ଶେଷ ଶ୍ରାବଣ
ଶେଷ ଶ୍ରାବଣ
ମୁଁ ଆମ ଗାଆଁ ଠାରୁ ପଚାଶ କିଲୋମିଟର ଦୂରରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥାଏ । ଏହା ଥିଲା ମୋ ଜୀବନର ପ୍ରଥମ ଚାକିରି । ବିଦ୍ୟାଳୟ ପାଖରେ ଥିଲା ଏକ ଚାଳ ଛପର ଘର । ସେହି ଘରେ ରହୁଥିଲେ ଏକ ମଧ୍ୟ ବୟସ୍କା ମହିଳା ଓ ସୁଢଳ ଯୁବତୀ । ଧୀରେ ଧୀରେ ସବୁଦିନେ ଦୂରରୁ ଦେଖା ହୋଇ ମୋର କାହିଁ ତା ପ୍ରତି ଦୁର୍ବଳତା ଆସିଯାଇଥିଲା । ଏହା ମୋ ବୟସର ଉଦ୍ଦାମତା ଅବା ପ୍ରେମର ପ୍ରଗଳ୍ଭତା ନିଜେ ବି ଜାଣିପାରିନଥିଲି । ଏହା ପରେ ଭାବର ଆଦାନ ପ୍ରଦାନ ହେଲା । ତା ପରେ ତା ହାତ ଧରିବାକୁ ଇଚ୍ଛା କଲି । ମାତ୍ର ଜାତିଗତ ପାର୍ଥକ୍ୟ ଯୋଗୁଁ ବିବାହର ଅନେକ ପ୍ରତିବନ୍ଧକ ଆସିଲା ମୋ ପରିବାର ଆଡୁ । ଶେଷରେ ସମସ୍ତଙ୍କୁ ନ ଜଣାଇ ମୋ ପ୍ରେମକୁ ଲୁଚି ଲୁଚି ବିବାହର ରୂପ ଦେଲି । ଯାହା ପାଇଁକି ଅନେକ କଟାକ୍ଷ ଓ ପରିବାରଠାରୁ ଅଲଗା ହେବାକୁ ପଡିଲା । ଶେଷରେ ମୋ ପରିବାର କହିଲେ ସେଇ ଛୋଟ ଘର । ମୁଁ, ମୋ ସ୍ତ୍ରୀ ସୁଲୋଚନା ଓ ମୋ ଶାଶୁଙ୍କ ସହ ଜୀବନ ଠିକ୍ ଠାକ୍ ଚାଲୁଥାଏ ।
ଦିନେ ଏକ ଖୁସି ଖବର ଶୁଣି୍ଲି । ଆମ ପରିବାରରେ ଆଉ ଜଣେ ଆସିବାର ସୂଚନା ଶୁଣି ମୋ ଗୋଡ ଆଉ ତଳେ ଲାଗିଲା ନାହିଁ । ଚାହୁଁ ଚାହୁଁ ଦିନଗୁଡା କେମିତି କଟିଯାଉଥିଲା । ସମୟ ଆସିବାରୁ ଡାକ୍ତରଙ୍କ ପାଖକୁ ଗଲୁ । ଡାକ୍ତର ଉପଯୁକ୍ତ ସମୟରେ ସ୍ତ୍ରୀଙ୍କୁ ଓଟିକୁ ନେଲେ । ସେଦିନର ଦୃଶ୍ୟ ଗୋଟି ଗୋଟି କରି ଆଖି ଆଗରେ ନାଚି ଯାଉଛି । ଜଣେ ଦିଦି ମୋ ହାତରେ ମୋ ଗୁଲୁଗୁଲିଆ ପରୀକୁ ଧରାଇଦେଲେ । ଆନନ୍ଦରେ ମୋ ଗୋଡ ତଳେ ଲାଗଲା ନାହିଁ । କିଛି ସମୟ ପରେ ଝିଅ କାନ୍ଦିବାରୁ ଶାଶୁଙ୍କ କୋଳକୁ ଦେଇଦେଇ ଡାକ୍ତରଙ୍କ ପାଖକୁ ଯାଇ ସୁଲୋଚନା ବିଷୟରେ ପଚାରିଲି । ମାତ୍ର ସାରଙ୍କ ଉତ୍ତର ଶୁଣି ମୋ ପାଦ ତଳ ମାଟି ଖସି ପଡିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୋ ସୁଲୋଚନାକୁ ଆଉ ଡାକ୍ତର ବଞ୍ଚାଇ ପାରିଲେ ନାହିଁ । ଝିଅ ଜନ୍ମର ଖୁସି ନା ସୁଲୋଚନାର ହରାଇବାର ଦୁଃଖ । କାହା ପାଇଁ କଣ କରିବି କିଛି ବି ଜାଣି ପାରୁ ନ ଥାଏ । ଯାହାହେଉ ନିଜକୁ ନିୟନ୍ତ୍ରଣ କରି ଶାଶୁଙ୍କ ସହ ଘରକୁ ଆସିଲି ।
ନିଜକୁ ଅନେକ ମାତ୍ରାରେ ଦୃଢ କଲି । ସ୍ତ୍ରୀ ମୃତ୍ୟୁର କ୍ରିୟା କର୍ମ ସହିତ ଝିଅର ଜନ୍ମ କାର୍ଯ୍ୟ ଯଥାମତେ ସମ୍ପାଦନ କଲି ।
ଧୀରେ ଧୀରେ ଝିଅ ବଡ ହେବାକୁ ଲାଗିଲା । ନା ତାର ଦେଇଥିଲି ରଙ୍କି । ତାର କଅଁଳ ଓଠର ହସ ଯେମିତି ସବୁ ଦୁଃଖ ଦୂରେଇ ନେଲା । ଲୋକେ ଦ୍ୱିତୀୟ ବିବାହ ପାଇଁ ଯେତେ କହି୍ଲେ ବି ମୋ ମନ ଖାଲି ମୋ ରଙ୍କି ହସରେ ଥାଏ । ତାକୁ କିପରି ଭଲରେ ରଖିବି ତାହା ହିଁ ସ୍ଥିର କଲି । ଏମିତି ଦିନ ପରେ ଦିନ ଗଡି ଚାଲିଲା । ଝିଅର ହେତୁ ହେଲାରୁ ମୋତେ ତା ମାଆ ବିଷୟରେ ପଚାରିଲେ ମୁଁ ଆକାଶର ତାରାକୁ ଦେଖାଏ । ଭାରି ଜିଦ୍ କରେ ମାଆ ପାଖକୁ ଯିବାକୁ । ଯେଣ ତେଣ ଉପାୟରେ ତାକୁ ବୁଝାଇ ଶୋଇଦିଏ । ପୁଣି କେବେ ଜିଦ୍ ଧରେ ଭାଇ ପାଇଁ । ତାକୁ କହେ ବଡ ହୋ ଆମେ ଉଡାଜାହାଜରେ ମାଆ ପାଖକୁ ଯିବା । ସେ ତୋ ପାଇଁ ଭାଇ ରଖିଛି । ସେଠାରୁ ତୋ ଭାଇକୁ ଆଣିବା ।
ଚାହୁଁଚାହୁଁ ଝିଅକୁ ସାତ ବର୍ଷ ହୋଇଯାଇ ଥାଏ । ଝିଅ ଦ୍ୱିତୀୟ ଶ୍ରେଣୀରେ ପଢୁଥାଏ । ହଠାତ୍ ଦିନେ ଦେଖିଲି ଆମ ସ୍କୁଲକୁ ଜଣେ ମହାଶୟ ଆସିଲେ । ନିଜକୁ ପାଖ ରେଳ ଷ୍ଟେସନର କର୍ମଚାରୀ ବୋଲି ପରିଚୟ ଦେଲେ । ଆସିବାର ଅଭିପ୍ରାୟ ପଚାରିବାରୁ କହିଲେ ମୋ ଝିଅ ଓ ପୁଅ ଏହି ସ୍କୁଲ୍ ରେ ପଢିବେ । ଝିଅ ପ୍ରଥମ ଓ ପୁଅ ଦ୍ୱିତୀୟ । ମୁଁ ବିଦ୍ୟାଳୟର ନିୟମ ଅନୁସାରେ ସେମାନଙ୍କର ନାମ ପଞ୍ଜୀକରଣ କଲି । ତା ପରଦିନ ସେ ଭାଇ ଭଉଣୀ ବିଦ୍ୟାଳୟରେ ଯୋଗ ଦେଲେ । ପୁଅଟିକୁ ନେଇ ମୋ ଝିଅ ପାଖରେ ଓ ଝିଅଟିକୁ ପ୍ରଥମ ଶ୍ରେଣୀରେ ବସାଇ ଦେଲି ।
ସମୟ ଗଡି ଚାଲିଲା । ଧୀରେ ଧୀରେ ମୋ ଝିଅ ଓ ସେ ପୁଅଟିର ଘନିଷ୍ଠତା ବଢି ଚାଲିଲା । ସାଙ୍ଗ ହୋଇ ଖେଳିବା, ପଢିବା, ଖାଇବା ସବୁ କିଛି । ମୋ ଝିଅର ଜନ୍ମ ଦିନରେ ତାଙ୍କ ପରିବାରକୁ ନିମନ୍ତ୍ରଣ କରେ । ତାଙ୍କ ପରିବାର ମଧ୍ୟ ଆମମାନଙ୍କୁ ତାଙ୍କ ପରିବାରର ସମସ୍ତ ଶୁଭ କାମରେ ନିମନ୍ତ୍ରଣ କରନ୍ତି । ଏମିତି ଭାବେ ସେଇ ଛୋଟ ପିଲାଙ୍କ ସମ୍ପର୍କ ଆମ ଦୁଇ ପରିବାରକୁ ଘନିଷ୍ଠ କରିଦେଲା ।
ଯେହେତୁ ମୁଁ ଶିକ୍ଷକ, ଛୁଟିରେ ରହିବା ମୋର ପ୍ରାୟତଃ କମ୍ । ମୋ ଝିଅବି ମୋ ସାଙ୍ଗରେ ସ୍କୁଲ୍ ଯାଉଥିବାରୁ ସେ ବି ଅନୁପସ୍ଥିତ ରହେନା । ହେଲେ ତା
ସାଙ୍ଗ ପୁଅଟି ଯେବେ ଯାଏନା ସେ ଭାରି ମନ ଊଣା କରେ, ଯେମିତି ସେ ଘରେ କିଛି ଛାଡି ଯାଇଛି । ମୋ ଝିଅର ଅସ୍ଥିରତା ମୋ ମନରେ ଭ୍ରମ ସୃଷ୍ଟି କରେ । ଭବିଷ୍ୟତରେ କିଛି ଅଘଟଣର ଝଲକ ମୋ ମନକୁ ଇତଃସ୍ତତ କରେ ।
ଏ ବର୍ଷ ଝିଅର ପଞ୍ଚମ ହେଲା । ବିଦ୍ୟାଳୟର ପାଠପଢା ଆରମ୍ଭ ହେଲା । ଶ୍ରାବଣ ମାସ । ବର୍ଷା ଋତୁ । ଯେତେ ବର୍ଷା ହେଲେ ବି ଦୁଇ ସାଙ୍ଗଙ୍କର ସ୍କୁଲ୍ ଯିବା ବନ୍ଦ ହୁଏ ନାହିଁ । ମାସର ଶେଷ ସପ୍ତାହ । ଲଘୁଚାପ ବି ହୋଇଥାଏ । ସୋମବାର ଦିନ ଆମେ ସ୍କୁଲ୍
ଯାଇଥାଉ । ମାତ୍ର ଝିଅର ସାଙ୍ଗଟି ଆସି ନ ଥାଏ । ମୋ ଝିଅ କିନ୍ତୁ ମୋତେ ବାରମ୍ବାର ଆସି ନ ଆସିବାର କାରଣ ଫୋନ୍ କରି ପଚାରିବାକୁ କହୁଥାଏ । ଏତେ ବର୍ଷାରେ ସେ କେମିତି ବା ଆସିବ । ମାତ୍ର ମଙ୍ଗଳବାର ଦିନ ସେ ବି ଆସିଲା ନାହିଁ । ବୁଧବାର ବର୍ଷା ଛାଡି ଯାଇଥିଲା । ସେଦିନ ବି ତାହାର ଅନୁପସ୍ଥିତ ମୋ ଝିଅକୁ ଯେତେ କଷ୍ଟ ହୋଇଥିଲା ବାପା ହିସାବରେ ମୁଁ ସବୁ ବୁଝି ପାରୁ ଥାଏ । ବାଧ୍ୟ ହୋଇ ଲ୍ୟାଣ୍ଡ ଲାଇନରେ ଫୋନ୍ କଲି । ମାତ୍ର ଫୋନର କୌଣସି ଉତ୍ତର ମିଳିଲା ନାହିଁ । ସେ ସମୟରେ ମୋବାଇଲ୍ ତ ନ ଥିଲା । ମୋ ପାଖରେ କିଛି ଖବର ମିଳିଲା ନାହିଁ । ମୋ ଝିଅକୁ କୌଣସି ଉପାୟରେ ବୁଝାଇବା ମୋ ପକ୍ଷେ ସମ୍ଭବ ହେଲା ନାହିଁ । ଝିଅ ମୋର ସାଙ୍ଗ ବିନା ଅଧୁରା । ତା ପାଠ ପଢା ରେ କାହୁଁ ମନ ଲାଗିବ ।
ପରେ ଏକ ସୂତ୍ରରୁ ଜଣା ପଡିଲା ଝିଅର ସାଙ୍ଗ ଓ ତା ବାପା ସେଇ ଶ୍ରାବଣର ଶେଷ ସପ୍ତାହରେ ସ୍କୁଲ୍ ଆସିବା ବାଟରେ ଏକ ସଡକ ଦୁର୍ଘଟଣାର ଶିକାର ହେଲେ । ସେଇ ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ସେମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରିବାକୁ ପଡିଥିଲା । ଘରେ କହିବାକୁ ଶ୍ରେୟ ମନେ କଲି ନାହିଁ । ଯଥାମତେ ଡାକ୍ତରଖାନାର ଠିକଣା ସଂଗ୍ରହ କଲି । କାମ ବାହାନାରେ ଘରେ ନ ଜଣାଇ ସେଠି ଯାଇ ପହଞ୍ଚେ ମୋ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ଝିଅର ସାଙ୍ଗର ଗୋଡରେ ଗଭୀର ଆଘାତ ହୋଇଥିଲା ଆଉ ତା ବାପା ଥିଲେ କୋମାରେ । ଝିଅର ସାଙ୍ଗର ମାଆଙ୍କୁ କଣ କହି ଆଶ୍ୱାସନା ଦେବି ମୁଁ ବି ଜାଣି ପାରିଲି ନାହିଁ । ଯଥାମତେ ସାହାଯ୍ୟ ଓ ଆଶ୍ୱାସନା ଦେଇ ଶେଷ ବସରେ ଘରକୁ ଫେରି ଆସିଲି ।
ଦିନ ପରେ ଦିନ ଗଡିଚାଲିଲା । ସେମାନଙ୍କର କୌଣସି ଖବର ମିଳିଲା ନାହିଁ । ଝିଅ ମୋର ନ ଖାଇ ନ ପିଇ ରୁଗ୍ଣ ହୋଇ ପଡିଲା । ଯେତେ ବୁଝାଇଲି ଛୋଟ ପିଲା ବୁଝି ପାରିଲା ନାହିଁ । ତାକୁ ବି ସତ କଥା କହି ପାରିଲି ନାହିଁ । ଶେଷରେ ମିଛରେ କହିଲି ତାଙ୍କର କଳାହାଣ୍ଡି ଟ୍ରାନ୍ସଫର ହୋଇ ଯାଇଛି । ତାଙ୍କ ଫୋନ୍ ବି ଲାଗିଲା ନାହିଁ । ମୁଁ ତ କିଛି ମାତ୍ରାରେ ଭୁଲିଗଲି ହେଲେ ମୋ ଝିଅକୁ ବୁଝାଇ ପାରିଲି ନାହିଁ । ଶେଷରେ ଝିଅର ଦେହ ଖରାପ ହେବାକୁ ଲାଗିଲା । ଡାକ୍ତରଙ୍କ ପରାମର୍ଶ ପରେ ଜଣା ପଡିଲା ବ୍ଲଡ୍ କ୍ୟାନ୍ସର୍ । କାହାକୁ କହିବି କେତେ ମିଛ । ଥକି ପଡିଲି । ସେଇ ଶ୍ରାବଣର ଶେଷ ସପ୍ତାହ ମୋ ଜୀବନର ଥିଲା ଅଭିଶପ୍ତ ଶେଷ ଶ୍ରାବଣ । ମୋ ଜୀବନର କୋମଳ ସୁବାସିତ ଓ ସୁଶୋଭିତ କଢିଟି ଯେ ମୋ ଆଖି ଆଗରେ ମଉଳି ଯିବ କେବେ ବି କଳ୍ପନା କରିନଥିଲି । ଶେଷରେ ମୁଁ ହୋଇଗଲି ଏକୁଟିଆ । ନିଜର ବଞ୍ଚିବାର ଶେଷ ନିଶ୍ୱାସ ନା ନେଇ ପାରୁଥି୍ଲି ନା ଛାଡି ପାରୁଥିଲି । ମୋ ଜୀବନରେ ଏତେ ଦୁଃଖ କାହିଁକି ଭଗବାନ ଦେଲେ ? ଭଗବାନଙ୍କ ଉପରୁ ବିଶ୍ୱାସ ତୁଟିଗଲା ।
ଦିନେ ସ୍ୱପ୍ନରେ ଦେଖିଲି ମୋ ଝିଅ ମୋ ଗୋଡ ପାଖରେ ବସି କାନ୍ଦୁଛି । ମୋତେ କହିଲା ବାପା ତୁମେ ମନ ଦୁଃଖ କରନାହିଁ । ମୁଁ ପରା ତୁମ ପାଖେ ପାଖେ ଅଛି । ତୁମ ସାଙ୍ଗରେ ସ୍କୁଲକୁ ଯାଉଛି । ତୁମେ ଜାଣି ପାରୁନାହଁ କେମିତି । ସେଠାରେ ମୋ ସାଙ୍ଗକୁ ଅପେକ୍ଷା କରୁଛି । ମୁଁ ସାଙ୍ଗେ ସାଙ୍ଗେ ନିଦରୁ ଉଠି ଝିଅକୁ ଖୋଜିଲି । ତା ମାର ଫଟୋ ପାଖେ ସେ ବି ଯେମିତି କାନ୍ଦୁଛି । ନିଜକୁ ଅସହାୟ ମନେକଲି । ଆଖିରୁ ଲୁହ ଝରାଇବା ବ୍ୟତୀତ ଅନ୍ୟ କିଛି ଉପାୟ ନ ଥିଲା ।
ଏମିତି ବର୍ଷ ପରେ ବର୍ଷ ଗଡି ଚାଲିଥାଏ । ବିତୃଷ୍ଣା ଓ ବିଷର୍ଣ୍ଣ ମନରେ ଶରୀର ଅବଶ ଲାଗୁଥାଏ । ବୟସର ଅପରାହ୍ନରେ ସ୍କୁଲର ପ୍ରତି ପିଲାମାନଙ୍କଠାରେ ମୋ ଝିଅକୁ ଖୋଜୁଥାଏ । ହଠାତ୍ ଜଣେ ଛୋଟା ଯୁବକ ଓ ସୁନ୍ଦର ଯୁବତୀ କାରରେ ଆସି ସ୍କୁଲରେ ପହଞ୍ଚିଲେ । ମୁଁ କିଛି କହିବା ପୂର୍ବରୁ ମୋତେ ନତ ମସ୍ତକ କଲେ । ମନରେ ସେଇ ଶେଷ ଶ୍ରାବଣର ପ୍ରତିଛବି ଆଙ୍କିହେଉଥାଏ ।
ଯେମିତି ହୃଦୟ ଭିତରେ ଅଟକି ରହିଥିବା ସବୁ ବର୍ଷର ଶ୍ରାବଣର ମେଘ ବର୍ଷି ମୋ ହୃଦୟରେ ଦୁଃଖର ବନ୍ୟା ସୃଷ୍ଟି କରୁଛି । ମୋତେ କିଛି କହିବାର ସୁଯୋଗ ନ ଦେଇ ଜବରଦସ୍ତ ଆମ ଘରକୁ ଗଲେ ।
ଅନେକ ପ୍ରଶ୍ନର ବାଣର ମୁଁ ନିରୁତ୍ତର । ଏକ ବଡ ଉପହାରର ପ୍ୟାକେଟ୍ । ଇଏ କାହା ପାଇଁ ପଚାରିବା ପୂର୍ବରୁ ଯୁବକଟି କହିଲେ ମଉସା ଆପଣଙ୍କ ଝିଅ ସେହି ବର୍ଷ ସ୍କୁଲରେ ମୋ ହାତରେ ରାକ୍ଷୀ ବାନ୍ଧିଥିଲା । ଗିଫ୍ଟ ତ ଦେଇ ନଥିଲି । ବାପା ରବିବାର ଗିଫ୍ଟ ଆଣିଥିଲେ । ତେଣୁ ସୋମବାର ପ୍ରବଳ ବର୍ଷା ହେବାରୁ ଗିଫ୍ଟ୍ ଆଣି ପାରି ନ ଥିଲି । ଭାବିଲି ମଙ୍ଗଳବାର ନେବି । ହେଲେ ବାଧ୍ୟ କଲି ବାପାଙ୍କୁ ସ୍କୁଲ୍ ଯିବାପାଇଁ । ବୋଉର ଶତ ବାରଣ ସତ୍ତ୍ୱେ ରେନି କୋଟ୍ ପିନ୍ଧି ବାପା ଓ ମୁଁ ସ୍କୁଟରରେ ସ୍କୁଲକୁ ବାହାରିଲୁ । କିନ୍ତୁ କିଛି ବାଟ ପରେ ମୁଁ କିଛି ଜାଣି ନାହିଁ । ଆଖି ଖୋଲିଲା ବେଳେ ମୁଁ ହସ୍ପିଟାଲରେ । ଅନୁଭବ କଲି ମୋର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ବୋଉକୁ ପଚାରି ଆମର ସେଦିନର ଦୁର୍ଘଟଣା ବିଷୟରେ ଜାଣିଲି । ବାପାଙ୍କ ବିଷୟରେ ପଚାରିବାରୁ ବୋଉ କହିଲା ସେ ଗାଆଁରେ । କିଛି ଦିନ ପରେ ମାମୁଁ ଆସିଲେ ଆଉ ବୋଉ ଗାଆଁକୁ ଗଲା । ତା ପରେ ଗୋଡ ଭଲ ହେବାରୁ ମାମୁଁ ସାଙ୍ଗରେ ତାଙ୍କ ଘରକୁ ଗଲି । ବୋଉକୁ ଦେଖି ବାପାଙ୍କ ଅନୁପସ୍ଥିତ ଅନୁଭବ କଲି । କିଛି ଦିନ ପରେ ଜାଣିଲି ସେଇ ଦୁର୍ଘଟଣାରେ ବାପା ଆମକୁ ଛାଡି ଚାଲି ଯାଇଛନ୍ତି । ତା ପରେ ପରେ ବୋଉର ଦେହ ଖରାପ ହେଲା ଆଉ ବୋଉ ବି ବାପାଙ୍କ ପାଖକୁ ଚାଲିଗଲା । ସଂସାର କଣ ଜାଣିବା ପୂର୍ବରୁ ଆମେ ଅନାଥ ହେଲୁ । ସେଇ ଶ୍ରାବଣ ମୋ ଜୀବନର ବୋଧହୁଏ ଶେଷ ଶ୍ରାବଣ ଥିଲା । ତା ପରେ ନା ମୁଁ କେବେ କେଉଁ ଋତୁ ଅନୁଭବ କରିଛି । ଯାହା ହେଉ ଭଗବାନଙ୍କ ଆଶୀର୍ବାଦରୁ ଓ ମାମୁଁଙ୍କ ସାହାଯ୍ୟରୁ ଆମେ ଭାଇ ଭଉଣୀ ଆଜି ଦୁଇଜଣ ଡାକ୍ତର । ତେଣୁ ବାକି ଥିବା ତଥା ବାପା ଆଣିଥିବା ଗିଫ୍ଟଟି ସାଇତି ରଖିଥିଲି । ମନେ ମନେ ବହୁତ ଖୋଜିଲେ ବି କେବେ ଆସି ପାରିନି ।
ଏତିକି କହୁ କହୁ ସେ ପହଞ୍ଚି ଯାଇଥିଲା ମୋ ଝିଅର ଫଟୋ ତଳେ । ସେ ଠିକ୍ ବୁଝି ଯାଇଥିଲା । ତା ହାତରୁ ଗିଫ୍ଟ ବାକ୍ସଟି ତଳେ ଖସି ପଡିଲା । କିଛି ସମୟ ପାଇଁ ସମସ୍ତେ ହୋଇଗଲୁ ନିସ୍ତବ୍ଧ । ତା ପରେ ମୋ ଶେଷ ଶ୍ରାବଣର ଧାରା ଜାଣି ସାରିବା ପରେ ମୋତେ ସେମାନେ ସାଙ୍ଗରେ ନେଇଆସିଲେ ତାଙ୍କ ପାଖକୁ ।
