Anirudha Kund

Tragedy

4.0  

Anirudha Kund

Tragedy

ହରେକୃଷ୍ଣ ବାପୁଲି ନନା

ହରେକୃଷ୍ଣ ବାପୁଲି ନନା

2 mins
172



ମାସକ ତଳର କଥା। ଏକ ଅପରିଚିତ ଫୋନ ନମ୍ବର ରୁ ପରିଚିତ କଣ୍ଠ ସ୍ବର ଭାସି ଆସୁଥିଲା..


ହରେକୃଷ୍ଣ ବାପୁଲି ନନା... କଣ ଜାଣିପାରିଲ । 


କହି ଉଠିଲି ଫୋନ ନମ୍ବର ଅପରିଚିତ ହୋଇ ପାରେ ହେଲେ ଏ କଣ୍ଠ ସ୍ବର ତ ଅତି ଆପଣାର, ଯାହା ହୃଦୟରେ ବସି ଯାଇଛି ତାକୁ କିପରି ଜାଣିପାରିବିନି କହିଲୁ କୁନୁ।

କୁନୁ ମୋର ମାମୁଁ ଙ୍କ ପୁଅ, ମୋ ଠାରୁ  ବୟସରେ ଛୋଟ ,କିନ୍ତୁ ସାଙ୍ଗ ଭଳି।ତା'ର ମୋର ଭାରି ଭଲ।

ହସି ପକାଇଥିଲା ସେ, ହସରେ ଫୁଟି ପଡୁଥିଲା ଆତ୍ମିୟତା ର ଝଲକ,ପୁଣି କହିଥିଲା କର୍ମମୟ ଜୀବନର ବ୍ୟସ୍ଥତା ମଧ୍ୟରେ ସମୟ ମିଳୁନି ସବୁ ବେଳେ ଫୋନ କରିବାକୁ,ଆଜି ଭାବିଲି ଯେମିତି ବି ହେଉ ହରେକୃଷ୍ଣ ଙ୍କ ପାଖରେ ଟିକେ ହାଜିରା ପକେଇ ଦେବି। ମୋତେ ସେ ପ୍ରେମରେ ହରେକୃଷ୍ଣ ବୋଲି ସମ୍ବୋଧନ କରେ।


ମୁଁ ଆଉ ଭଡା ଘରେ ରହୁନି,ଏଥର ଆସିଲେ କଟକରେ ମୋ ପାଖରେ ରହିବ , ପୁଣି ଆମେ ଏଠି ଟିକେ ବୁଲାବୁଲି କରିବା ଆଉ ବାଦାମବାଡିର ମାରୱ୍ବାଡି ଭୋଜନାଳୟରେ ଖାଇବା। ଭାବପ୍ରବଣ କରିଦେଇଥିଲା ଏଇ କେତେ ପଦ ପ୍ରେମମୟ କଥା। ହଁ ମାରିଥିଲି ଓ ଆଶା ରଖିଥିଲେ ଓଡିଶା ଗଲେ ନିଶ୍ଚୟ ତା ପାଖକୁ ଯିବି ,କିଛି ସମୟ ହସଖୁସି ରେ ତା ସହ ବିତାଇ ପୁରୁଣା ସ୍ମୃତିର ଅଥଳ ପାଣିରୁ ବୁଡମାରି କିଛି ସ୍ମୃତିର ଶାମୁକା ସାଉଣ୍ଟି ଆଣିବି ।


ଆଜି (୧୭ ଅପ୍ରିଲ ୨୦୨୧) ବିଶ୍ବବ୍ୟାପୀ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ତଥା ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ ତରଫରୁ ବେତାର ବାଣୀ ସେବାରେ ସ୍କନ୍ଦ ପୁରାଣର କଥାମୃତ ରେ ସଂଯୋଜକ ଭାବେ ଦାୟିତ୍ବ ତୁଲାଉ ଥାଏ , ଦେଇର ଫୋନ ଆସିଲା ..ବାପୁ ସର ଦାଦାଙ୍କ ପୁଅ କୁନୁ ଆଉ ନାହିଁ।


ଝାଁ ଝାଁ ଶବ୍ଦରେ କାନ ଫାଟି ପଡିଲା,ଧର୍ଯ୍ୟହରା ହୋଇ ପଡିଲି।ୱେବିନାର ର ଦାୟିତ୍ବ ହସ୍ତାନ୍ତର କରି ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲି। ବିଶ୍ବାସ କରିପାରିଲିନି ନିୟତିର ନିୟମ ଏତେ ନିଷ୍ଠୁର କେମିତି?


ସକାଳେ ତ ଫୋନ କରି ବାବୁ ନନାଙ୍କ ସାଥିରେ କଥା ହୋଇଥିଲି,ତାଙ୍କୁ ମୁଁ ଆଶ୍ବସ୍ଥ କରାଇତିଲି ସଦଗୁରୁ ହସ୍ପିଟଲ୍ ସହ ମୋ ଡାକ୍ତର ସାଙ୍ଗ କଥା ହୋଇଛି ,ଯଦିଓ କୁନୁ ର ସ୍ବାସ୍ଥ୍ୟ ବିଷମ ପରିସ୍ଥିତିରେ ଅଛି ,ତଥାପି ଦୟାମୟ ଶ୍ରୀଜଗନ୍ନାଥ ଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ବାସ ,ସେ ଆମ କୁନୁକୁ ଭଲ କରି ଫେରାଇଦେବେ।


ବିଧିର ବିଧାନ । କେ କରିବ ଆନ ॥


ସବୁ ପ୍ରାର୍ଥନାକୁ ମହାପ୍ରଭୁ ଅଗ୍ରାହ୍ୟ କରିଦେଲେ ,ବୋଧହୁଏ ଆମ ମାନଙ୍କ ଠାରୁ ସେ ଆମ କୁନୁକୁ ବେଶି ଭଲ ପାଉଛନ୍ତି ,ପାଖକୁ ନେଇଗଲେ ତା ସହ ତାଙ୍କର ଦିବ୍ୟଲୀଳା ଖେଳା କରିବାକୁ।

ଆମକୁ ପର କରିଦେଇ କୁନୁର ଅମର ଆତ୍ମା ପକ୍ଷୀ ସିନା ତା' ରକ୍ତମାଂସର କ୍ଷଣ ଭଙ୍ଗୁର ପଞ୍ଜୁରୀ ପରିତ୍ଯାଗ କରି ସଦଗତି ସନ୍ଧାନରେ ପରମତ୍ମାଙ୍କ ନିକଟକୁ ଗମନ କରିଛି ।


ଗାଁ ଝୁରୁଛି ତାକୁ ,ସଂସାର ଝୁରୁଛି ତା'ର ହସ ହସ ମୁହଁ, ଶାନ୍ତ,ସରଳ,ଭଦ୍ର,ମିଷ୍ଟଭାଷୀ ବ୍ୟକ୍ତିତ୍ବ,ପରୋପକାର ପଣିଆକୁ ।


ସଂସାରକୁ ଆସିଲା ବେଳେ କୁନୁ କୁଆଁ କୁଆଁ କରି କାନ୍ଦିଥିଲା ଆଜି ସାରା ସଂସାର ତା' ପାଇଁ କାନ୍ଦୁଛି । 


କୁନୁର ଉଚାରଣ ଆଉ ଆଚରଣ ତାକୁ ଅମର କରିଦେଇଛି ସମସ୍ତଙ୍କ ମନ ମନ୍ଦିର ରେ। ତା' ପାଇଁ ସମସ୍ତଙ୍କ ଚକ୍ଷୁ ଆଜି ସଜଳ।


ଜାଣେ ସେଠାକୁ ଯିଏ ଯାଏ ଆଉ ଫେରେନା, ସେ ତ ଅଫେରା ରାଇଜକୁ ଯାଇ ସାରିଛି ମୋହ ମାୟା୍ର ବନ୍ଧନ ତୁଟାଇ ତଥାପି ଭାବୁଛି କ'ଣ ଆମ କୁନୁ ଆଉ ଫେରିବ.....ହରେକୃଷ୍ଣ ବାପୁଲିନନା କହିବ ।


କୁନୁ ଗଲାନି ଯେ ହରେକୃଷ୍ଣ ବାପୁଲିନନା ଡାକ ଟା ତା ସାଂଗରେ ଧରି ଚାଲିଗଲା ।


ବିଶ୍ବ ବେଦନା ର ବଇଦ, ଅଖିଳ ବ୍ରହ୍ମାଣ୍ତର ମହାନାୟକ ଦେବାଦି ଦେବ ଶ୍ରୀଜଗନ୍ନାଥଙ୍କ ଚରଣ କମଳରେ ଏ ଅଧମର ମିନତି କୁନୁର ହସଖୁସି ର ସଂସାରକୁ ତୁମେ ଘଣ୍ଟ ଘୋଡାଇ ରଖ।  


ଓଁ ଶାନ୍ତିଃ ....


Rate this content
Log in

Similar oriya story from Tragedy