Jyotirmayee Panigrahi

Tragedy

4.4  

Jyotirmayee Panigrahi

Tragedy

ଶାଗୁଣା

ଶାଗୁଣା

5 mins
12K



ବୋଉ I ଏହି ଶବ୍ଦଟି କାହିଁକି କେଜାଣି ଆଜି ମନୋଜ ମନକୁ ବିଶେଷ ଭାବରେ ଆନ୍ଦୋଳିତ କରୁଛି I ଆଖି ଆଗରେ ନାଚି ଉଠୁଥାଏ, ତା’ ବୋଉର ସେହି ନିରୀହ ସରଳ ମୁହଁଟା I ପୋଷ୍ଟମର୍ଟମ ରୁମ ବାହାରେ ବସି ବୋଉ କଥା ଭାବି ଭାବି ଆଖିରୁ ଲୁହ ବୋହିଯାଉଥାଏ, ତା’ର I କ’ଣ ଘଟିଗଲା, ଏ ସବୁ !


ଆଜି ହେଉଛି, ରବିବାର I ପୋଷ୍ଟମର୍ଟମ ରୁମ ଆଗରେ ବଡ ତାଲାଟିଏ ଝୁଲୁଛି I କେହି କୁଆଡେ ଦେଖା ଯାଉନାହାନ୍ତି I ମନୋଜ ଏହା ଦେଖି ଚିନ୍ତାରେ ଭାଙ୍ଗି ପଡିଛି I କ’ଣ ଏବେ କରିବ, ସେ ? ଥାନାବାବୁ ଆସିନାହାନ୍ତି I ଏତେ ବ୍ୟସ୍ତ ହେଲେ ହେବ କି ? ଏ କଥା ଶୁଣି ଶୁଣି ସେ ଭାଙ୍ଗି ପଡିଲାଣି, ସତରେ I


ପୁଅଟିଏ ପାଇବା ପାଇଁ ମନୋଜର ବୋଉ କେତେ ଓଷା, ଉପାସ କରିଥିବା କଥା ମନୋଜ ତା’ ଜେଜେ ମା’ଠାରୁ ଶୁଣିଥିଲା I ପିଲାଟିଦିନୁ କେତେ ଲାଳନପାଳନ କରି ବଢେଇଥିଲା, ମନୋଜର ବୋଉ I କେତେ ଅଳି ଅଝଟ ସହିଥିଲା, ତା’ ବୋଉ I ମନୋଜ ତା’ ବୋଉ ପେଟରେ ଥିବାବେଳେ ମନୋଜର ବାପା ଆଉ ଗୋଟେ ମହିଳାକୁ ଘରକୁ ନେଇଆସିଥିଲା, ତଥାପି ମନୋଜର ବୋଉ କିଛି ପ୍ରତିବାଦ କରି ନଥିଲା I ସେ ଘରର ସବୁ କାମ କରିବା ସହ ଶାଶୁ, ଶଶୁରଙ୍କ ସେବାରେ କୌଣସି ପ୍ରକାରର ଅବହେଳା କରି ନ ଥିଲା I ମନୋଜର ଜେଜେ ମା’ କିନ୍ତୁ ଏ ସବୁକୁ ସହି ନପାରି ପୁଅକୁ ଏ ସବୁଥିରୁ ବାରଣ କଲା I ତା’ ପରେ ମନୋଜର ବାପା ସେ ମହିଳାଙ୍କୁ ସାଙ୍ଗରେ ନେଇ ଘରଛାଡି ଚାଲି ଯାଇଥିଲା I


ବହୁ କଷ୍ଟରେ ମନୋଜକୁ ମଣିଷ କରିଥିଲା, ତା’ ବୋଉ I ମନୋଜ ତା’ ବୋଉକୁ ମଧ୍ୟ ବହୁତ ଭଲ ପାଉଥିଲା I ପାଠ ପଢି ସେ ଗାଁ ରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ କାର୍ଯ୍ୟ କରୁଛି I ଏବେ ବି ମନେଅଛି, ତା’ର ଯେଉଁଦିନ ଚାକିରି ହେଲା, ସେଦିନ ତା’ ବୋଉ କେତେ ଖୁସି ହୋଇଥିଲା I କେତେ ମନ୍ଦିରରେ ପୂଜା ମଧ୍ୟ କରିଥିଲା I ଯେଉଁ ପୂଜା କରିବା ପାଇଁ ସେ ଆଗରୁ ମାନସିକ କରିଥିଲା I ମନୋଜର ଚାକିରି ହେଲା ପରେ ତା’ ବୋଉ ତା’ ବାହାଘର ପାଇଁ ବହୁତ ବ୍ୟସ୍ତ ଥିଲା I ମନୋଜ ବୋଉ ଠିକ୍ କରିଥିବା ଜାଗାରେ ସେ ବାହା ମଧ୍ୟ ହେଲା I


ସେ ଉପଲବ୍ଧି କରିଛି, ବୋଉ କଥାରେ ବାହାହେଲି, ବୋଲି ତା’ ଦାମ୍ପତ୍ୟ ଜୀବନ ବହୁତ ଭଲରେ ଚାଲିଛି I ହଠାତ୍ ଭାବନାର ଅନ୍ତ ଘଟାଇ ଥାନାର କନେଷ୍ଟବଳ ଆସି ପହଞ୍ଚିଲା I ହଁ ଶୁଣ, ଆଜି ରବିବାର I ଆଜି କ’ଣ ପୋଷ୍ଟମର୍ଟମ୍ ହୋଇ ପାରିବ ? ମନୋଜ କହିଲା – ଏ ଭାଇ , ମୋ ଉପରେ ଟିକେ ଦୟା କର I ମୋ ବୋଉକୁ ମତେ ନେଇ ଯିବାକୁ ଦିଅ I ମୁଁ ତ ତା’ର ଚିକିତ୍ସା କରିବାକୁ ଚେନ୍ନାଇ ନେଇଥିଲି I ଚିକିତ୍ସା କରିସାରି ଫ୍ଲାଇଟରେ ଆସିବାବେଳେ ମୋ ବୋଉ ମତେ ଛାଡି ଚାଲିଗଲା I କନେଷ୍ଟବଳଟି କହିଲା, ନାଇଁ ନାଇଁ ଏଥିରେ ଦୟା କ’ଣ କରିବି ? ତୁ କାଳେ ତୋ ବୋଉକୁ ମାରିଦେଇଥିବୁ I


ହେ ଭଗବାନ ! ମୁଁ ପୁଣି ମୋ ବୋଉକୁ ମାରିବି ? ପୁଣି କାହିଁକି ? ଫ୍ଲାଇଟରେ ପୁଣି କେମିତି ମାରିବି ? ମୋ ବୋଉକୁ ମୁଁ ମୋ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲି I ମୁଁ ଆଜି ପରଠୁ କେମିତି ମୋ ବୋଉ ବିନା ବଞ୍ଚିବି, ମୁଁ ଜାଣି ପାରୁନି I କନେଷ୍ଟବଳ – ଆରେ ମୁଁ ଜାଣିଛି, ତୁମେ ମାରି ନଥିବ, ତୁମକୁ ଦେଖିଲେ ଲାଗୁଛି, ତୁମେ ତମ ବୋଉଙ୍କୁ ବହୁତ ଭଲପାଅ I କିନ୍ତୁ କ’ଣ କରିବା ! ମାଲ ଟିକେ ଖସେଇଲେ ସିନା ତମ କାମ ଜଲଦି ସରିଯିବ I ଆଉ ତମେ ତମ ବୋଉକୁ ନେଇ ଚାଲିଯିବ I


ମନୋଜ କହିଲା, ଏ ଭାଇ ମୁଁ ମୋ ବୋଉର ଚିକିତ୍ସା କରିବା ପାଇଁ ମୋ ସ୍ତ୍ରୀର ସବୁ ସୁନାଗହଣା ଓ ଆମର ଯାହା ଅଳ୍ପ କିଛି ଜମିବାଡି ସେ ସବୁକୁ ବିକ୍ରି କରି ସବୁ ଟଙ୍କା ବୋଉର ଚିକିତ୍ସାରେ ସରିଗଲା I ହେଲେ ମୋ ବୋଉ ତ ବଞ୍ଚିଲାନି I କନେଷ୍ଟବଳ – ଶୁଣ ଟଙ୍କା ତ ଦେବାକୁ ପଡିବ I ନଚେତ୍ ତୁମ ବୋଉକୁ ତୁମେ ନେଇ ପାରିବନି I ମନୋଜ ବାଧ୍ୟ ହୋଇ ୫୦୦ ଟଙ୍କା ଦେଲା I


ତା’ପରେ ଥାନାର ସବ-ଇନସ୍ପେକ୍ଟର ବାବୁ ଆସି ପହଞ୍ଚିଲେ I ସାର୍ ମୁଁ ତ ଦରଖାସ୍ତ ଦେଇ ସାରିଛି I ଆଉ କ’ଣ କରିବି ? ଥାନାବାବୁ କହିଲେ, ଆଜି ତ ହେଉଛି ରବିବାର I ତମେ ତ ତମ ବୋଉଙ୍କୁ ନେବାକୁ ତରତର ହେଉଛ I କ୍ଳର୍କ, ଡାକ୍ତର ଓ ଆଟେଡାଣ୍ଟଙ୍କ କଥାକୁ ତ ବୁଝିବାକୁ ପଡିବ I ସେଥିପାଇଁ ଟଙ୍କା ୨୦୦୦ ଦେଲେ ଏମାନଙ୍କ କାମ ବୁଝାହେବ ଓ କାମ ଆଜି ହେଇଯିବ I ତମର ପ୍ରଥମେ କାମ କରିଦେବା I ନହେଲେ ଡେରି ହେବ I ମନୋଜ ଇନସ୍ପେକ୍ଟରବାବୁଙ୍କୁ କହିଲା, ସାର୍ ମୁଁ ଏବେ କନେଷ୍ଟବଳବାବୁଙ୍କୁ ୫୦୦ ଟଙ୍କା ଦେଲି I ତା’ ପରେ ଥାନାବାବୁ ରାଗିକି କହିଲେ, ତମକୁ କିଏ କହିଥିଲା ୫୦୦ ଟଙ୍କା ଦେବାକୁ ? ସେ କ’ଣ କ୍ଳର୍କ, ଡାକ୍ତର ଏମାନଙ୍କ କଥା ବୁଝିବ ? ଆଜ୍ଞା ସାର୍ କହି ୨୦୦୦ ଟଙ୍କା ମନୋଜ ଇନସ୍ପେକ୍ଟରବାବୁଙ୍କ ହାତରେ ଧରାଇ ଦେଲା I


ତା’ପରେ ଗୋଟେ ଘରେ ଥିବା ଟ୍ରେରୁ ମନୋଜ ବୋଉର ମଲାଦେହକୁ ଶବ ବ୍ୟବଚ୍ଛେଦ ଗୃହକୁ ଗଲା I ସେଠାରେ ଶବ ବ୍ୟବଚ୍ଛେଦ କରିବା ଲୋକ କହିଲା, ମତେ ୫୦୦ ଟଙ୍କା ଦିଅ I ନହେଲେ ଅପେକ୍ଷା କରିବାକୁ ପଡିବ I ମନୋଜ ପୁଣି ୫୦୦ ଟଙ୍କା ଦେଲା I କିଛି ସମୟ ପରେ ଡାକ୍ତର ବାବୁ ଆସି ପହଞ୍ଚିଲେ I ମନୋଜ ଯାଇ ଡାକ୍ତର ବାବୁଙ୍କୁ ଅନୁରୋଧ କଲା I ମୋ ବୋଉକୁ ଆଉ କଟାକଟି କରନ୍ତୁ ନାହିଁI ଡାକ୍ତର ବାବୁ କହିଲେ, ସେମତି କେମିତି ହେବ ? ନିୟମାନୁସାରେ ଶରୀରକୁ ପୁରା ନ କାଟି କିଛି ଅଂଶକୁ ତ କାଟିବାକୁ ପଡିବ I ଅଳ୍ପ କିଛି ଅଂଶ କାଟିବାକୁ ହେଲେ ୧୦୦୦ ଟଙ୍କା ଦେବାକୁ ପଡିବ I ମନୋଜ ଏ କଥା ଶୁଣି ମୁଣ୍ଡରେ ହାତ ଦେଇ କିଛି ସମୟ ନୀରବ ହୋଇ ବସି ପଡିଲା I କିଛି ସମୟ ପରେ ପକେଟରୁ ୧୦୦୦ ଟଙ୍କା ବାହାର କରି ଡାକ୍ତରବାବୁଙ୍କ ହାତରେ ଧରେଇଦେଲା I


ଏହିପରି ସମସ୍ତେ ଲୁଟି ଚାଲିଥିଲେ, ମନୋଜକୁ I ଶେଷରେ ପଲିଥିନ୍ ବାଲା, ଆମ୍ବୁଲାନ୍ସବାଲା ଓ ଫୁଲବାଲା ମଧ୍ୟ ଜଣଙ୍କ ପରେ ଜଣେ ସମସ୍ତେ ଫାଇଦା ଉଠେଇ ଚାଲିଥିଲେ, ମନୋଜର ଏ ପରିସ୍ଥିତିରେ I ଶେଷରେ ମନୋଜ ତା’ ବୋଉକୁ ପାଇଲା, ସମସ୍ତେ ଲୁଟି ସାରିବା ପରେ I ସମସ୍ତେ ମଲାଦେହକୁ ଲୁଟ୍ କରି ଟଙ୍କା ପାଇ ଖୁସି ହେଉଥିବା ବେଳେ ମନୋଜ କିନ୍ତୁ ବହୁ କଷ୍ଟରେ ଶାଗୁଣା ମାନଙ୍କ କବଳରୁ ତା’ ବୋଉର ମଲାଦେହକୁ ମୁକୁଳାଇ ଆଣିଥିଲା I ଆସିଲା ବେଳକୁ କନେଷ୍ଟବଳ ଆସି ଗୋଟେ ଚିଠା ଧରେଇଦେଲା, ଆଉ କହିଲା, ଗଲା ବେଳେ ବାଟରେ ଏଇଟା ଦେଖେଇବ I ୧୫ ଦିନ ପରେ ଆସି ଡେଥ ସାର୍ଟିଫିକେଟଟା ନେଇଯିବ I ଚିହ୍ନା ତ ହେଲ, ଆଉ କିଛି ଅସୁବିଧା ନାହିଁ I   


ମନୋଜ ଆମ୍ବୁଲାନ୍ସ ଭିତରେ ତା’ ବୋଉର ଗୋଡ ତଳେ ବସି ମନେ ପକାଉଥିଲା ଯେ, ତା’ ବୋଉ କୁଆଡେ କହୁଥିଲା, ମୁଁ ଯଦି ମରିଯିବି, ମତେ କେଉଁ ସ୍ଵର୍ଗଦ୍ଵାରକୁ ନେବୁନି I ଆମ ଗାଁ ଶ୍ମଶାନରେ ମୋର ଦାହ କରିବୁ I କାହିଁକି ନା ମୋ ଗାଁ ମୋ ପାଇଁ ସ୍ଵର୍ଗର ଦ୍ଵାର I

ଆଖିରେ ତା’ର ଆଉ ଲୁହ ନ ଥିଲା I ସବୁତକ ଲୁହ ଶୁଖି ଯାଇଥିଲା, ବୋଧେ I ନିଜର ଅତି ପ୍ରିୟ ମଣିଷଟି ଆଜି ଚାଲିଗଲା, ପରେ ତାକୁ ବହୁତ ଏକୁଟିଆ ଲାଗୁଥିଲା I ବାରମ୍ବାର ତା’ ବୋଉର ପାଦକୁ ତା’ ମୁଣ୍ଡରେ ମାରି ଚାଲୁଥିଲା I ଏହି ହତାଶ ଆଉ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଆମ୍ବୁଲାନସ ଡ୍ରାଇଭର ଗାଁ ଆସିଗଲା, ବୋଲି ମନୋଜକୁ କହିଥିଲା I







Rate this content
Log in

More oriya story from Jyotirmayee Panigrahi

Similar oriya story from Tragedy