STORYMIRROR

Kakali Mohapatra

Tragedy

3  

Kakali Mohapatra

Tragedy

ଉଚିତ୍ ଶିକ୍ଷା

ଉଚିତ୍ ଶିକ୍ଷା

11 mins
154


 ପିଲାଟା ଦିନରୁ ଝିଅଟା ଏମିତି ଡରକୂଳି ହେଇକି ରହିଲା। ସବୁବେଳେ ଡରକୂଳି ହେଇକି ରହିଲେ ଦୁନିଆ ସହିତ କେମିତି ଖାପଖୁଆଇ ଚଳିବ କେଜାଣି?ନେହା ମାଆ ତୁମେ ଟିକେ ବୁଝାଅ ନେହାକୁ ବୋଲି କହିଲେ ନେହାର ବାପା। ନେହାର ମାଆ ନେହା ପାଖକୁ ଯାଇ; ଦେଖ୍ ଝିଅ ତୁ ବଡ ହେଲୁଣି।ଶାନ୍ତ, ଶିଷ୍ଠ ,ନମ୍ର ,ଭଦ୍ର ହେବା ଠିକ୍ ଅଛି କିନ୍ତୁ ସବୁବେଳେ ଏସବୁ ଏତେଟା ଭଲ ନୁହେଁ। ଝିଅ ମାନେ ସବୁବେଳେ ଏମିତି ଶାନ୍ତ ରହିବା ନିହାତି ଆବଶ୍ୟକ। କିନ୍ତୁ ଏମିତି ସରଳ ସବୁବେଳେ ରହିଲେ ହବନି।ସବୁବେଳେ ଦୃଢ ହେବା ଶିଖେ। ମନ ଭିତରେ ଦମ୍ଭ ସୃଷ୍ଟି କରେ।ପରିସ୍ଥିତି ସବୁବେଳେ ସମାନ ରୁହେନି।କେତେବେଳେ ବି କାହା ଉପରେ ଏତେ ଭରସା କରିବୁନି କି କୈାଣସି କଠିନ ସମୟରେ ନିଜ ଉପରେ ଥିବା ଭରସା ତୁଟେଇବୁନି, ଧୈର୍ଯ୍ୟ ର ସହ ଉପାୟ ଚିନ୍ତାକରି ନିଜ ମନୋବଳ ଦୃଢ଼ କରିବୁ। ସବୁବେଳେ ଏମିତି ବାପାଙ୍କ ସାଙ୍ଗ ଛାଡେ। କାଲି ଯେତେବେଳେ ତୁ ଚାକିରୀ କରିବୁ ତାହାଲେ କଣ କରିବୁ। ସାଙ୍ଗରେ କଣ ବାପାଙ୍କୁ ନେଇକି ଯିବୁ ଅଫିସ଼୍। ବାପା ଅଫିସ୍ ବାହାରେ ଅପେକ୍ଷା କରିବେ ଦିନସାରା ଆଉ ତୁ ଅଫିସ ସାରି ତାଙ୍କ ସାଙ୍ଗ ରେ ଆସିବୁ।ଏ ସମାଜର ଲୋକମାନେ ନା ସବୁବେଳେ ସରଳତାର ଫାଇଦା ଉଠେଇବାକୁ ଚେଷ୍ଟା କରନ୍ତି। ଆଉ ଫାଇଦା ଉଠେଇବା ପରେ କେହି କାହା ମୁହଁକୁ ବି ଚାହାଁନ୍ତିନି। ଆଜି ତୋର ଦୋଷ ନଥାଇ ବି ତୁ ସମସ୍ତଙ୍କୁ କ୍ଷମା ମାଗି ନିଜ ଉପରକୁ ଦୋଷ ନେଇଯାଉଛୁ ଯଦି କାଲି ତୋ ସାଙ୍ଗରେ କେହି ଭୁଲ୍ କାମ କରିବେ ତାହାଲେ;।କହି ନେହାକୁ ବୁଝଉ ଥାଆନ୍ତି ତାର ମାଆ। ମୁଁ କଣ କରିବି ଯେ ମାଆ, ସତରେ ମୋର ହିଁ ଦୋଷ ଥାଏ ସବୁବେଳେ। ନେହାର ମାଆ କହିଲେ ନିଜ ଦୋଷ ଦେଖବା ସହ ସମସ୍ତଙ୍କ ଦୋଷ ଧରିବାକୁ ଚେଷ୍ଟା କରେ। ମୁଁ ତୋତେ ପିଲାଟି ଦିନରୁ ବୁଝେଇ ବୁଝେଇ ଥକି ଗଲାଣି ହେଲେ ତୁ ବୁଝୁନୁ।ସେମିତି କାନ୍ଦକୁ ସାଙ୍ଗରେ ଧରି ବସିଛୁ। ଶକ୍ତ ହଅ ନେହା ଶକ୍ତ। ମୁଁ ଯେତେ ଚେଷ୍ଟା କଲେ ବି ନିଜକୁ ଶକ୍ତ କରିପାରୁନି ମାଆ କହିଲା ନେହା।

              ନେହା ପିଲାଟି ଦିନରୁ ବହୁତ ନମ୍ର, ଲଜ୍ୟାଶୀଳା।ମାଛିକୁ ମ'କୁହେନି।କିଏ କିଛି ଯଦି ତାକୁ କହିବେ ନା, ସେମାନଙ୍କୁ ଓଲଟା ଜବାବ ନ ଦେଇ ବସି କାନ୍ଦିବ। ଦୋଷ ନଥିଲେ ନିଜେ ଯାଇ ଦୋଷୀକୁ କ୍ଷମା ମାଗିବ। କାନ୍ଦ ହେଉଛି ତାର ସାଥି। ଦିନେ ନ କାନ୍ଦିଲେ ଯେମିତି ତାର ମନ ମାନେନି। ବହୁତ ସ୍ନେହି ମଧ୍ୟ। ସ୍ନେହରେ ଯଦି କିଛି କିଏ କହିଦିଏ ତାହାଲେ ତା କଥାରେ ସେ ଭାସିଯାଏ। ନେହା ର ଘର ଠାରୁ ୪ କି.ମି ଦୂରରେ ଥିବା କଲେଜରୁ ସ୍ନାତକ ଶିକ୍ଷା ସାରି ଏବେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ନେହା ର ବାପା କହିଲେ ଯାଇ କୋଚିଂ ସେଣ୍ଟର ରେ ପଢିବା ପାଇଁ।କିନ୍ତୁ ଘର ପାଖରେ ସେମିତି କିଛି କୋଚିଂ ର ବ୍ୟବସ୍ଥା ନଥିଲା। ଯାହା ବି ଘର ଠାରୁ ପ୍ରାୟ ଚାଳିଶ କି.ମି ଦୂରରେ। କିନ୍ତୁ ଏତେ ବାଟ ନେହା ଯିବା ପାଇଁ ନାରାଜ୍।ନେହା ବାପାଙ୍କର କିନ୍ତୁ ଗୋଟିଏ ଜିଦ୍ ସେ ସେଠାରେ ହିଁ ପାଠ ପଢିବ। ବାପାଙ୍କର ମୂଖ୍ୟ ଉଦେଶ୍ୟ ହେଲା ଘର ଠାରୁ ବାହାରେ ରହିଲେ ଝିଅ ସ୍ମାର୍ଟ ହେବ। ସମସ୍ତଙ୍କ ସାଙ୍ଗରେ ମିଶିଲେ ସେ ଜାଣିବ ଏ ବାହାର ଦୁନିଆ ବିଷୟରେ, ସବୁବେଳେ ଘର ପାଖାପାଖି ରହିଲେ ସେ ଏମିତି ହିଁ ରହିଯିବ‌। ବାପା ମାଆ ବୁଝେଇ ସୁଝେଇ ବହୁତ ବାଧ୍ୟ ବାଧକତାରେ ସେମାନଙ୍କର ମନ ରଖିବା ପାଇଁ ରାଜି ହେଲା ନେହା।ପ୍ରେରଣା କୋଚିଂ ସେଣ୍ଟରରେ ଆଡମିଶନ କରି ସେଠାରେ ସେ କୋଚିଂ ନେଲା। କିନ୍ତୁ ନିଷ୍ପତ୍ତି ନେଲା ସେ ହଷ୍ଟେଲରେ ରହିବନି। ପ୍ରତିଦିନ ଯାଇ ପୁଣି ଫେରିବ ଘରକୁ। ପ୍ରଥମ ଦିନ ସେ ତା ବାପାଙ୍କ ସାଙ୍ଗରେ ଗଲା। ବସ୍ ରେ ଯିବା ସମୟରେ ତଳକୁ ମୁଁହ କରି ଚୁପଚାପ୍ ବସିକି ଯାଏ‌ ଆଉ ଚୁପଚାପ୍ ଫେରେ। ସବୁବେଳେ ବସ୍ ରେ ଯିବା ସମୟରେ ମଳୟ ନାମକ ଏକ ଯୁବକ ତାର ହାବ ଭାବକୁ ଲକ୍ଷ୍ୟ କରୁଥାଏ। ଈଛା ଥିଲେ ମଧ୍ୟ ସେ ନେହା ସାଙ୍ଗରେ କଥା ହେବାର ସୁଯୋଗ ପାଇନି। ଏମିତି କିଛି ଦିନ ଲକ୍ଷ୍ୟ କରି କରି ଶେଷରେ ସେ ବସ୍ ରେ ନେହା ବସିଥିବା ସିଟ୍ ପାଖରେ ଏକ ସିଟ୍ ପାଇଲା ବସିବା ପାଇଁ।କିଛି ସମୟ ପରେ ମଳୟ ପଚାରିଲା ନେହାକୁ ;

--- କ୍ଷମା କରିବେ! ପାଣି ରଖିଛନ୍ତି କି ଆପଣ ? ଆଜି ମୁଁ ପାଣି ବୋତଲଟା ଆଣିବାକୁ ଭୁଲିଯାଇଛି।

ନେହା କିଛି ଉତ୍ତର ଦେଲାନି।

--- ହ୍ୟାଲୋ ? ଆପଣଙ୍କୁ କିଛି ପଚାରୁଛି ମୁଁ।

ନେହା ବହୁତ କଷ୍ଟରେ ଉତ୍ତରରେ ଦେଲା ମୁଁ ଅଚିହ୍ନା ଲୋକଙ୍କ ସାଙ୍ଗରେ କଥା ହୁଏନି।

--- ଅଚିହ୍ନା ଲୋକଙ୍କ ସହ କଥା ହୁଅନ୍ତିନି ଠିକ୍ ଅଛି। କିନ୍ତୁ କିଏ ଯଦି ଆପଣଙ୍କୁ ଅସୁବିଧା ସମୟରେ ସାହାଯ୍ୟ ମାଗୁଥିବ। ତାହାଲେ କଣ ଆପଣ ମୁଁହ ଆଡେଇ ଚାଲିଯିବେ?

--- ସେମିତି କିଛି ପରିସ୍ଥିତି ମୋ ସାମ୍ନାକୁ ଆସିନି ଏ ପର୍ଯ୍ୟନ୍ତ। ଯଦି କେବେ ଆସେ ତାହେଲେ ମୁଁ ଚିନ୍ତା କରିବି।

--- ସେ ସମୟ ତ ଆପଣଙ୍କ ସାମ୍ନାରେ ଏବେ। ମୋତେ ବହୁତ ଶୋଷ ଲାଗୁଛି ହେଲେ ଆପଣ ମୋତେ ସାହାଯ୍ୟ କରୁନାହାଁନ୍ତି। ଜଳ ଦାନ ଠାରୁ ପୂଣ୍ୟ କାର୍ଯ୍ୟ ଆଉ କିଛି ନାହିଁ ଏ ସଂସାରରେ ମାଡାମ୍।

ଅଯଥା କଥା ନ କହି ନେହା ବ୍ୟାଗ୍ ରୁ ପାଣି ବୋତଲ କାଢି ଧରେଇ ଦେଲା। ମଳୟ ପାଣି ପିଇସାରି ବୋତଲଟି ବଢେଇଦେବା ସମୟରେ ନେହାର ହାତରେ ତା ହାତ ବାଜିଗଲା। ନେହା ଅଧିକ କିଛି ନ କହି ଚୁପ୍ ଚାପ୍ ବସିଲା।

--- ବହୁତ ବହୁତ ଧନ୍ୟବାଦ ତୁମକୁ। ଠିକ୍ ସମୟରେ ପାଣି ଦେଇ ମୋ ଶୋଷ ମେଣ୍ଟେଇଥିବାରୁ।

--- ଧନ୍ୟବାଦ ଦଉଛି ମାଡାମ୍ କିଛି ତକୁହନ୍ତୁ ?

   ବସ୍ ଷ୍ଟପେଜ୍ ହେଇଯିବାରୁ ନେହା ତୁରନ୍ତ ବସ୍‌ରୁ ଓହ୍ଲେଇ ଚାଲିଯାଇଛି କୋଚିଂକୁ। ମଳୟ ବସ୍ ଝରକା ପାଖ ଦେଇ ଦେଖିଦେଲା କୋଚିଂ ସେଣ୍ଟରକୁ। ଏବଂ ମନେ ମନେ ଭାବିଲା ଓହଃ ମାଡାମ୍ ତାହାଲେ ଏଇଠି ପଢୁଛନ୍ତି। ବହୁତ ସୁନ୍ଦରୀ କିନ୍ତୁ।ମାଡାମ୍ ଙ୍କ ହରିଣୀ ଆଖି ଦେଖି ଦେଲେ ତ ମୋ ହୃଦୟ ଭିତର ଟା ଖାଲି କଣ ହେଇଯାଉଛି।ବାଃ! ହାତର ସ୍ପର୍ଶରେ ମୋର ମନ ଖାଲି ଆନ୍ଦୋଳିତ ହେଇଯାଉଥିଲା।ଏତେ ଶାନ୍ତ ଶିଷ୍ଠ ଝିଅ ତ ମୁଁ ପ୍ରଥମ ଥର ପାଇଁ ଦେଖିଲି।ହାବଭାବ ବହୁତ ଅଜବ ଲାଗୁଥିଲା କିନ୍ତୁ।ଏତେ ଦିନ ଦେଖି ଦେଖି ପାଖରେ ପାଇଥିଲି ହେଲେ ଦେଖ ନାଁ ଟା ପଚାରି ପାରିଲିନି।ହଉ ଦେଖିବା ଆଗକୁ ଆଉ ଥରେ ଦେଖାମିଳୁ।

          ପ୍ରତିଦିନ ଏମିତି ମଳୟ ବସ୍ ରେ ସିଟ୍ ରଖେ ନେହା ପାଇଁ। ମଳୟ ଧିରେ ଧିରେ ନେହା ସହିତ ବନ୍ଧୁତା ଆରମ୍ଭ କରିଲା। ନେହା ମଧ୍ୟ ମଳୟ ସହ ମିଶି ସବୁବେଳେ ବସ୍ ରେ ଯିବା ଆସିବା କରେ। ବନ୍ଧୁତା ଧିରେ ଧିରେ ଘନିଷ୍ଠ ହେବାକୁ ଲାଗିଲା। ମଳୟ ଦିନେ ହଷ୍ଟେଲ ରେ ରହିବାକୁ ନେହାକୁ ପ୍ରସ୍ତାବ ରଖିଲା। ଆଉ କହିଲା ଏମିତି ସବୁଦିନ ବସରେ ଯିବା ଆସିବା କରିବା ବି ଠିକ୍ ନୁହେଁ କେତେବେଳେ ସୁବିଧା ଅସୁବିଧା ଅଛି।ଆଉ ମୁଁ ବି ଏଇ ପାଖରେ ରୁମ୍ ନେଇ ମେସ୍ କରି କିଛି ସାଙ୍ଗ ମାନଙ୍କ ସହିତ ରହିବି।ତୁମର କିଛି ସୁବିଧା ଅସୁବିଧାରେ ଆପାତତଃ ତୁମ ପାଖରେ ତ ମୁଁ ଠିଆ ହେଇପାରିବି ନା। ନେହା ୟା ଭିତରେ ମଳୟ ସହିତ ଅଧିକ ମିଶିଯାଇଥିଲା। ଏତେ ଭଲ ଦାୟିତ୍ଵବାନ୍, ଯତ୍ନବାନ ବନ୍ଧୁଟେ ପାଇ ନିଜକୁ ଗର୍ବ ଅନୁଭବ କରୁଥିଲା। ଏମିତି ବନ୍ଧୁ ସେ ତା ଜୀବନରେ କେବେ ବି ଦେଖିନି।କି ସେ କୈାଣସି ବନ୍ଧୁଙ୍କ ସାଙ୍ଗରେ ଏତେ ଘନିଷ୍ଠ ହୁଏ ନାହିଁ ମଧ୍ୟ। ସବୁବେଳେ ନିଜ ପଢା ସାରି ଘରକୁ ଆସିଯାଏ।

     

         ହଷ୍ଟେଲ ରେ ରହିବାକୁ ନେଇ ବହୁତ ଚିନ୍ତା କରି, ଶେଷରେ ଭାବିଲା ମଳୟ ହୁଏତ ଠିକ କଥା କହିଛନ୍ତି।ନେହା ନିଜ ବାପା ମା'ଙ୍କୁ ହଷ୍ଟେଲ ରେ ରହିବା କଥା କହିଲା।ବାପା ମାଆ ମଧ୍ୟ କୈାଣସି ଆପତ୍ତି କରିଲେନି। ବାପାଙ୍କ ସହ ଯାଇ ଏକ ମହିଳା ହଷ୍ଟେଲ ରେ କଥାବାର୍ତ୍ତା କରି ରହିଲା।ଫୋନ୍ ଟେ ନଥିବା ହେତୁ ବାପା ତାକୁ ଗୋଟେ ଫୋନ୍ କିଣିକି ଦେଲେ।

ମଳୟ ମନେମନେ ନେହାକୁ ଭଲପାଇ ବସିଥିଲା। ଆଉ ନେହା ମଧ୍ୟ ମଳୟକୁ। ହଷ୍ଟେଲ ରେ ରହିବା ପରେ ମଳୟ ସହ ଅଧିକ ମିଶୁଥିଲା ସେ, ଯେହେତୁ ତାର କେହି ବି ଭଲ ସାଙ୍ଗ ନଥିଲେ କି ସେ କାହା ସହ ଭଲରେ ମିଶିପାରେନି। ମଳୟ ଦିନେ ଫୋନ୍ କରି କହିଲା, ନେହା କାଲି ତୁମକୁ ଗୋଟେ କଥା କହିବି। ହେଲେ ତୁମେ ରାଗିବନି ତ ? ନେହା କହିଲା ; କଣ କଥା ଏମିତି କହିବ କି ମୁଁ ରାଗିଯିବି। ମଳୟ କହିଲା ସବୁ ସପ୍ରାଇଜ୍। କିନ୍ତୁ ଆମେ ଗୋଟେ ନିରୋଳା ସ୍ଥାନକୁ ଯିବା ସେଠି କହିବି। କଣ? ରାଜି ତ ମୋ କଥାରେ?? ନେହା କହିଲା ମୁଁ ଭାବିକି କହିବି। ମଳୟ କହିଲା ଭାବିବ କଣ ଯେ ତୁମର କଣ ମୋ ଉପରେ ବିଶ୍ୱାସ ନାହିଁ ? ନେହା କହିଲା ନା ନା ସେମିତି କିଛି ନାହିଁ ତୁମ ଉପରେ ମୋର ବହୁତ ବିଶ୍ଵାସ। ହଉ ଠିକ୍ ଅଛି କୋଉଠି କି ଯିବାକୁହ ? ତୁମେ କାଲି ଠିକ୍ ଚାରିଟା ବେଳକୁ ବାହାରିକି ଥିବ। ମୁଁ ଯାଇ ତୁମକୁ ହଷ୍ଟେଲ ରୁ ନେଇ ଆସିବି କହିଲା ମଳୟ।ତାପର ଦିନ ନେହା ଠିକ୍ ଚାରିଟା ସମୟରେ ବାହାରିକି ଆସି ଠିଆ ହେଲା ହଷ୍ଟେଲ ଗେଟ୍ ବାହାରେ। ମଳୟ ବାଇକ୍ ରେ ଆସି ନେହାକୁ ନେଇକି ଗଲା। ପାଖରେ ଥିବା ଏକ ପାର୍କକୁ। ନେହା କହିଲା ପାର୍କ। ବହୁତ ସୁନ୍ଦର‌। ମଳୟ କହିଲା ତୁମେ ବି।ଆଛା ତୁମେ ଏବେକୁହ ମୋତେ କଣ କହିବାକୁ ଚାହୁଁଥିଲ ? ଚାଲ ପ୍ରଥମେ ଆମେ କିଛି ଖାଇବା ତାପରେ ଯାଇ କହିବି କହିଲା ମଳୟ। ନେହା କହିଲା ନା ତୁମେକୁହ ଆଗ ତାପରେ ଯାଇ ଖାଇବା। ଓହଃ କେତେ ଜିଦିଆ ଝିଅ ଟା ତୁମେ। ହଁ ଏବେକୁହ କଣ କହିବ ବୋଲି କହୁଥିଲ ? ମଳୟ କହିଲା ମାନେ ମୁଁ କଣ କହୁଥିଲି କି,। କଣ କହୁଥିଲକୁହ ଶୀଘ୍ର ନେହା କହିଲା। ମଳୟ ପକେଟ୍ ରୁ ଲାଲ୍ ଗୋଲାପ ଟିଏ କାଢି ଦେଇ ଗୋଟେ ଗୋଡ ରେ ଆଣ୍ଠେଇ ବସି ପଡିଲା ନେହା ସାମ୍ନାରେ।କହିଲା; ନେହା! ଆମେ କଣ ଆମର ଏ ଘନିଷ୍ଠ ବନ୍ଧୁତ୍ବକୁ ଆଗକୁ ବଢେଇ ଏକ ସଂପର୍କ ର ରୂପରେଖ ଦେଇପାରିବାନି। ନେହା ଏସବୁ ଶୁଣି କିଛି ଦୂରକୁ ଚାଲିଗଲା ଏବଂ ମଳୟ ମଧ୍ୟ ତା ପଛେ ପଛେ।କଣ ହେଲା ନେହା ତୁମେ ସେଠାରୁ ଚାଲିଆସିଲ ଯେ...କିଛି ତକୁହ।ତୁମେ ଏମିତି ଚୁପ୍ ରହିଲେ ମୋତେ ଭଲ ଲାଗୁନି। ନେହା କହିଲା ; ତାହାଲେ ଏହି କଥା କହିବାକୁ ମୋତେ ଏଠିକି ଆଣିଥିଲ।ମଳୟ କହିଲା ହଁ, ମାନେ ମୁଁ ଜାଣିଛି ମୁଁ ଯେତିକି ତୁମକୁ ଭଲପାଏ ତୁମେ ମଧ୍ୟ ସେତିକି ମୋତେ ଭଲପାଅ। ତୁମ ଆଖି ରୁ ମୋ ପ୍ରତି ତୁମ ପ୍ରେମ ସ୍ପଟ ବାରି ପାରୁଛି ମୁଁ। କିନ୍ତୁ ମୁଁହ ଖୋଲି କହୁନ।ନେହା କହିଲା ନା ମୁଁ ତୁମକୁ ଭଲପାଏନି। ମୁଁ ଆମ ଦୁହିଁଙ୍କ ଭିତରେ କେବଳ ବନ୍ଧୁତା ହିଁ ଦେଖିଛି।ତେଣୁ ତୁମେ ଏସବୁ କହି ଆମ ବନ୍ଧୁତ୍ବ ଉପରେ ଛିଟା ଲଗାଅନି।ମଳୟ ମନଦୁଃଖ ରେ କିଛି କହିବା ପୂର୍ବରୁ ବୁହାଟେ ହସିଲା ନେହା। ମଳୟ କହିଲା ମୁଁ ବହୁତ ସିରିୟସ୍ ଅଛି କିନ୍ତୁ ତୁମେ ହସୁଛ ? ନେହା କହିଲା; ମୋତେ କ୍ଷମା କର ମଳୟ। ମୁଁ ତୁମକୁ ବହୁତ ଭଲପାଏ। ଜୀବନରେ ପ୍ରଥମ ଥର ପାଇଁ ତୁମ ପାଖରେ ମୁଁ ଏତେ ହସ ଖୁସିରେ ଜୀବନକୁ ଜିଉଁଛି। ଏ ନେହା କେତେ ଶାନ୍ତ ସରଳ ଥିଲା। କାହାକୁ ପଦେ ପାଟି ଖୋଲିକି କିଛି କେବେକୁହେନି, କିନ୍ତୁ ତୁମ ପାଖରେ ମୁଁ ଆଜି ମୁକ୍ତ ଆକାଶରେ ଉଡିବୁଲୁଥିବା ଚଢେଇ ଟେ ସାଜିଛି। ଜାଣିଛ ମଳୟ ମୋତେ ଘରୁ ପଦାକୁ ଗୋଡ କାଢିଲା ମାନେ ସତରେ ବହୁତ ଡର ଲାଗେ। କିନ୍ତୁ ତୁମ ପାଖରେ ଥିଲା ବେଳେ ମୁଁ ନିଜକୁ ବହୁତ ସୁରକ୍ଷିତ ମନେ କରେ। ମଳୟ ନିଜ ଆଖି ରୁ ବୋହି ପଡୁଥିବା ଦି ଟୋପା ଲୁହକୁ ଗୋଟେ ଆଙ୍ଗୁଠି ରେ କାଢି ଫୋପାଡିଦେଲା। ଆଉ କହିଲା; ମୁଁ ଜାଣିଥିଲି ନେହା ତୁମେ ମୋତେ ବହୁତ ଭଲପାଅ।ପ୍ରଥମ ଦେଖାରୁ ହିଁ ମୁଁ ତୁମକୁ ଭଲପାଇ ବସିଥିଲି।ନେହା ଯାଇ ମଳୟ ଛାତିରେ ଆଉଜି ଗଲା।ଆଉ କହିଲା ତୁମେ ମୋତେ କେବେ ଧୋକା ଦବନି ନା।ସତ କହୁଛି ତୁମ ବିନା ମୁଁ ବଞ୍ଚି ପାରିବିନି।ଗୋଟେ ମୂହୁର୍ତ୍ତ ତୁମଠାରୁ ମୋର ଅଲଗା ହେବାକୁ ଇଛା ନାହିଁ।ମଳୟ କହିଲା ମୁଁ ତୁମକୁ କଥା ଦଉଛି ସୁନ୍ଦରୀ; ମୁଁ ମୋ ପ୍ରିୟତମାକୁ ମୋ ପାଖରୁ କେବେ ବି ଅଲଗା ହେବାକୁ ଦେବିନି। ତୁମ ମୁଣ୍ଡ ଉପରେ ହାତ ଥୋଇକି ଶପଥ କରୁଛି ମୁଁ।

                   ଦୁହିଁଙ୍କ ପ୍ରେମ କାହାଣୀ ଅତି ସୁନ୍ଦର ଭାବରେ ଆଗେଇଥିଲା। ଫୋନ୍ ରେ କଥାବାର୍ତ୍ତା ସହ ଚାଟିଙ୍ଗ୍ ସେମାନଙ୍କ ମଧ୍ୟରେ ଦୂରତା ଥିବା ସତ୍ତ୍ବେ ମଧ୍ୟ ଅତି ନିକଟରୁ ଦୁହେଁ ଦୁହିଁଙ୍କୁ ଅନୁଭବ କରୁଥିଲେ‌। ନେହା ନିଜ ମନପ୍ରାଣ ଦେଇ ଭଲପାଉଥିଲା ମଳୟକୁ। ଅଗାଧ ବିଶ୍ଵାସ ଭରଷା କରୁଥିଲା ନିଜ ପ୍ରେମିକ ଉପରେ।ମଳୟ ଯେତେବେଳେ ଯାହାକୁହେ ଆଖି ବନ୍ଦ କରି ସେ ସବୁ ବିଶ୍ଵାସ କରିଯାଏ ତା କଥାକୁ। ନିଜକୁ ସୁରକ୍ଷିତ ମନେ କରି ମଳୟ ସହିତ ବହୁତ ସ୍ଥାନ ଭ୍ରମଣ ରେ ମଧ୍ୟ ଯାଇଛି ସେ। ଏମିତି ଭାବରେ ସେମାନଙ୍କ ପ୍ରେମ ଗୋଟିଏ ବର୍ଷ ରେ ପଦାର୍ପଣ କରିଲା। ଏକବର୍ଷ ମଧ୍ୟରେ ମଳୟକୁ ସଂପୂର୍ଣ୍ଣ ଭାବରେ ବିଶ୍ୱାସ କରିଯାଇଥିଲା ନେହା।ମଳୟ ର କିଛି କଥାକୁ ଯଦି ନେହା ମନା କରେ, ତାହାଲେ ମଳୟ ତାକୁ ସବୁଦିନ ପାଇଁ ଛାଡିଚାଲିଯିବାର ଧମକ ଦିଏ। ନେହା ନିଜ ପ୍ରେମକୁ ହରେଇଦେବା ଭୟରେ ମଳୟ ସମସ୍ତ କଥାକୁ ଅନିଚ୍ଛା ସତ୍ତ୍ବେ ବାଧ୍ୟ ରେ ସମ୍ମାନ ଜଣାଏ‌।

    ଛୁଟି ଥିବାରୁ ନେହା ହଷ୍ଟେଲରୁ ଘରକୁ ଆସିଥିଲା। ମଳୟ ଫୋନ୍ କରି କହିଲା; ନେହା! ଛୁଟି ଅଛି ତୁମେ ଆସନା ଆମେକୁଆଡେ ବୁଲିବାକୁ ଯିବା। ନେହା ରୋକ୍ ଠୋକ୍ ମନା କରିଦେବାରୁ ମଳୟ କହିଲା ଦେଖ' ତୁମେ ଜଦି ନ ଆସିବ ତାହାଲେ ମୁଁ ଆତ୍ମହତ୍ୟା କରିଦେବି। ମୁଁ କିଛି ଶୁଣିବାକୁ ଚାହୁଁନି, ଠିକ୍ ସମୟରେ ଆସି ପହଞ୍ଚିଯାଅ ତାପରେ ଆମେ ଯିବା।କହି ଫୋନ୍ କାଟିଦେଲା଼। ନେହା ମନେ ମନେ ବହୁତ ଭାବିଲା। କଣ କରିବି, ଏ ଛୁଟି ସମୟରେ ବି କଣ କରିବି। ହଷ୍ଟେଲ ତ ଏବେ ଛୁଟି ଅଛି, ଘରେ କଣ କହିକି ଯିବି।ଯିବା କଥା କହିଲା ମାନେ ବାପା ଖାଲି ପ୍ରଶ୍ନ ବାଣ ମାରିବେ। ସେପଟେ ନଯିବି ଯଦି ସିଏ ପୁଣି କଣ ନାହିଁ କଣ କରିବସିବେ। ହେ ଭଗବାନ ମୋତେ ବିଷମ ପରିସ୍ଥିତି ରୁ ଉଧାର କର। ଏତେ ଜିଦିଆ ମଣିଷ। ଚିନ୍ତା କରି କରି ଶେଷରେ ମାଆଙ୍କ ପାଖରେ ଯାଇ କହିଲା; ମାଆ ମୁଁ ଟିକେ କୋଚିଂକୁ ଯିବି, ଏବେ ଫୋନ୍ ଆସିଥିଲା। କଣ ଜରୁରୀ କାମ ଅଛି। ମୋତେ ଏବେ ଯିବାକୁ ପଡିବ। ହେଲେ ଏବେ ତ ଛୁଟି ଅଛି ବୋଲି ତୁ କହୁଥିଲୁ‌ ବୋଲି ତା ମାଆ ପଚାରିଲେ। ନେହା କହିଲା ହଁ କହୁଥିଲି ଯେ, ହେଲେ ଏବେ ସାଙ୍ଗେ ସାଙ୍ଗେ ଫୋନ୍ ଆସିଲା। ତୁ ଯାଇକି ବାପାଙ୍କୁ କହ। ମୋତେ ଟିକେ ନେଇ ବସ୍ ରେ ବସେଇଦେବେ। ବାପାଙ୍କୁ କହିବା ପରେ ନେହା ଠାକୁରଙ୍କୁ ମୁଣ୍ଡିଆ ମାରି ବାହାରିଲା। ଠିକ୍ ସମୟରେ ଯାଇ ପହଞ୍ଚିଲା ମଳୟ ପାଖରେ। ମଳୟ; ନେହାକୁ ପାଖରେ ପାଇ ବହୁତ ଖୁସି ହେଇଗଲା। ନେହା କହିଲା , ଦେଖ ତୁମେ ମୋତେ ସବୁବେଳେ ଏମିତି ବ୍ଲାକମେଲ୍ କରନି। ଏମିତି କ'ଣ କିଏ କହେ ଆତ୍ମହତ୍ୟା କରିଦେବି ବୋଲି। ମଳୟ କହିଲା ହଉ ବାବା ମୋ ଧନ ଟା ତୁମେ ଆଉ ରାଗନି‌। ମୁଁ କ'ଣ କରିବି ଯେ ତୁମେ ଆସିବାକୁ ମନା କରିଦେଲ ମୋତେ ଭଲ ଲାଗିଲାନି। ସେଥିପାଇଁ ଏମିତି କହିଦେଲି।

       ଦୁହେଁ ବୁଲିବାକୁ ଗଲେ... ବହୁତ ବୁଲିଲେ ହସ ଖୁସିରେ, ମଉଜ ମସ୍ତି କରିଲେ।ମଳୟ କହିଲା ଚାଲ ଯିବା ଆମ ମେସ୍କୁ। କେବେ ବି ଯାଇନ ଆମ ରୁମ୍କୁ। ମୋ ସାଙ୍ଗ ମାନେ ତୁମକୁ ଦେଖିବେ ବୋଲି ମୋତେ ଆଉ ରଖେଇ ଥୋଇ ଦଉନାହାଁନ୍ତି। ନେହା କହିଲା ନା ବାବା ନା, ମୁଁ ତୁମ ରୁମ୍କୁ ଯାଇପାରିବିନି। ସେଠି ତୁମ ସାଙ୍ଗ ମାନେ ଅଛନ୍ତି। ଦୟାକରି ମୋତେ ବାଧ୍ୟ କରନି। ତୁମ ସବୁ କଥାରେ ମୁଁ ରାଜି କିନ୍ତୁ ମେସ୍କୁ ଯାଇପାରିବିନି।ମଳୟ କହିଲା ଦେଖ ତୁମେ ଯଦି ନ ଯିବ ତାହାଲେ ପକେଟ୍ ରୁ ଏସିଡ୍ ବୋତଲ ଟେ କାଢି କହିଲା ମୁଁ ଏସିଡ୍ ପିଇ ଦେବି। ନେହା କହିଲା ଦୟାକରି ସେମିତିକୁହନି। ତୁମେ ମୋ ଠାରୁ ଦୂରେଇ ଯିବା କଥା ଶୁଣିଲେ ମୋତେ ଜମା ବି ଭଲ ଲାଗେନି। ହଉ ତାହାଲେ ଚାଲ। ଦୁହେଁ ମଳୟ ର ମେସ୍ ରେ ଯାଇ ପହଁଚିଲେ।

       ମଳୟ ର ଚାରି ଜଣ ସାଙ୍ଗ ଆସି ନେହାକୁ ପାଛୋଟି ନେଲେ। ନେହା ସେମାନଙ୍କ ହାବ ଭାବ ସବୁକୁ ଲକ୍ଷ୍ୟ କରୁଥାଏ,; ତାକୁ କିଛି ବି ଠିକ୍ ଲାଗୁନଥାଏ। ମଳୟ ସହ ତାର ଚାରିଜଣ ଆସି ହଠାତ୍ ବସିଗଲେ ନେହା ସାମ୍ନାରେ। ମଳୟ କହିଲା; ମାଁଇ ଡିଅର ନେହା ଡାର୍ଲିଂ! ଆଜି ନା ମୁଁ ତୁମକୁ କିଛି ମାଗିବି! ନେହା ଥଙ୍ଗେଇ ଛେପକୁ ଢୋକି କି କହିଲା ମାଗିବ ମାନେ କଣ ମାଗିବ। ଦେଖ ଦୟାକରି ଆମେ ଚାଲ ଏଠାରୁ ଚାଲିଯିବା; ମୋତେ ଏଠି କିଛି ବି ଠିକ୍ ଲାଗୁନି। ମଳୟ ର ଦୁଇ ଜଣ ସାଙ୍ଗ କହିଲେ..କ'ଣ ମ ଭାଉଜ କିଛି ଠିକ୍ ଲାଗୁନି। ଏଠାରେ ସବୁ ଠିକ୍ ଅଛି‌। ତୁମେ ଆଦ୍ୟୈ ବ୍ୟସ୍ତ ହୁଅନି।ମଳୟ ଯାହା ଯାହା ସବୁ କହୁଛି ତୁମେ ସେମିତି ହିଁ କରିଚାଲ। ମଳୟ କହିଲା ସାଙ୍ଗ ଯା କଣ ସବୁ ମାଲ୍ ପାଣି ର ବ୍ୟବସ୍ଥା କରିଛୁ ନେଇକି ଆସେ। କିନ୍ତୁ ନେହା ସେମାନଙ୍କ କାର୍ଯ୍ୟକଳାପକୁ ଖାଲି ଲକ୍ଷ କରୁଥାଏ। କିଛି ବି ପ୍ରତିକ୍ରିୟା ଦଉନଥାଏ। ମଳୟ କହିଲା; ନେହା ଡାର୍ଲିଂ ତୁମ ର ମନେ ଅଛି ପ୍ରଥମ ଦେଖା ରେ ତୁମେ ତୋର ଶୋଷକୁ ମେଣ୍ଟେଇଥିଲ। କିନ୍ତୁ ଆଜି ତୁମେ ଆମ ପାଞ୍ଚ ଜଣଙ୍କ ର ଭୋକ ଶୋଷ ସବୁ ମେଣ୍ଟେଇବ। ନେହା ଏସବୁ ଶୁଣି ବୁଝିସାରିଥିଲା ତା ସାଙ୍ଗରେ କଣ ହେବାକୁ ଯାଉଛି। ପୁଣି ମଳୟ କହିଲା ଆମ କଥା ରେ ଭଲରେ ଭଲରେ ରାଜି ହେଇଯା ନହେଲେ ତୋ ମୁଁହ ରେ ମୁଁ ଏସିଡ୍ ଢାଳିଦେବି। ନେହା ସେହି ସ୍ଥାନରୁ ଡରି ନ ଯାଇ ଉଠିପଡିଲା‌। ବାରମ୍ବାର ତା କାନରେ ଖାଲି ବାଜୁଥିଲା ତା ମାଆଙ୍କ ର ଠିକ୍ ସେହି କଥା " ଶକ୍ତ ହ ନେହା ଶକ୍ତ! ମନୋବଳ ଦୃଢ ରଖେ। ଦୃଢ଼ତାର ସହ କହିଲା ହେ ଧୋକ୍କାବାଜ୍ ପ୍ରେମିକ! ଏସିଡ୍ ଢାଳିବୁ ତ ମୋ ଉପରେ ଢାଳ୍ ଏସିଡ୍। ଢାଳେ ପରା କହୁଛି। ମୁଁ ଜାଣିଛି ତୁ କେବେ ବି ମୋ ଉପରେ ଢାଳିପାରିବୁନି କାହିଁକି ନା ତୋ ଏସିଡ୍ ମୋ ପାଖରେ ଅଛି। ଆଉ ଆଜି ତୁ ମୋ ଉପରେ ନୁହେଁ। ମୁଁ ତୁମ ମାନଙ୍କ ଉପରେ ଏସିଡ୍ ଢାଳିବି। ମଳୟ ତା ପକେଟ୍ ରୁ ଏସିଡ୍ କାଢିଲା ବେଳକୁ ତା ପକେଟ୍ ରେ ଏସିଡ୍ ନାହିଁ। ପୁଣି ନେହା କହିଲା କ'ଣ ଏସିଡ ଖୋଜୁଛୁ ତୋ ଏସିଡ ଆଜି ମୋ ପାଖରେ। ସବୁବେଳେ ତୁମକୁକର ମାନଙ୍କ ହାତରେ ସମୟ ନଥିବ ରେ ପାପୀ। ଏବେ ନିଶ୍ଚୟ ଝିଅ ମାନେ ଧରାପୃଷ୍ଠକୁ ସ୍ଵୟଂ ଦୁର୍ଗା ରୂପ ଧାରଣ କରି ଅବତାରଣା କରିବେ ତୁମ ମାନଙ୍କ ନର ରାକ୍ଷାସ ମାନଙ୍କ ର ସଂହାର କରିବାକୁ। ମଳୟ ସହ ତାର ଚାରିଜଣ ସାଙ୍ଗ ପରସ୍ପରକୁ ଦେଖି ଆଶ୍ଚର୍ଯ୍ୟ ହେଉଥାଆନ୍ତି।ପ୍ରେମମୟୀ,ସ୍ନେହମୟୀ ନାରୀ ର ଗର୍ଭରୁ ତୁମେ ପାପୀ ଗୁଡାକ କେମିତି ଜନ୍ମୁଛ କେଜାଣି। ତୁମ ମାନଙ୍କର ସବୁବେଳେ ଭାବିବା ଭୁଲ୍ ଯେ ଗୋଟେ ନାରୀ ତୁମକୁ ଚିତ୍କାର କରି ଗୁହାରି କରୁଥିବ ଛାଡିଦିଅ ଛାଡିଦିଅ ବୋଲି। କିନ୍ତୁ ଆଜି ତୁମେ ମାନେ ଚିତ୍କାର କରିବ। ଏବେ ତୁମେ ମାନେ ଭାବୁଥିବ ମୋ ହାତକୁ ଏସିଡ଼ କେମିତି ଆସିଲା। ତୁମ ମାନଙ୍କରେ ଦୁର୍ଭାଗ୍ୟ ଯେ ମୁଁ ତୁମ ଚାଲ୍କୁ ଆଗରୁ ବୁଝିଗଲି।ଏ ନିର୍ଲଜ୍ଜ ମଳୟ ତୁମକୁ ଯେତେବେଳେ ଫୋନ୍ ରେ କହୁଥିଲା ସବୁ ରେଡି ହେଇକି ଥାଅ ମୁଁ ଏବେ ନେଇକି ଯାଉଛି ତାକୁ; ସେସବୁ ଶୁଣି ତା କଥାରୁ ମୁଁ ସବୁ ବୁଝିଯାଇଥିଲି। ଆଉ ସେ ମୂର୍ଖ ମଳୟ ମୋତେ ଆଉ ଟିକେ ବୁଝିବାରେ ସାହାଯ୍ୟ କରିଦେଇଥିଲା ଯେତେବେଳେ ସେ ଏସିଡ୍ ବାହାର କରି ମୋତେ ଏସିଡ଼ ପିଇ ଦେବାର ବାହାନା କରିଥିଲା। ଆଉ ଗାଡ଼ିରେ ତା ସହ ଆସିବା ସମୟରେ ମୁଁ ତା ପକେଟ୍ ରୁ ଏସିଡ୍ ବୋତଲ ଟା ନେଇଆସିଥିଲି ।ନେହା ର କ୍ରୋଧ ଜର୍ଜରିତ ଲାଲ୍ ଆଖିକୁ ଦେଖି ପଛକୁ ପଛକୁ ଘୁଷୂରୀ ଘୁଷୂରୀ ଯାଉଥିଲେ ପାଞ୍ଚ ଜଣ। ଆଉ ନେହା ସ୍ୱୟଂ ଦୂର୍ଗା ରୂପ ଧାରଣ କରି ହାତରେ ତ୍ରିଶୂଳ ସଦୃଶ ଏସିଡ୍ ବୋତଲ ଧରି ଆଗକୁ ଆଗକୁ...। ପଞ୍ଚ ରାକ୍ଷାସ ବହୁତ ଗୁହାରି କରୁଥାଆନ୍ତି ଏସିଡ୍ ନ ପକେଇବା ପାଇଁ। କିନ୍ତୁ ସେମାନଙ୍କ ଗୁହାରି ନେହା କାନ ରେ ତିଳେ ମାତ୍ର ପଡୁନଥାଏ। ନେହା କହିଲା ଆଜି ତୁମ ମାନଙ୍କର ନିସ୍ତାର ନାହିଁ କହି ସମସ୍ତଙ୍କ ମୁହଁରେ ଢାଳିଦେଲା ଏସିଡ଼। ଆଉ କହିଲା ଯଦି ମୋ ଭଳି ତୁମ ନର ରାକ୍ଷାସ ମାନଙ୍କ ର ଚାଲ୍ ଏ ନୀରିହ ଝିଅ ମାନେ ଜାଣିଦିଅନ୍ତେ ନା ତାହାଲେ ତୁମ ଭଳି ସବୁକୁକର୍ମ କରୁଥିବା ଗୋଟେ ଗୋଟେ ରାକ୍ଷାସ ମାନଙ୍କ ଅବସ୍ଥା ଏମିତି ହୁଅନ୍ତା ଆଉ ଏ ଧରାପୃଷ୍ଠରେ ଜନ୍ମନ୍ତେ ସହ ସହ ଦୂର୍ଗତୀନାଶିନୀ।

       ନେହା ସେମାନଙ୍କୁ ଛଟପଟ ଅବସ୍ଥାରେ ଦେଖି ହସି ହସି ଚାଲିଗଲା ସେଠାରୁ ସିଧା ପୋଲିସ୍ ଷ୍ଟେସନ। ସେଠାରେ ଯାଇ ଗୋଟି ଗୋଟି କରି ସବୁ ଘଟଣା ଜଣେଇଲା। ସଂନ୍ଧ୍ୟାରେ ରେ ସହରର ବଡ ଖବର ଥିଲା, "ନେହା" ଅନ୍ୟ ପାଇଁ ପ୍ରେରଣା ର ଉତ୍ସ"। ପାଞ୍ଚ ଜଣ ଦୃର୍ବୁତ୍ତଙ୍କୁ ସାହାସ ର ସହ ମୁକାବିଲା କରି ପୋଲିସ ହାତରେ ଧରେଇ ଦେଇଥିବା ନିର୍ଭୟା ଯୁବତୀ ।ନେହାର ଏ ଦୁଃସାହସିକ କାର୍ଯ୍ୟ ପାଇଁ ସମସ୍ତେ ବାଃ ବାଃ କରୁଥିଲେ। କିନ୍ତୁ ଏସବୁ କାର୍ଯ୍ୟ ପାଇଁ ନେହାର ତିଳେ ହେଲେ ମଧ୍ୟ ଅବଶୋଷ ନଥିଲା, କାହିଁକି ନା ତା ନାଁ ପୂର୍ବରୁ ଦୁଷ୍କର୍ମ ପୀଡ଼ିତା ର ନାମକରଣ ରୁ ସେ ନିଜକୁ ରକ୍ଷାକରି ପାରିଥିଲା।

(ଅତ୍ୟାଚାର ର ଶୀକାର ହେବା ପରେ ଝିଅ ର ନାଁ ନିର୍ଭୟା ଦେବା ଅପେକ୍ଷା ଅତ୍ୟାଚାର ର ସମ୍ମୁଖୀନ ହେବା ପାଇଁ ଝିଅ ମାନଙ୍କୁ ନିର୍ଭୟା କରି ଗଢିତୋଳିବା ଉଚିତ୍)

(କାଳ୍ପନିକ ବିଷୟବସ୍ତୁ)



Rate this content
Log in

Similar oriya story from Tragedy