STORYMIRROR

Anirudha Kund

Tragedy

3  

Anirudha Kund

Tragedy

ଶୀତୁଆ ସକାଳ

ଶୀତୁଆ ସକାଳ

2 mins
236


ମଗୁଶିର ମାସ,ସକାଳୁ ସକାଳୁ ରାମ ବାବୁ ବାହିରି ପଡିଛନ୍ତି ସକାଳ ଭ୍ରମଣ (morning walk) ରେ, ଥୁରୁ ଥୁରୁ ଶୀତ ଦେହ ହାତ ଥରେଇ ଦେଉଛି, ହେଲେ ୮୦ ବର୍ଷର ରାମ ବାବୁ ଯୁବ ସୁଲଭ ଉଦ୍ଦମତା ରେ ଭରପୁର, ତାଙ୍କୁ ଏହି ଶୀତ କି ରୋକି ପାରିବ।


କପେ ଚା ପିଇ ଦେଇ ,ମୁଣ୍ତରେ ଝିଅ ଦେଇଥିବା ମଫଲର ଗୁଡେଇ ଦେଇ ଚାଲିଲେ, ଶୀତୁଆ ସକାଳ ର କାକର ଭିଜା ଘାସ,ପତର ଓ ଫୁଲ ସତରେ ଆଦ୍ୟ ଯୌବନରେ ମସଗୁଲ, ଚୁଇଁ ଚୁଇଁ ଚଢେଇ ମାନଙ୍କ କିଚିରି ମିଚିରି ଶବ୍ଦ ପରିବେଶ କୁ ବେଶ ମନମୁଗ୍ଧକର କରି ତୋଳି ଧରିଛି। ପାର୍କରେ ଚାଲୁ ଚାଲୁ ଦୁଇଘଣ୍ଟା ବିତିଗଲାଣି,କଅଁଳ ସୂରୁଜ ଆସି ଘାସ ଗାଲିଚାରେ ଗଡପଡ ହୋଇ ଅଳସ ଭାଙ୍ଗିଲାଣି,ଘରକୁ ଫେରିବାର ବେଳ।


ରାମ ବାବୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପଛରୁ କିଏ ଡାକ ଦେଲା ...ରାମ ବାବୁ ଭୁବନେଶ୍ବର ରେ କେବେଠୁଁ...ଆରେ ଦୁଃଖିଶ୍ଯାମ ତୁ ଏଠି...


ହଁ ମୁଁ ପାର୍କ ପଛ ପଟେ ରହୁଛି ,ଆଜକୁ ଦଶ ବରଷ ହେଲା,ତୁ କେବେ ଠୁଁ ଏଠି। ଗତ ସପ୍ତାହରେ ଆସିଛି,ପୁଅ ଏଠି କେନ୍ଦ୍ରସରକାର ଙ୍କ ଅଧିନସ୍ଥ ଏକ ସଂସ୍ଥାରେ ଉଚ୍ଚ ପଦସ୍ଥ କର୍ମଚାରୀ ଅଛି,ମଝିରେ ମଝିରେ ଆସେ।


 ଆଉ ତୁ କଣ କରୁଛୁ, ଦଶବରଷ ହେଲା ଏଠି ,ଅବସର ପରେ ଗାଁର ଜମି ବାଡି ବିକି ଦେଇ ,ପୁଅ ସହ ଆମେ ଦୁଇ ପ୍ରାଣୀ ଆମେରିକା ପଳାଇଗଲୁ, କିନ୍ତୁ ସେଠି ଜମାରୁ ମନ ବୁଝିଲାନି....ପୁଅ ବୋହୁ ଦୁହେଁ ତାଙ୍କ ଅଫିସ କାମରେ ସକାଳୁ ବାହାରି ଯାଆନ୍ତି ଆଉ ଆସୁ ଆସୁ ରାତି ,କଥା ହେବାକୁ ସମୟ ନଥାଏ ,ଜୀବନଟା ପୁରା ଚାରିକାନ୍ଥ ମଧ୍ୟରେ ରହିବାକୁ ପଡୁଥିଲା, ତେଣୁ ଭାବିଲି ଗାଁକୁ ଫେରିଆସିବି ହେଲେ ଗାଁର ସମ୍ପତି ତ ବିକି ଦେଇଥିଲି, ଯାହା ସଞ୍ଚୟ ଥିଲା ଏଇଠି ଜାଗା କିଣି ଘର କରି ରହୁଛି ,ଉପର ଘରୁ ଯାହା ଭଡା ଆସୁଛି ଆମେ ଦୁଇ ପ୍ରାଣୀ ଚଳି ଜାଉଛୁ, ପୁଅ ତ ଆମେରିକାରେ ରହିଲା ,ଘରକୁ ଫେରିବା କଥା ଜମା ଧରୁନି,ଛାଡ୍ ସେ କଥା


ତୋ ଖବର କାଣ,ତୋ ପୁଅତ ଭୁବନେଶ୍ବର ରହୁଛି ,ତୋର ଚିନ୍ତା କଣ। ଗାଁ ରେ ଭାଇ ବନ୍ଧୁଙ୍କ ସହ ରହି ତୁ ମଝିରେ ମଝିରେ ଭୁବନେଶ୍ବର ଆସୁଛୁ ,ସତରେ ରାମ ବାବୁ ତୁମେ ହିଁ ଭାଗ୍ୟ ପାଇଛ।


ହେଲେ ରାମବାବୁ ଭାବୁଥାନ୍ତି ସେ କିଛି କହିବେ ନା ନାହିଁ,ସେ କେବଳ ଭୁବନେଶ୍ବର ଆସନ୍ତି ଫସଲ ଅମଳ ହେଲେ କି ଗାଁ ପୋଖରିରି ମାଛ ଧରା ହେଲେ ,ଯାହା ଆଣିଥାନ୍ତି ତାହା ଦେଇଦେଇ ଘରୁ ଯିବାକୁ ପଡେ, ନ ଆଣି ଦେଲେ ଦୋଷ କିମ୍ବା ବେଶୀଦିନ ରହିଲେ ଏଠି ଦୋଷ,ଭାଗ୍ୟକୁ ଆଦରି ଗାଁ ରେ ପଡିଛନ୍ତି। 


 କିଛି କହିବା ପୂର୍ବରୁ ନାତି ଟୋକା ସୋନୁ ପାର୍କରେ ଆସି ଜେଜଙ୍କୁ କହିଲା , କଣ ଗାଁକୁ ଯିବନି ,ଡେରି ହେଉଛି ,ବସ ପଳାଇବ , ଜଲ୍ ଦି ଆସ ,ବାପା ଅଫିସ ଗଲାବେଳେ ନେଇ ବସେଇ ଦେବେ।


ନାତିର ଡାକରେ ରାମ ବାବୁଙ୍କ ଦେହରୁ ଗମ ଗମ ହୋଇ ଝାଳ ବୋହିଗଲା , ଶୀତୁଆ ସକାଳ ଟା ବୈଶାଖର ଝାଇଁ ଖରା ପରି ଟାଇଁ ଟାଇଁ ଲାଗୁଥିଲା।


ଦୁ୍ଃଖିଶ୍ଯାମ ବାବୁଙ୍କୁ ଅନାଇ କହିଲେ ଘରକୁ ଯାଉଛି ,ପରେ ଆସିଲେ କେତେବେଳେ ଦେଖା ହେବା , ରାମବାବୁ ଭାବୁଥାନ୍ତି ଭାଗ୍ୟରେ ଥିଲେ ପୁଣି ଶୀତୁଆ ସକାଳ ଆସିବ ଓ ଦୁ୍ଃଖିଶ୍ଯାମ ସହ ଦେଖା ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy