କାବ୍ୟାଭିଷେକ
କାବ୍ୟାଭିଷେକ
ହେ ବନ୍ଧୁ !
ହେ ମୋର ସାହିତ୍ୟ ସାଧକ !!
ହେ ସାରସ୍ବତ ସ୍ରଷ୍ଟା !!!
ହୁଅ ତୁମେ ଗାଳ୍ପିକ, ଔପନ୍ୟାସିକ ,
ହୁଅ କବି ଅବା ନାଟ୍ୟକାର ।
ସାଥି ମୋର ସୁଖରେ ଦୁଖରେ ।
ଭାଗୀଦାର ତୁମେ ମୋର ହସରେ କାନ୍ଦରେ।
ସାଥି ଟିଏ ପରି,
ସଖା ପଣେ
ମୋ' ଲୁହକୁ ପିଇ ଯାଅ
ହସରେ ବି ସାମିଲ୍ ହୁଅ ।
ତୁମେ ସ୍ରଷ୍ଟା !
ସମାଜର ହିତେ
ସୃଷ୍ଟି କର ଜ୍ଞାନର ସୌରଭ ।
ତୁମ ସୃଷ୍ଟି ଅବାଞ୍ଛିତ ନୁହେଁ,
ନୁହେଁ ନିରୁଦ୍ଦିଷ୍ଟ ।
ତୁମ କଲମର ଧାରେ
ଛିଞ୍ଚି ଦେଇଯାଅ
ସଂସ୍କାରର ରେଣୁ
ସମାଜର କୋଣେ କୋଣେ।
ରାଜା ତୁମେ
ସାହିତ୍ୟ ରାଜ୍ୟରେ ।
ରାଜାର ସମ୍ମାନ ପାଇଁ ତୁମେ ହକ୍ ଦାର ।
ସହନଶୀଳତା, ସୃଜନଶୀଳତା
ଥାଏ ତୁମ ଧମନୀରେ।
ବ୍ରହ୍ମା,ବିଷ୍ଣୁ, ମହେଶ୍ବର ପରି
ସୃଜି ପାର,ପାଳି ପାର,
ସଙ୍ଘାର ବି କରିପାର।
ହେ ପବିତ୍ର ସ୍ରଷ୍ଟା !
ପ୍ରଗତିର ଆବାହକ !!
ଚିର ନମସ୍ୟ ମୋ ପାଇଁ।
ତୁମ ବିଶାଳତା ଆଗେ
ମୁଁ କିଞ୍ଚିତ ସୂକ୍ଷ୍ମ ଶାଖାଟିଏ।
ଆସ ବନ୍ଧୁ,
ଆସ ସଖା,
ଆସ ମୋର ଚିର ସହଚର !
ଈର୍ଷା, ଦ୍ବେଷ,ପରଶ୍ରୀକାତରତା
ସବୁ ଏଡି ହେବା ଏକ
ରଚିଯିବା ଆମରି ରଚନା।
ଜନ୍ମ ନେବ ନୂତନ ସମାଜ।
ଏକ ସଂସ୍କରୀ ସମାଜ ପାଇଁ,
କାବ୍ୟାଭିଷେକରେ
ଅଭିଷିକ୍ତ ହେବ
ଆଗାମୀ ସମାଜ ।