଭ୍ । ସେହି ଭୟଙ୍କର ରୋଗ ଠୁ ଦୂରରେ । " ଏତକ କହି ସାରି ଏକ ଦୀର୍ଘ ନିଶ୍ୱାସ ମାରିଲେ ମାନସୀ ।

"ମାନୁ ଏ ଅଭିପ୍ସା କଣ ସେହି.."ଅଭି କହୁ କହୁ ଅଟକି ଗଲେ ।

"ହଁ ଅଭି । ଏହି ମୋ ଉମାକାନ୍ତ ଙ୍କ ଶେଷ ସନ୍ତକ । ଏହି ମୋ ଜୀବନ ର ଜ୍ୟୋତି । ମୁଁ ତାକୁ ସଭିଙ୍କ ଠୁ ଲୁଚେଇ ରଖିଛି । ଉମାକାନ୍ତ ଓ ଶିଖା ର ପରିବାର କୁ ସାମାନ୍ୟତମ ସୁରାଗ ବି ପାଇବାକୁ ଦେଇନାହିଁ । ଅଭିପ୍ସା ଏକାନ୍ତ ଭାବେ ମୋର । ୟା ଉପରେ ଆଉ କାହାର ଅଧିକାର ନାହିଁ । କାହାର ବି ନାହିଁ " କହୁ କହୁ ମାତ୍ରାଧିକ ଭାବ ବିହ୍ୱଳ ହୋଇପଡିଲେ ମାନସୀ ।

ଅଭି ଆଚମ୍ବିତ । କିଭଳି ଉପାଦାନ ରେ ଗଢ଼ା ଏ ନିରୀହ ଝିଅ ଟି?ଯୋଉ ଲୋକ ଛଳନା କରି ତାର ସର୍ବସ୍ୱ ନଷ୍ଟ କରିବାକୁ ବସିଥିଲା ତାହାରି ସତ୍ତା କୁ ବଞ୍ଚେଇ ରଖିବା ପାଇଁ ନିଜର ସମସ୍ତ ସ୍ୱାର୍ଥ କୁ ଝିଅଟା ଜଳାଞ୍ଜଳି ଦେଇଦେଲା । ସେହି ନିହାତି ପର ଲୋକ ଟିର ପ୍ରେମ କୁ ନିଜ ଭିତରେ ଜୀବିତ ରଖିବା ପାଇଁ ବାକି ସମସ୍ତ ନିଜର ଲୋକଙ୍କୁ ପର କରିଦେଇପାରିଲା? "ମାନୁ ତୁମେ ମହାନ । ମହାନ ତୁମ ମଣିଷ ପଣିଆ । ନିଷ୍କଳଙ୍କ ନିର୍ମଳ ତୁମ ପ୍ରେମ । ତୁମ ପରି ନିସ୍ଵାର୍ଥପର ନାରୀ କଣ ସତରେ ଆଉ କେହି ଥିବେ? ନାଇଁ.. ଥିବା ଅସମ୍ଭବ ।"ଅଭିମନ୍ୟୁ ଙ୍କ ଭଙ୍ଗା ଭଙ୍ଗା ଥରିଲା ସ୍ୱର ।

"ଆରେ ଅଭି !ଥାଉ ଥାଉ । ଆଉ ବେଶି ପ୍ରଶଂସା କରନି ମୋର । ତୁମେ ତ ଆସିଗଲ ନାଁ ଏଠିକୁ ତୁମ ମାନୁ କୁ ଖୋଜି ଖୋଜି । ଆଉ ମୋର ଦୁଃଖ କଣ?ହଉ ଏବେ ଚାଲ ଏଠୁ । ଆଜି ରବିବାର ବୋଲି ଭୁଲିଗଲ ବୋଧେ? ଚାଲ କିଚେନ୍ କୁ । ମିଶିକି ରୋଷେଇ କରିବା । ଆସନ୍ତା ରବିବାର କିନ୍ତୁ ତୁମ ଘରେ । ଭାଉଜ ଙ୍କ ହାତରନ୍ଧା ସ୍ପେସିଆଲ୍ ମିଲ୍ । ବୁଝିଲ? "

ଦୁହେଁ ହସି ହସି କିଚେନ୍ ଭିତରକୁ ଚାଲିଗଲେ । ଆଜି ମାନସୀ ସେହି ପୁରୁଣା ମାନୁ ପାଲଟି ଯାଇଛନ୍ତି । ମନ ଭିତରେ ଜମାଟ ବାନ୍ଧିଥିବା ମେଞ୍ଚା ମେଞ୍ଚା ଅଭିମାନ ବି ତରଳି ଧୋଇହୋଇଯାଇଛି । ହୃଦୟ ରୁ ଦୁଃଖ ର ଭାର କମି ଯାଇଛି । ସେ ଆଉ ଏବେ ଏକା ନୁହଁନ୍ତି । ତାଙ୍କ ପ୍ରିୟ ଅଭି ପୁଣି ତାଙ୍କ ଜୀବନ ରେ ନୂଆ ରଙ୍ଗ ନେଇ ଆସିଛନ୍ତି ।

ଅଭିପ୍ସା ମଧ୍ୟ ଆଜି ଏତେ ଦିନ ପରେ ମାମା ଙ୍କର ମନ ଖୋଲା ହସ ଦେଖି ଖୁବ ଖୁସି ହୋଇ ଅଭି ଙ୍କୁ ପଚାରିଲା , "ଅଙ୍କଲ୍ ଆପଣ କଣ ମୋ ମାମା ଙ୍କ ବେଷ୍ଟ୍ ଫ୍ରେଣ୍ଡ୍? " ଅଭିଙ୍କ ସ୍ନେହଁ ବୋଳା ସ୍ପର୍ଶ ଓ ହାଲକା ହାଲକା ଉତ୍ତର, "ହଁ ରେ ମାମା...ବେଷ୍ଟ୍ ଫ୍ରେଣ୍ଡ୍ "।

ଅନେକ ଦିନ ପରେ ଆଜି ପୁଣି ସେହି ପୁରୁଣା ରବିବାର, ପୁରୁଣା ସାଙ୍ଗ କିନ୍ତୁ ନୂଆ ସ୍ଥାନ ଓ ନୂଆ ଉତ୍ସାହ । ଆଜି ପୁଣି ଅଭି ଅଛନ୍ତି, ମାନୁ ଅଛନ୍ତି ନାହିଁ କେବଳ କିଛି ଛଳନା, କପଟ କି ପ୍ରତାରଣା । କିନ୍ତୁ ପ୍ରତାରିତା ଟିର ହୃଦୟରେ ଆଜି ମଧ୍ୟ ସେହି ପୁରୁଣା ପ୍ରେମର ସ୍ରୋତ ପୂର୍ବପରି ତା ପ୍ରତାରକ ପ୍ରେମିକ ପାଇଁ ଅନବରତ ବୋହିଚାଲିଛି ।

ଲୋପାମୁଦ୍ରା ମିଶ୍ର *

ପ୍ରତାରିତା ସ୍ୱାମୀ କପଟ

Rate the content


Originality
Flow
Language
Cover design

Comments

Post

Some text some message..