ଶାରୀ
ଶାରୀ


ସାହୁକାରଙ୍କ ରାଜପ୍ରାସାଦ ତୁଲ୍ୟ ଘରୁ ହୋହାଲ୍ଲା ଶୁଭୁଛି। ଲୋକମାନେ ଟୁପୁର ଟାପର ହେଉଛନ୍ତି। ବୁଢ଼ା ସାହୁକାରଟା ତାହେଲେ ଚାଲିଗଲା। କୋକେଇ ସଜଡା଼ ଚାଲିଛି। ସତରେ ହେଉ କିମ୍ବା ମିଛରେ କିଛି ଲୋକଙ୍କ ବାହୁନା ଣୁଣାଯାଉଛି। "ରାମନାମ ସତ୍ୟ ହେ "ଧ୍ବନି ରେ ସାହୁକାର ମଶାଣୀ କୁ ଗଲା। ପ୍ରାସାଦ ର ଅନ୍ତପୁରେ ହଲଚଲ୍ ବଢ଼ୁଛି, ହଇଚଇ ଶୁଭୁଛି। କିଛି ବୟସ୍କା ସ୍ତ୍ରୀ ଲୋକ ଛୁଆ ସାଆନ୍ତାଣୀଙ୍କୁ ବିଧବା ବେଶରେ ସଜାଇ ଦେବାପାଇଁ ପ୍ରସ୍ତୁତି କରୁଛନ୍ତି। ଗତାନୁଗତିକ ପରମ୍ପରା, ପ୍ରଥାକୁ ରୂପରେଖ ଦେବା ପାଇଁ ତତ୍ପରତା ବଢି଼ବଢି଼ ଚାଲିଛି। ଛୁଆ ସାଆନ୍ତାଣୀ ପଲଙ୍କ ଉପରେ ଗୋଟିଏ ପାଖରେ ପଥର ମୂର୍ତ୍ତି ଭଳି ବସି ରହିଛନ୍ତି। ଆଖି ଆଗରେ ଭାସି ଯାଉଛି କିଛିଦିନ ତଳର ଦୁଃଖ, ଲଜ୍ଜା ଓ ଅସହାୟତା ର କରୁଣ ଦୃଶ୍ୟ। ସାହୁକାରଙ୍କ ପ୍ରଥମ ସ୍ତ୍ରୀ ଅକାଳରେ ଚାଲିଗଲେ। ବାପା ସାହୁକାରଙ୍କ ଘରେ ବାରମାସିଆ। ସାହୁକାରଙ୍କ ଲୋଲୁପ ଦୃଷ୍ଟି ପଡି଼ଲା ମୋର ଏ ନିଆଁଲଗା ରୂପଟା ଉପରେ। ପାଲିଙ୍କି, ଶାଢ଼ୀ, ଚୂଡି଼ ପଠାଇ ଜୋର୍ କରି ଉଠାଇ ଆଣିଲେ। ବୟସ ମାତ୍ର ଚଉଦ କି ପନ୍ଦର। ସାହୁକାରଙ୍କୁ ଦୁଇ କୋଡି଼ ପନ୍ଦର। କେହି ବୁଝିଲେନି, ବୁଝିବି ଚୁପ୍ ରହିଲେ। ଚଉଦ ପନ୍ଦର ବର୍ଷ ଝିଅଟିର ସ୍ବପ୍ନ ସବୁ ଭାଙ୍ଗି ଚୁରମାର ହେଇଗଲା। ଯୌବନର ପହିଲି ଛୁଆଁରେ ସ୍ବପ୍ନରେ ଦେଖିଥିବା, ତା ମନର ମଣିଷ କେଉଁ ଆଡ଼େ ହଜିଗଲା। ଅନ୍ତପୁରେ ସୁନାପଞ୍ଜରି ଭିତରେ, ଖୋଲା ଆକାଶ, ସମୁଦ୍ର ଓ ଜଙ୍ଗଲ ର ମାୟାରେ ଉଡି଼ବାର ସ୍ବପ୍ନ ଦେଖିଥିବା ବିଚାରୀ ଶାରୀଟା ବନ୍ଦୀ ହୋଇଗଲା। ଡେଣା ଯେତେ ଫଡ଼ଫଡ଼ କଲେବି ପଞ୍ଜରୀ ର ଦ୍ବାର ଖୋଲି ଉଡି଼ଯିବାର ଜୁ କିମ୍ବା ଶକ୍ତି ନ ଥିଲା। ବୁଢ଼ା ସଁବାଳୁଆ ଖୋଳପାରୁ ପ୍ରଜାପତିଟି ବାହାରି, ଆକାଶରେ ଉଡ଼ି ଉଡ଼ି ଫୁଲ ଉପରେ ବସିବା ପୂର୍ବରୁ, ଦଲକାଏ ଝାଞ୍ଜି ରେ ମାଟି ଉପରେ ପଡ଼ି ଡେଣା ହରାଇ ଛଟ୍ ପଟ୍ ହେଲାପରି ସାହୁକାର ପକ୍ଷାଘାତ ରୋଗରେ ପଡ଼ି ପଙ୍ଗୁ ହୋଇଗଲେ। ହଠାତ୍ କାହାର ସ୍ପର୍ଶରେ ସାଆନ୍ତାଣୀ ପ୍ରକୃତିସ୍ଥ ହେଲେ। ଆସ! ତମକୁ ବିଧବା ବେଶରେ ସଜାଇ ଦେଲାପରେ ଅନ୍ୟ କାମରେ ଯିବୁ। ତଥା କଥିତ ଲୋକ ମୁଖର ସାଆନ୍ତାଣୀ ଉଠି ଠିଆ ହେଲେ। ଓଠରେ ଚେନାଏ ମଲା ହସ। ପିନ୍ଧି ଥିବା ପାଟ ଓ ଗହଣା ଖୋଲି ଗୋଟିଏ ବାକ୍ସରେ ରଖି ତାଲା ଦେଲେ। କିଛି ପୁରୁଣା ଶାଢୀ଼କୁ ଗୋଟିଏ ଗଣ୍ଠିଲି କରି, ପୁରୁଣା ରଙ୍ଗୀନ ଶାଢୀ଼ଟିଏ ପିନ୍ଧିଲେ। ସାଆନ୍ତାଣୀ ଙ୍କ ଏତାଦୃଶ ଆଚରଣ ରେ କାହାରି ଓଠରେ ଭାଷା ନାହିଁ, ସମସ୍ତେ ନୀରବ ଓ ନିଶ୍ଚଳ। ସମସ୍ତଙ୍କ ମୁହଁକୁ ଘଡି଼ଏ ଚାହିଁଲେ ସାଆନ୍ତାଣୀ। ବାଷ୍ପରୁଦ୍ଧ କଣ୍ଠରୁ କେଇପଦ କଥା କେବଳ ଶୁଭିଲା। ତମେମାନେ ସବୁ ମୋତେ ବିଧବା ବେଶରେ ସଜାଇ ସେ ରୂପ ଦେଖିବା ପାଇଁ ବ୍ୟସ୍ତ ନା? କହିପାରିବ, ମୁଁ କେଉଁ ଦିନ ସଧବା ଥିଲି ଯେ ବିଧବା ହେବି? ସଧବାର ସଂକେତ ଏ ନାଲି ସିନ୍ଦୂର ଟୋପା, ଅନେକ ଦିନ ତଳୁ ମୋ ପାଇଁ କଳା ଟୋପା ହୋଇ ସାରିଛି। ଏ ଦେହ, ରୂପ ଆଜିବି ସଧବା ଅଛି। ମନଟା କେବଳ ବିଧବାର ସଜା ଭୋଗୁଛି। ଏଇ ଦେଖ, ତମରି ଆଗରେ ଯନ୍ତ୍ରଣା ନିଆଁରେ ନାଲି ପଡି଼ ଯାଇଥିବା ଟୋପାକୁ ମୁଁ ମୋ ନିଜ ପଣତରେ ପୋଛି ଦେଉଛି। କଳା ଟୋପା ମୋର ପ୍ରାପ୍ୟ। ସମସ୍ତେ ହତବାକ୍। ଲୁଗା ଗଣ୍ଠିଲି ଟି ଧରି ଧିରେ ଧିରେ ଅନ୍ତପୁରରୁ ଗୋଡ଼ କାଢି଼, ପ୍ରାସାଦର ଏରୁଣ୍ଡି ଡେଇଁଲେ। ପଛେ ପଛେ ଅନେକ ନିରଳସ ଆତ୍ମୀୟ। ଗାଁ ମୁଣ୍ଡରେ ଜଳୁଥିବା ସାହୁକାରଙ୍କ ଜୁଇକୁ ଠିଆ ହୋଇ ଦଣ୍ଡେ ଚାହିଁଲେ। ଅଜାଣତରେ ଆଖିରୁ ଦୁଃଖ, ଯନ୍ତ୍ରଣା, କ୍ଷୋଭ ଓ ଅସହାୟତାର କେଇ ଟୋପା ଲୁହ ନିଗିଡି଼ ପଡି଼ଲା। ଦୂର ଦିଗ୍ ବଳୟ କୁ ଚାହିଁଲେ। ଢଳନ୍ତା ସୂର୍ଯ୍ୟ ସତେକି ତା ଦୁଃଖ ରେ, ଲାଜରେ ମୁହଁ ଲୁଚେଇବା ପାଇଁ ପାହାଡ଼ର ପଣତ ଖୋଜୁଛି। ନୀଳ ଆକାଶର ଖୋଲା ଅଙ୍ଗନରେ ପକ୍ଷୀ ଦଳ କଳରବ କରି ନୀଡ଼ ଅଭିମୁଖେ ଫେରୁଛନ୍ତି। ସୁନାପଞ୍ଜରି ର ଦ୍ବାର ଖୋଲି ବିଚାରି ଶାରୀଟା ଖୋଲା ଆକାଶକୁ ଉଡି଼ଯିବା ପାଇଁ ଆଗକୁ ଆଗକୁ ପାଦ ବଢା଼ଇଲା।