ଅସଜଡା ଅତୀତ
ଅସଜଡା ଅତୀତ
ଶୀତୁଆ ସକାଳ। କୁହୁଡିର ପରିବେଷ୍ଟନିରେ ଚତୁର୍ଦ୍ଦିଗ ଧବଳପ୍ରାୟ । ରାତି ସାରା କାହିଁକି ମନକୁ ଏକ ଅଜଣା ଇଙ୍ଗିତରେ ନିଦ ଠିକ୍ ସେ ହେଉ ନ ଥାଏ। ହଠାତ୍ ମୋବାଇଲ୍ ବାଜି ଉଠିଲା। ଅର୍ଦ୍ଧନିଦ୍ରା ପ୍ରାୟ ହୋଇ ମୋବାଇଲ୍ ଉଠାଇଲି। ସହର ମାର ଫୋନ୍। ପ୍ରଣାମ କହିବା ପୂର୍ବରୁ ଏକ ଅନ୍ତର୍ଦ୍ବନ୍ଦ ଭରା କ୍ରନ୍ଦିତ ସ୍ବରରେ କହିଲେ ବାପା ଡାକ୍ତରଖାନାରେ। ଇତଃସ୍ତତ ଭାବରେ କାହାକୁ କିଛି ନ କହି ଠିକଣା ବୁଝି ସଙ୍ଗେ ସଙ୍ଗେ କଟକ ବାହାରି ଗଲି।
ସେଠାରେ ଯାଇ ଦେଖେ ସହର ମା ଡାକ୍ତରଖାନାର ବାହାରେ ଥିବା ଚଉକିରେ ଚୁପ୍ ହୋଇ ବସିଥାନ୍ତି। ମୋତେ ଦେଖିବା କ୍ଷଣି ତାଙ୍କ ଆଖରୁ ଲୁହ ଅବିରତେ ଗଡିଚାଲିଲା। ଅନେକ ସମୟର ନିସ୍ତବ୍ଧତା ପରେ କହିଲେ ବାପାଙ୍କର ଛାତି ଯନ୍ତ୍ରଣା ଯୋଗୁଁ ରାତିରେ ତାଙ୍କୁ ଏଠାକୁ ନେଇ ଆସିଛି। ମୁଁ କଛି କହିବା ପୂର୍ବରୁ ଡକ୍ଟର ମୋତେ ଡକାଇଲେ। ଭିତରକୁ ଗଲା ପରେ ସବୁକିଛି ବୁଝି ପାରିଲେ ବି ମନକୁ ସାନ୍ତ୍ବନା ଦେଇପାରିଲି ନାହିଁ। ଏତେ ଶୀଘ୍ର ବାପା କିପରି ପର ହୋଇଗଲେ ବିଶ୍ବାସ କରିପାରିଲି ନାହିଁ। ବାହାରେ ଅପେକ୍ଷାରତ ସହର ମାଙ୍କ ପାଖକୁ ଆସି କିଛି କହିବା ଦରକାର ପଡିଲା ନାହିଁ। କେମିତି ସେ ସତ ଜାଣିପାରିଲେ ମୁଁ ବି ଜାଣିପାରିଲି ନାହିଁ। ମୋତେ କୁଣ୍ଢାଇ ଅନେକ କାନ୍ଦିଲେ। ଶେଷରେ ପରସ୍ପରକୁ ସାନ୍ତ୍ବନା ଦେଇ ଡାକ୍ତରଖାନାରୁ ବାପାଙ୍କ ଶବକୁ ଧରି ଗାଁକୁ ଆସିଲୁ।
ଆମ ସମସ୍ତଙ୍କୁ ଦେଖି ବୋଉ ଆମ ପାଖକୁ ଦୌଡି ଆସିଲା। ହେଲେ ବାପାଙ୍କର ଏ ଅବସ୍ଥାକୁ ସେ ସହଜରେ ଗ୍ରହଣ କରି ପାରିଲା ନାହିଁ। ସେ ବେହୋସ୍ ହୋଇପଡିଲା। ଆମ ମାନଙ୍କର ବି ଶକ୍ତି ନ ଥିଲା ତାକୁ ହୋସ୍ କରିବା ପାଇଁ। ସଙ୍ଗେ ସଙ୍ଗେ ସାହି ପଡିଶା ରୁଣ୍ଢ ହୋଇଗଲେ। ସମସ୍ତେ ମିଳିମିଶି ଆମ ମାନଙ୍କର ଦାୟିତ୍ବ ନେଲେ। କିଛିି ଜାଣି ପାରୁ ନ ଥାଏ ମୋ ଆଗରେ କଣ ହେଉଛି। ମୋତେ ଯାହା ଗୁରୁଜନ ମାନେ କହୁଥାନ୍ତି ମୁଁ କରୁଥାଏ। ଯେତେବେଳେ ନିଆଁ ଧରି ବାପାଙ୍କ ଚାରିପଟେ ବୁଲିଲି ସେତେବେଳେ ମୋର ହୋସ୍ ଆସି୍ଲା।
କିଛି ସମୟ ପରେ ବାପାଙ୍କ ଚିତା ଲାଗିଲାପରେ ମୁଁ ଶ୍ମଶାନ ପାଖ ପୋଖରୀ କୂଳରେ ବସିଥାଏ। ମନରେ ଅନେକ ଅସମାହିତ ପ୍ରଶ୍ନ। ଉତ୍ତର ମୋତେ କିଏ ଦେବ। କାହାକୁ ଅବା ପଚାରିବି। ବାପା ତମେ ଏତେ ଭଲ କାହିଁକି କଲ। ଏତେ ଭଲ କାମ କଲ ଯେ ତମ ନାମ କାହାକୁ କହିବାକୁ ଶଙ୍କୋଚ ଲାଗେ। ତଥାପି ମୁଁ ଜାଣିଛି ତୁମେ ଠିକ୍।
ମୋର ଗୋଟି ଗୋଟି କରି ସବୁ ମନେ ପଡୁଛି। ଶନିବାରକୁ ଅପେକ୍ଷା କରିଥାଏ। ସକାଳୁଆ ସ୍କୁଲ୍ ଭାରି ଭଲ ଲାଗେ। କାହିଁକି ନା ଘରକୁ ଫେରି ଗାଧୋଇ ଖାଇ ଶୋଇ ପଡିଲେ ଉଠିଲା ବେଳକୁ ବାପା ଆସିଥାନ୍ତି। ଅନେକ ଖେଳନା ତା ସହିତ ଚକଲେଟ୍। ବେଳେବେଳେ ନୂଆ ଡ୍ରେସେ ତ ନୂଆ ବ୍ୟାଗ୍। ବାପା ଆସିଲେ ସପ୍ତାହର ବାକି ଥିବା ଅନେକ ପ୍ରଶ୍ନ ବାପାଙ୍କୁ ପଚାରେ। ସେ ବି ବିନା ଦ୍ବିଧାରେ ସବୁ ପ୍ରଶ୍ନର ସରଳ ଉତ୍ତର ମତେ ଦେଇଥାନ୍ତି। ସବୁଠାରୁ ଖୁସି ଲାଗେ ରବିବାର। ସକାଳୁ ସକାଳୁ ବୋଉ ହାତର ପୋଡ ପିଠା ସାଙ୍ଗକୁ ଖୀର ଖାଇ ବଜାର ଯାଉ ଆମ ସ୍କୁଟରରେ। ସଉଦା, ପନିପରିବା, ଆମିଷ ଆଣି ଘରେ ଏଗାରଟା ଭିତରେ ପହଞ୍ଚୁ। ସବୁ ଜିନିଷ ଯଥା ସ୍ଥାନରେ ରଖି ସାଙ୍ଗ ହୋଇ ଗାଧୋଇ ଆସି ସାଙ୍ଗ ହୋଇ ଖାଇ ଶୋଇପଡୁ। ଏମିତି ଏମିତି ରବିବାରଟି ବହୁତ ଖୁସିରେ କଟିଯାଉଥିଲା। ମାତ୍ର ବୋଉ ମୁହଁରେ ହସ ପାଉ ନ ଥିଲି। କାହିଁକି ବୋଉର ମନ ଦୁଃଖ ଜାଣି ପାରୁ ନ ଥାଏ। ମଝିରେ ମଝିରେ ମୁଁ ଅଝଟ କଲେ ଅବା ଦଶହରା ଛୁଟିରେ ମୁଁ ବାପାଙ୍କ ସାଙ୍ଗରେ କଟକ ଯାଏ। ସେଠାରେ ସହର ବୁଲେ ନାନା ଖେଳନା କିଣେ। ତାଙ୍କ ଚାକିରିର ବ୍ୟସ୍ତତା ଭିତରେ ବି ସହର ମା ମୋ ପାଇଁ ନାନା ପ୍ରକାର ରୋଷେଇ କରିଥାନ୍ତି। ସେ ସହରି ଖାଇବା ବହୁତ ଭଲ ଲାଗୁଥିଲେ ମଧ୍ୟ ବୋଉର ହାତର ରୋଷେଇର ସ୍ବାଦକୁ କେଉଁଠି ନା କେଉଁଠି ମନ ଖୋଜୁଥାଏ। କିଛିଦିନ ରହି ଘରକୁ ଫେରେ। କିନ୍ତୁ ବୋଉ କେବେ ସାଙ୍ଗରେ ଯାଏନା। ନା ବାପା ଡାକନ୍ତି ନା ବୋଉ ମନ କରେ। ଧୀରେ ଧୀରେ ବୟସ ବଢିବା ଯୋଗୁଁ ମୋ ମନର ସଂଶୟ ଦୂର ହେଲା। କେମିତି ଜଣେ ନାରୀ ତା ସିନ୍ଦୁର ଭାଗ କରିଥାନ୍ତା। ନା ସେ ତା ଦୁଃଖ କାହାକୁ କହେ ନା ନିଜେ ସହେ। ଥରେ ବୋଉକୁ ସାହସ ଜୁଟାଇ ପଚାରିଲି ବୋଉ ତୁ ବାପାଙ୍କୁ ସହର ମା ସହ ରହିବାକୁ କାହିଁକି ବାରଣ ନ କଲୁ। ବୋଉ ତାର ଉତ୍ତର ଦେଇ କହିଲା ତୋ ବାପା ଜଣେ ଭଲ ଲୋକ। କେଉଁ ପରିସ୍ଥିତିରେ ସେ ଏପରି କାମ କଲେ ମୁଁ ବି କେବେ ପଚାରିନି। କାରଣ ମୁଁ ଜାଣେ ସେ କେବେ ଭୂଲ୍ କରି ନ ଥିବେ। ଯଦି ମୋ ସିନ୍ଦୁରର ଅଧେ ଆଉ କାହାର ମଥାରେ ଦ୍ବିଗୁଣିତ ହେଲା ତାଙ୍କର ଦ୍ବିଗୁଣ ଭଲ ହେବ। ବୋଉ ସିନା ସେଦିନ ମୋତେ ଆନମନା କରି ମୋ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇଥିଲା, ମୁଁ କିନ୍ତୁ ବୋଉ ଅନ୍ତରର ଦୁଃଖକୁ ବୁଝିପାରିଥାଏ। ସେଦିନ ହିଁ ମୋ ବାପାଙ୍କ ଉପରେ ରାଗ ଆସି ଯାଇଥାଏ। ହେଲେ ମୋ ବାପାଙ୍କ ଉପରେ ଏତେ ଭଲ ପାଇବା ତାଙ୍କୁ ସନ୍ଦେହ କରିବା କୁ ଖରାପ ଲାଗିଲା। ତଥାପି ଚିନ୍ତା କଲି ମନୁଷ୍ୟ ଭଲ କାମ କରିବା ପୂର୍ବରୁ ସବୁବେଳେ ତାର ପରିଣାମ ବିଷୟରେ ଭାବିବା ଉଚିତ। ସବୁ ଭଲ କାମ ଯେ ସମସ୍ତଙ୍କ ପାଇଁକି ଭଲ କେମିତି ବାପା ବୁଝିପାରିଲେ ନାହିଁ।ଅପେକ୍ଷା କରିଥାଏ ସେଦିନକୁ କେଉଁଦିନ ସତକଥା ବାପାଙ୍କ ମୁହଁରୁ ଜାଣିବି। କିନ୍ତୁ ସବୁକିଛି ଶେଷ। ଠିକ୍ ସେହି ସମୟରେ ପ୍ରଧାନ କାକା ପଛରୁ ଡାକି କହିଲେ ଆରେ ଚିତା ଲିଭି ଗଲାଣି ଇଆଡେ ଆ। ମୁଁ ଚମକି ପଡିଲି। ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନ ଥାଏ। ପୁଣି ବାପାଙ୍କର ଅନୁପସ୍ଥିତା ମୋତେ ଅସହ୍ୟ ଲାଗୁଥାଏ।
