STORYMIRROR

ଆଈ ମା'ର ଗପ ଚାଙ୍ଗୁଡ଼ି

Abstract Fantasy Others

2  

ଆଈ ମା'ର ଗପ ଚାଙ୍ଗୁଡ଼ି

Abstract Fantasy Others

ସାପ ଓ ନେଉଳ

ସାପ ଓ ନେଉଳ

3 mins
1.2K


ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’ ଘରେ ଆଶ୍ରୟ ଦେଲା । ଶରଣାଗତକୁ ସୁରକ୍ଷା ଦେବ ବୋଲି ନେଉଳ ବି ଦୃଢ ପ୍ରତିଶୃତି ଦେଲା । କହିଲା – ତୁମେ ମୋର ଅତିଥି ଆଉ ଶରଣାଗତ ମଧ୍ୟ । ମୋ ଜୀବନ ପଛେ ଚାଲିଯାଉ ମାତ୍ର ମୁଁ ତୁମକୁ ସର୍ବଦା ରକ୍ଷା କରିବି । ସାପ ନେଉଳର ଏପରି କଥା ଶୁଣି ତା’ର ଭୟ କୁଆଡେ ଚାଲିଗଲା ।ଏଣିକି ସାପ ନେଉଳକୁ ତା’ର ସବୁଠାରୁ ଭଲ ମିତ୍ର ବୋଲି କହିଲା ।

ଦିନେ ସାପ ନେଉଳ ଗାତରେ ତିନିଟି ଅଣ୍ଡା ଦେଲା । ଅଣ୍ଡା ଫୁଟିବାକୁ ଆଉ ଖୁବ୍ ଅଳ୍ପ ଦିନ ଅଛି ଏକ ଗୋଧି ନେଉଳ ଗାତରେ ପଶି ସବୁ ଅଣ୍ଡାତକ ଖାଇଦେଲା । ସେତେବେଳେ ସାପ ତ ଖାଇବା ପାଇଁ ଗାତ ବାହାରକୁ ଯାଇଥିଲା । ସାପ ପଛେ ପଛେ ନେଉଳ ମଧ୍ୟ ତା’ ଖାଦ୍ୟ ସଂଗ୍ରହରେ ଯାଇଥିଲା । ସାପ ଆସି ଦେଖେତ ନେଉଳ ଗାତରେ ତା’ ଅଣ୍ଡା ଆଉ ନାହିଁ ନେଉଳ ମଧ୍ୟ ନାହିଁ । ତାପରେ ସେ ନେଉଳ ଉପରେ ଅବିଶ୍ୱାସ କଲା । ଭାବିଲା – ଏ ନେଉଳ ଛଡା ମୋ ଅଣ୍ଡା ଆଉ କେହି ବି ଖାଇନଥିବେ । ସେହି ସମୟରେ ଗୋଧି ସେଇ ବାଟ ଦେଇ ଯାଉଥିଲା । ଗୋଧି କହିଲା – “ଆଲୋ ସାପ ତୋ ଅଣ୍ଡା କେତେ ସୁଆଦିଆ ମ । ନେଉଳ ଆଣି ଗୋଟିଏ ଦେଇଥିଲା” । ବହୁତ ଭଲ ଲାଗିଲା । ଗୋଧିର ଏପରି ମିଛ କଥା ଶୁଣି ସାପ ବହୁତ ରାଗିଗଲା । ମାତ୍ର ତା’ର କିଛି ବି କରିବାର ନଥିଲା । ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା ଓ ତପସ୍ୟା କଲା । କଠିନ ତପସ୍ୟା କରି ସେ ଭଗବାନଙ୍କୁ ସନ୍ତୁଷ୍ଟ କଲା ।

ଭଗବାନ ସାପର ଏଭଳି ତପସ୍ୟାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ – କୁହ, ତୁମର କ’ଣ ଅସୁବିଧା ହୋଇଛି । ତାପରେ ସେ ସାପ ସବୁ କଥା କହିଲା – ହେ “ପ୍ରଭୁ” ମୋ ସରଳତାର ସୁଯୋଗ ନେଇ ଆମ ଜାତିକୁ ସମସ୍ତେ ମାରୁଛନ୍ତି । କେହି ଯଦି ଆମ ଉପରେ ଅନ୍ୟାୟ କରୁଛି ଆମେ ତାହା ସହିତ ଲଢେଇ ମୋଟେ କରିପାରୁନାହୁଁ । ଏଣୁ ଆମେ ଆମ ନିଜର ରକ୍ଷା କରିବାରେ ସମ୍ପୂର୍ଣ୍ଣ ଅସମର୍ଥ । ଆମର ଏହି ସରଳତାର ସୁଯୋଗ ନେଇ ବଣୁଆ ପଶୁ, ମଣିଷ, ଶାଗୁଣା, ଚିଲ ଆଦି ଆମ୍ଭମାନଙ୍କୁ ବହୁତ ହନ୍ତ ସନ୍ତ କରି ମାରୁଛନ୍ତି । ଏପରିକି ଶେଷକୁ ମୋର ମିତ୍ର ସାଜିଥିବା ନେଉଳ ମଧ୍ୟ ମୋତେ ଧୋକା ଦେଲା । ତେଣୁ ହେ ପ୍ରଭୁ ଆପଣ ଯଦି ମୋ ତପସ୍ୟାରେ ସନ୍ତୁଷ୍ଟ ତେବେ ମୋ ଦେହରେ ବିଷ ଭରିଦିଅନ୍ତୁ । ତାହେଲେ ଯାଇ ଯିଏ ମୋର ଅନିଷ୍ଟ କରିବ ମୁଁ ତାକୁ ଶେଷ କରିଦେବି ।

ସାପ କଥା ଶୁଣି ଭଗବାନଙ୍କ ଭାରି ଦୟା ହେଲା । ତେଣୁ ସେ ସାପକୁ “ସେହିପରି” ହଉ କହି ଆଶୀର୍ବାଦ ଦେଇ ସେଠାରୁ ଚାଲିଗଲେ । ସେହି ଦିନଠାରୁ ସାପ ବିଷାକ୍ତ ହୋଇଗଲା ।

ସାପ ବିଷାକ୍ତ ହେବା କଥା ଶୁଣି ବଣରାଇଜର ହଡକମ୍ପ ହୋଇଗଲା । ତାପରେ ଆଉ କେହି ପଶୁ ପକ୍ଷୀ ସାପ ପାଖକୁ ପଶିବାକୁ ସାହସ ମଧ୍ୟ କଲେ ନାହିଁ । ତେଣେ ନେଉଳ ବିଷାକ୍ତ ସାପ ଭୟରେ ତା’ ଗାତ ଛାଡି ପାହାଡକୁ ପଳାଇଗଲା । ପାହାଡ ଉପରେ ବସି ସେ ନେଉଳ ବି ତପସ୍ୟା କଲା ।

ନେଉଳ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ କହିଲେ – “ବତ୍ସ” କ’ଣ ଚାହୁଁଛ ମାଗିପାର । ତହୁଁ ସେ ନେଉଳ କହିଲା – “ପ୍ରଭୁ” ଏ ସାପ ଅତ୍ୟନ୍ତ ବିଷାକ୍ତ ହୋଇଯାଇଛି । ସମସ୍ତେ ଜାଣନ୍ତି ମୁଁ ବହୁତ ସରଳ ଓ ଦୟାବନ୍ତ । ସାପର ଅଣ୍ଡା ମୁଁ ଖାଇନାହିଁ । ତଥାପି ସାପ ମତେ ବିଷାକ୍ତ ହୋଇ ମାରିବାକୁ ଖୋଜୁଛି । ତେଣୁ ଆପଣ ମତେ କେବଳ ଏତିକି ଶକ୍ତି ଦିଅନ୍ତୁ ଯେତେବେଳେ ସାପ ସହିତ ମୋର ସାମ୍ନାସାମ୍ନି ହେବ ବିଜୟ ସର୍ବଦା ମୋର ହିଁ ହେବ । ସାପକୁ ତ ମୁଁ ଯେନତେନ ପ୍ରକାରରେ ହରାଇବି । ଏକଥା ଶୁଣି ଭଗବାନ କହିଲେ “ତଥାସ୍ତୁ” ।

ଏହାପରେ ଦିନେ ସାପ ଓ ନେଉଳର ସାମ୍ନା ସାମ୍ନି ହୋଇଗଲା । ସେତେବେଳକୁ ସାପ ତ ପୁରାପୁରି ବିଷାକ୍ତ ପାଲଟି ଯାଇଥାଏ । ସାପ ନେଉଳଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା । ସାପ ଯେତେ ଚେଷ୍ଟା କଲେ ମଧ୍ୟ ନେଉଳକୁ ମୋଟେ ମାରି ପାରିଲା ନାହିଁ । ନେଉଳ ଖାଲି ଖସି ଚାଲିଯାଉଥାଏ । ସେହି ଦିନଠାରୁ ସାପ ଓ ନେଉଳ ପରସ୍ପରର ଶତ୍ରୁ ପାଲଟି ଗଲେ । ଯେତେବେଳେ ବି ସେ ଦୁହିଁଙ୍କର ସାମ୍ନା ହୁଏ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗେ ।

ଦିନେ ଏଭଳି ଯୁଦ୍ଧରେ ନେଉଳ ସାପକୁ ମାରି ଦେଲା । ସେହି ଦିନଠାରୁ ସାପ ଜାତି ଓ ନେଉଳ ଜାତି ପରସ୍ପରର ମୁଖ୍ୟ ଶତ୍ରୁ ପାଲଟି ଗଲେ ମାତ୍ର ସର୍ବଦା ସରଳ ଓ ଦୟାବନ୍ତ ନେଉଳର ହିଁ ବିଜୟ ହେଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।


Rate this content
Log in

Similar oriya story from Abstract