ଅଯୋଗ୍ୟ ସ୍ୱାମୀ
ଅଯୋଗ୍ୟ ସ୍ୱାମୀ
"ସକାଳୁ ଛ ଟା ହେଇନି ଯେ , କୁକୁର ପରି ରାଉ ରାଉ ହେଵା ଆରମ୍ଭ କରିଦେଲ l ଏଠି ଖଡ଼ ସେଠି ଧଡ଼ l ରାତି ଯାକ ତ ଛୁଆ ଟା ଶୋଇବାକୁ ଦେଉନି , ଯଦିଓ ଟିକେ ଭୋର ଭୋର ନିଦ ଆସୁଛି , ଏ ମଣିଷ ଟା ବି ସୋଇ ଦେଉନି l କାମ ତ କିଛି ନାହିଁ , ଖାଲି ବାହା ହେଇପଡି ଛୁଆ ଟା ତ ଜନମ କରିଦେଲ ସରିଗଲା ଓ , ଛୁଆ ଟା କେମିତି ବଢିବ କଣ ଖାଇବ କଣ କରିବ ଟିକେ ମୁଣ୍ଡ ରେ ପଶୁଛି l ଅଲାଯୁକ ଲୋକ କେଉଁଠିକାର , କିଛି କାମ ନାହିଁ l ବାପ ଜମି ବିକି ସେଇ ପଇସା ରେ ଗେଫା ମାରିଲ , କିଛି ବି ଧନ୍ଦା କଲଣି , ଏବେ ସେତିକି ବି ସରିଗଲାଣି , ଅଲଜ୍ୟା ମଣିଷ ଯାଅ କେଉଁ ମନ୍ଦିର ଯାଇ ବସିଯିବ l ଆଜି ଚାଉଳ ନାହିଁ କାଲି ତେଲ ନାହିଁ ...... ପଡିଶା ଘର ଛୁଆ କୁ ଦେଖ... ପାନ ଦୋକାନ କରି ବି ତା ଛୁଆ ପାଇଁ ଶେରେଲାକ , ଡ୍ରେସ ଲେକ୍ଟୋଜେନ , ତା ସ୍ତ୍ରୀ ପାଇଁ ଶାଢ଼ୀ , ଗହଣା ସବୁ ଆଣି ଦେଇସାରିଲାଣି ...ଆଉ ତମେ ....ଆରେ ପୋଷିବାର ଯଦି ଔକାତ୍ ନଥିଲା ବାହା କାହିଁକି ହେଉଥିଲ , ଛୁଆ କାହିଁକି ଜନ୍ମ କରୁଥିଲା l ଆଜି ବାହାଘର ଦୁଇ ବର୍ଷ ହେଇଗଲାଣି କଣ ଆଣିଦେଇଛ ମୋତେ ?? ଗହଣା ତ ବହୁତ ଦୂରର କଥା , ଗୋଟେ ଭଲ ଶାଢ଼ୀ ଟେ ଆଣିଦେଇଛ l ତମରି ପାଇଁ ଆଜି ମୁଁ ମୋ ବାପା ଘରେ ଅଲୋଡ଼ା , ତମକୁ ତାଙ୍କ ଇଛା ବିରୁଦ୍ଧରେ ରେ ବାହା ହେଲି ବୋଲି ଆଜି ମୋ ବାପା ମା ଭାଇ କେହି ବି ପଚାରୁ ନାହାନ୍ତି l ହେଲେ ମୁଁ କଣ ପାଇଲି ...ଖାଲି ଦୁଃଖ କଷ୍ଟ ଆଉ ଅଭାବ ...
ସ୍ୱାମୀ ହେବାର ଯୋଗ୍ୟତା ଅଛି ତମର ?? ନିଜକୁ ପଚାର l ତମେ ଗୋଟେ ଅଯୋଗ୍ୟ ସ୍ୱାମୀ , ତମକୁ ବାହା ହେଇ ମୋ ଜୀବନ ନଷ୍ଟ ହେଇଗଲା l
ଛି ...ମୋ ଆଖି ଆଗକୁ ଆସନି ଯାଅ ..ବାହାରିଯାଅ ମୋତେ ଅତିକମରେ ଟିକେ ଶାନ୍ତି ରେ ଶୋଇବାକୁ ଦିଅ , ନହେଲେ ଆମ ମା ଛୁଆ କୁ ବିଷ ଦେଇ ମାରିଦିଅ l"
ବିଚରା ଅଜୟ ଓରଫ ଅଜୟ ମହାନ୍ତି ସବୁ ନିରବ ରେ ଶୁଣିଯାଏ
ପତ୍ନୀର ଏ ଆକ୍ରୋଶ କୁ l କଣ କରିବ ଵା ସିଏ l ପାଠ ସାଠ ପଢି ବି ବେକାରୀ l ବାପା ରାଧେଶ୍ୟାମ ମହାନ୍ତି ଗାଁ ପୋଷ୍ଟ ମାଷ୍ଟର , ଦରମା ଗଣ୍ଡେ ରେ ପରିବାର କୁ ନିଅଣ୍ଟ , ହେଲେ ଭାରି ସ୍ୱାଭିମାନୀ ସେ l କାହାଠୁ ବି ଖଣ୍ଡେ ନିଅନ୍ତିନି l କଟକ ଜିଲ୍ଲାର ବିଡାନାସୀ ପୋଷ୍ଟ ଅଫିସ ରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ l ସେଇ ଅଳ୍ପ ଦରମା ଭିତରେ ଦୁଇ ଝିଅ ଙ୍କୁ ବାହାଦେଇ ବଡ ପୁଅ କୁ ଇଞ୍ଜିନିଅର କରିଛନ୍ତି , ଆଉ ଖଣ୍ଡେ ଜାଗା ଟେ ବି କରିପକେଇଛନ୍ତି l ଅଜୟ ସାନ ପୁଅ ଭଲ ପାଠ ପଢୁଥିଲା , ହେଲେ କଲେଜ ରେ ପସୁ ପସୁ ପାଦ ଖସରିଗଲା l ତାର କଣ ଵା ଦୋଷ l ଯୌବନ ର କମନୀୟ ତା କୁ ବୁଝି ନ ପାରି ତା ନିଜ କ୍ଲାସ ର ରଶ୍ମିତା ଓରଫ ରଶ୍ମିତା ପଣ୍ଡା କୁ ଭଲ ପାଇ ବସିଲା l ରଶ୍ମିତା ର ବାପା ରେଭେନ୍ସା କଲେଜ ର ପ୍ରଫେସର , ଧନୀ ଘର ର ଝିଅ , ଗେଲ୍ହା ବସରରେ ବଢିଛି , କଷ୍ଟ କଣ ଜାଣିନି l ହେଲେ ପ୍ରେମ କି ମାନେ ଧନୀ ଗରିବ , ଜାତି ଅଜାତି l ବିଚରା ଅଜୟ କୁ ଭଲ ପାଇ ବସିଲା ସେ l କାରଣ ଅଜୟ ଶାନ୍ତ ସ୍ଵଭାଵ ଓ ପରୋପକାରୀ , ପାଠ ବି ଭଲ ପଢୁଥିଲା , ଏଣୁ ରଶ୍ମିତା ଆକୃଷ୍ଟ ହେବା ଟା ବି ସ୍ୱାଭାବିକ ଥିଲା l ସାକ୍ଷାତ ରୁ ବନ୍ଧୁତା ଆଉ ବନ୍ଧୁତା ରୁ ପ୍ରେମ l
ଦୁଇଜଣ ପ୍ରେମ ପକ୍ଷୀ ହେଇ ଉଡ଼ିବୁଲିଲେ l ପ୍ରେମ ର ଉତ୍ତାଳ ଏତେ ବଢିଯାଇଥିଲା ଯେ ସେମାନେ ଯୌବନ ର ସମସ୍ତ ସୀମା ଟପିଗଲେ l ପ୍ରେମ ଭଲପାଇବା ଆଉ ପ୍ରତିଶ୍ରୁତି ତାଙ୍କୁ ଆଉ ସୀମା ପରିଧି ଭିତରେ ରଖି ପାରିନଥିଲା ଆଉ ଏକ ବର୍ବାଦ ର ପଥ ର ପଥିକ ସଜେଇ ଦେଲା l +୩ ରେ ଶ୍ରେଣୀରେ ଟପର ହେଉଥିବା ଅଜୟ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ ହେଲେ ଆଉ ରଶ୍ମିତା ଫେଲ ହେଇଗଲେ l କଥା ଆଉ ବେଶୀ ଦିନ ରହିପାରିଲାଣି , ଦାଣ୍ଡ ରୁ ଯାଇ ହାଟ ରେ ପଡିଲା l ଦୁଇ ବାପା ମା କାନ ରେ ପଡିଲା l ରଶ୍ମିତା ର ବାପା ନୀଳାମ୍ବର ବାବୁ ଅତ୍ୟଧିକ କ୍ରୋଧାନ୍ୱିତ ହେଇ ଉଠିଲେ , ଏକ ତ ଅଜୟ ଘର ଗରିବ ପୁଣି ଜାତି ଅଲଗା l ନୀଳାମ୍ବର ବାବୁ ଝିଅ କୁ ଆକଟ କରି ରୋକ ଠୋକ ଶୁଣେଇ ଦେଲେ
-'" ଯଦି ଅଜୟ କୁ ବାହାହେବୁ ତାହେଲେ ଏ ଘର ଦର୍ଜା ତୋ ପାଇଁ ସବୁଦିନ ବନ୍ଦ ହେଇଯିବ l"
ଖାଲି ସେତିକି ରେ ସରିନଥିଲା , ଫୋନ କରି
-" ହେଲୋ ..ରାଧେଶ୍ୟାମ ବାବୁ , ବାମନ ହେଇ ଚନ୍ଦ୍ର କୁ ହାତ ବଢ଼ାନ୍ତୁନି , ଆପଣଙ୍କ ପୁଅ କୁ ଆକଟ କରନ୍ତୁ ନହେଲେ ମୁଁ ଆପଣଙ୍କ ପୁଅ ଓ ଆପଣଙ୍କ ନାମ ରେ କେସ କରିଦେବି l"
ବାସ , ସ୍ୱାଭିମାନୀ ରାଧେଶ୍ୟାମ ମହାନ୍ତି ଙ୍କ ମର୍ମ କୁ ଭାଇ ଭାରି ବାଧିଗଲା ... ସେ ବି ରୋକ ଠୋକ ଶୁଣେଇ ଦେଲେ ଅଜୟ କୁ
"ଯଦି ସେ ଗର୍ବୀ ପ୍ରଫେସର ନୀଳାମ୍ବର ପଣ୍ଡା ଝିଅ କୁ ବାହା ହେବୁ ମୋତେ ବାପା ବୋଲି ଭୁଲିଯିବୁ l "
ଯୌବନ ର ଉଦ୍ଧାମତା ସବୁ କିଛି ଭୁଲିଗଲା ,ଘରୁ ଲୁଚେଇ ପଳେଇ ମନ୍ଦିର ରେ ବାହାହେଇପଡିଲେ ଅଜୟ ଆଉ ରଶ୍ମିତା l
ଘରୁ ଲୁଚେଇ ରଶ୍ମିତା ନେଇଯାଇଥିବା ଟଙ୍କା ଗହଣା ବିକି ବେଶ କିଛି ଦିନ ଓଏସ ରେ ଚଳିଗଲେ l ହଜିଗଲେ ନିଜ ଦୁନିଆରେ , ପର କରିଦେଇ ବାପା ମା କୁ l ବସି ଖାଇଲେ ନଇ ବାଲି ସରେ l ବାସ ସବୁ ଟଙ୍କା ସରିଗଲା ପରେ ପ୍ରେମପକ୍ଷୀ ଦୁହିଁ କୁ ବୁଦ୍ଧି ବାଟ କିଛି ଦେଖା ଗଲାଣି l
ଇତି ମଧ୍ୟରେ ରଶ୍ମିତା ଗର୍ଭବତୀ ହେଇସାରିଥିଲା l ଅଜୟ କିଛି ଉପାୟ ନ ପାଇ ପୁଣି ଫେରିଲା ନିଜ ନୀଡ଼କୁ l ବାପା ରାଧେଶ୍ୟାମ କିନ୍ତୁ ରୋକ ଠୋକ ମନା କରିଦେଲେ ପୁଅ ବୋହୁ କୁ ଗ୍ରହଣ କରିବାକୁ , ହେଲେ ଅଜୟ ଗୋଡ଼ ଧରି କାକୁତି ମିନତି ହେଲା , ରଶ୍ମିତା ବି ଗୋଡ଼ ଧରିଲା , ଶେଷରେ ଯଦିଓ ରାଧେଶ୍ୟାମ ରାଜି ହେଇଗଲେ କିନ୍ତୁ ସେମାନେ ଘରେ ରହିଲେ ସେ ଘରୁ ବାହାରିଯିବେ ବୋଲି ଶୁଣାଇଦେଲେ l ଉତ୍ୟକ୍ତ ସ୍ୱାଭିମାନୀ ରାଧେଶ୍ୟାମ ସାହୁ କିଛି ମଣିଷ ପଣିଆ ଦେଖେଇ ଗୋପାଳପୁର ର ସେ ଜାଗା ଟା ଦେଇଦେଲେ l
" ଶୁଣ ଅଜୟ , ଯେଉଁ ଦିନ ତୁ ଏ ବାପାକୁ ଗୋଇଠା ମାରି ଘରୁ ଲୁଚି ଉଚ୍ଚ ଜାତି ର ଝିଅ କୁ ମୋ ବିନା ଅନୁମତି ରେ ବାହାହେଲୁ ସେଇଦିନଠୁ ମୋତେ ମାରିଦେଇ ଚାଲିଯାଇଥିଲୁ l ବାସ ତୁ ସେ ଗୋପାଳପୁର ରେ ମୋର ଯେଉଁ ଜାଗା କିଣିଥିଲି , ସେଇଠି ରହିବୁ ଯା l ଯେଉଁ ଦିନ ନିଜକୁ ଯୋଗ୍ୟ ବିବେଚିତ କରିବୁ , ଟଙ୍କା କମେଇବୁ ସେଇଦିନ ଏ ଘରକୁ ଫେରିବୁ l ସ୍ୱାଭିମାନୀ ବାପା କିଛି ଟଙ୍କା ଦେଇ ବିଦା କରିଦେଲେ l ବିଚରା ଅଜୟ ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ନେଇ ଫେରିଆସିଲେ ନିଜ ଜନ୍ମ ମାଟିରୁ l ସ୍ତ୍ରୀ କୁ ଧରି ଗୋପାଳପୁର ଜାଗା କୁ ଚାଲିଆସିଲେ l କିଛି ଜାଗା ବିକ୍ରିକରି ଗୋଟେ ଛୋଟ ଆଜବେଷ୍ଟସ ଘର ଟେ ବନେଇଲେ ଆଉ ସେଇଠି ସେମାନେ ବନାଇଲେ ନିଜ ଛୋଟ ସଂସାର l ସକାଳୁ ହେଲେ ଅଜୟ ସହରକୁ ବାହାରିଯାଏ ବସ ଷ୍ଟାଣ୍ଡ ରେ କେତେବେଳେ କୁଲି କାମ ତ କେତେବେଳେ ହକର କାମ କରି ଯାହା କିଛି ହୁଏ ଦୁଇ ପ୍ରାଣୀ ଙ୍କ ପେଟ ପାଇଁ ହେଇଯାଉଥିଲା l
ସମୟ ସବୁଦିନ ସମାନ ଯାଏନି , ଏହା ଭିତରେ ତାଙ୍କ କୂଳକୁ କୁନି ଝିଅ ଟେ ବି ଆସିସାରିଲାଣି l ରଶ୍ମିତା ର ଡିମାଣ୍ଡ ବଢିବା ରେ ଲାଗିଲା , ପୂର୍ବ ର ସେ ଭାବପ୍ରବଣତା ପ୍ରେମ ତେଲ ଲୁଣ ର ସଂସାର ଭିତରେ ସତେ ବଳି ପଡିଗଲା l ସେ ଅଜୟ ସହ ଏଣିକି ଆଉ ଭଲ ବ୍ୟବହାର ଦେଖାଉନଥିଲା l ପ୍ରତି କଥାରେ ଧିକାରୁଥିଲା ତା ଭଲପାଇବା କୁ , ଧିକାର କରୁଥିଲା ତା ବେକାରୀ ଜୀବନ କୁ ଆଉ ତାକୁ ସଜେଇ ଦେଲଇଥିଲା ଅଯୋଗ୍ୟ ସ୍ୱାମୀ l
ବିଚରା ଅଜୟ ର ନୀରବତା ଛଡା ଆଉ କିଛି ନ ଥିଲା l ନିଆଁ ତ ସିଏ ଖାଇଛି ଅଙ୍ଗାର କେମିତି ବା ତ୍ୟାଗ ନ କରିବ l ଏପଟେ ଅଭାବ ଅନଟନ ଏପଟେ ପରିବାର ର ବୋଝ , ପୁଣି ଏପଟେ ରଶ୍ମିତା ର କଟାକ୍ଷ l ସତେ ଅଣନିଶ୍ୱାସୀ ହେଇଯାଉଥିଲା ଚକ୍ରବ୍ୟୁହ ର ଫାସ ରେ l କେମିତି ଛିନ୍ନ କରିବ ଏ ଫାସ କୁ କିଛି ମୁଣ୍ଡରେ ପଶୁନଥିଲା l
ହଟାତ କରୋନା ର ଲକଡାଉନ ଆରମ୍ଭ ହେଇଗଲା , ଦୋକାନ ବାଡ଼ି ବସ ଷ୍ଟେସନ ବଜାର ସବୁ ବନ୍ଦ ହେଇଗଲା l ଅଜୟ ମୁଣ୍ଡ କିଛି କାମ କରୁନଥିଲା , ଯାହା ପଚାଶ ଶହେ ମିଳୁଥିଲା ସେତକ ବି ବନ୍ଦ ହେଇଗଲା l ଦିନ ପରେ ଦିନ ଗଡିଚାଲିଲା ବିଚରା କେତେ ଧାର ଉଦ୍ଧାର କରି ଚଳିବ l ରଶ୍ମିତା ର ତୀକ୍ଷ୍ଣ ଧିକାର ତାକୁ ଅସହ୍ୟ ହେଇପଡୁଥାଏ l
" ଯଦି ଆମକୁ ଏତେ କଷ୍ଟ ଦେବାର ଅଛି ,ଆମ ମା ଝିଅ କୁ ଟିକେ ବିଷ ଦେଇଦିଅ , ନହେଲେ ଘରୁ ବାହାରିଯାଅ ଆମେ ଲୋକ ଘରେ ବାସନ ମାଜି ବଂଚିଯିବୁ l ତମ ଭଳିଆ ଅଯୋଗ୍ୟ ସ୍ୱାମୀ ଘରେ ଥିଲେ କେତେ ନଥିଲେ କେତେ l"
ଏଣିକି ଆଉ ବେଶୀ ଘରେ ରହୁନି ଅଜୟ , କେତେବେଳେ ନଈକୂଳ କେତେବେଳେ ଫାଙ୍କା ଜାଗା ଦେଖି ଲୁହ ଗଡ଼ାଏ , ତା ହତାଶପଣ କୁ ଧିକାର କରେ l ସକାଳୁ ବାହାରି ଆସେ କେଉଁଠି ଫଳ ବୋଝେଇ ଉଠାଏ ତ କେତେବେଳେ ପରିବା ଵାଲା କୁ ସାହାଯ୍ୟ କରେ , କେବେ ଟଙ୍କା ପଚାଶ କେବେ ଶହେ ପୁଣି କେବେ କାମ ବି ପାଏନି ସେ l ଦିନ ଯାକ ଉପବାସ ତ କେବେ ମୁଢି ଚୁଡା ଖାଇ ରହିଯାଏ l ରାତିହେଲେ ଦିନ ଯାକ ର ଶ୍ରମରେ ଘର ପାଇଁ କିଛି ନେଇଯାଏ l ରଶ୍ମିତା ଏଣିକି ଆଉ କଥା କହେନି କି ମୁହଁ କି ଅନାଏନି , ରାତିରେ ଯାହା ବି କିଛି ନେଇଥାଏ ମା ଝିଅ କୁ ବି ନିଅଣ୍ଟ ହେଇଯାଏ l ଅଜୟ ପାଣି ପିଇ ଦାଣ୍ଡରେ ଶୋଇଯାଏ l ରଶ୍ମିତା କେବେ ବି ପଚାରେନି ଖାଇବା କଥା l
ସମୟ ଗଡିଯାଉଥାଏ l ବାରମ୍ବାର ଉପାସ ରହି ଏଣିକି ଆଉ ଅଜୟ ଦେହ ଭଲ ରହୁନି l କେତେ ଦିନ ଏମିତି ଚାଲିଥିବ , ଜୀବନ ଯୁଦ୍ଧ ରେ ହାରିଯାଇ ଶେଷରେ ଜୀବନ ହରିଦେବାର ନିଷ୍ପତି ନେଲା ସେ l ଜୀବନ ର କଷଟୀ ପଥ ରେ ଆଉ କାହାର କଷ୍ଟ ଦୁଃଖ ର କାରଣ ନହେବାର ନିଷ୍ପତ୍ତି ନେଲା l
ଯୋବ୍ରା ପୋଲ ରେ ବସିଥାଏ ଅଜୟ , ପୁର୍ଣିମା ରାତି , ଜୋଛନା ର କିରଣ ରେ ମହାନଦୀ ର ଉତ୍ତାଳ ତରଙ୍ଗ ଆହୁରି ତରଙ୍ଗାୟିତ ହେଉଥାଏ l ଶୀତଳ ପବନ ଦୁଲ୍କେ ଦୁଲ୍କେ ଶରୀର କୁ ଆହୁରି ଶୀତଳ କରିଦେଉଥାଏ l ସତେ ଉତ୍ତାଳ ତରଙ୍ଗ ହାତଠାରି ଡାକୁଥାଏ ତା ଉତ୍ତାଳ ଗର୍ଭକୁ l
ପତ୍ନୀ ର କଟାକ୍ଷ ବାରମ୍ବାର କର୍ଣପାତ ହେଉଥାଏ l ଅତୀତ ର ସେ ପ୍ରେମମୟ ସ୍ମୃତି ଭାସିଯାଉଥାଏ ମାନସ ପ୍ରଚ୍ଛଦପଟ୍ଟ ରେ l ବାପା ବୋଉ ଙ୍କ ମୁହଁ ଝଲସି ଯାଉଥାଏ , ଅଜୟ ଦୁର୍ବଳ ହେଇପଡୁଥାଏ , ଆହୁରି ଦୁର୍ବଳ କରିଦେଉଥାଏ ରଶ୍ମିତା ର ସ୍ମୃତି ଆଉ ତା କୁନି ଝିଅ l ରଶ୍ମିତା ବାପା ବୋଉ ଉଦ୍ଧେଶ୍ୟ ରେ କିଛି ଲେଖିବ ଭାବି ଟିକେ ଏଣେ ତେଣେ ଅନ୍ୟ ମନସ୍କ ହେଇ ପେପର ଟେ ଖୋଜିବାକୁ ଲାଗିଲା , ଆଉ ଏକ ପେପର ତା ନଜର ରେ ପଡିଲା l ହଟାତ ଦେଖିବାକୁ ପାଇଲା କଣ ଗୋଟେ ବିଜ୍ଞାପନ ଲେଖାହେଇଛି l
" ଏସ ସି ବି ବଡମେଡିକାଲ ର କୋଭିଡ ହସ୍ପିଟାଲ ର କଣ୍ଟ୍ରାକଚୁଆଲ ଚାକିରୀ , ଡାକ୍ତର ପ୍ରତ୍ୟେହ ପାଞ୍ଚ ହଜାର , ନର୍ସ ଏକ ହଜାର , ଏ ଏନ ଏମ ଆଠ ସହ , ୱାର୍ଡ ବୟ ସୁଇପର ପାଞ୍ଚ ସହ ଦୈନିକ l "
ଉଜ୍ଜଳ ଦେଖାଗଲା ଅଜୟ ର ମୁହଁ , ସେ ଆଉ କାଳବିଳମ୍ବ ନ କରି ଛୁଟି ଗଲା ନିଜ ଘରକୁ l ରାତି ବାରଟା ସେ କାହାକୁ ଡିଷ୍ଟର୍ବ ନ କରି ଦାଣ୍ଡ ପିଣ୍ଡା ରେ ଶୋଇପଡ଼ିଲା , ରାତି ଯାକ ନିଦ ନଥାଏ l ଯେଉଁ କରୋନା ଡର ରେ ସାରା ବିଶ୍ୱ ଥରହର ସେଇ ୱାର୍ଡ ରେ କାମ କରିବି l ଯାହାହେଉ ଯେତେ କଷ୍ଟ ହେଉ ପଛେ ମୁଁ ପରିଶ୍ରମ କରିବି ,ପଇସା ରୋଜଗାର କରିବି , ମୋ ପରିବାର କୁ ଖୁସି ରେ ରଖିବି , ରଶ୍ମିତା କୁ ଗହଣା ଶାଢ଼ୀ ସବୁ ଆଣିଦେଵି , ସେ ବହୁତ ଖୁସି ହେଇଯିବ , ଆଗ ଭଳି ପୁଣି ଭଲ ପାଇବ l ଅସୁମାରୀ କଳ୍ପନା ରାଇଜ ରେ ବୁଡି ଯାଇଥାଏ ଅଜୟ l ଏହା ଭିତରେ ସକାଳୁ ହେଇଗଲାଣି l ଗାଧୋଇ ପାଧୋଇ ଠାକୁରଙ୍କୁ ମୁଣ୍ଡିଆ ଟେ ମାରି ସାଟିଫିକେଟ ଧରି ରଶ୍ମିତା କୁ କିଛି ନ କହି ନିଜ ବାଇସାଇକେଲ ଧରି ବାହାରିଗଲା SCB କୋଭିଡ ହସ୍ପିଟାଲ କୁ l
ସୁପରିନଟେଣ୍ଡେଣ୍ଟ ଅଫିସ ....
ଅଜୟ ଯାଇ ବଡ଼ବାବୁ ଙ୍କୁ ମୁଣ୍ଡିଆ ଟେ ମାରି ବିଜ୍ଞାପନ ବିଷୟ ରେ ଦେଖେଇଲା , ବଡ଼ବାବୁ ଟିକେ ଚିନ୍ତିତ ହେଇ କହିଲେ
" ଅଜୟ ବାବୁ ଆପଣ କି ଚାକିରୀ କରିବେ , ଡାକ୍ତର କି ନର୍ସ ତ ହେଇପାରିବେନି ୱାର୍ଡ ବୟ.... ସୁଇପର ..........
ଆପଣ ଏତେ ପାଠ ପଢ଼ିଛନ୍ତି ଆପଣ କଣ ........l"
-" ହଁ ବଡବାବୁ , ଯେବେ ଭୋକ ରେ ପେଟ ଜଳେ ସେବେ ମଣିଷ ପାଖରେ ଖାଦ୍ୟ ଅଖାଦ୍ୟ ର ମାନେ କିଛି ନ ଥାଏ l ହଁ ବାବୁ ମୁଁ ସେମିତି ହତଭାଗା ଟାଏ , ଆଜି ଏତେ ପାଠ ପଢ଼ିବି ଅଯୋଗ୍ୟ ପୁଅ ,ଅଯୋଗ୍ୟ ଭାଇ, ଅଯୋଗ୍ୟ ବାପା ଆଉ ଶେଷରେ ଗୋଟେ ଅଯୋଗ୍ୟ ସ୍ୱାମୀ ପାଲଟିଯାଇଛି l ମୋତେ ଦୟା କରନ୍ତୁ ବଡ଼ବାବୁ ଆଜି ମାସେ ହେଲାଣି ମୁଁ ଭଲକି ଗଣ୍ଡେ ଖାଇନି l ମୋତେ ଯେଉଁ କାମ କରିବାକୁ କହିବେ କରିବି l"
- " ଠିକ ଅଛି ଐସୋଲେସନ ୱାର୍ଡ ll ରେ ତୁମକୁ ଆଜି ୱାର୍ଡବୟ
ହିସାବରେ ନିଯୁକ୍ତି ଦିଆଗଲା , ପାର ଡେ ହିସାବରେ ତୁମକୁ 500 ମିଳିବ l"
ଖୁସି ରେ ଆତ୍ମହରା ହେଇ ଉଠିଛି ଅଜୟ l ଆଡ଼ଭାନ୍ସ ବାବଦକୁ ଦୁଇ ହଜାରେ ଟଙ୍କା ବି ବଡ଼ବାବୁ ତାଙ୍କୁ ଦେଲେ l ବାସ କରୋନା ଐସୋଲେସନ ୱାର୍ଡ ରେ ଆରମ୍ଭ ହେଇଗଲା ଅଜୟ ର ଜୀବନ ଯାତ୍ରା , ସକାଳ ରୁ ପିପିଇ ପିନ୍ଧି କାମ ଆରମ୍ଭ କରିଦେଲା ଅଜୟ l
ଯେତିକି ଉତ୍ସାହିତ ଥିଲା ସେତିକି କୋଭିଡ ଯୋଦ୍ଧା ଭାବେ ଗର୍ବ ବି ଅନୁଭବ କରୁଥିଲା l ଦିନ ଯାକ ପିପିଇ ଭିତରେ ଖଟି ଖଟି ଏକପ୍ରକାର ବହୁତ କ୍ଲାନ୍ତ ଶ୍ରାନ୍ତ ହେଇଯାଇଥିଲା ଅଜୟ l ତଥାପି ତା ମୁଖ ମଣ୍ଡଳ ରେ ଉତ୍ସାହ ର ଆଭାସ ଦେଖିବାକୁ ମିଳୁଥିଲା l
କାମ ସାରି ସନ୍ଧ୍ୟା ବେଳେ ମିଳିଥିବା ପଇସାରେ ସ୍ତ୍ରୀ ପାଇଁ ଶାଢ଼ୀ , ତାର ପ୍ରିୟ ଚି଼ଲ୍ଲୀ ଚିକେନ କିଛି ଗ୍ରୋସରୀ ,ଝିଅ ର ହରଲିକ୍ସ , କମ୍ପ୍ଲାନ , ଚାଉଳ ଅଟା ଏମିତି ବହୁତ ଜିନିଷ ମାର୍କେଟିଙ୍ଗ କରି ପହଁଚିଲା ଘରେ l ସେଦିନ ଅତି ଖୁସି ରେ ଆଲିଙ୍ଗନ କରିପକେଇଛି ରଶ୍ମିତା କୁ ଆଉ ଝିଅ କୁ
-" ଦେଖ ଆଜି କେତେ ଜିନିଷ ଆଣିଛି , ଆମ ଦୁଃଖ ଏବେ ପଳେଇବ ରଶ୍ମି , ମୁଁ ଚାକିରୀ ପାଇଯାଇଛି ମାସକୁ ପନ୍ଦର ହଜାର ଦରମା l"
ରଶ୍ମି ଠେଲି ଦେଲେ ଆଉ ପୁଣି ତିରସ୍କାର କରିବାରେ ଲାଗିଲେ
" ଅଯୋଗ୍ୟ ସ୍ୱାମୀ କେଉଁଠିକାର, ଝିଅ କୁ ଛୁଅଁନି , କେଉଁଠୁ ଡକାୟତି କି ଚୋରି କରି କିଛି ପଇସା ପାଇଯାଇଛ , ଭଲେଇ ହେଉଛ,ମୁଁ ଚାକିରୀ ପାଇଯାଇଛି l ଏ ଲକଡାଉନ ସମୟରେ ଭଗବାନ ବସିଥିଲେ ତମକୁ ଚାକିରୀ ଦେଇଦେଲେ l ଚୋର କେଉଁଠିକାର l"
ନିରବ ହେଇଗଲା ଅଜୟ , କିଛି ଉତ୍ତର ନ ଦେଇ ଧୁଆ ଧୁଇ ହେଇ ପାଖରେ ଆଣିଥିବା ଗୋଟେ ପାଉଁରୁଟି ଖାଇ ଶୋଇପଡ଼ିଲା ଦାଣ୍ଡପିଣ୍ଡା ରେ l ତହିଁ ପରଦିନ ସକାଳୁ ବାହାରିଗଲା ତା କର୍ମ ଭୂମି କୁ l ଏଣିକି ଅଜୟ ନିରବ ରହୁଥାଏ ,ୱାର୍ଡ କାମ ସରିଲା ପରେ ଘରକୁ ଆସି ଧୁଆ ଧୁଇ ହେଇ ଦାଣ୍ଡ ପିଣ୍ଡା ରେ ବସି ଆକାଶ କୁ ଦେଖେ , ଆଗ ଭଳି ଆଉ ଝିଅ ସହ ମିଶୁନାଥାଏ l( ବୋଧେ କରୋନା ୱାର୍ଡ ରେ କାମ କରୁଛି ବୋଲି ) l ରଶ୍ମିତା ବି ଝିଅ କୁ ବାପ ସହ ମିଶିବାକୁ ଦେଉନଥିଲା l ପ୍ରାୟ ଚୁପଚାପ ରହୁଥିଲା ସେ
ସମୟଗଡି ଚାଲିଥାଏ କାଳର କରାଳ ସ୍ରୋତ ରେ l ହଟାତ ଅଜୟ ଆଉ ଘରକୁ ଫେରେ ନାହିଁ l ଦିନେ ଦୁଇଦିନ ପାଞ୍ଚଦିନ ହେଇଗଲା l ପଡିଶା ଘର ଭାଉଜ ଆସି ରଶ୍ମିତା କୁ ଖୋଜା ଖୋଜି ପାଇଁ କହିଲେ , ପୋଲିସ ରେ ଜଣେଇବାକୁ କହିଲେ
-" ପୋଲିସ ରେ କଣ ଜଣେଇବି ଲୋ ଭାଉଜ ସେ ସେଇ ପୋଲିସ ଥାନା ରେ ଥିବେ , କେଉଁଠି ଡକାୟତି କରି ଧରା ପଡ଼ିଥିବେ l ବଳେ ଛେଚା ଖାଇ ଫେରିବେ l ସେ ଅଯୋଗ୍ୟ ଲୋକ ଟା ଆଉ କୁଆଡେ ଯିବ l"
ହଟାତ ଗୋଟେ ପୋଲିସ ଭେନ ଆସି ଘର ଆଗରେ ଛିଡା ହେଲା
ଆଉ କିଛି ପୋଲିସ ଓଲ୍ହେଇ ଆସିଲେ
" ଦେଖ ଲୋ ଭାଉଜ , ମୁଁ କହୁଥିଲି ନା ତୁମକୁ , ଦେଖିଲ କେଉଁଠି ଚୋରି ଡକାୟତି କରିଛି ପୋଲିସ ଆସିଲାଣି ଆମ ମା ଝିଅ କୁ ଏବେ ବାନ୍ଧି ନେଇଯିବ , ଏ ମଣିଷ ନିଜେ ଶାନ୍ତି ରେ ରହିଲାଣି କି ଆମକୁ ବି ଶାନ୍ତି ରେ ରହିବାକୁ ଦେଲାନି l"
"ଆପଣ , ରଶ୍ମିତା ପଣ୍ଡା , ଅଜୟ ମହାନ୍ତି ଙ୍କ ଧର୍ମ ପତ୍ନୀ l"
ଡରରେ ମୁଣ୍ଡ ଟୁଙ୍ଗାରିଲା ରଶ୍ମିତା
" ବହୁତ ଦୁଃଖ ର ସହକାରେ କହିବାକୁ ପଡୁଛି ମାଡାମ ଆପଣଙ୍କ ସ୍ୱାମୀ ଅଜୟ ମହାନ୍ତି ଆଉ ଏ ଦୁନିଆ ରେ ନାହାନ୍ତି , ବିଗତ ପାଞ୍ଚ ଦିନ ହେଲା ଏସସିବି କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ , ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଗଲା l
ଆପଣ ଆମ ସହ ଚାଲନ୍ତୁ ତାଙ୍କର ମରଶରୀର ର ଶେଷକୃତ୍ୟ କୋଭିଡ ଯୋଦ୍ଧା ହିସାବ ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ l ଆଉ ମାଡାମ ଏ ପଚାଶ ଲକ୍ଷ ର ଚେକ ଟା ଗ୍ରହଣ କରନ୍ତୁ , ସରକାର ତରଫରୁ ଜଣେ କୋଭିଡ ଯୋଦ୍ଧା ପରିବାର ପାଇଁ ଅନୁକମ୍ପା ମୂଳକ ସହାୟତା l"
ପାଦ ତଳୁ ମାଟି ଖସିଯାଉଥାଏ l ଆକାଶ ଛିଣ୍ଡି ପଡୁଥାଏ l ରଶ୍ମିତା ସ୍ଥାଣୁ ହୋଇଯାଇଥାନ୍ତି l ଆଖିରେ ଅଶ୍ରୁ ର ବାରିଧାରା ଓଠ ପିଇ ଯାଉଥିଲା l ଦୁଲକାଏ ପବନ କାନ ମୂଳରେ ପ୍ରତିଧ୍ୱନି କରୁଥାଏ
" ଯଦି ଆମକୁ ଏତେ କଷ୍ଟ ଦେବାର ଅଛି ,ଆମ ମା ଝିଅ କୁ ଟିକେ ବିଷ ଦେଇଦିଅ , ନହେଲେ ଘରୁ ବାହାରିଯାଅ ଆମେ ଲୋକ ଘରେ ବାସନ ମାଜି ବଂଚିଯିବୁ l ତମ ଭଳିଆ ଅଯୋଗ୍ୟ ସ୍ୱାମୀ ଘରେ ଥିଲେ କେତେ ନଥିଲେ କେତେ l"
ନିର୍ମିନେଶ ନୟନ ରେ ରଶ୍ମିତା ଚାହିଁଥାନ୍ତି କାନ୍ଥ ରେ ଝୁଲୁଥିବା
ତାର ଅଯୋଗ୍ୟ ସ୍ୱାମୀ ର ଫୋଟୋ ଟି କୁ l