Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
"ମାତୃତ୍ୱ ର ଆକାଂକ୍ଷା"
"ମାତୃତ୍ୱ ର ଆକାଂକ୍ଷା"
★★★★★

© Bijayini Panda

Tragedy Others

7 Minutes   13.2K    17


Content Ranking

ମାତୃତ୍ବର ଆକାଂକ୍ଷା ନାରୀ ମନର ଏକ ମୌଳିକ ଅଭିଳାଷ । ଦୁନିଆର ସକଳ ଐଶ୍ୱର୍ଯ୍ୟ ଫିକା ପଡ଼ିଯାଏ ଏଇ ମାତୃତ୍ୱର ଦୁର୍ବାର ଲାଳସା ତଳେ । ପୃଥିବୀର ସମସ୍ତ ପ୍ରତିଯୋଗିତାର ବିଜୟିନୀ ସିଏ, ଯାହାର କି ମାଁ ହେବାର ଦକ୍ଷତାଟିଏ ଅଛି । ଏପରି ଅନୁଭବ କରେ ଯଶୋଦା ।

କର୍ମକ୍ଳାନ୍ତ,ଅବଶ ଶରୀର ନେଇ ରାତ୍ରର ନିସ୍ତବ୍ଧ ପ୍ରହରରେ ଯେତେବେଳେ ସାରଥୀ ଶୋଇଯାଏ, ସେତେବେଳେ ଯଶୋଦାର ନିଦ ଭାଙ୍ଗିଯାଏ । ଦୀର୍ଘ ସମୟ ଧରି ଅନେଇ ରହେ ତାର ଶାନ୍ତ, ଶିଷ୍ଟ ସେଇ ନମନୀୟ ଚେହେରାକୁ । ଲମ୍ବା ଚଉଡା ସୁଦୀର୍ଘ ଉଚ୍ଚତା ବିଶିଷ୍ଟ ସାରଥୀର ପ୍ରଶସ୍ତ ଛାତି ତଳେ ମିଳେ ଯଶୋଦାକୁ ଅପୂର୍ବ ଆନନ୍ଦ । ମନ ଭିତରେ ତାର ଗଭୀର ଆନ୍ଦୋଳନ ସୃଷ୍ଟି ହୁଏ । ଏତେ ସୁନ୍ଦର ଏକ ବଳିଷ୍ଠ ଯୁବକ, ପ୍ରସସ୍ଥ ଛାତି, ମୋଟା ମୋଟା ନିଶ ଆଉ ସୁଢାମ ଚେହେରା ତଳେ କ'ଣ ସନ୍ତାନ ଉତ୍ପାଦନକାରୀ କ୍ଷମତାଟେ ନାହିଁ ? ନା..... ତାର ଭାବନାରେ ଯବନିକା ପଡେ । 

ପୁରୁଷର ଆଲିଙ୍ଗନ ତଳେ ଶଯ୍ୟାସଙ୍ଗିନୀଟେ ସାଜି ରାତିସାରା ରତିକ୍ଳାନ୍ତା ନାରୀଟିଏ ପୁରୁଷ ସମ୍ଭୋଗର ଯେଉଁ ସୁଖ ଅନୁଭବ କରେ, ସେ ସବୁ ସୁଖ ଆଞ୍ଜୁଳା ଆଞ୍ଜୁଳା କରି ଢାଳିଦିଏ ସାରଥୀ ଯଶୋଦାର ଉତ୍ତପ୍ତ ଦେହରେ । ତଥାପି ..... ଭୁଲ ରହିଲା କେଉଁଠି ?

କେତେ କେତେ ରାତି ଏମିତି ଅନିଦ୍ରା ରହେ ଯଶୋଦା । ବେଳେବେଳେ ସାରଥୀ ନିଘୋଡ଼ ନିଦରେ ହଜି ଯାଇଥିବା ବେଳେ ଯଶୋଦା ୟାଡୁ ସିଆଡୁ ଲୁଗା ମେଞ୍ଚାଏ ପେଟ ଉପରେ ବାନ୍ଧି ଆଠ ମାସର ଅନ୍ତସତ୍ଵା ମହିଳାର ଶରୀରଗତ ଭୌଗଳିକ ପରିବର୍ତ୍ତନକୁ ନିଜ ଭିତରେ ଅନୁଭବ କରେ । ଦୁଇ ଜଙ୍ଘର ଦୂରତା ମଧ୍ୟରେ ପେଟଟାକୁ ଟିକେ ଆଗକୁ ବଢ଼ାଇ ମିଛିମିଛିକା ଚାଲିବାର ଅଭିନୟ କରେ ମିରର ସାମନାରେ । ନିମିଷକ ପାଇଁ ଖୁବ ଆନନ୍ଦ ଉପଭୋଗ କରେ ଯଶୋଦା । 

ଖୁବ ଅଦ୍ଭୁତ ଏ ନାରୀ ମନର ମାତୃତ୍ୱର ପରିକଳ୍ପନା । ମାତୃ ଗର୍ଭର ଆବର୍ତ୍ତ ଭିତରୁ ଶିଶୁଟିଏ ଯେତେବେଳେ ବନ୍ଦ ଦରୱାଜା ଖୋଲି ବାହାରକୁ ଆସେ, ଅୟୁତ ଅୟୁତ ଯନ୍ତ୍ରଣାରେ ଫାଟି ପଡେ ନାରୀର ସମଗ୍ର ଶରୀର । କ୍ଷୁଦ୍ର ଭିତରେ ବିରାଟତ୍ୱର ସନ୍ଧାନ । କିନ୍ତୁ ସେ ବିରାତତ୍ୱ୍ୱର ପ୍ରାପ୍ତି ହିଁ ସକଳ ଶୂନ୍ୟତାରେ ଆଣିଦିଏ ନାରୀତ୍ବର ପୂର୍ଣ୍ଣତା । 

ହଁ, ମାଁ ହେବାର ଅଦମ୍ୟ ଲାଳସା....... ବେଳେବେଳେ ଅସହାୟ ହୋଇପଡେ ସେ । କେତେଦିନ ଆଉ ଦହଗଞ୍ଜ ହେବ ଲୋକଙ୍କ କଥାରେ । ବାହା ହେବା ଦୀର୍ଘ ପନ୍ଦର ବର୍ଷ ପରେ ବି ସେ ମାଁ ହୋଇପାରିନି । ପାଖ ପଡିଶା ଟୁପୁରୁ ଟାପୁରୁ ହୁଅନ୍ତି । ସେ କୁଆଡେ ବାଞ୍ଝ । ବାଞ୍ଝ ମାନଙ୍କ ମୁହଁ ସକାଳୁ ସକାଳୁ ଦେଖିଲେ ଦିନଟା ଅଶୁଭ ହୋଇଥାଏ । ପାଖ ପଡ଼ୋଶୀଙ୍କ ପିଲାଛୁଆକୁ ଅତ୍ୟଧିକ ଗେଲ କଲେ ମଧ୍ୟ କଥା ଶୁଣିବାକୁ ହୁଏ । ପ୍ରଧାନ ଘରର ବୁଢ଼ୀ କହୁଥିଲା, ମାଁ ଠାରୁ ଯେ ଅଧିକ ସ୍ନେହ କରେ ସେ କୁଆଡେ ଡାହାଣୀ ।

ଏଇ ମାତୃତ୍ୱର ସ୍ବାକ୍ଷରଟେ ବହନ କରିବା ପାଇଁ ଯଶୋଦା ଗୁଣି ଗାରିଡ଼ି ଠୁ ଆରମ୍ଭ କରି ସରକାରୀ ହସ୍ପିଟାଲର ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଠୁ ଔଷଧ ଖାଇଛି । ଯିଏ ଯେତେ ପ୍ରକାର ଟେଷ୍ଟ କହିଲେ ସେ ସବୁ କରିଛି । ଡାକ୍ତର ମାନେ କହୁଛନ୍ତି କିଛି ଅସୁବିଧା ନାହିଁ । ସାରଥୀ କିମ୍ବା ଯଶୋଦା ଠାରେ । ବର୍ତ୍ତମାନ ଏକମାତ୍ର ଭରଷା "ଭଗବାନ" । ଭକ୍ତର ଭଗବାନ । ବାର ମାସରେ ତେର 'ଉଷା ବଳା' କରେ ଯଶୋଦା । ସୋମବାର ଦିନ ଶିବବ୍ରତ, ଗୁରୁବାର ଦିନ ସାଇବ୍ରତ, ଶୁକ୍ରବାର ବୈଭବ ଲକ୍ଷ୍ମୀ, ଶନି ମେଳା, ଖୁଦୁରୁକୁଣୀ ଓଷା, ଚୈତ୍ର ମାସର ମୁଣ୍ଡଫଟା ଖରାରେ "ଭିକ ମଙ୍ଗଳବାର" ଇତ୍ୟାଦି ଇତ୍ୟାଦି । କେହି ଆଉ ବାଦ ପଡନ୍ତିନି ଯଶୋଦା ପାଖରୁ । ସାରଥୀ ଏ ସବୁ ପାଗଳାମୀ କରିବାକୁ ମନା କରେ ଯଶୋଦାକୁ । ସେ ଭାରି ବିରକ୍ତ ହୁଏ ।

ଏବେ ଯଶୋଦା ପଡୋଶୀ ଘରକୁ ଯାଉଛି ମାଡାମଙ୍କ ପାଇଟି କରିବା ପାଇଁ । ବହୁ କଷ୍ଟରେ ମଙ୍ଗେଇଛି ସାରଥୀକୁ । ବିନିତା ମାଡାମ ଚାକିରୀ କରନ୍ତି । ତାଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ଏକମାତ୍ର ଝିଅ । କାମ ବି କମ । ତା ଛଡା ମାଡାମ ଖୁସିବାସିଆ ଲୋକ । ଅନ୍ୟର ଦୁଃଖ ପାଇଁ ତାଙ୍କ ମନ କାତର ହୁଏ । ଯଶୋଦାର ବି ଗୋଟିଏ ଆଶ୍ବାସନାକାରୀ ହାତଟେ ନିଜ ମୁଣ୍ଡ ଉପରେ ଦରକାର ଥିଲା । ଏଣୁ ଏବେ ସେ ବେଶ ଖୁସି । ମାଡାମ ସ୍କୁଲରୁ ଆସିଲା ପରେ ସେମାନେ ବେଶ ଗପସପ ହୁଅନ୍ତି ।

ଦିନେ ଯଶୋଦା ନିଉଜ ପେପର ଭିତରେ ଦେଇଥିବା ହଳଦିଆ କାଗଜ(ଏଡ଼ଭେଟାଇଜମେଣ୍ଟ) ଖଣ୍ଡେ ଧରିକି ଆସିଲା, ମାଡାମଙ୍କ ପାଖକୁ । ସେଥିରେ ଲେଖାଥିଲା ଗୋଟେ ଚମତ୍କାରୀ ବାବାଙ୍କ କଥା । ସନ୍ତାନପ୍ରାପ୍ତି, ପ୍ରେମରେ ବିଫଳତା, ଚାକିରୀ କ୍ଷେତ୍ରରେ ପଦୋନ୍ନତି, କୋଟ କଚେରୀରେ ବିଜୟ ପ୍ରାପ୍ତି, ଶତ୍ରୁ ଦମନ ଇତ୍ୟାଦି ପାଇଁ ଯୋଗାଯୋଗ କରନ୍ତୁ, ବାବା କାଳୀ ପ୍ରସାଦ ଜୀ ମହାରାଜଙ୍କ ସହ । ସବୁ ପ୍ରକାର ସମାଧାନ ଗୋଟିଏ ମାସ ଭିତରେ ହୋଇଯିବ । ଏସବୁ ଫାଲତୁ କଥାରେ ଧ୍ୟାନ ନ ଦେବାକୁ ମାଡାମ ବୁଝାଇଲେ, ଏସବୁ ଅନ୍ଧବିଶ୍ୱାସ । ଏହି ଅନ୍ଧବିଶ୍ୱାସର ଶିକାର ନ ହୋଇ ଭଗବାନଙ୍କ ଠାରେ ଭରସା ରଖିବାକୁ କହିଲେ । ତଥାପି ଯଶୋଦାର ଜିଦ ଯେ ସେ ଯିବ । ଏଥିପାଇଁ ତାକୁ ଜଣେ ସହଯୋଗୀ ଲୋଡ଼ା । ସେ ବହୁତ ଅନୁରୋଧ କଲା ମାଡାମଙ୍କୁ । ବିନିତା ବି ପ୍ରଥମେ ମନାକଲେ ଯଶୋଦାକୁ, ହେଲେ ଯେତେ ଶିକ୍ଷିତା ହେଲେ ବି ନାରୀ ମନର ଦୁର୍ବଳ ମାନସିକତାକୁ ସେ ଏଡାଇ ପାରିଲେନି । ରାଜି ହେଲେ ଯଶୋଦା ସହ ଯିବା ପାଇଁ । 

ସେଦିନ ରବିବାର । ବିନିତା ମାଡାମ ବାହାରିଲେ ଯଶୋଦା ସହ ବାବାଙ୍କ ପାଖକୁ । ମାର୍କେଟିଙ୍ଗ କରିବା ବାହାନାରେ ଘରେ କାହାକୁ ନଜଣାଇ ସେ ଦୁହେଁ ବାହାରିଲେ । ବାବା ଯେଉଁ ଲଜ୍ ର ଠିକଣା ଦେଇଥିଲେ, ସେ ଲଜ୍ ଟା ସହରର ସବୁଠୁ ପୁରୁଣା । ବସ ଷ୍ଟେଣ୍ଡର ପଛପଟେ ଏକ ପରିତ୍ୟକ୍ତ ଗଳି ଭିତରେ । ଏକଦା ସେ ଲଜ୍ ଥିଲା ସହରର ମୁଖ୍ୟ ଆକର୍ଷଣ । ହେଲେ ଏବେ ସହରର ବିସ୍ତାର ଯୋଗୁଁ ସେ ଅଂଚଳ ଜନାକୀର୍ଣ୍ଣ ପୁରୁଣା ବସ୍ତି ।

ଲଜ୍ ରେ ପହଁଚିଲେ ସେ ଦୁହେଁ । ତଳ ମହଲାରେ ବାବାଙ୍କ ଚେଲା ବସିଛନ୍ତି । କାହାକୁ କିଛି ପଚାରିବାର ନାହିଁ । ବାବାଙ୍କ ଚେଲାକୁ ଦେଖିବା ପରେ ବିନିତାଙ୍କ ମନେ ହେଉଥିଲା ସତେ ଯେମିତି ଚାତକ ପରି ସେ ଅପେକ୍ଷା କରି ରହିଥିଲା, ନୁଆଁ ଗ୍ରାହକଙ୍କୁ । ଏମାନଙ୍କୁ ଦେଖିବା ମାତ୍ରେ ସେ ବୁଝିନେଲା ଏ ଦୁଇଜଣଙ୍କ ଆସିବାର ଉଦେଶ୍ୟ । 

ତଳ ମହଲାରେ ଅପେକ୍ଷା କରିବାକୁ କହି ସେ ଏକା ଚଢ଼ିଗଲା ବାବାଙ୍କ ପାଖକୁ । କିଛି ସମୟ ପରେ କଥାବାର୍ତା ହୋଇ ସେ ତଳକୁ ଆସିଲା ଏବଂ କହିଲା ଯାହାର ସମସ୍ୟା ଅଛି କେବଳ ସେ ହିଁ ଯାଇପାରିବ ବାବାଙ୍କ ସାକ୍ଷାତ ପାଇଁ । ଅନ୍ୟ ଜଣଙ୍କୁ ବାହାରେ ଅପେକ୍ଷା କରିବାକୁ ପଡିବ । ଦୁହେଁ ରାଜି ହୋଇଗଲେ । ଯଶୋଦା ଉପର ମହଲାକୁ ଗଲା ଏବଂ ବିନିତା, ଯଶୋଦାକୁ ଅପେକ୍ଷା କରି ରହିଲେ ରିସେପସନ ହଲରେ । ତାଙ୍କୁ ସବୁ ଜିନିଷ କିପରି ଅଦ୍ଭୁତ ଲାଗୁଥିଲା । ଲଜଟି ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ପ୍ରାୟ । କାନ୍ଥ ଗୁଡିକ କେଉଁ କାଳରୁ ରଙ୍ଗ ଲାଗିନି । ଛାତ ଉପରୁ ବି ଚକଡ଼ା ଖସିଛି । ବହୁଦିନୁ ରିପିୟାର ହୋଇନି ବୋଧହୁଏ । ଏଠାରେ ମଣିଷ ମାନଙ୍କର ଆଗମନ ହେବାପରି ଜଣା ପଡୁ ନଥିଲା ବିନିତାଙ୍କୁ । ବାବାଙ୍କ ଚେଲା ତାଙ୍କ ପାଖରେ ବସି ଅନେକ ସମୟ ଧରି ହିନ୍ଦୀରେ ବାବାଙ୍କ ମହିମା ସବୁ ଗାଇ ଯାଉଥିଲା । ମନ ନଥିଲେ ବି ବିନିତା ଚୁପ ଚାପ ଶୁଣୁଥିଲେ ସବୁ ।

   

ଏମିତି ଅନେକ ସମୟ ବିତିଗଲା ପରେ ଯେତେବେଳେ ଯଶୋଦା ଫେରିଲାନି, କିଭଳି ଏକ ଅଜଣା ଭୟରେ ଶିହରି ଉଠିଲେ ବିନିତା । ନାରୀ ମନ ତ !!!!!!

ଏପଟେ ଚେଲାର କଡା ତାଗିଦ ଯେ ସମସ୍ୟା ଥିବା ବ୍ୟକ୍ତିଙ୍କ ଛଡା ଅନ୍ୟ କେହି ସାଙ୍ଗରେ ଥିଲେ କୁଆଡେ ପୂଜାରେ ବ୍ୟାଘାତ ଘଟିବ । ବହୁତ ସମୟ ଅତିକ୍ରାନ୍ତ ପରେ ଚେଲା ଟିକିଏ ବାହାରକୁ ବାହାରିଲା । ବିନିତା ତ ସୁଯୋଗ ଖୋଜୁଥିଲେ । ଏହି ସୁଯୋଗକୁ ସେ ହାତଛଡା ନ କରି ଅଗ୍ରସର ହେଲେ ବାବାଙ୍କ ରୁମ ଆଡେ । ଉପରକୁ ପାଦ ଚାପି ଚାପି ଚଢ଼ିଗଲା ପରେ କିଛି ଧୂପର ମହାମହ ବାସ୍ନା ସହ ଧୂଆଁ ଆସୁଥିବା କୋଠରୀ ପାଖରେ ପହଁଚିଲେ । ଜନଶୂନ୍ୟ ଇଲାକା । ସାହସର ସହ ପାଦ ବଢ଼ାଇଲେ ଆଗକୁ । ଧୂଆଁ ଆସୁଥିବା କୋଠରୀ ଭିତର ପଟୁ ବନ୍ଦ ହୋଇଛି । କଣ କରିବେ ସେ ??? ପାଟି କଲେ ପୁଣି ଚେଲା ଆସିଯିବ । ଦୁଇ ହାତରେ ଦୁଇଥର କବାଟରେ ଜୋରଦେବା ପରେ ଭିତର ପଟୁ କୁଣ୍ଡିଟା ଖୋଲିଗଲା । ଭିତରକୁ ଗଲାପରେ ଯାହା ଦେଖିଲେ ସେଥିରେ ସଂଜ୍ଞାହୀନ ହେଉ ହେଉ ଅଳ୍ପକେ ବର୍ତ୍ତିଗଲେ । ଯଶୋଦା ବିବସ୍ତ୍ର ହୋଇ ବସିଛି । ଅଣ୍ଟାରୁ ଉପରକୁ ଶାଢ଼ୀ ଖୋଲା । ନାରୀର ଯେଉଁ ଦୁଇଟି ମାଂସପିଣ୍ଡୁଳା, ପୁରୁଷର ଦୁର୍ବଳତାକୁ ଜାହିର କରେ ତାହା ଉନ୍ମୁକ୍ତ । ଯଶୋଦାର ଲମ୍ବା ଘନ କେଶ ଆଉ ବନ୍ଧନରେ ନାହାନ୍ତି । ସେ ବି ଖୋଲା ଯାଇଛି ।

ଯଶୋଦା ସଂଜ୍ଞାହୀନ । ବସିଛି ଆଖିବୁଜି, ହେଲେ ଶରୀର ତାର ନିସ୍ତେଜ । ବାବାଙ୍କ ବଶୀକରଣରେ ତାର ମସ୍ତିଷ୍କ ଆଉ ଏକ ଭିନ୍ନ ଦୁନିଆଁରେ ।

   

ରୁମର ଗୋଟିଏ ପାର୍ଶ୍ୱରେ ମଣିଷ ଖପୁରୀ, ଧୂପ ଦୀପ, ମନ୍ଦାର ଫୁଲ ଇତ୍ୟାଦିରେ ପରିପୂର୍ଣ୍ଣ । ଠିକ ମଝିରେ ଏକ ହବନ କୁଣ୍ଡରେ ଅଗ୍ନି ପ୍ରଜ୍ବଳନ କରାଯାଇଛି । ସେ ଅଗ୍ନି ସହିତ ବାବାଙ୍କ କାମନାର ବହ୍ନି ବି ଦ୍ବିଗୁଣିତ ହେଉଥିଲା । ଏକ କୋଇଲା ଖଣ୍ଡରେ ଗୋଟିଏ ବୃତ୍ତ ଅଙ୍କା ଯାଇଥିବା ପରିଧି ଭିତରେ ଏସବୁ ପୂଜାର୍ଚନା । ଗୋଟିଏ ଢାଳରେ କିଛିଜଳ, ଆଉ ଗୋଟିଏ ଦନା (ପତ୍ର) ରେ ସିନ୍ଦୁର ମେଞ୍ଚେ ରଖାଯାଇଛି ଏବଂ ତା ସାମ୍ନାରେ ସିନ୍ଦୁର ବୋଲାଯାଇଥିବା କାଳୀଙ୍କର ଏକ ପଥରର ପ୍ରତିମୂର୍ତ୍ତି । ମୂର୍ତି ନିକଟରେ ରଖାଯାଇଛି ଏକ ମଣିଷ ମୁଣ୍ଡର ଖପୁରୀ ଆଉ ତା ପାଖରେ ଛୋଟ ଛୋଟ ହାଡ଼ ଖଣ୍ଡ ସବୁ । ବାଲୁକାର ଏକ ଶଯ୍ୟା ଉପରେ ନଡ଼ିଆ କେତୋଟି । ମାଁ କାଳୀଙ୍କ ପାଖରେ ଗୋଟିଏ ପାତ୍ରରେ ଅର୍ପଣ କରା ଯାଇଛି ମଦ । ପାଖରେ ବୋତଲ ମଧ୍ୟ ରଖାଯାଇଛି । ବିନିତା ସେତେବେଳେ ଗୋଟାପଣେ ଝାଳରେ ତିନ୍ତି ସାରିଥିଲେ । ବାବାର ଚେହେରା ଓ ପାରିପାର୍ଶ୍ବିକ ଅନୁଧ୍ୟାନରୁ ସେ ସ୍ପଷ୍ଟ ଜାଣିପାରୁଥିଲେ ଯେ ବାବାଟି ଜଣେ ତାନ୍ତ୍ରିକ । କଳା ଲମ୍ବା କେଶ ସହିତ ମୁହଁରେ ନିଶ ଦାଢ଼ିର ଅରଣ୍ୟ । କଳା ରଙ୍ଗର ଚିତାଟିଏ ନାକରୁ ଲମ୍ବିଛି ମୁଣ୍ଡ ପର୍ଯ୍ୟନ୍ତ । କଳା ବସ୍ତ୍ର ପରିହିତ, ବେକରେ ଲମ୍ବିଛି ଋଦ୍ରାକ୍ଷ ମାଳ ସହ ବିଭିନ୍ନ ରଙ୍ଗୀନ ପଥରର ମାଳି । ବାବା ତାର କାମନାର ଜ୍ୱାଳାରେ ଏତେ ମସଗୁଲ ଥିଲା ଯେ ବିନିତାଙ୍କ ଆଗମନର ସୂଚନାର ଟେର ପାଇନାହିଁ । ଏସବୁ ଦେଖି ବିନିତା ଖୁବ ଧେର୍ଯ୍ୟର ସହ ଯଶୋଦା ମୁହଁରେ ପାଣି ଛିଞ୍ଚିଲେ ଏବଂ ତାର ଅସଂଯତ ଲୁଗାପଟାକୁ ଠିକ କରି ସେ ସ୍ଥାନରୁ ତାକୁ ଉଠେଇବାକୁ ଚେଷ୍ଟା କଲେ । ଇତି ମଧ୍ୟରେ ବାବାର ମଧ୍ୟ ପୂର୍ବସଂଜ୍ଞା ଫେରି ଆସିଲା, ତା ପରେ ଯଶୋଦାକୁ ଛାଡି ବିନିତାଙ୍କ ସହ ଧସ୍ତା ଧସ୍ତି । ଭୟରେ ବିନିତାଙ୍କ ପାଟି ଖନୀ ମାରୁଛି, ବାବା ଗୋଟିଏ ହାତ ରେ ବିନିତାଙ୍କ ଚୁଟିକୁ ଧରି ଆଉ ଗୋଟିଏ ହାତରେ ତାଙ୍କ ପାଟିକୁ ଜାବୁଡି ଧରିଛି ।

   

ଠିକ ଏତିକି ବେଳକୁ ଯଶୋଦା ପ୍ରକୃତିସ୍ଥ ହୋଇ ସାରିଥିଲା । କାଳୀଙ୍କର ପାଖରେ ପଡିଥିବା ନଡିଆ ଗୋଟେ ଉଠାଇ ଆଣି ବାବାଙ୍କର ପଛପଟୁ ମୁଣ୍ଡକୁ ଲକ୍ଷକରି ଜୋରରେ ଆଘାତ ଦେଲା ବାବା ବିକଳ ହୋଇ ଭୂଇଁରେ ପଡିଗଲା ପରେ ବିନିତା ପ୍ରାଣ ବିକଳରେ ଯଶୋଦାର ହାତ ଭିଡି ଧରିଲେ ଏବଂ ଦୁହେଁ ଗୋଟିଏ ନିଶ୍ୱାସରେ ତଳକୁ ଓଲ୍ହାଇଲେ । ଏତେ ଘଟଣା ଘଟିଯିବା ପରେ ବି ବାବାଙ୍କ ଚେଲା ଗାୟବ ଥିଲା । ବୋଧହୁଏ ସେଇ ମାତୃଶକ୍ତି ହିଁ ପାପୀ କବଳରୁ ଯଶୋଦାର ରକ୍ଷା ପାଇଁ ତାକୁ ପଠେଇ ଦେଇଥିଲା ଅନ୍ୟତ୍ର ।

   

ତା ପରେ କଣ ହେଲା ତାହା ଜାଣିବାର ଆଉ କେବେ ଯଶୋଦା କି ବିନିତା ଚେଷ୍ଟା କରି ନାହାନ୍ତି । କିନ୍ତୁ ଏଇ ଘଟଣା ପରଠୁ ଯଶୋଦାର ମାତୃତ୍ବର ଆକାଂକ୍ଷାରେ ଭଟ୍ଟା ପଡିଯାଇଥିଲା ନିଶ୍ଚିତ ।

●●●

ବିଜୟିନୀ ପଣ୍ଡା

ଶିକ୍ଷୟିତ୍ରୀ

ମହମ୍ମଦପୁର ନୋଡାଲ ହାଇ ସ୍କୁଲ

ସମ୍ବଲପୁର

ଯଶୋଦା ବାବା ମାତୃତ୍ୱ

Rate the content


Originality
Flow
Language
Cover design

Comments

Post

Some text some message..