Jyotirmayee Panigrahi

Action Classics Inspirational

4.5  

Jyotirmayee Panigrahi

Action Classics Inspirational

ଭାଗ

ଭାଗ

3 mins
186


ଆଜି ରାତି ଦି'ଟାରୁ ଲିକୁର ନିଦ ଭାଙ୍ଗିଗଲା l ନିଦ ହେଉନଥାଏ ତାକୁ l ଗୋଟେ ଅଡୁଆ ସୂତାକୁ ସଜାଡିବାରେ ଲାଗିପଡିଥାଏ, ସେ l ଲିକୁ ବହୁତ ଚିନ୍ତା କଲା ପରେ ଶେଷରେ ଗୋଟିଏ ସ୍ଥିର ସିଦ୍ଧାନ୍ତରେ ଉପନୀତ ହେଲା l ଲିମା ନାନୀକୁ ସେ କେମିତି ସହଯୋଗ କରିବ l ବିଚାରୀ ଗରିବ ଘରେ ପଡିଛି, ଭାରି କଷ୍ଟ ପାଉଛି, ସେ ! ମୋ ଭାଗ ଜମିବାଡ଼ିଗୁଡିକ ତା' ନାଁରେ ବୋଉକୁ କହି କରିଦେବି l ଲିମା ନାନୀ ମୁହଁରେ ଟିକେ ଖୁସି ଦେଖିବାକୁ ତ ମୁଁ ଚାହୁଁଛି। ଯେତେ ଶୀଘ୍ର ପାରିବି, ଜମିବାଡ଼ି ଗୁଡିକ ଏଇ ଦଶହରା ଛୁଟିପରେ ତା' ନାଁରେ କରିଦେବି l ଏବେ ତ ଦଶହରା ଛୁଟି l ଏମିତି ବି କାଲି ଗାଁକୁ ଯିବାର ଅଛି l କାଲି ସକାଳେ ଗାଁକୁ ଯାଇ ଏକଥା ବୋଉକୁ କହିଦେବି l ବୋଉ ସାଙ୍ଗେ କଥା ହୋଇସାରି ଲିପି ନାନୀ ପାଖକୁ ଯିବି l ସେ ଯଦି ରାଜି ହୁଅନ୍ତା, ଆଉ ତା' ଭାଗଟା ବି ଲିମା ନାନୀକୁ ସେ ଦେଇଦିଅନ୍ତା, ତାହାଲେ ବହୁତ ଭଲ ହୁଅନ୍ତା I

ଲିପି, ଲିମା ଆଉ ଲିକୁ ସାରୁଅ ଗାଁର ଜନ୍ମେଜୟ ଦାଶଙ୍କର ଦୁଇ ଝିଅ ଆଉ ଗୋଟେ ବୋଲି ପୁଅ l ବର୍ତ୍ତମାନ ଲିପିନାନୀ ଭୁବନେଶ୍ୱରରେ ରହୁଛି l ବମିଖାଲ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ଅଭୟ ପଣ୍ଡାଙ୍କ ଧର୍ମପତ୍ନୀ l ଲିକୁ ଗୋଟେ ବେସରକାରୀ କମ୍ପାନୀରେ ଚାକିରୀ କରେ, ଭୁବନେଶ୍ଵରରେ l ଲିମାନାନୀର ସ୍ୱାମୀ ସଞ୍ଜୟ ଭାଇନା ଗୋଟେ ଶିଶୁ ମନ୍ଦିରରେ ଶିକ୍ଷକ ରୂପେ କାମ କରନ୍ତି, ନିଜ ଗାଆଁରେ l

ତିନି ଜଣଙ୍କ ଭିତରେ ଲିମା ନାନୀ ଭାରି ଗରିବ l ଜମି ବାଡ଼ି କିଛି ନାହିଁ, ତା'ର l ତାଙ୍କ ଶଶୁର ସବୁ ବିକି ଦେଇଥିଲେ, ଘର ଡିହକୁ ଛାଡି l କିନ୍ତୁ ଲିମା ନାନୀ ବହୁତ ସ୍ୱାଭିମାନୀ ଓ ପରିଶ୍ରମୀ l ଏତେ ଅଭାବରେ ଥିଲେ ବି ଲିମା ନାନୀ କାହାକୁ କେବେ ସାହାଯ୍ୟ ପାଇଁ କିଛି କହେନି l ନିଜ ବାଡ଼ି ପଛ ପଟେ ଲିମା ନାନୀ ପରିଶ୍ରମ କରି ପନିପରିବା, ଶାଗ, ସାରୁ, ଖମ୍ବଆଳୁ ଆଦି ଲଗେଇ କିଛି ପରିମାଣରେ ଖର୍ଚ୍ଚ କାଟ କରିଦିଏ l 

ଶିଶୁ ମନ୍ଦିରରେ କେତେ ବା ଦରମା ! ସାହାଯ୍ୟ ପାଇଁ କିନ୍ତୁ କାହାକୁ ହାତ ବଢାଏନି, ଲିମା ନାନୀ l ନା ବୋଉକୁ କିଛି ମାଗେ ନା ବଡ ଭଉଣୀକୁ ନା ତାକୁ l ଦୁଃଖ, କଷ୍ଟରେ ତା' ଗୁଜୁରାଣ ମେଣ୍ଟାଉଥାଏ, କାହାକୁ କିନ୍ତୁ କିଛି କହେନି। 

ବାପା ଥିଲେ, ବୋଲି ଲିପି ନାନୀର ବାହାଘର ବଡ଼ ଘରେ କରିଦେଇଥିଲେ l ଲିମା ନାନୀ ଭାଗ୍ୟରେ ସେ ସୁଖ ବି ନଥିଲା l ଅକାଳରେ ବାପା ଚାଲିଗଲେ l ସେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥାଏ l ବାପା ଥିଲେ ଖୋଜା ଖୋଜି କରି ବଡ ଘରେ ବାହା ଦେଇଥାଆନ୍ତେ, ଲିମା ନାନୀକୁ। ସାନ ଭାଇ ହିସାବରେ ସେମିତି କିଛି କରିପାରିନାହିଁ, ସେ ଲିମା ନାନୀର ବିବାହକୁ ନେଇ। ବୋଉର କେହି ଜଣେ ଦୂର ସମ୍ପର୍କୀୟ ପ୍ରସ୍ତାବ ନେଇ ଆସିଥିଲେ । ସମସ୍ତେ ରାଜି ହୋଇଗଲେ। ଉପାୟ ବି କିଛି ନ ଥିଲା। 

ସବୁ ବର୍ଷ ରାକ୍ଷୀ ଦିନ ଲିକୁ କିନ୍ତୁ ଡାଲି, ଚୁଡ଼ା, ତେଲ, ବିରି, ଫଳମୂଳ ଆଉ କିଛି ନିତ୍ୟ ବ୍ୟବହାର ଜିନିଷ ନେଇ କରିଯାଏ l କାରଣ ସାନ ଭାଇ ବୋଲି ଲିମା ନାନୀ ତ ପଇସା ରଖେନି, ତା' ଠାରୁ l ଆଉ କିଛି ପର୍ବପର୍ବାଣୀ ଯଥା- ସାବିତ୍ରୀ ଆଉ ରଜରେ ଏମିତି ଜିନିଷ ନେଇଯାଏ l ଆଉ ଏଇ ପର୍ବପର୍ବାଣୀରେ ଲୁଗା ବାବଦରେ କିଛି ଟଙ୍କା ବି ଦେଇଦିଏ, ସେ ଲିମା ନାନୀକୁ l ଲିକୁକୁ ଟିକେ ଆଶ୍ୱସ୍ତି ଲାଗେ l ନହେଲେ ସେ ଲିକୁଠାରୁ ଟଙ୍କାଟିଏ ବି ରଖେନି l

ସେଦିନ କବାଟ ସେପାଖେ ଲିମା ନାନୀ ବୋଉକୁ ଏକୁଟିଆ ବେଳେ କହୁଥିବାର ନିଜେ ତ ଶୁଣିଛି, ସେ l ମୁଁ କୁଆଡେ ଲିମା ନାନୀ ଘରକୁ ଗଲେ, ତାକୁ ଅନୁଭବ ହୁଏ, ଯେମିତି ବାପା ଆସିଛନ୍ତି, ତା' ଘରକୁ। ବାପା ତ ଦୁନିଆ ଛାଡି ଗଲେଣି କେବେଠୁ। କେତେ ଜାଣିବାର ମୋ ସାନ ଭାଇଟା l ସେ ଜାଣି କରି ଏମିତିକା ଜିନିଷ ଆଣିଥିବ, ଯୋଉ ଜିନିଷ ମୋ ଘରେ କି ମୋ ବାଡ଼ିରେ ନଥିବ l ଏକଥା ଶୁଣି ଲିକୁ ଆଖିରୁ ଦୁଇ ଟୋପା ଲୁହ ବୋହି ଯାଇଥିଲା, ସେଦିନ l 

ସ୍ନେହରେ ଦିଆଯାଇଥିବା ଜିନିଷର ମୂଲ୍ୟ କ'ଣ ମାପି ହୁଏ ! ସ୍ନେହ ଶ୍ରଦ୍ଧାରେ ବୋଳି ହେଇଥିବା କିଛି ଜିନିଷର ସ୍ଵାଦ ଅଲଗା ସମ୍ପର୍କକୁ ତଉଲିବା ବଡ କଥା ନୁହେଁ l ଏକଥା ସେ ଉପଲବ୍ଧି କରିଛି l ଲିମା ନାନୀ ବି ସ୍ନେହରେ ତା' ବାଡ଼ିରେ କରିଥିବା ଜିନିଷ ଖାଇବାକୁ ଦିଏ, ତାକୁ l ଶାଗ ଖରଡା, ଡାଲମା, ବଡ଼ି ଚୁରା, ଆଳୁ ବାଇଗଣ ଭରଥା, ସାରୁ ଖମ୍ବଆଳୁ ଭେଣ୍ଡି ଭଜା ଆଦି ତା' ଘରକୁ ଗଲେ ତାକୁ ଖାଇବାକୁ ଦିଏ l ଏ ସବୁ ଜିନିଷ ସତରେ କେତେ ସୁଆଦିଆ ଲାଗେ l ଆଉ ବାଡି ଆତ, ଜାମୁକୋଳିର ସୁଆଦ କେତେ ବଢିଆ ଲାଗେ ।

ଅତି ସ୍ନେହରେ ଦେଉଥିବା ଜିନିଷର ମୂଲ୍ୟ ଆକଳନ କରି ହୁଏନାହିଁ, ସେ ଜିନିଷ ସତରେ ଅମୂଲ୍ୟ। ସ୍ନେହରେ ବୋଳି ହେଇଥିବା କିଛି ଜିନିଷର କିନ୍ତୁ ନିଜସ୍ଵ ମୂଲ୍ୟ ଥାଏ, ନିର୍ଦ୍ଧାରିତ କରି ହୁଏନି l

ଲିପି ନାନୀ ସେ ତ ଭୁବନେଶ୍ୱରରେ ରୁହେ l ଘରକୁ ଲାଗି ଦୋକାନ ବଜାର l ହାତ ପାଖରେ ସବୁ ମିଳିଯାଏ l ଘରେ ଚାକର ବାକର ବି ଅଛନ୍ତି l ତା' ଘରକୁ ଗଲେ ସେ ହୋଟେଲରୁ ଜଳଖିଆ ଆଉ ଚିକେନ୍, ମଟନ ଆଣି ଖାଇବାକୁ ଦିଏ l କିନ୍ତୁ ଡାଲମା, ଶାଗ ଖରଡା ଆଗରେ ଏ ସବୁ ଫିକା ପଡ଼ିଯାଏ, ଯେ l 

ହଠାତ ମୋବାଇଲରେ ଆଲାରାମ ବାଜି ଉଠିଲା, ସକାଳ ପାଞ୍ଚଟା ହୋଇଗଲା, ବୋଧେ l ଗୋଟେ ବହୁତ ବଡ଼ ସମସ୍ୟାର ସମାଧାନର ବାଟ ପାଇ ଯାଇଥିବାରୁ ସେ ମନେ ମନେ ବହୁତ ଖୁସି ହେଉଥିଲା l ଏକ ଅସାଧାରଣ ଖୁସି ଓ ଆନନ୍ଦ ପୁଲକିତ କରୁଥାଏ, ତାକୁ । ଜଲଦି ଜଲଦି ନିଜର ନିତ୍ୟକର୍ମ ସାରି ଗାଁକୁ ବାହାରିବାକୁ ଉଦ୍ୟତ ହେଉଥିଲା, ଲିକୁ l



Rate this content
Log in

More oriya story from Jyotirmayee Panigrahi

Similar oriya story from Action